ଭକ୍ତର ଭଗବାନ
ଭକ୍ତର ଭଗବାନ
ଦୁଃଖର ହିମାଳୟ ଭିତରେ ଯେତେବେଳେ ମୁଁ ମର୍ମାହତ ହେଉଥିଲି ଆଉ ଭଗବାନଙ୍କ ଉପରେ କୃତ୍ରିମ ଅଭିମାନକୁ ଛାତି ତଳେ ଜାପି ଛଟପଟ ହେଉଥିଲି ସେତେବେଳେ ବାପାଙ୍କର କିଛି ଶବ୍ଦ ମତେ ଫେରେଇ ଆଣିଥିଲା ବାସ୍ତବତାକୁ । ମୁହଁଟାକୁ ଟିକେ ଆଡେଇ ନେଇ ପୋଛିଦେଇଥିଲି ସେଇ ପରିଚିତ ଲୁହ ବୁନ୍ଦା ଗୁଡିକୁ ନିଜ ଓଦା ଓଦା ହାତ ପାପୁଲିରେ । ନିଜକୁ ସ୍ୱାଭାବିକ କରି ନିରିହ ଆଖିରେ ଟିକେ ତାଙ୍କୁ ଚାହିଁଲି, ଆଉ ସିଏ ମତେ ଟିକେ ଚାହିଁ ହସିଦେଲେ ଏବଂ କହିଲେ, "ବାହାରିପଡ଼ ଶୀଘ୍ର ଶୀଘ୍ର, ଆମେ ପୁରୀ ଯିବା ।" ଏହି ପଦିକ କଥା ଶୁଣିବା ପରେ ହୃଦିୟ ଭିତରେ ଯେମିତି ଖୁସିର ଗୋଟେ ସୂକ୍ଷ୍ମ କିରଣ ଖେଲିଯାଇଥିଲା ।ଲାଗୁଥିଲା ଯେମିତି ସେଇ କଳା ଠାକୁର ମୋ ବେଦନାକୁ ବୁଝିପାରି ମତେ ତାଙ୍କ ପାଖକୁ ଡାକୁଛନ୍ତି ।
ତା ପରଦିନ ସକାଳେ ବାହାରି ପଡ଼ିଥିଲି ବିନା ପ୍ରତିବାଦରେ ସେଇ କଳା ଠାକୁରକୁ ଦେଖିବାକୁ ଯଦିବା ହୃଦୟର ଖଣ୍ଡିତ ମନ୍ଦିର ଭିତରେ ବିଷାଦର ରାଗିଣୀ ଚିତ୍କାର କରୁଥିଲା ।ସବୁଆଡେ ଯେମିତି ଶୂନ୍ୟ ଶୂନ୍ୟ ପରିବେଶ ହିଁ ଥିଲା ଏବଂ ସବୁଆଡେ ସେଇ ତିକ୍ତ ଅତୀତ ମତେ କ୍ଷତାକ୍ତ କରୁଥିଲା ।ମାତ୍ର ସବୁକୁ ଚାପିଧରି ବାପାଙ୍କ ସହ ବାହାରିଥିଲି ବସ ଷ୍ଟାଣ୍ଡକୁ ।କିନ୍ତୁ ସେଠି ପହଁଚିଲା ପରେ ଜାଣିବାକୁ ପାଇଥିଲୁ ବସଟି କାଲି ଦୁର୍ଘଟଣାରେ ଭାଙ୍ଗି ରୁଜି ଭୁବନେଶ୍ୱରରେ ପଡିଛି । ଏସବୁ ଶୁଣିଲା ପରେ ଯଉ ଦୁଃଖକୁ ମୁଁ କମ୍ବଳ ଘୋଡାଇ ଶୁଆଇଦେଇଥିଲି ପୁଣି ସେ ଚିତ୍କାର କରି ଉଠିଲା ଆଉ ମତେ ବାରମ୍ବାର ପଚାରୁଥିଲା ତୁ କଣ ଏତେ ଅଶୁଭ? ତୋ ଜୀବନରେ କଣ ଖୁସି ଲେଖା ନାହିଁ? ହଠାତ ଜଣଙ୍କର କଥା ମୋ ଭାବନାରେ ପୂର୍ଣ୍ଣଛେଦ ପକେଇଦେଲା । "ଆପଣ କଣ ପୁରୀ ଯିବେ "? ବାପା ଦୁଃଖ ଭରା କଣ୍ଠରେ କହିଲେ କାଳିଆର ବୋଧେ ଇଚ୍ଛା ନାହିଁ ।ଭାବୁଛି ଘରକୁ ଫେରିଯିବି ।ସେ ଲୋକଟି କହି ଉଠିଲା କେହି କଣ ଠାକୁରଙ୍କୁ ଦର୍ଶନ କରିବାକୁ ଆସି ଫେରିଯାଏ । ମୋର ବି ଯିବାର ଥିଲା, ଚାଲନ୍ତୁ ସାଙ୍ଗ ହୋଇ ରେଳ ଷ୍ଟେସନକୁ ଯିବା । ମୋ ମନରେ ପୁଣି ଠାକୁରଙ୍କୁ ଦର୍ଶନ କରିବାର ସ୍ୱପ୍ନ ଉଙ୍କି ମାରିଲା ଏବଂ ସାଙ୍ଗ ହୋଇ ଚାଲିଲୁ ରେଳଷ୍ଟେସନ ।
ଟିକେଟ କାଟିଲା ପରେ ଟ୍ରେନରେ ବସିଲୁ । ଟ୍ରେନ ମାଡି ଚାଲିଥିଲା ଆଗକୁ ଆଗକୁ ଆଉ ମତେ ଲାଗୁଥିଲା ମୁଁ ଯେମିତି ଫେରୁଥିଲି ପଛକୁ ପଛକୁ । ଆଖିରୁ ଝରି ଆସୁଥିଲା ଅମାନିଆ ଲୁହ ।କାନ ପାଖରେ ଗୁଂଜରିତ ହେଉଥିଲା ବିଜୟଙ୍କ ପତିଶ୍ରୁତି ଆଉ ଶେଷରେ ତାଙ୍କର ବିଶ୍ୱାସଘାତକତା । ଜାଣି ପାରୁନଥିଲି ମୋ ପାଖରେ କଣ ଅଭାବ ରହିଗଲା ତାଙ୍କୁ ଭଲ ପାଇବା ଦବା ପାଇଁ ।ଦିନେ ମୋ ପାଇଁ ସେ ତାଙ୍କ ଜୀବନରେ ଆଣିଥିଲେ ପରିବର୍ତ୍ତନ ଆଉ ଛୁଇଁଥିଲେ ସଫଳତାକୁ । କିନ୍ତୁ ସଫଳତା ପାଇଲା ପରେ କେମିତି ଦୁରେଇ ଗଲେ ମୋ ଠାରୁ ।ପୁଣି ଝରି ଆସିଲା ଯନ୍ତ୍ରଣାରେ ଜୁଡୁବୁଡୁ ଲୁହ ।ଯାତ୍ରୀ ମାନଙ୍କର ଗହଳି ଭିତରେବି ମୋ ଭିତରେ ଥିଲା ଶୂନ୍ୟତା ।ଗାଡି ଗଡି ଚାଲିଥିଲା ତା ଲକ୍ଷ୍ୟ ପଥରେ ।
ସବୁ ଅତୀତ ପୁଣି ସ୍ପଷ୍ଟ ହେଉଥିଲା ସ୍ମୃତିର ଆଇନାରେ ।ଯେତେ ଚାହିଁଲେବି ମୁଁ ବିଜୟଙ୍କୁ ଘୃଣା କରିପାରୁନଥିଲି କାରଣ ସିଏତ ମୋର.............
ବାପା କହିଉଠିଲେ, "ପାଣି ନବୁ ? "ହାତ ଠାରି ମନା କଲି କାରଣ କଥା ହବାର ସାମାନ୍ୟ ତମ ସ୍ପୃହା ନଥିଲା । ଚୁପଚାପ ବସିଥିଲି ଝରକା ପାଖରେ ।ହାଲକା ହାଲକା ପବନ ମୋ ଦେହରେ ଲେସି ହୋଇ ମତେ ଟିକେ ଆଶ୍ୱାସନା ଦେଉଥିଲେ ମଝିରେ ମଝିରେ ।ସେଦିନ ବିଜୟଙ୍କ ପାଦ ଧରି ଚିତ୍କାର କରୁଥିଲି ମୋ ପ୍ରେମ ପାଇଁ ମାତ୍ର ମୋ ଆବେଦନ ଆଉ ନିବେଦନ କିଛିବି ପ୍ରଭାବ ପକେଇ ନଥିଲା ତାଙ୍କ ଉପରେ ।ସେ ଗୋଇଠା ମାରି ଦୂରେଇ ଦେଇଥିଲେ ମତେ ।ବୋଧେ ସେଇଟା ହିଁ ଥିଲା ମୋ ତ୍ୟାଗ ର ପାଉଣା ଆଉ ପ୍ରାପ୍ୟ । ହୃଦୟ ଭିତରେ ପୁଣି ଯେମିତି ଝଡର ତାଣ୍ଡବ ସୃଷ୍ଟି ହେଲା ଆଉ ଭାରି ଅଣନିଶ୍ୱାସୀ ଲାଗିଲା ।କଳା ଠାକୁରକୁ ଦେଖିବାର ଇଚ୍ଛା ଆହୁରି ପ୍ରବଳତର ହୋଇ ଉଠିଲା ।
ଅଜଣା ବ୍ୟକ୍ତି ଜଣକ ପଚାରିଲେ, "ଝିଅ କଣ ଭାବୁଛ "?
ଯଦିବା ମନରେ ଅନେକ ଦୁଃଖ ଥିଲା ଆଉ ବିରକ୍ତିଭାବ ଥିଲା ସବୁକୁ ଚାପି ତାଙ୍କୁ କହିଲି କିଛି ନାହିଁ ମାତ୍ର ସେ ମୋର ଆଖିକୁ ରହସ୍ୟମୟ ଚାହାଣୀରେ ଚାହିଁ ରହିଥିଲେ । ବୋଧେ କିଛି ଅନ୍ବେଷଣ କରୁଥିଲେ । ମୁଁ ମୁହଁଟାକୁ ତାଙ୍କ ଆଡୁ ଫେରେଇ ନେଇଥିଲି ଆଉ ବାହାରକୁ ଚାହିଁବାକୁ ଆରମ୍ଭ କରିଥିଲି ।
ଟ୍ରେନ ଯାଇ ଲାଗିଥିଲା ପୁରୀ ଷ୍ଟେସନରେ । ସମସ୍ତେ ମତେ ଠେଲି ଦେଇ ଓଲ୍ହେଇ ପଡିଲେ ।ମୁଁ ଧୀରେ ଧୀରେ ଗାଡ଼ିରୁ ବାହାରିଲି । ବହୁତ ଦିନ ପରେ ଗୋଟେ ନୂତନ ଜାଗାକୁ ଯାଉଥିବାରୁ ମନରେ ଟିକେ ଖୁସିଥିଲା ।ପେଟରେ ଭୋକର ଯନ୍ତ୍ରଣା ଯେମିତି ମୋ କଷ୍ଟକୁ ବହୁତ ବଢ଼ାଉ ଥିଲା ।ବହୁତ କଷ୍ଟ ପରେ ପହଞ୍ଚିଥିଲୁ ବଡ ଦାଣ୍ଡରେ ।ଭିତରେ ଗୋଟେ ଅଜଣା କମ୍ପନ ଖେଳିଯାଉଥିଲା । କୋହ ବି ଯେମିତି ବାହାରିଆସିବାକୁ ଚିତ୍କାର କରୁଥିଲା । ମାତ୍ର ଆମେ ଯେତେବେଳେ ସେଇ ଜଗତର ନାଥଙ୍କୁ ଦେଖିବାକୁ ସମସ୍ତ ଉତ୍କଣ୍ଠାକୁ ଜାଗ୍ରତ କରି ଆଗେଇ ଚାଲିଲୁ ଜଣେ ଆସି କହିଲେ ଆଜି ମହା ପ୍ରଭୁଙ୍କୁ ଦେଖି ହବନାହିଁ । ଏତିକି ଶୁଣିବା ପରେ ମୋ ଗୋଡ ତଳୁ ଯେମିତି ମାଟି ଖସି ଯାଇଥିଲା ।ମୁଁ ଆଉ ସମ୍ଭାଳି ପାରିଲିନି । ବାପାଙ୍କୁ ଧରି କୋହ ଭରା ସ୍ୱରରେ ଚିତ୍କାର କରି କାନ୍ଦିବାକୁ ଲାଗିଲି ।ମନ୍ଦିର ଭିତରେ ଗୋଟେ ଯାଗାରେ ବସି କାନ୍ଦି ବାକୁ ଲାଗିଲି । ମୋ ଦୁନିଆରେ ଯେମିତି ଅନ୍ଧକାର ଘୋଟି ଯାଇଥିଲା । ବାପାବି ନିସ୍ତବ୍ଦ ହୋଈ ଠିଆ ହୋଇଥିଲେ ।ଲାଗୁଥିଲା ପ୍ରଭୁ ଜଗନ୍ନାଥ ମୋର ଗୋଟେ ପରେ ଗୋଟେ ପରୀକ୍ଷା ନେଉଥିଲେ ।ସେତେବେଳକୁ ସନ୍ଧ୍ୟା ହୋଇଯାଇଥିଲା ।ମନ୍ଦିର ଭିତରେ ଘଣ୍ଟା, ଶଙ୍ଖ ନାଦରେ ଫାଟି ପଡୁଥିଲା ।ଆମେ ଦୁଇଜଣ ସେମିତି ବସିଥିଲୁ ସ୍ଥାଣୁ ହୋଈ ।
ହଠାତ ଜଣେ ଆସି ଆମକୁ କହିଲେ ମନ୍ଦିର ଖୋଲା ହେଲାଣି ।ଭିତରକୁ ଚାଲ ।ସେତେବେଳେ ଲାଗିଥିଲା ଯେମିତି ନୂତନ ପ୍ରାଣ ସଂଚାର ହୋଇଥିଲା ।ମୁଁ ପାଗଳ ଭଳି ଧାଁଇ ଯାଇଥିଲି ମୋ ମନ ଦେବତାଙ୍କ ପାଖକୁ ।ଭଜନ, କୀର୍ତ୍ତନ ଯେମିତି ଶରୀରରେ କେତେ ଯୁଗର ଅଭୂତପୂର୍ବ ଶିହରଣ ସୃଷ୍ଟି କରୁଥିଲା । କଳା କଳା ଆଖିକୁ ଦେଖିଲା ପରେ ମୋ ଆଖିରୁ ଝରି ପଡିଥିଲା ସେ ବେଦନଶୀକ୍ତ ଲୋତକ ।ଇଚ୍ଛା ହେଉଥିଲା ତାଙ୍କୁ କୁଣ୍ଢେଇ ଧରି ମନ ଭାରି କାନ୍ଦନ୍ତି ଆଉ ସବୁ ଯନ୍ତ୍ରଣାକୁ ପୋଛି ଦିଅନ୍ତି ସବୁଦିନ ପାଇଁ । ତାଙ୍କୁ ଭିଡ ଭିତରେ ବି ମନ ପୁରେଇ ଦେଖିଥିଲି ଆଉ ଭୋକର ଯନ୍ତ୍ରଣା ବି ପ୍ରଶମିତ ହୋଇଯାଇଥିଲା । ବାପାଙ୍କ ଆଖିରୁ ବି ଝରି ପଡିଥିଲା ଲୁହ । ଇଚ୍ଛା ନଥିଲେ ବି ବିଦାୟ ନବାକୁ ପଡିଥିଲା କଳା ଠାକୁରଙ୍କ ଠାରୁ ।
ଯେତେବେଳେ ମନ ଶୁଖେଇ ଫେରୁଥିଲି ଜଣେ ଲୋକ ଆମକୁ କିଛି ବଳକା ପ୍ରସାଦ ଯାଚିକି ଦେଇଥିଲା ।ଆମେ ବାପା ଝିଅ ଦୁଇଜଣ ସେଇ ପ୍ରସାଦ ଏବଂ ଖଟାକୁ ମନ ପୁରେଇ ଖାଇଥିଲୁ ।ଲାଗୁଥିଲା ଯେମିତି କଳା ଠାକୁର ନିଜେ ପ୍ରସାଦ ପଠେଇଥିଲେ ।ଆଖିରୁ ବର୍ଷୁଥିଲା ଖୁସିର ଲୁହ ଏବଂ ସବୁ ଅଭିମାନ ଯେମିତି ସୋଇପଡ଼ିଥିଲେ ନୀରବରେ ।
ମନ୍ଦିର ବାହାରକୁ ଆସିଲା ପରେ ଭିତରେ ଅନେକ ଶକ୍ତି ସଂଚାରିତ ହୋଇଥିଲା । ମତେ ଅନୁଭବ ହୋଇଥିଲା ପ୍ରଭୁ ଯେମିତି ମତେ ସବୁ ଶକ୍ତି ଅଜାଡି ଦେଇଛନ୍ତି ।ଯଉ ଦୁଃଖ ମତେ ଗୋଟେ ଜିଅନ୍ତା ସଵରେ ପାଲଟି ଦେଇଥିଲା ତାକୁ ପ୍ରତିହତ କରିବାକୁ ମୁଁ ଯେମିତି ସକ୍ଷମ ହୋଇଯାଇଥିଲି ।ସେଇ ସିଂହ ଦ୍ୱାର ନିକଟରେ ପ୍ରତିଶ୍ରୁତି ନେଇଥିଲି ସେ ଅତୀତକୁ ସବୁଦିନ ପାଇଁ ସମାଧି ଦେବାକୁ ।
ଜାଣିପାରିଥିଲି ଭକ୍ତଟିଏ ପାଇଁ ତା ଭଗବାନ ପରୀକ୍ଷା ନିଅନ୍ତି ସତ ମାତ୍ର ଶେଷରେ ବିଜୟ କରାନ୍ତି ।
