Manaswini Dash

Tragedy

4.0  

Manaswini Dash

Tragedy

ଅଦୃଶ୍ୟ ଝଡ଼

ଅଦୃଶ୍ୟ ଝଡ଼

2 mins
236


ସେଦିନ ଥିଲା ଅମାବାସ୍ୟାର ରାତି | ମମତା ବସିଥିଲା ଝରକା ପାଖରେ | ଆକାଶରୁ ବର୍ଷୁଥିଲା ଘନଘୋର ମେଘ ତା'ର ବେତାଳିଆ ଛନ୍ଦରେ | ସୁଲୁ ସୁଲୁ ପବନ ଲେସି ହେଉଥିଲା ତା ଦେହରେ | ହ୍ୱିଲ ଚେୟାର ଉପରେ ବସିଥିଲା ସେ ନିରବ ନିସ୍ତେଜ ହୋଇ ଏକ ପ୍ରସ୍ତର ମୂର୍ତ୍ତି ପରି |ଆଖିରୁ ତାର ଝରି ଯାଉଥିଲା କେତେ ଦିନର ସଂଚିତ ଅମାନିଆ ଲୁହ | ଉପର ତାଲାରେ ନିରବତାର ଅନ୍ତରାଳେ ମମତା ସାଉଁଟୁ ଥିଲା ଅତୀତର ଅଦୃଶ୍ୟ ଝଡ଼କୁ |

କଲେଜ ଜୀବନରେ ମମତା ଥିଲା ଖୁବ ଚଳଚଞ୍ଚଳ | ତାର ବିହ୍ଵଳିତ ସୌନ୍ଦର୍ଯ୍ୟ ଲକ୍ଷେ ଭ୍ରମରକୁ ପାଗଳ କରିବାର ଶକ୍ତି ରଖିଥିଲା | ମାତ୍ର ; ମମତାର ଅଭିମାନୀ ମନ ପସନ୍ଦ କରିଥିଲା ମନୋଜକୁ | ମନୋଜ ତାର ଆକର୍ଷଣୀୟ ବ୍ୟକ୍ତିତ୍ୱ ଏବଂ ଗୌର ବର୍ଣ୍ଣରେ ଆକୃଷ୍ଟ କରିଥିଲା ମମତାର ଚୁଲବୁଲି ନଜରକୁ |ଦୁହିଁଙ୍କ ଜୀବନରେ ଯେମିତି ଏକ ନୂତନ ଅଧ୍ୟାୟ ର ଅୟମାରମ୍ଭ ହୋଇଥିଲା | ମମତାର ରାତି ଦିନ ଯେମିତି ସମର୍ପିତ ଥିଲା ମନୋଜ ପାଇଁ | ପ୍ରତ୍ୟେକ ମୁହୂର୍ତ୍ତରେ ତା ହୃଦୟରେ ଆନ୍ଦୋଳିତ ହେଉଥିଲା ମିଳନର ଅଭିପ୍ସା | ମନୋଜ ପାଇଁ ଯେମିତି ସିଏ ପାଗଳିନୀ ପାଲଟିଯାଇଥିଲା |ମନୋଜର ମିଛ ପ୍ରତିଜ୍ଞା ତା ମନରେ ସୃଷ୍ଟି କରିଥିଲା ଅନେକ ଯୁଗର ଅମାପ ସ୍ବପ୍ନ |

କିନ୍ତୁ ମୋନାର ପ୍ରବେଶ ପରେ ସବୁକିଛି ବଦଳି ଯାଇଥିଲା | ମନୋଜ ସବୁକିଛି ଭୁଲିଯାଇ ନିଜକୁ ସମର୍ପି ଦେଇଥିଲା ମୋନା ପାଖରେ |ତା'ର ଆଧୁନିକତା ଆଉ ଇଂଲିଶ ଶବ୍ଦ ଚୋରିକରିଥିଲା ମନୋଜର ଚହଲା ମନକୁ | ମମତା ଏସବୁ ଜାଣିପାରିଥିଲା ମନୋଜର ପରିବର୍ତ୍ତିତ ବ୍ୟବହାରରୁ |ଚାହୁଁ ଚାହୁଁ ତାର ନିରିହ ଆଖି ଆଗରେ ମନୋଜ ମୋନାକୁ ସବୁଦିନପାଇଁ ନିଜର କରିବାର ନିଷ୍ପତ୍ତି ନେଇଥିଲା | ଏ ଆଘାତ ମମତାର ହୃଦୟରେ ସୃଷ୍ଟି କରିଥିଲା ଅଦେଖା ଘୁର୍ଣ୍ଣି ଝଡ ଯାହାକି ତାକୁ ଠେଲିଦେଇଥିଲା ଯନ୍ତ୍ରଣାରେ ନିପୀଡ଼ିତ ସହର ମଧ୍ୟକୁ | ସେଇଦିନଠୁ ତା ଭିତରେ ସୃଷ୍ଟି ହେଲା ଅନେକ ଅଦୃଶ୍ୟ ଝଡର ତାଣ୍ଡବ | ବିଛଣାରେ ଅନେକ ରାତି ବିତିଛି ତାର ଲୁହରେ | ଘରେ ଯେମିତି ସିଏ ମୂକ ପାଲଟିଯାଇଥିଲା | ଏପଟେ ସାବତ ମାର ଅତ୍ୟାଚାର ତାକୁ ଯେମିତି ବ୍ୟଥିତ କରୁଥିଲା |ଦିନେ ସକାଳର ପହିଲି କିରଣ ତା ମୁହଁରେ ପଡିବା କ୍ଷଣି ସେ ଉଠିବାକୁ ଉଦ୍ୟତ ହେଲା ମାତ୍ର ଯେତେ ଚେଷ୍ଟା କଲେବି ସେ ଉଠିପାରିଲାନାହିଁ |ବିଛଣାରେ ପଡି ଚିତ୍କାର କରିବାକୁ ଲାଗିଲା |ବାପା ତାର ଦୌଡ଼ି ଆସି ଦେଖିଲେ ଝିଅ ତାଙ୍କର ଯନ୍ତ୍ରଣାରେ ଚିତ୍କାର କରୁଛି |ସେ ଦୌଡିଲେ ଡାକ୍ତର ଡାକିବାକୁ |ସାବତ ମା ଆସି ଅନେକ କଥା ଶୁଣେଇଦେଇଗଲା |ମମତା ଆଖିରୁ ଅଶ୍ରୁର ସ୍ରୋତ ଛୁଟିଥାଏ | ଅନେକ ସମୟ ପରେ ଡାକ୍ତର ଘୋଷଣା କଲେ ମମତା ପାରାଲିସିସରେ ଆକ୍ରାନ୍ତ | ଏହା ଶୁଣି ମମତା ସ୍ଥାଣୁ ପାଲଟି ଯାଇଥିଲା |ହୃଦୟ ଭିତରେ ଅଦୃଶ୍ୟ ଝଡକୁ ଝୁରି ଝୁରି ସିଏ ସବୁଦିନପାଇଁ ଅଚଳ ହୋଇଯାଇଥିଲା ଯାହାର ଆଭାସ କେହିବି ପାଇନଥିଲେ |ଏହାପରେ ମମତା ଜୀବନରେ ପୁଣି ଥରେ ଆରମ୍ଭ ହୋଇଥିଲା ଆଉ ଏକ ବିଷାଦମୟ ଅଧ୍ୟାୟ |

ଏଇସବୁ ଅତୀତକୁ ମନେ ପକେଇ ସାରିଲା ପରେ ହଠାତ ପବନରେ ତା ତକିଆ ପାଖରେ ଥିବା ମନୋଜର ଫୋଟୋଟି ତଳକୁ ଖସି ପଡିଲା |ମମତା ଚାହିଁଲେ ବି ଉଠିପାରିଲା ନାହିଁ ତାକୁ ଲୁଚେଇ ରଖିବାକୁ |ଆଖିରୁ ବହୁଥିଲା ଲୁଣିଆ ଲୁହ |ସେପଟେ ସାବତ ମାର କର୍କଶ ଶବ୍ଦ ଟାଏଁ ଟାଏଁ ବାଜୁଥିଲା ତା କାନ ପାଖରେ |


Rate this content
Log in

Similar oriya story from Tragedy