ସମାଜ
ସମାଜ
ଶୀତ ଦିନରେ ଶୀତୁଆ କୁହୁଡି ଭିତରେ ସୂର୍ଯ୍ୟଙ୍କର ସ୍ୱର୍ଣ୍ଣିମ କିରଣ ବସନ୍ତ ବାବୁଙ୍କ ଛାତ ଉପରେ ବିଛୁରି ପଡିଥାଏ | ବସନ୍ତ ବାବୁଙ୍କ ପୁଅ ଚିଣ୍ଟୁ ଘର ଭିତରର ସମସ୍ତ ପ୍ରକାର ଭିଡ ପରିବେଶରୁ ନିଜକୁ ମୁକ୍ତ ରଖି ଛାତ ଉପରେ ସୂର୍ଯ୍ୟଙ୍କର ଉଷ୍ମତାକୁ ଉପଭୋଗ କରୁଥାଏ | ସେ ପନ୍ଦର ବର୍ଷର ଛୋଟ ପିଲାଟିଏ ଯିଏକି ନିଜର ଏକ ସ୍ୱାଧୀନ ବ୍ୟକ୍ତିତ୍ୱ ତିଆରି କରିବାକୁ ଚାହୁଁ ଥିଲା ଆଉ ନିଜର ମାଆ, ବାପାଙ୍କ ଦେଖାଣିଆ ସ୍ୱଭାବରୁ ନିଜକୁ ମୁକ୍ତ ରଖିବାକୁ ଚାହୁଁଥିଲା | ତା ଜୀବନ, ଚିନ୍ତାଧାରା ଯେମିତି ସବୁ କିଛି ଅଲଗା ଥିଲା | ହଠାତ ଘର ଭିତରୁ ତା ମାଆଙ୍କ ପାଟି ଶୁଭିଲା ଏବଂ ସେ ଚମକି ପଡିଲା |
ମାଆ କହି ଉଠିଲେ, " ଆଜି ଯାଅ ମଟନ ଆଣିବ, ନହେଲେ ମୋ ସାଙ୍ଗ ବବିକୁ ମୁଁ କେମିତି ମୁହଁ ଦେଖେଇବି? "
ବାପାଙ୍କର ଚିତ୍କାର ଶୁଭିଲା, " ତମ ସାଙ୍ଗକୁ ଦେଖେଇବାକୁ ଯାଇ ମୁଁ କଣ ଭିକାରୀ ହେଇ ବସିବି ?"
ମାଆ ସେମିତି ଚିଲାଉ ଥିଲେ ଏବଂ ବାରମ୍ବାର କହି ହେଉଥିଲେ ତାଙ୍କ ଜୀବନ ବର୍ବାଦ ହେଇଗଲା ଏ ଭଳି ଭିକାରୀକୁ ବାହା ହୋଇ, ଏ ସମାଜରେ ମୋର କିଛି ବି ପରିଚୟ ନାହିଁ ଇତ୍ୟାଦି, ଇତ୍ୟାଦି....
ଏପଟେ ଚିଣ୍ଟୁର ପରୀକ୍ଷା ଥାଏ, ସେପଟେ ସମାଜରେ ଦେଖେଇ ହେବାକୁ ବାପା, ମାଆଙ୍କର ପ୍ରତିଯୋଗିତା ଚାଲିଥାଏ | ଜେଜେମା ଡାକିଉଠିଲେ ଚିଣ୍ଟୁ ! ଚିଣ୍ଟୁ !
ଜେଜେମାଙ୍କର ଡାକ ଶୁଣି ଚିଣ୍ଟୁ ତଳକୁ ଗଲା ଏବଂ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ପଚାରିଲା, "କଣ ହେଲା ଜେଜେମା? "
ଜେଜେମା କହିଉଠିଲେ ତାଙ୍କୁ ବହୁତ ଭୋକ ହେଉଛି ସେ କଣ ଟିକେ ଖାଇବେ, ଚିଣ୍ଟୁ କିଛି ନପାଇ ଚୁଡା ଟିକେ ଚକଟି ତାଙ୍କୁ ଖୁଆଇଦେଲା ଏବଂ ଶୁଆଇଦେଲା | ଏପଟେ ମାଆ ତାର ଲିପଷ୍ଟିକ ମାରି ମୋବଇଲରେ ଗପ ମାରୁଥିଲେ, ସେପଟେ ବାପା ମହାନ୍ତି ବାବୁଙ୍କୁ ନିଜର ମିଛ ଆଭିଜାତ୍ୟ ଶୁଣାଉଥିଲେ |ଏସବୁ ଦେଖି ଚିଣ୍ଟୁ ଯେମିତି ପାଗଳ ହେଇଗଲା | ମନେ ମନେ ଭାବିଲା କେତେ ମିଛ ଅଭିନୟ ଏମାନଙ୍କର | କେତେ ନୀଚ ଏମାନେ ! ଛି!
ପୁଣି ଚାଲିଲା ଛାତ ଉପରକୁ | ତାର ଗଣିତ ଜମା ହୁଏନି |ପଇସା ଖର୍ଚ୍ଚ ହେବ ବୋଲି ତାକୁ ଗୋଟେ ଟ୍ୟୁସନ ବି ଦିଆ ହୋଇନି | ଏସବୁ ଚିନ୍ତା କରି କରି ସେ ରାଗରେ ବହିଟାକୁ ଦୂରକୁ ଫିଙ୍ଗିଦେଲା ଏବଂ କାନ୍ଦିବାକୁ ଲାଗିଲା |
ଅଧିକା ଖରା ହେବାରୁ ଇଚ୍ଛା ନଥିଲେବି ତଳକୁ ଗଲା | ସେତେ ବେଳେ ମା'ଙ୍କ ସାଙ୍ଗ ଆସିଥିଲେ | ସେ ଯିବା ମାତ୍ରେ ମାଆ କହିଲେ, " ଚିଣ୍ଟୁ, ନୁଡୁଲସ ଖାଇଦେ, ରୋଷଇ ଘରେ ଅଛି |" ଚିଣ୍ଟୁ ଖୁସିରେ ଦୌଡ଼ି ଯାଇ ଦେଖେତ ସେଥିରେ ଚୁଡା ଚକଟା ମେଞ୍ଚେ ଥିଲା, ଇଚ୍ଛା ନଥିଲେ ବି ଖାଇଦେଲା |
ବବି ଆଣ୍ଟି କହିଲେ ଚିଣ୍ଟୁ କେତେ ମାର୍କ ରଖିଛି, ମାଆ କହିଲେ ସେ ଅନେଶତ ପ୍ରତିଶତ ମାର୍କ ରଖିଛି ଏବଂ ଏଥର ଦେଖିବ ମୋ ପୁଅ ଟପର ହେବ | ଏତିକି ଶୁଣି ତାଙ୍କ ମୁହଁ ଶୁଖିଗଲା | ଚିଣ୍ଟୁ ବି ଚମକି ପଡିଲା କାରଣ ସେ କଷ୍ଟେ ମାଷ୍ଟେ ପାସ କରିଥାଏ |
ଏସବୁ ଶୁଣି ତାକୁ ବହୁତ ବିଚଳିତ ଲାଗୁଥାଏ | ତା ମୁଣ୍ଡଟା ଘୁରେଇ ଦେଉଥାଏ |
ସେପଟେ ଜେଜେମା ଘରଟା ଭିତରେ ବନ୍ଦ ହୋଇ ଚିତ୍କାର କରୁଥାନ୍ତି |
ସନ୍ଧ୍ୟାରେ ବାପା ଫେରି କହିଲେ ଆମେ ଗୋଟେ କୁକୁର କିଣିବା ନହେଲେ ଏ ସମାଜରେ ଆମର ଇଜ୍ଜତ ରହିବନି | ପୁଣି ସମାଜ କଥା ଶୁଣି ଚିଣ୍ଟୁ ରାଗରେ ଲାଲ ପଡ଼ିଗଲା ଏବଂ କହିଲା ସେଇ ପଇସାରେ ଜେଜେମାଆଙ୍କର ଚିକିତ୍ସା କରୁନ !ହଠାତ ବାପା ତାକୁ ଗୋଟେ ଜାବୁଡ଼ା ମାରିଲେ ଆଉ କହିଲେ ଏଠୁ ଚାଲିଯା | ଚିଣ୍ଟୁ ସେଠୁ କାନ୍ଦି କାନ୍ଦି ପଳେଇଲା |
ଏଇ ସବୁ ଯନ୍ତ୍ରଣା ଭିତରେ ତିନି ମାସ ବିତିଯାଇଥାଏ ଏବଂ ଚିଣ୍ଟୁର ପରୀକ୍ଷା ବି ସରିଯାଇଥାଏ | ସେଦିନ ରେଜଲ୍ଟ ବାହାରିବାର ଥାଏ | ଚିଣ୍ଟୁ ଯଥେଷ୍ଟ ଚିନ୍ତିତ ଥାଏ | ବାପା ସେପଟୁ ରେଜଲ୍ଟ ଧରି ଆସିଲେ ଏବଂ କିଛି ନକହି ତାକୁ ବାଡେଇ ଚାଲିଲେ, ବାଡେଇ ଚାଲିଲେ | ତା ମାଆ ଦୌଡ଼ି ଆସି ରେଜଲ୍ଟଟିକୁ ଦେଖି ତାକୁ ଧିକାର କରି ଚାଲିଗଲେ ଏବଂ ଶେଷରେ କହିଲେ ଇଏ ସମାଜରେ ଆମ ମୁହଁ ତଳକୁ କରିଦେଲା |
ଚିଣ୍ଟୁ ଦିନଟା ସାରା ବିଛଣାରେ କାନ୍ଦୁଥାଏ | କେହି ଭାବିଲେନି କାହିଁକି ତା ରେଜଲ୍ଟ ଖରାପ ହେଲା? ସେ କଣ ଚାହୁଁଥିଲା? ଜେଜେମା ବି ତାକୁ ଦେଖି କାନ୍ଦୁଥିଲେ କାରଣ ସେ କଥା କହିବାର ଶକ୍ତି ହରେଇ ବସିଥିଲେ | ଚିଣ୍ଟୁ ହଠାତ ବିଛଣାରୁ ଉଠି ଜେଜେମାଙ୍କ ପାଦ ଛୁଇଁ ଘରୁ ପଳେଇଗଲା ଏବଂ ସିଧା ଚାଲିଲା ବ୍ରିଜ ଆଡକୁ | ମୁଣ୍ଡ ତାର ଘୁରାଉ ଥିଲା ଏବଂ ସେ କିଛି ନଭାବି ତଳକୁ ଡେଇଁ ପଡିଲା |.....
ଏପଟେ ବାପା, ମାଆ ଯେତେବେଳେ ତାକୁ ଖୋଜିଲେ କଉଠି ବି ପାଇଲେନି ଏବଂ ଜେଜେମା କେବଳ ଦୁଆର ଆଡକୁ ଇସାରା ଦେଉଥିଲେ | ସେଇ ସମୟରେ ଟିଭିରେ ନିଉଜ କହି ଉଠିଲା "ବ୍ରିଜରୁ ଏକ ପନ୍ଦର ବର୍ଷ ବାଳକର ଶବ ଉଦ୍ଧାର"............