Ranjit Sahu

Tragedy Inspirational

3  

Ranjit Sahu

Tragedy Inspirational

ମୋ ବାପା

ମୋ ବାପା

3 mins
476


ସକାଳୁ ଉଠୁ ଉଠୁ ବାପାଙ୍କର ହସ ହସ ମୁଁହଟି ଦିଶେ ଆଖି ଆଗରେ ଆଉ ଆପେ ଆପେ ମୋ ହାତ ଯୋଡି ହୋଇଯଏ ପ୍ରଣାମ କରିବାକୁ I ବାପାଙ୍କର ମୁରୁକି ହସରେ ଥାଏ ସ୍ନେହ ଆଉ ଆଶୀର୍ବାଦ I ସ୍କୁଲ ଦିନ ଯିବା ଠାରୁ ଏହି ଅଭ୍ୟାସଟି ଅନବରତ ରହିଛି I ବୋଉର ଡାକ ଶୁଣିକି ଧଡ଼ପଡ଼ ହୋଇ ଉଠିଲି ବିଛଣାରୁ I ବାପା ଚାହିଁଥାନ୍ତି ସେମିତି, ଭଲ ଭାବରେ ଜାଣନ୍ତି ମୁଁ ବୋଉକୁ ବହୁତ ଡରେ I ଆଜି ମାର୍ଗଶୀର ମାସ ଗୁରୁବାର I ବଡ଼ମା ଭୋରୁ ଉଠି ପୂଜା କରନ୍ତି ଆଉ ଘରର ସବୁ ଛୁଆ ମାନଙ୍କୁ ଭୋଗ ଦିଅନ୍ତି I ସମସ୍ତେଉପସ୍ଥିତ ରହିବ ଆବଶ୍ୟକ ସେହି ସମୟରେ I ନଚେତ ବଡ଼ମା ଚୁଡା ଆଉ ତାହାର ମାକୁ ଶୁଣାନ୍ତି ବହେ ହେବ I ମୋର ଦଶମ ପରିକ୍ଷା ଲାଗି ପଢ଼ା ଚାଲିଛି ତେଣୁ ରା଼ରିରେ ଡେରିରେ ଶୋଇଥିଲି I ବାଵପା ଘରର ମଝିଆ ପୁଅ ଓ ବୋଉ ମଝିଆ ବୋହୁ I ବାପାଙ୍କର ସମାରିକ କାର୍ଯ୍ୟ ଯୋଗୁଁ ବୋଉ ତାଙ୍କର ଆଦେଶ ମାନିବାର ଅଭ୍ୟସ୍ତ I ମଝିଆ ବୋହୁ ହୋଇଥିବାରୁ ବୋଉ ବଡ଼ମାଆଙ୍କ ଭଳି ଆଦେଶ ଦେଇ ପାରେନା କି ଖୁଡୀଙ୍କ ଭଳି ଅଳି ଅଭିମାନ କରି ପାରେନା I ମୁଁ ମଧ୍ୟ ସବୁ କିଛି ଶୁଣିବାର ଅଭ୍ୟସ୍ତ ହେବାକୁ ଲାଗିଛି ଯଦିଓ ସମସ୍ତେ କୁହନ୍ତି ମୁଁ ମୋ ବାପଙ୍କର ରାଗଟିକୁ ଆଣିଛି ମୋ ସ୍ଵଭାବରେ I ଶୀଘ୍ର ଗାଧେଇକି ଆସୁ ଆସୁ ବୋଉ ପାନି ଆଟିଏ ଧରେଇକି କହିଲା,"କେହି କିଛି କହିଲେ ଓଲଟା ଜବାବ ଦବୁନି, ତୁ ଡେରି କରିଛୁ, ଭୁଲ ତୋହର, ବାଙ୍କ ରାଗ ଟିକୁ ଶିଖିଲୁ, କିନ୍ତୁ ତାଙ୍କର ଅନୁଶାସନ ଆଉ ସମୟ ଜ୍ଞାନଟା  ତୋତେ ଆସିଲାନି I" ମୁଁ ମୁଣ୍ଡ ଟୁଙ୍ଗାରି  ସହମତି ଜଣେଇଦେଲି ଆଉ ବାହାରି ଗଲି ପୂଜା ପାଖକୁ I ବୋଉ ଚୁପଚାପ ମୋ ରୁମରେ ବାପାଙ୍କୁ ଚାହିଁ ବସି ଗଲା I 

ସମସ୍ତେ କୁହନ୍ତି ବଡ ପୁଅ ବାପାର, ସାନ ପୁଅ ମାଆର ଆଉ ମଝିଆ ନୁହଁ କାହାର ! ଘରେ ମଧ୍ୟ କାକା ଓ ବଡ ବାପାଙ୍କର ଜୋର ଚାଲେ I ବାପାଙ୍କର ଚାକିରୀ ଯୋଗୁଁ ପରିବାରର ଅର୍ଥନୈତିକ  ପରିଟସ୍ଥିତି ଟିକିଏ ସୁଧୁରିଛି I ତଥାପି ଦୁଇ ଭାଇଙ୍କର ସବୁ ବେଳେ ଗୋଟେ ଅଭିଯୋଗ ଥାଏ, 'ବିଶ୍ଵଜିତ  ଘରେ ମଧ୍ୟ ମିଲିଟାରୀ ଅଫିସର ଭଳି ବ୍ୟବହାର କରୁଛିI ' ପୂଜା ପାଖରେ ପହଞ୍ଚୁ  ପହଞ୍ଚୁ ଆଳତି କରିବା ସମୟ ହୋଇ ସାରିଥିଲା I ବଡ଼ମା ଆଳତି ସଜାଡୁ ସଜାଡୁ ମୁଣ୍ଡ ଟେକିକି ମୋ ଆଡକୁ ଚାହିଁଲେ କିନ୍ତୁ  କିଛି କହିଲେନି I ପ୍ରସାଦ ସେବନ ପରେ ଆମେ ସମସ୍ତେ ଛୁଆ ମାନେ ସ୍କୁଲ ଯିବୁ I ବୋଧହୁଏ ସେଥି ପାଇଁ ? ମୁଁ ଚୁପ ଚାପ ବସି ଗଲି ଆଉ ପୂଜାରେ ମନ ଦେଲି I ପୂଜା ସାରି ପ୍ରସାଦ ସେବନ ପରେ ମୁଁ ରୁମକୁ ବହିବସ୍ତା  ନେବାକୁ ବାହାରିଲି I ଏତିକି ବେଳେ କାକାଙ୍କ ପୁଅ ଟୁଲୁ ଯିଏ ଏହି ବର୍ଷ ସ୍କୁଲରେ ଦାଖିଲା ହୋଇଛି, ଖୁଡୀଙ୍କ ପାଖକୁ ଯାଇ କହିଲା," ଦେଖିଲୁ ବୋଉ, ମୁଁ ଡେରି କଲି ବୋଲି ବଡ଼ମା ଏତେ ସବୁ ଗାଳି କଲେ ମୋତେ, ଆଉ ରାଜୁ ଭାଇକୁ କିଛି କହିଲେନି I ତା ପାଖରେ ଥିବା ତାହାର ସାନ ଭଉଣୀଟି ମଧ୍ୟ ମୁଣ୍ଡ ହଲେଇ ତାକୁ ସମର୍ଥନ ଦେଲା I ଖୁଡି କୋଳେଇ ନେଲେ ଟୁଳୁକୁ ଆଉ କହିଲେ," ଆରେ ଧନ, ତୁ ସିନା ବାପା ଆସିଲେ ଗୁହାରି କରିବୁ, ବଡ଼ମାଆଙ୍କ ନାଆରେ ନାଲିଶ କରିବୁ, ଅଳି  ଅର୍ଦ୍ଦଳି କରିବୁ, ରାଜୁ ଭାଇ କାହା ପାଖକୁ ଯିବ? ମଝିଆ ବାପା ପରା ଆଉ ଫେରିବେନି, ସିଆଚିନ ପରା ତାଙ୍କୁ ସବୁ ଦିନ ପାଇଁ ଆମଠୁଁ  ଦୁରେଇ ନେଇଛି I ଚାଲେ, ସ୍କୁଲ ଯିବାକୁ ପ୍ରସ୍ତୁତ ହେବୁ I" 

ବଡ଼ମା ଆସିଗଲେ ମୋ ପାଖକୁ, ମୋତେ କୁଣ୍ଢେଇ ଧରିଲେ ଆଉ ମୁଣ୍ଡକୁ ଆଉଁସି ଦେଇ କହିଲେ, "ଟୁଲୁ କଥା ମନରେ ଧରିବୁନି I ତୋର ଛୋଟ ଭାଇଟା ପରା, ସିଏ କଣ ବୁଝୁଛି, ସିଆଚିନ କଥା? ତୁ ପରା ଆମ ପାଇଁ ବିଶ୍ୱଜିତ ଆଉ ରାଜୁ ଦୁଇଟି ମଣିଷ I " ମୁଁ ମୁଣ୍ଡ ଟୁଙ୍ଗାରି ନିଜ ରୁମ ଆଡକୁ ମାଡିଗଲି I ବୋଉ କଥା ମାନେ ଥିଲା ମୋର I ବୋଉ ବୋଧେ ସବୁ ଶୁଣୁଥିଲା , ଆଖିରେ ତାହାର ଲୁହ ଦୁଇ ଟୋପା ଦେଖିଲି I ବୋଉ ଫୁଲ ମାଳ ଦେଉଥିଲା ବାପାଙ୍କର ଫୋଟୋରେ I ବୋଉ ଯାଏନି ଆଉ ମାଣବସା ଗୁରୁବାର ପୂଜାରେ ଭାଗ ନେବାକୁ, ମୁଁ ଯାଏ କେବଳ ତାହାର ଆଉ ବାପାଙ୍କର ପ୍ରତୀକ ହୋଇ I  ବୋଉକୁ ମୁଣ୍ଡିଆ ମାରି ସ୍କୁଲ ବାହାରିଲି I " ଡେରି ହେଇଯିବ, ଯାଆ ଶୀଘ୍ର," ବୋଉ କହିଲା, " ବାପାଙ୍କର ସମୟ ଜ୍ଞାନ ତୋର କେବେ  ଆସିବ କେଜାଣି !"  


Rate this content
Log in

Similar oriya story from Tragedy