Padmalaya Padhy

Tragedy

4.1  

Padmalaya Padhy

Tragedy

ମଣିଷ ପ୍ରକୃତି

ମଣିଷ ପ୍ରକୃତି

4 mins
327



ଜଣେ ସିନିଅର ସହକର୍ମିଣୀଙ୍କର ଏତାଦୃଶ ଆଚରଣ ଦେଖିଲେ ନିଶ୍ଚିତ ରୂପେ ମନରେ ଘୃଣା ଭାବ ହିଁ ଆସିବ l କାହା କଥା କହି ପାରିବି ନାହିଁ କିନ୍ତୁ ମୋ ଅନ୍ତରରେ ଯେଭଳି ଭାବନାର ଉଦ୍ରେକ ହୋଇଥିଲା ତାହା ଅତି ସହଜରେ ଲିଭି ନଥାନ୍ତା ଯଦି ତାଙ୍କୁ ପୁନର୍ବାର ଅଫିସ ବାହାରେ ଅନ୍ୟ ଏକ ପରିବେଶରେ ଦେଖିନଥାନ୍ତି l ନୂଆ ଚାକିରୀର କେତୋଟି ବର୍ଷ ମୁଁ ତାଙ୍କ ସାଙ୍ଗେ କାମ କରିଛି ଆଉ ଦେଖିଛି ଯେ ସେ ଅଫିସରେ କାମ ଛଡା ବାକି ସବୁ କରନ୍ତି l


ଯେ କେହି ବି ତାଙ୍କ ସାମ୍ନାରେ ଚାଲିଗଲେ ତା ବିଷୟରେ ଦି ପଦ କହି ତାଚ୍ଛଲ୍ୟ କରି ହସିଦେବା, ଆଉ ଦୁଇ ଚାରି ଜଣଙ୍କ ସମ୍ମୁଖରେ ଲୋକଟିକୁ ଅପ୍ରସ୍ତୁତ କରିବା ଏବଂ କଥା ସେତିକିରେ ସରେନାହିଁ ଆହୁରି ଆଗକୁ ବାକି ଥାଏ l ଗୋଟେ ଲୋକ ବିଷୟରେ କିଛି ବି ନଜାଣି ସବଜାନତା ଭଳି ରକମ ରକମର ଷ୍ଟୋରି ତିଆରି କରିବାରେ ସେ ସିଦ୍ଧହସ୍ତ ଥିଲେ l ବିଶେଷତଃ ପୁଅ ଏବଂ ଝିଅମାନଙ୍କ ନାଁକୁ ମିଶାଇ ମୁଖ ସ୍ୱାଦ ମେଣ୍ଟାଉ ଥିଲେ l


ତାଙ୍କ ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ଏହି ଗୁଣଟି ମଧ୍ୟ କ୍ରମଶଃ ବଢ଼ିବାରେ ଲାଗିଥାଏ l ସମସ୍ତେ ଜାଣିଥାନ୍ତି ଯେ ମଣିଷ ପ୍ରକୃତି ତ ବଦଳିବ ନାହିଁ ତେଣୁ କିଏ ବା କାହିଁକି ତାଙ୍କୁ ବଦଳାଇବାକୁ ଯିବ ? କିନ୍ତୁ ପରେ ଜାଣିଲି ଯେ ପରିସ୍ଥିତିରେ ପଡିଲେ ହିଁ ମଣିଷ ବଦଳେ ତା ପୂର୍ବରୁ ସେ ବଦଳିବାକୁ ଚାହେଁନାହିଁ ଯେତେ ଯାହା ହୋଇଯାଉ ପଛକେ l


ସେଦିନ ମୋ ବିଷୟରେ ବି ମୁଁ ଦୁଇ ଚାରିପଦ ଶୁଣିଲି l ଗତ ସପ୍ତାହରେ ସହକର୍ମୀ ସୁପ୍ରତିମ ସଙ୍ଗେ ମୋର କିଛି ଯୁକ୍ତି ତର୍କ ଏବଂ ପରେ ପରେ ସୁପ୍ରତିମ ନିଜର ଭୁଲ ବୁଝି ପାରି ସରି କହିବାକୁ ନେଇ ଗୋଟିଏ ରୋଚକ ମିନି ଗଳ୍ପଟିଏ ତିଆରି କରିଥିଲେ ବୋଲି ରୋଲି କହିଲା l


—ଆଉ କିଏ ଏସବୁର କର୍ତ୍ତା ବୋଲି ଭାବୁଛୁ କି ? ଆମର ପ୍ରିୟ ମାଡାମ ଥାଉ ଥାଉ ଏ କାମଟି ଆଉ କିଏ କରି ପାରିବ ଭଲା ? ରୋଲିଠୁ ସବୁ ଶୁଣି ମନ ବହୁତ ଖରାପ ହେଲା l ତାଙ୍କ ସାଙ୍ଗେ ବହୁତ ମିଳାମିଶା କରି କଥାବାର୍ତ୍ତା କରିବାରେ ଲାଗିଥିଲି ଓ ଭାବିଥିଲି ଯେ ମୋତେ ଭଲ ରୂପେ ଜାଣିବା ପରେ ଅନ୍ତତଃ ଛାଡ଼ିଦେବେ l କିନ୍ତୁ ନା ସେ କି କାହାକୁ ଛାଡିବା ଜନ୍ତୁ ? ଯାହାକୁ ଦେଖିବେ ତାର ଚରିତ୍ର ସଂହାର ଏବଂ ରୋଚକ ଗଳ୍ପମାନ ତିଆରି କରି ଥୋଇଦେବେ l


 ଦୀର୍ଘ ଦଶ ବର୍ଷ ପରେ ସେଦିନ ତାଙ୍କ ସହିତ ଦେଖାହେଲା ହସ୍ପିଟାଲ ବାରଣ୍ଡାରେ l ଭାବିଲି ନମସ୍କାର କରିବି ନାହିଁ ବୋଲି କାରଣ ସେ ଝିଅମାନଙ୍କୁ ଯେତିକି ବଦନାମ କରନ୍ତି ତାଙ୍କ ମୁହଁ ଚାହିଁବାକୁ ହେଲେ ମୋର ଇଚ୍ଛା ନଥିଲା l କିନ୍ତୁ ସଂସ୍କାର ଯୋଗୁଁ ହେଉ କିମ୍ବା ଅଭ୍ୟାସ ବଶତଃ ହାତ ଛାଏଁ ଛାଏଁ ଉଠିଗଲା l ନମସ୍କାର କରୁ କରୁ ସେ ଚିହ୍ନି ପାରିଲେ l କେମିତି ନ ଚିହ୍ନିବେ ଯେ ତାଙ୍କର ପ୍ରତ୍ୟେକ ଗଳ୍ପର ମୁଁ ହିଁ ମୁଖ୍ୟ ନାୟିକା ଥିଲି ଯେତେବେଳେ ମୋତେ ତ ନିଶ୍ଚିତ ରୂପେ ଚିହ୍ନିବେ l ହେଲେ ବି କିଛି ଅଭିନୟ କରି ପଚାରିଲେ ତୁ କିଏରେ ମା ଚିହ୍ନିଲା ପରି ଲାଗୁଛି ଯେ…l


—ମୁଁ ସ୍ୱାତୀ ମନେ ପଡିଲା ମାଡାମ ? ହେଡ଼ ଅଫିସରେ ଆପଣଙ୍କର ଜୁନିଅର ଥିଲି l

—ହଁ…ହଁ.. l ଅନେକ କୁଣ୍ଠାରେ କହିଲେ ସେ l

—ମାଡାମ ଏବେ କେମିତି ଅଛନ୍ତି l ରିଟାୟାର ହେଲା ପରେ କେମିତି ସମୟ କାଟୁଛନ୍ତି ଆପଣ ?


ହଠାତ ସେ କାନ୍ଦ କାନ୍ଦ ହୋଇଗଲେ l


—ଏତିକି କଥା ବି କେହି ପଚାରିବାକୁ ନାହିଁ ଲୋ ମାଆ l ଝିଅ ତ ବାହା ହୋଇ ଅଷ୍ଟ୍ରେଲିଆରେ l ତୁମେ ସବୁ ତାର ବାହାଘରକୁ ଯାଇଥିଲ ମନେ ଥିବ l ସେ ଆଉ ଏଠିକି ଆସିବ ନାହିଁ କହିଲା l ଅଷ୍ଟ୍ରେଲିଆରେ ହିଁ ଘର କିଣି ରହିଗଲା l


—ଆଉ ପୁଅ ? ସିଏ ତ ଏଇଠି ବିଜିନେସ କରୁଥିଲା ନା ?


—ହଁ ବାହାଘର ପରେ ଅଲଗା ଘର ନେଇ ରହୁଛି l ତା ସ୍ତ୍ରୀ ତ ଭଲ ଝିଅଟିଏ କାହିଁକି ନା ମୋ ସହିତ ରହିବାକୁ ଚାହୁଁନି ? ବୋଧହୁଏ ମୁଁ ହିଁ ଖରାପ ତେଣୁ.. ଏତିକି କହି ଲୁହ ଛଳ ହୋଇ ଯାଇଥିଲା ତାଙ୍କ ଆଖି ଦୁଇଟି l 


ମୁଁ ବୁଝି ପାରୁ ନଥାଏ ହଠାତ ତାଙ୍କର ଏମିତି ଜ୍ଞାନୋଦୟ ହେଲା କିପରି ? କଥାର ମୋଡ଼ ଅନ୍ୟ ଆଡକୁ ବଦଳାଇ ଦେଇ କହିଲି l


—ମାଡାମ ମୁଁ ଏବେ ରିଜିଅନାଲ ଅଫିସରେ ଅଛି l ରୋଲି ହେଡ଼ ଅଫିସରେ ଆଉ ସୁପ୍ରତିମ ବିବାହ କରି ଏବେ ଡେପୁଟେସନରେ ଦିଲ୍ଲୀରେ ଅଛି l


ଜାଣି ଜାଣି ମୁଁ ସୁପ୍ରତିମର ବିବାହ କଥା କହିଥିଲି କାରଣ ଅତୀତରେ ସୁପ୍ରତିମ ସାଙ୍ଗରେ ମୋ ନାଁକୁ ଯୋଡି ସେ ଅପପ୍ରଚାର ଚଲାଇ ଥିଲେ l ମୁଁ ପୁଣି ସୁପ୍ରତିମ ପାଇଁ ଅବିବାହିତା ଅଛି l ସୁପ୍ରତିମ ପୁଣି ମୋତେ ବାହା ନହେଲେ ଆତ୍ମହତ୍ୟା କରିବ ବୋଲି କହୁଥିଲା ଇତ୍ୟାଦି ଇତ୍ୟାଦି କଥା କହି ନିଜେ ନିଜେ ଷ୍ଟୋରି ତିଆରି କରୁଥିଲେ ଯାହା ମୋ କାନକୁ ଆସିଲେ ମୋତେ କେମିତି ଲାଗିବ ତାହା ସେ ଜାଣିବାକୁ ଚାହିଁ ନଥିଲେ l ମୋ କଥା ଶୁଣି ହଠାତ୍ କହିଲେ l


—ତୋ ପରି ଝିଅ ତ ଏ ଦୁନିଆରେ ବିରଳ ଲୋ ମା ! ମୁଣ୍ଡ ଉଠାଇ କାହାକୁ କେବେ ଚାହିଁବାର ଦେଖିନାହିଁ ମୁଁ l ପିଲାଦିନୁ ତୁ ସ୍ୱାଧୀନଚେତା ବୋଲି ଜାଣିଛି l ବାପା ମାଆର ଯେଉଁ ସେବା କରିଛୁ ସେ ପୂଣ୍ୟ ସବୁ ଥୁଆ ହୋଇଛି କୁଆଡେ ଯିବନାହିଁ l


ମୋତେ ସେ ପିଲାଦିନେ କେବେ ଦେଖିଥିଲେ ସେ କଥା ମୁଁ ଭାବୁଥିଲି l ଚାକିରୀ କଲା ପରେ ଦେଖା ସାକ୍ଷାତ ଏବଂ ତାଙ୍କର ସୁଗୁଣର ପରିଚୟ ପାଇଥିଲି l ଏବେ ତ ମୋ ବିଷୟରେ ଯାହା କହୁଛନ୍ତି ଖାଣ୍ଟି ଗୁଡ଼ ପକା କଥା l ଏହା କିପରି ସମ୍ଭବ ? ଟିକିଏ ରହି କହିଲେ l


—ଭଲ କରିଛୁ ବାହା ହୋଇନାହୁଁ l ଯାହା କଲେ ବି ଆମେ ବୃଦ୍ଧବସ୍ଥାରେ ସେଇ କାମବାଲୀ ଦୋକାନୀ ପଡୋଶୀଙ୍କ ଉପରେ ନିର୍ଭରଶୀଳ ହେବାଟା ଥୟ l 

ଶ୍ୱାସ ଜନିତ ସମସ୍ୟା ଯୋଗୁଁ ହସ୍ପିଟାଲ ଆସିଥିଲେ l ଦେଖାଇ ସାରି ଉଠିବେ ଉଠିବେ ହୋଇ ବସି ପଡୁଥାନ୍ତି ବେଞ୍ଚ ଉପରେ l କାହାକୁ ଫୋନ କରି ଡାକିଲେ l ଚବିଶ ପଚିଶ ବର୍ଷର ପିଲାଟିଏ ଆସିଲା ଏବଂ ରୀତିମତ ଟାଣି ଟାଣି ଓଟାରି ଠିଆ କରାଇଲା l


—ଧୀରେ ଧୀରେରେ ବାପା l ଗୋଡ଼ ହାତ ଥରୁଛି ପଡିଯିବି ଯେ l


—ମାଆ ଆପଣଙ୍କର ଧୀରେ ଧୀରେ ପାଇଁ ମୋର ସମୟ ନାହିଁ l ମୋ ଅଟୋ ଖାଲି ଆପଣଙ୍କ ପାଇଁ ରିଜର୍ଭ ହୋଇ ନାହିଁ l ତେଣେ ଆହୁରି କେତେ ପାସେଞ୍ଜରଙ୍କୁ ନେବାକୁ ଅଛି l ଆସନ୍ତୁ l


ସେଇଠୁ ମୋ ଆଡେ ଚାହିଁ କହିଲେ l


—ସୁବିଧା ଦେଖି ଘର ଆଡେ ଆସିବୁ ଲୋ ମାଆ, ତୋତେ ଦେଖିଲେ ମନ ଭଲ ଲାଗିବ l


—ହଁ ମାଡାମ ନିଶ୍ଚୟ ଯିବି l ଏବେ ମୁଁ ଅନଲାଇନ ଲେଖାଲେଖି କରୁଛି l ଆପଣଙ୍କୁ ଲିଙ୍କ ପଠାଇବି ଏବଂ ଟାଇମ ମିଳିଲେ ପଢ଼ିବେ l ଆପଣଙ୍କ ଆଶୀର୍ବାଦ ଥାଉ l ପରିସ୍ଥିତିର ଚାପରେ ବଦଳି ଯାଇଥିବା ଏକ ନୂଆ ବ୍ୟକ୍ତିତ୍ୱକୁ ସେଦିନ ମୁଁ ଆବିଷ୍କାର କରୁଥିଲି l



Rate this content
Log in

Similar oriya story from Tragedy