Abhiram Mandal

Crime Tragedy

4.5  

Abhiram Mandal

Crime Tragedy

ମଙ୍ଗଳସୂତ୍ର

ମଙ୍ଗଳସୂତ୍ର

10 mins
550


କବାଟରେ କାହାର କରାଘାତ ଶୁଣି ମୁଁ ଜାଣିଗଲି ସେମାନେ କିଏ ହେଇପାରନ୍ତି-" କବାଟ ଖୋଲା ଅଛି, ଭିତରକୁ ଆସନ୍ତୁ ।" ମୋ କଥା ସରିଛି କି ନାହିଁ ପଶିଆସିଲେ ସେମାନେ, ଘେରିଗଲେ ମତେ । ସେମାନଙ୍କ ମୁଖ୍ୟ ସେମାନଙ୍କୁ ନିର୍ଦ୍ଦେଶ ଦେଲେ-"ଦେଖ ଲାଶ କେଉଁଠି ଅଛି ।" ଘରସାରା ତନ୍ନ ତନ୍ନ ଖୋଜିଲା ପରେ ବି ଯେତେବେଳେ ସେମାନଙ୍କୁ ଲାଶ ମିଳିନଥିଲା, ମୁଖ୍ୟ ମତେ ପ୍ରଶ୍ନ କଲେ-" ଲାଶ କାହିଁ? ସତ କୁହ, ଆମେ ପକା ଖବର ପାଇଁ ଏଠାକୁ ଆସିଛୁ। କେହି ଜଣେ ପୋଲିସ ଷ୍ଟେସନକୁ ଫୋନ କରିଥିଲା।"

-"ଇନିସପେକ୍ଟର ବାବୁ, ଲାଶ ଖୋଜିବା ଦରକାର ନାହିଁ, ଆଉ ୫-୧୦ ମିନିଟ ଅପେକ୍ଷା କରନ୍ତୁ, ଲାଶ ଆପଣ ପାଇଯିବେ।"

-"ମାନେ?"


ଅଧରରେ କ୍ଷୀଣ ହସ ଆଣି ମୁଁ କହିବାକୁ ଲାଗିଲି-" ମୁଁ ହେଉଛି ସେହି ଲୋକ ଯିଏ ଆପଣଙ୍କୁ ଟେଲିଫୋନ କରିଥିଲା। ଆଉ ଯେଉଁ ଲାଶ କଥା ଆପଣ କହୁଛନ୍ତି, ସେ ଲାଶ ଆଉ କାହାରି ନୁହେଁ ବରଂ ମୋର।"

-"ତମ କଥା କିଛି ବୁଝି ହେଉନି, କଣ କହିବାକୁ ଚାହଁ ତମେ?"

-"ଇନିସପେକ୍ଟର ବାବୁ, ଏ ଘରେ ମୋ ଛଡା ଆଉ କେହି ନାହାନ୍ତି। ଆପଣ ତ ଜୀବନରେ ଅନେକ ଲାଶ ଦେଖିଥିବେ, ହେଲେ କଥାକୁହା ଲାଶ କେବେ ଦେଖିଛନ୍ତି ? ମତେ ଦେଖନ୍ତୁ, ମୁଁ ଆପଣଙ୍କୁ ଲାଶ ପରି ଦେଖା ଯାଉନି,କଥାକୁହା ଲାଶ...."

-"ପାଗଳ ପରି ଏଣୁ ତେଣୁ କଣ ଗୁଡ଼ାଏ ଗପୁଚ୍ଛ ? ସତ ସତ କୁହ ଲାଶ କାହିଁ, ନ ହେଲେ...."

-"ସତକଥା କହିବି ବୋଲି ତ ମୁଁ ଆପଣଙ୍କୁ ଡାକିଛି। ଆପଣ ଯଦି ଧୈର୍ଯ୍ୟ ଧରି ମୋକଥା ଶୁଣିବେ, ତେବେ ଆପଣଙ୍କୁ ଅପରାଧୀ ଓ ଲାଶ ଉଭୟ ମିଳିଯିବେ ।"

-"ଠିକ ଅଛି କଣ କରିବାର ଅଛି କୁହ।"

ଇନିସପେକ୍ଟର ବାବୁ ମୋ ସାମ୍ନାରେ ପଡିଥିବା ଚେୟାର ଉପରେ ବସିପଡ଼ିଲେ, ମୁଁ ଆରମ୍ଭ କଲି-

"ସୁଇଟି ସେତେବେଳେ ମୋ ସ୍ତ୍ରୀ ହେଇ ଏ ଘରକୁ ଆସିଥିଲା, ସେତେବେଳେ ମୋ ମନରେ ଭାରି ସନ୍ଦେହ ଥିଲା, ସୁଇଟି ମୋ ସହ ଆଡ଼ଜଷ୍ଟ କରି ପାରିବ ତ ? କାହିଁକି ନା ସେ ଥିଲା ଖୁବ ଉଚ୍ଚ ଶିକ୍ଷିତା । ଆଉ ଉଚ୍ଚ ଶିକ୍ଷିତା ଝିଅଙ୍କ ସମ୍ପର୍କରେ ମୋ ଧାରଣା ସେତେ ଭଲ ନଥିଲା। କିନ୍ତୁ ବାହାଘରର କିଛି ଦିନ ଭିତରେ ସେ ମୋ ଧାରଣାକୁ ଅମୂଳକ ବୋଲି ପ୍ରମାଣ କରିଦେଲା। ତାକୁ ଦେଖିଲେ ଲାଗୁଥିଲା, ଯେପରି ସ୍ୱଳ୍ପ ଶିକ୍ଷିତା ଗାଉଁଲି ବଧୁଟିଏ। ନା ତା' ଦେହରେ ଥିଲା ଆଧୁନିକତାର ଛାପ, ନା କଥାରେ ଥିଲା ପାଶ୍ଚାତ୍ୟ ଭାଷା। ତା' ହାତ ସ୍ପର୍ଶରେ ଏ ଘର ସ୍ୱର୍ଗ ପାଲଟି ଯାଇଥିଲା। ମନେ ମନେ ଯେଉଁ ଭଳି ଝିଅଟିଏ ଖୋଜୁଥିଲି, ଭଗବାନ ସେହିପରି ଝିଅଟିଏ ଜୁଟାଇ ଦେଲେ। ସୁଇଟିର ମୋ ପ୍ରତି ଭଲପାଇବା ଖୁବ ବଢି ଯାଇଥିଲା। ମୁଁ ଆଶ୍ଚର୍ଯ୍ୟ ହେଉଥିଲି, ତାର ଏ ଭଲ ପାଇବା ଛଳନା ନୁହେଁ ତ? ବଡ଼ ସହରରେ ସେ ଡିଗ୍ରୀ ହାସଲ କରିଛି,ହେଲେ ଅନ୍ୟ ଝିଅଙ୍କ ପରି ଚାକଚକ୍ୟ ତାର ନାହିଁ। ସେ କେବେ ବି କେଉଁଥିରେ ମତେ ଅଭିଯୋଗ କରିନି। ମୁଁ ଅନେକ ପରିବାର ଦେଖିଛି, ଅନେକ ସ୍ୱାମୀ ସ୍ତ୍ରୀଙ୍କୁ ବି। ସ୍ୱାମୀ ଘରେ ପାଦ ଦେଉ ନ ଦେଉଣୁ, ସ୍ତ୍ରୀଙ୍କ ଅଭିଯୋଗ ଆସିଯିବ, ଆଜି ଏଇଟା ହେଲା, କାଲି ସେଇଟା, ଆଉ ଫର୍ମାଇସି ବି। ସ୍ୱାମୀଙ୍କର ରୋଜଗାର ବିଷୟରେ ସେମାନେ ମୁଣ୍ଡ ଖେଳାନ୍ତିନି । ସ୍ୱାମୀ ପଛେ ଧାର କରଜରେ ବୁଡୁ, ତାଙ୍କର ଫର୍ମାଇସି ପୂରଣ ହେବା ଦରକାର ।


କିନ୍ତୁ ସୁଇଟି ଏ ସବୁର ବ୍ୟତିକ୍ରମ । କେବେ ବି କେଉଁଦିନ ଅଯଥା ଫର୍ମାଇସି କରିନାହିଁ। ଲାଗୁଥିଲା ଯେପରି ମତେ ବାହାହେଲା ପରେ ତାର ସବୁ ଅଭାବ ଅସୁବିଧାର ପରିସମାପ୍ତି ଘଟିଛି । ଆଶ୍ଚର୍ଯ୍ୟ, ଆଜିକାଲି ଦୁନିଆରେ କଣ ଏ ସବୁ ସମ୍ଭବ? ଯେଉଁଠି ସମାଜର ନିତି ଅବମୂଲ୍ୟାୟନ ଘଟୁଛି, ଜଣେ ଉଚ୍ଚ ଶିକ୍ଷିତା ସ୍ତ୍ରୀ ଯେ ପୁରୁଣା ପରମ୍ପରାକୁ ଆପଣାର କରି ପାରିବ, ଏଇଟା ମୋ ବୁଝିବା ବାହାରେ ଥିଲା। ଯଦିଓ ସୁଇଟି ପ୍ରତି ମୋର ଭଲ ପାଇବା କମ ନଥିଲା, କିନ୍ତୁ ତାର ସରଳ ନିରାଡ଼ମ୍ବର ବ୍ୟବହାର ମତେ ସନ୍ତୁଷ୍ଟ କରି ପାରୁ ନଥିଲା। ସବୁ ପରେ ମୋ ମନରେ କିନ୍ତୁ ଟିଏ ରହି ଯାଉଥିଲା। ତେବେ ମୋର ଏଇ ଭାବନା ଯେ ମୋ ଠାରୁ ସୁଇଟିକୁ ଦୂରେଇଦେବି, ଏକଥା କେବେ ଆଶା କରି ନଥିଲି।


ସେଦିନ ଅଫିସରୁ ଫେରି ଦେଖିଲି, ସୁଇଟି ଚୁପଚାପ ବସିଛି। ମୁହଁରେ ଉଦାସିଆ ଭାବ। ଅନ୍ୟ ଦିନ ପରି ଆଖିରେ ଇଶାରା ନାହିଁ କି ଓଠରେ ହସ ନାହିଁ। ନିଶ୍ଚେ କିଛି ଘଟିଛି। ପଚାରିଦେଲି "କଣ ହେଇଛି?" ସୁଇଟି ମତେ ଚାହିଁଲା, ଆଉ ଧୀରେ କହିବାକୁ ଲାଗିଲା....


-" ଆଜି ମୋ ବେକରୁ ମଙ୍ଗଳସୂତ୍ର ଛିଣ୍ଡି ଖସିପଡିଲା।"

-" ଛିଣ୍ଡି ଗଲା ତ କଣ ହେଲା, ପୁରୁଣା ମଙ୍ଗଳସୂତ୍ରଟା, ମୋ ଜେଜୀ ମା' ର । କାଲି ମତେ ଦେବ ମୁଁ ରିପେୟାର କରି ନେଇ ଆସିବି ।"

-" ତମେ କଥାଟା ବୁଝୁନା,ମଙ୍ଗଳସୂତ୍ର ଛିଣ୍ଡିବାଟା କିଛି ଭଲ ଲକ୍ଷଣ ନୁହେଁ। ଆଗକୁ ଆମ ଜୀବନରେ କିଛି ଅଘଟଣ ଘଟିପାରେ।"


ଠୋ ଠୋ କରି ହସି ଉଠିଲି। ସେ ଆଶ୍ଚର୍ଯ୍ୟରେ ଚାହିଁଲା ମତେ। ସେମିତି ହସୁ ହସୁ କହିବାକୁ ଲାଗିଲି-"ତମେ ପରା ଉଚ୍ଚ ଶିକ୍ଷିତା? ଏପରି କଥାକୁ କିପରି ବିଶ୍ୱାସ କରୁଛ? ଆଜିକାଲିର ସ୍ୱଳ୍ପ ଶିକ୍ଷିତା ଝିଅ ମାନେ ଶଙ୍ଖା ସିନ୍ଦୁର ଲଗାଉନାହାନ୍ତି, କହୁଛନ୍ତି ଆଉଟ ଅଫ ଫ୍ୟାସନ, ଆଉ ମଙ୍ଗଳସୂତ୍ରକୁ ଏକ ଗହଣା ମନେ କରି ପିନ୍ଧୁଛନ୍ତି। କାଇଁ ସେମାନଙ୍କ ଜୀବନରେ ତ କିଛି ଅଘଟଣ ଘଟୁନି, ତମର କଣ ମଙ୍ଗଳସୂତ୍ର ଟା ଛିଣ୍ଡି ଗଲା ଯେ ସେ ପାଇଁ ଏତେ ଭାବନା?"

-"ଦେଖ, ଆଉ କାହା ପାଇଁ ଏ ଶଙ୍ଖା ସିନ୍ଦୁର ମଙ୍ଗଳସୂତ୍ର ର ମହତ୍ୱ ଥାଉ କି ନଥାଉ, ହେଲେ ମୋ ପାଇଁ ଏହାର ମହତ୍ୱ ଖୁବ ବେଶି। ଜଣେ ବିବାହିତା ନାରୀ, ଯିଏ କି ନିଜ ସ୍ୱାମୀଙ୍କୁ ଭଲପାଏ, ତାଙ୍କୁ ଦେବତା ମନେ କରି ପୂଜା କରେ, ତା' ପାଇଁ ଏ ମଙ୍ଗଳସୂତ୍ର ନିଜ ଜୀବନଠୁ ବି ଅଧିକ ମୂଲ୍ୟବାନ।"

ସୁଇଟି ସହ ଆଉ ମୁଁ ଯୁକ୍ତି କରିନଥିଲି। କିନ୍ତୁ ମନରେ ସନ୍ଦେହର ମାତ୍ରା ବଢ଼ିଯାଥିଲା। ଯଦିଓ ମୁଁ ଜାଣିଥିଲି ସୁଇଟି ମତେ ଖୁବ ଭଲପାଏ, ତେବେ ତାର ସେ ଭଲପାଇବାଟା ଯେ ପୁରାଣ ଯୁଗର ନାରୀପରି, ଏ କଥାକୁ ବିଶ୍ୱାସ କରିପାରୁନଥିଲି। ହେଇପାରେ....ସୁଇଟିର ଭଲପାଇବାଟା ଲୋକଦେଖାଣିଆ......। ନା...ନା...ମତେ ସତକଥା ଜାଣିବାକୁ ପଡିବ, ହେଲେ କେମିତି....କେମିତି....?


ମନେ ମନେ ଯୋଜନା ପ୍ରସ୍ତୁତ କରିସାରିଥିଲି, ସୁଇଟିକୁ ପରୀକ୍ଷା କରିବି। ମୋ ଯୋଜନାରେ ମୁଁ ମୋ ସାଙ୍ଗ ବିକାଶ ଓ ତାର ପ୍ରେମିକା ଲଭଲିକୁ ସାମିଲ କରିଥିଲି।

*********************************

ଦୂଆର ଖୋଲି ସୁଇଟି ଦେଖିଲା ଝିଅଟିଏ। ସୁଇଟି ମନେ ପକାଇଲା, କାଇଁ ଚିହ୍ନିଲା ଭଳି ତ ମନେ ହେଉନି-"ଆପଣ?" ମୁରୁକି ହସା ଦେଇ ଝିଅଟି କହିଲା-" ଆପଣ ମତେ ଚିହ୍ନି ପାରିବେ ନାହିଁ, ତେବେ ଏତିକି କହିବାକୁ ଚାହେଁ, ଆପଣଙ୍କ ସ୍ୱାମୀ ମତେ ଭଲ ଭାବରେ ଜାଣନ୍ତି।"

-"ଆପଣ ତେବେ ମୋ ସ୍ୱାମୀଙ୍କର ବନ୍ଧୁ ? ଭିତରକୁ ଆସନ୍ତୁ।"

ବଡ଼ ଆଦର ସତ୍କାର ସହ ସୁଇଟି ସେ ଝିଅକୁ ଭିତରକୁ ଡାକିନେଲା। ଚା' ଜଳଖିଆର ପ୍ରାରମ୍ଭିକ ଉପଚାର ପରେ ସୁଇଟି ପଚାରିଲା-" ଆପଣଙ୍କର କଣ ମୋ ସ୍ୱାମୀଙ୍କ ପାଖରେ କିଛି କାମ ଥିଲା? ସେ ତ ଏବେ ଘରେ ନାହାନ୍ତି।"

-"ସେ କଥା ମୁଁ ଜାଣେ। କାମଟା ତାଙ୍କ ପାଖରେ ନୁହେଁ, ଆପଣଙ୍କ ପାଖରେ...।"


ଆଶ୍ଚର୍ଯ୍ୟ ହେଲା ସୁଇଟି। ଝିଅଟିର ତା' ପାଖରେ କି କାମ? ସେ ଆରମ୍ଭ କଲା-" ମୁଁ ଆଉ ଆପଣଙ୍କ ସ୍ୱାମୀ ସାଥି ହେଇ କଲେଜରେ ପଢ଼ୁଥିଲୁ। ସେଇ ପଢିବା ଭିତରେ ପରସ୍ପରକୁ ଭଲ ପାଇ ବସିଲୁ। କଲେଜ ପଢା ସାରିବା ପରେ ସେ ଆଉ ଅଧିକ ନ ପଢି ଚାକିରୀ ଅନ୍ୱେଷଣ କରିଥିଲେ। ହେଲେ ମୁଁ ଅଧିକା ପଢିବା ପାଇଁ ଇଛୁକ ଥିଲି। ସେ ଚାକିରୀ ପାଇବା ପରେ ବହୁତ ଖୁସି ହେଇ ମୋ ପାଖକୁ ଆସିଥିଲେ ଆଉ ମତେ ବାହା ହେବା ପାଇଁ ପ୍ରସ୍ତାବ ବାଢ଼ିଥିଲେ। କିନ୍ତୁ ମୁଁ ଥିଲି ସ୍ୱାଧୀନଚେତା ଝିଅ। ବାହା ହେଇ ମୋ କ୍ୟାରିଅର ନଷ୍ଟ କରିବାକୁ ଚାହୁଁ ନଥିଲି।ତେଣୁ ସେଦିନ ତାଙ୍କୁ ମନା କରିଦେଇଥିଲି। ମୋ କଥାରେ ସେ ଖୁବ ଆଘାତ ପାଇଥିଲେ। ଆଉ ତା' ପରେ ତାଙ୍କ ସହ ମୋ ସମ୍ପର୍କର ଡୋରି ଛିଣ୍ଡି ଯାଇଥିଲା।


ଅନେକ ଦିନ ପରେ ଏବେ ହଠାତ ତାଙ୍କ ସହ ଦେଖା ହେଲା। ପୁରୁଣା ଦିନର ସେ ସ୍ମୃତି ଭଲପାଇବା ମୋ ହୃଦୟରେ ପୁଣି ଜାଗି ଉଠିଲା। ଏଇ କିଛି ବର୍ଷ ଭିତରେ ମୁଁ ଅନେକ ଟଙ୍କା ରୋଜଗାର କରିଛି, କିନ୍ତୁ ନାରୀ ମନର ଆଶା ଆକାଂକ୍ଷାକୁ ମୁଁ ପୁରା କରିପାରିନାହିଁ। ତାଙ୍କୁ ଦେଖିବା ପରେ ମୋର ସେଇ ଆଶା ଜାଗି ଉଠିଲା। ତାଙ୍କୁ ମୁଁ ବିବାହ ପ୍ରସ୍ତାବ ଦେଲି, ହେଲେ ଯେତେବେଳେ ସେ ବିବାହିତ ବୋଲି କହିଲେ, କ୍ଷଣିକ ପାଇଁ ମୋ ସ୍ବପ୍ନ ଭାଙ୍ଗିଗଲା। ଅନ୍ୟୋପାୟ ନ ପାଇ ମତେ ୨ୟ ସ୍ତ୍ରୀ ଭାବେ ଗ୍ରହଣ କରିବାକୁ ଅନୁରୋଧ କଲି। ସେ ମନା କରିଦେଲେ। କହିଲେ-"ତମେ ତମ ଅଧିକାର ସେଇଦିନ ହରେଇ ଦେଇଛ, ଯେଉଁଦିନ ମୋ ପ୍ରସ୍ତାବକୁ ମନା କରିଥିଲ। ଏବେ ସେ ଅଧିକାର ମୁଁ ଆଉ ଜଣଙ୍କୁ ଦେଇ ସାରିଛି। ଯାହା ସିନ୍ଥୀରେ ମୁଁ ସିନ୍ଦୁର ଦେଇଛି, ଯାହା ଗଳାରେ ମଙ୍ଗଳସୂତ୍ର ପିନ୍ଧାଇଛି, ତା' ସହ ବେଇମାନି କରିବି କିପରି? ମୁଁ ନାଚାର, ଅନ୍ତତଃ ତା' ଗଳାରେ ମୋ ମଙ୍ଗଳସୂତ୍ର ଥିବା ପର୍ଯ୍ୟନ୍ତ।" ସେ ସିନା ମନା କରିଦେଲେ, ହେଲେ ବହୁତ ଆଶା ନେଇ ମୁଁ ଆପଣଙ୍କ ପାଖକୁ ଆସିଛି।

ସୁଇଟିର ସେ ଝିଅ ପ୍ରତି ଧାରଣା ବଦଳି ଯାଇଥିଲା। ତଥାପି ତାର ମନୋଭାବକୁ ବ୍ୟକ୍ତ ନ କରି ସ୍ୱାଭାବିକ ଢଙ୍ଗରେ କହିଲା-" ମୋ ଠୁ ଆପଣ କଣ ଚାହାନ୍ତି?"

-"ଆପଣ ଆପଣଙ୍କ ମଙ୍ଗଳସୂତ୍ର ମତେ ଦେଇ ଦିଅନ୍ତୁ। ତା' ବଦଳରେ ଯେତେ ଟଙ୍କା ଚାହିଁବେ ମୁଁ ଆପଣଙ୍କୁ ଦେବି। ସାରା ଜୀବନ ଆପଣଙ୍କ ଖୁସିରେ କଟିଗଲା ଭଳି ବ୍ୟବସ୍ଥା ମୁଁ କରିଦେବି। ହେଲେ ମୋର ମଙ୍ଗଳସୂତ୍ର ଦରକାର।"

-"ଯେତେବେଳେ ଏତେ ଟଙ୍କା ରୋଜଗାର କରି ଆପଣ ସୁଖ ଶାନ୍ତିରେ ରହି ପାରିନାହାନ୍ତି, ସେତେବେଳେ ଆପଣଙ୍କ ଟଙ୍କା ମତେ ଖୁସି ଦେବ ବୋଲି ଆପଣ ଭାବୁଛନ୍ତି କିପରି ? ଆଉ ବାକି ରହିଲା ମଙ୍ଗଳସୂତ୍ର କଥା, ଏଇଟା ବଜାରରେ ମିଳୁଥିବା ୧୦-୨୦ ଟଙ୍କିଆ ଇମିଟେସନ ଗହଣା ନୁହେଁ, ଯେତେବେଳେ ଚାହିଁବେ କିଣି ଆଣିବେ, ଆଉ ବେକରେ ଗଳେଇଦେବେ। ନାରୀ ଜୀବନର ଅମୁଲ୍ୟ ସମ୍ପଦ ହେଉଛି ଏଇ ମଙ୍ଗଳସୂତ୍ର। ଯାହାର ମୂଲ୍ୟ କେହି କେବେ କଳନା କରିପାରେନା। ଆପଣ ଚାହୁଁଛନ୍ତି ସାମାନ୍ୟ ଟଙ୍କା ବଦଳରେ ମଙ୍ଗଳସୂତ୍ର ଖରିଦ କରିବେ?କେବଳ ଆପଣଙ୍କ ଭଳି କେତେଜଣ ନାରୀଙ୍କ ପାଇଁ ସମଗ୍ର ନାରୀ ଜାତି ବଦନାମ ହେଉଛି। ଦୁଆର ଖୋଲା ଅଛି ଆପଣ ଏବେ ଆସିପାରନ୍ତି।"


ଶେଷ ବେଳକୁ ସୁଇଟିର କଣ୍ଠ ସ୍ୱର କଠୋର ହେଇଗଲା। ଆଉ ମୁହଁର ଭାବ ବି ବଦଳିଗଲା। ସେ ଝିଅଟି ଆଉ କଣ କହି ଆସୁଥିଲା, ହେଲେ ସୁଇଟିର ଏ ରୂପ ଦେଖି ଚୁପଚାପ ଦୁଆର ଆଡେ ପାଦ ବଢ଼େଇଲା ।


*************************************

-"କଣ ହେଲା ଲଭଲି, ଅଭିଯାନ ତମର କେତେ ଦୂର ସଫଳ ହେଲା?" ମୁଁ ପ୍ରଶ୍ନ କଲି।

-"ଭାଉଜଙ୍କୁ ମୁଁ ଯେତେ ଦୂର ଷ୍ଟଡି କଲି, ତାଙ୍କ ଭଲ ପାଇବାରେ ଅଣୁମାତ୍ର କଳୁଷତା ନାହିଁ। ତମର ସନ୍ଦେହ ପୁରାପୁରି ଅମୂଳକ। ତାଙ୍କର ଭଲପାଇବା ଲୋକ ଦେଖାଣିଆ ନୁହେଁ, ଏ କଥାର ଗ୍ୟାରେଣ୍ଟି ମୁଁ ଦେଇପାରେ। ତମେ ଖୁବ ଭାଗ୍ୟବାନ। ଭାଉଜଙ୍କ ପରି ସ୍ତ୍ରୀ ତମେ ପାଇଛ ।"


ଏହା ପରେ ସେ ସୁଇଟି ଆଗରେ କରିଥିବା ଅଭିନୟର ସମ୍ପୂର୍ଣ ବୃତ୍ତାନ୍ତ ମତେ କହିଗଲା। ଯଦିଓ ଲଭଲିର କଥା ମୋର ସନ୍ଦେହକୁ କିଛି ମାତ୍ରାରେ ଦୂର କରିଥିଲା, କିନ୍ତୁ ସମ୍ପୂର୍ଣ୍ଣ ନୁହେଁ। ମୋର ଚୁପ ରହିବା ଦେଖି ବିକାଶ ମତେ ହଲେଇଦେଲା-


-"ଆରେ କଣ ହେଲା? ଦେଵୀ ପରି ସ୍ତ୍ରୀକୁ ତୁ ବେକାର ସନ୍ଦେହ କରୁଛୁ। ଅନେକ ଜନ୍ମର ତପସ୍ୟା ଫଳରେ ଏଇଭଳି ସ୍ତ୍ରୀ ମିଳେ। କଣ ଏତେ ଭାବୁଛୁ?"

-"କିଛି ନାହିଁ, ତମମାନଙ୍କ କଥା ଶୁଣୁଥିଲି। ପରୀକ୍ଷା ଶେଷ ନ ହଉଣୁ, ତମେମାନେ ଫଳ ଘୋଷଣା କରିସାରିଲଣି?"

-"ତା' ମାନେ ଆହୁରି ପରୀକ୍ଷା କରିବାର ଅଛି ନା କଣ?" ଲଭଲି ପଚାରିଲା।

-"ହଁ ପରୀକ୍ଷାର ପ୍ରଥମ ଭାଗ ସରିଲା, ଏବେ ଶେଷ ଭାଗ ଆରମ୍ଭ ହେବ।"

-"ଦେଖ ଭାଇ ମୁଁ ବୁଝି ପାରୁନି, ତୁ ଏସବୁ କାହିଁକି କରୁଛୁ? ଦୁନିଆରେ ଏମିତି ବହୁତ ସ୍ତ୍ରୀ ମିଳିବେ ଯେଉଁମାନେ ନିଜ ସ୍ୱାମୀଙ୍କୁ ହତାଦର କରନ୍ତି। ତଥାପି ସେମାନଙ୍କ ସ୍ୱାମୀ ନିଜ କର୍ମ ଆଦରି ରହିଥାନ୍ତି । ହେଲା ଏବେ, ତୋ କଥା ଅନୁଯାୟୀ ଭାଉଜ ତତେ ଲୋକଦେଖାଣିଆ ଭଲ ପାଉଛନ୍ତି, ହତାଦର ତ କରୁନାହାନ୍ତି?" ବିକାଶ ବୁଝାଇଲା।

-" ତୁ ସେସବୁ କିଛି ବୁଝି ପାରିବୁନି। ମତେ ଖାଲି କହ ଏଥର ପରୀକ୍ଷାରେ ତୁ ମୋ ସାଥିରେ ଅଛୁ କି ନାହିଁ?" ମୁଁ ପଚାରିଲି।

-"ପ୍ରଥମରୁ ତ ତୋ ସହ ସାମିଲ ଅଛି, କହ କଣ କରିବାକୁ ହେବ?" ବିକାଶ ଆଉ ଲଭଲିକୁ ପାଖକୁ ଡାକି ମୋ ପରବର୍ତ୍ତୀ ଯୋଜନା ଭଲକି ବୁଝେଇଦେଲି ।


************************************


ଏଥର ଦୁଆର ଖୋଲି ସୁଇଟି ଆବିଷ୍କାର କଲା ବିକାଶକୁ। ମୁହଁରେ ହସ ଖେଳାଇ ସୁଇଟି କହିଲା-" ଆରେ ବିକାଶ ବାବୁ ତମେ? ଏତେ ଦିନେ ଆମ କଥା ମନେ ପଡିଲା? ହଉ ଭିତରକୁ ଆସ।"

-"ଭିତରକୁ ଯିବାକୁ ମୋ ପାଖରେ ସମୟ ନାହିଁ, ତମକୁ ମୋ ସହ ଏଇନେ ଯିବାକୁ ହେବ ଭାଉଜ।"

-"ତମ ସହ ଯିବି? କୁଆଡେ?"

-"ହସ୍ପିଟାଲ...."

-"ହସ୍ପିଟାଲ? କାହିଁକି?"

-"ମଣ୍ଡଳର ଆକ୍ସିଡେଣ୍ଟ ହେଇଛି, ସିରିୟସ ...ହସ୍ପିଟାଲରେ ଆଡମିଟ ହେଇଛି।“


ପାଦ ତଳୁ ମାଟି ଖସିଗଲା ପରି ଲାଗିଲା ସୁଇଟିକୁ। ସେ କଥାଟିକୁ ସହଜରେ ବିଶ୍ୱାସ କରିପାରିଲା ନାହିଁ।

-"ବିକାଶ ବାବୁ ତମେ ସତ କହୁଛ? ମୋ ସହ ମଜା କରୁନା ତ ?"

-"ଭାଉଜ ଏଇଟା ମଜା କରିବାର ବେଳ ନୁହେଁ, ମଣ୍ଡଳ ତେଣେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛି, ତମେ ଚାଲ।"


ଡ୍ରେସ ଚେଞ୍ଜ କରିବା ତ ଦୂରର କଥା ଘରେ ତାଲା ଦେବାକୁ ତର ମିଳିନଥିଲା ସୁଇଟିକୁ । ସେ ବିକାଶ ସହ ବାହାରି ଯାଇଥିଲା ହସ୍ପିଟାଲ । ସେଠାରେ ପହଂଚି ସେ ଦୌଡ଼ି ଆସିଥିଲା ମୁଁ ରହୁଥିବା କ୍ୟାବିନ ଆଡେ। ହେଲେ ଡାକ୍ତର ବାବୁ ତାକୁ ପରମିସନ ଦେଇନଥିଲେ ମତେ ଦେଖା କରିବା ପାଇଁ। କେମିତି ବା ଦେବେ, ଏଇଟା ତ ମୋ ଯୋଜନାର ଅଂଶ ବିଶେଷ।


ଡାକ୍ତର ବାବୁ ସୁଇଟିକୁ ଅପରେସନ ପାଇଁ ୧୫ ଲକ୍ଷ ଟଙ୍କା ଯୋଗାଡ଼ କରିବାକୁ କହିଲେ, ତା' ପୁଣି ୨ ଘଣ୍ଟା ଭିତରେ। ନଚେତ ମୋ ଆଶା ଛାଡିଦେବାକୁ ପରାମର୍ଶ ବି ଦେଲେ। ଚଡକ ପଡିଲା ସୁଇଟି ମୁଣ୍ଡରେ । ୨ ଘଣ୍ଟା ଭିତରେ ସେ ୧୫ ଲକ୍ଷ ଟଙ୍କା କେଉଁଠୁ ଯୋଗାଡ଼ କରିବ? ପାଗଳ ପରାୟେ ହେଇଗଲା। ତାକୁ କିଛି ବୁଦ୍ଧିବାଟ ଦିଶିଲାନି । ଆଖିରୁ ତାର ଜୁଳୁଜୁଳିଆ ପୋକ ବାହାରିବା ପରି ଲାଗିଲା । ଲଥ କରି ବସି ପଡିଲା ସେ ।

ହଠାତ କାହାର ହାତ ସ୍ପର୍ଶରେ ସେ ଚମକି ଉଠି ଚାହିଁ ଦେଖିଲା ପୂର୍ବୋକ୍ତ ଝିଅଟି ତା' ପାଖରେ ଠିଆ ହେଇଛି, ଯିଏ ତା' ମଙ୍ଗଳସୂତ୍ରକୁ କିଣିବାକୁ ଆସିଥିଲା। ସେ ଝିଅଟି ଓଠରେ ଥିଲା ହସ, ଆଉ ସୁଇଟି ଆଖିରେ ଲୁହ। ସୁଇଟି କାନ୍ଦ କାନ୍ଦ ହେଇ ସେ ଝିଅକୁ କହିଲା-" କଣ ମତେ ପରିହାସ କରିବାକୁ ଆସିଛ?"

-"ନା ମୁଁ ପରିହାସ କରିବାକୁ ଆସିନି, ବରଂ କୁହ ସାହାଯ୍ୟ କରିବାକୁ ଆସିଛି। ତମର ୧୫ ଲକ୍ଷ ଟଙ୍କା ଦରକାର ତା ପୁଣି ୨ ଘଣ୍ଟା ଭିତରେ, ଏ କଥା ମୁଁ ଜାଣେ। ଆଉ ଏଇଟା ବି ଜାଣେ ତମେ ୨ ଘଣ୍ଟା ଭିତରେ ୧୫ ଲକ୍ଷ ଯୋଗାଡ଼ କରିପାରିବନି। କିନ୍ତୁ ମୁଁ ତମକୁ ୧୫ ଲକ୍ଷ ଟଙ୍କା ଦେଇ ପାରିବି, ବଦଳରେ ତମକୁ ତମର ମଙ୍ଗଳସୂତ୍ର ତ୍ୟାଗ କରିବାକୁ ପଡିବ।"

-" ନା ମୁଁ ପାରିବିନି, ମୋ ମଙ୍ଗଳସୂତ୍ର ମୁଁ ଦେଇ ପାରିବିନି। ଏଇଟା ମୋ ଜୀବନ। ନିଜ ଜୀବନକୁ କେହି କଣ କେବେ ନିଜଠୁ ଅଲଗା କରିପାରେ ? ତମେ ଭୁଲି ଯାଅ...." କଇଁ କଇଁ ହେଇ କାନ୍ଦି ଉଠିଲା ସୁଇଟି।

-"ଥରେ ଭାବିଦେଖ, କିଏ ବଡ଼, ତମର ଏ ମଙ୍ଗଳସୂତ୍ର ନା ତମ ସ୍ୱାମୀର ଜୀବନ? ଅପରେସନ ନ ହେଲେ ତମ ସ୍ୱାମୀ ବଞ୍ଚିବେନି, ସ୍ୱାମୀ ବିନା ଏ ମଙ୍ଗଳସୂତ୍ରର ମୂଲ୍ୟ କଣ?"

ଝିଅଟିର ଏଇ କଥା ପଦକ ସୁଇଟି ମନକୁ ବାରମ୍ବାର ଆନ୍ଦୋଳିତ କରିଥିଲା। ସେ ତଉଲୁଥିଲା ସତରେ କିଏ ବଡ଼, ମଂଗଳସୂତ୍ର ନା ସ୍ୱାମୀର ଜୀବନ? ଶେଷରେ ସେ ସ୍ଥିର ନିଶ୍ଚିତ ହେଇଗଲା ଯେ ସ୍ୱାମୀର ଜୀବନ ଆଗରେ ମଙ୍ଗଳସୂତ୍ରର ମୂଲ୍ୟ କିଛି ନୁହେଁ। ସେ ମନକୁ ଦୃଢ଼ କରିଥିଲା, ଆଉ ନିଜ ବେକରୁ ମଙ୍ଗଳସୂତ୍ର ବାହାର କରି ସେ ଝିଅକୁ ବଢ଼ାଇ ଦେଲା। ପ୍ରତିବଦଳରେ ସେ ଝିଅ ହସ୍ପିଟାଲ କାଉଣ୍ଟରରେ ୧୫ ଲକ୍ଷ ଟଙ୍କା ଡିପୋଜିଟ କରିଦେଲା। ଟଙ୍କା ଡିପୋଜିଟ ହେବା ପରେ ସୁଇଟି ଡାକ୍ତର ବାବୁଙ୍କୁ କାକୁତି ମିନତୀ ହେଲା ନିଜ ସ୍ୱାମୀର ଜୀବନ ବଂଚେଇଦେବା ପାଇଁ।

-" କଣ ହେଲା ଭାଉଜ?" ବିକାଶ ପଚାରିଲା।

-"ବିକାଶ ବାବୁ, ଟଙ୍କା ଡିପୋଜିଟ ହେଇଯାଇଛି, ଏଥର ସେ ଭଲ ହେଇଯିବେ ନା?" ସୁଇଟି ପଚାରିଲା।

-" ତମେ ବିଶ୍ୱାସ ରଖ, ମଣ୍ଡଳର କିଛି ହେବନି। ସେ ନିଶ୍ଚେ ଭଲ ହେଇଯିବ।" ବିକାଶ ବୁଝାଇଲା।

 ରାତି ତମାମ ଅପରେସନ ପରେ, ସକାଳୁ ଯେତେବେଳେ ଡାକ୍ତର ବାବୁ ଆସି କହିଲେ, ଅପରେସନ ସଫଳ ହେଇଛି, ଆଉ କିଛି ଚିନ୍ତା ନାହିଁ, ସେତେବେଳେ ସୁଇଟି ଆଖିରୁ ଦୁଇ ଟୋପା ଲୁହ ଝରିପଡିଲା ।

-"ଭାଉଜ ତମେ ଘରକୁ ଯାଅ, ରେଷ୍ଟ ନଵ। ସାରା ରାତି ଅନିଦ୍ରା ରହିଛ, ମଣ୍ଡଳ ପାଖରେ ମୁଁ ଅଛି।" ବିକାଶ କହିଲା।

-"ହଁ ମୁଁ ରେଷ୍ଟ ନେବି, ହେଲେ ତମେ ମୋର ଗୋଟାଏ କାମ କରିବ, ଏ ଚିଠିଟି ରଖିଥାଅ, ମୁଁ ଗଲା ପରେ ଯଦି ତାଙ୍କର ଚେତା ଫେରି ଆସେ, ତାଙ୍କୁ ଦେଇଦେବ। ମୁଁ ଯାଉଛି।" ସୁଇଟି ଚାଲିଯାଇଥିଲା।

 ସେ ଗଲା ପରେ ଆମେ ସମସ୍ତେ ଏକାଠି ହେଇଥିଲୁ। ସେମାନଙ୍କର ନିଖୁଣ ଅଭିନୟ ପାଇଁ ମୁଁ ଲଭଲି ଓ ବିକାଶର ଖୁବ ତାରିଫ କରିଥିଲି। ଲଭଲି ମୋ ହାତକୁ ବଢ଼ାଇଦେଲା ମଙ୍ଗଳସୂତ୍ର ଆଉ ବିକାଶ ବଢ଼ାଇଲା ସୁଇଟିର ସେ ଚିଠି। ଚିଠି ଖୋଲି ପଢିବାକୁ ଲାଗିଲି-

"ଜାଣେନା ତମେ ଏ ଚିଠି ପାଇଲା ବେଳକୁ ମୁଁ ଏ ଦୁନିଆରେ ଥିବି କି ନଥିବି। ହେଲେ ମୋର ବିଶ୍ୱାସ ତମେ ମତେ କ୍ଷମା କରିଦେବ। ମୁଁ ଆଉ କଣ କରିପାରିଥାନ୍ତି ? ଡାକ୍ତର ବାବୁ ୧୫ ଲକ୍ଷ ଟଙ୍କା ମାଗିଲେ, ମୁଁ ଏତେ ଟଙ୍କା ଆଣିଥାନ୍ତି କେଉଁଠୁ?ସେ ଝିଅଟି ମୋ ମଙ୍ଗଳସୂତ୍ର ବଦଳରେ ୧୫ ଲକ୍ଷ ଦବ ବୋଲି କହିଲା। ତେଣୁ ସେ ଝିଅକୁ ମୁଁ ୧୫ ଲକ୍ଷ ଟଙ୍କା ବଦଳରେ ମୋ ମଙ୍ଗଳସୂତ୍ର ବିକିଦେଲି। ଖାଲି ତମକୁ ବଞ୍ଚାଇବା ପାଇଁ। ଏବେ ତମେ ମୋ ବନ୍ଧନରୁ ମୁକ୍ତ । ତମ ଉପରେ ମୋର ଆଉ ଅଧିକାର ନାହିଁ, ତମେ କେବଳ ସେ ଝିଅର । ମୁଁ ଜାଣେ ତମ ବିନା ମୋର ବଂଚିବା ଦୁର୍ବିସହ ହେଇ ପଡିବ, ତେଣୁ ମୁଁ ନିଷ୍ପତ୍ତି ନେଇ ସାରିଛି,ଏ ଜୀବନକୁ ଶେଷ କରିଦେବି। ମୋର ଅନୁରୋଧ, ତମେ ମତେ ଭୁଲିଯିବ, ଆଉ ସେ ଝିଅକୁ ବାହା ହେଇ ସୁଖରେ ସଂସାର କରିବ। ଇତି ।

(ସୁଇଟି) "

ଚିଠିଟି ମୋ ହାତରୁ ଖସି ପଡିଲା। ମୁଁ ସୁଇଟି ବୋଲି ଚିତ୍କାର କରି ଘରମୁହାଁ ଦୌଡିଲି । ପଛେ ପଛେ ବିକାଶ। ଘରେ ପହଁଚିଲା ବେଳକୁ ମୋ ସୁଖର ସଂସାର ଉଜୁଡି ଯାଇଥିଲା। ସୁଇଟି ଆତ୍ମହତ୍ୟା କରିସାରିଥଲା ।

 ତା' ପରେ ପୋଲିସ ଭୟରେ ସୁଇଟିର ଶବକୁ ଘରର ଗୋଟିଏ କୋଣରେ ପୋତିଦେଲି। କିନ୍ତୁ ସୁଇଟିର ସ୍ମୃତିକୁ ମନରୁ ପୋଛି ପାରିଲିନି। ଏବେ ବି ସେ ସ୍ମୃତି ମତେ ତିଳ ତିଳ କରି ଜାଳୁଛି। ମୁଁ ଜାଣି ପାରୁନି, ମୁଁ ବଂଚିଛି, ନା ମରିଛି। ମାସେ ବିତିଗଲାଣି, ଆଉ ପାରିଲିନି , ସ୍ଥିର କଲି ସୁଇଟି ଯେଉଁ ପଥରେ ଯାଇଛି, ମୁଁ ବି ସେଇ ପଥର ଯାତ୍ରୀ ସାଜିବି, ଆଶା, କାଳେ ବାଟରେ ତା' ସହ ଭେଟ ହେଇଯିବ। ସେଥିପାଇଁ ଆଜି ମୁଁ ବିଷ ପିଇସାରିଛି । ଇନିସ୍ପେକ୍ଟର ବାବୁ, ମୋର ଗୋଟେ ଅନୁରୋଧ, ମୋ ଶବ ସହ ସୁଇଟିର କଙ୍କାଳକୁ ଗୋଟିଏ ଯୁଇର ଦାହ କରିବେ, ହେଇପାରେ ମୋ ଆତ୍ମାକୁ ଶାନ୍ତି ମିଳିବ।

 ଧୀରେ ଧୀରେ ମୋର ବାକ ଶକ୍ତି ଲୋପ ପାଇ ଆସୁଥିଲା। ଆଉ ମୋ ଚାରିପାଖରେ ଅନ୍ଧାରର ଘଞ୍ଚ ବଳୟ ସୃଷ୍ଟି ହେଉଥିଲା....


Rate this content
Log in

Similar oriya story from Crime