Sachidananda Kar

Tragedy

3.5  

Sachidananda Kar

Tragedy

ମନଦୁଃଖରେ ମୌସୁମୀ

ମନଦୁଃଖରେ ମୌସୁମୀ

3 mins
167



       ଅପୂର୍ବ ବାସ୍ନାରେ ମୋହଗ୍ରସ୍ଥ କରୁଥିଲା ମାଟି।ହାତରେ ଆଞ୍ଜୁଳାଏ ଧରିବାକୁ ଇଚ୍ଛା ହେଲା।ବସିପଡ଼ିଲି ସେଥିପାଇଁ।ଆଞ୍ଜୁଳାଏ ତୋଳି ଆଣିଲି।ତା'ର ପରିପୁଷ୍ଟ, ପରିପୂର୍ଣ୍ଣ, ସମୃଦ୍ଧ, ସଂପନ୍ନ, ସୁରଭିତ ଜୀବନ ମୋତେ ଅଭିଭୂତ କଲା,ଆନନ୍ଦ ଦେଲା। 


       କିଛି ଦୂରରେ ବହି ଯାଉଥିଲା ନଈଟିଏ।ସିଏ କେଉଁ ନଦୀ ଜାଣି ନ ଥିଲି।ମୋତେ କିନ୍ତୁ ଆକର୍ଷିତ କଲା ତା'ର ଛଳଛଳ,ହସହସ,ଖୁସିଖୁସି ଖରସ୍ରୋତ।ଦୁଇ କୂଳ ଛୁଇଁ ଆନନ୍ଦରେ ବହି ଯାଉଥିଲା ସିଏ।ତାକୁ ଦେଖିବି ବୋଲି ମୁଁ ଆସି ତା' ପାଖରେ ବସିଲି। 


       ଧୀର ପବନ ବହୁଥିଲା।ମୋ ମନରେ ତାହା ଭରି ଦେଉଥିଲା ଅଜସ୍ର ସ୍ବପ୍ନ।ତା'ର ମୁଗ୍ଧ ମଧୁସ୍ପର୍ଶ ମୋର ଦେହ,ମନ,ପ୍ରାଣକୁ ଆଚ୍ଛନ୍ନ କରି ଦେଉଥିଲା। - ' ଓଃ!ଦିନ କେତେଟା ଆଗରୁ କେଡ଼େ ଝାଞ୍ଜି ପବନ ବହୁ ନ ଥିଲା ସତେ!ଜଳି ଯାଉଥିଲା ଦେହ।କଷ୍ଟ ପାଉଥିଲା ସମଗ୍ର ପ୍ରାଣୀଜଗତ। ' ମନକୁମନ କହିଲି।ଶ୍ବାସରେ ମେଞ୍ଚା ମେଞ୍ଚା ସେଇ ପବନ ନିଜ ଭିତରକୁ ନେଇ ଆନନ୍ଦରେ ବିଭୋର ହେଲି। 


       ସମୟ ବିତୁଥିଲା।ପାଗ ବେଶ୍ ଆନନ୍ଦଦାୟକ ଥିବାରୁ ସମୟ ଆଦୌ ଜଣା ପଡୁ ନ ଥିଲା।ଆକାଶରେ ସୂର୍ଯ୍ୟ ଦିଶୁ ନ ଥିଲେ।ମୋର ମନେ ହେଉଥିଲା ଯେପରି ସୂର୍ଯ୍ୟର ବହପ କିଏ ଭାଙ୍ଗିଦେଇଛି।କାହାର ବହପ, ବଡ଼ପଣ ସବୁଦିନେ ରହେନାହିଁ।ଆକାଶ, ପୃଥିବୀ ବେଶ୍ ସୁନ୍ଦର ଦିଶୁଥିଲେ।କଳାହାଣ୍ଡିଆ ମେଘର ଆକାଶ ଓ ସେ ସମୟର ପୃଥିବୀର ଦୃଶ୍ୟ କାହାକୁ ସୁନ୍ଦର ନ ଲାଗିବ ଯେ!ଆକାଶରେ କଳାହାଣ୍ଡିଆ ମେଘ ଦେଖିଲେ ମୟୂର ତ ପୁଣି ତା'ର ପୁଚ୍ଛ ମେଲେଇ ଆନନ୍ଦରେ ନାଚେ ! 


       ସାମ୍ନାରେ ମମତାର ମୂର୍ତ୍ତ ରୂପ,ସୃଷ୍ଟି ସୁଧା,ସଞ୍ଜିବନୀ ପୃଥିବୀ।ଉପରେ ସୁବିସ୍ତୃତ,ଉଦାର,ଉଦାସ,ପ୍ରଶାନ୍ତ, ସ୍ନିଗ୍ଧ, ସୀମାହୀନ ବ୍ୟାପ୍ତ ଆକାଶ।ହୃଦୟରେ ଅସରନ୍ତି ତୃପ୍ତି।ମୁଁ ବେଶ୍ କିଛି ସମୟ ସେଇ ସୁନ୍ଦର ପରିବେଶକୁ ଉପଭୋଗ କରିବାକୁ ଲାଗିଲି। 


       ସେପାରିରେ ସବୁଜ ରଙ୍ଗର କ୍ଷେତ।ଧୀରେ ପବନରେ କୁନି କୁନି ଧାନଗଛ ଦୋଳି ଖେଳୁଥିଲେ।ଦୂର ପାହାଡ଼, ପର୍ବତ ଦିଶୁଥିଲେ ଗୋଟେ ଗୋଟେ ସବୁଜ ସ୍ତୁପ ଭଳି।ମେଘମାଳା ସେମାନଙ୍କ କୋଳରେ ଆଶ୍ରୟ ନେଇଥିବାରୁ ସେମାନେ ଆହୁରି ସୁନ୍ଦର ଦିଶୁଥିଲେ। 


       ଏ ସୁରଭିତ ମାଟି, ଏ କଳାବଉଦିଆ ଆକାଶ, ଗଛଲତାରେ ଭରା ଏ ଆକର୍ଷଣୀୟ ପାହାଡ଼,ପର୍ବତ କାହାର ସୃଜନ?ପୃଥିବୀର ଏତେ ସବୁ ଶୋଭାସମ୍ପଦ,ସବୁଜିମାରେ ଭରା ବିଲ ବଣ,ଛଳଛଳ ପରିପୂର୍ଣ୍ଣ ନଦ ନଦୀ କାହାର ଅବଦାନ?କିଏ?କିଏ ସେ? 


       ମୌସୁମୀ ଆସିଛି।ସେ ଆସିଛି ବୋଲି ସଜେଇ ହୋଇଛି ପ୍ରକୃତିରାଣୀ।ଦୂର ପାହାଡ଼ର ସବୁଜ ଶିଖର ଲେଖୁଛି ମେଘର କବିତା।ସାରା ରାତି ବର୍ଷାରେ ଭିଜିବାକୁ ଭଲ ପାଉଛନ୍ତି କୁଆଁରୀ ଫୁଲମାନେ।ମିଳନର ଆଶା ନେଇ ମାଟି ଗାଉଛି ରାଗ ଆଶାବରୀ।ପଶୁପକ୍ଷୀ, କୀଟ ପତଙ୍ଗ,ତରୁ ତୃଣ,ସ୍ଥାବର ଜଙ୍ଗମ - ସମସ୍ତଙ୍କ ଜୀବନରେ ଆସିଛି ପ୍ରେମ, ପ୍ରଣୟର ଋତୁ। 


       ଏବେ ମୁଁ ସବୁ ଜାଣିଗଲି ଓ ବୁଝିଗଲି।ଖୋଜିଲେ ବି କେଉଁଠି ଦିଶୁ ନ ଥିଲା ଗ୍ରୀଷ୍ମ।ବରଂ ସବୁଠି ଦିଶୁଥିଲା ମୌସୁମୀର ସ୍ପର୍ଶ।ମୋତେ ବି ଛୁଇଁ ଛୁଇଁ ଯାଉଥିଲା ସେ।ତା'ର ଶୀତଳ ଛୁଆଁରେ ଶିହରି ଉଠୁଥିଲି ମୁଁ।ଭାବିଲି ଯାଇ ତାକୁ ଧନ୍ୟବାଦ ଦେବି।ତା'ର ପ୍ରଶଂସା କରିବି।ଏଡ଼େ ସୁନ୍ଦର ସୃଜନ ଯାହାର, ସିଏ ଧନ୍ୟବାଦ ଓ ପ୍ରଶଂସା ନ ପାଇବ କାହିଁକି? 


       ତାକୁ ଖୋଜି ଖୋଜି ଯାଇ ତା' ପାଖରେ ପହଞ୍ଚିଲି।ଦେଖିଲି ଖୁବ୍ ମନଦୁଃଖରେ ବସିଛି ସେ।କଥା କ'ଣ?କାହିଁକି ଏମିତି ମୁହଁ ଶୁଖାଇ ବସିଛି ମୌସୁମୀ?ମନକୁମନ କହିଲି। 


       - ' ମୌସୁମୀ!ମୁହଁ ଶୁଖାଇ ବସିଛ ଯେ?ତୁମ ସୁନ୍ଦର ସୃଜନ ମୋତେ ମୁଗ୍ଧ କରିଛି।ଏସବୁ ତୁମରି ସୃଜନ ଜାଣି ତୁମକୁ ଧନ୍ୟବାଦ ଦେବାକୁ ଆସିଥିଲି।ଧନ୍ୟବାଦ,ମୌସୁମୀ!ଶତ ଧନ୍ୟବାଦ ତୁମକୁ। ' ଟିକେ ସମୟ ନେଇ ମୁଁ ତାକୁ କହିଲି। 


       - ' କାହିଁକି ଏ ସୁନ୍ଦର ସୃଜନ, ତାହା ବୁଝେ କି ଏ ସଂସାର?ସଭିଙ୍କୁ ପାଳି ପୋଷି ବଡ଼ କରିବାରେ ମୋର ମନ,ଏକଥା କିଏ ବୁଝେ?ମୋ ଇଚ୍ଛାରେ ମୁଁ ଗଢ଼ିଚାଲିଛି,ସେମାନେ କିନ୍ତୁ ଭାଙ୍ଗିବାରେ ଲାଗିଛନ୍ତି।ନିଜ ହିତରେ ଅର୍ଥକୁ ଅନର୍ଥ କରିବାରେ ବ୍ୟସ୍ତ ରହୁଛନ୍ତି।ତଥାପି ମୁଁ ଆସୁଛି, ଆସୁଥିବି।କେବେ ଛାଡ଼ିଯିବିନି ଏ ସୃଷ୍ଟିକୁ।ହେଲେ ଏ ସଂସାର ମୋତେ ରଖେଇଦେଉନି,ସେଇ ମୋର ଚିନ୍ତା।ସେଇଥିପାଇଁ ଆଜି ମୋ ମନରେ ଦୁଃଖ। ' ସେ ଦୁଃଖପୂର୍ଣ୍ଣ ଭଙ୍ଗୀରେ କହିଲା। 


       ସୃଷ୍ଟିରେ ଏତେ ସୁନ୍ଦର ସୃଜନ କରି ପାରୁଥିବା ମୌସୁମୀ ମନରେ ଦୁଃଖ!କାହାର ସୁନ୍ଦର ସୃଜନଟିକୁ ହତାଦର କଲେ କିଏ ଦୁଃଖୀ ନ ହେବ ଯେ!ତା'ର ସୁନ୍ଦର ସୃଜନଟିକୁ ଅଣଦେଖା କରାଯାଉଛି ଯେତେବେଳେ ସେ ଦୁଃଖୀ ନ ହେବ କାହିଁକି!ତା' କଥା ଶୁଣି ଖୁବ୍ ଦୁଃଖୀ ହେଲି। 


       ମନଦୁଃଖରେ ମୌସୁମୀ। ଆଉ କ'ଣ ବା ମୁଁ କହିବି ତାକୁ!କି ପ୍ରଶ୍ନ ପଚାରିବି! 


       ଏ ସଂସାରୀ ମଣିଷ କେଉଁଦିନ ବୁଝିବ ତା'ର ଚିନ୍ତା ଓ ଦୁଃଖର କାରଣକୁ!କେବେ ମୂଲ୍ୟାୟନ କରିବ ତା'ର ସୁନ୍ଦର ସୃଜନର!ନିଜକୁନିଜେ କହିଲି ମୁଁ।ନିର୍ବାକ୍ ତା' ପାଖରୁ ଫେରିଆସିଲି।


Rate this content
Log in

Similar oriya story from Tragedy