Satyabati Swain

Tragedy

3.9  

Satyabati Swain

Tragedy

ମନ ଦର୍ପଣ

ମନ ଦର୍ପଣ

5 mins
103



ଉଠ୍ କାହ୍ନା ! ବ୍ରସ୍ କର,ଟିଫିନ୍ ବେଳା ହେଲାଣି ପରା । 

ଉଁ...


ଦେଖ୍ ଛଅଟା ତିରିଶି ହେଲାଣି । ତୋର ସାତଟାରେ ଅନ୍ ଲାଇନ୍ କ୍ଲାସ୍ ଅଛି ପରା..


ହୁଉଁ...


କଣ ହୁଉଁ ହେଉଛୁ ଉଠିଯା କାହ୍ନା..


ହୁଉଁ ଉଁ...


ମାମା ରୁହ..


ଜୋର ଜବରଦସ୍ତ ମୁଁ କାହ୍ନାକୁ ଉଠାଇ ସୋଫାରେ ବସାଇଲି । "କାହ୍ନା ଗୁଡ୍ ବଏ । ଦେଖ କେମିତି ସାଙ୍ଗେ ସାଙ୍ଗେ ବ୍ରସ୍ କରି ଦେବ । ଦେଖିବ କେତେ ଶୀଘ୍ର ସେ ଫ୍ରେସ୍ ହୋଇଯିବ । କହିବ, ମାମା ମୋ ଟିଫିନ୍ ଦିଅ । 


ଦେଖିବ, ଦେଖିବ କାହ୍ନା କେମିତି ତା କାମ ନିଜ ହାତରେ କରେ? କହିଲୁ ତୋ ପାଇଁ କଣ ଚଟ୍ପଟି ବନେଇବି ଆଜି ବ୍ରେକଫାଷ୍ଟ୍ ପାଇଁ ?


ତଥାପି କିଛି କହୁ ନଥାଏ କାହ୍ନା । ନିଦ ତ ଆଖିରେ ନାହିଁ ! କିନ୍ତୁ ଆଳସ୍ୟ ତାକୁ ଏମିତି ମାଡି ବସିଛି କାହିଁକି? ମୋତେ ଭୟ ଲାଗିଲା । କହିଲୁ ଗୁଡ୍ ବଏ ତୋ ଦେହ ଅସୁସ୍ଥ ଲାଗୁଛି କି ? ଡକ୍ଟର ଅଙ୍କଲ୍ ପାଖକୁ ଯିବା ? 


କାହ୍ନା ଚୁପ୍ ଚାପ୍ ବସିଥାଏ । କିଛି ଉତ୍ତର ନାହିଁ । ସେ ବେଶୀ ଭଲ ପାଏ ପ୍ଲେନ ଦୋସା, ଏକଦମ୍ ଛୋଟ ଛୋଟ ପିଆଜ କଟା ଓ ଭ୍ରୁସଂଗ ପତ୍ର ଦେଇ କଲେ । ଯଦିଓ ସହରରେ ମୁଁ ରୁହେ, ସହରିଆ ରୋଗୀଣା କିଣା ଖାଦ୍ୟ ମୋ ପିଲାକୁ ଦିଏନି । ସେଥିପାଇଁ ମୋତେ ଆଜିକାଲି ପିଲାଙ୍କ ଚାହିଦା ମୁତାବକ ଯଥା ସମ୍ଭବ ଖାଦ୍ୟ ନିଜେ ବନାଇବାକୁ ପଡ଼ିଥାଏ । ଏମିତି କି ମିକ୍ସଚର୍ ବି ନିଜେ ପ୍ରସ୍ତୁତ କରେ । ଏଥିପାଇଁ ମୁଁ ଅନ୍ ଲାଇନ୍ କୁକିଙ୍ଗ୍ କୋର୍ସଟିଏ କରିଛି । 


କାହ୍ନା ମୋର ଏକମାତ୍ର ପୁଅ,ଏଇ ରଥଯାତ୍ରାକୁ ତାକୁ ଛଅ ପୁରି ସାତ ବର୍ଷ ପଶିଲା । ଭାରି ମେଧାବୀ, ବିଚକ୍ଷଣ ପିଲା । ଜିଦିଆ ନୁହେଁ, କିନ୍ତୁ ନଟଖଟ୍ । ଖୁସି ମିଜାଜର ପିଲା । ଖେଳ କୁଦ ଭଲ ପାଏ । ସବୁ ସାଙ୍ଗଙ୍କର ପ୍ରିୟ । କିନ୍ତୁ ବେଳେବେଳେ ଭାରି ସେଣ୍ଟିମେଣ୍ଟାଲ ହୋଇଯାଏ । ଏବେ ସଙ୍ଗରୋଧ ପିଲା ମନ କୋମଳ ଜିଜ୍ଞାସାରେ ଉବୁଡୁବୁ । ଭାରି ଝୁରୁଛି ତା ସ୍କୁଲ,ସାଙ୍ଗ,ଖେଳ ପଡିଆ ଓ ଖୋଲା ଆକାଶ । ଯାହା ସମସ୍ତଙ୍କ ପାଇଁ କରୋନା କରିଛି ନା..


ଏବେକାର ପିଲାମାନେ କେଜାଣି ଏତେ ପିଲା ଦିନୁ ଏପରି ସିରିୟସ୍, ମେଚର୍ ଲାଗନ୍ତି କାହିଁକି ? ଆମ ପରି ନୁହଁନ୍ତି? ସମୟ ଖାଲି ତାଙ୍କୁ ସଫଳ ହେବା ପାଇଁ ପ୍ରତିଯୋଗୀ କରିଦେଉଛି । ସବୁ କ୍ଷେତ୍ରରେ ହାତ ପକେଇ ସଫଳ ହେବା ଯେମିତି ଜନ୍ମରୁ ଆଣି ଆସିଛନ୍ତି । କାହ୍ନା ଆଜି ସେମିତି ସିରିଅସ୍ ଲାଗୁଛି । କିଛି ହୋଇଛି ତାର ନିଶ୍ଚେ । ତା ହାତରେ ବ୍ରସ ଧରେଇ ତା ପ୍ରିୟ ଖାଦ୍ୟ କରିବାକୁ ଗଲି । କିନ୍ତୁ ଖାଦ୍ୟ ତିଆରି କରି ସାରି ଆସେ ଦେଖେ ତ ସେ ସୋଫାକୁ ଆଉଜି ଆଖି ବୁଜି ଉପରକୁ ମୁହଁ କରି ବସିଛି । ବ୍ରସ୍ ସେମିତି ଧରା ହୋଇଛି ହାତରେ । 


ମୁଁ ବ୍ୟସ୍ତ ହୋଇ ପଡିଲି । ଏମିତି ଅନିୟମିତତା କେବେ ହୁଏନି କାହ୍ନାର । ସତରେ ଦେହ ଭଲ ଲାଗୁନି କି! ଭୟରେ ମୋ ଦେହ କଣ ହୋଇଗଲା । ଏବେ ଯେଉଁ ବିଷମ ସମୟ, ଡକ୍ଟର ପାଖକୁ ଯିବାକୁ ବି ଡର ଲାଗୁଛି । ମୁଁ କଅଁଳେଇ କହିଲି, ଶୋଇ ପଡ଼ିଲୁ କି କାହ୍ନା ! ତୁ ବ୍ରସ୍ ଧରି ବସିଛୁ, କରିନୁ ଏଯାଏ ? ଥଣ୍ଡା ଦୋସା ତୋର ପରା ପସନ୍ଦ ନୁହେଁ ? ଦେଖିଲୁ ସାତଟା ତିରିଶି ହେଲାଣି । ଗୋଟେ କ୍ଲାସ୍ ସରିବା ସରିବା ହେବଣି । ଲ୍ୟାପଟପ୍ ଟି ଟାଣି ଆଣି ଖୋଲି ଦେଲି । 


ତା ପାଖେ ବସି ମୁଣ୍ଡ ସାଉଁଳେଇ କହିଲି, କଣ ହୋଇଛି ମୋ ଗୁଡ୍ ବଏର ! ଗୁଡ୍ ବଏ କହି ଦେଲେ ସେ ଭାରି ଖୁସି ହୋଇଯାଏ । ତା ମିସ୍ ବି ତାକୁ ଗୁଡ୍ ବଏ କୁହନ୍ତି । ସତରେ ପ୍ରଶଂସା ପିଲାଠୁ ବୁଢା ସମସ୍ତଙ୍କୁ ପ୍ରସନ୍ନ କରେ । ଏଣୁ କିଛି କାମ ପଟେଇବାର ଥିଲେ ମୁଁ କାହ୍ନାକୁ ବେଶୀ ଗୁଡ୍ ବଏ ଲାଞ୍ଚ ଦିଏ । ତା ମୁଣ୍ଡ ସଲ ସଲ କରେ । କୋଳକୁ ଆଣି ଗାଲ ଓ ମଥାରେ ତିନିଟା ପପି ଦିଏ । ସେ ବହୁତ ଖୁସି ହୋଇଯାଇ, ଆହୁରି ପାପୁଲି, ନାକକୁ ପପି ଦେବାକୁ କୁହେ । ଆଜି ଏ ଫର୍ମୁଲା ବି ଫେଲ୍ !!


ଭାରି ଉଦାସ ଲାଗୁଛି କାହ୍ନା । ମୁଁ କାଖେଇ ନେଇ ବ୍ରସ୍ କରିଦେଲି । ଟେବୁଲ ଉପରେ ବସାଇ କହିଲି ଆଜି ମୋ କାହ୍ନାକୁ ମୁଁ ଖୁଆଇବି ଓ କାହ୍ନା ମୋତେ ଖୁଆଇବ । ଅନିଚ୍ଛା ସତ୍ତ୍ୱେ ସେ ଟେବୁଲ ଉପରେ ବସିଲା । ମୁଁ ଟିକେ ଟିକେ ଦୋସା ଚଟଣି ଲଗାଇ ତା ପାଟିକୁ ଦେଲି । ଦେଖିବ ଦେଖିବ, କାହ୍ନା ଏବେ ମୋତେ ଖୁଆଇ ଦେବ । ଏହା କହି ମୁଁ ତା ପାଖେ ପାଟି ମେଲା କରି ଦେଖାଇଲି । ସେ ଅନ୍ୟମନସ୍କ ଭାବେ ମୋତେ ଯାହା ପଚାରିଲା ସେଥିରେ ମୋ ମେଲା ପାଟି ଆଉ ବନ୍ଦ ହେଲାନାହିଁ । 


ସେ କହିଲା, ମାମା ! ହୁ ଇଜ୍ ପାୱାରଫୁଲ୍ ? ପ୍ୟାରେଣ୍ଟସ୍, ଗଡ୍ ୟା କରୋନା ?


ମୁଁ ବି ଉତ୍ତର ଖୋଜୁଥିଲି ରିଅଲି ହୁ ଇଜ ?? ସତରେ କଣ କାହ୍ନା ପ୍ରଶ୍ନ ଉତ୍ତର ମୋ ପାଖେ ଅଛି !!


ମୁଁ କହିଲି କଣ ହୋଇଛି ଧନ,କାହିଁକି ଏମିତି ପଚାରୁଛୁ?ଗଡ୍ ତ ନିଶ୍ଚୟ ପାୱାରଫୁଲ୍ । 


ତାହେଲେ କୁହ ଗଡ୍ କାହିଁକି କରୋନାକୁ ମାରି ପାରୁ ନାହାନ୍ତି?


କାହିଁକି ଆମେ ଚାରି ମାସ ହେବ ଘରେ ବନ୍ଦୀ ହୋଇ ରହିଛୁ ? କାହିଁକି ମୋ ସାଙ୍ଗମାନେ ଖେଳ ପଡ଼ିଆକୁ ଖେଳିବାକୁ ଜଣେ ବି ଆସୁନାହାନ୍ତି ?


କାହିଁକି ଆମ ସ୍କୁଲ ଖୋଲୁନି । କୁହ ମାମା କୁହ..


ଜାଣିଛ ମାମା ! ଟିଚରସ୍ କୁହନ୍ତି ପ୍ୟାରେଣ୍ଟସ୍ ଗ୍ରେଟ୍, ଗଡ୍ ଗ୍ରେଟ୍ । ତୁମେ କହୁଛ ଗଡ୍ ଗ୍ରେଟ୍ । ବଟ୍ ଏବେ କରୋନା ସମସ୍ତଙ୍କ ଅପେକ୍ଷା ଅଧିକ ପାୱାରଫୁଲ୍,ଅଧିକ ଗ୍ରେଟ୍ ହୋଇ ଯାଇଛି କାହିଁକି?ପ୍ୟାରେଣ୍ଟସ୍ କି ଗଡଙ୍କୁ କିଛି ମାଗିଲେ ମିଳିଯାଏ, କିନ୍ତୁ ଏବେ କାହିଁକି ସେ କାହା କଥା ଶୁଣୁନାହାଁନ୍ତି ? କରୋନା କଣ ଗଡଙ୍କ ଠାରୁ ବି ଏତେ ପାୱାରଫୁଲ! ସେ କେତେ ପାୱାରଫୁଲ୍ ଯେ ସମସ୍ତଙ୍କୁ ମାରି ଦେଉଛି ! ସମସ୍ତେ ତାକୁ ଡରି ଘରେ, ଆମ ପ୍ରିନସପାଲ୍ ବି ଡରୁଛନ୍ତି ତାକୁ । ଆମେ ସମସ୍ତେ ସ୍କୁଲରେ ପ୍ରିନସପାଲଙ୍କୁ ଡରୁ । କିନ୍ତୁ ସେ କରୋନାକୁ ଡରି ସ୍କୁଲ ଖୋଲୁ ନାହାନ୍ତି!!


ମାମା ! ମୋତେ କିଛି କରିବାକୁ ଭଲ ଲାଗୁନାହିଁ । ମୁଁ ମିସ୍ କରୁଛି ମୋ ସାଙ୍ଗ ସୋନା, ଜର୍ଜ, ବବି, ପିପି, ଆଡ଼ି, ମୋନା, ସିଧୁ, ଅଭିଙ୍କୁ । ଖୋଜୁଛି ମୋ ସ୍କୁଲ ବସ୍ । ଆମେ ସ୍କୁଲ ବସ୍ ଭିତରେ କି ମଜା କରୁ! ମୁଁ ମିସ୍ କରୁଛି ସଙ୍ଗ୍ କ୍ଲାସ୍, ଡ୍ରଇଂ କ୍ଲାସ୍, ଜିକେ କ୍ଲାସ୍, ଗେମ୍ କ୍ଲାସ୍ । ସବୁ ମିସ୍ ସବୁ ଓ ଟିଚରଙ୍କୁ ମୁଁ ଖୁବ୍ ମିସ୍ କରୁଛି ମାମା । 


ମୋତେ ଅନ୍ ଲାଇନରେ ପଢିବାକୁ ଭଲ ଲାଗୁନାହିଁ । ମୋତେ କୁହ ମାମା କରୋନା କେଉଁଠି,ମୁଁ ତାକୁ ଖୁବ୍ ମାରିବି । ସେ ନଟି ବଏ । ହଁ ସେ ନଟି ବଏ । 


ମାମା ମୁଁ ବାହାରକୁ ଯିବାକୁ ଚାହେଁ । ଖେଳିବାକୁ ଚାହେଁ ମୋ ସାଙ୍ଗଙ୍କ ସହିତ । ସାଇକେଲ୍ ପ୍ରାକଟିସ୍ କରିବାକୁ ଚାହେଁ କଲୋନୀ ରାସ୍ତାରେ । ପ୍ଲିଜ଼ ମାମା ଗଡ୍ ତୁମ କଥା ଶୁଣନ୍ତି ପରା !! କୁହ ସେ କରୋନାକୁ ମାରି ଦିଅନ୍ତୁ । ଆମେ ଖେଳିବୁ, ସ୍କୁଲ ଯିବୁ, ସାଇକେଲ୍ ଚଳାଇବୁ । 


ହୁଁ ହୁଁ ମାମା କେବେ ମୁଁ ବାହାରକୁ ଯିବି! ହୁଁ ହୁଁ । 


ମୁଁ ବୁଝିପାରୁଥିଲି କାହ୍ନା "ମନ ଦର୍ପଣ"ରେ କଣ ପ୍ରତିଫଳିତ ହେଉଛି । କେଉଁ କୋମଳ ଜିଜ୍ଞାସା ତାକୁ ଛଟପଟ କରୁଛି । ପିଲା,ଅବୋଧ । ସେ କଣ ବୁଝିବ; ସମୟର ଖେଳ କଥା! ଈଶ୍ୱରଙ୍କ ଇଚ୍ଛା ବୋଧେ ବିଶ୍ୱ ଥରୁ । ବିଲୟ ହେଉ, କ୍ଷୟ ହୁଅନ୍ତୁ ମଣିଷ ସମାଜ । ମଣିଷ ଗର୍ଵ କଲା । ଅହଂକାରରେ ଅନ୍ଧ ହେଲା । ନିଜ ଧ୍ୱଂସକୁ ନିଜେ ଡାକି ଆଣିଲା । ଯୁଗେ ଯୁଗେ ଭଗବାନ ଗର୍ଵ, ଅହଂକାରକୁ ଚୂନା କରନ୍ତି । ହୁଏତ ଏଥର କରୋନା ବାହାନା ମାତ୍ର । ଏହା ତାଙ୍କରି ଇଚ୍ଛାରେ ହିଁ ହେଉଛି । ସେ ତ କରି କରାଉ ଥାଆନ୍ତି । କିଏ ବୁଝିବ ଈଶ୍ୱରଙ୍କ ଲୀଳା ! ହୁଏତ ଆମେ ବଡ଼ ମଣିଷମାନେ ଏତିକି ଭାବି ସବୁ ଈଶ୍ୱରୀୟ ଲୀଳାଖେଳା କହି ଉପରକୁ ହାତ ଟେକି ଦେଇଛୁ । କିନ୍ତୁ କାହ୍ନା ଯେ ଛୁଆଟା । 


ପିଲାମାନେ କଣ ବୁଝିବେ ସମୟ, ଖେଳ ! ସେମାନେ ଲାଳନପାଳନ ହେବେ, ଖାଇବେ, ପିଇବେ, ଖେଳିବେ, ବୁଲିବେ, ପଢିବେ ଓ ବଡ଼ ହେବେ । 


କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଡୁଛି । ପ୍ରତି ମଣିଷ ଏବେ ଦ୍ଵନ୍ଦ୍ୱରେ, କୌଣସି ନିଷ୍କର୍ଷରେ ପହଞ୍ଚିନପାରି । କାହ୍ନା ପରି ପିଲାମାନଙ୍କ ମନ ଖୁବ୍ ଉଦାସ, କିଛି ବୁଝି ନପାରି । ବିଷାଦ ଗ୍ସ୍ତ ବିଶ୍ୱ ଜୀବନ ଓ ଜନତା । 


ଆଜିକାଲି ଝରକା ଗ୍ରୀଲ ଧରି ପ୍ରାୟ ସମୟ କାହ୍ନା ଚାହୁଁଛି ବାହାର ଦୁନିଆକୁ ଚୁପ୍ ଚାପ୍ ନିଜ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନ ପାଇ । ଭାରାକ୍ରାନ୍ତ କଅଁଳ ପ୍ରାଣ । କରୋନା ପିଲାଠୁ ବୁଢା ସଭିଙ୍କ ମୁହଁରୁ ହସ ଓ ଜୀବନରୁ ଖୁସି ଛଡେଇ ନେଇଛି । 


ମୁଁ କାମ ଅପେକ୍ଷା ବେଶୀ ଧ୍ୟାନ ଦେଉଛି ତା ସହ ପିଲା ହୋଇ ବିଭିନ୍ନ ଖେଳ ଖେଳୁଛି । ଗୀତ, ଚିତ୍ର ତା ସହ ମୁଁ ବି କରୁଛି । ପ୍ରତିଦିନ କିଛି ନୂଆ ଚିନ୍ତା କରୁଛି ଯେମିତି କାହ୍ନା ଖାଲି ହୋଇ ନ ବସୁ । ଏପରି କିଛି କାମରେ ତାକୁ ନିଯୁକ୍ତ କରିବାକୁ ନୂଆ ନୂଆ ଆମୋଦଦାୟକ କାର୍ଯ୍ୟ ଭାବିବାକୁ ପଡୁଛି । ବିଷାଦଗ୍ରସ୍ତ ବିକ୍ଷିପ୍ତ, ଅନ୍ୟମନସ୍କ ମନକୁ ତାର ବାନ୍ଧି ରଖିବାକୁ ପଡୁଛି । ଆଗ୍ରହ ଯେମିତି ତା ଭିତରୁ ମରି ମରି ଯାଉଛି । କାହ୍ନା ପରି ସବୁ ପିଲାମାନଙ୍କର ଶୈଶବ ବି କରୋନା ସଂକ୍ରମିତ । 


ଆଜିକାଲି ଝରକା ଗ୍ରୀଲ ଧରି ପ୍ରାୟ ସମୟ କାହ୍ନା ଚାହୁଁଛି ବାହାର ଦୁନିଆଁକୁ ଚୁପ୍ ଚାପ୍ ନିଜ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ନ ପାଇ । ଭାରାକ୍ରାନ୍ତ କଅଁଳ ପ୍ରାଣ । କରୋନା ପିଲାଠୁ ବୁଢା ସଭିଙ୍କ ମୁହଁରୁ ହସ ଓ ଜୀବନରୁ ଖୁସି ଛଡେଇ ନେଇଛି । 




Rate this content
Log in

Similar oriya story from Tragedy