ମମତାର ଡୋରି
ମମତାର ଡୋରି


ଶାଶୁଘରେ ପାଦ ଦେବାର ଦିନ କେଇଟା ଭିତରେ ସୁନନ୍ଦା ସବୁକିଛି ବେଶ୍ ଭଲ ଭାବରେ ବୁଝି ସାରିଥିଲା । ଶାଶୁଘରେ କେହିବି ତାକୁ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ ଯେମିତି । ତା' ପ୍ରତି ଭଲପାଇବା ବଦଳରେ ସଭିଙ୍କ ମନରେ ଘୃଣାଭାବ ଥିଲା ଢେର ଅଧିକ । ବାସ୍ ଗୋଟିଏ ମଧ୍ୟବିତ ପରିବାରରୁ ଆଭିଜାତ୍ୟ ବଂଶ ପରମ୍ପରାର ଡେଙ୍ଗୁରା ପିଟୁଥିବା ଗୋଟେ ବଡଘରକୁ ବୋହୂ ହୋଇ ଆସିଥିଲା ସିଏ । କେବଳ ନିଜର ମନଟାକୁ ବୁଝେଇଦେଇ ଚୁପ୍ ରହିବା ଛଡା ଅନ୍ୟ କିଛି ବି ଉପାୟ ନଥିଲା ସୁନନ୍ଦାର ନିକଟରେ ।
ଆଶୁତୋଷକୁ ଭଲପାଇ ବିବାହ କରିଥିଲା ଏଇ ସୁନନ୍ଦା । କୁଆଡେ ଆଶୁତୋଷର ପରିବାର ଚାହୁଁ ନଥିଲେ ନିଜଠାରୁ ନିମ୍ନ ସମାସ୍କନ୍ଦ ପରିବାରରୁ ଝିଅଟିକୁ ବୋହୂକରି ଆଣିବାକୁ । କେବଳ ଆଶୁତୋଷର ଜିଦ୍ ଆଗରେ ସେମାନେ ବାଧ୍ୟ ହୋଇଥିଲେ ହଁ ମାରିବାକୁ ଶେଷକୁ । ହେଲେ, ଦିନଟିଏ ବି ମନ ହୃଦୟରେ ସୁନନ୍ଦାକୁ ବୋହୂ ଭାବରେ ଗ୍ରହଣ କରିପାରୁ ନଥିଲେ ସେମାନେ ।
ନିଜ କର୍ତ୍ତବ୍ୟରେ କେବେ ବି ଅବହେଳା କରୁ ନଥିଲା ସୁନନ୍ଦା । ସଭିଙ୍କ ମନ ଜିଣିବାକୁ ସତ ଚେଷ୍ଟା କରି ନିଜର କର୍ତ୍ତବ୍ୟରେ ସତ ପ୍ରତିଶତ ସଫଳ ହୋଇ ବି ହାରିଯାଉଥିଲା ସୁନନ୍ଦା । ଶାଶୁଘରେ ସୁନନ୍ଦାକୁ ଯଦି କିଏ ଅଧିକ ଘୃଣା କରୁଥିଲେ ତେବେ ସେ ଥିଲେ ସୁନନ୍ଦାର ଶାଶୁ ରମ୍ଭାଦେବୀ । ଆଭିଜାତ୍ୟ, ବଂଶ ବୁନିଆଦ ତଥା ନିଜର ବଡଲୋକୀ ପଣକୁ ମୁଣ୍ଡରେ ମୁଣ୍ଡାଇ ଦୁନିଅରେ ନିଜକୁ ଦେଖେଇ ବୁଲୁଥିବା ତାର ଶାଶୁ ରମ୍ଭାଦେବୀଙ୍କ ସବୁ ମାନସିକ ଅତ୍ୟାଚରକୁ ମୁଣ୍ଡପାତି ସହିଯାଉଥିଲା ସୁନନ୍ଦା । ସବୁପରେ ବି ଟିକିଏ ଅଭିଯୋଗ ଆଣୁ ନଥିଲା ଆଶୁତୋଷ ଆଗରେ ସୁନନ୍ଦା । ସମୟ ହାତରେ ସବୁକିଛି ଛାଡିଦେଇ ଚେନାଏ ଖୁସୀର ଅପେକ୍ଷାରେ ରହିଥିଲା ଯାହା ସେ ।
ସେଦିନ ଠାକୁରଘରୁ ପ୍ରାତଃପୂଜା ସାରି ବାହାରି ଆସିବା ସମୟରେ ବୟସାଧିକ ଅସାବଧାନତା ବଶତଃ ହେଉ କିମ୍ବା ଅନ୍ୟମନସ୍କତା ପାଇଁ ହେଉ, ଅଚାନକ୍ ପାଦଖସି କଚାଡି ହୋଇ ପଡି ଚେତା ହରାଇଲେ ରମ୍ଭାଦେବୀ । ଭାଗ୍ୟ ବଳେ ହେଉ କିମ୍ବା ଭଗବାନ୍ ଙ୍କ ଶୁଭ ଦୃଷ୍ଟି, ବିଶେଷ ଆଘାତରୁ ସେଦିନ ରକ୍ଷା ପାଇଯାଇଥିଲେ ସେ । ବାସ୍, ଚେତା ଆସିବା ପରେ ନିଜକୁ ନିଜ ଶୟନ କକ୍ଷରେ ଆବିସ୍କାର କଲେ ସେ । ଠିକ୍ ସେହି ସମୟରେ ରମ୍ଭାଦେବୀଙ୍କ ସମ୍ପୂର୍ଣ୍ଣ ଚେନ
ତା ଜାଗ୍ରତ ବିଷୟ ଉପସ୍ତିତ ଅନ୍ୟମାନେ ଅବଗତି ହେବା ଆଗରୁ କିନ୍ତୁ ମନମୁତାବକ ଯଉତୁକ ସହିତ ବଡଘରୁ ବୋହୂ ହୋଇ ଆସିଥିବା ବଡବୋହୂର କଥା ଦିପଦ ବେସ୍ ଭାବରେ ରମ୍ଭାଦେବୀଙ୍କ କର୍ଣ୍ଣ ମଧ୍ୟକୁ ଭେଦ କରିସାରିଥିଲା ।
ନିଜ ସ୍ବାମୀ ଉଦ୍ଦେଶ୍ୟରେ କହୁଥିଲା ପୂଜା, "ଦେଖ ଏମିତି ଯଦି ଆଉ କେବେ ତୁମ ମାଆ ପଡି ହାତଗୋଡ ଭାଙ୍ଗି ଅକାମୀ ହୋଇ ଖଟରେ ପଡିବେ, ମୋତେ ତାଙ୍କ ଶେବା ଶୁଶ୍ରୁଷା କରିବାକୁ କହିବନି ତୁମେ!" ।
ପୂଜାର କଥା ଦିପଦ ରମ୍ଭାଦେବୀଙ୍କୁ ଦୂର୍ଘଟଣା ଜନିତ କଷ୍ଟଠାରୁ ଅଧିକ କ୍ଷତି ପହଁଚାଇଥିଲେ ବି ନିଜ ଆଖିଖୋଲି ନିଜ ଚେତନା ବିଷୟ ଅନ୍ୟମାନଙ୍କୁ ଜାଗ୍ରତ କରାଇଲେ ସେ । କିନ୍ତୁ ଆଖି ଖୋଲିବା ପରେ ଯାହା ଅନୁଭବ କଲେ ନିଜକୁ ବିଶ୍ବାସ କରିପାରିଲେନି ସେ । ସେ କାହା କୋଳରେ ମଥାରଖି ଶୋଇଛନ୍ତି!! କିଏ ତାଙ୍କ ମୁଣ୍ଡକୁ ଆଉଁସି ଦେଉଛି!! ସେ ଦିବ୍ୟ ଅନୁଭବ ରମ୍ଭାଦେବୀଙ୍କୁ ତାଙ୍କ ପିଲାଦିନକୁ ଫେରାଇ ନେଉଥିଲା ଯେମିତି । ସତେ ଯେମିତି ନିଜର ମା' କୋଳରେ ମଥା ରଖି ଶୋଇଛନ୍ତି ସେ । ମାଆ ଯେମିତି ଅସରନ୍ତି ସେନେହ, ଶରଧା ଅଜାଡି ଦେଉଛି ତାଙ୍କ ଉପରେ । ବାସ୍, ଅନାବିଳ ଭଲପାଇବା ସେ କୋମଳ ହାତର ସ୍ପର୍ଶ ରମ୍ଭାଦେବୀଙ୍କ ଦେହ ମନର ସବୁ ଅଘାତକୁ ଦୂରେଇ ଦେଇସାରିଥିଲା ସେତେବେଳକୁ ।
ଏଥର ସୁନନ୍ଦାର କୋଳରୁ ମଥା ଉଠାଇ ନିଜକୁ ସମ୍ପୂର୍ଣ୍ଣ ଆୟତରେ ଆଣିଲେ ରମ୍ଭାଦେବୀ । କ୍ଷଣଟିଏ ବି ବିଳମ୍ବ ନକରି ଛାତିକୁ ଭିଡିନେଲେ ସୁନନ୍ଦକୁ । ଅଜସ୍ର ଭଲପାଇବା ଆଙ୍କିଦେଇଗଲେ ସୁନନ୍ଦାର କପାଳରେ ।
ସୁନନ୍ଦାକୁ ଛାତିରେ ସେମିତି ଭିଡିଧରି କଇଁ କଇଁ ହୋଇ କାନ୍ଦି ଚାଲିଥିଲେ ରମ୍ଭାଦେବୀ । ସୁନନ୍ଦାର ସେହି ସ୍ନେହ ଭଲପାଇବା ରମ୍ଭାଦେବୀଙ୍କ ମନରେ ସୁନନ୍ଦା ପ୍ରତି ସବୁ ଘୃଣାକୁ ଲିଭେଇ ସାରିବା ସହିତ ସବୁ ଅଂହକାରକୁ ମଧ୍ୟ ମନରୁ ଦୂରେଇ ଦେଇଥିଲା ସେତେବେଳକୁ । ରମ୍ଭାଦେବୀଙ୍କ ଏ ପରିବର୍ତ୍ତନ ଅଦର ସୁନନ୍ଦାକୁ ବହୁଦିନରୁ ହରାଇଥିବା ମାଆର ସ୍ମୃତିକୁ ମନେପାକାଇ ଦେଉଥିଲା । ଆଖିରୁ ବହିଚାଲିଥିଲା ତା'ର ଆନନ୍ଦର ଅଶ୍ରୁ । ସତେ ଯେମିତି ନିଜର ସେଇ ମାଅାକୁ ପୁଣିଥରେ ଫେରିପାଇଥିଲା ସେ । ଏହା ଭିତରେ କିନ୍ତୁ ଭଗବାନଙ୍କ ଉଦ୍ଦେଶ୍ୟରେ ହାତ ଯୋଡିସାରିଥିଲେ ଆଶୁତୋଷ ।