ମଲା ନଈ
ମଲା ନଈ
ବଢ଼ିଲା ଝିଅର ବୟସ ନଇଁ ପଡୁଥିଲା ଦିନୁ ଦିନ। ବସୁଧାର ଚିନ୍ତା ବଢ଼ୁଥିଲା ଜହ୍ନ ପରି। ଗୋଟିଏ ବୋଲି ପିଲା ତାର। ନା ଆଗକୁ ନା ପଛକୁ କେହି ଅଛି। ଏ ପୃଥୀବିରୁ ଚାଲିଯିବା ପୂର୍ବରୁ ଘୋ ଘୋ ମନ ଚାହୁଁଛି ଟିକେ। ଖୁ ନିଃସଙ୍ଗ ଜୀବନ ଜୀଇଁଗଲାଣି ସେ। ଏଣିକି ଟିକେ ମନ ଏକା ରହିବାକୁ ପସନ୍ଦ କରୁନି। ସାଙ୍ଗ ଲୋଡୁଛି। ଗପ ସପ ହେବାକୁ ଇଚ୍ଛା ହେଉଛି। ବହୁତ ଜଳିଲାଣି ଏଣିକି ଆଉ ନୁହେଁ ବସୁଧାର ଝିଅ "ରିୟାବସୁ"। କେତେ ପଢ଼ିଛି। ମା ଲୋ ଆଖି ପାଏନି ବସୁଧାର। ସେ ଜମାରୁ ମେଟ୍ରିକ୍ ପାସ୍। ହେଲେ ତା ଝିଅ କଟକର ଗୋଟେ ବସ୍ତି ସ୍କୁଲରୁ ପଢା ଆରମ୍ଭ କରି ଶେଷ କରିଛି ନାସିକିରେ। ବୋପା ମା ଯେଉଁ ବଡ଼ କଲେଜ ଆଖି ପାଇବ ନାହିଁ। ଯେଉଁ ବର୍ଷ ରିୟା ଡାକ୍ତରୀ ପରୀକ୍ଷାରେ ସମସ୍ତ ଡାକ୍ତରୀ ପିଲାଙ୍କ ମଧ୍ୟରେ ଟପର୍ ହେଲା ତା ମାବାପା ଙ୍କୁ ଡକା ଗଲା ସମ୍ମାନୀତ କରିବାକୁ। ମୁଁ ତ ରିୟାର ବାପା ଆଉ ମା ବି। ଆମ ସାହି ଅଚ୍ୟୁତ ଧଳଙ୍କ ପୁଅ ମୋତେ ନାସିକ ନେଇ ଯାଇ ଥିଲା। ହେ ଭଗବାନ ଏଡ଼େ ବଡ଼ କଲେଜ ମୋ ଆଖି ଉଠିଲା ଦିନୁ ଦେଖି ନଥିଲି। ସେଠି ସେ କଲେଜର ପ୍ରିନ୍ସପାଲ ମୋତେ ସମ୍ମାନନୀତ କଲା ଅବସରରେ ଆମ ମା ଝିଅଙ୍କୁ କେତେ ପ୍ରଶଂସା କଲେ। ରିୟା ଭବିଷ୍ୟତରେ ଜଣେ ଦକ୍ଷ ଡାକ୍ତର ହେବ ସେ କହିଲେ।
ଆହୁରି ପ୍ରିନ୍ସପାଲ ଦର୍ଶକଙ୍କୁ ଆମ ମା ଝିଅଙ୍କୁ ଦେଖାଇ କହିଲେ- "ଦେଖ୍ ଏ ବସୁଧା ଧଳ ମାମ୍। ମାତ୍ର ସତେଇଶି ବର୍ଷ ବୟସରେ ନିଜ ସ୍ୱାମୀଙ୍କୁ ହରେଇ ଥିଲେ। ନା ଥିଲା କେହି ସାହା ନା ଥିଲେ କେହି ଦେବାକୁ ରାହା। କିନ୍ତୁ ଏ ବସୁଧା ମାମ୍ ଭାଙ୍ଗି ପଡି ନଥିଲେ। ଝିଅଟିକୁ ମଣିଷ କରିବା ଲକ୍ଷ୍ୟରେ ସେ ଦୃଢ଼ ସଂକଳ୍ପ ହୋଇ ମୂଲ ଲାଗି ପଢ଼ାଇ ଛନ୍ତି ଝିଅ ରିୟାବସୁ ଙ୍କୁ ଆଜି ତାଙ୍କ ସାଧନାର ଫଳ ମିଳିଛି ଝିଅ ତାଙ୍କର ମେଡିକାଲ ପରୀକ୍ଷାରେ ଟପର୍। ଅବିଶ୍ୱନୀୟ ହେଲେବି ଏହା ସମ୍ପୂର୍ଣ୍ଣ ସତ୍ୟ।
କରତାଳିରେ ଫାଟି ପଡିଲା ସମ୍ବର୍ଦ୍ଧନା ଗୃହଟି। ସମସ୍ତେ ଆବା କାବା ହୋଇ ଅନାଉଁଥିଲେ ମୋତେ। ମୋ ଚେହେରା ଦେଖିଲେ କେହି କହିବ ନାହିଁ ପଚାଶ ଛୁଇଁବ। ନହକା ବେତକୁ ଗୋରା ଚହ ଚହ ଦେହ। ବିଧବା ହେତୁ କେହି କେହି ଆଜୀବନ ଅବିବାହିତ ଥିବା ଝିଅ ବୋଲି ଭାବନ୍ତି। ସାଧା ସିଧା ଭେକ। ଦୈଵ ଦୁଃର୍ଘଟଣା ମୋତେ ଦୋହଲାଇ ଦେଇଥିଲା ଏପରି ଯେ ଆଜିଯାଏ ସଳଖି ଠିଆ ହେବାର ଶକ୍ତି ଜୁଟାଇ ପାରିନାହିଁ। କେବଳ ଗୋଟିଏ ନିଶାରେ ଚାଲୁଛି ଯାହା।
ମନେ ପଡେ ଯେଉଁଦିନ ଲିଭର୍ କର୍କଟ ରୋଗରେ ଆକ୍ରାନ୍ତ ହୋଇ ରିୟା ବାବା "ରିୟାସତ" ଧଳ ମାତ୍ର ତିରିଶି ବର୍ଷରେ ସବୁଦିନ ପାଇଁ ଆମ ମା ଝିଅ ଦୁହିଁଙ୍କୁ ଏକାକରି ଆଖି ବୁଝିଲେ;ସେ ଦିନ ମୋ ଚାରିପଡ଼େ ଖାଲି ପରସ୍ତ ପରସ୍ତ ବହଳ ଅନ୍ଧାର ଦେଖା ଗଲା। ରିୟାସତ ଧଳ ଓରଫ ଋଷି ମୋତେ ଭଲ ପାଇଁ ବିବାହ କରିଥିଲେ। ମୁଁ ଦଳିତ ବର୍ଗର ଝିଅ ଆଉ ଋଷି ବ୍ରାହ୍ମଣ। ଶାଶୁ ଘର ଲୋକେ କେହି ମୋତେ ଘରେ ପୁରେଇବା ଦୂର କଥା ମୋ ଛାଇ ମାଡିବେନି ବୋଲି ରୋକ୍ ଠୋକ୍ ଶୁଣାଇଁ ଦେଇଥିଲେ। ଅଗତ୍ୟା ଋଷି ମୋତେ ଆଣି କଟକରେ ଗୋଟେ ଭଡା ଘରେ ରହୁଥିଲେ। ପୂଜା ପୁଜି କରି ଭଲ ରୋଜଗାର ହେଉଥିଲା। ଯଜ୍ଞ ପୂଜା ପୁଜି କରିବାରେ ୠଷି ପ୍ରବୀଣ ଥିଲେ। ଲୋକେ ବହୁତ ଆଦର କରନ୍ତି। ଘଡ଼ିଏ ନିଃଶ୍ୱାସ ମାରିବାକୁ ତର ନ ଥାଏ ତାଙ୍କର। ମୁଁ ମନ ଉଣା କରେ। ମୋ ଯୋଗୁଁ ସେ ତାଙ୍କ ଘର ସ୍ନେହ ଓ ସୁଖରୁ ବଂଚିତ ବୋଲି।
ସେ ବୁଝାନ୍ତି କୁହନ୍ତି ତୋର ଦୋଷ କଣ? ମୁଁ ତୋତେ ଭଲ ପାଇ ବାହା ହୋଇଛି। ବରଂ କହ ମୋ ଯୋଗୁଁ ତୁ ଶାଶୁଘର ସୁଖରୁ ବଂଚିତ ହେଲୁ। ଦୁହେଁ ଦୁହିଁଙ୍କ ଦୁଃଖ ବୁଝୁ। ସେ ମୋତେ ଛାତିକୁ ଆଉଜାଇ ନେଇ କୁହନ୍ତି ମଣିଷର ଗୋଟେ ଜାତି କଣ? ମଣିଷ ତ ମଣିଷ ଚାଲ ଦେଖିବା ତ କେଉଁ ଜାତି ବୋଲାଉଥିବା ଝିଅ ତୋ ରୂପ,ଗୁଣ ପାସାଙ୍ଗରେ ପଡିବ? ବୁଝିଲୁ ବସୁ ତୁ ଚିନ୍ତା କରନା। ଦେଖ୍ ମେହେନେତ କରି ବର୍ଷ ଦିଟା ଭିତରେ ତୋତେ ଘର,ଗାଡି,ପିଲା ସୁଖ ଦେବି। ବୁଝିଲୁ ବସୁ ଏ ତିନିଟା ଭିତରୁ ଆଗ ପିଲା ସୁଖ ଦେବି ତୋତେ। ରସିକିଆ କରି ସେ ମୋତେ ଆହୁରି ଜୋରେ ଭିଡି ଧରି ଏମିତି କୁହନ୍ତି। ଭାରି ଭଲ ମଣିଷ ୠଷି ଥିଲେ।
ମୁଁ କୁହେ ନାଇଁ ଆଗ ଘର ଦ୍ୱାର । ତାପରେ ପିଲା। ଆମ ପିଲା ଭଡା ଘରେ ଜନ୍ମ ହେଲେ ତୁମକୁ ଭଲ ଲାଗିବ କି? ବଖୁରେ ହେଉ ପଛେ ଘରଟିଏ କରିବା। ତାପରେ ସଂସାର ବଢ଼େଇବା।
ହୁଁ... ଭାରି ଚାଲାକି ଅଛୁ ତୁ ଲୋ ବସୁ। ଅଭାବ ଭିତରେ ପିଲା ଦୁନିଆଁକୁ ଆଣିଲେ ସତରେ ଖରାପ। ତାକୁ ଭଲ ଖାଇବା,ପିନ୍ଧିବା ଯୋଗାଇ ପାରିବା ନାହିଁ। ପୁଣି ଭଲ ପାଠ ବି ପଢେଇ ପାରିବା ନାହିଁ। ଆମ ପିଲା ଢେର ପଢିବି ଜାଣିଲୁ। ମୋ ପରି ପୁରୋହିତ କାମ କରିବ ନାହିଁ। ଅବଶ୍ୟ ସହରରେ ପୂଜା ଉଜା କାମରେ ଖୁବ୍ ଲାଭ। କେଉଁ ଚାକିରିରେ ଦିନକୁ ଏତେ ରୋଜଗାର ହେବ ନାହିଁ ଲୋ ବସୁ। ସମସ୍ତେ ବାବୁ ହେଲେ। କୁଳ ବେଉସା ଭୁଲିଲେ। ବ୍ରାହ୍ମଣ ପିଲାକୁ ଶ୍ଳୋକ ବୋଲି ଆସୁନାହିଁ। ଏଣୁ ଯିଏ ପୂଜା ପୁଜି ଭଲ କଲା ତାର ମୋଟା ଅଙ୍କର ରୋଜଗାର। ଦାତାଏ ନନା ନନା କହି ପରା ଦଶ ଜାଗାରେ ଶହେ ଦେଉଛନ୍ତି।
ସତକୁ ସତ ବର୍ଷ ପାଞ୍ଚଟାରେ ଋଷି ଛୋଟ କୋଠାଟିଏ କଟକ ସିଡ଼ିଏରେ ଠିଆ କରାଇ ଦେଲେ। ସେତେବେଳେ
କୁ ରିୟାବସୁକୁ ଦୁଇ ବର୍ଷ ହେଲାଣି। ଯେତେ ମନା କଲି ଏବେ ପିଲା ପିଲି କରିବା ନାଇଁ ସେ କଣ ମାନିଲେ। ପୁରୁଷ ଗୁଡା ଭାରି ରଙ୍କୁଣା। ବିବାହିତ ସ୍ତ୍ରୀ ପାଖେ ଥାଇ ସମ୍ପର୍କ ରଖିବେ ନାହିଁ ଏଇଟା ସମ୍ପୂର୍ଣ୍ଣ ଅସମ୍ଭବ। ପୁଣି ଭଲ ପାଇ ବିବାହରେ ପ୍ରେମ ତ ଉଛୁଳୁଥାଏ କୂଳ ଲଙ୍ଘି।
ପ୍ରେମ ଫଳ ମିଠା। ରିୟା ସେଇ ପ୍ରେମର ପ୍ରତୀକ।
ଋଷି ପରି ସ୍ୱାମୀ ପାଇବା ଭାଗ୍ୟର କଥା। ନାରୀ ମନ କଥା ବୁଝିବାରେ,ପଢିବାରେ ଓସ୍ତାତ୍। କାଳେ କେବେ କେଉଁ କଥା ଖୋଜିବି,ଘର ଲୋକେ ମନେ ପଡିବ
,ସେଥିପାଇଁ ବନେ ବନେ ବୁଲାଉଥିବେ। ପ୍ରେମ ବିବାହ କରି ମଣିଷ ମାରିବା ଅପରାଧୀ ପରି ନା ମୋ ଘର ଲୋକେ ନା ତାଙ୍କ ଘର ଲୋକେ ଆମ ସହ ସମ୍ପର୍କ ରଖିଲେ। ସଂସାର କହିଲେ ଋଷିର ମୁଁ ମୋର ଋଷି। ସତ କହିବାକୁ ଗଲେ ମନେ ମନେ ସାଙ୍ଗଟିଏ ମୁଁ ବି ଖୋଜୁଥିଲି। ଋଷି ଭୋର ଛଅରୁ ଯାଆନ୍ତି ଯେ କେବେ କ
େବେ ରାତି ବାରରେ ଫେରନ୍ତି। ପ୍ରତିଦିନ ଯେତେ ରୋଜଗାର ସବୁ ଆଣି ମୋ ହାତରେ ଥୋଇ ଦିଅନ୍ତି। କୁହନ୍ତି ଦେଖ୍ କେତେ ଦିନକୁ ମୋର ରୋଜଗାର। ଗୋଟେ ଆ ଇ ଏସ୍ ଏତିକି ଦିନକୁ ରୋଜଗାର କରୁଥିବ। ଏ ରୋଜଗାର ସବୁ ମୋ ବୋଉ ହାତେ ଦେଇଥାନ୍ତି। ମାତ୍ର ବୋଉ ତ ମୋତେ ଗଳା ଧକ୍କା ଦେଇ ବାହାର କରିଦେଲା ଆଉ କହିଲା"ଋଷି ତୁ ଆଜିଠୁ ମରିଗଲୁ ଆମ ପାଇଁ""। ଏଣୁ ତୁ ତ ମୋ ବୋଉର ସ୍ଥାନ ପୂରଣ କରୁଛୁ। ଏ ରୋଜଗାର ସବୁ ତୋର। ମୁଁ କାନ୍ଦି ପକାଏ। ପିଲା ଯେତେ ବଡ଼ ହେଲେ ବି ଯେତେ ରୋଜଗାର କଲେ ବି ବୋଉର ସେହ୍ନ ଖୋଜେ;ଖୋଜେ ନିଜ ଘର ଓ ଘର ଲୋକଙ୍କ ଆତ୍ମୀୟତା। ନିଜକୁ ଅପରାଧୀ ଲାଗେ। ମୋ ପାଇଁ ଋଷିର ଏ ଅବସ୍ଥା।
ଋଷି କାମରେ ଚାଲିଗଲା ପରେ ସତରେ ଭାରି ଏକୁଟିଆ ଲାଗେ। ସେଥିପାଇଁ ମୋର ବି କେହି ଦରକାର ପଡିଲା। ଏଇ ଶୁନ୍ୟସ୍ଥାନଟି ପୂରଣ କରିଦେଲା ରିୟାବସୁ। ବାପା ନାମରୁ ରିୟା ଓ ମା ନାମରୁ ବସୁ ଆଣି ଋଷି ଝିଅର ନାଁ ଦେଲେ ରିୟାବସୁ। ଝିଅର ହାତ ରେଖା ଦେଖି ଋଷି କୁହନ୍ତି ବୁଝିଲ ବସୁ ଆମ ଝିଅଟି କୋଟିକରେ ଗୋଟିଏ ହେବ। ସମ୍ପୂର୍ଣ୍ଣ ଅଲଗା। ଏମିତି କଟିଯାଉଥିଲା ଦିନ। ସେ ପୂଜା ପୁଜି କରିବାକୁ ଯାଆନ୍ତି,ମୁଁ ଝିଅ କାମରେ ଲାଗେ। ଖୁସି ବାସିଆ ଛୋଟ ସଂସାର ଟି ଆମର ଖୁସି ଖୁସି କଟିଯାଉଥିଲା। ମାତ୍ର ସବୁବେଳେ ଯଜ୍ଞ,ପୂଜା,ହୋମ ପାଖେ ବସି ବସି,ଖିଆ ପିଆରେ ଠିକଣା ନ ରଖି ତାଙ୍କ ଦେହ ସବୁବେଳେ ଖରାପ ହେଲା। ଆଜି ଜ୍ୱର,କାଲି ଝାଡା;ଏମିତି କିଛି ନା କିଛି ଲାଗି ରହିଲା। କାହିଁକି ଏମିତି ଲାଗି ରହୁଛି ପରୀକ୍ଷା,ନିରୀକ୍ଷା ଡାକ୍ତରଖାନାରେ କଲା ବେଳକୁ ବାହାରିଲା ଲିଭର୍ କ୍ୟାନ୍ସର।
ମୋତେ ଋଷି ଏ କଥା ଲୁଚାଇଥିଲେ। କିନ୍ତୁ ମୁଁ ଲକ୍ଷ୍ୟ କଲି ଡକ୍ଟରଖାନାରୁ ଆସିଲା ପରଠାରୁ ବଦଳିଲା ପରି ସେ ଲାଗିଲେ। ଭାରି ଚିଡି ଚିଡି ହେଲେ। ପୂଜା ପୁଜି କରିବାକୁ ଗଲେ ନାହିଁ। ସବୁବେଳେ ଶୋଇ ରହିଲେ। ଛାତକୁ ଅନେଇଁ ଥିବେ ତ ଅନେଇଁ ଥିବେ। ଖିଆ ପିଆ ଛାଡିଦେଲେ। ଆଠ ଦିନ ପରେ ପୁଣି ଉଠିଲେ ପୂଜା କରିବାକୁ ଗଲେ। ମୁଁ ଭାବିଲି ଦେହ ବୋଧେ ଭଲ ହୋଇଗଲାଣି। ଖୁସି ଲାଗିଲା। ନିଜର ମଣିଷ ଶୁଖିଲା ମୁହଁ ଭାରି କଷ୍ଟ ଦିଏ ଆପଣା ଜନକୁ। ସେଥିରେ ଆମ କଥା ଅଲଗା। ମୋ ଛଡା ତାଙ୍କର କିଏ ବା ଅଛି?
ମାତ୍ର ମୁଁ କଣ ଜାଣିଥିଲି ମୋର ସନ୍ଦେହ ନ ହେବା ପାଇଁ ସେ ଏମିତି କରୁଥିଲେ? ରିୟାବସୁକୁ ଚାରି ପୁରି ପାଞ୍ଚ ପଶୁ ପଶୁ ଦିନେ ଯଜ୍ଞ କରୁ କରୁ ହଠାତ୍ ଅସୁସ୍ଥ ହୋଇ ପଡିଲେ ଋଷି। ତାଙ୍କୁ ଲୋକେ ବଡ଼ ମେଡିକାଲରେ ଭର୍ତ୍ତୀ କରି ମୋ ପାଖକୁ ଖବର ପଠାଇଲେ। ମୁଁ ଗଲା ବେଳକୁ ଋଷିଙ୍କ କଥା କହିବା ଶକ୍ତି ବନ୍ଦ ହୋଇ ଯାଇଥିଲା। କେବଳ ସେ ମୋତେ ଜଳ ଜଳ ଚାହୁଁଥିଲେ। ଝିଅର ହାତକୁ ମୁଁ ତାଙ୍କ ହାତରେ ଛୁଆଇଁଲି। ତାଙ୍କ ଆଖିରୁ ଗଲି ପଡିଲା ଦୁଇ ଧାର ଲୁହ।
ବାସ୍ ସବୁ ଶେଷ। ଡାକ୍ତର କହିଲେ ଲିଭର୍ କ୍ୟାନ୍ସର ଲାଷ୍ଟ ଷ୍ଟେଜ ଥିଲା। ଏମିତି ହେବାର ଥିଲା ବୋଲି ଆମେ ଜଣାଇଁ ଥିଲୁ।
ଓଃ ପାଗଳ ହୋଇଗଲି ମୁଁ। ଋଷିକୁ ଛାଡି ଜୀବନ ମୋତେ ପ୍ରକୃତିସ୍ଥ ହେବାକୁ ତିନି ମାସ ଲାଗିଗଲା। ଋଷି ଘରୁ କେହି ଆସିଲେନି। ମୁଁ କୁଆଡେ ଋଷି ମରିବା ପାଇଁ ଦାୟୀ ବୋଲି କହିଲେ। ମୋ ବାପା ବୋଉ ମୋର ଏପରି ଅବସ୍ଥାରେ ଆମ ମା ଝିଅକୁ ସମ୍ଭାଳି ଥିଲେ। ତିନି ମାସ ପରେ ହଠାତ୍ ମୁଁ ଖୋଜିଲି ମୋ ଝିଅକୁ। ଡାକ୍ତର କହିଲେ ଏଣିକି ମୁଁ ନର୍ମାଲ ହୋଇଯିବି। ଋଷିଙ୍କ ମୃତ୍ୟୁ ଆଘାତ ସହି ନପାରି ସେମି କୋମାକୁ ଚାଲି ଯାଇଥିଲି। ଏବେ ସବୁ ଠିକ୍ ହୋଇଯିବ।
ତାପରେ ମୁଁ ମୋ ଖାଲି ମଥା ଓ ଖାଲି ହାତ ସହ ସାଲିସ କରିନେଲି। କେବଳ ଗୋଟିଏ ଲକ୍ଷ୍ୟ ଓ ସଂକଳ୍ପ ରିୟା କେମିତି ମଣିଷ ହେବ। ସିଲାଇ ମେସିନ ଶିଖିଥିଲି। ଗୋଟିଏ ମେସିନ କିଣି କାମ ଆରମ୍ଭ କରି ଏବେ ମୁଁ ଜଣେ ଫ୍ୟାସନ ଡ୍ରେସ୍ ଡିଯାଇନର ଭାବେ ଜଣାଶୁଣା। ଋଷି ହାତ ତିଆରି ଘରେ ଗୋଟେ ଛୋଟ ଡ୍ରେସ୍ ପ୍ରସ୍ତୁତ କୁଟୀର ଶିଳ୍ପ ଆରମ୍ଭ କରିଥିଲି; ଆଜି ଯେ ଚାଳିଶ ଜଣ ଝିଅଙ୍କ ରୋଜ ରୋଟି ବନି ଯାଇଛି।
ଝିଅଟି ଋଷି କହିବା ଅନୁସାରେ ବିଚକ୍ଷଣ ଧୀଶକ୍ତିର ଅଧିକାରିଣୀ। ସବୁଥିରେ ବୃତ୍ତୀ। ରିୟା ନିଜ ପଇସାରେ ହିଁ ପାଠ ପଡିଛି। ମୁଁ କେବଳ ମାଧ୍ୟମ ଯାହା। ରିୟା ଏବେ ଜଣେ ଆର୍ମି ଡାକ୍ତର। ଋଷି ଥିଲେ କି ଖୁସି ନ ହେଉ ଥାନ୍ତେ ହେଲେ ଋଷି ଆଜକୁ ତେଇଶି ବର୍ଷ ହେଲା କୁଆଡେ ହଜି ଯାଇଛନ୍ତି ଯେ ଯେତେ ଖୋଜିଲେ ମିଳନ୍ତିନି। ରିୟାକିନ୍ତୁ ଡୁଳ୍ପିକେଟ୍ ଋଷିଙ୍କ ଚେହେରା। ତଫାତ୍ ଏତିକି ୠଷି ପୁଅ ଆଉ ରିୟା ଝିଅ। ସତେକି ରିୟା ଆଖିରେ ଋଷି ହସନ୍ତି। ଭ୍ରମରେ ପଡ଼ିଯାଏ ମୁଁ ବେଳେ ବେଳେ। ରିୟାକୁ ଛାତିରେ ଚାପି ଧରି ମୁଁ ଋଷିଙ୍କୁ ଅନୁଭବ କରେ। ଦୀର୍ଘଶ୍ଵାସ ମୋ ଭିତରେ ନିଆଁ ଲଗେଇ ଦିଅନ୍ତି। ଋଷି ମୟ ହୋଇଯାଏ ସାରା ମନ ଦେହ ମୋର। ଅବ୍ୟକ୍ତ ଯନ୍ତ୍ରଣାରେ ଫାଟି ପଡେ ହୃଦୟ। ଖୋଜେ ଋଷିଙ୍କୁ। ଝୁରେ ଝାରେ ନିଃଶବ୍ଦେ ନିଜ ଅସହଣ ସାଙ୍ଘାତିକ ଦୁଃଖ। ସୁଖର ଆୟୁଷ ଖୋଜେ। କିନ୍ତୁ ସୁଖର ଆୟୁ ତ ମୋ ପାଇଁ ଏବେ ଶୁନ୍।
ସେଇ ରିୟା ଏବେ ଜିଦ୍ କରୁଛି ବିବାହ କରିବ ନାହିଁ। ମୋର କିନ୍ତୁ ବଡ଼ ପରିବାର,ଘୋ ଘୋ ଲୋଡ଼ା ହେଉଛି। ମୋ ସଂକଳ୍ପ ରିୟା ମଣିଷ ହେବ ତ ପୂର୍ଣ୍ଣ ହୋଇଗଲା। ଏଣିକି ଝିଅଟିକୁ ଭଲ ଜୀବନ ସାଥୀଟି ହାତରେ ସମର୍ପି ଦେଲେ ଅବା ଋଷି ମୋତେ ତାଙ୍କ ପାଖକୁ ନେଇ ଯାଆନ୍ତେ। ମାତ୍ର ରିୟାର ଏକାଜିଦ୍ ସେ ବିବାହ କରିବ ନାହିଁ। ପିଲା ଆଡ଼ଟାପ୍ କରିବ ପଛେ,ବିବାହ କରିବ ନାହିଁ। କାରଣ ପଚାରିଲେ କହୁଛି ମାମା "ମୁଁ ଦେଖିଛି ତୁମ ବିବାହିତ ଜୀବନର ଛଟପଟ ଭାଵ। ମୁଁ ସେମିତି ଜୀବନ ଚାହେଁନି। ସୈନିକ ମାନଙ୍କ ସେବା କରି ମୁଁ ଖୁବ୍ ଖୁସିରେ ଅଛି। ତୁମର ନାତି କି ନାତୁଣୀ ଦରକାର ତ ଆଣି ଦେବି ମାମା ବ୍ୟସ୍ତ ହୁଅନି। ଅନେକ ଅନାଥଙ୍କ ଭିତରୁ କେହି ତ ମୋ ଯୋଗୁଁ ଗୋଟେ ସୁସ୍ଥ ସୁନ୍ଦର ଜୀବନ ବଞ୍ଚିବା ସୁଯୋଗ ପାଇବ ଆଉ ତୁମେ ପାଇବ ନାତି କି ନାତୁଣୀ""।
କଣ କହୁଛ ମାମା ମୋ ଆଇଡ଼ିଆ ସୁପର୍ ନା ନାଇଁ
ମୁଁ ବସୁଧା ଗୋଟେ "ମଲା ନଈ"; ମୋ ଝିଅ କଥା ଶୁଣି କାଠ....। ଜୀବନକୁ ନେଇ ଏ ଯୁଗର ପିଲାଙ୍କ ଚିନ୍ତାଧାରା ସତରେ କି ଅଜବ