STORYMIRROR

Madhabi Patel

Inspirational

4  

Madhabi Patel

Inspirational

ମହିଳା ଦିବସରେ କିଛି ଅନୁଭବ

ମହିଳା ଦିବସରେ କିଛି ଅନୁଭବ

5 mins
379

ନାରୀ ପ୍ରତିଭା। ଏକ ଅନୁଭବ। ଓରିସିସ୍ ଅପରାଜିତାକୋଡିଏଶହ କୋଡିଏ ତରଫରୁ ଏକ ଆୟୋଜନ ହେଇଥିଲା। ଅପରାଜିତା ମାନେ ଯିଏ ପରାଜିତା ନୁହେଁ କୌଣସି କାମରେ। ନାରୀ ହିଁ ଅପରାଜିତା ଯିଏ ଘରର ଦାୟିତ୍ବ ସୁରଖୁରୁରେ ଚଳାଇ ତା ସାଙ୍ଗେ ତାର ଚାକିରୀ ଜୀବନହେଉବା ଶାସନ କଳ ହେଉ ଦୁଇଟାକୁ ସୁଚାରୁ ରୂପେ ତୁଲାଇ ପାରେ। ସେଥିପାଇଁ ଏ ସଂସ୍ଥାର ନାଁ ଅପରାଜିତା ଦିଆହେଇଛି।ସମସ୍ୟାରେ ପଡିଥିବା ମହିଳା ପାଠପଢିବାକୁ ଅକ୍ଷମ ଥିବା ଛାତ୍ରୀ ମାନଙ୍କୁ ପଢାଇବାର ଦାୟିତ୍ବ ତୁଲାଏ ଏ ସଂସ୍ଥା। ଅନ୍ଧାର ଭିତରେ ଲୁକ୍କାୟିତ ବଣମଲ୍ଲି ମାନଙ୍କୁ ଖୋଜି ଲୋକଲୋଚନକୁ ଖୋଜି ଆଣି ଚିହ୍ନିତ କରେ ଏ ସଂସ୍ଥା|

ପ୍ରତିଭା ଚୟନ ପାଇଁ ଏ ଗାଁରୁ ସହର ଘୁରିବୁଲି ଖୋଜିଆଣେ ପ୍ରତିଭାଧାରୀଙ୍କୁ ଯେଉଁମାନେ ସଂଘର୍ଷ କରି ତୃଣମୂଳରୁ ଉଠି କିଛି କରି ଦେଖାଇ ପାରିଛନ୍ତି।

ଏହିସଂସ୍ଥାର ପ୍ରେସିଡେଣ୍ଟ ଅନନ୍ୟା ଅନୁସୂୟା ନାଏକ କିଛିଦିନ ତଳେ ମତେ ଫୋନକରି କହିଲେ ତୁମକୁ ଆମ ସଂସ୍ଥା ଚୟନ କରିଛି ଏକ ନରୀପ୍ରତିଭା ଭାବରେ।

ତୁମର ବାୟୋଡାଟା ପଠାଇଦିଅ।ମୁଁ ଯଥାଶୀଘ୍ର ଡାଟା ପଠାଇଦେଲି।ମାର୍ଚ୍ଚ ସାତ ତାରିଖ ସନ୍ଧ୍ୟା ଚାରିଟାରୁ ପ୍ରୋଗାମ ଆରମ୍ଭ ହେବାରଥିଲା। ଯଦିଓ ମହିଳା ଦିବସ ମାର୍ଚ୍ଚ ଆଠରେ ସେମାନେ ଦିନେ ଆଗରୁ ପାଳିତ କରୁଥିଲେ।ମୁଁ ସମୟ ଅନୁସାରେ ପହଞ୍ଚିଗଲି ଅଡିଟୋରିଅମ୍ ରେ ଯୋଉଠି ପ୍ରୋଗ୍ରାମ ହେବାରଥିଲା।ଅନନ୍ୟାର ମାଆ ଶାନ୍ତିବାଇ ମତେ ରାସ୍ତାରେ ଅପେକ୍ଷା କରିଥିଲେ କାରଣ ମତେ ସେ ଜାଗାବିଷୟରେ ଜଣା ନଥିଲା। ଆମେ ପହଞ୍ଚିଲା ବେଳକୁ ବେଶି କେହି ଆସି ନ ଥିଲେ କର୍ମକର୍ତ୍ତା କେତେଜଣ କାମରେ ଲାଗିଥିଲେ ଧିରେ ଧିରେ ହଲ୍ ଭର୍ତ୍ତିହେବାକୁ ଲାଗିଲା।ଅତିଥୀ ସବୁ ଆସିଗଲା ପରେ କାର୍ଯ୍ୟକ୍ରମ ଆରମ୍ଭ ହେଲା।ଯୋଉ ମହିଳା ଅତିଥୀ ମାନେ ନିମନ୍ତ୍ରିତହୋଇ ଆସିଥିଲେ ସମସ୍ତେ ଜଣେ ଜଣେ ପ୍ରେରଣାର ସ୍ରୋତଥିଲେ ନାରୀ ମାନଙ୍କ ପାଇଁ।ପ୍ରଥମେ ରିତା ସତପଥୀ ବୋଲି ଯୋଉ ଭଦ୍ରମହିଳା ଉଠି ନିଜ ବିଷୟରେ ଯାହା ସଂକ୍ଷିପ୍ତ ପରିଚୟ ଦେଲେ ତାହାବି ପ୍ରେରଣାଦାୟୀ ଥିଲା।ସମ୍ବଲପୁର ର ପଶ୍ଚିମାଞ୍ଚଳରୁ ଯାଇ କଟକ ପରି ସହରରେ ସେ ଜୟମାଲା ନାମରେ ଏକ ସଂସ୍ଥା ଖୋଲି ଗରିବ ଛାତ୍ରୀ ମାନଙ୍କୁ ପଢିବାର ସୁଯୋଗ ଦେଉଛନ୍ତି।

ଯେହେତୁ ସେ ଜଣେ ଓକିଲପେଶା ମହିଳା ଯାର ପ୍ରାକ୍ଟିସ ବି ଭଲ ଚାଲୁଥିଲା ତଥାପି ତାଙ୍କ ମାଆଙ୍କ ଶେଷକଥା ରଖିବାକୁ ନିଜ କାମ ଛାଡି ସାମାଜିକ ସେବାକୁ ଆପଣାଇନେଲେ। ନିଜ ଖର୍ଚ୍ଚରେ ସମାଜ ସେବା କରୁଛନ୍ତି।ସେ କେବଳ ଓକିଲ ନୁହଁନ୍ତି ନାଚ ସଂଗିତ ସବୁଥିରେ ନିପୁଣା।ବଡବଡ ସଙ୍ଗିତଜ୍ଞଙ୍କ ସହ କାମ ବି କରିଛନ୍ତି।ସେ ପ୍ରଥମେ ବହୁତ ସଂଘର୍ଷ ଦେଇ ଗତି କରିଛନ୍ତି।ପାରିବାରିକ ଓ ଚାକିରିଜୀବନର ତାଳମେଳ ରଖି ଆଗକୁ ବଢିଛନ୍ତି।ଅନେକ ଲୋକ ପାଦଟାଣୁଥିବାବେଳେ ପୁଣି ଉଠିବାକୁ ସାହସ ଯୋଗାଇ ଆଜି ଏତିକି ଦୂର ପହଞ୍ଚି ପାରିଛନ୍ତି। ଆଉଜଣେ ଆରତୀ ଚୌଧୁରୀ ନାମ୍ନୀ ମିଷ୍ଟଭାଷିଣୀ ମହିଳା। ତାଙ୍କର କଥାରେ ମୋହିନୀ ଯାଦୁଥିଲାପରି ଲାଗିଲା। ସେବି ସଂଘର୍ଷ କରି ଜଣେ କାଉନସିଲର୍ ହେଇ ପାରିଛନ୍ତି । ରାଉରକେଲାରେ କାଉନସିଲର ଫେମିଲିକୋର୍ଟରେ କାର୍ଯ୍ୟରତ।ସେ କଣକଣ ମହିଳା ହେରେସମେଣ୍ଟ ରହିଛି ସବୁ ଗୋଟେ ଗୋଟେ କରି କହିଲେ।କହିବା ଭଙ୍ଗି ଠୁ ଛୁଇଁବା ଯାଏ ଯାହା ଜଣେ  ମହିଳାକୁ ଅପ୍ରିୟ ଜନକ ଲାଗିବ ସେଥିପାଇଁ ଦଣ୍ଡ ବିଧାନ କରାଯାଇପାରିବ |ଅଫିସରେ କମ୍ପାନୀ ରେ ବା କୌଣସି ବି କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ଭିତ୍ତିକ କିଛି ମୌଖିକ ବା ଶାରୀରିକ ଆଚରଣହେଲେ ସେମାନେ ତାଙ୍କ ପାଖରେ ଜଣାଇପାରିବେ।ଏମାନେ ତାର ଶାସ୍ତିର ବ୍ୟବସ୍ଥା ପାଇଁ ଲଢନ୍ତି।

ମିସ୍ ଲିଲି ସେନାପତି ସେ ସମ୍ବଲପୁର ଲୋକ ଅଦାଲତର ଜଣେ ମହିଳା ଜଜ୍।ସେବି ସଂଘର୍ଷ ସହ ପାରିବାରିକ ଓ କର୍ମକ୍ଷେତ୍ରରେ ତାଳମେଳରଖି ଆଗକୁ ବଢିଛନ୍ତି।ସେ ଅତ୍ୟାଚାରିତ ମହିଳା ମାନଙ୍କ କେସ୍ ସବୁ ସମାଧାନ କରନ୍ତି।ସେ କହୁଥିଲେ ଭାରତରେ ନାରୀକୁ ଦେବୀରୂପେ ପୂଜାକରୁଥିବାବେଳେ ଏଠାରେ ସର୍ବାଧିକ ଯୌନଅତ୍ୟାଚାର ବି ହେବା ନିନ୍ଦନିୟ କଥା।

ଆଉଜଣେ ମହିଳାଥିଲେ ଯିଏ ବୁର୍ଲା ଭିମସାରର ଜଣେ ସୁଦକ୍ଷା ସର୍ଜନ।ହଜାରହଜାର ସର୍ଜରି ଅପରେସନ କରି ନାମ କରିଛନ୍ତି।ସେବି ସଂଘର୍ଷ ସହ ଆସିଛନ୍ତି ଏତେଦୂର।ଆଉଜଣେ ବୟସ୍କା ମହିଳା ଥିଲେ ନାରାୟଣୀ ପଂଡା ସିଏ ବୋଧହୁଏ ସମ୍ବଲପୁରର ପ୍ରଥମ ମହିଳା ଗାଏନୋକଲୋଜିଷ୍ଟ ହେଇଥିବେ। ସଭାରେ ଯେତେଜଣ ବସିଥିଲେ ପ୍ରାୟ ସମସ୍ତେ କହୁଥିଲେ ସେ ମେଡମ ମୋର ଡେଲିଭରି କରିଛନ୍ତି। ସେ ସମୟରେ ଜଣେ ଝିଅ ଡାକ୍ତରି ପଢି ଆଗକୁ ଆସିବା କମ୍ ସଂଘର୍ଷର କଥା ନୁହଁ।

ଆଉ ଯେତେଜଣ ସମର୍ଦ୍ଧିତ ପ୍ରତିଭା ଥିଲେ ସେମାନେତ

ସେମିତି ସଂଘର୍ଷ ରତ ରହିଛନ୍ତି ଏବେବି।ସରିନି ତାଙ୍କର ଜୟଯାତ୍ରା କିଛି କିଛି ଆଗକୁ ମାଡିଚାଲିଛନ୍ତି|

ଜଣେ ଅନ୍ଧୁଣୀ ମହିଳା ଯିଏ ପଲ୍ଟିକାଲ ସାଇନ୍ସରେ ପଢାନ୍ତି।ଭଲ ଭାଷଣ ଦିଅନ୍ତି। ଭିନ୍ନକ୍ଷମ ତାଙ୍କ ପାଖରେ ହାରମାନିଛି।ଜଣେ ଝିଅ ଥିଲା ଯିଏ ସମ୍ବଲପୁରରେ ଆସି ପରଘରେ ଝାଡୁପୋଛ ମେଡସାର୍ଭେଣ୍ଟ କାମ କରୁଥିଲା ଏଇ ସଂସ୍ଥାର ସହଯୋଗ ପାଇ ଏବେ ଜଣେ ନର୍ସ ହେଇ ସ୍ବାଭିମାନର ଜୀବନ ବଞ୍ଚିପାରୁଛି।

ଜଣେ ଲେଡି ପୋଲିସ ଇନ୍ସପେକ୍ଟର ଯିଏଜଣେ ଅପହୃତା ମହିଳାକୁ ଦୁଇଦିନ ଭିତରେ ଲୁଟେରାଙ୍କ ପାଖରୁ ମୁକୁଳାଇ ଆଣିଥିଲେ।ଚାରିବର୍ଷର ଝିଅକୁ ଖୋଜି ମାଆବାପା ପାଖେ ପହଞ୍ଚାଇଥିଲେ।ଏମିତି ଅନେକ ସାହସିକ କାମକରିଛନ୍ତି ସେ ବି ସେଠି ପୁରସ୍କୃତ ହେଲେ|

ଦଣେ ମେହେର ସାଙ୍ଗିଆ ର ଲେଡି ଯିଏ ଡେସ୍ ଡିଜାଇନର୍ ଥିଲେ ସମ୍ବଲପୁରି କପଡାରେ ସୁନ୍ଦର ଡ୍ରେସ୍ ତିଆରି କରି ନାମ କରି ପାରିଛନ୍ତି ଆଉ କାମ ଚାଲିଛି ଆହୁରି ଆଗକୁ ଯିବାପାଇଁ।ସେ ବି ଜଣେ ଗୃହିଣୀରୁ ସଂଘର୍ଷ ସହ କିଛି କରିପାରିଛନ୍ତି ବୋଲି କହିଲେ।

 ଜଣେ ଝିଅ ବିଉଟିସିଅନ୍ ଭାବରେ ନାଆଁ କରି ପାରିଛି।

ଜଣେ ନିଉଜ ରିପୋଟର୍ ଥିଲେ ସେ ଅନୁକୁଳ ପରିସ୍ଥିତିରେ ଏତିକି ଦୂର ପହଁଞ୍ଚିଛନ୍ତି ବୋଲି କହୁଥିଲେ।

ଜଣେ ମହିଳା ସ୍ପୋଟ୍ସ୍ ଖେଳାଳି ଥିଲେ।ଯିଏ ଖେଳରେ ନାଆଁ କରିଛନ୍ତି।ସିଏ ଷ୍ଟେଜ ରେ କିଛି କହି ପାରିଲେନି।ସିଏ କହିଲେ ସେ ଖେଳପଡିଆରେ ନିଜର ପ୍ରତିଭା ଦେଖେଇ ପାରିବେ ସହଜରେ ହେଲେ ଷ୍ଟେଜରେ କିଛି କହିପାରନ୍ତିନି|

ଜଣେ ଛତୁ ଚାଷୀ ମହିଳା ବି ପୁରସ୍କୃତ ହେଇଥିଲେ।

ଶେଷରେ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ମତେ ଡକାହେଲା।ପ୍ରାୟତଃ ସମସ୍ତେ ଜାଣନ୍ତି ମୁଁଜଣେ ସିଡିଏମ ଓ ଶିଶୁ ଡାକ୍ତର ସବିତା ଚନ୍ଦ୍ର ପଟେଲ ଙ୍କ ଗୃହିଣୀ। ପ୍ରତିବର୍ଷ ଯିଏ ବିଦେଶଯାତ୍ର କରି ଏକ ଭ୍ରମଣକାହାଣୀ ଲେଖି ପାରୁଛି।ହେଲେ ଆଜିର ସ୍ବଛଳତାର ଜୀବନଠାରୁ ସେ ଅନେକ ଦୟନୀୟ ଜୀବନ ଜୀଇଁଛି ବାଲ୍ୟକାଳରେ।ଏକ ଉପାନ୍ତ ଅଞ୍ଚଳରେ ଜନ୍ମି ଆଦିବାସିଙ୍କ ସହ ରହି ତାଙ୍କ ପରି ରୁଗୁଡା ଛତି ଗୋଟାଇଛି।ଶରଗି ଟୋଲ ମହୁଲ ବେଟିଛି।କେନ୍ଦୁପତ୍ର ତୋଳି ବିକ୍ରିକରିଛି।ଜମିରେ କେବେ କେବେ ଧାନ କାଟିଛି ପହ୍ଲାରୋଇଛି ଲଟା ବାଛିଛି।ସେତେବେଳେ କାହାରି ଧାରଣା ନ ଥିଲା ଯେ ଗାଁ ସ୍କୁଲରୁ ପଢିଥିବା ଝିଅଟିଏ ଦିନେ ଗପ କବିତା ଉପନ୍ୟାସ ଭ୍ରମଣକାହାଣୀ ଲେଖିବ ବୋଲି।

ସେ ନିଜେ ବି ଜାଣି ନ ଥିଲା ତା ଭିତରେ ଲୁକ୍କାୟିତ ଏତିକି ଶକ୍ତି ଅଛି ବୋଲି। ଯୌତୁକ ଦେବାର ଶକ୍ତି ନ ଥିଲା ବୋଲି ଜଣେ ବିଧୁର ବରକୁ ବାହା କରିଦେଲେ ତାକୁ ଯାର ଆଗରୁ ଦୁଇବର୍ଷର ଛୋଟ ଝିଅଟିଏ ଥିଲା । ସାବତ ଝିଅକୁ ନିଜ ଝିଅପରି ପାଳିଲେ ବି ଅନେକଙ୍କ କଡା କଥାର ସମ୍ମୁଖୀନ ହେବାକୁ ପଡୁଥିଲା ବେଳେବେଳେ। ନିଜର ଭୂଲ ନଥାଇ କଥା ଶୁଣିବାକୁ ପଡୁଥିଲା।ଉତ୍ତର ଦେବାର ସାହସ ନଥିଲା ତାର।ସେତେବେଳେ ସେ କାଗଜ କଲମର ଆଶ୍ରୟ ନେଉଥିଲା।ଝରିପଡୁଥିଲା ଶବ୍ଦହୋଇ କଛି ତାର ଅନ୍ତର୍ବେଦନା ସବୁ।ପରବର୍ତ୍ତୀସମୟରେ ଯାହାକୁ ଲୋକେ କବିତାର ନାମଦେଲେ।ହେଲେ ସେ ଜାଣି ନ ଥିଲା ତାହା କବିତାବୋଲି। ଯାହା ମନରେ ଆସୁଥିଲା ଲେଖି ଯାଉଥିଲା।ସେ ଆଜିଯାଏ ଯାହାବି ଲେଖେ ଅନ୍ୟର ବହିପଢି ନୁହେଁ ଯାହା ଦେଖେ ଅନୁଭବ କରେତାହା ଲେଖିଦିଏ।ବେଳେବେଳେ ତ ଅନେକ ଜିନିଷ ସେ ସ୍ବପ୍ନରେ ଦେଖେ ଓ ଅନୁଭବ କରେ ତାହାକୁ ରାତିରେ ଉଠି ସେଇଠାରେ ବସି ଲେଖିଦିଏ କେବେ କବିତା ରୂପରେ ତ କେବେ ଗଳ୍ପ ରୂପେ। ଅନେକ କବିତା ତା କାନରେ ଶୁଣାଯାଏ ରାତି ଶୋଇଥିବାବେଳେ ତାକୁ ଉଠି ସେ ଆଖି ବୁଜି ଉତାରିଦିଏ କାଗଜରେ।ସକାଳୁ ତାକୁ ଟିକେ ଠିକ୍ ସେ ସଜାଇଦିଏ।ଜଣେ କେହି ଆସି ତା ହାତଧରି ଲେଖେଇଦିଅନ୍ତି ଯେମିତି ସେ ଏପରି ଅନୁଭବ କରେ।ଯେତେଦିନ ସେ ଲେଖିବାକୁ ପ୍ରେରଣା ଦେଉଥିବେ ସେ ଲେଖି ଚଲିଥିବ।ବିବାହ ପରେ ତାର ଜୀବନର ପରିବର୍ତ୍ତନ ଘଟିଛି।ଭଗବାନ ଯାହାକରନ୍ତି ପ୍ରାଣୀର ମଙ୍ଗଳପାଇଁ।ସ୍ୱାମୀଂକ ସହଯୋଗ ସାହଚର୍ଯ୍ୟ ପାଇ ସେ ଏତେ ବାଟ ଆଗେଇ ଚାଲିଛି।ଆହୁରି ବାକି ଅଛି ଅନେକବାଟ ଚାଲିବାକୁ।ଏହେଉଛି ସେ ଦିନର କିଛି ଅନୁଭବ।

ଆଉ ଜଣକ କଥାତ ଭୁଲିଗଲି ଅନନ୍ୟା ଯିଏ ମାଆ ପାଖରୁ ମୋ ବାଲ୍ୟଦିନ ବିଷୟରେ ସବୁ ଅବଗତ ହେଇ ମତେ ବାଛିଥିଲା।ତାର ନିଜ ଜୀବନ କାହଣୀ ବି ସେ ସଂକ୍ଷିପ୍ତରେ ଶୁଣାଇଥିଲା କେମିତି ସ୍ବାମୀଙ୍କ ମୃତ୍ୟୁ ପରେ ନିଜ ଜୀବନର ଅନ୍ତ ହେଇଗଲା ବୋଲି ଦିନେ ଭାବିଥିଲା।ପୁଣି ଅନେକ ମନନ ଚିନ୍ତନ କରି ସମାଜିକ ସେବାକୁ ବ୍ରତ କରିନେଇଛି।ତାରଏ ସଂଘର୍ଷ ପାଇଁ ସେ ବି ପ୍ରସଂଶାର ପାତ୍ରୀ।ତା ସାଙ୍ଗରେ ଥିଲେ ସିମନ୍ତିକା ଯିଏ ସୁନ୍ଦର ଇଂରାଜୀ କହି ମଂଚ ସଂଚାଳନ କରୁଥିଲେ।ଭିନିତା ସୋନିଆ ଗୋଏଲ ସମସ୍ତେ ଯେଉଁମାନେ ଏଥିପାଇଁ କାମକରୁଛନ୍ତି ପ୍ରସଂଶାର ପାତ୍ରୀ।ସମସ୍ତେ ଜଣେ ଦଣେ ଅନନ୍ୟ ମହିଳା |

ସମସ୍ତ ମହିଳା ମାନଙ୍କୁଆଜିର ଦିନରେ ଗୋଟେ ଗୋଟେ ମୋ ତରଫରୁ ସାଲ୍ୟୁଟ କରୁଛି କାରଣ ପ୍ରତ୍ୟେକ ମହିଳା ନିସ୍ୱାର୍ଥ ପର ହୋଇ ପରିବାର ସଦସ୍ୟଙ୍କ ସେବା କରିଥାଏ|ତାର କରୁଣାର ତୁଳନା ନାହିଁ|


Rate this content
Log in

Similar oriya story from Inspirational