ମହିଳା ଦିବସ
ମହିଳା ଦିବସ
ମାର୍ଚ୍ଚ ଆଠ ତାରିଖକୁ ବିଶ୍ୱ ମହିଳା ଦିବସ ହିସାବରେ ପାଳନ କରିବାକୁ ଜିଲ୍ଲାତରଫରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇ ଯାଇଥିଲା।ଏନ୍ଜିଓ କାର୍ଯ୍ୟକର୍ତ୍ତାମାନେ ଭିଡିଥାନ୍ତି ତାଙ୍କ କାମରେ।ଜିଲ୍ଲାର ଗ୍ରାମ ପ୍ରାନ୍ତରୁ କିଛି ପ୍ରତିଭାଙ୍କୁ ବଛାଯାଇ ପୁରସ୍କୃତ କରିବାକୁ ବି ତାଙ୍କର ଏକ ଲକ୍ଷ୍ୟ ଥିଲା।ଏହା ଦ୍ୱାରା ସେମାନେ ମହିଳାମାନଙ୍କ ମନରେ ଏକ ପ୍ରେରଣା ସୃଷ୍ଟି କରିବାକୁ ଚାହୁଁଥିଲେ।ତାଙ୍କ ଦେଖାଦେଖି ଅନ୍ୟ ମହିଳାମାନେ ବି ନିଜଭିତରେ ଲୁକ୍କାୟିତ ଥିବା ପ୍ରତିଭାକୁ ଚିହ୍ନିପାରି ବାହାରେ ଫୁଟାଇବାକୁ ପ୍ରଯନ୍ନ କରିବେ।ଯେଉଁମାନେ କୌଣସି ବି ସୃଜନାତ୍ମକ କାମକରି କିଛି ନାମକରିଛନ୍ତି |
ଯେମିତି ଲେଖାଲେଖି, ବୁଣାବୁଣି, ମୂର୍ତ୍ତି, ଡ୍ରେସ ଡିଜାଇନ, କାରିଗରି, କାଠକାମ, ଲାଖକାମ, ଗୀତ ନାଚ, ଚାଷ, ବୃକ୍ଷରୋପଣ, ପଶୁପାଳନ, ଛତୁଚାଷ କୌଣସି ବି କ୍ଷେତ୍ରରେ କିଛି କରି ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି ତାଙ୍କୁ ଖୋଜି ପୁରସ୍କୃତ କରୁଛନ୍ତି ସେମାନେ।ଆଠ ତାରିଖରେ ଏକ ବଡ ଆୟୋଜନ ହେବ।ସ୍କୁଲର ଛାତ୍ରୀମାନଙ୍କ ମଧ୍ୟରେ ଓ ଗାଆଁର ମହିଳାମାନଙ୍କ ମଧ୍ୟରେ ରଙ୍ଗୋଲି ଚିତ୍ରକାରି ହୁଳହୁଳି ପ୍ରଭୃତି ଅନେକ ପ୍ରକାର ପ୍ରତିଯୋଗିତା କରି ଉତ୍ତମ କରିଥିବା ପ୍ରତିଯୋଗୀଙ୍କୁ ପରସ୍କୃତ କରୁଛନ୍ତି।ଏଖବର ଶୁଣି ସୁରେଖା ଆଶାୟୀ ହୋଇ ପହଞ୍ଚିଲା ସଭାନେତ୍ରୀଙ୍କୁ ଭେଟିବାକୁ।ଜଣେ ଏନ୍ଜିଓଙ୍କୁ ଅନୁନୟ କଲା ସଭାନେତ୍ରୀଙ୍କ ସହ ଟିକେ ଭେଟକରାଇ ଦେବାକୁ।ସଭାନେତ୍ରି ହେମାଙ୍ଗନୀ ପାଢୀ ଜଣେ ଦରଦୀ ମହିଳା।କାହାରି ଦୁଃଖ ସହି ପାରନ୍ତି ନାହିଁ।ତାଙ୍କରି ସଂରକ୍ଷଣରେ ରହିଛନ୍ତି ଅନେକ ଦୁସ୍ଥ ନିରାଶ୍ରୟ ଜୀବନ।ସମସ୍ତଂକର ମାଆ ସାଜି ସେବା ଦାନ ଯୋଗାଇଆସିଛନ୍ତି ସାଧ୍ୟମତେ ସେ |ସୁରେଖାକୁ ବିବ୍ରତ ଦେଖି ତାକୁ ଅଭୟ ଦେଇ ତୋର ଦୁଃଖ କଣ ବୋଲି ପଚାରିଲେ।ସୁରେଖା ତାର ଦୁଃଖ ବଖାଣିଲା।ସେ ଜଣେ ବିଧବା ସ୍ତ୍ରୀ।ସ୍ବାମୀତାର ଏକ୍ସିଡେଣ୍ଟରେ ମୃତ ହେବାପରେ ତା ଶଶୁରଘରେ ତାକୁ ଘରୁ ବାହାର କରିଦେଲେ।ମାଆ ଘରେ ବି ତାର ଏବେ ସ୍ଥାନ ନାହିଁ।ସେ ଏବେ ଆଶ୍ରୟଟିଏ ଖୋଜୁଛି।ନିର୍ଭରଶୀଳ ଆଶ୍ରୟ ସାଙ୍ଗରେ କିଛି କରିବା ପାଇଁ କାମ ଦରକାର ତାକୁ।ସେ ପ୍ଲସ ଟୁ ଯାଏ ପଢିଛି।ତାପାଇଁ ସୁରକ୍ଷିତ ଜାଗାଟେ ଯୋଗାଇ ଦିଅନ୍ତୁ ଦିଦି କହି ସେ କାନ୍ଦି ଚାଲିଥାଏ।ହେମାଙ୍ଗିନୀ ଦିଦି କହିଲେ ତୁମେ ଏମିତି ହତାଶ ହେଉଛ କାହିଁକି?ଏଠି ଯେତେ ଜଣକୁ ଦେଖୁଛ ସମସ୍ତେ ଜଣେଜଣେ ନିରାଶ୍ରୟ ମଣିଷ।ତଥାପି ଦୃଢତାର ସହ ବଞ୍ଚିବାକୁ ଚେଷ୍ଟାକରୁଛନ୍ତି।
ତୁମେ ମତେ ଦେଖୁଛ କେତେ ଲୋକ ମୋଠୁ ଆଶ୍ରୟ ଖୋଜୁଛନ୍ତି।ମୁଁ ବି ଦିନେ ତୁମପରି ନିରାଶ୍ରୟ ଥିଲି।ବରଂ ତୁମଠୁ ଆହୁରି ଦୁଃଖିନୀ ଥିଲି।ମୁ ବ୍ରାହ୍ମଣ ଝିଅ ପାଢୀ ଓ ମୋ ସ୍ୱାମୀ ରୋହିଦାସ ଥିଲେ।ସେ ଭଲ ଛାତ୍ର ଥିଲେ ଇଞ୍ଜିନିୟର ଥିଲେ ବୋଲି ଭଲ ପାଇ ବାହା ହେଇଗଲି ନିଜ ପରିବାରର ଅବାଧ୍ୟ ହୋଇ।ଚମାର ଜାତିର ପିଲାକୁ ବାହା ହେଇଯିବାରୁ ଆମ ସମାଜ ମୋତେ ଥୁ ଥୁ କରୁଥିଲା।ମୋ ପରିବାର ବି ବହୁତ କଥା ଶୁଣୁଥିଲେ ମୋ ପାଇଁ।ତେଣୁ ମୋ ଘରଲୋକେ ମୁଁ ମରିଗଲି ବୋଲି ଶୁଦ୍ଧି ହେଇଗଲେ।ହେମନ୍ତ ମୋ ସ୍ୟାମୀ ଭଲ ଦରମା ପାଉଥିଲେ।ସହରରେ ଭଡାଘରେ ଆରାମରେ ଚଳିଯାଉଥିଲୁ।ହେଲେ ଆମ ସୁଖ ବେଶିଦିନ ରହିଲାନି।ଦିନେ ଟ୍ରେନ ଏକ୍ସିଡେଣ୍ଟରେ ସେ ଚାଲିଗଲେ।ଏବେ ମୋର ରହିବାର ସ୍ଥାନ ନଥିଲା।ନାଁ ମାଆଘରେ ନାଁ ଶାଶୁଘରେ।ଶାଶୁଘରେ ବହୁତ ଗରିବ ଥିଲେ ।ବଡ କଷ୍ଟରେ ତାଙ୍କୁ ପଢାଇଥିଲେ ହେଲେ ସେ
ବାହାହେଲାପରେ ତାଙ୍କଆଡୁ ମୁହଁ ମୋଡିଦେଇଥିଲେ।ଏବେ କୋଉ ମୁହଁରେ ତାଙ୍କ ପାଖକୁ ଯାଇଥାନ୍ତି।ୟା ପରେ ବହୁତ ହିନସ୍ଥା ହେଇଛି ଏଠି ସେଠି ବୁଲିଛି।ପରଘରେ ଝାଡୁପୋଛା କରିଛି।ଶେଷରେ ଏନଜିଓ ସଂସ୍ଥାରେ କାମଟେ ମିଳିଲା।ଭଲ ଛାତ୍ରୀଥିଲି।ପ୍ଲସଟୁ କରିଥିଲି ଏଠି ନିଜେ ପଢି ବିଏ ପାଶ୍ କଲି।ପରିଶ୍ରମୀ ଓ ନିଡର ସ୍ବଭାବର ଥିଲି।ଦାୟିତ୍ବ ଜ୍ଞାନ ସହିତ ସେବା ପ୍ରତି ସମର୍ପଣ ଭାବଥିଲା ବୋଲି ମତେ ସଂସ୍ଥାର ମୁଖ୍ୟ ପଦ ଦେଇଛନ୍ତି।ତୁମେ ବି ମୋପରି ଯଦିସଂସ୍ଥାପାଇଁ ନିଜକୁ ସମର୍ପିତ କରିପାରିବ ଆସ ହାତ ମିଳାଅ ଆମ ସହିତ|ଅନେକ କାମଅଛି କରିବାକୁ ଆଜିଠୁ କାମରେ ଲାଗିଯାଅ।ଏବେ ସରକାର ମହିଳାମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି।ପରିଶ୍ରମ କଲେ ଜଣେ ମହିଳାନିଜ ଉପାର୍ଜନରେ ଆତ୍ମନିର୍ଭରଶୀଳ ହୋଇ ସ୍ୱାଭିମାନର ଜୀବନଟେ ବଞ୍ଚିପାରିବ।ସୁରେଖାକୁ ଏବେ ବଞ୍ଚିବାକୁ ଆଶ୍ରୟଟେ ମିଳିଯାଇଥିଲା |
