Arjuni charan Behera

Inspirational Others

4  

Arjuni charan Behera

Inspirational Others

ମହାଦେବୀ ଶତାକ୍ଷୀ

ମହାଦେବୀ ଶତାକ୍ଷୀ

3 mins
10


       

ବହୁଦିନ ତଳର କଥା l ଅସୁର ହିରନ୍ୟାକ୍ଷ ବଂଶରେ ରୁରୁ ନାମରେ ଏକ ଅସୁର ଜନ୍ମ ହେଲା l ଅସୁର ରୁରୁ ଔରସରୁ କାଳକ୍ରମେ ଏକ ମହାଦାନବ ଜନ୍ମ ହେଲା ଯାହାର ନାମ, ଦୁର୍ଗମ l ସେହି ଦାନବ ଦୁର୍ଗମ କ୍ରମେ ଖୁବ୍ ପରାକ୍ରମୀ ହୋଇ ଉଠିଲା ଓ ଦେବତାମାନଙ୍କୁ କିପରି ପରାସ୍ତ କରିବ ସେହି ଚିନ୍ତାରେ ଅସ୍ଥିର ହୋଇ ପଡ଼ିଲା l ସେ ଚିନ୍ତା କରି ଦେଖିଲା ଦେବତା ମାନଙ୍କ ଶକ୍ତି ହେଉଛି, ବେଦ l ମୁନି ଋଷି ମାନେ ବେଦ ମନ୍ତ୍ର ଦ୍ୱାରା ଦେବତାଙ୍କୁ ହବିର୍ଭାଗ ଦେଉଥିବାରୁ ସେମାନେ ଶକ୍ତିଶାଳୀ ହୋଇ ଆମକୁ ସର୍ବଦା ପୀଡ଼ିତ କରୁଛନ୍ତି l କୌଣସି ଉପାୟ ଦ୍ୱାରା ବେଦ ଶକ୍ତିକୁ ଯଦି ସମୁଳେ ଲୋପ କରାଯାଇ ପାରନ୍ତା, ତେବେ ଦେବତା ମାନେ ଆମର ବଶ ହେବା ପାଇଁ ବାଧ୍ୟ ହୁଅନ୍ତେ l 

ଏପରି ଚିନ୍ତାକରି ଦୈତ୍ୟ ଦୁର୍ଗମ ବେଦପତି ବ୍ରହ୍ମାଙ୍କୁ ଘୋର ତପସ୍ୟା ଆରମ୍ଭ କଲା l ସେହି ତପସ୍ୟାରେ ପ୍ରାୟ ଏକ ସହସ୍ର ବତ୍ସର ଅତିବାହିତ ହୋଇଗଲା l ତା'ର ଉଗ୍ର ତପସ୍ୟାରେ ସନ୍ତୁଷ୍ଟ ହୋଇ ଦିନେ ବ୍ରହ୍ମା ଦୁର୍ଗମ ସମ୍ମୁଖରେ ଆବିର୍ଭୁତ ହୋଇ ବର ଯାଚିଲେ l ରାକ୍ଷସ ବର ମାଗିଲା, ହେ ଵେଦ ପତି ! ଏ ଅଧୀନ ପ୍ରତି ଯେବେ ଆପଣ ପ୍ରସନ୍ନ ହୋଇଛନ୍ତି ତାହେଲେ ମୋତେ ସମସ୍ତ ବେଦ ଓ ବେଦ ମନ୍ତ୍ର ସହ ଦେବତା ମାନଙ୍କୁ ପରାଜିତ କରିବାର ଅଖଣ୍ଡ କ୍ଷମତା ପ୍ରଦାନ କରନ୍ତୁ l ବ୍ରହ୍ମା "ତଥାସ୍ତୁ" କହି ଚାଲିଗଲେ l

ବେଦ ଦୂର୍ଗମାସୁରର କରଗତ ହେବାରୁ ସଂସାରରେ ହୋମ ଯଜ୍ଞ ଜପ ତପ ଲୋପ ପାଇଗଲା l ଜଗତରେ ନାନା ଦୁର୍ବିପାକ ଦେଖାଦେଲା l ଦେବତାମାନେ ଦିନକୁ ଦିନ ଦୁର୍ବଳ ହୋଇ ପଡ଼ିଲେ l ସୁଯୋଗ ନେଇ ଦୁର୍ଗମାସୁର ସ୍ବର୍ଗ ଅଧିକାର କରି, ଦେବତା ମାନଙ୍କୁ ତଡ଼ି ଦେଲା l ଆଶ୍ରୟହୀନ ଦେବତା ମାନେ ତ୍ରାହିତ୍ରାହି ଡାକି ମାଆ ଅମ୍ବିକାଙ୍କୁ ବ୍ରହ୍ମା ବରରେ ବଳୀୟାନ, ଦୁର୍ଗମ ଅସୁର ଅତ୍ୟାଚାରରୁ ରକ୍ଷା ନିମନ୍ତେ ସ୍ତୁତି କଲେ, ହେ ଦେବୀ ଭବାନୀ ! ହେ ମହେଶାନୀ ! ଆମ୍ଭ ପ୍ରତି ଆପଣ ଦୟା କରନ୍ତୁ l ଆପଣ ବେଦାନ୍ତ ଓ ବେଦ୍ୟ l ଆପଣ ବ୍ରହ୍ମ ସ୍ୱରୁପିଣୀ ଏବଂ ଏ ଅଖିଳ ଜଗତର ସୃଷ୍ଟି କାରେଣି l ଆପଣ ଆମ ପ୍ରତି କୃପାକରି ଦୂର୍ଦ୍ଦମ ଦୈତ୍ୟ ଦୁର୍ଗମ କବଳରୁ ବେଦକୁ ଉଦ୍ଧାର କରନ୍ତୁ l

ଦେବତାମାନଙ୍କ କାତର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମାଆ ମହାଦେବୀ ନିଜ ଶରୀରରେ ଶତ ଶତ ଚକ୍ଷୁ ବହନ କରି ଦେବତା ମାନଙ୍କ ସମ୍ମୁଖରେ ଆବିର୍ଭୁତା ହୋଇ, ସେମାନଙ୍କୁ ଆଶ୍ବସ୍ତ କଲେ l କରୁଣାର୍ଦ୍ର ଚିତ୍ତ ଦେବୀଙ୍କର ସେହି ଅଗଣିତ ଚକ୍ଷୁରୁ ନବ ରାତ୍ର ଧରି ଲୋତକ ନିର୍ଗତ ହୋଇ ସମସ୍ତ ଜଗତକୁ ଆର୍ଦ୍ର କରି ଦେଲା l ନିର୍ଜୀବ ଜୀବ ଜଗତ ଓ ବୃକ୍ଷଲତା ପୁଣି ସଜୀବ ହୋଇ ଉଠିଲେ l ଦେବୀ ନିଜ ଶରୀରରେ ବହୁ ନେତ୍ର ଧାରଣ କରି ଥିବାରୁ, ପରିଚିତ ହେଲେ "ଶତାକ୍ଷୀ" ନାମରେ l ଶାକାଦି ପ୍ରଦାନ କରି ଜୀବ ଜଗତକୁ ରକ୍ଷା କରି ଥିବାରୁ, ଦେବୀ ପୁଣି ପରିଚିତ ହେଲେ "ଶାକାମ୍ୱରୀ" ନାମରେ l

ଦେବୀଙ୍କ ପ୍ରାକଟ୍ୟ ଓ ଦେବ ଗଣଙ୍କୁ ଆଶ୍ୱସ୍ତି କଥା ଦୁର୍ଗମ ଜାଣିପାରି ଏକ ଦୂର୍ଜୟ ରାକ୍ଷସ ସେନା ଧରି, ଦେବୀଙ୍କୁ ଆକ୍ରମଣ କଲା l ଦାନବଙ୍କ ସହ ମାଆଙ୍କ ଭୟଂକର ସଂଗ୍ରାମ ଲାଗିଲା l ଦେବୀ ନିଜ ଦେହରୁ କାଳିକା, ତାରିଣୀ, ମାତଙ୍ଗୀ, ଭୈରବୀ, ଷୋଡ଼ଶୀ, କମଳା, କାମାକ୍ଷୀ, ମୋହିନୀ, ବଗଳା, ଗୁହ୍ୟକାଳି, ଛିନ୍ନମସ୍ତା ଆଦି ଦେବୀ ମାନଙ୍କୁ ସୃଷ୍ଟି କଲେ l ସେହି ଦେବୀ ମାନେ ସଂଗ୍ରାମ ଭୂମିରେ କିଳିକିଳା ନାଦରେ ଦୁର୍ଗମର ସମସ୍ତ ରାକ୍ଷସସେନାଙ୍କୁ ଖଣ୍ଡା ଖର୍ପର ଧରି ଗୋଡ଼ାଇ ଗୋଡ଼ାଇ ନିହତ କଲେ l ଦଶଦିନ ବ୍ୟାପୀ ଏହି ଘମାଘୋଟ ଯୁଦ୍ଧରେ ଶେଷକୁ ମାଆଙ୍କ ହସ୍ତରେ ଦୁର୍ଦ୍ଦମ ରାକ୍ଷସ ଦୁର୍ଗମର ପତନ ହେଲା l ଦେବୀଙ୍କ ବିଜୟରେ ଦେବଗଣ ହର୍ଷୋତ୍ଫୁଲ୍ଲ ହୋଇ ଶତାକ୍ଷୀ ମାଆଙ୍କ ସ୍ତୁତି ଗାନକଲେ :-

 ଜଗତ୍ ଭ୍ରମବିବର୍ତ୍ତ୍ଐକ କାରଣେ   

       ପରମେଶ୍ୱରୀ l

 ନମଃ ଶାକମ୍ବରି ଶିବେ ନମସ୍ତେ   

       ଶତଲୋଚନେ ll

ଦେବ ଗଣଙ୍କ ସ୍ତୁତିରେ ମାଆ ପ୍ରସନ୍ନ ହୋଇ କହିଲେ, ବେଦ ହିଁ ମୋର ସ୍ୱରୂପ l ହେ ଦେବ ଗଣ ! ସର୍ବଦା ତୁମେ ମାନେ ବେଦକୁ ରକ୍ଷା କରିବ l ଦୁର୍ଗମାସୁରକୁ ସଂହାର କରି ଥିବାରୁ, ମୁଁ ପରିଚିତା ହେବି "ଦୁର୍ଗା" ନାମରେ l ଯେଉଁ ମାନେ ମୋ 'ଦୁର୍ଗା' ଓ 'ଶତାକ୍ଷୀ' ନାମକୁ କୀର୍ତ୍ତନ କରିବେ ସେମାନେ ସାଜୁଯ୍ୟ ମୁକ୍ତି ଲାଭ କରିବେ l ତୁମ୍ଭମାନଙ୍କର ସର୍ଵମଙ୍ଗଳ ହେଉ l ଏପରି କହି ମାଆ ଅନ୍ତର୍ହିତ ହେଲେ l ମହାମାୟାଙ୍କ ସେହି ରୋରୁଦ୍ୟମାନ ଶତାକ୍ଷୀ ରୂପ ବ୍ୟାସଦେବ ଶ୍ରୀମଦ୍ଦେବୀ ଭାଗବତରେ ବର୍ଣ୍ଣନା କରି ଦେବତା ମାନଙ୍କ ମୁଖରେ କହିଲେ :-

     କଃ କୁର୍ଯ୍ୟାତ୍ ପାମରାନ୍ ଦୃଷ୍ଟ୍ୱା

       ରୋଦନଂ ସକଳେଶ୍ୱରଃ l

       ସଦୟାଂ ପରମେଶାନାମ୍

       ଶତାକ୍ଷିଂ ମାତରଂ ବିନା ll

ଅର୍ଥାତ୍, ହେ ଦେବୀ ! ଏ ଜଗତର ପରମ ଦୁର୍ଦ୍ଦଶା ସ୍ୱଚକ୍ଷୁରେ ଦର୍ଶନ ପୂର୍ବକ, ଆପଣ ନିଜର ଅସଂଖ୍ୟ ଚକ୍ଷୁରେ ରୋଦନ କରୁଛନ୍ତି l ହେ ମାଆ ! ଆପଣଙ୍କର ଏ ଅଦ୍ଭୁତ କାର୍ଯ୍ୟର ତୁଳନା ନାହିଁ !! ଆମେ ଆପଣଙ୍କୁ ବାର ବାର ପ୍ରଣାମ କରୁଛୁ l

          


Rate this content
Log in

Similar oriya story from Inspirational