ଆମ୍ଭେ ସର୍ଵସଖୀ ଯମୁନାକୁ ଗଲୁ
ଆମ୍ଭେ ସର୍ଵସଖୀ ଯମୁନାକୁ ଗଲୁ
ତ୍ରେତୟା ଯୁଗର କଥା l ପ୍ରଭୁ ଶ୍ରୀରାମ ଚଉଦ ବର୍ଷ ବନ ବାସକୁ ଯାଇ ମାତା ସୀତା, ଅନୁଜ ଲକ୍ଷ୍ମଣଙ୍କ ସହ ଦଣ୍ଡକ ବନରେ ନିବାସ କରୁ ଥାନ୍ତି l ପ୍ରଭୁ ଦିନେ ବନଭୂମିରେ ଭ୍ରମଣ କରି ଅରଣ୍ୟର ଅପୂର୍ବ ଶୋଭା ଦର୍ଶନ କରୁ ଥାନ୍ତି l ବନ୍ୟ ପ୍ରଦେଶରେ ବହୁ ମୁନିଋଷି ନିବାସ କରି ତପସ୍ୟାରତ ଥାନ୍ତି l ସେମାନଙ୍କ ଦୃଷ୍ଟି ପଡିଲା କୋଟି କନ୍ଦର୍ପ ଶୋଭା ଜିଣା, ଲାବଣ୍ୟ ମୁର୍ତ୍ତି ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଉପରେ l ସେହି ମୂର୍ତ୍ତି ଦର୍ଶନରେ, ସେମାନେ ବିମୋହିତ ହୋଇ ପଡ଼ିଲେ l ସେମାନେ ସବୁ ଚିନ୍ତାକଲେ ଯଦି ବିଧାତା ଆମ୍ଭଙ୍କୁ ନାରୀ କରି ଜନ୍ମ କରିଥାନ୍ତେ ଏବଂ ଏହି କମନୀୟ ପୁରୁଷ ଜଣକ ଆମ୍ଭର ସ୍ବାମୀ ହୋଇ ଥାନ୍ତେ, ଆମେ କେଡ଼େ ସୌଭାଗ୍ୟବତୀ ହୋଇ ନ ଥାନ୍ତେ ସତେ ! କି ଲାଭ ଏହି ବ୍ରହ୍ମ ସାଧନା କରି ? ଏଭଳି ପୁରୁଷ ପାଇଲେ, ଆଉ ବ୍ରହ୍ମ ପଦବୀର ବା କି ଆବଶ୍ୟକତା ଅଛି l
ଇଏତ ଭଗବାନଙ୍କ ଲୀଳା l ବ୍ରହ୍ମ ସାଧନ କରୁଥିବା ମୁନିମାନେ ସ୍ୱୟଂ ବ୍ରହ୍ମଙ୍କୁ ଦେଖି, ପ୍ରଲୋଭିତ ବା ନ ହେବେ କିପରି? ସମସ୍ତ ଋଷିମାନେ ଏତେ ମାତ୍ରାରେ ବିମୋହିତ ହୋଇ ଗଲେ ଯେ, ଜଟା ସବୁକୁ ବେଣୀ ଭାବେ ସଜାଇ ଏବଂ ଭିକ୍ଷା ପାତ୍ର ଲାଉତୁମ୍ବା ଗୁଡିକୁ ବକ୍ଷୋଜ ଭାବେ ସଜେଇ ପ୍ରଭୁଙ୍କୁ ପ୍ରେମ ନିବେଦନ କରିବାକୁ ଲାଗିଲେ l ମୁନି ମାନଙ୍କର ସେହି ଭାବକୁ ଲକ୍ଷ୍ୟ କରି କବି ସମ୍ରାଟ ଉପେନ୍ଦ୍ରଭଞ୍ଜ କହିଲେ :-
ବିଧାତା ଆମ୍ଭଙ୍କୁ କରନ୍ତେ ନାରୀ l
ବର ହୁଅନ୍ତେ ଏ କୋଦଣ୍ଡଧାରୀ ll
ବ୍ରହ୍ମ ପଦବୀ ଫଳ ହେବ କିସ l
ବହିବା କି କରି କାମିନୀ ବେଶ ll
ଭକ୍ତ ଭାବଗ୍ରାହୀ ଭକ୍ତର ଭାବକୁ ପୂରଣ ନ କରନ୍ତେ କିପରି l ପ୍ରଭୁ ମୁନି ମାନଙ୍କ ବ୍ୟାକୁଳତାକୁ ଉପଲବ୍ଧି କରି ବର ଦେଲେ, ହେ ମୁନିମାନେ ! ତୁମ୍ଭ ମାନଙ୍କର ଏହି ଅଭିଳାଷ ମୁଁ ପୂରଣକରିବି ଦ୍ୱାପର ଯୁଗରେ l ମୁଁ, ସେତେବେଳେ ଗୋପ ପୁରରେ ଶ୍ରୀକୃଷ୍ଣ ରୂପେ ଅବତ୍ତୀର୍ଣ୍ଣ ହେବି, ତୁମ୍ଭେ ମାନେ ହେବ, ବ୍ରଜାଙ୍ଗନା l ମାଧୂର୍ଯ୍ୟମୟ ରାସ ଲୀଳା ମାଧ୍ୟମରେ ତୁମେ ମାନେ ମୋ ସାନ୍ନିଧ୍ୟ ଲାଭ କରିବ l ମୋର ଏ ଜନ୍ମରେ ଆଉ ଏହା ସମ୍ଭବନୁହେଁ l ଏ ଜନ୍ମରେ ଏକପତ୍ନୀ ବ୍ରତରେ, ମୁଁ ଜାନକୀଙ୍କୁ ମୋର ବଲ୍ଲଭୀ କରି ସାରିଛି l କବି ସମ୍ରାଟ୍ ବୈଦେହୀଶ ବିଳାସରେ ପୁଣି କହିଲେ :-
ବଲ୍ଲଭୀ ତୁମ୍ଭେ ହୋଇବ ଦ୍ଵାପରେ l
ବ୍ରଜେ ରହିବୁ ଆମ୍ଭେ କଂସଡରେ ll
ବୃନ୍ଦାବନରେ ହେବ ରାସ କେଳୀ l
ବଲ୍ଲଭୀ ଏକା ଏଦେହେ ମୈଥିଳି ll
ତ୍ରେତାଯୁଗ ଯାଇ ଦ୍ଵାପର ଯୁଗର ଆଗମନ ହେଲା l ପ୍ରଭୁଙ୍କ କୃଷ୍ଣାବତାର ହେଲା l ଦଣ୍ଡକାରଣ୍ୟର ସେହି ମୁନିମାନେ ମଧ୍ୟ ଗୋପୀ ରୂପରେ ବ୍ରଜପୁରରେ ଜନ୍ମ ହେଲେ ଓ ଭଗବାନ ଶ୍ରୀକୃଷ୍ଣଙ୍କ ସାନ୍ନିଧ୍ୟ ପାଇବାକୁ ସର୍ବଦା ବ୍ୟାକୁଳ ହୋଇ ରହିଲେ
ଶ୍ରୀମଦ ଭାଗବତ ମହା ପୁରାଣର ଗାଥା l ଏକଦା ଗୋପୀମାନେ ଶ୍ରୀକୃଷ୍ଣଙ୍କୁ କିପରି ପତି ଭାବେ ଲାଭ କରିବେ ଏ କଥା ବିଚାର କରି ଯାଇ ଗର୍ଗ ମୁନୀଙ୍କୁ ପଚାରିଲେ l ଗର୍ଗ ମୁନୀ ଗୋପୀକାଙ୍କ ମନୋଭାବ ଜାଣି ଶ୍ରୀକୃଷ୍ଣଙ୍କୁ ସଚେତନ କରାଇ ଦେଲେ l ବ୍ରଜ ନାରୀ ମାନଙ୍କ ଏହି ସଂକଳ୍ପ ଶୁଣି ଗୋପି ବୃନ୍ଦାବତୀ ଦିନେ ଯାଇ ତାଙ୍କ ପାଖରେ ପହଞ୍ଚି କହିଲେ, ତୁମେ ମାନେ ଶ୍ରୀକୃଷ୍ଣଙ୍କୁ ପତି ରୂପେ ପାଇବା ପାଇଁ ଚାହୁଁଛତ ତେବେ ମା' କାତ୍ୟାୟନୀଙ୍କ ପୂଜା କର l ମାଆ ଅଭୀଷ୍ଠ ଫଳ ଦାୟିନୀ l ସେ ତୁମର ଅଭୀଷ୍ଟ ନିଶ୍ଚୟ ପୂର୍ଣ୍ଣ କରିବେ l
ଏମିତି ବୃନ୍ଦାବନରେ ଶରତଋତୁ ଯାଇ ମଧୁର ହେମନ୍ତଋତୁ ପ୍ରବେଶ କଲା l ଗୋପୀ ମାନେ ବୃନ୍ଦାବତୀଙ୍କ ସେହି କଥାକୁ ଘାରିହେଉଥାନ୍ତି l ଵୃନ୍ଦାଙ୍କ କଥାନୁସାରେ ଗୋପୀମାନେ ଦିନେ ଯାଇ ଯମୁନା କୂଳରେ ପହଞ୍ଚି ଏକତ୍ରିତ ହେଲେ ଓ ଵୃନ୍ଦା କହିଥିବା ଵିଧି ଅନୁସାରେ ମାଆ କାତ୍ୟାୟନୀଙ୍କ ପୂଜାର ଆୟୋଜନ କଲେ l ଶ୍ରୀମଦ୍ ଭାଗବତ ବର୍ଣ୍ଣନା କଲେ :-
ହେମନ୍ତ ଋତୁ ଦେଖି ବନେ l
କଳ୍ପିଲେ ଗଉରୀ ପୂଜନେ ll
କାର୍ତ୍ତିକ ମାସ l ସେମାନେ ଯମୁନା କୁଳରେ ମାଆଙ୍କ ଏକ ବାଲୁକା ବିଗ୍ରହ ଗଢ଼ି ପୂଜା ଆରମ୍ଭ କଲେ ଓ ଏକ ମାସ କାଳ ନିଷ୍ଠାରେ ବ୍ରତ ଧାରଣ କଲେ l ମାଆ କାତ୍ୟାୟନୀଙ୍କୁ ସେମାନେ ପ୍ରାର୍ଥନା କଲେ :-
କାତ୍ୟାୟନୀ ମହାମାୟେ
ମହାଯୋଗୀନ୍ୟଧୀଶ୍ୱରୀ l
ନନ୍ଦଗୋପ ସୂତମ୍ ଦେବ
ପତି ମେଁ କୁରୁତେ ନମଃ ll
ଏହାକୁ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ଦଶମ ସ୍କନ୍ଧରେ ପ୍ରକାଶ କଲେ :-
ହେ କାତ୍ୟାୟନୀ ମହାମାୟୀ l
ପରମ ଯୋଗେଶ୍ୱରୀ ତୁହି ll
ଭୋ ମାତ ଶଙ୍କର ଯୁବତୀ l
ନନ୍ଦ କୁମର ଦିଅ ପତି ll
ଷୋଳ ଶହସ୍ର ଗୋପନାରୀ l
ବର ଇଛିଲେ ନରହରି ll
ମାଆ କାତ୍ୟାୟନୀ, ଷୋଳ ଶହସ୍ର ଗୋପ ନାରୀଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟା ହୋଇ ତାଙ୍କୁ ଇପ୍ସିତ ବର ଦାନ କଲେ ଓ ଗୋପାଙ୍ଗନା ମାନେ ରାସ କ୍ରୀଡ଼ାରେ ପ୍ରଭୁ ଗୋପୀନାଥଙ୍କ ସାନ୍ନିଧ୍ୟ ଲାଭ କଲେ l
ମହର୍ଷି କାତ୍ୟାୟନଙ୍କ କଠୋର ତପସ୍ୟାରେ ପ୍ରସନ୍ନ ହୋଇ ମାଆ ଆଦ୍ୟାଶକ୍ତି ତାଙ୍କ କନ୍ୟା ଭାବେ ଜନ୍ମ ନେଇ କାତ୍ୟାୟନୀ ନାମ ବହି ଥିଲେ l କାତ୍ୟାୟନୀ ମାତା ହେଉଛନ୍ତି ବ୍ରଜ ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ l ମାଆ ସିଂହ ବାହିନୀ l ମାଆଙ୍କ ଚାରି ଭୂଜରେ ପଦ୍ମ, ଖଣ୍ଡା, ସ୍ବସ୍ତିକ ଏବଂ ଆଶୀର୍ବାଦର ମୁଦ୍ରା l ଦ୍ୱାପରର ସେହି ମାଆ ଏବେ ମଧ୍ୟ ପୁଣ୍ୟ ବୃନ୍ଦାବନରେ ପୂଜିତା l ବିଶ୍ୱାସ କରାଯାଇ ଥାଏ ମାଆଙ୍କ ପୂଜନରେ ଅବିବାହିତା କନ୍ୟା ମାନଙ୍କୁ ମନୋ ବାଂଛିତ ଉପଯୁକ୍ତ ବର ପ୍ରାପ୍ତି ହୋଇଥାଏ l ଏଣୁ ମାଆଙ୍କ ପୂଜନ ପାଇଁ ସାରା ବର୍ଷ ବୃନ୍ଦାବନରେ ଗହଳି ଲାଗି ରହିଥାଏ l
ମାଆ କାତ୍ୟାୟନୀ ଯୁଗେ ଯୁଗେ ଅଭୀଷ୍ଠ ଦାୟିନୀ l ତାଙ୍କୁ ପୂଜାକରି, ମାଆ ବୈଦେହୀ ପ୍ରଭୁ ଶ୍ରୀରାମଙ୍କୁ ପତି ରୂପେ ପାଇଥିଲେ l ତାଙ୍କୁ ପୂଜି ବିଦର୍ଭ ନନ୍ଦିନୀ ଦେବୀ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ପତି ରୂପେ ପାଇଥିଲେ l ଗୋପୀମାନଙ୍କର ଶ୍ରୀକୃଷ୍ଣଙ୍କୁ ପତି ରୂପେ ପାଇବାର ବ୍ୟାକୁଳତା ଓ ବାଲୁକା ପୂଜନକୁ ଲକ୍ଷ୍ୟକରି ଦିନେ ଭକ୍ତ ସାଲବେଗ ଗାଇ ଉଠିଥିଲେ:-
ଆମ୍ଭେ ସର୍ଵ ସଖୀ ଯମୁନାକୁ ଗଲୁ
ବାଲୁକା ପୁଜିକି ପାଇଲୁ ଲଙ୍କା l
ଆଣ୍ଠୁଏ ପାଣିରେ କୁମ୍ଭ ନ ବୁଡ଼ିଲା
ତାହା ଦେଖି ସର୍ବେ ହେଲୁ ତାଟକା ll
!!! ଜୟ ମାଆ କାତ୍ୟାୟନୀ !!!