Padmalaya Padhy

Tragedy

4  

Padmalaya Padhy

Tragedy

ମେଘ :

ମେଘ :

7 mins
207



-- ତୁମ ମା ସବୁ କାମ କେମିତି ଆବୋରି ପଡି କରୁଛନ୍ତି ଦେଖ ଯେମିତି ତାଙ୍କର ଗୁରୁତ୍ତ୍ଵ ବଢିବ l କଲୋନୀ ର ସମସ୍ତେ ତାଙ୍କର ସାଙ୍ଗ l କଣ ଲୋକପ୍ରିୟ ହେବାକୁ ମନ ? ଡାକି ଡାକି ଗପ କରୁଛନ୍ତି ଭଲ ମନ୍ଦ ବୁଝୁଛନ୍ତି ଯେ l କହୁ କହୁ କେତେବେଳେ ଘର କଥା ଯଦି ପଦାରେ ପଡିଗଲା ତେବେ କିଏ ଦାୟୀ ହେବ ?


--ମୋର ତ ଏ ଘରେ କିଛି ଅସ୍ତିତ୍ବ ହିଁ ନାହିଁ l ମୁଁ ଥାଇ କି ବି ନଥିଲା ପରି l ଗଲା ଆସିଲା ସମସ୍ତେ ତ ଖାଲି ମା ମା ରଟୁଥିବେ l ତୁମର ପୁତ୍ର ଗୁଣମଣି ଙ୍କୁ ଦେଖ ମମି ଯାଉ ନର୍କ କୁ ମା ଅଛି ତ ? ରାଧା ଖାଲି ଫଁ ଫଁ ହେଉଥିଲା ପ୍ରବୀଣ ଙ୍କ ଉପରେ l ଯେବେଠାରୁ ଶାଶୁ ମେଘମାଳା ଆସିଛନ୍ତି ସେବେଠୁ ସବୁକାମ ଆବୋରି ନେଇ କରୁଛନ୍ତି l ଘର ର ଜିନିଷ ପତ୍ର କିଣାକିଣି ଠୁ ଆରମ୍ଭ କରି ନିତି ହେଉଥିବା ଖାଦ୍ୟ ର ମେନୁ ପର୍ଯ୍ୟନ୍ତ ସବୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ l ଫଳରେ ରାଧାର ମାଲିକାନାସତ୍ତ୍ୱ ଲୋପ ପାଇବାକୁ ବସିଲାଣି l


--ତୁମେ ତ ଖୁସି ହେବା କଥା ନା l ତୁମ ର କାମ ଗୁଡିକ କମି ଯାଉଛି ଓ ଦାୟିତ୍ୱ ବି ଭାଗ ବାଣ୍ଟି କରା ଯାଉଛି l ସବୁ କଥା ତୁମକୁ କରିବାକୁ ପଡିଲେ କେମିତି ଚିଡଚିଡା ହୋଇଯାଅ ତୁମେ l ପୁଣି ମା ଚବିଶ ଘଣ୍ଟା ଘରେ ବସି ଅନ୍ୟ ଶାଶୁ ମାନଙ୍କ ଭଳିଆ ହୁକୁମ ଚଳାଉ ନାହିଁ l ବରଂ ସେ ତାର ସାଙ୍ଗ ସାଥି ମାନଙ୍କ ସହିତ ନିଜର ସମୟ କାଟୁଛି ଓ ବାହାରକୁ ବି ଯାଉଛି ଆସୁଛି l


--ସେ ଚିକ୍କଣ କଥା ସେତିକି ଥାଉ l ମୋର ଆସନ ରୁ ମୋତେ ହଟାଇବା ପରେ ଏବେ ଚିକ୍କଣ କଥା ରେ ପେଟ ପୁରିବ ନା କ'ଣ ? କଲୋନୀ ରେ କେମିତି ସ୍ତ୍ରୀ ଲୋକ ମାନେ ଅଛନ୍ତି ଜାଣିଛ ତ ? ସମସ୍ତଙ୍କ ଘର କଥା ସେମାନଙ୍କୁ ଦରକାର l କହୁ କହୁ ସେଦିନ ତୁମ ମା କ'ଣ କହିଲେ ଜାଣ ? କହିଲେ କଣ ନା ମୋ ବୋହୂ କେବେ ତେଲ ଲଗାଉନାହିଁ ସେଥିପାଇଁ ଚୁଟି ଝଡି ଯାଉଛି l ମୋ ଚୁଟି ପତଳା, ଏକଥା ସେଠି କହିବା କଣ ଦରକାର ? ଏତେ ସାଙ୍ଗ ପ୍ରିୟ ଯଦି ଗାଁ ରେ ହିଁ ରୁହନ୍ତୁ ଯାଇ l


--ଆରେ ତୁମ ଚୁଟି ପତଳା ବୋଲି କହିଲେ ନକହିଲେ କିଛି ଫରକ ପଡୁନି l ଲୋକ ଦେଖୁ ନାହାନ୍ତି କି ? ନା ତୁମେ କୋଉ ଓଢଣା ଭିତରେ ଚଳ ପ୍ରଚଳ ହେଉଛ ଯେ….?


--ହଁ କୁହ ଆଉ ଟିକିଏ ଦେଖାଇ ଶିଖାଇ ମୋତେ କୁହ l କିନ୍ତୁ ତୁମ ମା କିଛି ଭଲ କରୁ ନାହାନ୍ତି l 


ମେଘମାଳା ଙ୍କ ଶହେ ରୁ ଶହେ ପ୍ରତିଶତ ଇଛା ନଥିଲା ପୁଅ ବୋହୁଙ୍କ ପାଖେ ରହିବା ପାଇଁ l ବହୁତ ସମ୍ବେଦନଶୀଳ ମନଟି ତାଙ୍କର ଦୋହଲି ଯାଇଥିଲା ଯେଉଁଦିନ ଫଇସଲା ହେଲା ଯେ ସେ ଆସି ପୁଅ ଘରେ ପୁଅ ବୋହୁଙ୍କ ସହିତ ରହିବେ ବୋଲି l ସେଦିନ ଦୁର୍ବଳତା ଲାଗି ପାହାଚ ରୁ ଖସି ପଡ଼ିଥିଲେ ଓ ପୁଅ ପାଖକୁ ଖବର ଚାଲି ଯାଇଥିଲା ଖବର ବାହକ ପୁତୁରା ଯୋଗୁଁ l


ଗାଁ ରେ ଭଲ ଡାକ୍ତର ନାହାନ୍ତି ପୁଣି ରାତି ଅଧିଆ ଦରକାର ପଡିଲେ ସହର କୁ ସାତ ଆଠ ଘଣ୍ଟା ର ରାସ୍ତା l ଏହି ସବୁ ଦୃଷ୍ଟିରୁ ପ୍ରବୀଣ ଓ ରାଧା ମିଶି ଠିକ କରିଥିଲେ ଯେ ମେଘମାଳା ଙ୍କୁ ପାଖକୁ ନେଇ ଆସିବେ l ରାଧା ର ବି ମନା କରିବାର କାରଣ ନଥିଲା l ସେ ଭାବିଥିଲା ଶାଶୁ ଆସିଲେ ସିଏ ତାଙ୍କର ଖାଇ ପିଇ ବସି ରହିବେ l ହେଲେ ଏ ତ ପୁରା ଓଲଟା ହେଇଗଲା l


ଆସୁ ଆସୁ ନାତି ଉପରେ କବଜା l ସକାଳୁ ଇଡ଼ଲି ଦୋଷା କିଣା ହୋଇ ଆସେ ଓ ସମସ୍ତେ ଖାଆନ୍ତି l ଏବେ ବାହାର ଖାଦ୍ୟ ବନ୍ଦ l ରାତିରେ ବତୁରା ହୋଇ ରହିଥିବା ଗଜା ମୁଗ ସକାଳୁ ପୁଣି ଖିଆ

ହେବ l ସେ ଗଜା ମୁଗ ଯୋଉ ଗନ୍ଧ ନା ବାନ୍ତି ହେଇଯିବ ରେ ବାବା l ହେ ଭଗବାନ ମୁଁ କୋଉ ଜନ୍ମରେ କି ପାପ କରିଥିଲି ଯେ ଏ ସବୁ ଦେଖାଉଛ l ପୁଅ ପୁଣି ଆଜିକାଲି ର ପିଲା ହୋଇ ବି ତାର ଏହି ସବୁ ଜିନିଷ ରେ ରୁଚି ଆସିଗଲାଣି l ମନେ ମନେ ଗୁଣୁ ଗୁଣୁ ହେଉଥିଲା ରାଧା l


ଯାହାତ କଲେ କଲେ ସେଥିରେ ଘରେ ଛଣାଛଣି ଜିନିଷ ଉପରେ ସମ୍ପୂର୍ଣ୍ଣ ରୂପେ ନିଷେଧାଦେଶ l ଏଇଟା ତାଙ୍କ ଘର ନା କ'ଣ ! ଖାଲି ତେଲ ଛିଞ୍ଚି ଜୀରା ଧନିଆ ଲଙ୍କା ଗୁଣ୍ଡ ଦେଇ କୁଆଡେ ବଢିଆ ରୋଷେଇ ହୋଇ ପାରିବ l ନଳ ରନ୍ଧା ହେଇଥିବ ପରା ଭାବିଦେଲେ ହୋଇଯିବ ୟାଙ୍କର l କିନ୍ତୁ ପ୍ରବୀଣ ଏଥିରେ ବହୁତ ଖୁସି କାରଣ ସବୁଦିନ ପାଇଁ ତାକୁ ଗ୍ୟାସଟ୍ରିକ ରୁ ମୁକ୍ତି ମିଳିଗଲା l ମାତୃ ପ୍ରେମରେ ପୁତ୍ର ଅନ୍ଧ ! 


ପୁଣି ମେଘମାଳା ଙ୍କ ଆଉ ଏକ ଉଲ୍ଲେଖଯୋଗ୍ୟ ପଦକ୍ଷେପ ହେଲା ରାଧା ର ବବ୍ କଟ ହୋଇଥିବା ଚୁଟି ରେ ତେଲ ଘଷିବା l ମଣିଷ ର କି ଦଶା ହେଲାଣି ଦେଖ l


କାମବାଲୀ ସିଲି ପାଞ୍ଚ ବର୍ଷ ହେଲାଣି ଏଇଠି କାମ କରୁଛି l କଲୋନୀ ର ସବୁ ଖବର ତାର ନଖ ଦର୍ପଣ ରେ l ଆସୁ ଆସୁ ଅନର୍ଗଳ ଆରମ୍ଭ କରିଦିଏ ସବୁ l ତାକୁ ବି ଟିକେ ଟିକେ କଥାରେ ମେଘମାଳା ଖିଟ ଖିଟ ହେବାରୁ ସେ ଆଉ ସମ୍ବାଦ ପରିବେଷଣ କରୁନାହିଁ ଓ ମୁହଁ ଫୁଲାଇ ରହୁଛି l କହିଲେ କ'ଣ ନା ପରଘର କଥା ଶୁଣିବା କି ଦରକାର ଆମକୁ ? ତୁ ମୋ ବୋହୂକୁ ଖରାପ କରୁଛୁ l କାମରେ ମନ ଦେ l କାମ ସାରି ତୁ ତୋର ଚାଲିଯା l ଏଇଟା ପୁଣି କି କଥା ?


ରାଧା ର ପ୍ରବଳ ବିରୋଧ ଯୋଗୁଁ ପ୍ରବୀଣ ମା କୁ ବୁଲାଇ ବଙ୍କାଇ ସବୁ କହିଥିଲା l ମେଘମାଳା ବୁଝି ଯାଇଥିଲେ ଯେ ତାଙ୍କର ଅନଧିକାର ହସ୍ତକ୍ଷେପ ଯୋଗୁଁ ବୋହୂ ଟି ଦୁଃଖ ପାଉଛି l ଏଠାରେ ରହିବେ ଯେତେବେଳେ ଛୋଟିଆ ରୁ ଛୋଟିଆ କଥା ସବୁ ଧ୍ୟାନ ଦେବାକୁ ପଡିବ l କାହାରି ସ୍ୱାଧୀନତା ରେ ହସ୍ତକ୍ଷେପ କଲେ ନିଜର ଆସ୍ଥାନ ଏଠାରୁ ଉଠିଯିବାଟା ପକ୍କା l


ତହିଁ ପର ଦିନଠୁ ସେ ନିଜ ରୁମ ରୁ ବାହାରିଲେ ନାହିଁ l ଖାଲି ଖାଇବା ସମୟରେ ମପା ଚୁପା କଥା କେତୋଟି ଏବଂ ତା ପରେ ପୁରାପୁରି

ଚୁପ l ସିଲି ସାଙ୍ଗରେ ବି କଥାବାର୍ତ୍ତା ନାହିଁ l ଯେ ଯାହାର ସଂସାର ସମ୍ଭାଳନ୍ତୁ l ତାଙ୍କର ତ ଯିବା ସମୟ ହେଲାଣି l ଏତେ କଥାରେ ମୁଣ୍ଡ ଖେଳାଇବା କି ଦରକାର l


ସାଇ ପଡିଶା ବି ଭାବିଲେଣି ଯେ ମେଘମାଳା ବୋଧେ ବାହାରକୁ ଯାଇଛନ୍ତି କେତେଦିନ ପାଇଁ l ଦି ଚାରି ଥର ଖୋଜି ଆସିଲେଣି l ରାଧା ସମସ୍ତଙ୍କୁ କହି ଦେଇଛି ସେ ଗାଁ କୁ ଯାଇଛନ୍ତି l ରାଧା ଏବେ ମୁକ୍ତ ଆକାଶର ବିହଙ୍ଗ l କହିବାକୁ କେହି ନାହିଁ l ଉପରେ ପଡି ଏବେ ମେଘମାଳା ଙ୍କ ଯତ୍ନ ନେଉଛି l


କିନ୍ତୁ ସେ ନିର୍ବିକାର l ଆଗଭଳି ଗତିଶୀଳ ନିର୍ଝରିଣୀ ନୁହନ୍ତି l ହଉ କେତେ ଦିନ ଗଲା ପରେ ସବୁ ଠିକଠାକ ହୋଇଯିବ ଯେ l ସହର ଚଳଣି ଓ ଗାଁ ର ଚଳଣି ଭିତରେ ବହୁତ ପାର୍ଥକ୍ୟ ଅଛି ବୋଲି ଶାଶୁ ବି ଜାଣିବା ଦରକାର l ଏଇ ଭଳି ରାଧା ନିଜ ମନକୁ ବୁଝେଇଦେଲା l


କିନ୍ତୁ ପୂର୍ବ ର ପରିସ୍ଥିତି ଆଉ ଆସିଲା ନାହିଁ କି ସେଇ ପୂର୍ବର ଦିନ ଗୁଡିକ ଫେରିଲା ନାହିଁ l ସମସ୍ତଙ୍କ ର ଅଭିଯୋଗ ଅସୁବିଧା ଅଶାନ୍ତି କୁ ଶିରୋଧାର୍ଯ୍ୟ ମନେକରି ମୁହଁ ମାଡି ପଡି ରହିଥିଲେ ସେ l ପାଟିରେ ତାଲା ପଡି ଯାଇଥିଲା l ରାଧା ର ଘର ସଂସାର ଦେଖି କିଛି କହି ହେଉ ନଥିଲା l କାହାରି ସହିତ ଦି ପଦ କଥା ହେବାକୁ ବି ନିଷେଧଦେଶ ଜାରୀ ହୋଇଥିଲା ଅବଶ୍ୟ ପୁଅ ତରଫରୁ ମଧୁର ଧମକ ! ନଶୁଣିଲେ ତାର ପରିଣତି କଣ ହେବ ସେକଥା ବି ସେ ଜାଣି ଯାଇଥିଲେ l


ମନ ରେ ଅଶାନ୍ତି ଧରି କେତେ ଦିନ ବା ଆଉ ଗାଡି ଚାଲିଥାନ୍ତା l ମନ ଭାଙ୍ଗି ଯାଇଥିଲା ଏବଂ କ୍ରମଶଃ ଦୁର୍ବଳ ହେବାରେ ଲାଗିଥିଲେ ସେ l ପୁଅ କେତେ ଟନିକ ଆଣି ଦେଲେ ବି ଅବସ୍ଥା ସୁଧୁରି ନଥିଲା ଆଉ l ଦିନେ ଶୋଇବାକୁ ଗଲେ ଯେ ଆଉ ଉଠିଲେ ନାହିଁ l ଅହରହ ଅନ୍ୟ ର ଭଲ ଚିନ୍ତା କରି ବ୍ୟତିବ୍ୟସ୍ତ ହେଉଥିବା ଗୋଟିଏ ନିରିମାଖି ଆତ୍ମା ର ବିଲୋପ ଘଟିଲା କାଳ ର କରାଳ ବକ୍ଷରେ l


ଧୀରେ ଧୀରେ ଶୁଦ୍ଧି ଘର ର ବିଧି ବିଧାନ ସରିଗଲା l ସବୁ କିଛି ସାଧାରଣ ହେବାକୁ ବସିଲା l କାହାରି ବିନା ଦୁନିଆ ଅଟକି ଯାଇ

ନାହିଁ l ଏ ସଂସାର ଚାଲିଛି ଓ ଚାଲିବ ହିଁ ଚାଲିବ l ପ୍ରାୟ ଦୁଇ ସପ୍ତାହ ପରେ ଦିନେ ସିଲି କୁ ନେଇ ରାଧା ଶାଶୁଙ୍କ ରୁମ ଟି ସଫା କରୁ କରୁ ସିଲିର ଝାଡୁ ବାଜି ଛୋଟିଆ ତେଲ ଶିଶିଟିଏ ଥାକ ରୁ ତଳେ ଖସି ପଡିଥିଲା l ଘର ସାରା ତେଲ ବୋହି ଯିବା ଆଗରୁ ରାଧା ଯାଇ ବୋତଲଟିକୁ ଉଠାଇ ଆଣିଥିଲା l ନଡ଼ିଆ ମରାହୋଇ ତେଲ କରା ହୋଇଛି l


କାହା ପାଇଁ ରଖି ଥିଲେ ସେ ? ମେଘମାଳା ନିଜେ ତ ରାଶି ତେଲ ଲଗାଉଥିଲେ ଯାହାକୁ ଦେଖିଲେ ରାଧା ନାକ ଟେକୁଥିଲା l ତେବେ କଣ ରାଧା ର ପତଳା ଚୁଟି କେରାକ ପାଇଁ ଇ ସବୁ କରିଥିଲେ ? ନିର୍ବାସନ ରେ ଥାଇ ମଧ୍ୟ ମେଘମାଳା ସମସ୍ତଙ୍କ ଆଖି ଆଢୁଆଳରେ କେତେବେଳେ ମୌକା ପାଇ ଏ ସବୁ କଲେ ? ବୋଧେ ଭାବିଥିବେ ରାଧା ଯେଉଁ ଦିନ ତାଙ୍କର ଉପଦେଶ କୁ ହୃଦୟଙ୍ଗମ କରିବ ଓ ସେଦିନ ସେ ନିଜେ ଯାଇ ତା ଚୁଟିରେ ଲଗାଇଦେବେ l କିନ୍ତୁ ସେ ଆରପାରିକୁ ଚାଲି ଯାଇଥିଲେ ସିନା ସେଇ ଦିନଟି ଆଉ ଆସି ନଥିଲା କି ବୋହୂର ମୁଣ୍ଡରେ ତେଲ ଘଷି ପାରି ନଥିଲେ l


ଶାଶୁ ରୂପକ ପରାଧୀନତା ର କଳା ବାଦଲ ଟି ଅପସରି ଯାଇଥିଲା ସତ ହେଲେ ତା ସହିତ ନେଇ ଯାଇଥିଲା ନିର୍ଭର ଯୋଗ୍ୟ

ସାହାରାଟିଏ l ମାଳ ମାଳ ମେଘ ର ଆଗମନରେ ବୋହୁଥିବା ସେଇ ମୃଦୁ ସମୀରଣ ଏବେ ଆଉ ନାହିଁ ତାହା ମେଘ ସହିତ ଚାଲି ଯାଇଛି l ଏବେ ତ ଖାଲି ଡହ ଡହ ତତଲା ଖରା l ରାଧା କୁ ଏବେ ତାର ନିରଙ୍କୁଶ ଘର ସଂସାର ଟି ଯେମିତି ମାଡି ପଡୁଥିଲା l


ଦିନେ ଛାତ ଉପରେ ବସି କେଉଁ ଅଦୃଶ୍ୟ ଶକ୍ତି କୁ ହାତ ଯୋଡି ଭୁଲ ମାଗୁଥିଲା ରାଧା l ଅସୁମାରୀ ତାରା ମାନଙ୍କ ଭିତରୁ ମିଞ୍ଜି ମିଞ୍ଜି ହୋଇ ଗୋଟିଏ ତାରା ହସି ହସି ଆଲୋକର ଧାରେ ରେଖା ବଢ଼ାଇ ଦେଇଥିଲା ଯାହା ରାଧାକୁ ସ୍ପର୍ଶ କରୁଥିଲା l ସତେ ଯେପରି ସେ କହୁଥିଲା ଯେ ଏହା ସବୁରି ଜୀବନର କାହାଣୀ l କାହାର ଟିକିଏ ବେଶି ତ କାହାର ଟିକିଏ କମ ହେବ ସିନା l ଊଣା ଅଧିକେ ସବୁରି ଜୀବନରେ ବୋହୂର ଅଖଣ୍ଡ ସ୍ୱାଧୀନତା ରେ ଶାଶୁ ର ହସ୍ତକ୍ଷେପ କେତେ ଉପକାରୀ ହେଲେବି ଅସହଜ ଲାଗେ ପୁଣି ବୋହୂ ଶାଶୁ ହେଲେ ସେଇ ସବୁର ପୁନରାବୃତ୍ତି l


ଦୁନିଆ ରେ ଖରାପ ଶାଶୁ ବୋହୂ ମାନଙ୍କ ସଂଖ୍ୟା ଅତି ନଗଣ୍ୟ l ନହେଲେ ସର୍ବଦା ଶାଶୁ ଭିତରେ ବୋହୂଟିଏ ତାର ଛାଡି ଆସିଥିବା ମା ର ସତ୍ତା ଖୋଜେ ଏବଂ ବୋହୂ ଭିତରେ ଶାଶୁଟିଏ ତାର ବାହା ହୋଇ ଚାଲି ଯାଇଥିବା ଝିଅଟିକୁ ଖୋଜିଥାଏ l ହେଲେ ଏ ଖୋଜାଲୋଡ଼ା କଥା ପରସ୍ପର ଜାଣି ପାରନ୍ତି ନାହିଁ l ତେଣୁ ଶାଶୁ ସବୁ ଦିନ ପାଇଁ ଶାଶୁ ହିଁ ହୋଇ ରହିଯାଏ ଓ ବୋହୂ ବୋହୂ ହୋଇ ରହିଯାଏ ସିନା ମା ଝିଅ ହୋଇ ପାରନ୍ତି ନାହିଁ l ତା ପରେ ଆରମ୍ଭ ହୁଏ ଦ୍ୱନ୍ଦ୍ୱ ଓ ଶୀତଳ ଯୁଦ୍ଧ l


ଯାହା ହେଲେ ବି ରାଧା କୁ ଲାଗୁ ନଥିଲା ଯେ ମେଘମାଳା କେବେବି ରାଧା ର ଅନିଷ୍ଟ ପାଞ୍ଚିବେ କିମ୍ବା ତା ଉପରେ ରାଗି ପାରିବେ l ମେଘମାଳା ଙ୍କ ଠାରୁ

ଆଶୀର୍ବାଦ ଭିକ୍ଷା କରୁଥିଲା ରାଧା l ଆଉ କେତେବର୍ଷ ପରେ ରାଧା ପୁଣି ମେଘମାଳା ରେ ରୂପାନ୍ତରିତ ହେବ l ପୁଣି ଥରେ ସେଇ ଏକା କାହାଣୀ ର ସୂତ୍ରପାତ l


Rate this content
Log in

Similar oriya story from Tragedy