Sambit Srikumar

Tragedy Inspirational Others

4.0  

Sambit Srikumar

Tragedy Inspirational Others

ମଦ

ମଦ

2 mins
151



ଆମ ଗାଁର ଗୋବିନ୍ଦ ଅଜା ବମ୍ବେ ପୋର୍ଟରେ ଖଲାସି କାମ କରୁଥିଲେ। ଦେଶ ବିଦେଶରୁ ଆସୁଥିବା ଜାହାଜଗୁଡ଼ିକରୁ ମାଲ ଖଲାସ କରିବା ଆଉ ମାଲ ଲଦିବା ତାଙ୍କର କାମ। ହାଡ଼ ଭଙ୍ଗା ଖଟଣି। ରକ୍ତ ହୋଇଯିବ ପାଣି! ଖଟଣିକୁ ନେଇ ବି ରୋଜଗାର ଜୋର୍। ନିତି ରାତିରେ ଶୋଇବା ବେଳେ ମଜରା କାଟିବା ପାଇଁ ଅଜା ଚାରି ଛଅ ଠିପି ଟନିକ ଟିକେ ପାଣି ମିଶେଇ ପିଇ ଦିଅନ୍ତି। ପୁଣି ସକାଳକୁ ଫୁର୍ତ୍ତି, କାମକୁ ଯାଆନ୍ତି ସରସ ମନରେ।

ଭାରି ଖୁସି ମିଜାଜର ଲେକ ସେ, ପୁରା ଯାହାକୁ କହନ୍ତି ଦିଲଦାରିଆ! ବର୍ଷକୁ ଦୁଇ ତିନି ଥର ସେ ଗାଁକୁ ଆସନ୍ତି। ଦି ଚାରିଟା ବସ୍ତା ଭର୍ତ୍ତି କରି ଜିନିଷ ସବୁ ବୋହିକି ଆଣିଥାନ୍ତି ବମ୍ବେରୁ। ସେ ଗାଁକୁ ଆସିଲେ ଟୋକା ବୁଢ଼ା ସଭିଏଁ ଖୁସି! କି ମନ୍ତର ତାଙ୍କୁ ଜଣା ଥିଲା କେଜାଣି, ଗାଁରେ ଥିବା ଯାଏଁ ଲୋକଙ୍କ ଗହଳି ଲାଗି ରହେ ତାଙ୍କ ଘରେ ସବୁବେଳେ!

କିଛି ବର୍ଷର ବ୍ୟବଧାନ ପରେ ଗୋବିନ୍ଦ ଅଜା ଗାଁକୁ ଫେରି ଆସିଲେ ସବୁଦିନ ପାଇଁ ଚାକିରି ଛାଡ଼ି। ଗାଁ ମୁଣ୍ଡରେ ପିଲାମାନଙ୍କୁ ଧରି ଗୋଟେ କ୍ଲବଘର କଲେ ନିଜସ୍ବ ପାଣ୍ଠିରୁ ଓ ସଂଗୃହୀତ ଅର୍ଥରୁ। ଗାଁ ପିଲାମାନଙ୍କୁ ସେବା ମନୋଭାବ ନେଇ ଗାଁର ଉନ୍ନତି ହେତୁ କାମ କରିବାକୁ ପ୍ରେରଣା ଦେବାକୁ ଲାଗିଲେ। ସଭିଏଁ ଏକତାର ସୂତ୍ରରେ ବାନ୍ଧି ହୋଇ ଶପଥ ଗ୍ରହଣ କଲେ ତ୍ଯାଗ ପୁତ ମନୋଭାବ ନେଇ କାମ କରିବାକୁ। ଜାତି ଅଜାତି ଛୁଆଁ ଅଛୁଆଁ ଭେଦଭାବ ଦୂରେଇ ଗଲା ଆପଣା ଛାଏଁ। ଗୋବିନ୍ଦ ଅଜା ଗାଁ ପିଲାମାନଙ୍କର ଅଘୋଷିତ ଗୁରୁ ପାଲଟିଗଲେ କେଇଟା ଦିନରେ। ଗାଁରେ ଗୋଟିଏ ନୂତନ ଯୁଗର ଅୟମାରମ୍ଭ ହେଲା, ସମର୍ପିତ ସେବାର ଯୁଗ!

ଆମ ଗାଁରେ କାହାର କିଛି ଶୁଭ କାମ ହେଲେ ଗାଁ ସାରା ଲୋକେ ସମସ୍ତେ ମିଳି ମିଶି କାମ ଉଠେଇ ଦିଅନ୍ତି। ଛାମୁଡ଼ିଆ ବନ୍ଧା ଠାରୁ ଆରମ୍ଭ କରି ଅତିଥିମାନଙ୍କର ଅଇଁଠା ପତର ଉଠାଇବା ଯାଏଁ ସବୁ କାମ କରନ୍ତି ବିନା କୌଣସି ଦ୍ବିଧା ବା ଖୁସାମତିରେ। କି ରାତି କି ଦିନ ସବୁବେଳେ ସମସ୍ତେ ତୟାର ଥାଆନ୍ତି ପରସ୍ପରକୁ ସାହାଯ୍ୟ କରିବାକୁ ପର ଆପଣା ଭେଦ ଭୁଲି।

ଗାଁ ମୁଣ୍ଡରେ କ୍ଲବଘର ହେଲାପରେ ଏଇ ସାହାଯ୍ୟ କରିବାର ମନୋବୃତ୍ତି ଅଗଠାରୁ ଅଧିକ ବଢିଗଲା। ହେଲେ ଟିକେ କେଁ ରହିଗଲା, ବିନା ନାଲିପାଣିରେ ଆଉ ଗାଁରେ କିଛି ଶୁଭାଶୁଭ କାର୍ଯ୍ୟ ସମ୍ଭବ ହେଲା ନାହିଁ। ବିବାହ, ବ୍ରତ, ଶ୍ରାଦ୍ଧ, ମେଳା, ମଉଛବ କିଛି ବି ବାଦ୍ ପଡ଼ିଲାନି ଏ ଅଲିଖିତ ନିୟମରୁ, ଯାହା କେବଳ ଗୃହକର୍ତ୍ତାଙ୍କୁ ଟିକେ ଅଗ୍ରୀମ ବନ୍ଦୋବସ୍ତ କରିବାକୁ ପଡ଼େ ନାଲିପାଣିର। ଏବେ ଗାଁଟା ଯାକର ସମସ୍ତେ ଖୁସି! ଗୋବିନ୍ଦ ଅଜାଙ୍କ ପରି ଯୁଗପୁରୁଷ ହିଁ ଏହି ବିଶେଷ ଖୁସିର ଉତ୍ସ!

ଏମିତି ଏକ ଖୁସିର ମାହୋଲରେ ଗାଁଟା ଆମର ଆତ୍ମ ବିଭୋର ଥିବା ବେଳେ, ସଭିଙ୍କୁ ଶୋକର ଅଥଳ ସାଗରରେ ଭସାଇ ଦେଇ ଗୋବିନ୍ଦ ଅଜା ବାହୁଡ଼ିଗଲେ ଅଫେରା ରାଇଜକୁ ସଞ୍ଜ ବୁଡ଼ିବା ପରେ ପରେ। ବର୍ଷଣ ମୁଖର ରାତ୍ରୀ, ଦେବୀ ନଦୀ ଦୁଇ କୂଳ ଖାଉଥାଏ। ଅଜା କୁଆଡ଼େ ବନ୍ଧୁ ପରିଜନଙ୍କୁ କହି ଯାଇଥିଲେ କସ୍ମିନ୍ କାଳେ ବାସିମଡା ନକରିବାକୁ ତାଙ୍କୁ!

କାଲି ଯାଏ ଯିଏ ଥିଲେ ସାରା ଗାଁର ଲୋକଙ୍କ ପାଇଁ ଯୁଗପୁରୁଷ, ତାଙ୍କ ପରିବାରବର୍ଗ ସମସ୍ତଙ୍କୁ କରୁଥିଲେ ଆକୁଳ ନିବେଦନ ଅନ୍ତିମ ସଂସ୍କାର ସହଳ କରିବା ପାଇଁ ସୂର୍ଯ୍ୟୋଦୟର ପୂର୍ବରୁ। ସାହି ଭାଇ ଓ ମାଲଭାଇମାନେ ଅଡିବସିଥିଲେ ବିନା ନାଲିପାଣିରେ ଏ ବର୍ଷା ରାତିରେ ଶବକୁ କାନ୍ଧ ଦେବା ସେମାନଙ୍କ ପାଇଁ ସମ୍ଭବ ନୁହେଁ। ବାରି ପଟ ତେନ୍ତୁଳି ଗଛରେ ଗୋବିନ୍ଦ ଅଜାଙ୍କ ଅମର ଆତ୍ମା ଗୁମୁରି ଗୁମୁରି କାନ୍ଦୁଥିଲା କିନ୍ତୁ ଘୋର ବର୍ଷାରେ ସେ କାନ୍ଦ କାହାର କାନକୁ ଶୁଭୁନଥିଲା!

ଗ୍ରାମ୍ୟ ଜୀବନର ସାମାଜିକ ଚଳଣିରେ ନିଶା ପାଣିର ଆଧିପତ୍ଯକୁ ଦେଖି ଗୋବିନ୍ଦ ଅଜାଙ୍କ ସମସ୍କନ୍ଧ ବୟୋବୃଦ୍ଧ ବ୍ଯକ୍ତିମାନଙ୍କ ମନରେ ଅସୁମାରି କୋହ ଭରି ଯାଇଥିଲା। ନିଜ ନିଜର ଲେଉଟାଣି ବିଷୟରେ ଚିନ୍ତା କରିବା ମାତ୍ରକେ ଆଖିରେ ଲୁହ ଜକେଇ ଆସୁଥିଲା।


Rate this content
Log in

Similar oriya story from Tragedy