Laxman Kumar Behera

Tragedy

5.0  

Laxman Kumar Behera

Tragedy

ମୌସୁମୀ

ମୌସୁମୀ

7 mins
379




- ନଡିଆ ରଶି ଆଉ ଟାଙ୍ଗିଆ ଧରି ବର୍ଷାରେ କୁଆଡେ ଯାଉଛୁ ଲୋ ମୌସୁମୀ ?


- କାଠ ପାଇଁ ଜଙ୍ଗଲକୁ ଯାଉଛି ଅଜା । ମାଆ ରଜା କଟାକୁ ଗାଧେଇବା ପାଇଁ ଯାଇଛି । ଭାତ ଚୁହ୍ଲିରେ ବସାଇ ଦେଇଛି ଫୁଟିଲେ ଓହ୍ଲେଇଦେବ ।


- ତୋ ମାଆ ପାଞ୍ଚ ଦିନ ଆଗରୁ ଜଙ୍ଗଲରୁ କାଠ ଆଣିଥିଲା ପରା ।


- ସବୁ କାଠ ସଲାଣି । ଦୁଇ ଖଣ୍ଡ ଥିଲା ଏବେ ତ ଭାତ ବସେଇ ଦେଲି ।


- ଆଜି ପାଠ ପଢିବାକୁ ଯିବୁନି କି ?


- ଆଜି ରବିବାର ଅଜା । ବିଦ୍ଯାଳୟ ଛୁଟି । ମାଆକୁ କହିଦେବ ଆସିଲେ ।


- ହଉ ହଉ ତୁ ଯାଆ ।


( ବର୍ଷାରେ ମୌସୁମୀ ଏକା ଏକା ଜଙ୍ଗଲକୁ ଚାଲିଗଲା । ଟିକିଏ ପରେ ତା'ର ମାଆ ବାଇଝାଲି ଲୁହୁରା ଗାଧୋଇ ସାରି ଘରକୁ ଫେରିଛି । ମୌସୁମୀକୁ ଘରେ ନପାଇ ସାହି ପଟେ ଯାଇଥିବ ଭାବି ବଡ ପାଟିରେ ଡାକ ପକାଇଛି । )


- ମୌସୁମୀ •••, ମୌସୁମୀ ••• ।


- ନାତୁଣୀ ଜଙ୍ଗଲକୁ ଯାଇଛି କାଠ ପାଇଁ ।


- କାହା ସାଙ୍ଗରେ ଗଲା ?


- ଘରୁ ତ ଏକୁଟିଆ ଗଲା । ତା' ସାଙ୍ଗରେ କିଏ ଯିବାର ତ ମୁଁ ଦେଖିନି । ସିପି, ବୁଲି, ମିତା, ଅନୀତାତ ଘରେ ଅଛନ୍ତି । ସେ କାହା ସାଙ୍ଗରେ ଗଲା କେଜାଣି ? ଭାତ ବସେଇ ଦେଇକି ତ ଗଲା ।


- ତୁମେ ସାଙ୍ଗରେ ଗଲନି କ'ଣ ପାଇଁ ।


- ସିଏ ତ ଏକୁଟିଆ ଗଲା । ମୋତେ ଡାକିଲା ନାଇଁ ।


****


( ପ୍ରାୟ ଦେଢ ଘଣ୍ଟା ପରେ ମୌସୁମୀ ମୁଣ୍ଡରେ କାଠ ବିଡାଏ ଆଉ ଅଣ୍ଟିରେ ଛତୁ ଧରି ଫେରିଛି । ଘରେ ତା'ର ମାଆ ବ୍ଯସ୍ତ ହେଉଥାଏ । ମୌସୁମୀକୁ ତା'ର ଅଜା ଦନେଇ ବୁଢା ଦେଖି ବାଇଝାଲି ବୋହୂକୁ ଡାକ ପକାଇଛି । )


- ବୋହୂ •••, ଏ ବୋହୂ ••• । ମୌସୁମୀ ଜଙ୍ଗଲରୁ ଆସିଲା । 


ଏଇ ସମୟରେ ମୌସୁମୀ ଡାକ ଦେଇ କହିଲା, ଏ ମାଆ । ଆସ୍ ଦେଖିବୁ ତ ଛତି ଆଣିଛି ଜଙ୍ଗଲରୁ । ପିଚ, ଭାନୁ, ଅଙ୍ଗାରୁଆ ପାଇଲି । କାଲିକି ବି ଯିବି । ଜଙ୍ଗଲରେ ବହୁତ ଛତି ଫୁଟୁଛି ।


ମୌସୁମୀର ମାଆ ଘର ଭିତରୁ ବାହାରି ଆସି କହିଲା, ଜଙ୍ଗଲକୁ ତୁ ଏକୁଟିଆ କ'ଣ ପାଇଁ ଯାଇଥିଲୁ ? ତୋର ସାଙ୍ଗ ମାନଙ୍କ ସହିତ ଗଲୁନି । ଆଉ କେବେବି ଏକୁଟିଆ ଯିବୁନି ଜଙ୍ଗଲକୁ, ହେଲା । 


- କାହିଁକି ? ଏକୁଟିଆ ଯିବାରେ କ'ଣ ଅଛି । ଆଜି ଏକା ଗଲି ବୋଲି ବହୁତ ଛତି ପାଇଲି । ସାଙ୍ଗ ହେଇକି ଯାଇଥିଲେ ମୁଁ ନାଇଁ ପାଇ ଥାଇତି ଯେ' । ବୁଝିଲୁ ତ ମାଆ ।


ନାଇଁ ଲୋ ଝିଅ ତୁ ଆଉ କେବେବି ଜଙ୍ଗଲକୁ ଯିବୁ ନାହିଁ । ତୋର ଏବର୍ଷ ଦଶମ ପରୀକ୍ଷା । ଆର ବର୍ଷ କଲେଜ୍ ରେ ପଢିବୁ । ତୁ ସରକାରୀ ଚାକିରି କରିବୁ ବୋଲି ତୋ ବାପା ସବୁଦିନେ କହୁଥିଲେ । ତାଙ୍କର ଆଶା ତୁ ପୂରଣ କରିବୁ । ମୁଁ ଯିବି ଜଙ୍ଗଲକୁ କାଠ ସରିଲେ ।


ମୌସୁମୀ ଛୋଟବେଳୁ ତା'ର ବାପାକୁ ହରେଇଛି । ବାପା ରମେଶ ଲୁହୁରା ଏକ ଟ୍ରାକ୍ଟର ଗାଡି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସେତେବେଳେ ମୌସୁମୀକୁ ମାତ୍ର ଛଅ ମାସ ହେଇଥିଲା । ଘରେ ଲୋକ କହିଲେ ତା'ର ଅଜା ଦନେଇ ବୁଢା, ମାଆ ବାଇଝାଲି ଆଉ ସିଏ । ଘରେ ରୋଜଗାରିଆ ମଣିଷ କହିଲେ କେବଳ ତା'ର ମାଆ ଏକଲା । ପ୍ରତି ଦିନ ମଜୁରୀ କରିବାକୁ ଯାଏ ବାଲିନାଳୀ ଗାଆଁକୁ । ଯେଉଁ ଦୁଇ ପଇସା ଆଣେ ସେଇଥିରେ ତାଙ୍କର ପରିବାର ଚଳେ ।


ଦଶମ ଶ୍ରେଣୀ ପରୀକ୍ଷାରେ ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ସାରା ଚହଳ ସୃଷ୍ଟି କଲା ମୌସୁମୀ । ତା'କୁ ଭୁରି ଭୁରି ପ୍ରଶଂସା କଲେ ଅଞ୍ଚଳ ବାସୀ । ସେହିପରି ଯୁକ୍ତ ଦୁଇ ଓ ସ୍ନାତକ ବିଜ୍ଞାନ ବିଭାଗରେ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ଯ ହୋଇ ଜିଲ୍ଲା ପାଇଁ ଗୌରବ ସୃଷ୍ଟି କଲା । ମୁଖରେ ତା'ର ଅଜସ୍ର ଆନନ୍ଦର ଲହରୀ ଖେଳି ଯାଉଥାଏ । ସ୍ନାତକ ପଢିଲା ବେଳେ ସେ କମ୍ପୁଟର ( ପି•ଜି•ଡି•ସି•ଏ• ) ଶିକ୍ଷା ମଧ୍ୟ ସମାପ୍ତ କରି ଦେଇଥିଲା । 


ସରକାରୀ ସ୍ତରର ପ୍ରାୟ ସମସ୍ତ ବିଭାଗରେ ଏମିତି ଦୁଇ ତିନି ବର୍ଷ ଯାଏଁ ଚାକିରି ଟିଏ ପାଇଁ ଆବେଦନ କରି ବାରମ୍ବାର ଅକୃତକାର୍ଯ୍ଯ ହେଲା । ଅକୃତକାର୍ଯ୍ଯ ହେବାର ମୁଖ୍ଯ କାରଣ ବିଦ୍ଯା କି ଶାରୀରିକ ସୁସ୍ଥତା ନୁହଁ ମୋଟା ଅଙ୍କର ଲାଞ୍ଚ ଥିଲା ମୁଖ୍ୟ ସମସ୍ଯା । 


ସେ ପଛୁଆ ବର୍ଗ ଗରିବ ଖଟିଖିଆ ଗାଉଁଲି ବିଧବା ବାଇଝାଲିର ଝିଅ । ସେ କୁଆଡୁ ପାଇବ ଚାରି ଲକ୍ଷ ପାଞ୍ଚ ଲକ୍ଷ ଟଙ୍କା ଯେ, ଚାକିରିଟିଏ ପାଇଁ ଅଫିସର ମାନଙ୍କୁ ଲାଞ୍ଚ ଦେଇ ମନେଇ ପାରିବ । ଏହା ସମ୍ଭବ ନହେବାରୁ ଜିଲ୍ଲାପାଳ କକ୍ଷକୁ ଅନେକ ଥର ଯାଇଛି ଅଭିଯୋଗ ନେଇ । ହେଲେ କିଛି ଫଳ ମିଳିଲାନି ।


ପ୍ରାୟ ଦୁଇ ମାସ ପରେ ତା'ର ସାଙ୍ଗ ମୋନାଲିସା ଠାରୁ ଭୁବନେଶ୍ବରରେ ଥିବା ଏଜେନ୍ସି ( ଆଉଟ୍ ସୋର୍ସିଙ୍ଗ୍ ) ବିଷୟରେ ଜାଣିବାକୁ ପାଇଲା । ସେଠାକୁ ଯାଇ ଦୁଇ ହଜାର ଟଙ୍କା ସହିତ ନିଜର ସମସ୍ତ ଚାକିରି ସମ୍ବନ୍ଧୀୟ ସାର୍ଟିଫିକେଟ୍ ର ନକଲ ଫୋଟ ଦେଇ ନାମ ପଞ୍ଜିକରଣ କରି ଘରକୁ ଖୁସି ମନରେ ଫେରିଲା । ଏଜେନ୍ସି କାର୍ଯ୍ଯାଳୟ ସହିତ ଯୋଗାଯୋଗରେ ରହିଥାଏ ।


ତା'କୁ ଅନେକ ବିବାହ ପ୍ରସ୍ତାବ ଆସୁଥାଏ । ହେଲେ; ନିଜ ଗାଆଁରୁ ଆସିଥିବା ପ୍ରସ୍ତାବଟି ଭଲ ଥିବାରୁ ସେ ବିବାହ ପାଇଁ ରାଜି ହୋଇଥାଏ । 


●●●●●

ଦିନେ ହଠାତ୍ ଏକ ଅଜଣା ନମ୍ବରରୁ ଫୋନ୍ ଆସିଲା । ମୌସୁମୀ ଫୋନ୍ କଲ୍ ଉଠାଇବା ପରେ ଶୁଣିଲା, 


- ମୁଁ ସତିଶ୍ ମହାନ୍ତି ନିର୍ଦ୍ଦେଶକ ••• ସର୍ଭିସ୍ ପ୍ରୋଭାଇଡର୍ ( ଏଜେନ୍ସି/ ଆଉଟ୍ ସୋର୍ସିଙ୍ଗ୍ ) ଭୁବନେଶ୍ବରରୁ କହୁଥିଲି ମାଡାମ୍ । ଆପଣ ମୌସୁମୀ ଲୁହୁରା କହୁଛନ୍ତି କି ?


- ହଁ ଆଜ୍ଞା ମୁଁ ମୌସୁମୀ ଲୁହୁରା କହୁଥିଲି ।


- ଆପଣଙ୍କର ଚାକିରି ହୋଇଯାଇଛି ଆପଣଙ୍କ ଉପ-ଜିଲ୍ଲାପାଳ କାର୍ଯ୍ଯାଳୟରେ ।


- କେଉଁ ପଦବୀରେ ଆଜ୍ଞା ।


- କିରାଣୀ ( ଡି•ଇ•ଓ• - ଡାଟା ଏଣ୍ଟ୍ରି ଅପରେଟର୍ )


- କାଲି ଭିତରେ ଭୁବନେଶ୍ବର ଆସି ପହଞ୍ଚନ୍ତୁ । ଚିଠି ନେଇ ଉପ-ଜିଲ୍ଲାପାଳ କାର୍ଯ୍ଯାଳୟରେ ଯଥାଶିଘ୍ର ନିଯୁକ୍ତି କରି ନିଅନ୍ତୁ । ଆସିଲା ବେଳେ ଷାଠିଏ ହଜାର ଟଙ୍କା ଆଣିଥିବେ ମାଡାମ୍ ।


- ଟଙ୍କା କ'ଣ ପାଇଁ ଆଜ୍ଞା ?


- ଟଙ୍କା ନହେଲେ ନିଯୁକ୍ତି ଚିଠି ଦେଇ ହେବନି । ଆପଣଙ୍କ ଜିଲ୍ଲାର ଜିଲ୍ଲାପାଳ ଆଉ ଉପ-ଜିଲ୍ଲାପାଳଙ୍କୁ ତାଙ୍କ ଆକାଉଣ୍ଟରେ ଟଙ୍କା ପଠାଇବାକୁ ତ ପଡିବ ନା ମାଡାମ୍ । ନହେଲେ କେମିତି ହେବ ଆପଣଙ୍କ ଚାକିରି । ଅତିଶିଘ୍ର ଆସି ଚିଠି ନେଇ ଯାଆନ୍ତୁ । ନହେଲେ ଆମେ ଆପଣଙ୍କ ଜିଲ୍ଲାର ଅନ୍ଯ କୌଣସି ପିଲାକୁ ନିଯୁକ୍ତି ପାଇଁ ଚିଠି ଦେଇ ଦେବୁ ।


- ମୁଁ ଆସନ୍ତା କାଲି ଯେମିତି ହେଲେ ପହଞ୍ଚିବି ଆଜ୍ଞା । ନମସ୍କାର ।


( ସେଦିନ ସେ ଅନ୍ତରାତ୍ମାରେ ଅନୁଭବ କରି ଜାଣିଲା ସମସ୍ତ ସରକାରୀ ଚାକିରି କ୍ଷେତ୍ରରେ ଲାଞ୍ଚ ଦରକାର, ସେ ପିଅନ ଚାକିରି ହେଉ ଅବା ପ୍ରଫେସର୍ ଚାକିରି । ଟଙ୍କା ନ ହେଲେ ଚାକିରି ନାହିଁ । )


ପରିବାରର ସମସ୍ତେ ଶୁଣିଲେ ମୌସୁମୀ ଓ ଏଜେନ୍ସି କାର୍ଯ୍ଯାଳୟରୁ ଆସିଥିବା ଫୋନ୍ କଲ୍ ର କଥୋପକଥନ । ବିବାହ ପାଇଁ ରାଜି ହୋଇଥିବା ପୁଅ ଘର ମୌସୁମୀର ଚାକିରି ହେବା କଥା ଶୁଣି ଭାରି ଖୁସି ହୋଇଗଲେ ।


ପରିବାର ଲୋକେ ଟଙ୍କା ଯୋଗାଡରେ ଲାଗି ଗଲେ । ବିବାହ ପାଇଁ ରଖିଥିବା ସୁନା ଅଳଙ୍କାର ଗୁଡିକୁ ଗାଆଁର ରଘୁ ମାଷ୍ଟ୍ର ପାଖରେ ବନ୍ଧକ ରଖି ତିରିଶ ହଜାର ଟଙ୍କା ଆଣିଲେ । ସବୁ ଜମି ଗୁଡିକୁ ବୀର ଠାଳୁ ପାଖରେ ଚାଳିଶ ହଜାର ଟଙ୍କାରେ ବନ୍ଧା ପକାଇ ମୋଟ୍ ସତୁରି ହଜାର ଟଙ୍କା ଯୋଗାଡ କଲେ ।


ରାତି ଠିକ୍ ନଅଟାରେ ଭୁବନେଶ୍ବର ଅଭିମୁଖେ ନିଜ ମାଆ ସହିତ ବସ୍ ରେ ବାହାରିଲା ମୌସୁମୀ । ମନରେ ତା'ର ଅନେକ ଉତ୍ସାହ । ଚାକିରି କରିବ, ରୋଜଗାର କରି ନିଜ ଗୋଡରେ ନିଜେ ଛିଡା ହେବ । ମାଆ ଆଖିରେ ଆଉ କେବେ ଲୁହ ଆସିବାକୁ ଦେବନି । ଅଜାର ସୁନା ନାତୁଣୀ ହେବ । ମାଆ ଆଉ ଅଜାକୁ ଓଡିଶା ସାରା ବୁଲାଇବ ।


••• ଏମିତି ଅନେକ କଥା ମୌସୁମୀ ଭାବୁଥାଏ । ସକାଳୁ ସକାଳୁ ବସ୍ ଭୁବନେଶ୍ବରର ବରମୁଣ୍ଡା ବସଷ୍ଟାଣ୍ଡ୍ ରେ ପହଞ୍ଚିଲା ।


ଠିକ୍ ଦଶଟାରେ ମୌସୁମୀ ଓ ତା'ର ମାଆ ଏଜେନ୍ସି କାର୍ଯ୍ଯାଳୟରେ ପହଞ୍ଚିଲେ । ମୌସୁମୀ ଭାରି ଖୁସି ଜଣା ପଡୁଥାଏ ।


ସଂସ୍ଥାର ନିର୍ଦ୍ଦେଶକ ମୌସୁମୀ ଆସିଥିବା ଜାଣି ନିଜ ଅଫିସ୍ କୋଠରୀକୁ ପିଅନ ଦ୍ବାରା ଡକାଇ ପଠାଇଲେ ।


- ମୌସୁମୀ ମାଡାମ୍ ଆଜ୍ଞା ଡାକୁଛନ୍ତି ଆସନ୍ତୁ । 


ମୌସୁମୀ ସଙ୍ଗେ ସଙ୍ଗେ ନିର୍ଦ୍ଦେଶକ ସତିଶ୍ ମହାନ୍ତି ବସିଥିବା ସ୍ଥାନକୁ ଗଲା । ସମ୍ମାନ ସ୍ବରୂପ ଦଣ୍ଡବତ ହେଲା । ସେ ଥରୁଥାଏ ଯେତିକି ଡରୁଥାଏ ବି ସେତିକି । ଅଫିସ୍ କୋଠରୀଟି ସଂପୂର୍ଣ୍ଣ ଶୀତ ନିୟନ୍ତ୍ରିତ ହୋଇଥିବାରୁ ଦେହର ଝାଳ ତା'ର ହଠାତ୍ ଶୁଖିଗଲା । ସାମ୍ନା ଚୌକିରେ ବସିବା ପାଇଁ ନିର୍ଦ୍ଦେଶକ କହିବାରୁ ଧନ୍ଯବାଦ୍ ଜଣାଇ ସେ ବସିଗଲା ।


- ଆଗରୁ କମ୍ପୁଟର୍ ଟାଇପିଙ୍ଗ୍ ଟେଷ୍ଟ ସବୁ ସରିଛି ତ ମାଡାମ୍ ? 


- ହଁ ଆଜ୍ଞା, ପଞ୍ଜୀକରଣ ବେଳେ ସରିଛି ।


- ଚିଠି ନେଇ ନିଯୁକ୍ତି ପାଇଲା ପରେ ଅଫିସର୍ ଯାହା କହିବେ ସବୁ କଥା କରିବ । ବେଶି ଛୁଟି ନେବ ନାହିଁ । ମାସକୁ ମାସ ଦରମା ହେବ । ବ୍ଯସ୍ତ ହେବ ନାହିଁ । ତୁମର ଏ ଚାକିରିରେ ଉପୁରି ଦୁଇ ପଇସା ଅଛି । ବର୍ଷେ ଭିତରେ ତୁମର ଭାଗ୍ଯ ବଦଳି ଯିବ । ହଉ ଟଙ୍କା ଆଣିଛନ୍ତି ତ ? 


- ହଁ ଆଜ୍ଞା ଆଣିଛି ।


ସତିଶ୍ ମହାନ୍ତିଙ୍କ ହାତକୁ ଷାଠିଏ ହଜାର ଟଙ୍କା ମୌସୁମୀ ବଢାଇ ଦେଲା ପରେ •••


- ଚିଠି ଟାଇପ୍ ଚାଲିଛି । ଅଧଘଣ୍ଟା ଭିତରେ ନିଯୁକ୍ତି ଚିଠି ପାଇଯିବେ ।

 ବାହାରେ ଟିକିଏ ଅପେକ୍ଷା କରନ୍ତୁ । ମୁଁ ଆପଣଙ୍କ ଜିଲ୍ଲାର ଜିଲ୍ଲାପାଳ ଆଉ ଉପ-ଜିଲ୍ଲାପାଳଙ୍କ ସହିତ ଟିକିଏ ଫୋନ୍ ରେ କଥା ହେଇ ଜଣାଇ ଦିଏ । ମେଲ୍ ସେମାନଙ୍କ ପାଖକୁ ଯିବ ନହେଲେ ଆପଣଙ୍କୁ ନିଯୁକ୍ତି ଦେବେ ନାହିଁ ।


- ହଉ ଆଜ୍ଞା ମୁଁ ବାହାରେ ଅପେକ୍ଷା କରୁଛି, ନମସ୍କାର ।


ଅଧଘଣ୍ଟା ପରେ ସଂସ୍ଥା ତରଫରୁ ଏକ ଚିଠି ଧରି ମାଆ ବାଇଝାଲି ସହିତ ବସ୍ ରେ ନିଜ ଗାଆଁ ଅଭିମୁଖେ ବାହାରିଲା ମୌସୁମୀ । ଆଖିରୁ ତା'ର ଲୁହ ଆପେ ଆପେ ଖସି ପଡୁଥାଏ । ଟଙ୍କା ଦେଇ ସରକାରୀ ଚାକିରି କରିବା କଥାଟା ମୌସୁମୀର ମନକୁ ଜମା ଭଲ ଲାଗୁ ନଥାଏ ।


ସେ ଭାବୁଥାଏ ମୋ ଭଳି କ'ଣ ସବୁ ଜିଲ୍ଲାରେ ପିଲାମାନେ ଟଙ୍କା ଦେଇ ସରକାରୀ କାର୍ଯ୍ଯାଳୟରେ ଚାକିରି କରୁଛନ୍ତି । ଭୁବନେଶ୍ବରରେ ଏଇ ଗୋଟିଏ ଏଜେନ୍ସି/ ଆଉଟ୍ ସୋର୍ସିଙ୍ଗ୍ ସଂସ୍ଥା ନା ଆଉ ମଧ୍ୟ ଅଛି ? ଏମିତି ନିଡକୁ ନିଜେ ଅନେକ ପ୍ରଶ୍ନ ପଚାରି ଚିନ୍ତିତ ହୋଇ ତା' ମୁଣ୍ଡକୁ ବ୍ଯଥା ଦେଉଥାଏ ।


ଦୁଇ ଦିନ ପରେ ଉପ-ଜିଲ୍ଲାପାଳ କାର୍ଯ୍ଯାଳୟରେ ଡି•ଇ•ଓ• ( ଡାଟା ଏଣ୍ଟ୍ରି ଅପରେଟର୍ ) ଭାବରେ ମୌସୁମୀ ନିଯୁକ୍ତି ପାଇଲା । ଗାଆଁ ରେ ସମସ୍ତେ ତା'ର ଗୁଣଗାନ କଲେ । ଉତ୍ତମ ଚରିତ୍ରର ଝିଅଟି, ତା' ଘରର ମାନ ବଢାଇଲା । ସରକାରୀ ଚାକିରି ପାଇଲା, ଘରର ଅଭାବ ତା'ର ଦୂର ହେଲା ଇତ୍ଯାଦି କଥା ଲୋକେ ଗାଇ ହେଲେ । 


ଏମିତି ଦୁଇମାସ ବିତିଗଲା ପରେ ସେ ନିଜ ଗାଆଁର ପିଲା ମଦ ପିଉଥିବାରୁ ତା'କୁ ବିବାହ ପାଇଁ ମନା କରିଦେଲା । ଝାରସୁଗୁଡା ଜିଲ୍ଲାର ବେଦାନ୍ତ କୋମ୍ପାନୀ ରେ ଉଚ୍ଚ ପଦରେ ନିଯୁକ୍ତି ପାଇଥିବା ବିରେନ୍ ସହିତ ତା'ର ବିବାହ ଠିକ୍ ହେଇଗଲା ।


ବିରେନ୍ ର ଘର ତା' ଘରଠାରୁ ମାତ୍ର ଦେଢ କ୍ରୋଶ ଦୂର । ମୌସୁମୀ ଓ ତା' ପରିବାର ବାହାଘରକୁ ନେଇ ବହୁତ୍ ଖୁସି ଥାନ୍ତି । 


ବିବାହର ଦୁଇଦିନ ପୂର୍ବରୁ ମୌସୁମୀ ଜାଣିଲା ଯେଉଁ ଏଜେନ୍ସିରୁ ସେ ଚାକିରି ପାଇଥିଲା, ସେ ଏଜେନ୍ସି ତା'କୁ ଚାକିରିରୁ ବାହାର କରି ଦେଇଛି ।


ନିଜ ଗାଆଁ, ଆଖପାଖ ଅଞ୍ଚଳ ତଥା ବନ୍ଧୁବାନ୍ଧବ ଏ ସମ୍ବାଦ ଜାଣିଗଲେ । ବିବାହ ପାଇଁ ବନ୍ଧୁ ଘର ଲୋକେ ମନା କରିଦେଲେ । ମୌସୁମୀର ଦେହ ଭଲ ରହିଲା ନାହିଁ । ଘର ଲୋକେ ଡାକ୍ତରଖାନାକୁ ନେଇ ରକ୍ତ ପରୀକ୍ଷା କରିବାରୁ ଜାଣିଲେ ଯେ' ମୌସୁମୀକୁ ମ୍ଯାଲେରିଆ ହୋଇଛି । ମ୍ଯାଲେରିଆ ଔଷଧ-ବଟିକା ଧରି ସମସ୍ତେ ଗାଆଁକୁ ଫେରିଲେ ।


ଘରେ ପହଞ୍ଚି ଏକୁଟିଆ ମନ ମାରି ବସିଛି ଏଇ ସମୟରେ ମୌସୁମୀର ସହପାଠିନୀ ଜୁଲ୍ଲୀ ଫୋନ୍ କରି କହିଲା, 


- ହଇହୋ ସାଙ୍ଗ ତୁମର ଚାକିରି ଚାଲିଗଲା ପରା । ଦୁଃଖ ନାଇଁ କର । ମୁଁ ଏବେ ଆନ୍ଧ୍ରପ୍ରଦେଶରେ ଏକ କୋମ୍ପାନୀ ରେ କାମ କରୁଛି । ମାସକୁ ବାର ହଜାର ଟଙ୍କା ପାଉଛି । ଏଠାରେ ବହୁତ ଝିଅ କାମ କରୁଛନ୍ତି । ତୁମେ ବି ଆସ ମିଶିକି ରହିବା । ଲୋକେ ଦାଦନ ବୋଲି କହିବେ ତ ? କୁହନ୍ତୁ । ଯିଏ ଯାହା କହିଲେ ବି ନିଜର ଆଉ ପରିବାରର ପେଟ ପୋଷିବାକୁ ତ ପଡିବ ନା । ଯଦି ଆସିବ ମୋତେ ଜଣାଇବ । 


ସବୁକଥା ଶୁଣି ଫୋନ୍ କଲ୍ ବନ୍ଦ କରି କିଛି ସମୟ ନିରବ ରହି ସକେଇ ସକେଇ କାନ୍ଦି ଉଠିଲା ମୌସୁମୀ । ଆଉ ଭବିଷ୍ୟତ କଥା କିଛି ନ ଭାବି ପାଖରେ ଥିବା ମ୍ଯାଲେରିଆ ବଟିକା ଗୁଡିକୁ ଏକାଥରକେ ପାଟିରେ ଭର୍ତ୍ତିକରି ପାଣି ପିଇ ଖଟ ଉପରେ ତକିଆଟିଏ ଧରି ଗାଢ ନିଦ୍ରାରେ ଶୋଇ ଗଲା ।



Rate this content
Log in

Similar oriya story from Tragedy