Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Binay Mohapatra

Others Inspirational


3  

Binay Mohapatra

Others Inspirational


ମାୟାମୁକ୍ତି

ମାୟାମୁକ୍ତି

12 mins 224 12 mins 224

ଭଜ ଗୋବିନ୍ଦଂ, ସ୍ମର ଗୋବିନ୍ଦଂ, ଗୋବିନ୍ଦଂ ଭଜେ ମୁଢମତେ ... - ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କର ଏଇ ଗୀତଟି କିଏ ଜଣେ ବନ୍ଧୁ ହ୍ୱାସଅପରେ ସେୟାର କରିଥିଲେ । ସୁଧାକରବାବୁ ଏଇ ଥରକୁ ମିଶାଇ ଗୀତଟାକୁ ପ୍ରାୟ ପନ୍ଦର ଥର ଶୁଣି ସାରିଲେଣି । ପ୍ରଥମେ ଥରେ ଦି'ଥର ମୋବାଇଲରେ ଫୁଲ ଭଲ୍ୟୁମରେ ଶୁଣିଲା ପରେ ଯେତେବେଳେ ତୃତୀୟ ଥର ପାଇଁ ପ୍ଲେ କଲେ ସେତେବେଳେ ମିସେସ୍ ପୂଜାଘର ଭିତରୁ ବଡପାଟିଟାଏ କରି କହିଲେ, ଗୀତଟା ଯଦି ଏତେ ଭଲଲାଗୁଛି ତେବେ କାନରେ ଇଅରଫୋନ ଲଗେଇ ଶୁଣ । ମୁଁ ଏଇଠି ଧ୍ୟାନ ଲଗେଇ ପୂଜାକରି ପାରୁନି । ସାନପୁଅ ସକାଳ ଚା’ କପ୍ ଟା ଆଣି ସେଣ୍ଟର ଟେବୁଲ ଉପରେ ରଖିଦେଇ କହିଲା, ବାପା ଚା'! ଭାଉଜ କହିଲେ ଆଜି ଆଉ ଚା' ମିଳିବନି । ଏଇଟାକୁ ମିଶେଇ ସକାଳୁ ତୁମେ ଚାରି କପ୍ ଚା' ଅଲରେଡି ପିଇ ସାରିଲଣି । ଏତିକି କହି ସେ ସାମ୍ନା ସୋଫା ଉପରେ ବସିପଡିଲା । ଟିଭି ରିମୋଟଟା ସୁଧାକରବାବୁଙ୍କ ହାତରୁ ନେଇ ନିଉଜ୍ ଚାନେଲଟାକୁ ବଦଳେଇ ସ୍ପୋର୍ଟସ ଚାନେଲକୁ କରିଦେଲା । କହିଲା ନିଉଜିଲ୍ୟାଣ୍ଡରେ କ୍ରିକେଟ ମ୍ୟାଚର ଲାଇଭ ଟେଲେକାଷ୍ଟ ଦେଖିବ । ସୁଧାକରବାବୁ ଅଗତ୍ୟା ଅନ୍ୟଉପାୟ ନଦେଖି ଇଅରଫୋନ କାନରେ ଲଗାଇ ବାରଣ୍ଡାକୁ ଉଠିଗଲେ ।

ଯେତେଥର ଶୁଣିଲେ ବି ଗୀତଟା ପ୍ରତିଥର କିଛିନା କିଛି ନୁଆ ଚେତନା ଭରିଦେଉଥିଲା ହୃଦୟ ଭିତରେ, କେତେ ସୁନ୍ଦରଭାବେ ବୁଝେଇ ଦେଇଛନ୍ତି ଶଙ୍କରାଚାର୍ଯ୍ୟ । ମାୟାଟା ଭ୍ରମ, ଆଉ ଏଇ ଭ୍ରମ ଭିତରେ ମଣିଷ ପୁରା ଜୀବନ ବିତେଇ ଦେଉଛି । ଆଖିରେ ଅନ୍ଧପୁଟୁଳି ବାନ୍ଧିନେଇଛି । ଆଉ ସେଇ ବନ୍ଦଆଖିରେ କେବଳ ଧନ ଦାରା ସୁତର ସ୍ୱପ୍ନ ଆଉ ମୋହ ମାୟାର ବନ୍ଧନ । ୩୦ ବର୍ଷର ଚାକିରୀକାଳ ଭିତରେ କ'ଣ କରିଛନ୍ତି ସୁଧାକରବାବୁ ?

ଅଧ୍ୟାପକ ଚାକିରୀରେ ସକାଳୁ ସଂଜଯାଏ କ୍ଲାସ ପରେ କ୍ଲାସ, କଲେଜ ସରିଲା ପରେ କୋଚିଙ୍ଗ କ୍ଲାସ ତାପରେ ରାତି ନଅଟାରେ ଘରେ ପହଞ୍ଚିଲା ପରେ କ'ଣ ଟିକିଏ ଖାଇଦେଇ ପୁଣି ସେହି ବହିମାନଙ୍କର ଭିତରେ ହଜିଯାଉଥିଲେ ଜ୍ଞାନର ସନ୍ଧାନରେ । ଫିଜିକ୍ସର ପ୍ରାଧ୍ୟାପକ ଥିଲେ, ଢେର ଜ୍ଞାନ ଅର୍ଜନ କରିଛନ୍ତି ନିଜ ସବଜେକ୍ଟରେ, ହେଲେ ‘ବିଷୟ’ ବାସନାରେ ଏମିତି ମଗ୍ନ ରହିଗଲେ ଯେ ଅସଲ ଜ୍ଞାନ ଟିକିଏ ବି ଅର୍ଜନ କରିପାରିଲେନି । ସେଇ ପ୍ରଭୁଙ୍କ ଜ୍ଞାନ, ବିଷୟାଶକ୍ତ ମାୟାର ସଂସାର ବିଷୟରେ ଜ୍ଞାନ କିମ୍ବା ମୁକ୍ତି ମାର୍ଗର ଗୁଢ ତତ୍ତ୍ୱଜ୍ଞାନରୁ କାଣିଚାଏ ବି ଅର୍ଜନ କରିପାରିଲେନି । ବଡ ବିତୃଷ୍ଣାଭାବ ଆସିଗଲା ନିଜର ଜୀବନ ପ୍ରତି । ଏତେ ବଡ ଘର ତିଆରି କରିଦେଲେ, ହେଲେ ନିଜ ହୃଦୟ ମନ୍ଦିରର ଚଉକାନ୍ଥକୁ ଏମିତି ଖୋଲା ଛାଡିଦେଲେ ଯେ ଓଲେଇ ଗାଈ ପରି ମାୟା ପଶିଗଲା ହୃଦୟ ଭିତରେ, ସବୁ ଅନ୍ଧାର କରିଦେଲା । ଜ୍ଞାନର ଦୀପଟିଏ ବି ଜଳାଇ ପାରିଲେନି ମନ ମନ୍ଦିରରେ, ହୃଦୟ ଭିତରେ । ଶେଷଥର ପାଇଁ କେବେ ମନ୍ଦିର ଯାଇଥିଲେ ମନେ ନାହିଁ । ଏଇ ଭୁବନେଶ୍ୱରରେ ଅଧା ଜୀବନ କଟିଗଲା ତାଙ୍କର । ହେଲେ ଜଗନ୍ନାଥଙ୍କ ଦର୍ଶନ ଦୁଇ ଚାରି ଥରରୁ ବେଶି କରି ପାରି ନାହାନ୍ତି । ପୁରୀ ଏଇଠୁ କେତେ ଦୂର ? ରାସ୍ତା ସିନା ଦୂର ନୁହେଁ, ହେଲେ ବିଜ୍ଞାନର ଏଇ ବସ୍ତୁଜ୍ଞାନ ଭଗବାନଙ୍କ ଠାରୁ, ବାସ୍ତବ ଦୁନିଆରୁ ତାଙ୍କୁ ଆଜିଯାଏ ଦୂରେଇ ରଖିଛି ।

ଧନ-ଦାରା-ସୂତ, ଏଇତ ମାୟା ! ସେଇ ମାୟାରେ ଫଶିଯାଇ ମଣିଷ ଜାଣି ପାରେନା ଧନ ଲାଗି ପୁତ୍ରବି ଦିନେ ଶତ୍ରୁ ପାଲଟିଯାଏ । ଯେ ପର୍ଯ୍ୟନ୍ତ ଅର୍ଜନକ୍ଷମ ରହିଛ ସେପର୍ଯ୍ୟନ୍ତ ସମସ୍ତେ ସମ୍ମାନ ଦେବେ, ଖାତିରି କରିବେ । ଯେଉଁ ଦିନ ଅବସର ନେଇଯିବ, ଅର୍ଜନ ଅକ୍ଷମ ହୋଇଯିବ, ସେହି ଦିନଠାରୁ କେହି ପଚାରିବେନି ବାସି ମୁହଁରେ, କେହି ଶୁଣିବେନି ତୁମକଥା । ସୁଧାକର ବାବୁଙ୍କର ଅବଶ୍ୟ ସେପରି ପରିସ୍ଥିତି ଆସିନି କିମ୍ବା ଆସିବାର ସମ୍ଭାବନା କମ୍, କାରଣ ସେ ସରକାରୀ କର୍ମଚାରୀ ଥିଲେ, ଏବେ ବି ପେନସନ ଗଣ୍ଡାକ ମିଳୁଛି । ମଲାଯାଏ ଏମିତି ମିଳୁଥିବ । କିଛି ସେଭିଙ୍ଗସ ବି ଅଛି ଭଲମନ୍ଦରେ କାହାର ସାହାଯ୍ୟ ଲୋଡିବାକୁ ପଡିବନି । ହେଲେ ସମସ୍ତେ ତ ସରକାରୀ ଚାକିରୀଆ ନୁହଁନ୍ତି । ସେଦିନ ରାସ୍ତାରେ ତାଙ୍କର କଲେଜପଢା ଦିନର ସାଙ୍ଗ ବୃନ୍ଦାବନ ସାଙ୍ଗରେ ଦେଖାହୋଇଗଲା, ସେ କହୁଥିଲା ତା’କଥା । ପିଲାମାନେ କେହି ପଚାରିଲେନି । ଘରେ କେହିବି ସମ୍ମାନ ଦେଲେନି । ଖାଇବା ଗଣ୍ଡାକ ପାଇଁ ବି ପଚାରନ୍ତି ନାହିଁ । ଭୋକ ଲାଗିଲେ ଖାଇବାକୁ ମାଗିବାକୁ ପଡୁଥିଲା । ସେଇଥି ପାଇଁ ସେ ନିଜ ଘରଛାଡି ସ୍ତ୍ରୀକୁ ସାଥିରେ ଧରି ଭଡାଘରେ ରହୁଛି । ରାସ୍ତାକଡରେ ଟେବୁଲଟିଏ ପକେଇ ଚା' ଦୋକାନଟିଏ କରିଛି । ସେଥିରୁ ଯାହା ରୋଜଗାର ହେଉଛି ବୁଢାବୁଢି ଚଳି ଯାଉଛନ୍ତି, ହେଲେ ଏମିତି ଆଉ କେତେ ଦିନ ହାତଗୋଡ ଚାଲୁଥିବ, ୬୫ ବର୍ଷ ହୋଇଗଲାଣି ବୃନ୍ଦାବନକୁ ।

ସାରା ଜୀବନ ପ୍ରାଇଭେଟ ଚାକିରୀରେ ଖଟିଖଟି ବଡପୁଅକୁ ଇଞ୍ଜିନିୟର କଲା, ସାନଟା ସି.ଏ କରି ବ୍ୟାଙ୍କରେ ବଡ ଅଫିସରଟିଏ ହୋଇଛି । ଝିଅକୁ ପୋଷ୍ଟଗାଜୁଏଟ୍ କରେଇ ଯୋଗ୍ୟ ବର ଦେଖି ବାହାଘର କରିଦେଲା । ଝିଅ ଏବେ କେଉଁ ପ୍ରାଇଭେଟ କଲେଜରେ ଲେକ୍ଚରର ଅଛି । ମଝିରେ ମଝିରେ ଆସେ, ଦେହପା’ ଖବର ବୁଝିଯାଏ, ଗଲାବେଳେ କିଛି ଟଙ୍କା ପଇସା ମାଆ ହାତରେ ଦେଇଯାଏ, କେବେ କେବେ କିଛି ଟଙ୍କା ପଠେଇଦିଏ । ବାପା ମାଆଙ୍କ ପାଇଁ ଭାଇମାନଙ୍କ ସହିତ ଝଗଡା କରିଥିଲା ସିଏ । ସେମାନଙ୍କୁ କେତେ ବୁଝେଇଥିଲା, ବୁଢା ବାପା ମାଆଙ୍କର ଯତ୍ନ ନେବାକୁ, ପାଖରେ ରଖିବାକୁ, ହେଲେ କେହି ଶୁଣିଲେନି । ସେଇଥିପାଇଁ ଭାଇମାନଙ୍କ ସାଥିରେ ସମ୍ପର୍କ ତୁଟେଇ ଦେଲା । କହିଲା ସେଇ ବାପ ମାଆଙ୍କ ଲାଗି ଆମେ ସିନା ଭାଇ ଭଉଣୀ । ସିଏ ମୋର ବାପା ତୁମର ବି । ହେଲେ ତୁମେ ଯଦି ତାଙ୍କ ସାଙ୍ଗେ ପୁଅର ସମ୍ପର୍କ ରଖିପାରୁନ ତେବେ ତୁମେ ମୋର ଭାଇ କେମିତି ହେବ ?

ଝିଅ ଡାକୁଥିଲା ବୃନ୍ଦାବନକୁ, କହିଲା ବାପା, ତୁମେ ମୋତେ ପୁଅଟିଏ ପରି ପାଳିଥିଲ, ପଢେଇଲ ଲେଖେଇଲ ବାହାଦେଲ । ମୁଁ ଆଜି ଚାକିରୀ କରିଛି, ବର୍ଷେ ଦି'ବର୍ଷ ଭିତରେ ସରକାର ଆମ କଲେଜଟାକୁ ହାତକୁ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି । କିଛି ନହେଲେ ତୁମ ଜୋଇଁ ବି ତ ଭଲ ଚାକିରୀ କରିଛନ୍ତି । ମୋର କୋଉଥିରେ କିଛି ଅଭାବ ନାହିଁ । ତୁମେ ଚାଲ ମୋ ସାଙ୍ଗରେ ରହିବ । କିଛି ଅସୁବିଧା ହେବନି ତୁମର ସେଇଠି । ଜୋଇଁ ବି ବହୁତ ଜୋର କରୁଥିଲେ । ହେଲେ, ବୃନ୍ଦାବନ ମନା କରିଦେଲେ । କହିଲେ ମାଆରେ, ବାପ ଯାଇ ଝିଅଘରେ ରହିବ, ଲୋକେ କ'ଣ କହିବେ ? ପୁଅମାନଙ୍କୁ ନିନ୍ଦା କରିବେ । ମୋ ପାଳନ ପୋଷଣଙ୍କୁ ଦୋଷ ଦେବେ । କହିବେ ପୁଅମାନଙ୍କୁ ଏତେ ଉଚ୍ଚ ଶିକ୍ଷା ଦେଲା, ହେଲେ ମାଆ ବାପାଙ୍କୁ କେମିତି ସମ୍ମାନ କରନ୍ତି ସେତିକି ଶିକ୍ଷା ଦେଇ ପାରିଲାନି । ଝିଅ ସେତେବେଳେ ଅଭିମାନ କରିଥିଲା । କହିଲା ବାପା, କୋଉ ସମାଜକଥା କହୁଛ ତୁମେ ? ତୁମେ ପୁଅମାନଙ୍କୁ ପଢେଇ ଲେଖେଇ ଏତେ ବଡ କଲ, ତୁମ ଲାଗି ଆଜି ସେମାନେ ବଡ ବଡ ଚାକିରୀ କରୁଛନ୍ତି, ବହୁତ ରୋଜଗାର କରୁଛନ୍ତି, କାରରେ ବୁଲୁଛନ୍ତି ହେଲେ ବୁଢାବାପା ଏଠି ଭାତମୁଠାକ ପାଇଁ ସକାଳୁ ସଂଜଯାଏ ଚା’ ଦୋକାନ କରୁଛି, ସେ ପୁଅମାନଙ୍କୁ ଲାଜ ଲାଗୁନି । ଆଉ ଏ ନିର୍ଲଜ ସମାଜ ଏସବୁ ଦେଖି ସେମାନଙ୍କୁ କିଛି ବି ପଦେ କହି ପାରୁନି, ତୁମେ ସେଇ ସମାଜକୁ ଡରି ନିଜ ଝିଅ ସାଥିରେ ରହି ପାରିବନି । ଧୀକ୍ ଏପରି ସମାଜକୁ ।

ବୃନ୍ଦାବନ ଝିଅକୁ ପାଖକୁ ଆଉଜାଇ ନେଇଥିଲେ, ତାର ମଥାରେ ଚୁମାଟିଏ ଦେଇ କହିଲେ, ମାଆରେ ସମାଜ ସବୁ ଦିନ ଏମିତି, ତାର କିଛି ଦୋଷ ନାହିଁ । ଏଇ ସମାଜ ପୁଅର ମାୟାରେ, ଝିଅମାନଙ୍କୁ ସବୁବେଳେ ହତାଦର କରିଆସିଛି । ସମାଜର ଯଦି ଆଖି ଥାଆନ୍ତା, ସେ ଆଜି ତୋତେ ଦେଖି ପାରନ୍ତା, କିନ୍ତୁ ସମାଜର ନା’ ଆଖିଥାଏ ନା’ କାନ ? ଖାଲି ପାଟିଟାଏ ଥାଏ କହିବାକୁ । ଛାଡ ସେକଥା, ଦେଖ ମୋର ହାତଗୋଡ ଏବେ ଚାଲୁଛି, ଦି’ପ୍ରାଣୀଙ୍କ ପାଇଁ ଯେତିକି ଦରକାର ପ୍ରଭୁ ସେତକ ଦେଉଛନ୍ତି । ଯେତେବେଳେ ହାତଗୋଡ ଅଚଳ ହୋଇଯିବ, ସେତେବେଳେ ଆଉ କୁଆଡେ ଯିବୁ ? ତୋରି ପାଖକୁ ଆସିବୁରେ ମାଆ । ତୁ ବାପା ମାଆଙ୍କ ବିଷୟରେ ଏତିକି ଭାବୁଛୁ, ସେଥିପାଇଁ ମୋ ଛାତି କୁଣ୍ଡେମୋଟ ହୋଇଯାଉଛି, ଗର୍ବରେ ମୋ ମୁଣ୍ଡ ଉଚ୍ଚା ହୋଇଯାଉଛି । ତୋପରି ଝିଅ ଜନ୍ମକରି ଆମେ ଦିଜଣ ନିଜକୁ ଭାଗ୍ୟବାନ ମନେକରୁଛୁ । ପ୍ରଭୁଙ୍କୁ ଡାକୁଛି, ସେ ସମସ୍ତଙ୍କୁ ତୋରି ପରି ଝିଅଟିଏ ଦିଅନ୍ତୁ । ଏତିକି କହୁ କହୁ ବୃନ୍ଦାବନର ଆଖି ଜକେଇ ଆସିଥିଲା । କୋହ ଚାପିଦେଉଥିଲା ତାଙ୍କର ଗଳା ।


ବଡ ଭାବାବିହ୍ୱଳ ହୋଇଯାଇଥିଲେ ସୁଧାକରବାବୁ । ବିଚରା ସନ୍ତାନର ମାୟାରେ ଏମତି ଛନ୍ଦି ହୋଇଗଲା ଯେ ଜୀବନର ସବୁ ପୁଞ୍ଜି ସେମାନଙ୍କ ପଛରେ ଖର୍ଚ୍ଚ କରଦେଲା । ନିଜ ଜୀବନର ପ୍ରତିଟି ମୁହୁର୍ତ୍ତକୁ, ପ୍ରତିଟି ସ୍ୱେଦ କଣିକାକୁ ସମର୍ପଣ କରିଦେଲା ନିଜର ପିଲାଙ୍କ ଭବିଷ୍ୟତ ଗଢିବାକୁ । ନିଜ ଭବିଷ୍ୟତ ପାଇଁ କଣିଚାଏ ବି ସଞ୍ଚୟ କରିପାରିଲାନି । ନିଜର ରକ୍ତକୁ ଦି’ପହର ଧୂ ଧୂ ଖରାରେ, ହାଡଭଙ୍ଗା ଶୀତରେ ଏମିତି ଜାଳିଦେଲା ପିଲାମାନଙ୍କର ଜୀବନକୁ ଆଲୋକିତ କରିବାକୁ, ହେଲେ ନିଜର ବାର୍ଦ୍ଧକ୍ୟ ଅନ୍ଧକାରମୟ ହୋଇଗଲା । ସେ କେତେ ଭୂଲ ଥିଲା ସତରେ ? ଭାବୁଥିଲା ଏଇ ପିଲାଏ ମୋର ଭବିଷ୍ୟତ, ପିଲାଏ ମୋର ଅସଲ ପୁଞ୍ଜି, ଜୀବନର ସକଳ ସମ୍ପଦ, ହେଲେ ଆଜି, ସିଏ ନିଜେ କଙ୍ଗାଳ ନିଶ୍ୱ ରହିଗଲା ! ପେଟପାଇଁ ଦୁଇ ବକତର ଦାନା ଦିମୁଠା ଜୋଗାଡ କରିବାକୁ ଆଜିବି ଏଇ ବୟସରେ ଏମିତି ରାସ୍ତା କଡରେ, ଖୋଲା ଆକାଶ ତଳେ, ଶୀତ କାକର ବର୍ଷାରେ ଭିଜି ଭିଜି କାଠର ଟେବୁଲଟା ଉପରେ କିରାସିନ ଷ୍ଟୋଭରେ ପମ୍ପ ଭରୁଚି, ଚା ଫୁଟେଇବାକୁ ।


ସତରେ ଏଇ ମାୟା କେତେ ମଝଭୂତ ! ଏ ଭ୍ରମ କେତେ ତୀବ୍ର ! ଏଇ ଭ୍ରମ ଆଗରେ ଚିରନ୍ତନ ସତ୍ୟ ସତେ କେତେ ଫିକା ପଡିଯାଏ ! ମଣିଷ ଜଳ ଜଳ କରି ଦେଖୁଥିଲେ ବି ଜାଣିପାରେନା ଯାହାଦେଖୁଛି, ଯାହା ଶୁଣୁଛି, ଯାହା ଅନୁଭବ କରୁଛି ସେସବୁ ମିଥ୍ୟା, ସେସବୁ ଦୃଷ୍ଟି ଭ୍ରମ । ସୁଧାକର ବାବୁ ପ୍ରକୃତିସ୍ଥ ହେବାକୁ ଚେଷ୍ଟା କରୁଥିଲେ, ହେଲେ ବାରମ୍ବାର ବୃନ୍ଦାବନର ଚେହେରା ଆଖି ଆଗରେ ଦିଶିଯାଉଥିଲା । ତାର ସେଇ ଲୋଚା ପଡିଯାଇଥିବା ମଳିନ ମୁହଁଟା, କୋଟର ଭିତରେ ପଶିଯାଇଥିବା ଦୁଇଟି ନୀରିହ ଆଖି, ସତେ ଯେପରି କହୁଛି ପ୍ରଭୁଙ୍କର ଏ କିପରି ଲୀଳା ? ମୟା ସୃଷ୍ଟି କଲେ, ବହୁତ ଭଲ କଲେ ! ମାୟା ନଥିଲେ ବିଚରା ଏଇ ସନ୍ତାନମାନେ ଅନାଥ ହୋଇଯାଇ ଥାଆନ୍ତେ । କିନ୍ତୁ ଏ ମାୟା କେବଳ ବାପ ମାଆଙ୍କ ପାଇଁ କାହିଁକି ଲାଗୁ ହୁଏ ? ସନ୍ତାନମାନଙ୍କ ମନରେ ବାପା ମାଆ ପ୍ରତି ଏ ମାୟା କାହିଁକି ଲାଗିପାରନା ? ଏଇ ମାୟାଟା ପ୍ରଭୁଙ୍କ ଲୀଳା, ନା’ ମନୁଷ୍ୟର ଇଚ୍ଛାକୃତ ? ମାୟା କଣ ମଣିଷର ଅଧୀନ ? ମଣିଷ ଯେଉଁଠି ଚାହିଁବ ମାୟା ଲଗାଇ ପାରିବ, ଯେଉଁଠି ନଚାଁହିବ ସେଇଠି ଲାଗିବ ନାହିଁ ! ଫିଜିକ୍ସର ଅଧ୍ୟାପକ ହୋଇ ମଧ୍ୟ ଏଇ ବିଚିତ୍ରସୁତ୍ରର ମୂଳରେ ପହଞ୍ଚି ପାରୁନଥିଲେ ସୁଧାକର । ବୋଧହୁଏ ଜୀବନଟା ଏମିତି ଏତେ ସହଜ ଗଣିତ ନୁହେଁ । ଏଇଠି କିଛି ନିର୍ଦ୍ଦିଷ୍ଟ ଫର୍ମୁଲା କାମଦିଏନା ।


ସୁଧାକରଙ୍କ ମୁଣ୍ଡଭିତରେ ସେଇ ପଦିଏ ଗୀତ ବାରମ୍ବାର ବାଜିବାକୁ ଲାଗିଲା, ଭଜ ଗୋବିନ୍ଦଂ ସ୍ମର ଗୋବିନ୍ଦଂ, ଗୋବିନ୍ଦମ ଭଜ ମୂଢମତେ । ସେଇ ବସିବା ଜାଗାରୁ ଉଠି ଠିଆ ହୋଇ ପଡିଲେ, ସକାଳ ଗାଧୁଆ ପରେ ପିନ୍ଧିଥିବା ଢିଲା ପାଇଜାମା କୁର୍ତ୍ତାରେ ମନ ତାଙ୍କର ଜଗନ୍ନାଥଙ୍କ ଚକାନୟନରେ ଯେପରି ମଗ୍ନ ହୋଇ ଯାଉଥିଲା । କବାଟ ପାଖରେ ଠିଆ ହୋଇ କହିଦେଲେ, ଆରେ ଶୁଣୁଛ, ମୁଁ ବାହାରକୁ ଯାଉଛି, ଫେରିବାରେ ଡେରିହେବ କହି ବାହାରିଗଲେ । ଗ୍ୟାରେଜରୁ କାର ବାହାରକରି ଚାଲିଲେ ପୁରୀ । ଡୋରି ଲାଗିଛି କାଳିଆର । କାଳିଆ ସତେ ପୁରା ଜୋର ଲଗାଇ ଟାଣୁଛି ସୁଧାକରଙ୍କୁ ।


ହୋସ ନାହିଁ ସେ କେମିତି ଭାବେ ପୁରୀ ପହଞ୍ଚି ଗଲେ । ପାର୍କିଂରେ କାରଟାକୁ ଛାଡି, ମନ୍ଦିର ଆଡକୁ ମୁହଁକରି ଉର୍ଦ୍ଧ୍ବବାହୁ ହୋଇ କହିଉଠିଲେ, ହେ କାଳିଆ ସାଆନ୍ତେ, ଶେଷରେ ଏ ଅକିଞ୍ଚନକୁ ଟାଣି ଆଣିଲୁ ନା’ ତୋ ପାଖକୁ ! ବହୁତ କଥା ଅଛି ତୋତେ କହିବାକୁ, ଅନେକ ପ୍ରଶ୍ନ ରହିଯାଇଛି ଏଇ ମନରେ, ଜବାବ ଦେବୁନା’ ମୋତେ ? ସେମିତି ଦୁଇହାତ ଉପରକୁ ଉଠାଇ ଅଧା ଖୋଲା ଅଧା ବୁଜା ଆଖିରେ ଏକ ମୁହାଁହୋଇ ଚାଲିଛନ୍ତି ବଡଦେଉଳ ଆଡକୁ । ସେ ଏକ ତନ୍ମୟର ଭାବ, ଏକପ୍ରକାରର ପାଗଳାମୀ କହିଲେ ଅତ୍ୟୁକ୍ତ ହେବନି । ବିଜ୍ଞାନର ଜଣେ ଅବସରପ୍ରାପ୍ତ ପ୍ରାଧ୍ୟାପକ, ଏପରି ଭକ୍ତିରସରେ ଡୁବିଯାଇଛି ଯେ ତାର ହୋସ ନାହିଁ କଣ ଦେଖୁଛି, କଣ ଭାବୁଛି, କେଉଁ ଆଡକୁ ଯାଉଛି କିଛି ଜ୍ଞାନ ନାହିଁ । ବୋଧହୁଏ ଚୈତନଦେବ ବି ଏମିତି ନାମାମୃତ ଭିତରେ ଭାବ ବିହ୍ୱଳ ହେଇଯାଇଥିଲେ । ଦିବାନୀ ମୀରା ବୋଧହୁଏ କୃଷ୍ଣ ପ୍ରେମରେ ଏମିତି ରଚିବସି ଯାଇଥିଲେ । ସେ ଅବସ୍ଥାଟା କ'ଣ ?, କେବଳ ସିଏ ହିଁ ଜାଣେ, ଯିଏ ସେ ଅମୃତ ପାନ କରିଛି । ଯିଏ ସେଇ ତନ୍ମୟତା ଭିତରେ ହଜିପାରିଛି । ସେମିତି ଅବଚେତନ ଅବସ୍ଥାରେ ବଡମନ୍ଦିର ଭିତରେ ପହଞ୍ଚିଗଲେ ।


ଆଖିରୁ ତାଙ୍କର ଧାରଧାର ହୋଇ ଲୁହ ବୋହି ଯାଉଥାଏ, ବାଷ୍ପାରୁଦ୍ଧ କଣ୍ଠ, କିଛି ବୁଝିହେଉନି ସେ କଣ କହି ଯାଉଛନ୍ତି, ସେ ଯେପରି ପାଗଳାମୀର ଚରମରେ ପହଞ୍ଚି ଯାଇଛନ୍ତି । ଏଇ ପାଗଳାମୀକୁ ବୋଧହୁଏ ଭକ୍ତିଭାବର ଅନ୍ତିମ ଚରଣ କୁହାଯାଏ । ଖାଲି ଏତିକି ଶୁଭୁଥାଏ, ତୁ ଡାକିଲୁ ମୋତେ, ତୁ ନେଇ ଆସିଲୁ ମୋତେ, ଶେଷରେ ତୋଅରି ପାଖକୁ ଟାଣି ଆଣିଲୁନା’ ମୋତେ ତୋ ପାଖକୁ । ମୋତେ ଆଉ ଯିବାକୁ କହିବୁନିରେ କାଳିଆ ସାଆନ୍ତ, ମୋତେ ତୋରି ପାଦତଳେ ରଖିନେ ଦାସଟିଏ କରି । ମୋତେ ତୋରି ପାଦ ତଳେ ଟିକେ ଜାଗା ଦେଇଦେରେ କାଳିଆ । ଗରୁଡଖମ୍ବ ଉପରକୁ ଆଉଜିପଡି ସେଇଠି ବସିଗଲେ । ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ, ଗଦ ଗଦ ବାସ୍ପରୁଦ୍ଧ କଣ୍ଠ, ଏକ ଦୈନ ନିଶ୍ୱତାର ଭାବ, ତାଙ୍କର ଧ୍ୟାନ ନାହିଁ ମନ୍ଦିରରେ ଆଉ କେହି ଅଛି ନା ନାହିଁ । ତାଙ୍କୁ ଚତୁର୍ଦ୍ଦିଗ କେବଳ ଜଗନ୍ନାଥ ମୟ ଲାଗୁଥାଏ, ଯେଉଁ ଆଡକୁ ଚାହିଁଲେ କେବଳ ସେଇ ଚକା ଚକା ଆଖି ସେଇ ରଙ୍ଗା ଅଧରର ମଧୁର ହସ ଦିଶିଯାଉଥାଏ । କାନରେ କେବଳ ବାଜୁଥାଏ ମୂରଲୀର ମଧୂର ଝଙ୍କାର, ସେହି ମୋହନ ବଂଶି, କଦମ୍ବ ମୂଳରେ ତ୍ରୀଭଙ୍ଗୀ ଠାଣୀରେ ସେଇ ବାଙ୍କବିହାରୀ ରାଧାମନୋହାରୀ ରୂପ ସେହି ମଧୂର ମୂରଲୀର ସୁର । ସେଇ ସୁର ରାଧାରାଣୀଙ୍କୁ ବାତୁଳୀସମ କରିଦେଇଥିଲା, ମୀରାକୁ ଦିବାନୀ କରିଦେଇଥିଲା, ଆଉ ଆଜି ସୁଧାକର ସତେ ଉନ୍ମତ୍ତ ପାଗଳ ପ୍ରାୟ । କେମିତି ସେ ପ୍ରଭୁ, କେମିତି ସେ ଭାବ, ନିଜେ ଅଙ୍ଗେ ନନିଭେଇଲେ ବୁଝିହୁଏନା ସେ ଅନୁଭବଟା କଣ । ଅଶ୍ରୁଳ ନୟନରେ ସୁଧାକର ଜଗନ୍ନାଥଙ୍କ ପାଖରେ ବିନତି କଲେ, ହେ ପ୍ରଭୁ, ହେ ଜଗତର ନାଥ, ହେ କରୁଣାର ସାଗର, ମୋତେ ଏ ଭବ ସଂସାରର ମାୟାରୁ ମୁକ୍ତ କରିଦିଅ ପ୍ରଭୁ ! ମୁଁ ଆଜି ତୁମ ଶରଣରେ ଆସିଛି, ତୁମ ପଦାରବିନ୍ଦରେ ମୋତେ ଜାଗା ଟିକିଏ ଦିଅ ପ୍ରଭୁ !


ସେଇ ତନ୍ମୟତାର ଆବେଶରେ ସୁଧାକର ଦେଖିଲେ ଜଗନ୍ନାଥେ ତାଙ୍କ ପାଖକୁ ଆସିଲେ, ବସିପଡିଲେ ସୁଧାକରଙ୍କ ସାମ୍ନାରେ, ସେଇ ବଡ ବଡ ଚକା ଆଖି, ସେଇ ରଙ୍ଗା ଅଧରରେ ସେମିତି ସ୍ମିତ ହସ । ସୁଧାକରଙ୍କ କାନ୍ଧରେ ହାତ ପକାଇ ପାଖକୁ ଆଉଜାଇ ନେଲେ । ଆଖିରୁ ଲୁହ ପୋଛିଦେଲେ । ଟିକିଏ ହସି କହିଲେ, ଆରେ, ମାୟାରୁ ମୁକ୍ତି ଦେଇ ପାରୁଥିଲେ, ମୁଁ ନିଜେ ପ୍ରଥମେ ମୋ ନିଜକୁ ଏ ମାୟା ଜଞ୍ଜାଳରୁ ମୁକ୍ତ କରି ଦିଅନ୍ତିନି ? ମୁଁ ନିଜେ ତ ଏ ମାୟା ଜଞ୍ଜାଳରେ ଫଶି ଶେଷରେ ଦାରୁଭୂତ ମୁରାରୀ ହୋଇ ଏଇଠି ବସିଛି । ଭକ୍ତେ ମୋତେ ନିଦାବିଷ୍ଣୁ କହୁଛନ୍ତି । ତୁ କ'ଣ ଜାଣିନୁ ବଡଭାଇ ବଳରାମଙ୍କୁ ? ତାଙ୍କ କଥାମାନି ଲକ୍ଷ୍ଣୀ ଠାକୁରାଣୀଙ୍କୁ କ'ଣ ପଦେ ଟାଣ କରି କହିଦେଲି ଯେ ମହାମାୟା ଘରଛାଡି ଚାଲି ଯାଇଥିଲେ । ଚାଲିଗଲେ ତ ଚାଲିଗଲେ, ଗଲାବେଳେ ଏଇ ଶ୍ରୀମନ୍ଦିରର ଶୀରି ବି ନେଇଗଲେ ନିଜ ସାଥିରେ, ଆଉ ଆମକୁ କାଙ୍ଗାଳ କରି ବାରଦୁଆର ତେରପିଣ୍ଡା ବୁଲେଇ ଦେଲେ । ଶେଷରେ ନାକ କାନ ମୋଡେଇ ସେଇ ଚଣ୍ଡାଳୁଣୀ ଘରେ ଅର୍ଣ୍ଣ ଭୋଜନ କରାଇଲା ପରେ ଯାଇ ତାଙ୍କର କ୍ରୋଦ୍ଧ ଶାନ୍ତହେଲା । ଇଏ ସଂସାରର ମାୟା ନୁହେଁ ତ ଆଉ କ'ଣ?


ମୁଁ ଭକ୍ତଙ୍କ ମାୟାରେ ଏମିତି ବାନ୍ଧିହୋଇ ଯାଇଛି ଯେ, ଯିଏ ଯାହା କହିଲେ ଶୁଣୁଛି । କିଏ ମୋତେ କଳା ଠାକୁର କହୁଛି ତ କିଏ ମୋର ବଡବଡ ଚକା ଆଖିକୁ ଆକ୍ଷେପ କରୁଛି । କିଏ ମୋତେ କାଲା କହୁଛି, କିଏ କହୁଛି ମୁଁ ଖଣ୍ଡିଆ ଦିଅଁ । ବର୍ଷକୁ ଥରେ ରଥ ଯାତ୍ରାରେ ବୁଲି ବାହାରୁଛି ଯେ ଭକ୍ତ ମୋ ଅଣ୍ଟାରେ ଦଉଡି ବାନ୍ଧି ଝୁଲେଇ ଝୁଲେଇ ଟାଣି ଟାଣି ନେଇ ଯାଉଛନ୍ତି । କିଏ ମୋ ଦୟଣା ମାଳ ଛିଣ୍ଡେଇ ନେଉଛି ତ କିଏ ମୋ ଟାହିଆ ଛିଣ୍ଡେଇ ନେଉଛି । ମାଉସୀ ମାଆର ପୋଡପିଠା ଖାଇବାର ଲୋଭ ଛାଡି ପାରୁନି । ବର୍ଷରେ ଥରେ ବୁଲି ଆସୁଛି ତାଙ୍କ ମନ୍ଦିର ଆଡୁ । ଏସବୁ ମାୟା ନୁହେଁତ ଆଉ କଣ ?

କହିଲୁ ଦେଖି କିଏ କାହାକୁ ଧରିଛି ? ମାୟା ମୋତେ ନା ମୁଁ ମାୟାକୁ ? ମୁଁ ତ ଏ ଯାଏ ଜାଣି ପାରୁନି ! ତୁମେ ପ୍ରଥମେ ଏକଥା ବୁଝିବାକୁ ଚେଷ୍ଟାକର, କିଏ କାହାକୁ ଧରିଛି ! ଯଦି ତୁମେ ମାୟାକୁ ଧରିଥାଅ, ତେବେ ନିଜେ ମାୟାକୁ ଛାଡିଦିଅ କିମ୍ବା ତାକୁ ଛାଡି ଯିବାକୁ କହିଦିଅ । ଏଥିରେ ମୁଁ ବା କଣ କରି ପାରିବି ? ଯଦି ମାୟା ତୁମକୁ ଧରିଥାଏ ତେବେ ମାୟାକୁ କୁହ, ସେ ତୁମକୁ ଛାଡିଦେବ ।

ମାୟା କିଛି ନୁହେଁ, ସେଇଟା ମନର ଏକ ଭ୍ରମ । ଘର, ପରିବାର, ବାପା ମାଆ ଭାଇ ଭଉଣୀ ପୁଅ ଝିଅ ଏସବୁକୁ ତୁ ମାୟା କହୁଛୁ ନା ? ଏମାନଙ୍କ ବିନା ବଞ୍ଚି ପାରିବୁ ? ମାୟାତ ଠିକ ଅଛି, କିନ୍ତୁ ତୋର ଅତିମାୟା, ତୋର ଲୋଭ କାରଣ ହିଁ ତୋତେ ଦୁଃଖି କରୁଛି । ସନ୍ତାନ ମାୟାରେ ତୁମେ ସ୍ୱମାୟା ଭୂଲି ଯାଉଛ । ପ୍ରଥମେ ନିଜ ପ୍ରତି ମାୟାରଖ । ଯିଏ ନିଜକୁ ଭଲପାଇ ନପାରୁଛି, ସେ ଅନ୍ୟକୁ କିପରି ଭଲପାଇ ପାରିବ ? ଯିଏ ନିଜକୁ ସମ୍ମାନ ଦେଇ ଶିଖିନି, ସେ ଅନ୍ୟକୁ କିପରି ସମ୍ମାନ ଦେବ ? ନିଜକୁ ପ୍ରେମ କରିବା କିଛି ଅପରାଧ ନୁହେଁ । ନିଜର ଭବିଷ୍ୟତ କଥା ନଭାବି ଅନ୍ୟର ଭବିଷ୍ୟତ ପାଇଁ ସବୁ ଢାଳିଦେଲେ କଙ୍ଗାଳ ହେବହିଁ ହେବ । ମୁଁ ସ୍ୱାର୍ଥପର ହେବା କିମ୍ବା ଆତ୍ମ କୈନ୍ଦ୍ରୀକ ହେବାକଥା କହୁନି । କିନ୍ତୁ ନିଜେ ବଞ୍ଚିଲେ ସିନା ଆଉ କାହାକୁ ବଞ୍ଚେଇ ପାରିବ ! ସେଥିପାଇଁ ଆତ୍ମରକ୍ଷା, ନିଜ ଭବିଷ୍ୟତର ସୁରକ୍ଷା ବିଷୟ ତୁମର ପ୍ରଥମେ କାର୍ଯ୍ୟ । ତାଛଡା ମଣିଷ ମନରେ ଆଜି ସନ୍ତୁଷ୍ଟି କାଇଁ ? ଯେତେ ପାଇଲେ ବି କମ୍ ଲାଗୁଛି । ଆହୁରି ଲୋଡା, ଆହୁରି ଅଧିକ ଲୋଡା, ସେଇ କାମନାର ଅପୂର୍ତ୍ତୀ ତୋର ଅଶାନ୍ତିର କାରଣ, ସେଇ ଅଶାନ୍ତି ମଣିଷକୁ ଦୁଃଖ ଦିଏ ଏବଂ ଏହି ଅସହିଷ୍ଣୁତା ଭାବ, ଏହି ଅପ୍ରାପ୍ତିର ଦୁଃଖ ମାୟା ଜଞ୍ଜାଳ ଲାଗେ ।


ଅଳ୍ପ ଧନରେ ମଣିଷର ମନ ଭରୁନାହିଁ, ଯେତେ ପାଇଲେବି ଅଧିକ ପାଇବାର ଲାଳସା । ଧନର ମାୟାରେ ମଣିଷ ନିଜକୁ ବାନ୍ଧିଦେଇଛି । ମଣିଷ ନିଜେ ମାୟାରେ ଉବୁଟୁବୁ ହେଉଛି । ଧନ ମଣିଷକୁ ଚାହେଁନା, କିନ୍ତୁ ମଣିଷ ଧନକୁ ଚାହେଁ । ଧନ ମଣିଷର ମାୟାରେ ନୁହେଁ ବରଂ ମଣିଷ ଧନର ମାୟାରେ ଫଶି ଯାଉଛି । ମଣିଷ ପତି ବା ପତ୍ନୀର କାମନା କରୁଛି, ପତି ଅବା ପତ୍ନୀ ମିଳିଗଲା ପରେ ପତି/ପତ୍ନୀ ସେମାନଙ୍କର ପରସ୍ପର ପ୍ରତି ଆଶକ୍ତି ସେମାନଙ୍କୁ ପରସ୍ପରର ମାୟାରେ ବାନ୍ଧି ଦେଉଛି । ମଣିଷ ସନ୍ତାନର କାମନା କରୁଛି, ସନ୍ତାନ ଲାଭ କଲାପରେ, ସନ୍ତାନପ୍ରତି ତାର ସ୍ନେହ, ପ୍ରେମ, ମଣିଷକୁ ସନ୍ତାନର ମାୟା ଆଡକୁ ଟାଣି ନେଉଛି । ମାଛ ଯଦି ନିଜ ଇଚ୍ଛାରେ କେଉଟର ଜାଲରେ ନିଜେ ନିଜେ ଛନ୍ଦି ହେବାକୁ ଆସିବ, ବିଚରା କେଉଟ କାହିଁକି ମନା କରିବ ମାଛକୁ ? ବରଂ କେଉଟ ତ ଖୁସି ହେବ । ଭାବିକି ଦେଖ୍, କିଏ କାହାକୁ ଧରିଛି ? ମାୟା ତୁମକୁ ନା’ ତୁମେ ମାୟାକୁ ? ଆ ବଳଦ ମୋତେ ମାର, କହି ମାୟାକୁ ଡାକି ଆଣିଲ, ଶେଷରେ ମୋତେ କହୁଛ ମାୟାକୁ ଭଗାଅ । ତୁମେ ନିଜେ ତ ମାୟାର ଜନକ, ଏବଂ ତାରି ଅଠାକାଠିରେ ନିଜେ ପାଦପକାଇ ଦେଲ, ସେଇ ଅଠାକାଠିରୁ ମୁକୁଳିବା ପାଇଁ ଏବେ ମୋତେ ସହାୟତା ମାଗୁଛ ? ବଡ ବିଚିତ୍ର କଥା । ମାୟାକୁ ନିଜ ହାତ ମୁଠାରେ ନିଜେ ଜାବୁଡି ଧରିଛ । ମୁଁ କେମିତି ମାୟାକୁ ତୁମ ହାତ ମୁଠାରୁ ଛଡାଇ ଆଣିବି ? ନିଜେ ଟିକେ ଚେଷ୍ଟାକର, ମୁଠା ଟିକେ ଢିଲା ଛାଡିଦିଅ, ମାୟା ଆପେ ଆପେ ତଳେ ଖସିପଡିବ ।


ଆଚ୍ଛା କହିଲୁ, ମନେକର ତୋତେ ମୁଁ ମାୟାରୁ ମୁକ୍ତି ଦେଇଦେବି, ହେଲେ ତୁ ମାୟାକୁ ତ୍ୟାଗ କରି ପାରିବୁତ ? ମାୟାତ ଚାଖଣ୍ଡେ ଦଉଡି ନୁହେଁ, ସେଇଟା ଗୋଟିଏ ବିରାଟ ଜାଲ, ତୁ ତାକୁ ତୋର ଚାରିଟଟେ ନିଜେ ଗୁଡେଇ ଧରି ରଖିଛୁ । ଶିତଦିନରେ ଚାଦରପରି ନୁହେଁ, ବରଂ ମାୟାକୁ ତୁ ତୋର ଦେହର ଚମଡାପରି ନିଜକୁ ମାୟାରେ ଢାଙ୍କିରଖିଛୁ ତୋର ଚାରିପାଖରେ । ମାୟା ତୋ ନିଜଠାରୁ ଆରମ୍ଭ, ତୋର ନିଜ ଦେହପ୍ରତି ମାୟା, ନିଜ ଦେହକୁ ପରିଷ୍କାର ରଖିବା, ସଜେଇକି ରଖିବା, ସୁନ୍ଦର ଦିଶିବା, ସବୁ କଷ୍ଚରୁ ବଞ୍ଚେଇକି ରଖିବା ଏସବୁତ ତୋର ନିଜ ଶରୀର ପ୍ରତି ମାୟାନା’ ? ତ୍ୟାଗ କରି ପାରିବୁ ନିଜ ଶରୀରର ମାୟା ? ନିଜ ଶରୀରକୁ ଅନାଥ ପରି ଛାଡିଦେଇ ପାରିବୁ ? କହି ପାରିବୁ, ମୁଁ ଏକ ଆତ୍ମା, ମୁଁ ଏଇ ଶରୀରର ଅଧିନ ନୁହେଁ କିମ୍ବା ଏ ଶରୀର ମୋର ବାଧକ ନୁହେଁ ! ନିଜ ଶରୀର ପ୍ରତି ଉଦାସୀନ ରହି ପାରିବୁ ?? ଶରୀରକୁ ଯେତେବେଳେ କଷ୍ଟ ହେବ, ନିର୍ମାୟା ନିରୁତ୍ତର, ନିର୍ମୋହୀ, ନିରାଶକ୍ତ ରହିପାରିବୁ ଶରୀର ପ୍ରତି ? ଶରୀର ଯେତେବେଳେ କଷ୍ଟ ଜନ୍ତ୍ରଣାରେ ଅତିଷ୍ଟ ହୋଇପଡିବ, ଉଦାସୀନ ରହିପାରିବୁ ତୋର ନିଜ ଶରୀର ପୀଡା ପ୍ରତି ?? ନାହିଁ ନା !


ମାୟା ଅଛି ବୋଲିତ ତୁ କାହାର ପୁଅ, କାହାର ଭାଇ, କାହାର ସ୍ୱାମୀ, କାହାର ବାପା । ଯେଉଁ ଦିନ ମାୟାରୁ ମୁକ୍ତି ମିଳିଯିବ ସେତେବେଳ ନା’ ତୁ କାହାର ରହିବୁ, ନା’ ଆଉ କେହି ତୋର ହୋଇ ରହିବ । କାହା ପାଇଁ କିଛି କରିଲା ବେଳେ, କାହାକୁ କିଛି ଦେଲା ବେଳକୁ କିମ୍ବା କାହାଠାରୁ କିଛି ଆଶାକରି କିଛି ନପାଇବା ବେଳେ ତୋତେ ମାୟାଟା ବାଧୁଛି, ମାୟାଟା ଜଞ୍ଜାଳ ଲାଗୁଛି । କିନ୍ତୁ ଭାବିଲୁ, ମାୟାମୁକ୍ତି ପରେ ଯେତେବେଳେ କେହି ତୁମକୁ ପଚାରିବେନି, ଖାଇଛ କି ନାହିଁ, ଦେହ କେମିତି ଅଛି ଅଥବା ତୁମ ଯନ୍ତ୍ରଣାରେ କେହି ତୁମ ସାଥିରେ ନଥିବେ, ସହିପାରିବୁ ସେ କଷ୍ଟ ? ତୁମପ୍ରତି ସେମାନଙ୍କର ପ୍ରେମ କେବଳ ସେମାନଙ୍କର ନିଜର ମାୟା ଆଶକ୍ତି ଯୋଗୁ, ତୁମ ମାୟା କଟିଗଲା ପରେ ସେମାନଙ୍କ ମାୟା ମଧ୍ୟ କଟିଯିବ ।

ସବୁ ମାୟା କଟିଗଲା ପରେ ପୁଣି କାହା ସହିତ ମାୟା ଯୋଡିବ ? ଭଗବାନଙ୍କ ସାଥିରେ ? ଯାହାକୁ କେବେ ଦେଖିନ, ଶୁଣିନ, ଭଲ ଭାବେ ଜାଣିନ ତାଙ୍କ ସାଙ୍ଗେ ମାୟା ଲଗାଇବା କଥା ଭାବୁଛ । ଯାହାକୁ ଦେଖୁଛ, ଶୁଣୁଛ ତା ମାୟାରୁ ମୁକ୍ତି ଚାହୁଁଛ ? ବତ୍ସ ‘ଜୀବନରେ ପ୍ରାପ୍ତିର ଆଶା’ ହିଁ ତୁମକୁ କଷ୍ଟ ଦେଉଛି, ମାୟା କଷ୍ଟ ଦିଏନା । ପ୍ରଭୁ ମାୟାବି ତ ମାୟା । ମାୟାରୁ ପୁଣି ମୁକ୍ତି କାହିଁ ? ଜୀବ ମାଛଟିଏ ପରି ମାୟାର ଅଗାଧ ଜଳରେ ଜୀବନ ଧାରଣ କରିରହିଛି । ଯେଉଁଦିନ ମାୟାରୁ ମୁକ୍ତି ମିଳିଯିବ, ସେଦିନ ଜୀବନରୁ ମୁକ୍ତି ମିଳିଯିବ, ଜଳ ବିନା ମୀନ ସଦୃଶ । ଏବେ କୁହ, ମାୟାରୁ ମୁକ୍ତି ଚାହୁଁଛ?


ସବୁ ଶୁଣିସାରିଲା ପରେ ସୁଧାକରବାବୁ ନିର୍ବାକ୍ ହୋଇଯାଇଥିଲେ, ତାଙ୍କ କଣ୍ଠରୁ କେବଳ ଏତିକି ବାହାରିଲା, ହେ ମାୟାଧର, ତୁ ହିଁ ଜାଣୁ ତୋ ମାୟା ।


Rate this content
Log in