Arati Sahoo

Tragedy

2.5  

Arati Sahoo

Tragedy

ମାଟିର ମୋହ

ମାଟିର ମୋହ

5 mins
540



ଅଭୟ ଆଜି ଭାବୁଛନ୍ତି , ଭାରାକ୍ରାନ୍ତ ମନରେ । ହୃଦୟ କୁହୁଳୁଛି। ଆତ୍ମା କାନ୍ଦୁଛି । ସତରେ ,ଧୀରେ ଧୀରେ ମଣିଷ ନିଜର ଚେର ହଜେଇ ଦିଏ । ଏମିତି ବି କହିହେବ ଯେ ମଣିଷର ଚେରକୁ ବଳାତ୍ ଉପାଡି଼ ଦିଆଯାଏ । ଅବାଞ୍ଛିତ , ଅଲୋଡ଼ା ଅନାବନା ଗଛ ପରି ।


 ଅଭୟ ଆଜି ସେହି ଅବାଞ୍ଛିତ ବୃଦ୍ଧ ଗଛ । ଫଳ ପୁଷ୍ପ ସବୁ ବାଣ୍ଟି ସାରିଲା ପରେ ସେ ଆଜି ବେକାର ସମସ୍ତଙ୍କ ପାଇଁ । 


 ସମୟ ଥିଲା ସାତ ଭାଇ ଭଉଣୀଙ୍କ ଅଭାବୀ ପରିବାରର ଜ୍ୟେଷ୍ଠ ପୁତ୍ର ହିସାବରେ ଯେଉଁ ତ୍ୟାଗ ଓ ବଳିଦାନ କରିଥିଲେ ତାହା ବର୍ତ୍ତମାନ ବାରବର୍ଷର ତପସ୍ୟାର ଫଳ ଶୁଖୁଆ ପୋଡ଼। ।


 ଛୋଟିଆ ଗାଁରେ ଗୋଟିଏ ଗରିବ ପରିବାରରେ ଜନ୍ମ ଅଭୟଙ୍କର । ବାପା ଗାଁର ଅନ୍ୟାନ୍ୟ ଲୋକ ମାନଙ୍କ ପରି ଜଣେ ସାଧାରଣ ମୂଲିଆ । ସେତେବେଳେ ପରିବାର ନିୟୋଜନ କରିବା ଏତେ ଜରୁରୀ ଭାବୁ ନଥିଲେ ଲୋକେ । ତେଣୁ ତାଙ୍କ ତଳେ ଆହୁରି ପାଞ୍ଚ ଭାଇ ଓ ଗୋଟିଏ ସାନ ଭଉଣୀ ଥିଲା । ଗୋଟିଏ ପଖାଳ କଂସା ଭିତରେ  ପାଞ୍ଚ ଛଅଟା ହାତ ର ଚିତ୍ର ଏବେ ପର୍ଯ୍ୟନ୍ତ ତାଙ୍କ ଆଖିରେ ଦିଶି ଯାଉଛି । ଗୋଟିଏ ଶୁଖୁଆକୁ ସମସ୍ତେ ଚୁଚୁମି ଖାଉଥିଲେ । ଲଙ୍କା ବିକିବାକୁ ଛକରେ ବସୁଥିଲେ। ଲୋକଙ୍କ ଗାଈ ଛେଳି ଚରାଉଥିଲେ । ରାଜମିସ୍ତ୍ରୀ ପାଖରେ ଭାର ବୋହିଥିଲେ । ଅତ୍ୟନ୍ତ ନିସ୍ଵାର୍ଥପର ଭାବେ ନିଜର ଆବଶ୍ୟକତାକୁ ଲୁଚେଇ ଦେଉଥିଲେ ।


 ଶିକାରେ କିଛି ଖାଦ୍ୟ ପଦାର୍ଥ ଦେଖି ବଳାତ୍ ନିଜର ଲୋଭ ଓ ଭୋକ ସମ୍ବରଣ କରୁଥିଲେ । ବେଳେବେଳେ ସ୍କୁଲରୁ ଫେରିଲା ପରେ ବୋଉକୁ ମନ ଦୁଃଖରେ ଶୋଇଥିବାର ଦେଖିଲେ ଅନୁମାନ କରି ଜାଣି ପାରୁଥିଲେ ଯେ ଆଜି ଖାଇବାକୁ ଘରେ କିଛି ନାହିଁ । ସେ ହସ ଫୁଟାଇ ବୋଉକୁ ମିଛ କହୁଥିଲେ ଯେ ଭୋକ ନାହିଁ । କମ୍ ସମ୍ ଥିଲେ ସେ ନିଜର ଭାଗ ମଧ୍ୟ ଅନ୍ୟ ଭାଇଙ୍କୁ ଦେଇ ଦେଉଥିଲେ ।


  ମେଟ୍ରିକ ପାସ୍ କଲା ପରେ ନଈରେ ପହଁରି ପାରିହୋଇ ଯାଉଥିଲେ ଟାଇପ୍ ଓ ସର୍ଟହେଣ୍ଡ ଶିଖିବାକୁ । ତହସିଲ ଅଫିସର ବେକାର କାଗଜ ସଂଗ୍ରହ କରି ଟାଇପ୍ ଶିଖୁଥିଲେ । ଟାଇପ୍ ମେସିନ ମାଲିକର କାଠଚିରା କୋଇଲା ଭଙ୍ଗା ଇତ୍ୟାଦି କାମ କରି ଦେଉଥିଲେ ଦରମା ଦେଇ ନପାରି ।


  ମେଧାବୀ ଥିବା ଯୋଗୁଁ ଏକାଥରକେ ମେଟ୍ରିକ ଲେଭେଲ ପରୀକ୍ଷା ପାସ କରି ମାତ୍ର ଅଠର ବର୍ଷ ବୟସରେ ଏତେବଡ଼ ପରିବାରର ଦାୟିତ୍ୱ ତୁଲାଇଥିଲେ । 


 ନିକଟବର୍ତ୍ତୀ ଏକ ସହରରେ ଚାକିରୀରେ ଯୋଗ ଦେବାକୁ ପଢି଼ଥିଲା ତାଙ୍କୁ। ପଇସା ବଞ୍ଚାଇବା ପାଇଁ ଭୋରରୁ କିଛି ବାଟ ଚାଲି ଓ ଅବଶିଷ୍ଟ ବାଟ ବସରେ ବସି ଯାଉଥିଲେ ସେ । ସକାଳ ପାଞ୍ଚରୁ ଯାଇ ରାତି ଦଶଟାରେ ସେ ଘରକୁ ଫେରୁଥିଲେ । ଭୋକ ସମ୍ଭାଳି ନପାରିଲେ ପାଣି ପେଟେ ପିଇ ଦେଉଥିଲେ । ସାଙ୍ଗସାଥି କରୁନଥିଲେ ଚାହାପାନ ଖର୍ଚ୍ଚ ଭୟରେ । ସକାଳୁ ଯାହା ପଖାଳ ପାଣି ମୁନ୍ଦେ ଖାଇ ଯାଉଥିଲେ । ଫେରିବା ବାଟରେ କିଛି ପିଲାଙ୍କୁ ଟ୍ୟୁସନ୍ ପଢା଼ଇ ଫେରୁଥିଲେ । ଏବେ ମଧ୍ୟ ମନେ ଅଛି ତାଙ୍କର ହଳେ ପ୍ୟାଣ୍ଟ ସାର୍ଟ ଥିଲା ଚାକିରୀ କରିବାର ଦୁଇବର୍ଷ ପର୍ଯ୍ୟନ୍ତ । ବର୍ଷା ଦିନରେ କେବେ କେବେ ଚୁଲିମୁଣ୍ଡରେ ଥୋଇଲେ ବି ତାହା ଶୁଖେ ନାହିଁ । ତେଣୁ ଦରଓଦା ପିନ୍ଧି ଯିବାକୁ ପଡେ । ବୋଉ ଆଉ ପ୍ୟାଣ୍ଟ ସାର୍ଟ କରିବାକୁ କହିଲେ ବୋଉର ଛିଣ୍ଡା ଶାଢ଼ୀ , ବାପାଙ୍କର ତାଳିପକା କୁରୁତା ଭାଇମାନଙ୍କର ହୁଗୁଳା ପ୍ୟାଣ୍ଟ ଓ ଫୁଙ୍ଗୁଳା ଦେହ ଓ ସାନଭଉଣୀର ସାତସିଆଁ ଜାମା ଦେଖାଯାଏ ତାଙ୍କୁ । ପୁଷ ମାସର କୋହଲା ହାଡ଼ଭଙ୍ଗା ଶୀତରେ ନିଜ ବାହୁବନ୍ଧନରେ ନିଜକୁ ଜଡେ଼ଇ ଧରି ଅଫିସରୁ ଫେରିବା , ବର୍ତ୍ତମାନ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଅଭାବ ଅସୁବିଧା ଲୋକକୁ କଷ୍ଟ ସହିବାର ଖୋରାକ ଯୋଗାଏ ।


   ଅଭୟଙ୍କ ସାନଭାଇ ମାନଙ୍କ ଦେଇ ପାଠଶାଠ ହେଲା ନାହିଁ । କିଏ ମୂଲିଆ ତ କିଏ ବୁଲା ବେପାରୀ କାମ କଲେ । ବେପାର କରିବା ପାଇଁ ସବୁ ଭାଇଙ୍କୁ ବାରମ୍ବାର ଧାର କରଜ କରି ପଇସା ଦେଲେ । ବାରମ୍ବାର ସେମାନେ ବିଫଳ ହେଲେ । ବାତ୍ୟାରେ ବାପ, ଗୋସାପ ଅମଳର ଘର ଭାଙ୍ଗିଗଲା । ସେହି ଦୁରବସ୍ଥା ଓ ଦୁଃଖ କଷ୍ଟର ସମୟ ତାହା ଭୂକ୍ତଭୋଗୀ ହିଁ ଅନୁଭବ କରି ପାରିବ । ଯେତେ ଅଳଙ୍କାର ଦେଇ ବର୍ଣ୍ଣନା କଲେ ବି ତାହା କମ୍ ହିଁ ହେବ । ଦଦରା କାନ୍ଥ ପଡ଼ିଯିବା ଭୟରେ ବୋଉ ଶୁଏ କାନ୍ଥ ପଟକୁ ଛୁଆଙ୍କୁ ପଣତ ରୂପି ଘଣ୍ଟ ଘୋଡେ଼ଇ । କାଳେ ବୋଉ ଉପରେ କାନ୍ଥ ପଡ଼ିଯିବ ଏହି ଭୟରେ ବୋଉର ଆଖି ଲାଗିଗଲେ ଅଭୟ ଶୋଇ ପଡ଼ନ୍ତି କାନ୍ଥକୁ ଲାଗି । ବାହାରେ ଅନ୍ଧାର ସାଇଁ ସାଇଁ । ବେଙ୍ଗଙ୍କ ରଡି଼ , ମନରେ ସାପ ଓ ହେଟାର ଭୟ । ବର୍ଷା ପବନ ହେଲେ ସତେକି ଆକାଶଟା ତାଙ୍କ ଉପରେ ଅଜାଡି ହୋଇ ପଡି଼ବ । ଘର ତୋଳିବା ସକାଶେ ଲୋନ୍ ନେଲେ । ଲୋନ୍ ର ବୋଝ ତାଙ୍କୁ ଉଧେଇବାକୁ ଦେଇ ନଥିଲା ।


  ପ୍ରେମ କରିବା ପାଇଁ ତାଙ୍କ ପାଖରେ ଅବସର ନଥିଲା କି ମୁଣ୍ଡ ମଧ୍ୟ ନଥିଲା । ତଥାପି ହେଡ କ୍ଲର୍କ ଦାମୋଦର ବାବୁଙ୍କ ଝିଅର ଧାରୁଆ ମୁହଁଟା ବେଳେବେଳେ ତାଙ୍କ ଚିନ୍ତାକୁ ଚହଲାଇ ଦେଉଥିଲା । ଦାମୋଦର ବାବୁ ମଧ୍ୟ ପ୍ରସ୍ତାବ ପକେଇଥିଲେ । କିନ୍ତୁ ବାପା ମନା କରି ଦେଇଥିଲେ ବଡ଼ଲୋକ ଘରେ ବାହାହେଲେ କାଳେ ଘରଜୋଇଁଆ ହୋଇ ଯାଆନ୍ତି । ବାପାଙ୍କ ପସନ୍ଦରେ ଉର୍ମିଳାଙ୍କୁ ବିବାହ କଲେ । ବୋଉର ସେତେବେଳେ ଭୟଙ୍କର ଫାଇଲେରିଆ ବାତ । ଦିନେ ଠିକ ଥିଲେ ଦିଦିନ ଅସୁସ୍ଥ । ତେଣୁ ଘରର ସମସ୍ତ ଦାୟିତ୍ୱ ପଡ଼ିଲା କୋମଳ ବୟସୀ ତନୁପାତଳି ଉର୍ମିଳାଙ୍କ କାନ୍ଧରେ । ଅନଭ୍ୟସ୍ତା ଓ ଅନଭିଜ୍ଞା ଉର୍ମିଳା ସମସ୍ତ ଦାୟିତ୍ୱ ହସି ହସି ତୁଲାଉଥିଲେ । ଅଳ୍ପଦିନରେ ସେ ତାଙ୍କ ମନରେ ତତ୍ସହିତ ସମସ୍ତଙ୍କ ହୃଦୟରେ ବେଶ୍ ନିଜର ଆସନ ମଜବୁତ କରି ପକାଇଥିଲେ । 


  ତାପରେ ବାହା ହେଲେ ତାଙ୍କର ଭାଇ ମାନେ । ତାପରେ ସାନ ଭଉଣୀ । ସେତେବେଳକୁ ତାଙ୍କର ବଦଳି ହୋଇ ଯାଇଥିଲା ସୁଦୂର ଦିଲ୍ଲୀକୁ । ତାଙ୍କର ପୁଅ ମଧ୍ୟ ସେତେବେଳେ ପାଞ୍ଚବର୍ଷର ହୋଇ ଯାଇଥିଲା । ଅଭୟଙ୍କ ଅନ୍ୟାନ୍ୟ କୌଣସି ସ୍ଵାର୍ଥ କିମ୍ୱା ସଉକ ନଥିଲା । କିନ୍ତୁ ମହତ୍ଵାକାଂକ୍ଷା ଟିଏ ଦିକ୍ ଦିକ୍ ଜଳୁଥିଲା । ତାଙ୍କର ପୁଅକୁ ବଡ଼ ସ୍କୁଲରେ ପଢ଼ଆଇବେ ଓ ଡାକ୍ତର ବନେଇବେ ବୋଲି । ଯେହେତୁ ଅନ୍ୟ ବୋହୁମାନେ ଆସି ଯାଇଥିଲେ ତେଣୁ ସେ ଉର୍ମିଳାଙ୍କୁ ସାଥିରେ ନେଇ ଆସିଥିଲେ । ଦିଲ୍ଲୀରେ ଗୋଟିଏ ରୁମରେ ଦୁଃଖେକଷ୍ଟେ ରହିଲେ ଶସ୍ତା ଓ ଅସନା ସ୍ଥାନରେ । ସେଥିରେ ପୁଣି ଟଏଲେଟ ଗୋଟିଏ ଚାରିଟା ଭଡ଼ାଦାର ପରିବାର ପାଇଁ ।


  ପୁଅର ପାଠପଢ଼ା ଗାଁର ଦାୟିତ୍ୱ ପୁଣି ନିଜ ପରିବାର । ସେଥିରେ ପୁଣି ଭଉଣୀର ଓଷା ଵାର , ବନ୍ଧୁ ଘର ଭାର ବେଭାର , ବାପା ବୋଉଙ୍କ ସ୍ଵାସ୍ଥ୍ୟ ସବୁର ଖର୍ଚ୍ଚ ତୁଲେଇ ,ଯେନତେନ ପ୍ରକାରେଣ ରହି ଅଭୟ ଅସମୟରେ ବୁଢ଼ା ହୋଇଗଲେ । ଉର୍ମିଳା ମଧ୍ୟ କମ କଷ୍ଟ କରି ନାହାନ୍ତି । ଲୋକଙ୍କ ଲୁଗାପଟା ସିଲେଇ , ଛୋଟ ପିଲାମାନଙ୍କୁ ଟ୍ୟୁସନ୍ କରି ତାଙ୍କୁ ଯଥସାଧ୍ୟ ସାହାଯ୍ୟ କରିଥିଲେ । ବର୍ଷରେ ଦୁଇଥର ଗାଁକୁ ଯିବା ମଧ୍ୟ ଭାରି ପଡୁଥିଲା । ଗାଡ଼ି ଭଡ଼ା ସହ ସମସ୍ତଙ୍କ ପାଇଁ ଉପହାର ଇତ୍ୟାଦି କରିବାକୁ ଧାର ଉଧାର କରିବାକୁ ପଡ଼ିଥିଲା । କିନ୍ତୁ ଅଭୟଙ୍କ ମନରେ ଗାଁର ମୋହ ଥିଲା ପ୍ରବଳ । ଥରକୁ ଗଲେ ସେ ଗାଁ ମାଟିରେ ତାଙ୍କୁ ଗଡ଼ି ପଡ଼ିବାକୁ ଇଚ୍ଛା ହୁଏ । କିନ୍ତୁ ଆଜି ସେହି ମାଟିକୁ ଫେରିବା ପାଇଁ ସେ ଆକୁଳ , ହେଲେ କାହା ପାଖକୁ ଯିବେ ? ଭାଇବୋହୂ ମାନଙ୍କ ସହ ବୋଉର ନିଇତି ଝଗଡ଼ା ଦେଖି ସେ ଗୋଟା ଗୋଟା ଭାଇଙ୍କୁ ଅଲଗା ଘରତୋଳି ଭିନେ କଲେ ବାଧ୍ୟ ହୋଇ । ସମସ୍ତେ ଏବେ ତାଙ୍କରି ଖିଲାଫ । ଶତ୍ରୁ ପରି ତାଙ୍କ ସହ ବ୍ୟବହାର କରନ୍ତି । 


 ବାପା ତ ଆରପାରି ଯାଇ ସାରିଥିଲେ କିଛି ବର୍ଷ ପୂର୍ବରୁ । ବୋଉକୁ ସେ ସାଥିରେ ଧରି ଆସିଥିଲେ । 


 ଶେଷ ସମୟରେ ବୋଉ ଗାଁକୁ ଯିବାକୁ ଚାହିଁଲା । କିନ୍ତୁ ଦୁର୍ଭାଗ୍ୟ , ଗାଁ ମାଟି ମାଡୁ ମାଡୁ ସେ ଧରାଧାମ ତ୍ୟାଗ କଲା । ଭାଇମାନେ ମିଶିଲେ ନାହିଁ , ଅଲଗା ତୁଠ କଲେ । ନଈ ତୁଠରେ ଦିଟୋପା ଲୁହ ଗଡାଇ ବସି ରହିଲେ ଅଭୟ । ସମସ୍ତଙ୍କ ଠାରୁ ତାଙ୍କୁ ବିଦାୟ ନେବାକୁ ହେବ । କାରଣ ମାଟି ସିନା ତାଙ୍କର କିନ୍ତୁ ତାଙ୍କର ଚେର ଉପୁଡି଼ ପଡ଼ିଛି । ତାଙ୍କର ଦୀର୍ଘ ଅନୁପସ୍ଥିତି ରେ ସମ୍ବନ୍ଧ ସବୁରେ ଊଇ ଲାଗି ଯାଇଛି । ମାଟିର ମୋହ ତ୍ୟାଗ କରିବାକୁ ପଡ଼ିବ ଅନିଚ୍ଛା ସତ୍ତ୍ୱେ ।



Rate this content
Log in

Similar oriya story from Tragedy