shibaram dalai

Tragedy

3  

shibaram dalai

Tragedy

ମାତୃ ଅଭିଶାପ

ମାତୃ ଅଭିଶାପ

3 mins
434



ସକାଳୁ ସକାଳୁ ବୃଦ୍ଧାଆଶ୍ରମରେ ପୁଅ ବୋହୂକୁ ଦେଖି ଚମକି ପଡିଲା ହାରାବୁଢ଼ୀ ।ମନେ ମନେ ଭାବିଲା ଦୁଇ ଦିନ ତଳେ ତ ତାର ସାନ ପୁଅ ତା ଭାଗ(ବାର୍ଦ୍ଧକ୍ୟ ଭତ୍ତା) ନେଇ ସାରିଛି ,ଆର ମାସରେ ବଡ଼ ପୁଅର ପାଳି କିନ୍ତୁ ଏବେ କଣ ଏମାନେ ଆସି ପହଂଚିଲେଣି । କାହିଁ ଏମାନଙ୍କର ଅଲଗା କିଛି ଯୋଜନା ନାହିଁ ତ ? ଦୁହେଁ ଆସି ମାଆର ପାଦ ତଳେ ଲୋଟିପଡି ଖୁବ ଜୋରରେ କାନ୍ଦିବାକୁ ଲାଗିଲେ ।ହାରାବୁଢ଼ୀ କିଛି ବୁଝି ପାରୁ ନଥାଏ ।ତାକୁ ଖାଲି ଅତୀତ ଘଟଣା ଗୁଡା ଜଳ ଜଳ ଦିଶୁଥିଲା।


  ସେଦିନ ତା ଗେରସ୍ତ ରିକ୍ସା ଟାଣି ଘରକୁ ଫେରିବା ସମୟରେ ଦୁର୍ଘଟଣାର ଶିକାର ହେଇ ହାରାବୁଢ଼ୀ ଆଉ ଦୁଇ କୁନି ଛୁଆକୁ ଜୀଵନର ଅଧା ବାଟରେ ଛାଡ଼ିଗଲା ସତ ହାରା କିନ୍ତୁ ହାର ମାନି ନଥିଲା ଏ ସମାଜ ଆଗରେ । ମାଗିଯାଚି ବାର ଦୁଆର ଶୁଣ୍ଢିପିଣ୍ଡା ହେଇ, ଅନ୍ୟର ପାହିଟି କରି ଦୁଇ ପୁଅକୁ ଭେଣ୍ଡିଆ କରିଛି ସେ ।ହେଲେ ଆପଣା ସୁନା ତ ଭେଣ୍ଡି ସେମାନେ ତ ମାଆର ଦରଦ ବୁଝିଲେ ନାହିଁ ବୋହୂମାନେ ଦରଦୀ ହେଇଥାଅନ୍ତେ କିପରି ? ଯୋଉ ବୋହୂର ହାତ ମୁଠେ ପଖାଳ ଦେବାକୁ କୁଣ୍ଠାବୋଧ କରୁଥିଲା, ଭାତ ବଦଳରେ ଚାପୁଡ଼ା ଦେବାକୁ ପଛାଉ ନଥିଲା ,ଗଦାଗଦା କାମ ଆଣି ଫୋପାଡ଼ି ଦଉଥିଲା ସେ ହାତ ଆଜି ମୋ ପାଦ ତଳେ କଣ ପାଇଁ ? ଯୋଉ ହାତ ମୋ କେଶକୁ ଟାଣି ଟାଣି ବୃଦ୍ଧାଆଶ୍ରମରେ ପହଞ୍ଚାଇ ଥିଲା ସେ ହାତ ପୁଣି ମୋ ପାଦ ତଳେ? ହାରାବୁଢ଼ୀର ଅପାଠୁଆ ମୁଣ୍ଡରେ ଏ ସବୁ ଅଡୁଆ ସୁତା ପରି ଛନ୍ଦି ହେଇଯାଉଥିଲା ।


    ପିଲା ଯେତେ ଖରାପ ହେଲେ ବି ମାଆର ହାତ ସର୍ବଦା ପିଲାର ମୁଣ୍ଡ ଉପରେ ।ମାଆ ମନ ତ ,ହାରାବୁଢ଼ୀ ସେଥିରୁ ବର୍ତ୍ତି ଯାଇଥାନ୍ତା କିପରି ? ପଛ କଥାକୁ ଭୁଲି ପୁଅ ବୋହୂକୁ ନିଜ ଛାତିକୁ ଟାଣିନେଲା । ତା ବୋହୂ ଏବେ କହିବାକୁ ଲାଗିଲା ,ମାଆ ମୋତେ କ୍ଷମା କର ମୁଁ ମୋର ଭୁଲ ବୁଝିସାରିଛି ।ଭଗବାନ ମୋତେ ମୋର କଲା କର୍ମର ଫଳ ଦେଇସାରିଲେଣି ।ଏବେ ଆମେ ଆପଣଙ୍କୁ ସାଥିରେ ନେଇଯିବା ପାଇଁ ଆସିଛୁ । ବୋହୂର କଥା ନ ସରୁଣୁ ପୁଅ କହିବାକୁ ଲାଗିଲା ହଁ ମାଆ ତୁ ଆମକୁ କ୍ଷମା କରି ଆମ ସାଥିରେ ତୁ ଗଢିଥିବା ଅଧାଗଢା ମନ୍ଦିରକୁ ଚାଲେ ମାଆ । ତୁ ଆମ ସାଥିରେ ଗଲେ ହୁଏତ ତୁ ଦେଇଥିବା ଅଭିଶାପକୁ ଭଗବାନ ତୋ ବୋହୂର ଦଣ୍ଡରୁ କିଛି କମେଇ ଦେଇ ପାରନ୍ତି । ଅଭିଶାପ, ଦଣ୍ଡ ଏସବୁ ଶବ୍ଦ ହାରାବୁଢ଼ୀର ମୁଣ୍ଡକୁ ଆହୁରି ଅଡୁଆ ସୁତା ପରି ଛନ୍ଦି ଦେଉଥିଲା ।ସେ ବୁଝିପାରୁ ନଥିଲା ଅତୀତରେ ଦେଇଥିବା ଅଭିଶାପ ଆଜି ଜୀବନ୍ତ ରୂପ ନେଇଛି ।ପୁଅ ବୋହୂଙ୍କ ଏପରି ବଦଳିବା ଦେଖି ବୁଦ୍ଧଆଶ୍ରମରୁ ବିଦାୟ ନେଇ ପୁଣି ଫେରି ଆସିଲା ତା ଅଧାଗଢା ମନ୍ଦିରକୁ ।


   ଚାରି ପାଞ୍ଚ ମାସ ପୁଅ ବୋହୂଙ୍କ ଗହଣରେ ଭଲରେ କଟିଗଲା ।କିନ୍ତୁ ସେ ପୁଅ ବୋହୂଙ୍କ କମ ଖୁସିକୁ ଅନୁଭବ କରିପାରୁଥିଲା ।ହଠାତ ଦିନେ ବୋହୂ ସନ୍ଧ୍ୟା ଦେବା ସମୟରେ କଚାଡି ହେଇ ତଳେ ପଡ଼ିଗଲା ।ହାରାବୁଢ଼ୀ, ପୁଅ ଦୁହେଁ ଦୌଡ଼ି ଆସି ବୋହୂକୁ ଡାକ୍ତରଖାନା ନେଇ ଗଲେ ।ସବୁ ପରୀକ୍ଷା ନିରୀକ୍ଷା ପରେ ଡାକ୍ତରବାବୁ ହାରାବୁଢ଼ୀ ପୁଅକୁ କହୁଥାନ୍ତି "ସେ ଆଉ ଅଳ୍ପ ଦିନର ଅତିଥି ,ତାଙ୍କର ଦୁଇଟା ଯାକ କିଡ଼ିନୀ ଏବେ କାମ କରିବା ବନ୍ଦ କରିଦେଲାଣି ।ସେ ଆଉ ବଂଚିବା ଅସମ୍ଭବ ।ଯଦି କୌଣସି ମତେ କିଡନୀ ଯୋଗାଡ଼ କରି ହେବ ତେବେ ତୁମର ପତ୍ନୀ ବଂଚିବା ସମ୍ଭବ, ନଚେତ ଭଗବାନ ହିଁ ଭରଷା" ।ଏ ସବୁ କଥା ହାରାବୁଢ଼ୀ ଡାକ୍ତରଖାନାର କବାଟ ଫାଙ୍କରେ ଶୁଣୁଥାଏ । ଏବେ ମନେ ପଡ଼ିଲା ତା ଅଭିଶାପ କଥା ।ସେଦିନ ବୋହୂ ତାର କେଶକୁ ଧରି ଘୋଷାଡି ଘୋଷାଡି ନେଉଥିଲା, ବୁଢ଼ୀ ପଡିଗଲେ ମଝିରେ ମଝିରେ ଠିଆ ଗୋଇଠା ମାରୁଥିଲା ।ବୁଢ଼ୀ ଭଗବାନଙ୍କୁ ସୁମୋରି କାନ୍ଦି କାନ୍ଦି କହୁଥିଲା ବୋହୂ ତୋ ଅଙ୍ଗ ଅଚଳ ହେଇଯାଉଲୋ, ତୁ ଅଧା ବର୍ଷରେ ଚାଲି ଯାଆ ଲୋ ଏମିତି ଅନେକ କିଛି ।ଡାକ୍ତରବାବୁ, ହାରାବୁଢ଼ୀର ପୁଅ କବାଟ ଖୋଲି ବାହାରକୁ ଆସିବା ସମୟରେ କବାଟର ଖଡ଼ କିନା ଶବ୍ଦରେ ବୁଢ଼ୀ ପ୍ରକୃତିସ୍ଥ ହେଲା।ସେ ନିଜକୁ ଧିକ୍କାର କରୁଥିଲା ।ଯେତେ ହେଲେ ସେ ମାଆ ।ବଂଚି ଥାଉ ଥାଉ ପୁଅର କେବେ ସର୍ବନାଶ ଦେଖିବ କୌଣସି ମାଆ ଚାହେଁ ନାହିଁ । ସେ ଦୌଡ଼ି ଗଲା ପାଖରେ ଥିବା ମଙ୍ଗଳା ମନ୍ଦିରକୁ ।ମୁଣ୍ଡ ବାଡ଼େଇ କାନୀ ପତେଇ ଭିକ ମାଗୁଥିଲା ପୁଅର ସଂସାର ।ସେତେବେଳେ ମନେ ପଡିଲା ଡାକ୍ତର ବାବୁଙ୍କ କେଇ ପଦ କଥା "ଯଦି କିଡନୀ ଯୋଗାଡ଼ ହେଇଯାଏ ତେବେ ତୁମ ପତ୍ନୀ ବଞ୍ଚିଯିବ" ।ହାରାବୁଢ଼ୀ ଭାବିଲା ମୁଁ ତ ବୁଢ଼ୀ ହେଲିଣି, ମୋର ବଂଚିବା ମରିବା ସବୁ ସମାନ, ଯଦି ମୋ କିଡନୀରେ ମୋ ବୋହୂ ବଞ୍ଚିପାରିଲା ତେବେ ମୋ ପୁଅର ସଂସାର ସହ ମୋର ଆତ୍ମା ବଂଚିରହିବ ମୋ ବୋହୂ ପେଟ ଭିତରେ ।କାଳବିଲମ୍ବ ନ କରି ହାରାବୁଢ଼ୀ ଧାଇଁ ଗଲା ଡାକ୍ତର ବାବୁଙ୍କ ପାଖକୁ ।ଆଉ ଆଙ୍ଗୁଠି ଚିହ୍ନ ଲଗେଇ ଦେଲା କିଡନୀ ଡୋନେଟ ପେପର ଉପରେ ।




Rate this content
Log in

Similar oriya story from Tragedy