ମାନସିକ
ମାନସିକ
ପଶ୍ଚିମାକାଶରେ ସୂରୁଜ ବୁଡି ବୁଡି ଯାଉଛନ୍ତି । ଏପଟେ ମାନସିକ ପୂର୍ଣ୍ଣ ହେବ ବୋଲି ଆଶା ବାନ୍ଧିଛି ହରି ଗଉଡ । ସକାଳ ପାଇଲେ ଦଶହରା । ଦୋକାନ ଗୁଡିକ ଦଶହରା ପୂଜା ପାଇଁ ସଫାସଫି ଓ ସାଜସଜ୍ଜାରେ ବ୍ୟସ୍ତ ।
ରାତି ପାହିବା ଆଗରୁ ହରି ଗଉଡ ଗାଧୋଇ ପାଧୋଇ ଧଳା ଲୁଗା ପିନ୍ଧି ବୁଲୁଛି । ଆଜି ଦଶହରା ମା' ଠାକୁରାଣୀଙ୍କ ଠାରେ ଭୋଗ ଲାଗିବ । ମା' ଙ୍କୁ ଭୋଗ ଦେବା ସହିତ ହାଟରୁ ଛେଳିଟେ କିଣି ଆଣିଛି । ମା' ଙ୍କ ପାଖରେ ବଳି ଲାଗିବ । ଉଚ୍ଚା ଦାମ ଦେଇ ଛେଳି ଆଣିଛି। ଏଥର ମା' ଯେମିତି ସନ୍ତୁଷ୍ଟ ହେବେ । ସେଥିପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିଛି ହରିଆ।
ଦଶ ପନ୍ଦର ଦିନ ଆଗରୁ ସବୁ ପ୍ରକାର ଯୋଜନା ପ୍ରସ୍ତୁତ ହୋଇଛି । କେତେ ପତର ଲାଗିବ । କାହାକୁ କାହାକୁ ଭୋଗ ଦିଆଯିବ। କାହାକୁ ଭୋଗ ଦିଆ ଯିବ ନାହିଁ । ନାଥ ବୁଢାକୁ ଭୋଗ ଦିଆ ଯିବନି । ସେ ଖଳାବାଡି ପାଖ ଜାଗା ପାଇଁ ପାଟିତୁଣ୍ଡ କରିଥିଲା । ରଙ୍କିଆ ଗାଁ ୱାର୍ଡମେମ୍ବର ତାକୁ ଦେବିନି । ସେ ମୋ ରାସନ କାର୍ଡ କାଟିଦେଲା । ଭଜମନ ମଉସା କୁ ଟିକେ ଅଧିକ ଦେବି । ସେ ସମୟ ଅସମୟରେ ସୁଧ ଦେଉଛି ।
ସମୁଦାୟ ପନ୍ଦର ଘର କୁ ଭୋଗ ଦିଆହେବ, ବାକି ଦଶ ଘର କୁ ଦିଆ ହବନି । ଚାରି ପାଞ୍ଚ ଦିନ ହବ, କେତେ କଳ୍ପନା ଜଳ୍ପନା । ଆଖି କୁ ନିଦ ନାହିଁ । ପୁଣି ବଳି ପକାଇଲା ବେଳେ ଜଗିବାକୁ ପଡିବ । ନ ହେଲେ ଜାନି ହର ପୁଅ ବେକ କୁ ଲମ୍ବା କରି କାଟି ଦେବ । ତା ଆଡ଼େ ଅଧିକ ମାଂସ ପଳେଇ ଯିବ ।
ହରିବୋଲ ହୁଳହୁଳିରେ କମ୍ପି ଠାକୁରାଣୀଙ୍କ ଉଠିଲା ବେଢା। ଛେଳିକୁ
ଧରି ଛାତି ଫୁଲାଇ ଠିଆ ହୋଇଛି ଜାନିହର ପୁଅ। ପୁଞ୍ଜି ବଢ଼ା ହୋଇଛି । କଟୁରୀ ଟେକି ଧରିଛି ଜାନି । ନିରୀହ ଆଖି ରେ ଚାହିଁଛି ଛେଳିଟି।
ପଚାରୁଚି......
ମା' କଣ ବଳି ଖାଏ । ମା' ପରା ଜଗଜ୍ଜନନୀ ଉଦ୍ଧାରକାରିଣୀ ।
ପଛକୁ ଦେଖ - ଲୋକ ମାନେ କାହାକୁ ଚାହିଁଛନ୍ତି । ବୁଲି ଦେଖିଲା ଛେଳିଟି । ସବୁ ଲୋକ ତାକୁ ଚାହିଁଛନ୍ତି । ପ୍ରତୀକ୍ଷା କରିଛନ୍ତି । ମୁଁ କେତେବେଳେ ପୁଞ୍ଜି ଖାଇବି । କେହି ବି ମା' ର ମୁହଁ କୁ ଚାହିଁନାହାନ୍ତି ।
ସବୁ ବୁଝି ଗଲା ଛେଳିଟି । ଭଲକରି ମଣିଷ ର ମନ ବୁଝିଗଲା । ଛି.. ଛି... ଏଠି ଖାଲି ଛଳନା । ଏଠି ପ୍ରଡାରଣା । ସବୁ ଲୋକ ଦେଖାଣିଆ । ଆଉ ଡେରି କଲାନି ଛେଳି । ପୁଞ୍ଜି ଖାଇଦେଲା । ତାପରେ........
ଶତ୍ରୁ ମିତ୍ର, ପର ଆପଣାର । ନିଜ ପର ହିସାବରେ ମାଂସ ଭୋଗ ବଣ୍ଟା ହେଲା । ମା' ଙ୍କ ଭୋଗ, ଯେତେ ଖାଇଲେ ବି ଖରାପ ନୁହେଁ କହିଲେ । ପେଟେ ଖାଇଛି ଜାନି । ରାତିରେ ପେଟ କାଟି ଝାଡା ବାନ୍ତି ହେଲା । ଗାଁ ଡାକ୍ତର ବାବୁ ଚିକିତ୍ସାରେ ପାରିଲେ ନାହିଁ । କଟକ ବଡ ଡାକ୍ତରଖାନା କୁ ପଠେଇଦେଲେ ।
କଟକରେ ମାସେ ରହି ଆସିଲା, ବହୁତ ପଇସାପତ୍ର ଖର୍ଚ୍ଚ କଲା । କିଛି ଲାଭ ହେଲା ନାହିଁ। ମଢା ଧରି ଗାଁ କୁ ଫେରିଲେ ।
ଫେରିବା ପରେ ଗାଁ ଲୋକ ମାନେ କହିଲେ, ତୋର କିଛି ଅନ୍ୟାୟ ରହିଗଲାରେ ହରିଆ । ଆର ବର୍ଷ କୁ ଗୋଟିଏ ବଡ଼ ବୋଦା ଟେ ଆଣିବୁ । ଲୁଚେଇ ରଖିବୁ । ଯେମିତ କାହାର ନଜର ପଡିବନି । ଦେଖିବୁ ମା' ଦୟା କରିବେ !
ହରିଆ ଭାବୁଛି , ଆର ବର୍ଷ କେବେ ଆସିବ । ପୁଣି ମା' ଙ୍କ ପାଖରେ ବଳି ଚଢେଇବି । ମୋର ମାନସିକ କ'ଣ ପୂର୍ଣ୍ଣ ହେବ ନାହିଁ ? ? ?
ଗାଁ ଲୋକଙ୍କ କଥାରେ... ଅନ୍ଧ ବିଶ୍ବାସରେ ସବୁ ବର୍ଷ ଖାଲି ବଳି ଦେଉଥିବି । ସତରେ ମା' ମୋ ଉପରେ ସନ୍ତୁଷ୍ଟ ନୁହଁନ୍ତି । ନା ଏ ଲୋକ କଥା.. । ନା ମୋ ମନର ଏ ଏକ ମାନସିକ ବ୍ୟାଧି ....