Arjuni charan Behera

Inspirational Others

4  

Arjuni charan Behera

Inspirational Others

ମାଲୁଣୀର ଫୁଲ

ମାଲୁଣୀର ଫୁଲ

6 mins
16


କାଶିରାମ ଦାସ ରଚିତ, ବଙ୍ଗଳା ମହାଭାରତ ବନପର୍ବରୁ ସୁନ୍ଦର କାହାଣୀ l ପାଣ୍ଡବମାନଙ୍କ ବନବାସ ସମୟର କଥା l ଧର୍ମରାଜ ଯୁଧିଷ୍ଠିର ଓ ଦ୍ରୁପଦ ନନ୍ଦିନୀଙ୍କ ମଧ୍ୟରେ କଥୋପକଥନ ଚାଲିଥାଏ,ଯୁଧିଷ୍ଠିର କହିଲେ, ହେ ଦ୍ରୌପଦୀ ! ତୁମକୁ ମୋ ପାଇଁ ହିଁ ଏହି ବନ ବାସର ଦୁଃଖ ଭୋଗ କରିବାକୁ ପଡ଼ୁଛି l ଏହି ସମୟରେ ଶ୍ରୀକୃଷ୍ଣ ଆସି ସେଠାରେ ଉପସ୍ଥିତ ହେଲେ l ବିଷାଦଗ୍ରସ୍ତ କୃଷ୍ଣାଙ୍କୁ ଦେଖି ଶ୍ରୀକୃଷ୍ଣ କହିଲେ, ନାଆଁ ! କଥା ସେପରି ନୁହେଁ l ପ୍ରତ୍ୟେକ ପ୍ରାଣୀଙ୍କୁ ନିଜର କର୍ମଫଳ ଭୋଗ କରିବା ପାଇଁ ପଡ଼ିଥାଏ l ଏ ସମ୍ବନ୍ଧରେ ଏକ ପ୍ରାଚୀନ କାହାଣୀ ମୋର ମନେ ପଡୁଛି l କାହାଣୀଟି କହୁଛି ମନଦେଇ ଶୁଣ l ଏପରି କହି ଶ୍ରୀକୃଷ୍ଣ କଥା ଆରମ୍ଭ କଲେ l 

ପୂର୍ବକାଳରେ ଦିନେ ସ୍ବର୍ଗରେ କିଏ ବଡ଼ ନେଇ ଶନି ଓ ଲକ୍ଷ୍ମୀଙ୍କ ମଧ୍ୟରେ କଳହ ଲାଗିଲା l ଅନେକ ଚେଷ୍ଟା ସତ୍ତ୍ବେ ମଧ୍ୟ ଏ ବିବାଦର କୌଣସି ମୀମାଂସା ହୋଇ ପାରିଲା ନାହିଁ l ଏତିକିବେଳେ ସେମାନେ ଶୁଣିବାକୁ ପାଇଲେ ପୃଥିବୀରେ ଶ୍ରୀବତ୍ସ ନାମରେ ନ୍ୟାୟବନ୍ତ ରାଜା ଜଣେ ଶାସନ କରୁଛନ୍ତି l ସେମାନେ ନ୍ୟାୟ ପାଇବା ଆଶାରେ ଆସି ରାଜା ଶ୍ରୀବତ୍ସଙ୍କ ପାଖରେ ପହଞ୍ଚିଲେ l ଶ୍ରୀବତ୍ସ ସେମାନଙ୍କ ବିବାଦ କଥା ଶୁଣି କହିଲେ, ଠିକ୍ ଅଛି l ତୁମେ କାଲି ଆସ ଦେଖିବା l ରାଜା ଶ୍ରୀବତ୍ସଙ୍କ ରାଣୀ ଚିନ୍ତାଦେବୀ ଲକ୍ଷ୍ମୀ ଶନିଙ୍କ କଳହ କଥା ଶୁଣି, କହିଲେ, ଦେବତାମାନେ ନିଜ ଭିତରେ କଳହ କରି ଜଣେ ମନୁଷ୍ୟ ପାଖକୁ ସମାଧାନ ପାଇଁ ଆସିବା ଆଦୌ ଶୁଭଙ୍କର ନୁହଁ ଶ୍ରୀବତ୍ସ କହିଲେ, ହଁ ! ତୁମେ ଯାହା କହିଲ ଠିକ୍, ମାତ୍ର ଦେବତାଙ୍କ ଇଚ୍ଛା ଯଦି ସେଇଆ ସେଥିରେ ଆମେ ଅବା କଅଣ କରି ପାରିବା l ଦେଖ କଅଣ ହେଉଛି l

ତହିଁ ପରଦିନ ଶନି ଓ ଲକ୍ଷ୍ମୀ ଆସି ରାଜାଙ୍କ ପାଖରେ ପହଞ୍ଚିଲାରୁ ରାଜା ସଙ୍ଗେ ସଙ୍ଗେ ଗୋଟିଏ ସ୍ୱର୍ଣ୍ଣ ଓ ଆଉ ଗୋଟିଏ ରୌପ୍ୟ ସିଂହାସନ ମଗାଇ ତାଙ୍କୁ ବସିବା ପାଇଁ କହିଲେ l ସଙ୍ଗେ ସଙ୍ଗେ ଲକ୍ଷ୍ମୀ ରାଜାଙ୍କ ଡାହାଣ ପାଖ ସ୍ୱର୍ଣ୍ଣ ସିଂହାସନରେ ଓ ଶନି ବାମ ପାଖ, ରୌପ୍ୟ ସିଂହାସନରେ ବସି ପଡ଼ିଲେ l ତାଙ୍କୁ ଦେଖି, ଶ୍ରୀବତ୍ସ କହିଲେ, ଆସନ ଅନୁସାରେ ଯିଏ ଡାହାଣରେ ବସିଛନ୍ତି ସିଏ ବଡ଼ l ଏକଥା ଶୁଣି ଶନି ଖୁବ୍ ରାଗରେ ସେଠୁ ଉଠି ଚାଲିଗଲେ l ଲକ୍ଷ୍ମୀ ରାଜାଙ୍କୁ ଆଶୀର୍ବାଦ କରି, ବୈକୁଣ୍ଠକୁ ଫେରିଗଲେ l ଶନିଙ୍କ କୋପ ପଡ଼ିଲା l ରାଜା ଶନିଙ୍କ ବକ୍ର ଦୃଷ୍ଟିରୁ ଆଉ ବଞ୍ଚି ପାରିଲେ ନାହିଁ l

ଦିନେ ରାଜାଙ୍କ ସ୍ନାନଜଳକୁ କଳା କୁକୁରଟିଏ ଆସି ଚାଟି ଦେଲା ରାଜା ନଜାଣି ସେହି ଜଳରେ ସ୍ନାନ କରି ନେବାରୁ, ଶନି ରାଜାଙ୍କ ଦେହରେ ତାହା ମଧ୍ୟ ଦେଇ ପ୍ରବେଶ କରି ଗଲେ l ଫଳରେ ରାଜାଙ୍କ ବୁଦ୍ଧି ଭ୍ରଂଶ ହେବାକୁ ଲାଗିଲା l ରାଜ୍ୟରେ ନାନା ବିତ୍ପାତ ଦେଖା ଦେଲା ଓ ଚାରିଆଡ଼ୁ ବିପଦ ମାଡ଼ି ଆସିଲା ଦୁର୍ଭିକ୍ଷ ଓ ଅନାହାରରେ ପ୍ରଜା ମାନେ ଡହଳ ବିକଳ ହେଲେ l ଏପରି ଦୁର୍ଦ୍ଦିନକୁ ଦେଖି ଶ୍ରୀବତ୍ସ ରାଣୀଙ୍କୁ କହିଲେ, ତୁମେ ପିତ୍ରାଳୟକୁ ଚାଲି ଯାଆ l ସୁ ଦିନ ଫେରିଲେ ପୁଣି ଆମର ମିଳନ ହେବ l

କିନ୍ତୁ, ରାଣୀ ରାଜାଙ୍କୁ ଛାଡ଼ି ଗଲେ ନାହିଁ l କୌଣସି ଉପାୟ ନପାଇ ଦିନେ ରାଜା ନିଶାର୍ଦ୍ଧରେ ରାଣୀଙ୍କୁ ସାଙ୍ଗରେ ଧରି ପ୍ରାସାଦ ତ୍ୟାଗକରି ବାହାରି ଗଲେ l ଏହି ସମୟରେ ମାଆ ଲକ୍ଷ୍ମୀ ଆସି ପହଁଞ୍ଚି କହିଲେ, ହେ ରାଜନ୍ ! ତୁମକୁ ଛାଡ଼ି ମୁଁ ରହିପାରିବି ନାହିଁ l ଚାଲ, ତୁମ ସହିତ ମୁଁ ମଧ୍ୟ ଯିବି l ତୁମେ କିଛି ଦିନ ପାଇଁ ଦୁଃଖ ଭୋଗ କରିବ l ତାପରେ ତୁମର ସବୁ ସୁଖ ଫେରି ଆସିବ l 

ରାଜା ରାଣୀ ଚାଲିଛନ୍ତି, ବାଟରେ ପଡ଼ିଲା ଗୋଟିଏ ଉଛୁଳା ନଈ ଉଛୁଳା ନଈକୁ କିପରି ପାର ହେବେ ଏହି କଥା ଚିନ୍ତା କରୁ କରୁ ଦଦରା ନୌକାଟିଏ ଧରି ନାଉରୀଟିଏ ଆସି ପହଁଚିଲା l ନାଉରୀ ଧମକେ଼ଇ ରାଜାଙ୍କୁ କହିଲା, ଏହି ଅର୍ଦ୍ଧ ରାତ୍ରିରେ ତୁମେ କିଏ ? ତୁମେ ଏ ନାରୀଟିକୁ ନିଶ୍ଚେ କୁଆଡୁ ଅପହରଣ କରି ଆଣିଛ l ଶ୍ରୀବତ୍ସ ନିଜର ପରିଚୟ ଦେଇ କହିଲେ, ଆମର ଦୁର୍ଦ୍ଦିନ ପଡ଼ିଛି l ତେଣୁ ଆମେ ଏହି ଦୁର୍ଦ୍ଦଶା ଭୋଗ କରୁଛୁ l ତୁମେ ଦୟାକରି, ଆମକୁ ଏ ନଦୀ ପାର କରି ଦିଅ l ନାଉରୀ କହିଲା, ଏକା ସାଙ୍ଗରେ ମୋର ଏ ଦଦରା ନାବରେ ତୁମେ ଦୁଇଜଣ ଓ ତୁମ ଗଣ୍ଠିଲି ପତ୍ର ପାରି ହେବା ଅସମ୍ଭବ, ତୁମର ଗଣ୍ଠିଲି ଗୁଡ଼ିକ ଆଗେ ଦିଅ l ତା ପରେ ତୁମେ ଦୁହେଁ ଯିବ l ରାଜା ରାଜି ହୋଇ ନାଆରେ ଗଣ୍ଠିଲି ରଖି ଦେଲେ l ନାଉରୀ ଗଲେ ଯେ ଆଉ ଫେରିଲେ ନାହିଁ l ସେହି ନାଉରୀ ଥିଲେ ଛଦ୍ମ ବେଶରେ ଶନି l ରାଜା ରାଣୀ ବୁଝି ପାରିଲେ ଏସବୁ ଶନିଙ୍କ ମାୟା l

ନାଉରୀ ଚାଲିଗଲା ପରେ ରାଜା ରାଣୀ ଦେଖିଲେ ଉଛୁଳା ନଈଟା ସଙ୍ଗେ ସଙ୍ଗେ କୁଆଡ଼େ ଶୁଖିଗଲା l ନଦୀ ପାରହୋଇ ସେମାନେ ଆର ପଟରେ ପହଞ୍ଚି ଦେଖିଲେ କିଛି ଧୀବର ମାଛ ଧରିବାକୁ ଯାଉଛନ୍ତି l ରାଜା ଓ ରାଣୀ ଧୀବରଙ୍କୁ ମାଛ ମାଗିଲେ ଖାଇବା ପାଇଁ l କାରଣ ମାଛ ପୋଡ଼ି କରି ଖାଇଲେ ଶନି କୋପ ଦୂରହେବ l ଧୀବର ମାନେ ତାଙ୍କୁ ମାଛ ଦେଲେ l ମାତ୍ର ସେ ମାଛ ସବୁ ପାଣିରେ ଭାସିଗଲେ l ଏତିକି ବେଳେ ଆକାଶରୁ ଶନିଙ୍କ ବାଣୀ ଶୁଭିଲା, ରାଜା ! ତୁମେ ଲକ୍ଷ୍ମୀଙ୍କୁ ବଡ଼ ଏବଂ ମୋତେ ଛୋଟ କହିଛ l ତାହାର ପ୍ରତିଫଳ ତୁମକୁ ଭୋଗ କରିବାକୁ ପଡ଼ିବ l ଜଗତରେ ମୋ କୋପରୁ କେହି ବର୍ତ୍ତି ପାରନ୍ତି ନାହିଁ l ମୋ କୋପରୁ, ରାମ ବନବାସ ଗଲେ,ବଳି ଗଲା ପାତାଳକୁ l ନାରାୟଣ କୀଟ ରୂପ ଧାରଣ କଲେ l ଇନ୍ଦ୍ର ଇନ୍ଦ୍ରପଦ ହରେଇଲେ l ମହାଦେବ ମଧ୍ୟ ମୋ କୋପରୁ ରକ୍ଷା ପାଇ ନାହାଁନ୍ତି l 

ରାଜା ରାଣୀ ଶନିଙ୍କ ବାଣୀ ଶୁଣି ଦୁଃଖିତ ହେଲେ l ଏହାପରେ କର୍ମ ଆଦରି ସେମାନେ ଚଳିବା ପାଇଁ ଯାଇ ଏକ କାଠୁରିଆ ବସ୍ତିରେ ବାସ କଲେ l ରାଜା ପ୍ରତିଦିନ ଜଙ୍ଗଲକୁ ଯାଇ, ଚନ୍ଦନକାଠ ଆଣି ତାକୁ ବିକି ଚଳିଲେ l ଏପରି କଛିଦିନ ବିତିଗଲା l ରାଜାଙ୍କର ଦିନେ ଜଙ୍ଗଲରେ ଜଣେ ସୌଦାଗରଙ୍କ ସହ ଭେଟ ହେଲା l ସୌଦାଗରଙ୍କ ଡଙ୍ଗାଟି ଜଙ୍ଗଲରେ ଏକ ନଦୀ ଚଢ଼ାରେ ଲାଗି ଯାଇଥାଏ l ବହୁ ଚେଷ୍ଟା କରି ସେ ଡଙ୍ଗାକୁ ବାହାର କରିପାରୁ ନଥାନ୍ତି l ଏହି ସମୟରେ ଶନି ଗୋଟିଏ ଗଣକ ବେଶ ଧରି ଆସି ସେଠାରେ ପହଞ୍ଚି କହିଲେ,ତୁମେ ପାଖ କାଠୁରିଆବସ୍ତିକୁ ଯାଅ l ସେଠାରେ ଜଣେ ପତିବ୍ରତା ନାରୀ ଅଛନ୍ତି l ତାଙ୍କ ହାତ ଲାଗିଲେ, ତୁମ ଡଙ୍ଗା ଚାଲିବ l

ସୌଦାଗର ଯାଇ ସେହି ନାରୀଙ୍କୁ ଘେନି ଆସିଲେ l ତାଙ୍କ ନୌକାଟି ଚାଲିଲା l ମାତ୍ର ସୌଦାଗର ତାଙ୍କୁ ଆଉ ଛାଡ଼ିଲା ନାହିଁ l ତାଙ୍କ ସୋନ୍ଦର୍ଯ୍ୟରେ ମୋହିତ ହୋଇ ସେ ତାଙ୍କୁ ଡଙ୍ଗାରେ ଘେନି ଚାଲିଗଲା l ନାରୀ ଜଣକ ଥିଲେ ଶ୍ରୀବତ୍ସଙ୍କ ରାଣୀ l ରାଣୀ ଆଉ କଛି ଉପାୟ ନଦେଖି ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିବାରୁ ସୂର୍ଯ୍ୟ ତାଙ୍କୁ କୁରୂପ କରିଦେଲେ l ରାଜା ଜଙ୍ଗଲରୁ ଫେରି ଦେଖିଲେ ରାଣୀ ନାହାଁନ୍ତି l କାଠୁରିଆ ମାନଙ୍କ ଠାରୁ ସେ ସମସ୍ତ କଥା ପଚାରି ଜାଣିଲେ l ଜଙ୍ଗଲ ଭିତରେ ରାଣୀଙ୍କୁ ରାଜା ଖୋଜି ଖୋଜି ସେ ଗୋମାତା ସୁରଭିଙ୍କ ଆଶ୍ରମରେ ପହଁଚିଲେ l ଗୋମାତା ତାଙ୍କ ଦୁଃଖ ଶୁଣି ତାଙ୍କୁ ଆଶ୍ରୟ ଦେଲେ ରାଜା ସେଠାରେ ପାଟ ବସ୍ତ୍ର ବୁଣିବା ଓ ବ୍ୟବସାୟ କରି ରହିଲେ l ଶନି କିନ୍ତୁ ରାଜାଙ୍କ ପିଛା ଛାଡ଼ିଲେ ନାହିଁ l ପୁଣି ତାଙ୍କ କୋପ ଦୃଷ୍ଟି ପଡ଼ିଲା l

ଦିନେ ରାଜା ବସ୍ତ୍ର ଧରି ବିକ୍ରି ପାଇଁ ବୁଲୁଥାନ୍ତି ତାଙ୍କ ଦୃଷ୍ଟି ପଡ଼ିଲା ନୌକା ଧରି ଯାଉଥିବା ସେହି ପୁରୁଣା ବଣିକ ଉପରେ l ସେ ତାକୁ ବୁଣିଥିବା ସୁବର୍ଣ୍ଣ ପାଟ ଗୁଡ଼ିଏ ଦେଖାଇ କିଣି ନେବାକୁ କହିଲେ l ବଣିକର ଲୋଭ ହେଲା l ସେ ଧନରତ୍ନ ଲୁଟିନେବା ଆଶାରେ ରାଜାଙ୍କୁ ଡଙ୍ଗାରେ ବସାଇ କରି ନେଇଗଲା ଓ ଅଧା ନଈରେ ତାଙ୍କ ଗୋଡ଼ ହାତ ବାନ୍ଧି ପକାଇ ଦେଲା l ରକ୍ଷାପାଇଁ ରାଜା ତାଳ ବେତାଳଙ୍କୁ ସ୍ମରଣ କଲେ l ରାଜାଙ୍କ ଡାକ ଶୁଣି, ତାଳ ବେତାଳ ତାଙ୍କୁ ଉଦ୍ଧାର କଲେ ଏବଂ ତାଙ୍କୁ ନେଇ ଗୋଟିଏ ମାଲୁଣୀର ଫୁଲ ବଗିଚାରେ ପହଞ୍ଚାଇ ଦେଲେ l ବଗିଚାକୁ ମାଲୁଣୀ ଫୁଲ ତୋଳିବାକୁ ଆସି ରାଜାଙ୍କୁ ଦେଖିଲା ଓ ତାଙ୍କୁ ନେଇ ନିଜ ଘରେ ଆଶ୍ରୟ ଦେଲା l

ସେ ରାଜ୍ୟର ରାଜା ବାହୁଦେବଙ୍କ ପରମା ସୁନ୍ଦରୀ କନ୍ୟା ସୁଭଦ୍ରା ମାଆ ଗୌରୀଙ୍କୁ ତପସ୍ୟା କରି ରାଜା ଶ୍ରୀବତ୍ସଙ୍କୁ ପତିରୂପେ ପାଇବା ପାଇଁ ବରଲାଭ କରି ଥାଏ l ରାଜା ବାହୁଦେବ କନ୍ୟାର ବିବାହ ପାଇଁ ସ୍ଵୟମ୍ବର କଲେ l ବହୁଦେଶରୁ ରାଜା ଓ ରାଜକୁମାର ମାନେ ନିମନ୍ତ୍ରିତ ହୋଇ ଆସିଲେ l ରାଜ କୁମାରୀଙ୍କ ସେହି ସ୍ଵୟମ୍ବର ଦେଖିବା ପାଇଁ ରାଜା ଶ୍ରୀବତ୍ସ ଯାଇ ଲୁଚି କରି ଏକ କଦମ୍ବ ଗଛ ମୂଳରେ ବସିଥାନ୍ତି l ବରଣ ମାଳା ଧରି, ସୁଭଦ୍ରା ସଭାରେ ବୁଲି ବୁଲି ନିଜ ଇଚ୍ଛା ମତ ବରଙ୍କୁ ନପାଇ ହତାଶ ହୋଇ ପଡ଼ିଲେ l ଏହି ସମୟରେ ଆକାଶ ବାଣୀ ହେଲା, ତୋ ଚାହୁଁ ଥିବା ବର କଦମ୍ବ ଗଛ ମୂଳରେ ବସିଛି l ଆକାଶ ବାଣୀ ଶୁଣି, ସୁଭଦ୍ରା ଯାଇ ସେହି ଲୋକ ଗଳାରେ ବରଣ ମାଳା ପିନ୍ଧାଇ ଦେଲେ l ରାଜା ବାହୁଦେବ ଏଥିରେ କିନ୍ତୁ ସନ୍ତୁଷ୍ଟ ହେଲେ ନାହିଁ l ସେ ପ୍ରାସାଦ ବାହାରେ ଏକ କୁଟୀର ନିର୍ମାଣ କରି ଦୁହିଁଙ୍କୁ ରଖିଲେ l

କିଛିଦିନ କଟିଗଲା, ଦିନେ ଶ୍ରୀବତ୍ସ ସୁଭଦ୍ରାଙ୍କୁ ଡାକି କହିଲେ, ଏମିତି କେତେ ଦିନ ଆମେ ଆଉ ପିତାଙ୍କ ପଡ଼ିରେ ଚଳିବା l ତୁମେ ଯାଅ ପିତାଙ୍କୁ କହି, ମୋପାଇଁ କିଛି କର୍ମସଂସ୍ଥାନର ବ୍ୟବସ୍ଥା କର l ସୁଭଦ୍ରା ଯାଇ ପିତାଙ୍କୁ କହିବାରୁ ରାଜା ଶ୍ରୀବତ୍ସଙ୍କୁ ଜାହଜ ତନଖି କାର୍ଯ୍ୟରେ ନିଯୁକ୍ତ କଲେ l 

ଶ୍ରୀବତ୍ସ ତନଖି କାର୍ଯ୍ଯ କରୁଥିଲା ବେଳେ ଦିନେ ସେ ତାଙ୍କଠାରୁ ଲୁଟି ନେଇ ଯାଇଥିବା ସେହି ବଣିକ ଓ ତାର ଜାହାଜଟିକୁ ଧରି ପକାଇଲେ l ତା ଠାରୁ ସବୁ ଜିନିଷ ଉଦ୍ଧାର କରି ନେଇ, ରାଜାଙ୍କୁ ସେହି ପୁରୁଣା କାହାଣୀ ଶୁଣାଇଲେ l ରାଜା ସେହି ଦୁଷ୍ଟ ବଣିକକୁ କଠୋର ଦଣ୍ଡରେ ଦଣ୍ଡିତ କଲେ l ସେହି ବଣିକର ଜାହଜରେ ଶ୍ରୀବତ୍ସଙ୍କ ରାଣୀ, ଚିନ୍ତାଦେବୀ, କୁରୂପ ହୋଇ ବସି ଥିଲେ l ଶ୍ରୀବତ୍ସ ତାଙ୍କୁ ଚିହ୍ନି ନେଲେ ଓ ତାଙ୍କୁ ଉଦ୍ଧାର କଲେ l ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିବାରୁ ରାଣୀ, ତାଙ୍କ ପୂର୍ବ ରୂପକୁ ଫେରି ପାଇଲେ l ଏହା ମଧ୍ୟରେ ବାରବର୍ଷ କଟିଯାଇଥିଲା l ଶନିଙ୍କ କୋପ ଦୂର ହୋଇ ରାଜା ଶ୍ରୀବତ୍ସଙ୍କ ସୁଦିନ ଫେରି ଆସି ଥିଲା l ରାଜା ଏବଂ ରାଣୀଙ୍କ ପୁନର୍ମିଳନ ହେଲା l

ଶେଷରେ ରାଜା ଶ୍ରୀବତ୍ସ ଶନିଙ୍କୁ ସ୍ତୁତି କଲେ l ଶନି ତୁଷ୍ଟହୋଇ ରାଜାଙ୍କୁ ଆଶୀର୍ବାଦ କଲେ l ଶ୍ରୀବତ୍ସ ଦୁଇରାଣୀ ଚିନ୍ତାଦେବୀ ଓ ସୁଭଦ୍ରାଙ୍କୁ ଧରି ନିଜର ରାଜଧାନୀକୁ ଫେରି ଆସି ଅତି ସୁଖରେ ବହୁଦିନ ପର୍ଯ୍ୟନ୍ତ ଏକାଙ୍ଗ ଚକ୍ରବର୍ତ୍ତୀ ରୂପେ ରାଜତ୍ଵ କଲେ l 

ଶ୍ରୀକୃଷ୍ଣଙ୍କ ଠାରୁ ଶ୍ରୀବତ୍ସଙ୍କ କାହାଣୀ ଶୁଣି ସାରି ଯୁଧିଷ୍ଠିର କହିଲେ, ରାଜା ଶ୍ରୀବତ୍ସଙ୍କ ତୁଳନାରେ ଆମ ଏହି ଦୁଃଖ ତ କିଛି ନୁହେଁ l ଆମର ମଧ୍ୟ ସୁଦିନ ନିଶ୍ଚୟ ଫେରି ଆସିବ l ସମୟ ବଡ଼ ବଳବାନ l

         


Rate this content
Log in

Similar oriya story from Inspirational