Hemanta Kumar Nayak

Abstract Comedy Others

4  

Hemanta Kumar Nayak

Abstract Comedy Others

ମାଲେସିଆ

ମାଲେସିଆ

7 mins
15



ପୂଯ ନିଅ ଦାଦି, ଆପଣଙ୍କ ଅପାର କରୁଣାରୁ ମୁଁ ଏଠି ଭଲରେ ଅଛି, ଆଶା କରୁଛି ଆପଣ ସେଠି ଭଲରେ ଥିବେ...।

ଓଡ଼ିଆରେ ଟଙ୍କଣନ ( type ) ହେଇଥିବା ଏଇ ସନ୍ଦେଶଟି ସମ୍ପୂର୍ଣ୍ଣ ପାଠ କରି ହେଲା ନାହିଁ। ଅବଶ୍ୟ ଦୋଷ ସବୁ ପୁଅ ଉପରେ ଲଦି ଦେବା ଠିକ୍ ନୁହେଁ । କାହିଁକି ନା ସଂଗଣକ ( computer) ରେ ନୂଆ ନୂଆ ତରିକା ଦିନକୁ ଦିନ ଆସୁଥିଲେ ବି ଆମ ଓଡ଼ିଆ ଭାଷା ପାଇଁ ଅଡ଼ୁଆ ହେଉଛି। ତେଣୁ ଆମ ମାତୃଭାଷା ପାଇଁ ପଢୁଆଙ୍କୁ କୋଢିଆ ଏ କ୍ଷେତ୍ରରେ ଶତପ୍ରତିଶତ କହି ହେବ ନାହିଁ। ଯେହେତୁ ସଂଗଣକରେ ଲେଖିବା ପାଇଁ ସଂଯୋଗ ହେଇଥିବା କଞ୍ଚିପଟା (keyboard) ର ପ୍ରତି କଞ୍ଚିରେ ଇଂରାଜୀ ଅକ୍ଷରରେ ସୂଚନା ଥାଏ। ଏଥିପାଇଁ ଓଡ଼ିଆରେ ପ୍ରଯୁକ୍ତିବିଦ୍ୟାର ଏଷଣ ( Research ) ଆବଶ୍ୟକ ବାକି ଅଛି। ଏବେ ବିଜ୍ଞାନ ଓ ପ୍ରଯୁକ୍ତିର ଅଗ୍ରଗତି ଅନେକ ଦୁରୂହ କାର୍ଯ୍ୟକୁ ସହଜ କରିଦେଇଥିବା ବେଳେ ଏହାର ଦୁରୁପଯୋଗ ସମଗ୍ର ମାନବ ଜାତି ପାଇଁ ଅଭିଶାପ ପାଲଟିଛି କୃତ୍ରିମ ବୁଦ୍ଧିମତା ( artificial intelligence) ର ସହାୟତାରେ ଅସମ୍ଭବକୁ ସମ୍ଭବ କରାଯାଇ ପାରୁଛି। ସାମାଜିକ ଗଣମାଧ୍ୟମଗୁଡିକରେ ଦେଖିବାକୁ ମିଳୁଛି ମୁଣ୍ଡ ଜଣଙ୍କର ଗଣ୍ଡି ଆଉ ଜଣଙ୍କର ତା ପୁଣି ନଗ୍ନ ରୂପରେ। ଆମ ଓଡ଼ିଆ ପିଲାଏ ସେଇଭଳିଆ ପଢୁଆ ନହୋଇ ବଢ଼ିଆ ହେଇଛି।


ଜ୍ଞାନ ରଞ୍ଜନ ବାବୁ ନିଜ ଜ୍ଞାନକୁ ଉପଯୋଗ କରି ଏ ଅଜ୍ଞାନତାକୁ ଅଣଦେଖା କରି ଦେଇ ପୂଯନିଅକୁ ପୂଜନୀୟ ଦାଦିକୁ ଡ୍ଯାଡି ବୋଲି ସଂଶୋଧନ କରିଦେଲେ। ନିଜେ ଜ୍ଞାନ ରଞ୍ଜନ ବାବୁ ଅଧିକୋଷ ( Bank) ରେ ପରିଚାଳକ ( manager )ଥିଲେ। ସେ ଜଣେ ଓଡ଼ିଆ ହେଇଥିବାରୁ ନିଜକୁ ଭାରି ଗର୍ବିତ ମନେ କରନ୍ତି। କହନ୍ତି ଏଇ ଓଡ଼ିଶାର ପାଣି ପବନରେ ମୁଁ ବଞ୍ଚିଛି।ମୋ କଣ୍ଠ ଦେଇ ସେଇ ଶୁଦ୍ଧ ପବନ ବାହାରିଲା ବେଳେ ଶୁଦ୍ଧ ଓଡ଼ିଆ ଭାଷା ହୋଇ ବାହାରୁ। କିନ୍ତୁ ତାଙ୍କ ପତ୍ନୀ ପତନରୁ ଉଦ୍ଧାର କରି ପାରିଲେ ନାହିଁ। ପୁଅକୁ ବାପା ବଦଳରେ ଡ୍ଯାଡି ଡାକ ଶିଖାଇ ଦେଲେ। ତା'ର ଫଳ ସ୍ୱରୂପ ଆଜି ପୁଅ ଇଂରାଜୀରୁ ଓଡ଼ିଆରେ ଅନୁବାଦ କରି ଡ୍ଯାଡି ଦାଦି ହେଇ ଯାଇଚି।


ହଁ ମ ଇଏ କୋଉ ନୂଆ କଥା ଯେ! ଏଠି ସବୁ ଚଳେଇ ହୁଏ। ଯଥା ବଙ୍ଗାଳୀ ବୁଲା ବେପାରୀ ଆସିଲେ ବଙ୍ଗଳା ଭାଷାରେ ଆସୁ ନଆସୁ କଥା ହୁଅନ୍ତି। ଖାଲି ସେତିକି ନୁହେଁ ଆମ ପଡ଼ୋଶୀ ରାଜ୍ୟ ମାନଙ୍କରୁ ଯେତେ ଲୋକ ଆସିଥାନ୍ତି ସେମାନେ ତାଙ୍କ ଭାଷାରେ ଅଟଳ ରହି ଥିଲା ବେଳେ ଆମ ଲୋକମାନେ ତାଙ୍କରି ଭାଷାରେ ଆସୁ ନଆସୁ କଥା ହେବା ପାଇଁ ବ୍ୟାକୁଳ ହୁଅନ୍ତି। ଏଠି ଇଂରାଜୀଆ ଅଧିକ ହୁଅନ୍ତି ଯେଉଁ ଭାଷାର ଅଧାରୁ ଅଧିକ ଅନ୍ୟ ଭାଷାରୁ ଆସିଚି। ହିନ୍ଦିଆ ବି କୋଉ କମ୍ ନୁହନ୍ତି । ଶବ୍ଦ ଅଛି ଉଚ୍ଚାରଣ କରନ୍ତି ନାହିଁ କି ଲେଖିବା ପାଇଁ ବର୍ଣ୍ଣର ଉଦ୍ଭାବନ ନାହିଁ। ଯିଏ ନିଜେ ସ୍ଵୟଂ ସଂପୂର୍ଣ୍ଣ ନୁହେଁ ତାକୁ କେମିତି କିଏ ରାଷ୍ଟ୍ରୀୟ ଭାଷାର ମାନ୍ୟତା ଦେଲା କେଜାଣି! ଏଇ ଇଂରାଜୀଆ ଆଉ ହିନ୍ଦୀଆ ହେବାର ପ୍ରତିଯୋଗିତା ଚାଲିଚି ଯେମିତି ବେଶୀ ପଢୁଆର ଦେଖେଇ ହେବାରେ।


ସାଧାରଣ ଜନତା ଯେମିତି ଆମ ସରକାର ବି ସେମିତି।ଆମ ଭାଷା ଏକ ସମୃଦ୍ଧ ଭାଷା ବହୁ ପୁରାତନ ତଥ୍ୟ, ତତ୍ତ୍ଵ ଆଧାରରେ ଶାସ୍ତ୍ରୀୟ ଭାଷର ମାନ୍ୟତା ପାଇଲା। ଅକାରନ୍ତ ଉଚ୍ଚାରଣ କେଡ଼େ ମଧୁର। ଆମ ଭାଷା ପ୍ରେମୀ ମାନଙ୍କର ଛାତି ଛତା ନୁହେଁ ଛତି ଭଳିଆ ଖୋଲି ଯାଇଥିଲା। କିନ୍ତୁ ଏଇ କେତେ ଦିନ ହେବ ନିତି ନିୟମକୁ ଦେଖି ଗୋବର ଛତୁ ପରି ମଉଳି ଗଲା। ଘୋଷଣା ହେଇଗଲା ଏବେ ସବୁ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଓଡ଼ିଆ ବାଧ୍ୟତାମୂଳକ, ସବୁ ଫଳକରେ ଓଡ଼ିଆରେ ଲେଖା ହେବ। ପରିତାପର ବିଷୟ ଓଡ଼ିଆରେ ଅନୁବାଦ ହେବ ନା ମର୍ମାନୁବାଦ ହେବ ସ୍ପଷ୍ଟ କଲେ ନାହିଁ । ଅଡ଼ୁଆ ଟା ଯାହା ହେଲା ଖାନନଗରରେ ନିର୍ମିତ ହେଇଥିବା ନୂଆ ( ବସ୍ ବେ) ଦେଖି ମନ ଘର ଧରିନେଲା। ଏଇ ଭଳିଆ ଆହୁରି କେତେ ନମୂନା ଅଛି ଯାହାକି ସାମାଜିକ ଗଣମାଧ୍ୟମଗୁଡିକରେ ପ୍ରଚାର ପ୍ରସାର ହେଉଛି।


ଏବେ ଆସିବା କିଛି ଭାଷା ପ୍ରେମୀଙ୍କ ପାଖକୁ। କୁହାକୁହି ହେଲେଣି କୁଆଡେ଼ ସମ୍ପର୍କ ସଂରକ୍ଷଣ କରିବାର ସମୟ ଆସିଛି। ଖାଲି ବାପା ମାଆ ନୁହେଁ। ଦାଦା,ବଡ଼ ବାପା, ମଉସା ,ପିଉସା, ମାମୁଁ ସବୁକୁ ଗୋଟିଏ ଶବ୍ଦ ମାଡ଼ି ବସିଚି ଅଙ୍କଲ ଆଉ ତା'ର ସ୍ତ୍ରୀ ଲିଙ୍ଗ ବାଚକ ଯେତେ ସବୁ ଆଣ୍ଟି। ବିଲୁପ୍ତ ପ୍ରାଣୀ ଭଳି ଏମାନେ ଏବେ। ସୁତରାଂ ଦାଦା -ଖୁଡି, ବଡ଼ ବାପା - ବଡ଼ ମାଆ, ମାଉସୀ - ମଉସା, ପିଉସୀ -ପିଉସା , ମାମୁଁ - ମାଇଁ ଏ ମାନଙ୍କୁ ସାଇତି ରଖିବାକୁ ହେବ।

ଆଉ କିଛି ଭାଷା ପ୍ରେମୀମାନେ କହୁଛନ୍ତି ଡାଲି, ଚାଉଳ, ତେଲ, ଲୁଣ, ଫୁଲ, ଫଳ, ମୂଳ, ପନିପରିବା ପୋଷାକ ପ୍ରସାଧନ ଯେତେ ସବୁ ବାହାରୁ ଆସୁଛି ଗ୍ରହଣ କରି ଦେଉଛେ ଭାଷାକୁ କାହିଁକି ବାରଣ କରିବା। ଯେଉଁଠି ଆତ୍ମୀୟତା ଅଛି ମାମୁଁ- ମାଇଁ, ଦାଦା -ଖୁଡି ସଂଵୋଧନ କରାଯାଉ। ଯେଉଁଠି ଜଣାପଡୁ ନାହିଁ ଇଏ କିଏ ? ସେଇଠି ଅଙ୍କଲ ଆଣ୍ଟି ଡାକି କାମ ଚଳେଇ ଦିଅ।


ଯଦି ଏତେ ସବୁ ଚଳେଇ ହେଉଛି। ପୁଅଟା ବିଦେଶରେ ରହି ଲେଖିଚି। ଓଡ଼ିଆରେ ତା'ର ଦକ୍ଷତା ନାହିଁ ଇଂରାଜୀ ମାଧ୍ୟମରେ ପଡ଼ି ଏତେ ଦୁର୍ବଳ ମୁଁ କ'ଣ ଚଳେଇ ପାରିବିନି।

ମୋ ଅପାର କରୁଣାରୁ ସେ ଭଲରେ ଅଛି। ମୋ ଅପା କ'ଣ ତା ପିଉସୀ ଅପା ନୁହେଁ କି। ଏତେ ଗଣ୍ଠି ପକାଇଲେ ଗଣ୍ଠିଆ ହେଇ ଯିବା ।

ଏଠି ଗ୍ରୀନ୍ ସିଗ୍‌ନାଲ କହୁଛନ୍ତି ଓଡ଼ିଆରେ ସବଜ ସଂକେତ ମଧ୍ୟ କହିଛନ୍ତି। କିନ୍ତୁ ଶାଗୁଆ ସଂକେତ କେହି କହୁ ନାହାନ୍ତି। ବଙ୍ଗଳୀ ମାନେ ପରିବାକୁ ସବ୍‌ଜି କହନ୍ତି ପରବା'ର ରଙ୍ଗ ଅନୁସାରେ ସବୁଜ କହୁଛନ୍ତି। ତା'ର ନିରୁକ୍ତିରୁ ଜଣାପଡ଼ୁଛି ଶାଗର ରଙ୍ଗରୁ ଶାଗୁଆ ହେଇଛି। ଯେମିତି ବାଇଗଣରୁ ବାଇଗଣିଆ, ହଳଦୀରୁ ହଳଦିଆ ଇତ୍ୟାଦି ଇତ୍ୟାଦି।


ଜ୍ଞାନ ରଞ୍ଜନ ବାବୁ ଶାଗୁଆ ସଂକେତ ଦେଇ ଆଗକୁ ଆଗକୁ ପଢ଼ିବାକୁ ଲାଗିଲେ । ସାରାଂଶ ଥିଲା ତା ମାଆର ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେଇ ପାରିବେ ନାହିଁ । ସମସ୍ୟା ଅନେକ। ଚଳେଇ ଦିଅନ୍ତୁ।


ପୁଅ ତା'ର ଦୋଷ ଛଡ଼େଇ ଦେଲା ଯାବତୀୟ ସମସ୍ୟା ଦେଖାଇ । ପୁଅ ତା ମାଆର ସ୍ବପ୍ନକୁ ସାକାର କରିଛି। ବହୁତ ପଢିଲା, ବିଦେଶ ଗଲା । ଆଧୁନିକତାରେ ଦ୍ୱାହି ଦେଇ ପରମ୍ପରାକୁ ଭୁଲିଗଲା । ନିଜ ଇଚ୍ଛା ଅନୁଯାୟୀ ନିଜେ ଜୀବନ ସାଥୀ ବାଛି ନେଲା। ସହରରୁ ଗାଁ ମୁହାଁ ହେଲେ ଆମକୁ ଲୋକେ କ'ଣ ସଭ୍ୟ ଶିକ୍ଷିତ କହିବେ ‌ ସହରରୁ ବିଦେଶ ଗଲେ ପରିଚୟ ମିଳିବ ଜ୍ଞାନି, ଧନୀ, ପ୍ରଭାବଶାଳୀ ବୋଲି। ଧର୍ମପତ୍ନୀଙ୍କର ଏଇ ଉଚ୍ଚାଭିଳାଷୀ ହନୁ କରଣ ମାନସିକତାର କୁପରିମାଣ ରକ୍ତ ମାଂସର ଛୁଆଟିକୁ ଗୋଟିଏ ସ୍ବୟଂ ଚାଳିତ ଯନ୍ତ୍ରରେ ପରିଣତ କରିଦେଲା ।

 ନନ୍ଦ ବାବୁଙ୍କ ପୁଅ ପାଖକୁ ଆସିଥିଲା ଶମ୍ପାପତ୍ର (e-mail) ଯୋଗେ। ତା'ର ଗୋଟାଏ ନକଲ (copy)ବାହାର କରି ନନ୍ଦ ବାବୁ ଯାଇଥିଲେ ଜ୍ଞାନ ବାବୁଙ୍କ ପାଖକୁ । ମାଲେସିଆ ଯାତ୍ରାର ଅନୁଭୁତିକୁ, ୟୁକ୍ରେନ କିମ୍ବା ପାଲେଷ୍ଟାଇନ ଅଧିବାସୀ ଭଳି ଯୁଦ୍ଧର ଭୟାବହ ବଖାଣୁଥିଲେ ଯେମିତି । ଆଉ ଆସିଲା ପରେ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଉଛି ପୁଅ ସହିତ। ସିଏ ବି ବିଚରା କ'ଣ କରିବ। 


ପରିସ୍ଥିତି ସେମିତି ଥିଲା। ତା ମାଆ ମରିବା ପରେ ଜ୍ଞାନ ରଞ୍ଜନ ବାବୁ ମାଲେସିଆ ଯାଇଥିଲେ। ସେଇଠି ପୁଅ, ବୋହୂ, ନାତୁଣୀ ସହିତ ରହିଲେ ପ୍ରାଣପ୍ରିୟାର ଅବର୍ତ୍ତମାନକୁ ସହଜରେ ଭୁଲି ହେବ ବୋଲି। ଜ୍ଞାନ ରଞ୍ଜନ ବାବୁ ମାଲେସିଆ ଯିବାକୁ ଇଚ୍ଛୁକ ନଥିଲେ ଯଦିଓ ପୁଅର ବାଧ୍ୟରେ ବାଧ୍ୟ ହୋଇ ଯାଇଥିଲେ। କଷ୍ଟେ ମଷ୍ଟେ ଦଶ/ବାରଦିନ ରହି ଅଣନିଃଶ୍ବାସୀ ହୋଇ ଗଲେ। ପୁଅ ବୋହୂ ନିଜର କର୍ମକ୍ଷେତ୍ରରୁ ଫୁରସତ ମିଳେନାହିଁ। ନାତୁଣୀ ବି ପଢା ପ୍ରତି ଏତେ ବ୍ୟାକୁଳ ଯେ ଜେଜେ ସହିତ ଖେଳିବା ତ ବହୁ ଦୂରେ କଥା ଟିକିଏ ବି ହେଇପାରେ ନାହିଁ। ଯୋଉ ଅଳ୍ପ ସମୟ ମିଳେ ସେମାନଙ୍କ ଭାଷାରେ ନିଜକୁ ନିୟୋଜିତ କରିପାରୁ ନଥିଲେ। ପୁଅ ବି ଭରସି ପାରୁନାହିଁ ବାପା ପାଖରେ କିଛି କଥା ହେବା ପାଇଁ। ଛୋଟରୁ ବଡ଼ ହେଇଛି, ଖାଲି ପଢ଼ା.. ପଢ଼ା.. ପଢ଼ାରେ। ବାପ କୋଳରେ ବସିବାର ସୁଯୋଗ ତା ମାଆ ତାକୁ ଦେଇ ନାହିଁ। ଆଜି କେମିତି ମୋ ସହିତ ଭାବ ବିନିମୟ କରିବ ? ମୁଁ ତ ଜଣେ ଅପରିଚିତ ପରି। ମାଲେସିଆ ବୋହୂ ଆଉ ନାତୁଣୀ ସେମାନଙ୍କ ଠାରୁ ଆପଣାର ଭାବ କୋଉଠୁ ମିଳିବ ...? 


ଆକାଶକୁ ଚାହିଁ ମନେ ମନେ କେତେ ଆଉ କଥା ହେବେ !

ହେଇ ଦେଖୁଚ ତ ସ୍ଵର୍ଗରେ ଥାଇ ଏଇ ମାଲେସିଆକୁ। ଏଠି ସବୁ କେମିତି ସ୍ବପ୍ନ ପରି ଅଦ୍ଭୁତ। ପରିଚୟହୀନ ସମାହୋରରେ ମୁଁ କେମିତି ଏକ ମାତ୍ର ଅନିମନ୍ତ୍ରିତ ଅତିଥି ଟିଏ। ଏଠି କେମିତି ମୁକୁର ନୁହେଁ ଅନ୍ୟ ଏକ ମସୃଣ ବସ୍ତୁରେ ବିକୃତ ପ୍ରତିବିମ୍ବ ଆବିଷ୍କାର କରିବାକୁ ହୁଏ।


ଧୁଆଁଳିଆ ଧୁଆଁଳିଆ ପରିବେଶ। ରାସ୍ତା କଡ଼ରେ ଥିବା ସିମେଣ୍ଟ ବେଞ୍ଚ ଉପରେ ବସି ମିଶ୍ର ବାବୁକୁ ନନ୍ଦ ବାବୁ କଥା ହେଉଥିଲେ। ଜ୍ଞାନ ବାବୁଙ୍କ ପ୍ରାପ୍ତ ଭ୍ରମଣରୁ ବିରତି ନେବାର କାରଣ ଗୁଡିକ। ନନ୍ଦ ବାବୁ କହିଲେ ବିଚରା ସ୍ତ୍ରୀ ମଲା ପରେ ପୁରାପୁରି ବେସାହାରା ହେଇ ସେମିତି ଘରେ ସବୁ ବେଳେ ପଡ଼ି ରହିଛନ୍ତି। ମୁଁ ଗଲା ରବିବାର ଦିନ ତାଙ୍କ ପାଖକୁ ଯାଇଥିଲି ଆରେ ଆମେ ବୁଢ଼ା ହେଲୁ ବୋଲି କ'ଣ ଖୁସି ମନେଇ ପାରିବୁନି..? ନୂଆ ବରଷକୁ ଆମେ ବି ପାଳନ କରିବା। ଜ୍ଞାନ ବାବୁଙ୍କର ଲମ୍ବା ଜ୍ଞାନ ଆଗରେ ଆମେ ପରାସ୍ତ ହେଉ ଯାଉ ପ୍ରତିବର୍ଷ। ଯଥା - ଆମ ନୂଆ ବର୍ଷ ଏମିତି ଶୀତ ଋତୁର ଅଧରାତିରେ ଆସେ ନାହିଁ।ନୂଆ ବର୍ଷ ଆସିଛି ବୋଲି ସକାଳୁ ସକାଳୁ ହଜାର ହଜାର ନିରୀହ ପଶୁ ପକ୍ଷୀ ମାନଙ୍କୁ ମାରି ତା'ର ରକ୍ତ ମାଂସ ଖାଇ ଖୁସି ମନେଇଲେ ସେ ମାନଙ୍କ ଅବ୍ୟକ୍ତ ଅଭିଶାପ ଆମ ଉପରେ ହିଁ ପଡ଼ିବ। ମଦ୍ୟପାନ ସହିତ କର୍କଶ ସଂଗୀତରେ କାହାକୁ ସ୍ବାଗତ କରିବା? ସିଏ କ'ଣ ଶୁଭ ପ୍ରଦାୟକ ହେବ? ଏଇ ଭଳି ବିକଳାଙ୍ଗ ମାନସିକତା ଆମ ପରମ୍ପରା ବିରୋଧି । ଭୋଜି ଭାତକୁ ଜ୍ଞାନ ବାବୁ ବିରୋଧ କରନ୍ତି ନାହିଁ। କିନ୍ତୁ ଇଂରାଜୀ ନୂଆ ବର୍ଷକୁ ଘୋର ବିରୋଧୀ। କେଡ଼େ ସୁନ୍ଦର ଆମର ପରମ୍ପରା। ମହାବିଷୁବ ପଣା ସଂକ୍ରାନ୍ତି ଓଡ଼ିଆ ନୂଆ ବର୍ଷ। ଚଳନ୍ତି ଦେବତା ସୂର୍ଯ୍ୟଙ୍କର ରାଶିଚକ୍ରର ପ୍ରଥମ ରାଶି ମେଷରେ ପଦାର୍ପଣ କଲେ ଆମ ନୂଆ ବର୍ଷ ଦିବାଲୋକରେ ଆସେ । ପୂଜା ବିଧିରେ ସାତ୍ତ୍ୱିକ ସହକାରେ ବର୍ଷର ଆରମ୍ଭ ହୁଏ।......।


ବୁଝିଲ ମିଶ୍ର ବାବୁ , ଏଥିର କିନ୍ତୁ ମତ ଭିନ୍ନ। ମତେ କହିଥିଲେ ଆମ ମାନଙ୍କ ପାଖକୁ ଆସିବେ ଏବେ। ଭାଉଜଙ୍କ ର ପ୍ରଥମ ଶ୍ରାଦ୍ଧବାର୍ଷିକୀକୁ ଆମେ ମାନେ କେମିତି ମିଳିମିଶି ତୁଲେଇ ଦେବା। ନାଇଁ ନାଇଁ ନନ୍ଦ ବାବୁ ସିଏ ନଆସନ୍ତୁ, ଆମେ ଯିବା ତାଙ୍କ ଘରେ ବସି ଆଲୋଚନା କରିବା।

***********

ଆରେ...ଆରେ ..., ଆସନ୍ତୁ ଆସନ୍ତୁ । ମୁଁ ତ ଏଇ ଦିନେ ଦିଦିନ ଭିତରେ ତମ ମାନଙ୍କ ପାଖକୁ ଯିବାକୁ ବାହାରି ଥିଲି । ଦୂରଭାଷ (mobile phone)ଯୋଗେ କଥାଟା ଅସୁନ୍ଦର ହେବ। ସେଥିପାଇଁ ଭାବିଲି ନିଜେ ଯାଇ କହି ଆସିବି। ହେଲେ କ'ଣ ହେବ ବାର୍ଦ୍ଧକ୍ୟ କଷଣକୁ ସହି କ'ଣ ଯାଇ ହେଉଛି । ବାଆଁ କଡ଼ ଆଣ୍ଠୁଟା ଯେତେ ଔଷଧ ଖାଇଲେ ବି କମିବାର ନା ଧରିନି। କେତେ ଥର ଯିବା ପାଇଁ ବାହାରିଲିଣି। ଚାଲି ହେଲେ ସିନା କ'ଣ କରିବି।

ଥାଉ ଜ୍ଞାନ ବାବୁ ନନ୍ଦ ବାବୁ କହୁଥିଲେ , ସବୁ ଜାଣିଚୁ ବୋଲି ଆସିଛୁ।

ଭଲ ହେଲା, ୟାଙ୍କୁ ହିଁ କହନ୍ତି ବନ୍ଧୁ।

"ଉତ୍ସବେ ବ୍ୟସନେ ଚୈବ ଦୁଃର୍ଭିକ୍ଷେ ରାଷ୍ଟ୍ରବିପ୍ଲବେ 

ରାଜଦ୍ବାରେ ଶ୍ମଶାନେ ଚ ଯଃ ତିଷ୍ଠତି ସଃବାନ୍ଧବାଃ "

ଥାଉ ଥାଉ ଜ୍ଞାନ ବାବୁ ଆମର ଆଉ ଏତେ ଉଚ୍ଚ ପ୍ରଶଂସା କରନ୍ତୁ ନାହିଁ। କ'ଣ କେମିତି କରିବା କୁହନ୍ତୁ। ଶ୍ରାଦ୍ଧବାର୍ଷିକୀ ଆଲୋଚନା ଭିତରେ ଏକ ଗୁରୁତ୍ବପୂର୍ଣ୍ଣ କଥା ପଡ଼ିଲା। ସରକାର ମାଗଣା ଚାଉଳ ଦେଇ ଆମ ମାନଙ୍କ ପ୍ରତି ଅନ୍ୟାୟ କଲେ। ଏବେ ଲୋକ ଟିଏ ମିଳୁ ନାହାନ୍ତି କାମ କରିବା ପାଇଁ । ଅସହାୟ ମାନଙ୍କୁ ବି ଭତ୍ତା, କିଏ କାହିଁକି ପରଘରେ ରହି କାମ କରିବ। କାମବାଲୀ ଟିଏ ଖୋଜୁ ଖୋଜୁ ବର୍ଷ ଟିଏ ପୁରେଇବାକୁ ଲାଗିଲାଣି। କେତେ ଆଉ ନିଜେ ରାନ୍ଧି ବାଢ଼ି ଜୀବନ ଜୀଆଁଇବି। ଦୋକାନରୁ ମଗେଇ ଚଳିବାଟା ଭାରି କଷ୍ଟ। ଏଇ ଥର ନୂଆ ବର୍ଷ ଭୋଜିଟା ହେବ କିନ୍ତୁ ଗୋଟିଏ ସର୍ତ୍ତରେ।

କାମବାଲୀ ତ ମିଳୁନାହିଁ ‌। କେତେ ଦିନ ଆଉ ଏକୁଟିଆ ପଡି଼ଥିବି। ଭାଉଜ ପୁଅକୁ ପାଠ ପଢ଼ାଇ ମାଲେସିଆ ପଠେଇ ଦେଇ ସିଏ ନିଜେ ଅପେରା ରାଇଜକୁ ଚାଲିଗଲା।

କିଏ ଆଉ ଫେରିବ? ପୁଅ, ବୋହୂ, ନାତୁଣୀ ସବୁ ସେଇଆଡ଼େ। ଏଇ ବୟସରେ କିଏ ଆଉ ସାହା ହେବ।

କ'ଣ କହିବା କଥା କହୁ ନାହାନ୍ତି? 

କଷ୍ଟେ ମଷ୍ଟେ ସିନା କ'ଣ ଦିଇଟା ଖାଇ ଜୀବନଟା ରହିଯାଉଛି। ହେଲେ ଆଣ୍ଠୁ ଗଣ୍ଠି ବେମାରରେ ଘୋଳାବିନ୍ଧାକୁ ସହି ହେଉନି। ତମ ମାନଙ୍କ ନଜରରେ ସିନା କାମବାଲୀ ମିଳିଲେ ନାହିଁ। ଏଥିର ଗୋଟିଏ ଘରବାଲୀ ଖୋଜି ଦେବ।

ଯଦି କୋଉଠି କିଏ ଅଧା ଅଧି କି ତିନି ପାହିଆ ଯୁଟିଲେ କହିବ। ମୋ'ର ଯେତେ ଧନ ସମ୍ପତ୍ତି ଅଛି ସବୁ ତା ନାଁ ରେ କରିଦେବି। ସିଏ ମାଲେସିଆ ପୁଅ ମାଲେସିଆ ପୁଅ ହେଇ ମତେ ଛାଡ଼ି ଚାଲିଗଲା। ମୁଁ କିନ୍ତୁ ଏ ପରିଣତ ବୟସରେ ଗୋଟେ ମାଲେସିଆ ଚାହୁଁଚି। ସିଏ ମୋ'ର ସବୁ ନେଉ ପଛେ ଏ ଗୋଡ଼ ହାତକୁ ତ ଟିକିଏ ମାଲିସ୍ କରିଦେବ।


Rate this content
Log in

Similar oriya story from Abstract