Hemanta Kumar Nayak

Others

4.0  

Hemanta Kumar Nayak

Others

ବିସ୍ଥାପିତ

ବିସ୍ଥାପିତ

5 mins
131


ଦରଭଙ୍ଗା ଘର କାନ୍ଥର ଫାଟରୁ ଗଛଟିଏ ଉଠିଛି, ଆକାଶକୁ ମେଲାଇ ଦେଇଛି ତା'ର ଶାଖା ପ୍ରଶାଖା, ଚେର; ମାଟିକୁ ଛୁଇଁବ ଛୁଇଁବ ହେଉଛି... । ସନିଆର ନଜର ପଡିବା ଦିନୁ ସବୁଦେନେ ଘଡ଼ିଏ ଘଡ଼ିଏ ଚାହିଁରୁହେ, କୋଉ ଦିନ ମାଟିକୁ ଛୁଇଁବ ତା'ର ଚେର । 


ପନ୍ଦର ବର୍ଷ ବୟସର ହୋଇଥିଲା ତା ବାପା ଚାଲିଗଲେ ଏକ ମାତ୍ର ଗେହ୍ଲା ପୁଅକୁ ଛାଡି । ଅଧ୍ୟୟନ ଜୀବନ ତା ଅଧାରେ ରହିଗଲା । ଆଶ୍ରାର ଆକାଶ ତା ପଣତ କାନିରେ ବାନ୍ଧି ରଖିଥିଲା ତା ମାଆ' ପାଞ୍ଚ/ଛଅ ବର୍ଷ ଯାଏ । ଯିବାର ବି ହେଇଗଲାଣି ସେତିକି ବର୍ଷ । ଅବିବାହିତ; ପିଲା ଛୁଆ ଆସିବେ କୁଆଡୁ...?


ନୁଆଁଣିଆ ଝାଟିମାଟିର ବଡ଼ ବଖରାଏ ଚାଳ ଘର । ବାପା ମାଆ ପରି ଆକଟ କରେ,ଗେଲ କରେ, ପ୍ରଚୁର ମମତା ଦିଏ । ସାରା ଗାଁ ଟା ତା'ର ବାପା ମାଆ ପରି, ଭାଇ ଭଉଣୀ ସବୁ କିଛି । ଅଲିଖିତ କବିତା ମୁଖରେ ମୁଖରେ ମୁଖରିତ ହୁଏ; ସନିଆ ତୁଣ୍ଡରେ, ପ୍ରତି ସାହିର ଗଳିକନ୍ଦିରେ । ତା କବିତାରେ ଥାଏ ମାଟିର ବାସ୍ନା । ପର୍ବପର୍ବାଣୀ, ଯାନିଯାତ୍ରା, ଓଷା ବ୍ରତ କଥା । ସାମ୍ପ୍ରତିକ ସମୟକୁ ନେଇ ସଚେତନତା । ତାକୁ ତା ରଜସ୍ୱଳା ବିଲ ଖଣ୍ଡକ ସ୍ୱାଭିମାନରେ ଜୀଇଁବା ଶିଖାଇଛି, ସର୍ବେସର୍ବା ହୋଇ ସାହାଯ୍ୟ କରୁଛି । 


ସନିଆ ଶୁଣେ ସକାଳୁ ସକାଳୁ ଚଢ଼େଇ ଚିର୍ଗୁଣୀଙ୍କର କିଚିରି ମିଚିର ଶବ୍ଦ, ଶୀତଳ ସନ୍ଧ୍ୟାର ଝିଁ ଝିଁ ଝିଙ୍କାରୀର ଝଙ୍କାର, ବେଙ୍ଗ ବେଙ୍ଗୁଲିର କେଁ କଟର ରଡ଼ି ଦେଶୀ କୁକୁର ଦଳଙ୍କ ପହରାମରା ଭୋ ଭୋ ଗର୍ଜନ । ଆଉ କାଉର ରାବ ଶୁଣିବା ଆଗରୁ ତା ବିଲ ଆଡ଼ୁ ବୁଲି ଆସେ ଘେରାଏ । ଗହୀର ମଝିରେ ବୁଲି ବୁଲି ଆସିଥିବା ସର୍ପିଳ ଯୋରରେ ନିତ୍ୟକର୍ମ ସାରି । ଗାଁରେ କିଏ ରୋଗ ବେମାରରେ ପଡିଲେ,ମୃତାହ କାର୍ଯ୍ୟର ମଶାଣି ଭୂଇଁରେ, ବିବାହ ବ୍ରତର ଭୋଜି ଭାତରେ, ଦୁଃଖି ରଙ୍କିଙ୍କ ବିପଦ ଆପଦରେ ସିଧାସଳଖ ଠିଆ ହୁଏ । ସମସ୍ତେ ବି ତାକୁ ଲୋଡ଼ନ୍ତି ଆଦରରେ । ସନାତନ ନାଁ ରୁ ସନିଆ ଡାକର ମଧୁରତାରେ । ଏମିତିରେ ଏମିତିରେ ସମୟ ଅତିବାହିତ ହେଇ ଯାଉଛି କିଛି ବର୍ଷ । ଏଇ ଭିତରେ ସନିଆର ମୁଣ୍ଡ ବିଗିଡି ଯାଇଛି । ଯେଉଁ ଦିନୁ ଶୁଣିଲାଣି ସନିଆର ଗାଁ, ଘର,ବିଲ,ବନ, ପାହାଡ଼, ଜଙ୍ଗଲ, ଝରଣା ସବୁ କିଛି କିଣି ନେଇଛି ଗୋଟେ ଲୁହା କାରଖାନା ହେବାପାଇଁ । ଭିତରେ ଭିତରେ ତା ମନ ମରିଯାଇଛି, ଖାଇବା ପିଇବା ଠିକ୍ ରହୁନି । ପ୍ରାଣପଣେ ଚେଷ୍ଟା ଚଳାଇଛି ମାଟି ବିକ୍ରି ବନ୍ଦ କରିବାକୁ । ଚକ୍ରାନ୍ତ ବିରୋଧରେ ଯୋରଦାର ଜବାବ ଦେବାକୁ । 


କେହି କେହି ଅନ୍ତରାଳରୁ କୁତ୍ସିତ ଶବ୍ଦ ଫିଙ୍ଗିଲେଣି ଶଳା; ତୋ ବୋପାର କ'ଣ ଯାଉଛି, ବୋପା ମାଆ ଥିଲେ ସିନା ଜାଣିବୁ । ଦସ୍ତଖତ ଦେଇଦେ, ଗାଁ ଲୋକେ କେତେ କଣ ପାଇବେ । ତୁ ତ ବାନାବାସ୍ତୁରିଆ ତୁ କ'ଣ ବୁଝିବୁ ତୋର ଆଗକୁ ନାହିଁ କି ପଛକୁ କେହି ନାହିଁ । ଗୋଟା ଯାକ ଗାଁ କ'ଣ ତୋର ? ତୁ କ'ଣ ମାଲିକ? ତୁ ଏକା ନଦେଲେ କ'ଣ ହେବ; ସାଇରନ୍ ଶୁଭୁଥିବ ବୁଲ୍‌ଡୋଜର୍ ଆସିବ ତୋ ଘର ଉପରେ ଚଢ଼ି ଯିବ । ସିଧା ସିଧା ମାନି ଯା; ନହେଲେ ଦେଖିବୁ.... ଜାଣିବୁ । ସେହି ଦରଭଙ୍ଗା ଘରକୁ ଚାହିଁଲା ଭଳି ଚାହିଁ ରହିଥିବୁ.... । 


ସନିଆ ଚିନ୍ତିଲା ଗାଁ ଲୋକଙ୍କୁ ମତେଇବ, ପଡୋଶୀ ଗାଁ ମାନଙ୍କୁ ଯାଇ ମେଳି କରିବ । ସଭିଏଁ ମିଶିଗଲେ କାହାର ତାକତ ନାହିଁ ଯେ, କିଏ ପଶି ଆସିବ । ସନିଆ ମୁଣ୍ଡ ଘାବରେଇ ଯାଇଥିଲା । ଚାରି/ ଛଅ ଜଣ ଲାଗି ପଡିଛନ୍ତି କୁ-ମନ୍ତ୍ରଣା ଦେବାକୁ । ଗାଁ ସାରା କମ୍ପାନୀ ଠାରୁ ଟଙ୍କା ପଇସା ଆଣି ମଦ- ମାଉଁସ ଖାଇ ଭ୍ରମରେ ପଡ଼ି ଯାଇଛନ୍ତି । କିଛି ଲୋକ ଦୋ..ଦୋ..ପାଞ୍ଚ ହୋଇ ସେପାଖକୁ ଢଳିବା ଉପରେ । ଏତେବଡ ଗାଁକୁ କେମିତି ବୁଝେଇବ ଏକା । ରାତିରେ ଚାରି/ଛଅ ଜଣ ବାହାରୁଛି, ଦିନ ବେଳେ କାହାର ଦେଖା ନାହିଁ । କମ୍ପାନୀର ପକ୍ଷ ନେଇ ସରକାର ଆଡୁ ପୋଲିସ ଯୋର୍‌ସୋର୍‌ରେ ଲାଗି ପଡିଛନ୍ତି । 


ଲୋକଙ୍କ ମନ ତଳର କଥା ଆଉ ମାଟିର ମୋହ ଠିକ୍ ବୁଝି ପାରୁଛି ସନିଆ । ହଠାତ୍ ଦିନେ କମ୍ପାନୀବାଲା ଦଳେ ପୋଲିସ ସହିତ ଗାଁକୁ ପଶି ଆସିଲେ । ସାଙ୍ଗରେ ଧରି ଥିଲେ ତିନି ଗୋଡିଆ ଯନ୍ତ୍ର ଆଉ ଦୁରବିନ୍ । ସେମାନେ ଆଜି ହିସାବ କରିବେ କାହାର କେତେ ଘର, ଜମିବାଡ଼ି, ଗଛ, ଗାଇ ଗୋରୁ ଆଉ ମଣିଷ ବି । ମୁଣ୍ଡପିଛା କିଏ କେତେ ପାରିବେ । ପୋଲିସ ଦେଖିଲେ ଗାଁ ବାଲା ବରଡା ପତ୍ର ପରି ଥରିବେ । ମାଟିଆ ପୋଷାକକୁ କି ଭରସା । କେତେବେଳେ କୋଉ ଦଫା ଲଗାଇ ରଫା କରିଦେବେ । ସରଳ ଲୋକଙ୍କୁ ଯେମିତି ବି ରଖିଲେ ପୋଲିସ ଠାରୁ ଭୟ ହଟିବନି । ସେହି ପୋଲିସ ବାବୁମାନେ ଯେତେବେଳେ ଅତି ସରାଗରେ ଲୋକଙ୍କୁ ଡାକିଲେ, ଆଗପଛ ହୋଇ ଲୋକ ମାନେ ଜମି ଗଲେ କମ୍ପାନୀ ବାଲାଙ୍କୁ ଚାରିଆଡୁ । 


ସେମାନଙ୍କ ଭିତରୁ ବାବୁ ଜଣେ ଚାରି କୋଣିଆ ମେସିନ୍ ବାହାର କଲେ, ଆଙ୍ଗୁଠି ଟିପି କ'ଣ କ'ଣ ସବୁ ବାହାର କଲେ । ଲୋକେ ତାଜୁବ୍, ତାହାରି ଭିତରେ ଗାଁ ଲୋକଙ୍କ ନାଁ! କାହାର କେତେ ଜମି ସବୁଅଛି । ବାବୁ ଜଣକ ଅତି ସତର୍କତାର ସହିତ ସରଳ ଭାବରେ ବୁଝାଇଲେ, କମ୍ପାନୀ ଆସିଲେ ଅମୁକ ହେବ ସମୁକ ହେବ, କାହାର ଦୁଃଖ ରହିବନି । କମ୍ପାନୀ ଆସୁନି ତ ସୁଖ ଆସୁଛି । ଚାଳ ଘର ରହିବନି ସମସ୍ତଙ୍କର କୋଠା ଘର ହେବ । ସହର ପାଖରେ ବାସ କରିବ । ପ୍ରଚୁର ଟଙ୍କା ପାଇବ । ପ୍ରତିଘରୁ ଜଣକୁ ଚାକିରି ମିଳିବ..... । 


ସେଦିନ ବିଲରେ କାମ କରୁଥାଏ ସନିଆ । ଥକ୍କାମାରି ଟିକେ ହିଡ ଉପରେ ବସିଗଲା । ପାଖ ଝରଣାରୁ କୁଳୁ କୁଳୁ ସଙ୍ଗୀତ ଝରି ଆସୁଥିଲା । ଅନର୍ଗଳ କବିତା ଗାଉଥିବା ତୁଣ୍ଡ ତା'ର ଆଜି ହଳୁଆ ଗୀତର ସ୍ୱର ଲମ୍ବି ଯାଉଥିଲା । ତା ଗୀତ, ତା କବିତା ମାଟି ଶୁଣେ କି ଆକାଶ ସେ ଜାଣେନା । ସେ ଖାଲି ଗାଇ ଜାଣେ । ଠିକ୍ ସେତିକିବେଳେ କେହି ଜଣେ ଡାକ ଛାଡ଼େ ସନିଆ... ସନିଆ... । ସେମାନେ ଗାଁକୁ ପଶି ଆସିଛନ୍ତି । କିଏ ପଶି ଆସିଛନ୍ତି ବୁଝିବା ଆଗରୁ କୋଦାଳକୁ କାନ୍ଧରେ ପକାଇ ଗାଁ ମୁହାଁ ଦୌଡ଼େ । 


ଗାଁ ଲୋକେ, ପୋଲିସ ଆଉ କମ୍ପାନୀ ବାଲା ସମସ୍ତେ ମଣ୍ଡପରେ ଘେରି ଯାଇଛନ୍ତି । ନିରବତା ଖେଳିଗଲା ସନିଆକୁ ଦେଖି । ଯୋଉ ମଣ୍ଡପରେ ଗାଁର ନିସାବ ହୁଏ ସେହି ମଣ୍ଡପରେ କମ୍ପାନୀର ଚାପ, ସନିଆ ଭାବେ ଏ ସବୁ ପାପ ହେଇଛି । ଏଇଠୁ ହିଁ ଡାକରା ଦେବ ତା ମାଟି ମାଆ ପାଇଁ । 


କମ୍ପାନୀର ଲୋକ ମାନେ ସନିଆ ବିଷୟରେ ଆଗରୁ ଜାଣିଥିଲେ । ଟିକିନିଖି ଖବର ରଖୁଥିଲେ ସନିଆର । ତାକୁ ଡାକି ଭିଡ଼ ଭିତରୁ ବାଟ କଢ଼େଇ ପାଖରେ ବସାଇ ଯାହା ବୁଝେଇବା କଥା ବୁଝାଇଲେ । କୋଠା... କମ୍ପାନୀ.... ଚାକିରି... ଟଙ୍କା.... । 


ସନିଆ କାନ୍ଧରେ ସେମିତି କୋଦାଳ ଧରିଥାଏ । ପୋଲିସ ବାଲା କୋଦାଳ ଥୋଇ ଦେଇ କଥାବାର୍ତ୍ତା କରିବାକୁ ନିର୍ଦ୍ଦେଶ ଯେତେବେଳେ ଦେଲେ, ସନିଆ ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ି ଦେଲା ପରି ବିଚଳିତ ହେଇଗଲା । କହିଲା- ଚୁପ୍ ରହ ! ରଡ଼ ନିଆଁ ପରି ଆଖି ଲାଲ୍ ଲାଲ୍ କରି କମ୍ପାନୀ ବାଲାକୁ ଅନେଇଲା । ସନିଆ ଦେହରେ ଏତେ ରାଗ ଆଗରୁ କେହି କେବେ ଦେଖି ନ ଥିଲେ । ସନିଆ ମୁଠାଏ ମାଟି ଉଠାଇ ଆଣି ମୁଣ୍ଡରେ ବୋଳିଲା । ସତେ ଯେମିତି ଏ ମାଟି ହିଁ ତା'ର ଜୀବନ । କେହି ନେଇ ଯିବା ଆଗରୁ ନିଜ ଗର୍ଭରେ ସାଇତି ରଖିଦବ । ଆଖିରେ ତା'ର ଲୁହ... ଛାତିରେ ଅମାପ କୋହ ... । 


ରଖ ହୋ ତମ ଟଙ୍କା, ରଖି ତମ କୋଠା । ରଖ ତମ କଲୋନୀ, ରଖ ତମ ଚାକିରୀ । ପ୍ରଳୟ ହେଇଗଲେ ବି ମୁଁ ଏ ଜାଗା ଛାଡି ଯାଇ ପାରିବିନି । ଏ ଘରେ ମୋ'ର ସାତ ପୁରୁଷଙ୍କ ସାହା ପୁରୁଷ ଅଛି । ତାଙ୍କରି ଝାଳରେ ମୋର ଘର ଠିଆ ହେଇଚି । ଆମକୁ ଏଠୁ କେହି ବାହାର କରି ପାରିବେ ନାହିଁ । ଏ ଘର ଆମର...ଏ ମାଟି ଆମର । ତମ ଲୁହା ଝାଳ ଦେଖିନି ମୋ କୋଦାଳ ଢେର୍ ଝାଳ ପିଇଛି । ମୋ କୋଦାଳ ଉଚିତ୍ ଜବାବ ଦେବ 

*****       *******       ******

ସକାଳ ଖବରକାଗଜରେ ସନିଆର ଫଟୋ ବାହାରିଛି । କାନ୍ଧରେ ତା'ର କୋଦାଳ, ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି ଆଭୂଷଣ କମ୍ପାନୀର ଜନ ସମ୍ପର୍କ ଅଧିକାରୀଙ୍କୁ ହତ୍ୟା ଉଦ୍ୟମରେ ଯୁବକ ଗିରଫ । 

***  ****   ***     ****

ବ୍ରିଟିଶ ନିର୍ମିତ କାରାଗାର, ଗୋଟିଏ ପାଖରେ ଶିଉଳି ଲଗା ଘରଟିଏ । ଆଉ ତା କାନ୍ଥର ଫାଟରୁ ଗଛଟିଏ ବାହାରିଛି । ସନିଆ ଦେଖୁଛି; ଆକାଶକୁ ମେଲାଇ ଦେଇଛି ତା'ର ଶାଖା ପ୍ରଶାଖା, ଚେର ମାଟିକୁ ଛୁଇଁବ ଛୁଇଁବ ହେଉଛି । 

ଧନ୍ୟବାଦ



Rate this content
Log in