Satyabati Swain

Tragedy

4  

Satyabati Swain

Tragedy

ମାଧ ମା

ମାଧ ମା

7 mins
475



ଜରାଶ୍ରମରେ ସମସ୍ତ ଅନ୍ତେବାସୀ ଆଜି ଚକ ଚକ ଦିଶୁଛନ୍ତି।ସବୁଦିନ ତ ତାଙ୍କର ଏମିତିଆ ରୁଟିନ୍ ଜୀବନ।ଆଜି କିନ୍ତୁ ଅପେକ୍ଷାକୃତ ବେଶୀ ସଫା ଟଫା।ଘର ପରିବାର ସହ ଦୁନିଆଁ ଲୋକେ ଖୁସି ବାସୀରେ ପର୍ବ ପର୍ବାଣୀ ପାଳିଲା ବେଳେ ଜରାଶ୍ରମ ଅନ୍ତେବାସିନୀ ନିଜ ଭିତରେ ଏଇ ପର୍ବ ଗୁଡାକ ମନେ ପକାଇ ନିଜ ସେ ସ୍ମୃତିକୁ ବାଣ୍ଟନ୍ତି।ପଖାଳନ୍ତି ନିଜ ମନକୁ।କେହି କେହି ବଦାନ୍ୟ ବ୍ୟକ୍ତି ଆସନ୍ତି ଦୟା,କରୁଣା,ଅନୁଗ୍ରହ ପେଟି ସାଙ୍ଗରେ ଧରି।କିଏ ଶୁଖିଲା ଖାଦ୍ୟ,କିଏ ପୋଷାକ କି କିଏ କମ୍ବଳ ଆଣିଥାନ୍ତି।ଅଧିକ ବଡ଼ ବଡୁଆ ଆସିଲେ ଜରାଶ୍ରମକୁ ହଜାର ହଜାର ଟଙ୍କା ଦିଅନ୍ତି।ସବୁ ଦିନ ଠାରୁ ଆଜି ଦିନ କିନ୍ତୁ ସ୍ୱତନ୍ତ୍ର।ମୁଁ ଏଠାକୁ ଆସିଲିଣି ସାତ ବର୍ଷ ହେବ ଆସିଲିଣି।ଏସବୁ ଦେଖି ଆସୁଛି।ଜରାଶ୍ରମର କେୟାର ଟେକର୍ ତାଗିଦା କରି କହିବ"ଘଷି ମାଜି ଗାଧୋଇବ। ଭଲ ପୋଷାକ ପିନ୍ଧିବ।ଆଜି କେତେ ବାବୁ ଲୋକ ଆସିବେ।


କାହିଁକି ଆସିବେ କେହି ପଚାରନ୍ତି ନାହିଁ।ପଚାରିବା ଆବଶ୍ୟକ ପଡେନି।ଏଠି ଯେଉଁମାନେ ଅଛନ୍ତି ସମସ୍ତେ ତ ଗୋଟିଏ ଗୋଟିଏ ନିଃଶ୍ବାସ ଚାଲୁଥିବା ଜୀଅନ୍ତା ଶବ।ସେମାନଙ୍କର କଣ ଯାଏ କିଏ ଆସିଲା ବା ନ ଆସିଲା। କିନ୍ତୁ କଣ ଦିଅନ୍ତୁ ନ ଦିଅନ୍ତୁ ଫୋଟୋ ଉଠେଇବେ ନିଶ୍ଚୟ।


ଆଜିବି କେୟାର ଟେକର୍ ସଫା ଟଫା କରୁଛି ସମସ୍ତଙ୍କୁ।ସବୁ ଦିନେ ସେଇ ମାନେ କରନ୍ତି।ତାଙ୍କ ମନ ହେଲା ଅବା ଆଜି ଟିକେ ବେଶୀ କଲେ।ବୁଲୁ ମା ଟି ଚେଣ୍ଟେଇଟିଏ।ଟିକେ କଣ ହେଲେ ୟାକୁ ତାକୁ ପଚାରିବ।ମୋତେ ବୁଲୁ ମା ପଚାରିଲା ଆଜି କଣ କି ମାଧ ମା ?ବେଡ୍ ଠାରୁ ଆରମ୍ଭ କରି ଦେହ ଯାଏ ସଫା ସଫାଟଫା କରୁଛନ୍ତି।ମୁଁ ମାଧ ମା ସବୁଠାରୁ ପୁରୁଣା ଲୋକ ଏ ଜରାଶ୍ରମର। ସଭିଙ୍କର ପ୍ରିୟ। ଭଲ ମନ୍ଦ କଥା ମୋତେ ସମସ୍ତେ ପଚାରନ୍ତି।କତରା ଲଗା ହୋଇ ଗଲେଣି ମୁଁ।ଆଖିକୁ ଆଉ ଦିଶୁ ନାହିଁ କି କାନକୁ ଭଲ କରି ଶୁଭୁ ନାହିଁ।


ମୁଁ ଭାବେ ସମସ୍ତେ ଆଉଛନ୍ତି ଏ ମରଣ ଟା ଆସୁ ନାହିଁ କାହିଁକି?ମାୟା ମୋହ ଜଡଷଡ଼ ମଣିଷ।ଛାତି ଟା ଅଛି ଧକ୍ ଧକ୍ ବି ହେଉଛି।ଏଇ ମେସିନଟା ବନ୍ଦ ନ ହେବା ଯାଏ ଅନୁଭବ ଶକ୍ତି ଟା କିନ୍ତୁ ଯାଉନାହିଁ।ଭାରି କଲବଲ୍ କରୁଛି ଏ ଧକ ଧକ।ବନ୍ଦ ହେଉନି କାହିଁକି?ସବୁ ମନେ ପଡୁଛି।ଲୁହ ସେ ବି ଆଖିକୁ ଛାଡୁନାହିଁ।କୋଟର ଗତ ଆଖିରୁ ଲିମ୍ବୁ ରସ ପରି ଚିପୁଡି ହୋଇ ଯାଉଛି ଲୁହଗୁଡା।ବୁଲା ମା କହିଲା କଣ ଏତେ ଭାବୁଛୁ ବା ମାଧ ମା?ଆଜି କଣ କହିଲୁ ନାହିଁ ତ?


ଦୀର୍ଘଶ୍ଵାସ ଛାଡି ମୁଁ କହିଲି ଆମର କେଉଁ ଦିନରୁ କଣ ମିଳିବ?ଖାଲି ଠାକୁରଙ୍କୁ ଡାକେ କେମିତି ଯମ ଆସି ଆମକୁ ନେଇ ଯାଉ।


ଚିହିଁକି ଉଠିଲା ବୁଲା ମା।କାହିଁକି ତୁ ସବୁବେଳେ ଏଇ ଅଲକ୍ଷଣା କଥା ଗୁଡା କହୁଛୁ।ହଇଲୋ ଆମାକୁ ଛାଡି ଆମ ଘର ଲୋକେ ଯଦି ଖୁସିରେ ରହି ପାରୁଛନ୍ତି ଆମେ କାହିଁକି ତାଙ୍କୁ ମନେ ପକାଇ ଝୁରିବା।ଯେତିକି ଦିନ ନିଃଶ୍ବାସ ଚାଲୁଛି ଆମେ ବି ଖୁସି ରହିବା।ଏଠି ତ ସବୁ ଅଛି କାମ ଚାହିଁଲେ କର।ଗୀତ ବୋଲ।ପାଠ ପଢ଼ ବା ପଢ଼ାଅ।ବୁଣା ବୁଣି ଜାଣିଥିଲେ କର।କିଛି ନ ପାରୁଛ ଯଦି ଗୀତା ଭାଗବତ ଶୁଣ,ଯୋଗ କର୍,ଟିଭି ଦେଖ।ନଲେ ଲୁଡୁ,କଉଡ଼ି ଖେଳ।ଏତେ ମାଧ ମାଧ ହେଉଛୁ କାଇଁବା ଦିନେ ତୋ ପୁଅ ଆସୁଛି?


ଲୁହ ମୋର ବୋଲ ମାନିଲେ ନାହିଁ।ଭାରି ଅମାନିଆଁ କିନ୍ତୁ ଭଲ ସାଙ୍ଗ ଏ ଲୁହ।ଛାଡି ଯାଆନ୍ତି ନାହିଁ ଏକା କରି କେବେ।ମାଧ! କଣ ମୋ ଠାରୁ ଦୂରରେ ଅଛି?ଅନ୍ତ ଫାଡି ଜନ୍ମ ଦେଇଥିଲି।ଛାତି ଚିରି କ୍ଷୀର ଖୁଆଇ ଥିଲି।ତୁ ସେମିତି କହନା ବୁଲୁ ମା ମୋ ପୁଅର ତଂଟିରେ ଲାଖୁଥିବ।ମାଧ ଟି ମୋର ପ୍ରଥମ ସନ୍ତାନ।ପ୍ରଥମ ସନ୍ତାନ ଖୁସି ପ୍ରଥମ ଖୁସି।ସବୁ ପ୍ରଥମ କଣ ଭୁଲି ହୁଏ କି ବୁଲୁ ମା।ଏଇ ଦେଖୁନ ମୋ ନା ବିଣା ତୋ ନାଁ ଲିଳିତା।ଆମେ କିନ୍ତୁ ପରସ୍ପରକୁ କେଉଁ ନାମରେ ଡାକୁଛନ୍ତି?ସେମାନେ ତାଙ୍କ ସୁଖ ପାଇଁ ଆମକୁ ଛାଡ଼ିଦେଲେ।ଆମେ ଆମ ଖୁସି ପାଇଁ ତାଙ୍କୁ ମାଡି ବସିଛନ୍ତି।


ଆମ ଖୁସି!ଆଶ୍ଚର୍ଯ୍ୟ ହୋଇ ପଚାରିଲା ବୁଲୁ ମା।


ନୁହେଁ ତ ଆଉ କଣ?ଯେତେବେଳେ କେହି ମୋତେ ମାଧ ମା ଡାକି ଦେଉଛନ୍ତି ସେତେବେଳେ ମୁଁ ମାଧ ମୟ ହୋଇଯାଉଛି।ମନେ ପଡ଼ିଯାଉଛି ତାକୁ ଦଶ ମାସ ପେଟରେ ବହିବା ଖୁସି , ଯନ୍ତ୍ରଣା। ପେଟ କଟା ହୋଇ ସେ ଜନ୍ମ ହୋଇଥିଲା।ମୋର ତ ଚେତା ଦି ଦିନ ପରେ ଆସିଥିଲା।ନହକା ବେତକୁ ଛୋଟ ଅର୍ଗାନ୍।ସେଥିରେ ମାଧ ହୋଇ ଯାଇଥିଲା ଚାରି କେଜିର ଛୁଆ।ଡାକ୍ତର କହି ଦେଇଥିଲେ ମାସେ ଆଗରୁ ନର୍ସିଂ ହୋମ୍ ରେ ଆଡମିଶନ୍ କରିବାକୁ।ନଚେତ ପରିସ୍ଥିତି ଭୟାନକ ହୋଇ ଯାଇ ପାରେ।ପେଟ କଟା ହୋଇ ସେ ବାହାରିଲା।ତା ପ୍ରଥମ କୁଆଁ ଡାକ ମୁଁ ଶୁଣି ପୁଲକିତ ହୋଇ ନାହିଁ।ବେହୋସ୍ ଥିଲି ନା।କିନ୍ତୁ ମାଧ ବାପା..


ଏତକ କହିଲା ବେଳକୁ ମୋ କଣ୍ଠ ଥରି ଉଠିଲା।ମାଧ ବାପା ଜାଣିଲୁ ବୁଲା ମା !ଅଷ୍ଟମ ଶ୍ରେଣୀରୁ ମୋତେ ଭଲ ପାଉଥିଲା।କି ଲୁଚା ଛପା ପ୍ରେମ ସେତେବେଳେ।ଭାରି ଅନୁରାଗ ଥିଲା ସେ ପ୍ରେମରେ।ଏକାଦଶ ପାସ୍ ପରେ ସେ ତା ମନ କଥା ଗୋଟିଏ ଚିଠିରେ ଲେଖି ପଠାଇଲା ମୋ କକା ପୁଅ ହାତରେ।ହେଲେ ଜାଣିଛୁ ସେ ଚିଠି ପଡିଗଲା ମୋ ରାଢ ବାପା ହାତରେ।କି ଛେଚା ଲୋ ବୁଲୁ ମା।ଗୋଟିଏ ଘରେ ପୁରେଇ ତାଲା ଠୁଙ୍କି ଦେଲେ।ବନ୍ଦୀ କରି ରଖିଲେ ମୋତେ।ସେଇ ଚିଠି ଟି ପ୍ରଥମ ଏବଂ ଶେଷ ଚିଠି ଥିଲା ମାଧ ବାପା ବିରେନ୍ଦ୍ର ଙ୍କର ମୋ ପାଇଁ।ଜାଣିଛୁ ଚିଠି କଥା ଶୁଣିଲା ପରେ ବିରେନ୍ଦ୍ର କଣ ଲେଖିଥିବ ପଢିବାକୁ ଭାରି ଇଚ୍ଛାହୁଏ।କିନ୍ତୁ ବାପା ଚୁଲିରେ ଜାଳି ଦେଲେ।କିନ୍ତୁ ପାରିଲେ ନାହିଁ ବିରେନ୍ଦ୍ର ପ୍ରେମକୁ ଜାଳି।ମାମୁଁ ଝିଅ ବାହା ଘରକୁ ଆମେ ସମସ୍ତେ ଯାଇ ଥାଉ।ସେଇଠୁ ନେଇ ପଳାଇ କଟକ ପଳେଇ ଆସିଲା ମୋତେ ବିରେନ୍ଦ୍ର।


ବିରେନ୍ଦ୍ର ମଣିଷ ନ ଥିଲେ ଦେବତା ଟିଏ ଥିଲେ।ପଳେଇ ଆସିଲି ବୋଲି ବାପ ଘର ଲୋକେ ମୋ ମୁହଁ ଚାହିଁଲେ ନାହିଁ।ସେଇ ବିରେନ୍ଦ୍ର ମୋର ସ୍ୱାମୀ ବାପା ବୋଉ,ଭାଇ ସାଙ୍ଗ ସାଥୀ ହୋଇଗଲେ।ରେଳ ବାଇରେ ଚାକିରୀ ପାଇଲେ।ଦୁଇଟି ପୁଅ ଆମର ହେଲେ।ବଡ଼ ମାଧେବେନ୍ଦ୍ର ଓ ସାନ ରାଜେନ୍ଦ୍ର।ଦି ଜଣ ଯାକ ବିଦେଶ ଗଲେ ପାଠ ପଢିବାକୁ।ସେଇଟି ବାହା ହେଲେ ଓ ରହିଲେ।ବିରେନ୍ଦ୍ର ଓ ମୁଁ ଏକା ଏକୁଟିଆ।ମୋତେ କହିଲା ତୁ ବ୍ୟସ୍ତ ହେବୁ ନାହିଁ।ମୁଁ ଯଦି ମୁଁ ଆଗ ମରିଯାଏ ତୋର କିଛି ଅସୁବିଧା ହେବ ନାହିଁ।ମୋ ସାଙ୍ଗ ବିଭୂ

ଦେନ୍ଦୁ ଜରାଶ୍ରମ ଖୋଲିବାକୁ ମନ କରିଛି।କିନ୍ତୁ ଅର୍ଥ ନାହିଁ ବୋଲି କରି ପାରୁ ନାହିଁ।ମୁଁ ତାକୁ ଜମି ଖଣ୍ଡେ ସହ ଜରାଶ୍ରମ ସମସ୍ତ ଖର୍ଚ୍ଚ ଦେଇଛି।ତୁ ସେଇ ଜରାଶ୍ରମର ମାଲିକାଣୀ ହେବୁ।କହି ତ ହେବ ନାହିଁ କିଏ ଆଗ ଯିବ।ମୁଁ ଗଲେ ତୁ ସେ ଜରାଶ୍ରମ ଘରେ ରହିବୁ।ଯଦି ତୁ ଯାଉ ମୁଁ ବି ସେଇଠି ରହିବି।


ତା ମାନେ ଏ ଜରାଶ୍ରମ ତୁମର!ବିସ୍ମୟ ହୋଇ ପଚାରିଲା ବୁଲୁ ମା।


ମୋର ତୋର କଣ କି ଲୋ ବୁଲୁ ମା?ଏ ଘର ଆମ ସମସ୍ତ ଙ୍କର।ବିରେନ୍ଦ୍ର ଜାଣିଥିଲେ ସେ ଆଗ ମୋତେ ଏକୁଟିଆ କରି ଯିବେ।ସେଥି ପାଇଁ ଯିବା ପୂର୍ବରୁ ଦେଖୁନୁ ମୋର ସବୁ ବନ୍ଦୋବସ୍ତ କରି ଦେଇ ଯାଇଛିନ୍ତି।ମୋ ପରି ଗୋଡ଼ ହାତ ଆଖି କାନ ଅଚଳ ହେବା ଯାଏ ସେ ରହିଲେ ନାହିଁ।ଦେବତା ଥିଲେ ସେ।ସୁଖ ଲୋଭିଲା ମରଣ ମଲେ।ଖାଇ ପିଇ ଶୋଇଛି ତ ଆଉ ଉଠିଲେ ନାହିଁ।


ଆଉ ତୁମ ପିଲାମାନେ?


ରାଜେନ୍ଦ୍ର ସିଙ୍ଗାପୁରରେ ଓ ମାଧେବେନ୍ଦ୍ର କାନାଡ଼ାରେ ଅଛନ୍ତି।ବାପା ଶୁଦ୍ଧିକ୍ରିୟାକୁ ଆସିଥିଲେ।ମନ ବିଡ଼ିଆ ପାଇଁ ବୋହୁ ମାନେ କହୁଥିଲେ ତାଙ୍କ ସାଙ୍ଗରେ ଯିବାକୁ।କିନ୍ତୁ ମୁଁ ମଂଗିଲି ନାହିଁ।ସ୍ୱାମୀ ସ୍ତ୍ରୀ ଉଭୟେ ଚାକିରିଆ।ନିଜ ପିଲାଙ୍କ କଥା ବୁଝିବାକୁ ତର ନାହିଁ ତାଙ୍କ ପାଖେ।ମୁଁ ମଲା ବୁଢ଼ୀଟା,ପଟେ ଅଚଳ ପକ୍ଷଘାତ ରୋଗୀ।ସେମାନେ କଣ ମୋ କଥା ବୁଝି ପାରିଥାନ୍ତେ?କାହିଁକି ସେମାନଙ୍କ ଅଶାନ୍ତି କାରଣ ହୋଇ ଥାଆନ୍ତି।ହଁ ପିଲା ମାନଙ୍କ ସହ ରହିବାକୁ ମନ କହୁଥିଲା।କିନ୍ତୁ ଦି ଭାଇ ପାଳି କଲେ ୟା ପାଖେ ଛଅ ମାସ ତା ପାଖେ ଛଅ ମାସ ରହିବାକୁ ହେବ।କାହିଁକି ଆଉ ସେ ଆକାଶ କଇଁଆ ସୁଖକୁ ମନ କରିଥାନ୍ତି?ବିରେନ୍ଦ୍ର ତ ମୋ ପାଇଁ କେଡେ ସୁନ୍ଦର ଘର କରି ଦେଇ ଯାଇଛନ୍ତି?


ସେବେଠାରୁ ମୁଁ ଏଇଠି।ବୁଝିଲୁ ବୁଲୁ ମା ତୁ ଯେଉଁ ପିଲାଙ୍କୁ ଶମ୍ପୁ ସେଇଟା ଭୁଲ୍ କରୁ।ସତ ଟା ଆମ ଆଖିକୁ ଦିଶେ ନାହିଁ।ସତ ସବୁବେଳେ କଷ୍ଟ ଦିଏ।ଆମେ ତ ଚାହିଁଲେ ପିଲା ଭଲ ପଢୁ ବିଦେଶ ଯାଉ,ବାବୁ ହାକିମ ହେଉ।ଆମେ ଯାହା ଚାହିଁଲେ ସେମାନେ ସେଇଆ ହେଲେ।ସେଥିରେ ତାଙ୍କ ଦୋଷ କଣ?ବରଂ କହ ଇଚ୍ଛାକୃତ ଜରାବାସ ସବୁ ଅଚଳି ବାପା ମା ନେଇ ଯିବା ଉଚିତ।ପିଲାଙ୍କ ଦୁଃଖ ଅଶାନ୍ତି କାରଣ ହୋଇ ରହିବା ଅପେକ୍ଷା ଏ ଜରାବାସରେ ଏତେ ସାଙ୍ଗ ସାଥି ଗହଣରେ ରହିବା ଭଲ ନୁହେଁ, କହୁନୁ?


ମୋ ମାଧ ଓ ରାଜା ଓ ତାଙ୍କ ଛୁଆପିଲାଙ୍କୁ ଠାକୁରେ ଭଲରେ ରଖନ୍ତୁ ଏତିକି ମୋର ଇଚ୍ଛା।ଅଠାଅଶୀ ବର୍ଷ ହେଲାଣି ଦେଖୁନୁ ଯମ କଣ ଛୁଉଁଛୁ?କେତେ ଆଉ ଗୀତା,ଭାଗବତ ତୁମକୁ ଶୁଣେଇବି ଏଠି।ହ୍ବିଲ ଚେୟାର ଚିଡା ଲାଗିଲାଣି।


ମାଧ ମା ତୁ କେତେ ଭଲ ସତରେ।ଏଇ ଘର ମାଲିକ ହୋଇ ବି କାହାକୁ ଜଣାଇଁବାକୁ ଦେଇନୁ।କେବେ ଦିନେ ପିଲାଙ୍କ ଅମଙ୍ଗଳ ଚାହିଁନୁ।ତୁ ଦେବୀ ଲୋ ମାଧ ମା ମନେ ମନେ କହିଲା ବୁଲୁ ମା।


ଶୁଣ୍ ଭାଵ ପ୍ରବଣ ହୋଇ କହୁ କହୁ କହିଦେଲି ଏକଥା ତୁ କାହାକୁ କହିବୁ ନାହିଁ ମୁଁ ଏ ଘର ମାଲିକ।କେୟାର ଟେକର୍ କି କେହି କେବଳ ବିଭୂଦେନ୍ଦ୍ର ପୁଅ ଅମରେନ୍ଦ୍ର ବ୍ୟତୀତ ଏ କଥା ଜାଣନ୍ତି ନାହିଁ।ଏମିତିକି ମୋ ପିଲାମାନେ ଜାଣନ୍ତି ନାହିଁ ମୁଁ ଜରାଶ୍ରମରେ ଅଛି କି ଏଇଟା ତାଙ୍କ ବାପାଙ୍କ ଜରାଶ୍ରମ।ସେମାନେ ଜାଣନ୍ତି ମୁଁ ଘରେ ଚାକର ପୂଜାରୀ ଙ୍କ ସାଙ୍ଗେ ରହୁଛି।ଦୁହେଁ ରୀତିମତ ପଇସା ପଠାନ୍ତି।ଏ ବୟସ କଣ ପଇସା ଚାହେଁ?ଘର,ପିଲାଛୁଆଙ୍କ ରୋଳା ଚାହେଁ।ଚାହେଁ ପିଲା ମାନଙ୍କ ସୁଖ ଦୁଃଖରେ ସମଭାଗୀ ହେବାକୁ।ଟଙ୍କା କଣ ଏସବୁ ଦେବ?ଘର ଭଡା ଓ ସେମାନଙ୍କ ଦେବା ଟଙ୍କା ଏଇ ଜରାଶ୍ରମରେ ରୋଗରେ ପଡିଥିବା ଲୋକଙ୍କ ପାଇଁ ଖର୍ଚ୍ଚ ହୁଏ।


ବୁଝିଲୁ ବୁଲୁ ମା ଆଜି କାହିଁକି ମୋତେ ଭଲ ଲାଗୁନାହିଁ।ମାଧ ,ରାଜା ଓ ତାଙ୍କ ପିଲା କଥା ଭାରି ମନେ ପଡୁଛି।ବିରେନ୍ଦ୍ର ଖାଲି ସ୍ୱପ୍ନରେ ଆସୁଛନ୍ତି।ମୋ କଥା ଆଉ ବେଶୀ ଦିନ ନୁହେଁ ଲୋ ବୁଲୁ ମା।ପଚାରୁଥିଲୁ ପରା ଆଜି କଣ?


ହଁ ମାଧ ମା ତୋର କଥା ଗୁଡିକ ଭାରି ଅମୃତ ପରି ଲାଗେ।ତୋ ଜୀବନ ଦର୍ଶନ ଶୁଣୁ ଶୁଣୁ ମୋ ପଚାରିବା କଥା ଭୁଲି ଗଲି।ହଁ ଆଜି କଣ କି?


ବିଶ୍ୱ ମାତୃ ଦିବସ ଲୋ ବୁଲୁ ମା। ଏ ଛୁଆ ଗୁଡା ବି ବିଚିତ୍ର।ମା କଣ ସମ୍ମାନ ଚାହେଁ ନା ଅମର ହେଉ ଚାହେଁ?ସେ ସ୍ନେହ ମମତା,ଗହଳି ଚାହେଁ।ବୁଦୁ ଗୁଡାକ।ଆଜି ମା ସହ ଫଟୋ ଉଠେଇ ଛାଡିବେ ଖବର କାଗଜ,ଟିଭି ଫୋନ୍ ଆଦି ସୋସିଆଲ ମିଡିଆରେ।ଏଗୁଡ଼ାକ ଦେଖାଣିଆ ଅଲଣା କଥା ସବୁ।ଆଜି ଏ ଜରାଶ୍ରମକୁ କୁଆଡେ ଜଣେ ବିଦେଶୀ ବଦାନ୍ୟ ବ୍ୟକ୍ତି ଆସିବେ।ଗୁଡାଏ ସାହାଯ୍ୟ କରିବେ।ସେଥିପାଇଁ ଏତେଟା ଚଞ୍ଚଳ ଏ ଜରାଶ୍ରମ।ତୁ ବୁଲୁ ମା ରେଡି ଥା ଭଲ ଖାଦ୍ୟ ମିଳି ପାରେ।ତୋ ଭାଗ ସହ ମୋ ଭାଗଟି ବି ଖାଇବୁ।


ଇଏ କେଉଁ ନୂଆ କଥା କି?ଏଠିକୁ ତ ଆସିଲା ଦିନୁ ତୋର ସବୁ ଖାଦ୍ୟ ମୋର। ତୁ ଏତେ କମ୍ ଖାଉ କେମିତି ବା?ଭଲ ମନ୍ଦ ଖାଇବାକୁ ତୋର ଜମା ଇଚ୍ଛା ହୁଏନି ମାଧ ମା?


ଇଚ୍ଛା ତ ସଭିଙ୍କର ଥାଏ।କିଏ ତାକୁ କେହି ଆୟତ୍ତ କରେ, କିଏ ପାରେ ନାହିଁ।ଦେଖୁଛୁ ମୋର ଅଚଳ ଅବସ୍ଥା ଜଣେ ଧରିଲେ ଝାଡା ପରିସ୍ରା ଯିବି।ଏଣୁ ତେଣୁ ଲୋଭରେ ଖାଇଲେ ମୋ କାମ କରିବାକୁ ଅନାଗ୍ରହ କରିବେ,ନାକ ଟେକିବେ ସମସ୍ତେ।ଏଣୁ ଖାଦ୍ୟ ପ୍ରତି ଲାଳସା ନାହିଁ ମୋର।ମୋର ବଞ୍ଚିବାକୁ ଆଉ ଇଚ୍ଛା ନାହିଁ ଲୋ ବୁଲୁ ମା।ବଞ୍ଚିବାକୁ ଇଚ୍ଛାଥିଲେ ଖାଦ୍ୟ ପ୍ରତି ସ୍ଫ୍ରୁହା ରୁହନ୍ତା ସିନା।


ସେମିତି କହ ନାହିଁ ଗୋ ମାଧ ମା।ତୁ ସମସ୍ତଙ୍କର ଏଠି ଖୁସିର ଉତ୍ସ।ତୋ କଥା ଶୁଣି ପିଲା ମାନଙ୍କୁ କେହି ଗାଳି ଦେଉ ନାହାନ୍ତି।ଏଇଠି ଖୁସିର ସନ୍ଧାନ କରୁଛନ୍ତି।ତୁ ଏମିତି ବଇଥା ଲୋ ମାଧ ମା।


ଠିକ୍ ଏଇ ସମୟରେ ଜରାଶ୍ରମକୁ ବିଦେଶୀ ବଦାନ୍ୟ ବ୍ୟକ୍ତି ଜଣକ ଆସିଲେ।ଅନ୍ତେବାସୀଙ୍କୁ ଆଲଟ୍ କରିଦିଆ ଗଲା ସାର୍ ଆସିଗଲେ।ସାର୍ ସିଧା ସଳଖ ବିଦେଶରୁ ଆସି ଆଗ ଜରାଶ୍ରମ ବୁଲିବେ ଓ ଅନ୍ତେବାସୀଙ୍କ ସହ କଥା ହୋଇ ଭଲ ମନ୍ଦ ବୁଝିବେ।ତାପରେ ତାଙ୍କ ଘରକୁ ଯିବେ।ସାର୍ ସବୁ ଅନ୍ତେବାସୀଙ୍କୁ ଖାଦ୍ୟ,ପୋଷାକ ପୁଡ଼ିଆ ଦେଇ ଭଲ ମନ୍ଦ ବୁଝି ଆସୁ ଆସୁ ଜଣକ ଉପରେ ଦୃଷ୍ଟି ନିବଦ୍ଧ କରି ଅଟକି ଗଲେ।


ଆଖିରେ ଆଶ୍ଚର୍ଯ୍ୟ ଓ ସନ୍ଦେହ ହୋଇ ଗୁମ୍ ହୋଇଗଲେ ଗୋଟିଏ ବେଡ୍ ପାଖରେ ଅଟକି କିଛିକ୍ଷଣ।ଜରାଶ୍ରମର ମୁଖ୍ୟ ପ୍ରମାଦ ଗଣିଲେଣି।କାହିଁକି ଅଟକିଲେ ସାର୍ ଏଠି?ସାର୍ ଜଣଙ୍କ ହଠାତ୍ କହି ପକାଇଲେ ମା ତୁ?ତୁ ଏଠି?


ଆଖିକୁ ଭଲ ଭାବେ ଦିଶୁ ନଥିବା ମାଧ ମା ନିରେଖି କିଛି କ୍ଷଣ ଚାହିଁ କହିଲା ମାଧ,ବାପା ମୋର ତୁ ଆସିଛୁ?ଏତିକି କହି ହ୍ବିଲ ଚେୟାରରୁ ତଳକୁ ଗଡି ପଡୁ ପଡୁ ଧରି ନେଲେ ବିଦେଶୀ ସାର୍।ମାଧ ମା ବିଦେଶୀ ସାର୍ ମାଧେବେନ୍ଦ୍ର ଙ୍କ କୋଳରେ ଅତି ଖୁସି ହେଉ ହେଉ ଆଖି ବୁଜି ଦେଲେ ସବୁଦିନ ପାଇଁ।


ଚକିତ ହୋଇ ଅବୁଝା ଆଖିରେ ଚାହିଁଥିଲେ ସମସ୍ତେ।


Rate this content
Log in

Similar oriya story from Tragedy