ମାଡାମ ନୁହେଁ ମାମା
ମାଡାମ ନୁହେଁ ମାମା
ଗୋଟେ ସରକାରୀ ସାଇଣ୍ଟିଫିକ ରିସର୍ଚ୍ଚ ଲାବରେ ସାତ ଜଣିଆ ଟିମ କାମ କରୁଥିଲେ । ସରକାରଙ୍କ ଦରକାର ମୁତାବକ ରିସର୍ଚ୍ଚ ହେଉଥିଲା । କେତେବେଳେ ରୋଗ ଉପରେ ତ କେତେବେଳେ ମେଡ଼ିସିନ ଉପରେ ରିସର୍ଚ୍ଚ ହେଇଥିଲା । ତାଙ୍କ ର ଟିମ ଲିଡର ଥିଲେ ରିଚା ମାଡାମ । ସେ ବହୁତ ସୁନ୍ଦର ଚେହେରାର ଓ ଖୁସି ମିଜାଜର ଥିଲେ । ପ୍ରାୟ ପ୍ରତି ସପ୍ତାହରେ ପାର୍ଟି ଓ ଗେଟଟୁଗେଦର ହେଉଥିଲା କେବେ ହୋଟେଲରେ ତ କେବେ କେବେ କାହା ଘରେ ବା ଫାର୍ମ ହାଉସରେ ।
କିନ୍ତୁ ଦିନେ ଗୋଟେ ଅଘଟଣ ଘଟିଗଲା ରିଚା ମାଡାମଙ୍କର ପତିଙ୍କର ଗୋଟେ ଆକ୍ସିଡେଣ୍ଟରେ ଦେହାନ୍ତ ହୋଇଗଲା । ତାଙ୍କ ପୁଅ ଝିଅ ବାହାରେ ରହି ପଢୁଥିଲେ , ସେ ପୁରା ଭାଙ୍ଗି ପଡିଲେ । ମାଡାମଙ୍କ ମୁଁହରୁ ହସ ଲିଭିଗଲା ,ଅଫିସରୁ ପାର୍ଟି ବନ୍ଦ ହୋଇଗଲା । ଆଗରୁ ବୟସକୁ ହରାଇ ଦେଇଥିବା ମାଡାମଙ୍କୁ ବୟସର ବୋଝ ମାଡି ବସିଲା ,ଆଖିତଳ କଳା ପଡିଗଲା । ଗୋଟେ ମାସ ପରେ ସେ ଅଫିସ ଫେରିଲେ ହେଲେ ତାଙ୍କ ମୁଁହରେ ହସ ର ଚିହ୍ନ ବର୍ଣ୍ଣ ନଥିଲା ,ଦୁଃଖର କଳା ବାଦଲରେ ତାଙ୍କ ସୁନ୍ଦର ମୁଁହଟା ଢାଙ୍କି ହୋଇ ରହିଥିଲା । ପାର୍ଟି କଥା ତ କିଏ ଭାବିବା ପାରୁ ନଥିଲେ ।
ଜଣେ ନୂଆ ସାଇଣ୍ଟିଷ୍ଟ ଅଫିସ ରେ ଜଏନ କଲେ ତାଙ୍କ ନାଁ ଥିଲା ରବୀନ । ସେ ତାଙ୍କ କଲେଜ ସରିଲା ପରେ ଆସିଥିଲେ । ଅଫିସରେ ମାହଲ ଦେଖି ସେ ଟିକେ ଡରିଗଲେ ଓ ତା ପରେ ସମସ୍ତଙ୍କୁ ଭେଟି ସବୁ କଥା ବୁଝିଲେ ଓ ମାଡାମଙ୍କ ଦୁଃଖ କମ କରିବାକୁ ଚେଷ୍ଟା କଲେ । ମାଡାମଙ୍କ ବାର୍ଥ ଡେ ରେ ରବୀନ ଗୋଟେ ପାର୍ଟି ଦେଲା । ମାଡାମ ବହୁତ ମନା କଲେ ହେଲେ ରବୀନ ଛଡିଲାନି ,ସେ ମାଡାମଙ୍କ ପାଦ ତଳେ ପଡି ରିକୁଏଷ୍ଟ କଲା ଓ ମାଡାମ ମାନିଗଲେ । ସମସ୍ତେ ବହୁତ ଦିନପରେ ଅଫିସ ର ପାର୍ଟି ଯୋଗଦେଲେ ଓ ଟିକେ ଖୁସି ହେଲେ । ରିଚା ମାଡାମ ସବୁବେଳେ ପାର୍ଟିରେ ଗୀତ ବୋଲନ୍ତି ହେଲେ ସେଦିନ ବୋଲିଲେନି ।ପାର୍ଟି ପରେ ରବୀନ ମାଡାମଙ୍କୁ ତାଙ୍କ ଘରେ ଚଡି ଆସିଲା ।
କିଛିଦିନ ପରେ ରବୀନର ଦେହ ଖରାପ ହେଲା କିଛି ସାମ୍ପଲ ଟେଷ୍ଟ କଲା ବେଳେ ତାକୁ ଇନଫେକ୍ସନ ହୋଇଗଲା ସେ ହସ୍ପିଟାଲ ଆଇସିୟୁ ରେ ପଡିଲା । ମାଡାମ ସବୁଦିନ ତାକୁ ଦେଖିବାକୁ ଆସୁଥିଲେ । ଠିକ ହେଲା ପରେ ରବୀନକୁ କହିଲେ ତୁ ଚାଲ କିଛିଦିନ ଆମ ଘରେ ରହିବୁ । ଘରେ କେହି ନାହାନ୍ତି ତୁ ଛୋଟ ପିଲାଟା କେମିତି ରହିବୁ । ଜୋର କରି ରବୀନକୁ ତାଙ୍କ ଘରକୁ ନେଇଗଲେ ଓ ତାଙ୍କ ପୁଅ ରୁମ୍ ରେ ସେ ରହିଲା ଘରେ କାମ କରୁଥିବା ପିଲାକୁ କହି ରବୀନ ପାଇଁ ସବୁ ବ୍ୟବସ୍ଥା କରିଦେଲେ । ଅଫିସର ସମସ୍ତେ ବହୁତ ଦିନ ପରେ ମାଡାମଙ୍କ ଘରକୁ ଆସିଲେ ଓ ସେଠି କିଛି ସମୟ ବସି ରବୀନ ସାଙ୍ଗରେ କଥା ହେଲେ । ମାଡାମ ଚାହା ଓ ସ୍ନାକ୍ସ ସମସ୍ତଙ୍କୁଦେଲେ, କିଛି ସମୟ ସମସ୍ତଙ୍କ ସାଙ୍ଗରେ ବସି କଥା ହେଲେ ଓ ଘର କଥା ପଚାରି ବୁଝିଲେ ।
ଚାରିଦିନ ପରେ ରବିନ୍ ର ସବୁ ଟେଷ୍ଟ ନେଗେଟିଭ ଆସିଲା ସେ ତା ଘରକୁ ଯିବାକୁ ବାହାରିଲା ହେଲେ ମାଡାମ କହିଲେ ଆଉଟିକେ ଠିକ ହୋଇଯା ତା ପରେ ଯିବୁ କାରଣ ସେ ବହୁତ ଉଇକ ଦେଖାଯାଉଥିଲା । ମାଡାମ ତା ପର ଦିନ ସନ୍ଧ୍ୟାରେ ସମସ୍ତଙ୍କୁ ତାଙ୍କ ଘରକୁ ଡାକିଲେ ଓ ଗୋଟେ ଛୋଟ ପାର୍ଟି ଦେଲେ ।କେତେଜଣ ଗୀତ ବୋଲିଲେ ଓ ମାଡାମଙ୍କୁ ରବୀନ ଗୀତଟିଏ ବୋଲିବାକୁ ଅନୁରୋଧ କଲା ସେ ଏକ ଭଜନ ବୋଲିଲେ । ସାତ ଦିନ ପରେ ରବୀନ ପୁରା ଠିକ ହୋଇଗଲା ଓ ବାହାରିଲା ତା ଘରକୁ, ଗଲା ବେଳେ ମାଡାମଙ୍କ ପାଦ ଛୁଇଁଲା, ସେ କହିଲେ ମାଡାମ ନୁହେଁ ମାମା ଡାକ । ରବୀନ ମାମା କହି କାନ୍ଦି ପକାଇଲା ମାମାଙ୍କ ଆଖିରେବି ଲୁହ ଆସିଗଲା ପୁତ୍ର ସ୍ନେହରେ ।