ମାଆଙ୍କୁ ଛାଡି ବାପା
ମାଆଙ୍କୁ ଛାଡି ବାପା
ବାପାଙ୍କ ମନରେ ସରାଗ ନଥିଲା।
ଏବେ ସେ ଜୀବନ୍ତ ମେସିନ ପରି କାମ କରୁଥିଲେ।
ଖୁବ୍ ଥିଲେ ଚୁପ୍ ଚାପ୍ ।ଅଫିସ ଯାଉଥିଲେ
,ଆସୁଥିଲେ,ସବୁ ବୁଝୁଥିଲେ କିନ୍ତୁ ମୁହଁରେ ନେସି ହୋଇଥିଲା ମେଞ୍ଚେ ଅପ୍ରକାଶ୍ୟ ଦୁଃଖ।
ମାଟି ଗଦା ପରି ବସୁଥିଲେ।
କେସ୍ ତାରିଖ ଥିବାରୁ ବାପା ମୋତେ ନେଇ କୋର୍ଟ ଯାଇଥିଲେ।କୋର୍ଟ ପରିସରରୁ ବାହାରି ଆସୁ ଆସୁ ନର୍ସ ଫୋନ୍ କଲା, ମାମ୍ ଶୀଘ୍ର ଆସନ୍ତୁ ।
ଅନେକ ଦିନ ଧରି ମାଆ ପଡିଛନ୍ତି କୋମାରେ।ଭୟରେ ଏଣୁତେଣୁ ଭାବନା ନର୍ସ କଥା ଶୁଣି ମୋତେ ଘାରିଲେ। ସେ କଣ କହିବାକୁ ଚାହୁଁଛି ଶୁଣିବାକୁ ଆଉ ମୋର ଧୈର୍ଯ୍ୟ ନଥିଲା।କଣ ହୋଇଥିବ ମାଆଙ୍କର ! ହେ ଭଗବାନ ମାଆଙ୍କର କିଛି ହୋଇ ନ ଥାଉ। ଏମିତିରେ ଜୀବନରେ କମ୍ ଶୁନ୍ୟ ସ୍ଥାନ ନାହିଁ ଯେ ଆଉ ଗୋଟେ ଶୁନ୍ୟତା ପାଇଁ ମୋ ହୃଦୟରେ ଶେଷ କିଛି ସ୍ଥାନ ଅଛି।କଥା ନ କୁହନ୍ତୁ ସବୁଦିନ ଦେଖି ହେଉଛି ତ। ଗୋଟେ ଆଶା ଟିକେ ଆଶ୍ବାସନରେ ବଞ୍ଚିଛୁ ଯେ ମାଆ ଦିନେ ଉଠିବେ, କଥା ହେବେ ତାଙ୍କ ନାତି ନାତୁଣୀଙ୍କ ସହ ଖେଳିବେ। ନର୍ସର ଫୋନ୍ କାଟି କହିଲି ବାପା ଶୀଘ୍ର ଶୀଘ୍ର ଗାଡି ଚଳାନ୍ତୁ।ମାଆଙ୍କର କିଛି ଅସୁବିଧା ହୋଇଛି ।
ଆଉ କି ଅସୁବିଧା ଅସୁବିଧା ହୋଇଥିବରେ ମା ! ସେ କେଉଁ ସୁବିଧାରେ ଅଛି ଯେ ଏହା ଠାରୁ ଆଉ ଗୋଟେ ବଡ଼ ଅସୁବିଧା ହେବ! ତୁ କାହିଁକି ବ୍ୟସ୍ତ ହେଉଛୁ ? ଏଇଠି କେତେ ମାସ ହେଲାଣି ସେ ବଞ୍ଚିଛି କି ମରିଛି ତୁ ଜାଣି ପାରୁଛୁ ?ପଡିଛି ଗୋଟେ କାଠ ଗଡ଼ ପରି। ନିହାତି ସ୍ୱାର୍ଥପର ଶ୍ରଦ୍ଧା।
ଜାଣିଛୁ ମାଆ ସିଏ ଆସିଲା ପରେ ମୋ ପରି ଏକ ବଦରାଗୀ , ବେହିସାବୀ, ବିଶୃଙ୍ଖଳିତି ମଣିଷଟିକୁ ଏମିତି ସଜାଡି ଦେଲା ଯେ ମୋ ସ୍ୱର୍ଗୀୟ ବାପାମାଆ କହିଲେ, ଶ୍ରଦ୍ଧା ତୁ ଆହୁରି ଆଗରୁ ଆମ ଘରକୁ ଆସିବାର ଥିଲା। ସତରେ ତୁ ଆସିଲା ପରେ ଏ ବଙ୍କାତେଢା ଟୋକାକୁ କି ସଳଖ କରିଦେଲୁ ! ଟିକେ ଟିକେ କଥାରେ ରାଗ, ଫୋପୋଡା କଚଡ଼ା କରି ସବୁ ଘର ଜିନିଷ ଭାଙ୍ଗୁଥିଲା, ଯିଏ ଯାହା ମାଗିଲା ଦେଇ ହେଉଥିଲା ଦାନୀ କର୍ଣ୍ଣ ପରି। ନା ଢଙ୍ଗରେ ପିନ୍ଧୁଥିଲା ନା ନିଜ ବ୍ୟବହାର ଜିନିଷ ଟିକେ ସଜାଡି ରଖି ପାରୁଥିଲା । ତା କୋଠରୀରେ ଯେମିତି ସବୁବେଳେ ଘୁର୍ଣ୍ଣି ଝଡ଼ ବହି ଯାଇଥିବ। କେଉଁ ଜିନିଷ କେଉଁଠି ପଡିଥିବ ଜାଣିବା ମୁସ୍କିଲ।ଠିକଣା ବେଳକୁ ଚିଲେଇବ ମୋ ମୋଜା, ମୋ ପେନ୍, ମୋ ସାର୍ଟ କୁଆଡେ ଗଲା ମାଆ ?
ଶ୍ରଦ୍ଧା ଆସି ମୋ ଜୀବନର ସାଥି ହୋଇ ମୋତେ କେମିତି ଏତେ ସୁନ୍ଦର ଶୃଙ୍ଖଳିତ, ବୁଝିଲା ଶୁଝିଲା ମଣିଷ ରେ ପରିଣତ କରିଦେଲା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ମୋ ସହ ମୋ ବାପା ମାଆଙ୍କୁ ସେ ଏତେ ଶକ୍ତ ପ୍ରେମ ବନ୍ଧନରେ ବାନ୍ଧି ରଖିଲା ଯେ ମୋ ଜୀବନ ସ୍ୱର୍ଗ ପାଲଟି ଗଲା। ତୁ କହିଲୁ ଯାହା ବିନା ନିଃଶ୍ବାସ ନେବା ମୋ ଦେଇ ହେଉ ନ ଥିଲା ତା ବିନା ଏତେ ଦିନ କେମିତି ବଞ୍ଚିଛି ସେ ଟିକେ ଭାବିଲା ! ସାଂଘାତିକ ସ୍ୱାର୍ଥପର ସେ। କହୁଥିଲା, " ତୁମକୁ ଛାଡି କ୍ଷଣେ ଏ ପିଣ୍ଡରେ ପ୍ରାଣ ରହି ପାରିବ ନାହିଁ। ତୁମ ଅସ୍ତିତ୍ୱରେ ମୋ ଖୁସି ଓ ସ୍ଥିତି । କେଡେ ମିଛେଇଟା ମ ।ଡାହା ମିଛ କଥା ଗୁଡା କହି ମୋ ଜୀବନକୁ ତା ସହ ବାନ୍ଧି ରଖିଥିଲା। ହେଲେ ତୁ କହୁନୁ କଥା ଦେଇ କଥା ରଖିଲା ! "
ବୁଝିଲୁ ମା ଶ୍ରଦ୍ଧାର ସ୍ନେହ,ପ୍ରେମ,ସରାଗ ଓ କର୍ତ୍ତବ୍ୟ ନିଷ୍ଠା ତପସ୍ୟା ପରି ଥିଲା।ପ୍ରତିଟି କାର୍ଯ୍ୟ ସେ ମନ ଇଡ଼ି କରୁଥିଲା । ତା କଥାରେ କି ଯାଦୁ ଥାଏ କେଜାଣି ଶତ୍ରୁ ବି ଟିକେ ଭାବିବ ତାର ଅନିଷ୍ଠ କରିବ କି ନାହିଁ । ସେ କିନ୍ତି ଗୋଟିଏ କଥାରେ ନିଜକୁ ଧିକ୍କାର କରେ ସବୁ ଠିକ୍ ଠିକ୍ କଲା ବେଳେ ନିଜ ରକ୍ତଟାକୁ କେମିତି ଅମଣିଷ କରିଦେଲା ! ସବୁବେଳେ ଏଇ ଗୋଟିଏ କଥାରେ ସେ ମନ କଷ୍ଟ କରି କାନ୍ଦୁଥିଲା ।
ଏବେ ସବୁଥିରୁ ମୁକ୍ତ ସେ। ଜାଣିଛୁ ସେ ଏମିତି ପଡି ରହିବାଟା ଭାରି କଷ୍ଟ ଦେଉଛି ମୋତେ।ଉଠିବ ଯଦି ଉଠୁ ନହେଲେ ଶ୍ଵାସକ୍ରିୟା ସବୁ ଦିନ ବନ୍ଦ ହୋଇଯାଉ । ତାର ଯନ୍ତ୍ରଣା ମୋର ଅସହ୍ୟ । ଆମେ ସିନା ଦୁଇଟି ଶରୀର ଗୋଟିଏ ଅଙ୍ଗରେ ମା। ତାକୁ କଷ୍ଟ ଯାହା ମୋତେ କଷ୍ଟ ସେଇଆ। ଦମ୍ପତ୍ତିଙ୍କ ମଧ୍ୟରୁ ଯେ ଯେଉଁ ବୟସ ହେଉନା କାହିଁକି ପଟେ ଛାଡି ଚାଲିଗଲେ କି ତୋ ମାଆ ପରି ମରି ଜୀଇଁ ରହିଲେ ଆରପଟକୁ ଖୁବ୍ ବାଧେ। ଧୁମ୍ କାନ୍ଦନ୍ତି ଜଣେ ଅନ୍ୟ ଜଣଙ୍କ ବିନା । ଭାରି ଏକୁଟିଆ ଲାଗେ ଗହଳିରେ ଥାଇ ବି ।ଶେଷ ଆଡ଼କୁ ବାଷ୍ପରୁଦ୍ଧ ବାପାଙ୍କ କଣ୍ଠ । ଆଖିରେ ପାଣି।
ବାପା ଯେ ଅନେକ କଷ୍ଟ ଓ ଅଭିମାନରେ ଏ କଥା କହୁଛନ୍ତି ମୋତେ ବୁଝିବାକୁ ଅଛପା ରହିଲା ନାହିଁ।ଦୃଢ଼ତାର ସହ ବାପାଙ୍କୁ ବୁଝେଇବାକୁ ଯାଇ କହିଲି , ଦେଖିବେ ମାଆଙ୍କର କି କିଛି ହୋଇ ନଥିବ । ସେ ଭଲ ହୋଇଯିବେ ବାପା ଆପଣ ମନ ଊଣା କରନ୍ତୁ ନାହିଁ ।
ଏହା ଭିତରେ ଆମେ ଘରେ ପହଞ୍ଚି କେହି କିଛି କହିବା ପୂର୍ବରୁ ଅନେକ କଥା ଅନୁମାନ କରିନେଲୁ।ମୋ ମାଆ ,ଦୁଇ ଛୁଆଙ୍କ ଦୋଳି, ପୂଜାରୀ ନନା ନର୍ସ ସହ ରମେଶ ସମସ୍ତେ ମାଆଙ୍କ ରୁମ୍ ରେ କଣ କରୁଛନ୍ତି ! ବାପା ଏସବୁ ଦେଖି
ବୈଠକ ରୁମ୍ ରେ ନଥ୍ କରି ବସି ପଡିଲେ ଦୁଇ ଓଠକୁ ବାଁ ହାତରେ ମୁଠେଇ କାନ୍ଦ କାନ୍ଦ ହୋଇ।
ମୁଁ ଦଉଡି ଗଲି କୋହ ମୋହ ହୋଇ ଘଟଣା କଣ ଜାଣିବା ପାଇଁ । ସେତେବେଳେକୁ ମାଟିଘଟ ପଞ୍ଜୁରୀ ଛାଡି ଆକାଶ ମୁହାଁ ମାଆଙ୍କର ଆତ୍ମା ପକ୍ଷୀ। ମାଆ.. ଚିତ୍କାର ମୋର ବାଡେଇ ହେଉଥିଲେ କୋଠରୀ କାନ୍ଥରେ ।
ବାପାଙ୍କୁ କୁଣ୍ଢେଇ ପକେଇ ଭାବୁଥିଲି ମାଆଙ୍କୁ ଛାଡି ବାପା କେମିତି ରହିବେ !
