ମାଆ
ମାଆ
" ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରିୟସୀ " ଅର୍ଥାତ୍ ମାଆ ଓ ଜନ୍ମଭୂମି ସ୍ବର୍ଗ ଠାରୁ ବଡ଼ ବା ଶ୍ରେଷ୍ଠ । ସତରେ " ମାଆ ପରି କିଏ ହେବ ରେ, ପ୍ରାଣ ଦିଏ ଯିଏ, ତାଙ୍କ ସେବାରେ ।" ଦୁନିଆରେ ସବୁଠାରୁ ମଧୁର ଓ ପବିତ୍ର, ବିକଳ୍ପହୀନ ନାମ ହେଉଛି ମାଆ । ମା’ ଗୋଟିଏ ଅକ୍ଷର ନିହାତି ଶବ୍ଦଟିଏ କିନ୍ତୁ ତା'ର ଅର୍ଥ ବହୁତ ବଡ଼ ଓ ବ୍ୟାପକ । ସୃଷ୍ଟିର ବୈଚିତ୍ର୍ୟ ମାତୃତ୍ବ ମମତାର ମୂଲ ଅମାପ । ସେ ହିଁ ସନ୍ତାନର ରାହା ଓ ରକ୍ଷାକବଚ । ତେଣୁ ସଂସାରର ଅମୂଲ୍ୟ ରତ୍ନ ହେଉଛି ମା’,ଏହି ନାମ ଯୋଗୁଁ ସଂସାର ମଧୁମୟ ହୋଇପାରିଛି । ତେଣୁ କୁହାଯାଏ "ସୁଖ ହେଉ ବା ଦୁଃଖରେ, ମାଆ ଥାଏ ଛୁଆ ସାଥିରେ ।" ସ୍ରଷ୍ଟାଙ୍କର ସର୍ବୋତ୍ତମ କଳାକୃତି ହେଉଛି ମାଆ, ଯିଏ କି ଦୟା, କ୍ଷମା, ମମତା କରୁଣା ଗୁଣର ଅଧିକାରୀ ଓ ତ୍ୟାଗମୟୀ ମୂର୍ତ୍ତିଟିଏ । ତାହାରି କୋଳରୁ ହିଁ ମାନବ ଜୀବନର ଆରମ୍ଭ । ସେହିପରି ସମାଜସେବୀ, ବରେଣ୍ୟା ମାଆ ହେଉଛନ୍ତି ନିର୍ମଳା ଦେବୀ ଯିଏ କି ନିଜ ସନ୍ତାନ ପାଇଁ ଭୋଗ ପଥକୁ ତିରସ୍କାର କରି ତ୍ୟାଗ ପଥକୁ ଆଦରି ନେଇଥିଲେ ।
ନିର୍ମଳାଦେବୀଙ୍କ ଉପଯୁକ୍ତ ସମୟରେ ବାହାଘର ହୋଇଥିଲା । ଠିକ୍ ତିନିବର୍ଷ ପରେ ସ୍ବାମୀ ସ୍ବର୍ଗବାସ କଲେ କୋଳରେ ବର୍ଷକର ଶିଶୁପୁତ୍ର । ନିର୍ମଳା ଦେବୀଙ୍କୁ ମୋଟେ ୨୭ ବର୍ଷ । ତାଙ୍କ ନିକଟକୁ ବାପା ମା’, ଭାଇ ଓ ଭାଉଜ ସମସ୍ତ ପରିବାର ଚାଲିଆସିଲେ, ସମସ୍ତେ ସ୍ନେହରେ କୋଳେଇ ନେଲେ । ସମସ୍ତଙ୍କ ତୁଣ୍ଡରେ ଗୋଟିଏ କଥା "ନିର୍ମଳାର ଦ୍ବିତୀୟ ବାହାଘର କରାଯାଉ,ଏତେ ବଡ଼ ଜୀବନ ପଡିଛି ତା ସାଙ୍ଗମାନେ ମଧ୍ୟ କେତେ ବାହାହେଇ ନାହାନ୍ତି, ସେଥିରେ ପୁଣି ବାହାଘର ହୋଇ ତିନିଟା ବର୍ଷ, ସେ କି ଘର ସଂସାର କରିଛି ? ପୁଅଟିକୁ ବାପ ଘର ରଖିଦିଅନ୍ତୁ, ନିର୍ମଳାକୁ ପୁନଃ ବିବାହ କରେଇ ଦିଅନ୍ତୁ " ।
ବେଳେବେଳେ ସମୟ ମନୁଷ୍ୟକୁ ଏପରି ଦୋ’ଛକି ଆଣି ଛିଡାକରି ଦିଏ, ସେ ଭାବିପାରେନି କ'ଣ କରିବା ଠିକ୍ ହେବ ? ଘରେ ଯାହା କହୁଛନ୍ତି ଠିକ୍ ନା ସେ ଯାହା ଚିନ୍ତା କରୁଛି ଠିକ୍ । ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଦେବଦୂତ ସାଜି ଆସିଗଲେ ନିର୍ମଳା ଦେବୀଙ୍କ ବଡ଼ଭଉଣୀ ସେ ଘରେ ପ୍ରତିବାଦ କରି କହିଲେ "ଆରେ ! ନିର୍ମଳା କ'ଣ ଚାହୁଁଛି, ତା'ର ନିଷ୍ପତ୍ତି କ'ଣ? ତାକୁ ଆଗ ଶୁଣ, ତାପରେ ତୁମମାନଙ୍କ ମତ ରଖିବ କିନ୍ତୁ ବିବାହ ପାଇଁ ବାଧ୍ୟକରିବ ନାହିଁ । ନିର୍ମଳା କ'ଣ କହିବ ?ସେ ଚିନ୍ତା କରି କହିଲେ ଯେ "ମୋ ସ୍ବାମୀଙ୍କ ଅଧୁରା ସ୍ବପ୍ନକୁ ମୁଁ ପୂରଣ କରିବି, ସ୍ବାମୀଙ୍କ ସନ୍ତକ ପୁଅର ଯୋ ଦାୟିତ୍ବ ମୋତେ ଦେଇଯାଇଛନ୍ତି ତା'ର ସୁରକ୍ଷା କରିବି, ତାକୁ ଭଲ ମଣିଷଟିଏ କରିବି । ଯେହେତୁ ମୁଁ ଗୋଟେ ମା’... ତ୍ୟାଗମୟୀ । "ତ୍ୟାଗେନୈକେ ଅମୃତତ୍ବ ମାନସୁଃ..."ତ୍ୟାଗ ହିଁ ଉଚିତ ପଥ, ତ୍ୟାଗ ହିଁ ଆଦର୍ଶ ତ୍ୟାଗର ପରାକାଷ୍ଠାରେ ହିଁ ସମଗ୍ର ବିଶ୍ବ ତିଷ୍ଠିରହିଛି । ତ୍ୟାଗରେ ହିଁ ମନୁଷ୍ୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବ, ଭୋଗରେ ନୁହଁ କେବଳ ସୁଖ ମିଳିବ ହେଲେ ପ୍ରକୃତ ଆନନ୍ଦ ମିଳିବ ନାହିଁ । ତାପରେ ନିରୀହ ଶିଶୁଟିର ଦୋଷ ଅବା କ'ଣ? ସେ ପିତୃ ସୁଖରୁ ବଞ୍ଚିତ ହେଲା, ପୁଣି ମାତୃ ସୁଖରୁ ବଞ୍ଚିତହେବ ତା ମା’ ଥାଉ ଥାଉ ? ନା ସେ କଥା ହୋଇପାରିବ ନାହିଁ । ମୁଁ ତାର ବାପା ଆଉ ମୁଁ ତାର ମା’, ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କୈଣସି ଅସୁବିଧା ହେବାକୁ ଦେବିନି ।" ବୋଲି ସଫା ସଫା କହିଦେଲେ ନିର୍ମଳା ଦେବୀ ତେଣୁ ଦିତୀୟ ବିବାହ ପାଇଁ କିଏ ବାଧ୍ୟ କଲେନି । ନିର୍ମଳା ଦେବୀ କହିଦେଲେ ସିନା, ସବୁବେଳେ ବାପା ଭାଇ ଉପରେ ନିର୍ଭର କଲେ ମା, ପୁଅ ।
କିଛି ଦିନ ପରେ ବାପା କହିଲେ "ମା’ରେ ତୋ ପୁଅ ତ ଦେଢ଼ ବର୍ଷର ହୋଇଗଲାଣି ଏଥର ତାକୁ ଭାତ ଖୁଆଇ ଦେ’ । ଗୋଟିଏ ସେର୍ଲେକ୍ ଡ଼ବା ଆଣିଲେ ସପ୍ତାହେ ଯାଉନି କେତେ କିଣିବା ? ନିର୍ମଳା ଦେବୀଙ୍କୁ ଖରାପ ଲାଗିଲା ଗୋଟିଏ ଘରେ ଭାଇର ଝିଅ ଅଢେଇ ବର୍ଷ ହେଲାଣି ତଥାପି ସିଏ ଲାକ୍ଟୋଜେନ୍ ସେର୍ଲେକ୍ ଖାଉଛି । ପୁଅକୁ ଦେଢ଼ ବର୍ଷ ତାପରେ ଲାକ୍ଟୋଜେନ୍ କିଣା ପଡୁନି । ସେଥିର ସକାଳେ ଫଳସିଝା ଓ ଡାଲି ଭାତ ଥରେ ସିନା ଖୁଆଇବେ ରାତିରେ ଭାତ କେମିତି ଖୁଆଇବେ ? ନିର୍ମଳା ଦେବୀ ମନେ ମନେ ସ୍ଥିର କଲେ ପୁଅ ପାଇଁ ମୋତେ କିଛି ବ୍ୟବସ୍ଥା କରିବାକୁ ପଡିବ । ତେଣୁ ଘର ପାଖରେ ଥିବା ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷାଦାନ କଲେ ପରେ ଟିୟୁସନ୍ କରି ପୁଅର ସମସ୍ତ ଦାୟିତ୍ବ କଷ୍ଟେ ମଷ୍ଟେ ଚଳାଇନେଲେ । ଶିଶୁ ପାଇଁ ସେ ଉଭୟ ମାଆ ବାପା ପାଲଟି ଯାଇଥିଲେ । ସେ ଜାଣିଥିଲେ ମାତୃତ୍ବ ଯାତ୍ରା ହେଉଛି ଆନନ୍ଦ ଦାୟକ ।
ପ୍ରତ୍ୟେକ ମଣିଷ ଆନନ୍ଦ, ସୁଖ ଚାହାନ୍ତି, ସେହି ସୁଖ ଲାଭ ନିମିତ୍ତ ସମଗ୍ର ଜୀବନ ବ୍ୟାପୀ ଚେଷ୍ଟା ହିଁ ଦୁଃଖର କାରଣ ହୋଇଥାଏ । ମନୁଷ୍ୟ ଜୀବନରେ ତିନିଭାଗ କେବଳ ଦୁଃଖ, ଅଶ୍ରୁ, ଯନ୍ତ୍ରଣା ଥିବାବେଳେ ମାତ୍ର ଏକଭାଗ ସୁଖ ବା ଆନନ୍ଦ ଥାଏ । ବିଚାରଶୀଳ ମନୁଷ୍ୟ ଦୁଃଖ ଭିତରେ ପ୍ରକୃତ ଆନନ୍ଦର ମାର୍ଗ ଖୋଜେ । ଟିକିଏ ସୂକ୍ଷ୍ମ ଭାବରେ ବିଚାର କଲେ 'ସୁଖ' ଓ 'ଆନନ୍ଦ ଅଲଗା ଶବ୍ଦ ଏବଂ ଅଲଗା ଅନୁଭବ । ଦୁହିଁଙ୍କ ମଧ୍ୟରେ ଆକାଶ ପାତାଳ ତଫାତ୍ । ସୁଖ ହେଉଛି ଇନ୍ଦ୍ରିୟଜାତ, ପାର୍ଥିବ, ବିଷୟ ବିକାର ଜଡିତ ଏକ ସୁଖାନୁଭୂତି ଯାହା କ୍ଷଣସ୍ଥାୟୀ । କିନ୍ତୁ ଆନନ୍ଦ ହେଉଛି ଅତୀନ୍ଦ୍ରିୟ, ଅପାର୍ଥିବ ଓ ଅପ୍ରାକୃତିକ । ସୁଖ ସ୍ଥୁଳତଃ ଦେହ ସମ୍ପର୍କିତ ହେଲାବେଳେ ଆନନ୍ଦ ଦେହାତୀତ । ତେଣୁ ଭୋଗ ଅପେକ୍ଷା ତ୍ୟାଗରେ ପ୍ରକୃତ ଆନନ୍ଦ ମିଳିଥାଏ ତେଣୁ ତ୍ୟାଗମୟୀ ମା’ ଯୁଗେ ଯୁଗେ ବନ୍ଦନୀୟା ।
