ନବବଧୂର ସ୍ବପ୍ନ
ନବବଧୂର ସ୍ବପ୍ନ
ପରିବାର କହିଲେ ବୁଝାଯାଏ "ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।" ସତରେ ଉତ୍ତମ ବୁଝାମଣା ଦ୍ବାରା ସୁନ୍ଦର ପରିବାରର ଗଠନ ହୁଏ । ଆଉ ସବୁ ଝିଅ ସେହି ସୁନ୍ଦର ପରିବାର ପ୍ରତି ଆସକ୍ତି ହୋଇ ସ୍ବପ୍ନ ଦେଖନ୍ତି ହେଲେ ସମସ୍ତଙ୍କ ସ୍ବପ୍ନ କ'ଣ ସତ ହୁଏ ?ବେଳେ ବେଳେ ସମୟ ସେହି ସ୍ବପ୍ନକୁ ଭାଙ୍ଗି ଚୁର୍ ମାର୍ କରିଦିଏ ,ଯେମିତିକି ନବ ବଧୂ କଳ୍ପନାର ସ୍ବପ୍ନ ଧୂଳିସାତ୍ ହୋଇଯାଇଥିଲା ।
ରାମଚନ୍ଦ୍ରପୁର ଗ୍ରାମରେ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲା ଅଲିଅଳ କନ୍ୟାଟିଏ, ଯାହାର ନାମ ଥିଲା କଳ୍ପନା । ସେ ଯେପରି ସୁନ୍ଦରୀ,ସେହିପରି ସୁଶିକ୍ଷିତା ଓ ବୁଦ୍ଧିମତୀ । ସମୟାନୁକ୍ରମେ ତାର ବିବାହ ନାରାୟଣପୁର ଗ୍ରାମର ବସନ୍ତ ନାମକ ଯୁବକ ସହ ହୋଇଗଲା କନ୍ୟାଟି ଧୂଳିଘର ଛାଡି ନୂତନ ସଂସାରରେ ପାଦଥାପିଛି । ତା'ର ମନରେ ଅନେକ ସ୍ବପ୍ନ, କିପରି ପରିବାରର ସମସତ ସଦସ୍ୟଙ୍କୁ ଆପଣାର କରିବ, ସମସ୍ତଙ୍କର ପ୍ରିୟଭାଜନ ହୋଇ 'ଦୁହିତା 'ନାମକୁ ସାର୍ଥକ କରିପାରିବ ।
ବିବାହର ଠିକ୍ ଛ'ମାସପରେ ସତେ ଯେମିତି ଘନଅନ୍ଧକାର ମାଡିଆସିଲା ତା'ର ସୁଖସଂସାରକୁ । ଭାଗ୍ୟବିଧାତାଙ୍କ କରାଳ ଚକ୍ଷୁର ଶିକାର ହୋଇଗଲା ସେ ।ସ୍ବାମୀ ବସନ୍ତଙ୍କ ସ୍ବାସ୍ଥ୍ୟ ଆସ୍ତ ଆସ୍ତେ ଅବନତି ଆଡ଼କୁ ଗତିକଲା । ବହୁଦିନ ଧରି ଜ୍ବର ଲାଗିରହିଲା । କେତେ ଔଷଧ ସେବନ ପରେ ମଧ୍ୟ ସୁଫଳ ମିଳିଲା ନାହିଁ । ବସନ୍ତଙ୍କ ପିତା ଡାକ୍ତରଙ୍କ ପରାମର୍ଶକ୍ରମେ ସହରକୁ ନେଇ ପୁଅର ଚିକିତ୍ସା କରିବାପାଇଁ ମନସ୍ଥ କଲେ । ତେଣୁ ସେ ତାଙ୍କ ସାନପୁଅ ପ୍ରଶାନ୍ତକୁ ଡାକି କହିଲେ "ବଡ଼ଭାଇ ବସନ୍ତକୁ ନେଇ ବ୍ରହ୍ମପୁର ମେଡିକାଲରେ ସମସ୍ତ ପରୀକ୍ଷା କରାଇ ଆଣିବୁ "। ତା'ପର ଦିନ ଦୁଇଭାଇ ବାହାରି ପଡିଲେ ବ୍ରହ୍ମପୁରକୁ । ଡାକ୍ତରଙ୍କ ପରାମର୍ଶକ୍ରମେ ସମସ୍ତ ପରୀକ୍ଷା ସରିଲା ଏବଂ ରିପୋର୍ଟ ମଧ୍ୟ ଆସିଗଲା । ଡାକ୍ତର ସବୁ ଲକ୍ଷଣ ଓ ରିପୋର୍ଟ ଦେଖି ଜାଣିଗଲେ ବସନ୍ତ ଏଚ.ଆଇ.ଭି (HIV)ଭୂତାଣୁ ଦ୍ବାରା ସଂକ୍ରମିତ ଏବଂ ସେ ଜଣେ ଏଡସ୍ ରୋଗୀ । ବସନ୍ତ ଶୁଣି ଅଧୈର୍ଯ୍ୟ ହୋଇପଡିଲା ଏବଂ ବାପାଙ୍କୁ ଫୋନ୍ କରି ବସିଲା । ଫୋନର ଘଣ୍ଟି ବାଜି ଉଠିଲା - କ୍ରିଂ କ୍ରିଂ କ୍ରିଂ କ୍ରିଂ...ବାପା ଫୋନ୍ ଉଠାଇଲେ କହିଲେ "ହାଲୋ !କିଏ କହୁଥିଲେ ?ଉତ୍ତର ଆସିଲା "ବାପା! ମୁଁ ବସନ୍ତ କହୁଛି '", "ହଁ ପୁଅ କହ,ଡାକ୍ତରଙ୍କୁ ଦେହ ଦେଖେଇଲୁ? କ'ଣ କହିଲେ ସେ ?" "ବାପା!ମୁଁ ଏଚ.ଆଇ.ଭି ଭୂତାଣୁ ଦ୍ବାରା ସଂକ୍ରମିତ ମୋତେ ଏଡସ୍ ହୋଇଛି"। ବାପା ଚମକି ପଡି କହିଲେ କ'ଣ କହିଲୁ! ତୋତେ ଏଡ଼ସ୍ ହୋଇଛି?ପ୍ରଶାନ୍ତ ଗଲା କୁଆଡେ ?ତାକୁ ଫୋନ୍ ଦେଲୁ""ବାପା ମୁଁ ପ୍ରଶାନ୍ତ କହୁଛି"। "ହଁ ଶୁଣେ,ଡାକରଙ୍କ ସହ ଭଲଭାବରେ ପରାମର୍ଶକରି ବଡ଼ଭାଇକୁ ଧରି ଶୀଘ୍ର ଘରକୁ ଚାଲିଆସେ । ଏହି ସମୟରେ ନବବଧୂ କଳ୍ପନା,ଫୋନ୍ ଦ୍ବାରା ବାପାପୁଅଙ୍କ ବାର୍ତ୍ତାଳାପସବୁ ଶୁଣି ନେଇଥିଲା ତା'ର ମନରେ କେବଳ ଏହି ଦୁଇଟି ଶବ୍ଦ ପ୍ରତିଧ୍ବନିତ ହେବାକୁ ଲାଗିଲା "ତୋତେ ଏଡ଼ସ୍ ହେଇଛି" ? ସେ ଭାବି ପାରିଲା ନାହିଁ ନୂତନ ମାତୃତ୍ବ ଲାଭରେ ଏବଂ ନାରୀ ଜନ୍ମର ସାର୍ଥକତାରେ ଆନନ୍ଦରେ ଆତ୍ମହରା ହେବ ନା' ଏଡ଼ସ୍ ଦ୍ବାରା ସଂକ୍ରାମିତା ଭାବି ମର୍ମାହତ ହେବ । ସତେକି ତା'ର ପାଦତଳୁ ମାଟି ଧସେଇ ହୋଇ ଚାଲିଗଲା । ସେ ଯେ ଦୁହିତା କ'ଣ ବା 'ଜବାବ ଦେବ ଦୁଇ ପରିବାରକୁ,ସମାଜକୁ ? ଆମେ ତିନିଜଣ କ'ଣ ସାଜିଯାଇଛୁ ସମାଜ ପାଇଁ କଳଙ୍କ ? ମନରେ ଅନେକ ପ୍ରଶ୍ନ ସମାଧାନର ପଥ ଅବଲମ୍ବନ କରିବା ପୂର୍ବରୁ ନିଜର ମାନସିକ ଭାରସାମ୍ୟ ହରାଇ ହସି ହସି ମରଣକୁ ବରଣ କରିନେଲା, ଝୁଲି ପଡିଲା ସେ ପିନ୍ଧାବସନର ପଣତକାନିରେ । କନ୍ୟାର ପିତା ଶାଶୁଘରୁ ଫେରାଇ ଆଣିଥିଲେ ସବୁ ବାସନ କୁସନ ଜିନିଷପତ୍ର ହେଲେ ଫେରେଇ ଆଣିପାରିନଥିଲେ ତାଙ୍କ ଅଲିଅଳ କନ୍ୟା କଳ୍ପନାକୁ ।
କଳ୍ପନାର ମୃତ୍ୟୁ ହୋଇଛି ସତ,ହେଲେ ତା'ର ପ୍ରାଣପାତ ବ୍ୟର୍ଥ ହୋଇଯାଇନି । ସେ ଆମକୁ ଚେତାଇ ଦେଇଯାଇଛି ଏବଂ କହି ଉଠୁଛି ତା'ର ସ୍ବପ୍ନ "ହେ ଯୁବ ବନ୍ଧୁ! ଜାଗିଉଠ, ମୁଁ ଶିକ୍ଷିତା ହୋଇ ମଧ୍ୟ ଯେଉଁ ଭୁଲ୍ କରିଛି ଏବଂ ପ୍ରତାରିତା ହୋଇଯାଇଛି, ତାହା ତୁମେମାନେ କରନାହିଁ । ଆଜି ଯଦି ମୁଁ ଜାତକ ମେଳକ ସହ ରକ୍ତମେଳକ ଦ୍ବାରା ବିବାହ କରିଥାନ୍ତି,ତେବେ ମୋ ଜୀବନ ମଧ୍ୟ ହୋଇଉଠନ୍ତା ମଧୁମୟ ଓ ସୁଖମୟ । ହେ ଯୁବବନ୍ଧୁ !ସଚେତନ ହୁଅ ସଂସ୍କୃତିର ରକ୍ଷା ଓ ବଡ଼ମାନଙ୍କୁ ସମ୍ମାନ ଦେବା ନିମନ୍ତେ ଜାତକର ମେଳକ ଯେପରି ଜରୁରୀ,ରକ୍ତର ମେଳକ ସେପରି ଅପରିହାର୍ଯ୍ୟ । ଜାତକର ମେଳକ ସହ ରକ୍ତର ମେଳକକୁ ମଧ୍ୟ ସାଦରେ ଗ୍ରହଣ କରିନିଅ,ନିଜର ସ୍ବପ୍ନର ସୁନ୍ଦର ସଂସାରକୁ କରିଦିଅ ମଧୁମୟ ଓ ସୁଖମୟ ।ଏହା ହିଁ ଥିଲା ନବବଧୂର ସ୍ବପ୍ନ ତାକୁ ବାସ୍ତବ ରୂପ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟିତ୍ବ ।