Sudhanjali Mishra

Tragedy Inspirational

3  

Sudhanjali Mishra

Tragedy Inspirational

ରେବତୀର ପୁନରାବୃତ୍ତି

ରେବତୀର ପୁନରାବୃତ୍ତି

3 mins
459



ଆଜିର ସଭ୍ୟତାରେ ଦେଶର ପ୍ରଗତି ସାରା ବିଶ୍ବବିଦିତ ହେଲେ ମଧ୍ୟ କେତେ ଯେ ରେବତୀ ବଳି ପଡିଛନ୍ତି ତା'ର ହିସାବ ନାହିଁ । କଳା,ସାହିତ୍ୟ,ଶିକ୍ଷା,ସଂସ୍କୃତିର ଗାରିମା ଡିଣ୍ଡିମ ପିଟୁଥିବା ବେଳେ ପୁରପଲ୍ଲୀରେ କେତେ ଯେ ନାରୀ ଅବହେଳିତା,ଅତ୍ୟାଚାରିତା,ଶିକ୍ଷାରୁ ବଞ୍ଚିତା ତାହା କୁହା ନ ଯାଇପାରେ । କେବଳ ସହର ଆଉ ତା'ନିକଟବର୍ତ୍ତୀ ଅଞ୍ଚଳ ଗୁଡିକ କିଛି ମାତ୍ରାରେ ଶିକ୍ଷା ଓ ସ୍ବାସ୍ଥ୍ୟର ସୁବିଧା ପାଉଥିବା ବେଳେ ଦୂରରେ ଥିବା ଅଞ୍ଚଳ ଗୁଡିକ ଅବହେଳିତ ହୋଇପଡୁଛି । ଦେଶର ପ୍ରଗତି କେବଳ ନେତାମାନଙ୍କ ଭାଷଣର ବାହାସ୍ପୋଟରେ ମିଳେଇ ଯାଉଛି । ଏବେ ମଧ୍ୟ ଅନେକ ରେବତୀ ଅନେକ ଅଞ୍ଚଳରେ ବଞ୍ଚିଛନ୍ତି । ପୁଣିଥରେ ରେବତୀର ପୁନରାବୃତ୍ତି ଘଟିଛି ।

  

      ସହର ଠାରୁ ଦୂରରେ ଅବସ୍ଥିତ ସୁନ୍ଦର ପଲ୍ଲୀ ଗାଁ ମାଧବପୁର । ପ୍ରକୃତି ବିମଣ୍ଡିତ, ସବୁଜିମାରେ ପରିପୂର୍ଣ୍ଣ, ଶାନ୍ତମୟ ପରିବେଶ ବ୍ରାହ୍ମଣ ଶାସନ ଟିଏ । ଶୃଙ୍ଖଳିତ ଓ ସୁସଂସ୍କୃତିକୁ ବହନ କରୁଥିବା ହେତୁ ଗ୍ରାମବାସୀ ମାନେ ନିଜ ଗ୍ରାମକୁ ନେଇ ଗୌରବାନ୍ବିତ ମନେ କରୁଥିଲେ । ସେହି ଗ୍ରାମର ଗୋଟିଏ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲା ରେବତୀ, ଶ୍ରଦ୍ଧାରେ ସମସ୍ତେ ତାକୁ ରେବି ବୋଲି ଡାକୁଥାନ୍ତି । ଡ଼ଉଲ ଡାଉଲ ଚେହେରା ସାଙ୍ଗକୁ ସୁମଧୁର କଣ୍ଠ ଓ ଅମାୟିକ ବ୍ୟବହାର ସମସ୍ତଙ୍କୁ ଆକର୍ଷଣ କରୁଥିଲା । କିନ୍ତୁ ରେବିର ପାଠପଢା ନବମ ଶ୍ରେଣୀରେ ହିଁ ସମାପ୍ତ ହୋଇଗଲା । ଏକ ସମ୍ଭ୍ରାନ୍ତ ଜମିଦାର ଘରର କୁଳବଧୂ ରୂପେ ବାଲ୍ୟ ବିବାହ ପ୍ରଥାରେ ଛନ୍ଦି ହୋଇଗଲା ରେବି । ଗୃହଯୁକ୍ତ ହୋଇ ଶାଶୁଘରେ ପାଦଦେବା କ୍ଷଣି ପରିବାରର କନ୍ଦଳକୁ ନେଇ ସ୍ବାମୀଙ୍କର ମୃତ୍ୟୁ ,ପରିବାର କ'ଣ ? ,ସ୍ବାମୀସୁଖ କ'ଣ ଜାଣିବା ପୂର୍ବରୁ ମଥାରେ ବିଧବାର କଳଙ୍କ ଟିକା ମାଖି ଫେରିଆସେ ବାପଘରକୁ ରେବି । ଯଦିଓ ବାଲ୍ୟବିବାହ ଉଚ୍ଛେଦ ହୋଇଯାଇଥିଲା ତଥାପି ସେ ସେଥିରୁ ବାଦ୍ ଯାଇନଥିଲା । ବାପଘର ସମସ୍ତେ ରେବିକୁ ପୁରୀ ନେଇ ଶୁଦ୍ଧିକ୍ରିୟା କରାଇ,ପୁନଃବିବାହ ପାଇଁ ଶଙ୍ଖା ଚୁଡି ପିନ୍ଧାଇ ନେଇ ଆସିଲେ ଗ୍ରାମକୁ । କିନ୍ତୁ କେହିହେଲେ ଚିନ୍ତା କଲେ ନାହିଁ ରେବି ପୁଣିଥରେ ପାଠପଢୁ,ନିଜ ଗୋଡ଼ରେ ନିଜେ ଠିଆହେଉ ,ଆତ୍ମନିର୍ଭର ଶୀଳ ହେଉ,"ସତେ ଯେମିତି ଝିଅ ଜନମଟା ପରଘରକୁ " ସେ କେବଳ ବିବାହ କରିବ,ପୁଅଝିଅର ମା ହେବ ଆଉ ଘର ସମ୍ଭାଳିବ । ତେଣୁ ପୁନଃବିବାହରେ ଛନ୍ଦି ହୋଇଗଲା ରେବି । ସେ ପୁଣିଥରେ ବଳି ପଡିଗଲା ସମାଜ ଆଗରେ । ଅମାବାସ୍ୟା ଅନ୍ଧକାର ଚନ୍ଦ୍ରମାକୁ ଗୋଟିଏ ଦିନ ଲୁଚାଇପାରେ ସତ ହେଲେ ସବୁଦିନେ ନୁହଁ, ସତ କେବେ ବି ଲୁଚି ରହେନା ।


ଦ୍ବିତୀୟ ବିବାହ କରିଥିବା ବର ଯେତେବେଳେ ରେବିର ଅତୀତ କଥା ଜାଣିପାରିଲା ସେତେବେଳେ ରେବି ଉପରେ ତାର ଅତ୍ୟାଚାର ବଢିଗଲା । ବାପଘରର ଗେହ୍ଲୀଝିଅ ଶାଶୁଘରର ଚାକରାଣୀ ।ସେ କେବଳ ଦୁଇପୁତ୍ରର ମୁଖକୁ ଚାହିଁ ସବୁ ଦୁଃଖକୁ ପିଇଯାଉଥିଲା ,କାରଣ ସେ ଜଣେ ମାଆ । ଦିନେ ନା ଦିନେ ଆଲୋକର ସନ୍ଧାନ ପାଇବ,ଏହି ଆଶାରେ ସେ ସର୍ବଂସହା ପାଲଟିଗଲା । ଭାଗ୍ୟର ବିଡ଼ମ୍ବନା ଯେହେତୁ ଶିକ୍ଷାର ଆଲୋକ ଶିଖାଟି ତା'ପାଖରେ ନଥିଲା ତେଣୁ ନା, ସେ ନିଜେ ଜଳିପାରିଲା ନା ସେ ଅନ୍ୟକୁ ଆଲୋକିତ କରିପାରିଲା । କେବଳ ସଂସାର ବନ୍ଧନରେ ବାନ୍ଧିହୋଇ ମାୟା ମୋହରେ ଘାଣ୍ଟିହୋଇ ସମସ୍ତଙ୍କ ଆଦରର କୁଳବଧୂଟିଏ ହୋଇପାରିଲା । ପୁଣିଥରେ ବୋଝ ଉପରେ ନଳିତା ବିଡା ପରି ରେବିର ସ୍ବାମୀ ନେଇ ଆସିଲେ ଆଉ ଏକ ସାଥୀ ଯିଏକି ରେବିକୁ ଘରକାମରେ ସାହାଯ୍ୟ କରିବ ଆଉ ଘରସମ୍ଭାଳିବ ,ନାଆ ତାର ସଉତୁଣୀ ।


ପୁରୁଷ ବା କିପରି ବୁଝିପାରିବ ନାରୀର ମନକଥା ? ନାରୀ ସବୁ ଦୁଃଖକଷ୍ଟକୁ ସହ୍ୟକରିପାରେ ହେଲେ ସଉତୁଣୀ ଜ୍ବାଳାକୁ କେବେ ସହ୍ୟ କରିପାରେ ନାହିଁ । ସେହିପରି ରେବି କ୍ଷେତ୍ରରେ ମଧ୍ୟ ତାହା ଘଟିଥିଲା । ସେ ବି ତ ଜଣେ ନାରୀ,କେମିତି ସହ୍ୟ କରିପାରିଥାନ୍ତା ? ଯଦି ରେବି କିଛି ପ୍ରତିବାଦ କରୁଥିଲା ତେବେ ଗାଳିମାଡ଼ ସହ ଥୁଣ୍ଟା ଶୁଣିବାକୁ ପଡୁଥିଲା "ତୁ କିପରି ଦ୍ବିତୀୟ ବିବାହ କଲୁ ? ମୁଁ ସେହିପରି ଦ୍ବିତୀୟ ବିବାହ କଲି । ରେବି ଅଗତ୍ୟା ଭାଗ୍ୟକୁ ନିନ୍ଦି ସଉତୁଣୀ ଜ୍ବାଳାକୁ ମଧ୍ୟ ମୁଣ୍ଡପାତି ସହିନେଲା । ସବୁବେଳେ ନିଜ ଭାଗ୍ୟକୁ କୋଷୁଥାଏ । ଆଜି ଯଦି ମୁଁ ଦୁଇ ଶ୍ରେଣୀ ଅଧିକା ପାଠ ପଢିଥାନ୍ତି ତାହାହେଲେ ମୋତେ ଏତେ କଷ୍ଟ ସହ୍ୟ କରିବାକୁ ପଡିନଥାନ୍ତା । ମୁଁ ନିଜେ ଆତ୍ମନିର୍ଭରଶୀଳ ହେବା ସହ ମୋ ଦୁଇଛୁଆକୁ ଯୋଗ୍ୟ କରିପାରିଥାନ୍ତି । ଜୀବନରେ ଶିକ୍ଷାରମୂଲ୍ୟ କେତେ ଯେ ଗୁରୁତ୍ବ ବହନ କରେ ତାହା ସେ ହୃଦୟଙ୍ଗମ କରିପାରିଥିଲା । ଏହିପରି ଚିନ୍ତା କରିକରି ଦୁଃଖରେ ଦୁଃଖରେ ଜୀବନର ପରିସମାପ୍ତି ଘଟିଲା । ଶେଷରେ କେବଳ ଏତିକି ଶୁଭୁଥିଲା "ଲୋ ..ରେବି ,ଲୋ ..ନିଆଁ, ଲୋ ...ଚୂଲି,ଝିଅ ପିଲାଟା ରନ୍ଧାବଢା ଶିଖ୍,ଶାଶୁ ଘରକୁ ଯିବୁ ।"

             



Rate this content
Log in

Similar oriya story from Tragedy