STORYMIRROR

Sudhanjali Mishra

Others

4  

Sudhanjali Mishra

Others

କିଛି ସ୍ମୃତି କିଛି ଅନୁଭୂତି

କିଛି ସ୍ମୃତି କିଛି ଅନୁଭୂତି

3 mins
688


ସରଳ,ନିଷ୍ପାପ କୋମଳ ମତି ବାଳିକା,ଯାହାର ନାମ ଥିଲା ଅପରାଜିତା । ସତରେ ସେ ଦୁହିତା ଦୁଇକୁଳକୁ ହିତା ଅପରାଜିତା ନାମକୁ ସେ ସାର୍ଥକ କରିପାରିଥିଲା । ତୁଳସୀ ଦୁଇପତ୍ରରୁ ବାସିଲା ପରି ବାଲ୍ୟକାଳରୁ ହିଁ ତାର ମଧୁର ବ୍ୟବହାର,କଳାପ୍ରିୟା,ସ୍ପଷ୍ଟବାଦିନୀ ଆଦି ଗୁଣ ବାରି ହୋଇପଡୁଥିଲା । କିନ୍ତୁ ତାର ସାଜସଜ୍ଜା ସରଞ୍ଜାମ ଓ ନୂଆ ପୋଷାକ ପ୍ରତି ଅହେତୁକ ଦୁର୍ବଳତା ଥିଲା । ନାନା ରଙ୍ଗର ପୋଷାକ ସହ ନାନା ରଙ୍ଗର ସାଜସଜ୍ଜା ସାମଗ୍ରୀ ଯଥା - ଚୁଡି,କାନର,ଅଳଙ୍କାର ଇତ୍ୟାଦି ରେ ସଜ୍ଜିତା ହୁଏ ।


ଛୋଟବେଳୁ ହିଁ ପାଠପଢା,ନିଜକାମ ନିଜେ କରିବା ବହି ସଜାଡିବା,ଠିକ୍ ସମୟରେ ସ୍କୁଲ ଓ ଟିୟୁସନ୍ ଯିବାଆସିବା କରୁଥିଲା । ଶିଶୁ ହେଉଛି କଞ୍ଚା ମାଟି ସଦୃଶ୍ୟ। ତାକୁ ଆମେ ଯେମିତି ରୂପଦେବା ସେ ସେହି ଆକୃତି ଧାରଣ କରେ । ଉତ୍ତମ ସଂସ୍କାର ରୀତିନୀତି ପରମ୍ପରାର ପ୍ରଭାବ ଶିଶୁ ଉପରେ ନିଜ ବାପା,ମାଆଙ୍କର ହିଁ ବେଶୀ ପଡିଥାଏ ଯେହେତୁ ଶିଶୁଟି ବିଦ୍ୟାଳୟ ଅପେକ୍ଷା ଘରେ ବହୁତ ସମୟ କଟାଇଥାଏ । ଆଉ ବାପା ମାଆଙ୍କର ବ୍ୟବହାର,ଚାଲିଚଳନ,କଥାବାର୍ତ୍ତାକୁ ଅନୁକରଣ କରିଥାଏ । ଯେତେବେଳେ ମନୁଷ୍ୟ ବାପା ମା ର ଦାୟିତ୍ବ ବହନକରେ ନିଜ ଶିଶୁପାଇଁ,ମନ୍ଦକାର୍ଯ୍ୟ,ମନ୍ଦ ବ୍ୟବହାର ପ୍ରତି ସଜାଗ ହୋଇଯାଏ । ଛୁଆମାନେ ଆମଠାରୁ ଅନୁକରଣ ନକରନ୍ତୁ ସେଥିପ୍ରତି ସଦା ସତର୍କ ଅବଲମ୍ବନକରନ୍ତି ।


ଅପରାଜିତା ଉତ୍ତମ ସଂସ୍କାର ପାଇ ବଡ଼ହୋଇ ଆସୁଥିଲା ।ଯେତେବେଳେ ତୃତୀୟ ଶ୍ରେଣୀରେ ପଢୁଥିଲା ସେହି ସମୟର କଥା - ନିୟମିତ ସ୍କୁଲରୁ ଫେରି କିଛି ଖାଇ,ଖେଳି ସନ୍ଧ୍ୟାରେ ତାଙ୍କ ଘରକୁ ଛାଡି ଚାରିଘର ପରେ ଜଣଙ୍କ ଘରକୁ ଟିୟୁସନ୍ ଯାଉଥିଲା । ଦିନେ ସନ୍ଧ୍ୟାରେ ଟିୟୁସନ୍ ଦିଦିଙ୍କ ଜଣେ ସମ୍ପର୍କୀୟ ପୁରୀପ୍ରସାଦ ଓ ଛୋଟ ଧଳା,ନାଲିର ସୋରିଷା ମାଳିଟିଏ ଆଣିଦେଲେ । ପୁରୀପ୍ରସାଦ ପିଲାମାନଙ୍କୁ ବାଣ୍ଟିଦେଲେ ମାଳିଟିକୁ ଝରକା ଉପରେ ରଖିଦେଲେ । ଅପରାଜିତାର ନଜର ସେ ମାଳିଟି ଉପରେ ଥାଏ,ତେଣୁ ସବୁ ପିଲା ଚାଲିଗଲା ପରେ ଟିୟୁସନ୍ ଦିଦିଙ୍କ ସାନ ଭଉଣୀ (ଚତୁର୍ଥଶ୍ରେଣୀର ଛାତ୍ରୀ )ଙ୍କୁ ମାଗିଲା ମୋତେ ମାଳିଟି ଦିଅ ପିନ୍ଧିବି ଦୁଇଦିନପରେ ଫେରେଇଦେବି , ସେ ମନାକରି ଚାଲିଗଲା । ଦିନେ ସୁଯୋଗ ଉଣ୍ଡି ଅପରାଜିତା ମାଳିଟିକୁ ଧରି ଘରକୁ ଆସିଲା ହେଲେ ପିନ୍ଧିପାରୁ ନଥାଏ । ସେ ମାଳିଟିକୁ ଚାଉଳଅଖା ତଳେ ଗୁଞ୍ଜି ଦେଇଥାଏ,ଯେମିତି କେହି ଦେଖିପାରିବେ ନାହିଁ । ଚୋରମନ ସବୁବେଳେ ଗଣ୍ଠିରେ ଥାଏ ତେଣୁ ସେ ଘରକୁ ଆସିଲେ ଆଗ ଦେଖିନିଏ ମାଳିଟି ଅଛିକି ନାହିଁ ତାପରେ ସେ ଆଶ୍ବସ୍ଥି ପାଏ ।


ଏମିତି ଦିନେ ଦେଖିଲାବେଳେ ତା'ର ବଡ଼ଭାଇ ଦେଖିନେଲେ ଓ କହିଲେ "ସେଠାରେ କ'ଣ ରଖିଛୁ ?" ମାଳିଟିକୁ ଦେଖିନେଲେ ଓ ପାଟିକରି କହିଲେ ବାବା ୟେ କାହା ମାଳି ଚୋରେଇକି ଆଣିଛି । ବାବା ଆସିବା ପରେ ଅପରାଜିତା ସବୁ ସତକଥା କହିଦେଇଥିଲା । ତା ବାବା କହିଲେ ତେଣୁ ତୁ ଆଜି ଟିୟୁସନ୍ ନଯାଇକି ଅଛୁ ,ଚାଲେ ଏବେ ମୋ ସହିତ ଅପରାଜିତା ମାଳି ସହ ଟିୟୁସନ୍ କୁ ଗଲା ସବୁ ପିଲା ଚାହିଁରହିଥାନ୍ତି କ'ଣ ହେଲା ବୋଲି ? ବାବା ସବୁ କାହାଣୀ ଟିୟୁସନ୍ ଦିଦିକି ଶୁଣାଇବା ପରେ ଦିଦି ତାଙ୍କ ସାନ ଭଉଣୀଙ୍କୁ ଗାଳିଦେଲେ ଓ କହିଲେ ସେ ଯଦି ମାଗିଲା ଦେଇଦେଲୁନି କଥା ଏତେଦୂର କାହିଁକି ଗଲା ? ଅପରାଜିତାକୁ ବୁଝାଇଦେଲେ ସିନା ହେଲେ ଅପମାନକୁ ସେ ଭୁଲି ପାରିନଥିଲା ।


କିଛି ଦିନପରେ ଅପରାଜିତା ମାମୁଁ ଘରକୁ ଯାଇଥିଲା । କୌଣସି କାରଣରୁ ମାମୁଁଘର ପଡୋଶୀ ଘରକୁ ଯିବାକୁ ପଡିଲା ସେଠାରେ ଦେଖିଲା ସୁନାମୁଦିଟିଏ ଚକ୍ ଚକ୍ କରୁଛି ଟେବୁଲ୍ ଉପରେ । ମନରେ ଲୋଭ ଆସିଲା ଘରେ ମଧ୍ୟ କେହି ନଥିଲେ ଚାହିଁଲେ ଆଣିପାରିଥାନ୍ତା କିନ୍ତୁ ମନେ ପଡିଗଲା ତାର ମାଳିକଥା ସେ ମୁଦିଟିକୁ ନେଇ ଯାହାର ତାଙ୍କୁ ଦେଇଦେଲା । ସେ ଖୁସିହୋଇ ଅପରାଜିତାକୁ ପ୍ରଶଂସାରେ ପତିପକାଇଲେ । ତା ପରଠାରୁ ଅପରାଜିତା ଆଉ କାହା ପାଖରେ ହାରିଯାଇନି ।ନିଜମନକୁ ନିଜ ଆୟତରେ ବାନ୍ଧିନେଇଛି ,ଆଗକୁ ଆଗକୁ ମାଡି ଚାଲିଛି । ହେଲେ ବର୍ତ୍ତମାନ ସେ ବଡ଼ ଚୋରଣୀ ପାଲଟିଯାଇଛି "ଶବ୍ଦ ଚୋରଣୀ " ଅଭିଧାନରୁ,ବଡ଼ ବଡ଼ କବିଙ୍କ ରଚନାରୁ ଶବ୍ଦ ଚୋରାଇ (ଗ୍ରହଣ କରି ) ତାକୁ ମାଳଗୁନ୍ଥି ସମାଜରେ କବିତା,ଗଳ୍ପ,ପ୍ରବନ୍ଧ,ନାଟକ ରୂପରେ ପରଶି ଦେଉଛି କେବେ କାର୍ପଣ୍ୟ କରେନି ।ନୈତିକତା ବାଲ୍ୟକାଳରୁ ହିଁ ଶିକ୍ଷା ମିଳିଥାଏ ଓ ବାପା ମାଆ ପ୍ରଥମ ପ୍ରେରଣା ଅଟନ୍ତି ।

        



Rate this content
Log in