STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମାଆ ଜାନକୀଙ୍କ ବାଲି ପିଣ୍ଡ   

ମାଆ ଜାନକୀଙ୍କ ବାଲି ପିଣ୍ଡ   

4 mins
10

       ମାଆ ଜାନକୀଙ୍କ ବାଲି ପିଣ୍ଡ   
         =============
ମହାକାବ୍ୟ ରାମାୟଣର ଗୋଟିଏ ସୁନ୍ଦର ଆଖ୍ୟାନ l ପ୍ରଭୁ ଶ୍ରୀରାମ ପିତୃସତ୍ୟ ପାଳନ କରି, ଅନୁଜ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହ ବନବାସରେ ବାହାରି ଗଲେ l ମହାରାଜ ଦଶରଥଙ୍କ ପୁତ୍ର ଶୋକରେ ପରଲୋକ ହେଲା l ପ୍ରଭୁ ଯାଇ ଚିତ୍ରକୁଟରେ ବାସ କରୁ ଥାନ୍ତି l ସେଠାରେ ଭରତ ଯାଇ ପହଁଚିଲେ ଜ୍ୟେଷ୍ଠ ଭ୍ରାତା ରାମଙ୍କୁ ଅଯୋଧ୍ୟା ଫରାଇ ଆଣିବେ ବୋଲି l କିନ୍ତୁ ସେଥିରେ ସେ କୃତ କାର୍ଯ୍ୟ ହୋଇ ନ ପାରି ଫେରି ଆସିଲେ ନନ୍ଦିଗ୍ରାମକୁ ଶ୍ରୀରାମଙ୍କ ପାଦୁକା ଦୁଇଟି ଧରି l ଏହିଠାରେ ଭରତଙ୍କଠାରୁ ପିତା ସ୍ବର୍ଗବାସୀ ହୋଇଛନ୍ତି ସମ୍ବାଦ ପାଇ, ପ୍ରଭୁ ପବିତ୍ର ମନ୍ଦାକିନୀ ତଟରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମାପ୍ତ କଲେ l ଏହାପରେ ପ୍ରଭୁ ଚିତ୍ରକୁଟରେ କିଛିଦିନ ବାସକରି ଚାଲିଲେ ପୁଣି ଅନ୍ୟାନ୍ୟ ବନପ୍ରଦେଶକୁ l ଏପରି ସେମାନେ ବୁଲୁଥାନ୍ତି, ଇତ୍ୟବସରେ ଆସି ଗଲା ପିତାଙ୍କର ଶ୍ରାଦ୍ଧ ଦିବସ l ପିତାଙ୍କୁ ପିଣ୍ଡ ଦେବାପାଇଁ ସେମାନେ ଯାଇ ପବିତ୍ର ବିଷ୍ଣୁପାଦ ଗୟାରେ ପହଞ୍ଚିଲେ l ପବିତ୍ର ଫଲଗୁ ନଦୀ ତଟରେ ମାଆ ସୀତା ବାଲିରେ ବସି ରହିଥାନ୍ତି ଶ୍ରୀରାମ, ଲକ୍ଷ୍ମଣ ଗାଧୋଇ ଆସି, ପିଣ୍ଡ ଦେବା ପାଇଁ ଫଲ୍ଗୁ ନଦୀକୁ ସ୍ନାନ କରିବା ପାଇଁ ଗଲେ l ତାଙ୍କ ଫେରିବା ବିଳମ୍ବ ହେଉ ଥାଏ l ଇତ୍ୟବସରେ ପିଣ୍ଡ ଦାନର ମୁହୂର୍ତ୍ତ ଆସି ଉପନୀତ ହେଲା l ଦଶରଥ ମାଆ ଜାନକୀଙ୍କ ସମ୍ମୁଖରେ ଆବିର୍ଭୁତ ହୋଇ କହିଲେ, ମୁଁ ବଡ଼ କ୍ଷୁଧିତ, ମୋତେ ଶୀଘ୍ର ପିଣ୍ଡ ଦିଅ l ସୀତା ତାଙ୍କୁ ପୁତ୍ର ମାନଙ୍କ ଫେରି ଆସିବା ଯାଏ ଅପେକ୍ଷା କରନ୍ତୁ ବୋଲି, ଅନୁରୋଧ କଲେ l କାରଣ ତାଙ୍କ ପାଖରେ ପିଣ୍ଡ ଦେବା ପାଇଁ ତଣ୍ଡୁଳ ଆଦି ସାମଗ୍ରୀ କିଛି ବି ନଥିଲା ଯାହାକୁ ରାମ ଲକ୍ଷ୍ମଣ ଆଣି ଫେରି ଥାନ୍ତେ l ଶ୍ଵଶୁର ଦଶରଥ କହିଲେ, ମାଆ ! ଆଉ ମୁଁ ଅପେକ୍ଷା କରି ପାରିବି ନାହିଁ l ତୁମ ନିକଟରେ ଯାହା ଅଛି ମୋତେ ପ୍ରଦାନ କର l ମାଆ ଜାନକୀ ଅନନ୍ୟୋପାୟ ହୋଇ, ଫଲଗୁ ନଦୀର ବିସ୍ତୀର୍ଣ୍ଣ ବାଲୁକା ରାଶି ଆଡେ଼ ଚାହୁଁ ଥାନ୍ତି l ଏହି ସମୟରେ ଦଶରଥ କହିଲେ, ମାଆ ! ସେହି ବାଲୁକା ପିଣ୍ଡ ମୋତେ ବାଢ଼ିଦିଅ l ମାଆ ଜାନକୀ ସୂର୍ଯ୍ୟ ଚନ୍ଦ୍ରଙ୍କୁ ସାକ୍ଷୀ ରଖି ଶ୍ଵଶୁରଙ୍କୁ ବାଲିରେ ପିଣ୍ଡ ବାଢ଼ିଦେଲେ l ପିଣ୍ଡ ପାଇ ଦଶରଥ ତୃପ୍ତହେଲେ l
ସୀତାଙ୍କ ପିଣ୍ଡଦେବା ସମୟରେ ସେଠାରେ ପାଞ୍ଚଜଣ ସାକ୍ଷୀ ଉପସ୍ଥିତ ଥିଲେ, ଫଲ୍ଗୁନଦୀ, ଅକ୍ଷୟ ବଟ, ଗୋଟିଏ ଗାଭୀ, ତୁଳସୀ ବୃକ୍ଷ ଓ ଜଣେ ବ୍ରାହ୍ମଣ l ଶ୍ରୀରାମ ଫେରି ଆସିଲେ l କିନ୍ତୁ ପ୍ରଭୁ ପିଣ୍ଡଦାନ କରିବାରୁ ଦଶରଥ ଆଉ ଉପସ୍ଥିତ ହେଲେ ନାହିଁ l ଏହାର କାରଣ ଜାଣିବାକୁ ଚାହିଁବାରୁ, ମା' ସୀତା ତାଙ୍କୁ ସବୁ ଘଟଣା ବୁଝାଇଦେଲେ l ପ୍ରଭୁ ଶ୍ରୀରାମଙ୍କ ଏ କଥାରେ କିନ୍ତୁ ବିଶ୍ୱାସ ହେଲାନାହିଁ l ଜାନକୀ ଉପସ୍ଥିତ ସାକ୍ଷୀ ମାନଙ୍କୁ ଏହାର ସତ୍ୟତା କହିବା ପାଇଁ ଅନୁରୋଧ କରନ୍ତେ କେବଳ ଅକ୍ଷୟ ବଟହିଁ ସପକ୍ଷରେ କହି ଶ୍ରୀରାମଙ୍କୁ ବୁଝାଇ ଦେଲେ l ଅନ୍ୟ ସବୁ ସାକ୍ଷୀମାନେ ସାକ୍ଷ୍ୟ ନଦେଇ ନୀରବ ରହିବା ହେତୁ, ମାଆ କ୍ରୋଧିତା ହୋଇ ଅଭିଶାପ ଦେଲେ,"ଫଲଗୁ ନଦୀର ଜଳଧାରା ଶୁଷ୍କ ହୋଇ ଯାଆ "l ଜାନକୀଙ୍କ ଅଭିଶାପ ଯୋଗୁଁ ଫଲଗୁର ଜଳ ଧାରା ବାଲୁକା ମଧ୍ୟରେ ଗୁପ୍ତ ହେଲା ଓ ଫଲ୍ଗୁ ହେଲା, ଅନ୍ତଃ ସଲିଳା l ଜାନକୀ ପୁଣି ଶାପ ଦେଲେ ଗୋମାତାଙ୍କୁ ଆଗରୁ କେହି ପୂଜା ନକରି ପଶ୍ଚାତ ଭାଗରୁ ପୂଜା କରିବେ l ଗୟାରେ ତୁଳସୀଗଛ ରହିବନାହିଁ l ଗୟାରେ ସେଥି ପାଇଁ ଛୋଟ ତୁଳସୀ ମିଳେ ନାହିଁ, ଏଠାରେ ମିଳୁ ଥିବା ତୁଳସୀ ଗୟା ତୁଳସୀ, ଯାହାର ପତ୍ର ବଡ଼ l ସାକ୍ଷୀ ବ୍ରାହ୍ମଣଙ୍କୁ ମା' ଜାନକୀ ଅଭିଶାପ ଦେଲେ, ଗୟାର ବ୍ରାହ୍ମଣ ମାନେ କେବେ ମଧ୍ୟ ଯଜମାନଙ୍କ ଦକ୍ଷିଣାରେ ସନ୍ତୁଷ୍ଟ ହେବେ ନାହିଁ l ଏଣୁ ଗୟାର ବ୍ରାହ୍ମଣ ମାନେ ସର୍ବଦା ଦକ୍ଷିଣାରେ ଅସନ୍ତୁଷ୍ଟ ଥାନ୍ତି ବୋଲି କଥିତ ହୋଇ ଥାଏ l ମାଆ ଅକ୍ଷୟ ବଟକୁ ଆଶୀର୍ବାଦ ଦେଇ କହିଲେ ତୋରି ମୂଳରେ ଲୋକେ ଶ୍ରାଦ୍ଧ, ତର୍ପଣ, ଇତ୍ୟାଦି କରିବେ l ଫଳ ସ୍ୱରୂପ ଗୟା ଶ୍ରାଦ୍ଧ ଅକ୍ଷୟ ବଟ ତଳେ ଦିଆ ଯାଇଥାଏ l
ରାମାୟଣ ବର୍ଣ୍ଣିତ ଫଲଗୁ ନଦୀ ବିହାରର ପ୍ରସିଦ୍ଧ ହିନ୍ଦୁ ଓ ବୌଦ୍ଧତୀର୍ଥ ଗୟା ନିକଟରେ ପ୍ରବାହିତ l ଏଠାରେ ନଦୀ ଶଯ୍ୟା ଶୁଷ୍କ l କିନ୍ତୁ ବାଲୁକା ରାଶି ଆଡେଇ ଦେଲେ ତଳୁ ଜଳ ବାହାରିଥାଏ l ପୁରାଣ ପ୍ରସିଦ୍ଧ ଫଲଗୁନଦୀ ଉଭୟ ହିନ୍ଦୁ ଓ ବୌଦ୍ଧଧର୍ମୀ ମାନଙ୍କ ପାଇଁ ଅତି ପବିତ୍ର l ଫଲ୍ଗୁନଦୀ ତଟରେ ବିଷ୍ଣୁପାଦ ମନ୍ଦିର ଅବସ୍ଥିତ l ଏହିଠାରେ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରାଯାଏ l ବାୟୁ ପୁରାଣ ବର୍ଣ୍ଣିତ ଗୟା ମାହାତ୍ମ୍ୟରେ କୁହା ଯାଇଛି, ଫଲଗୁ ସ୍ୱୟଂ ବିଷ୍ଣୁଙ୍କ ସ୍ୱରୂପ l ପୂର୍ବକାଳରେ ଏ ନଦୀରେ କ୍ଷୀର ପ୍ରବାହିତ ହେଉ ଥିଲା l ମହାଳୟା ଦିନ ସମାପ୍ତ ହେଉଥିବା ପିତୃପକ୍ଷ ନିମନ୍ତେ ଏଠାରେ ପିଣ୍ଡଦାନ ଓ ତର୍ପଣ ପାଇଁ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ଼ ହୋଇଥାଏ l ବୋଧଗୟା ନିକଟରେ ପ୍ରାୟ ଦୁଇ କିଲୋ ମିଟର ତଳକୁ ନିରଞ୍ଜନା ଓ ମୋହନା ଦୁଇ ନଦୀର ସଙ୍ଗମରୁ ଫଲଗୁ ନଦୀର ସୃଷ୍ଟି ହୋଇଛି l ଇତିହାସ ପ୍ରସିଦ୍ଧ ଏହି ନେରଞ୍ଜନା ନଦୀ କୂଳରେ ପବିତ୍ର ବୋଧି ଦ୍ରୁମ ଅବସ୍ଥିତ l ଏହି ବୋଧି ଦ୍ରୁମର ଗୋଟିଏ ଶାଖାକୁ ନେଇ ସମ୍ରାଟ ଅଶୋକଙ୍କ ପୁତ୍ର ରାହୁଳ ଓ ପୁତ୍ରୀ ସଂଘମିତ୍ରା ସିଂହଳ ଅନୁରାଧାପୁରମ୍ ଠାରେ ରୋପଣ କରିଥିଲେ l ଏଥିରୁ ଉତ୍ଥିତ ବୃକ୍ଷ ସେଠାରେ ଏବେ ଗୋଟିଏ ମହାଦ୍ରୁମ ରୁପେ ବିଦ୍ୟ ମାନ l ନୀରଞ୍ଜନା ନଦୀର ଅନତି ଦୂରରେ ଥିବା ଉରୁବିଲ୍ଵ ଅରଣ୍ୟରେ ଗୌତମ ବୁଦ୍ଧ ପ୍ରଥମେ ଛଅବର୍ଷ କଠୋର ତପସ୍ୟା କରିଥିଲେ l ତହିଁରେ ତାଙ୍କର ସିଦ୍ଧିପ୍ରାପ୍ତ ହୋଇନଥିଲା l ପରେ ନେରଞ୍ଜନା ନଦୀରେ ସ୍ନାନ, ତର୍ପଣ ସାରି ସେ ସୁଜାତାନାମ୍ନୀ ଜଣେ ଗୋପାଳୁଣୀଠାରୁ ଖିରି ଖାଇ ବୋଧିଦ୍ରୁମର ଛାୟା ତଳେ କଠିନ ତପରେ ନିମଗ୍ନ ରହି ସିଦ୍ଧିପ୍ରାପ୍ତ ହୋଇଥିଲେ l କାଳକ୍ରମେ ଏଇଠି ନିର୍ମିତ ହୋଇଛି, ମହାବୋଧି ମନ୍ଦିର l ଏହା ସମଗ୍ରବିଶ୍ୱରେ ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କ ପାଇଁ ମୁଖ୍ୟ ତୀର୍ଥସ୍ଥଳ l ଗୟା ତୀର୍ଥ ତଥା ବୋଧ ଗୟାରେ ବର୍ଷ ସାରା ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ l
             🙏🙏🙏
                ଅର୍ଜୁନୀ
              --------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational