Satyabati Swain

Inspirational Others

2  

Satyabati Swain

Inspirational Others

ମା

ମା

3 mins
402


ତା ମାଧ୍ୟମରେ ମୁଁ ଚିହ୍ନିଲି ଜୀବନ,ଜୀଇଁବା,ଓ ଜଗତ ପିଲାଦିନୁ ଏକ ଅଦ୍ଭୁତ ସମ୍ମୋହନ,ଦୁର୍ବାର ଆକର୍ଷଣ, ପ୍ରଚଣ୍ଡ ଆଗ୍ରହ ମୋ ଭିତରେ ତା ପାଇଁ ଥିଲା।ସେ ମୋର୍ ସବୁଠାରୁ ଉତ୍ତମ ବନ୍ଧୁ ଅଟେ।ତାକୁ ଛୁଇଁଲେ ଅପୂର୍ବ ଖୁସି ଟିକେ ଛୁଇଁଯାଏ ମୋତେ।ସବୁ ଭୁଲି ତାରି ଭିତରେ ହଜିଯାଏ।ମୁଁ ତାକୁ ଜଡେଇ ଧରେ ଛାତିରେ ସେ ମୋତେ ଜଗଡି ଧରେ ଖୁବ୍ ତା ଭିତରେ।ତାର ମୋର ବନ୍ଧନ ଅତି ସ୍ବର୍ଗୀୟ।ସେ ମୋର ଜୀବନର ବଡ଼ ନିଶା।


ଅବୁଝା ବୟସରେ ବି ମୁଁ ତା ପ୍ରେମରେ।ନିହାତି ପିଲା ଦିନୁ ମୋର ତାକୁ ଆଣିବା,ଠୁଳ କରିବା ଗୋଟେ ଅହେତୁକ ଅଭ୍ୟାସ।ବାପାଙ୍କ ସହ ମାର୍କେଟ ଗଲେ ପ୍ରଥମେ ତାକୁ ଖୋଜେ।ଅନ୍ୟ ପିଲା ମାନଙ୍କ ପରି ଖେଳନା, ଖାଦ୍ୟ,କି ପୋଷାକ ସଉକ୍ ମୋର ନଥିଲା।ଥିଲା କିନ୍ତୁ ତା ପ୍ରତି ଘନିଷ୍ଠ ଆତ୍ମିକ ଉଦ୍ବେଳନ।ସେ ମୋର ଚିର ପ୍ରେମିକ,ମୁଁ ତା ଚିର ପ୍ରେମିକା।ଆଉ ସେ ହେଲା ଖଣ୍ଡେ "ବହି"।


ଥରେ ଭାଇଙ୍କ ସଙ୍ଗେ ଦଶହରା ବୁଲି ଯାଇଥିଲି ଜଗତସିଂହପୁର ବଜାର।ଗୋଟିଏ ମନୋହରୀ ଦୋକାନ ଆଗରେ ଭାଇ ବସାଇ ଏଇଠୁ କେଉଁ କାମରେ ଆସୁଛି ବୋଲି କହିଲେ।ସେ ଦୋକାନରେ ଆମର ଜଣେ ଚିହ୍ନା ମାମୁଁ ସେଲସ୍ ମ୍ୟାନ୍ ଥିଲେ।ଭାଇଙ୍କ ଆସିବା ଡେରି ହେଲା।ମୋତେ ବସି ବସି ବୋର ଲାଗୁଥାଏ।ଦୋକାନ ବୁଲି ବୁଲି ସବୁ ଦେଖିଲି।ଦୋକାନ ପାଖକୁ ଲାଗି ଗୋଟେ ଘରେ ବହି ଗଦା ହୋଇଥିଲା।ମାମୁଁଙ୍କୁ କହିଲି, "ମାମୁଁ ସେ ବହି ସବୁ ଦେଖିବି?"ମାମୁଁ କହିଲେ ପୁରୁଣା ଚିରା ବହି ଗୁଡା,ଠୁଙ୍ଗା ହେବା ପାଇଁ ଆସିଛି।ଦେଖୁନୁ।


ସେଇ ବହି ଗଦା ଭିତରେ ସେଦିନ ମୁଁ ନିଜକୁ ହଜାଇ ଦେଲିଥିଲି।ବାଛିଲି କେତେ ବହି,ଶହେ କି ଦୁଇଶହ ଖଣ୍ଡ।ବିଦଗ୍ଧ ଚିନ୍ତାମଣିଠୁ ଆରମ୍ଭ କରି ଗର୍କୀଙ୍କ "ମା"ପର୍ଯ୍ୟନ୍ତ।କହିଲି ମାମୁଁ ଏ ବହି ମୋତେ ଦେବ??ଦୋକାନୀ ମୋ ପଢା ଆଗ୍ରହ ଦେଖି କହିଲେ ଚିରା ହୋଇ ଠୁଙ୍ଗା ହୋଇଥାନ୍ତା,ଛୁଆଟିଏ ପଢିବାକୁ ଚାହୁଁଛି ନେଉ।ଦୁଇ ବସ୍ତା ହେଲା।ଭାଇ କହିଲେ, "ଲୋକେ ନିଜ ଘରୁ ଅଳିଆ ସଫା କରିବା ପାଇଁ ଏସବୁ ବିକ୍ରି କରିଛନ୍ତି,'ଆଭା' ତୁ ଏସବୁ ନେଇ ଆମ ଘର ଅଳିଆ କରିବୁ?"


ମୋର କିନ୍ତୁ ଏକା ଜିଦ୍ ବହି ନେବି,କିଣି କି ଏତେ ପଢି ପାରୁନି।ମାମୁଁ ବହିତକ ଆମ ଘରକୁ ବସ୍ ରେ ପଠେଇ ଦେଲେ।ମୋ ଖୁସି ସେଦିନ ଆକାଶ ସେ ପାଖ ମେଘ ପର୍ଯ୍ୟନ୍ତ ଉଡିଯାଇଥିଲା।


ବଡ଼ ହେଲା ପରେ ବି ସେଇ ସଉକ୍ ଟି ଆହୁରି ପାଗଳାମୀରେ ପରିଣତ ହେଲା।ମୋ ଚାରି ପାଖେ କେବଳ ବହି ଆଉ ବହି।ପକେଟ ମନିରେ କେବେ କିଛି କଥା ମନେ ପଡୁନି ବହି ବ୍ୟତୀତ।ରେଭେନ୍ସାରେ ପଢିଲା ବେଳେ ଏ ସଉକ୍ ମୋର ଶୀର୍ଷରେ ପହଞ୍ଚିଥିଲା।


କନିକା ଲାଇବ୍ରେରୀ ଓଡ଼ିଶାର ସବୁଠାରୁ ବଡ଼ ଲାଇବ୍ରେରୀରୁ ପ୍ରାୟତଃ ମନ ଖୋଜୁଥିବା ବହି ମୁଁ ପଢ଼ିବାର ସୁଯୋଗ ପାଇଲି।ସେଇଠି ଦେଖା ହେଲା ବହି ଗର୍କିଙ୍କ "ମା"।ଓଡ଼ିଆ ଅନୁବାଦିତ ଲେଖା।ଅନୁବାଦ କରିଥିଲେ ବୈଷ୍ଣବ ଚରଣ ପରିଡା।


ଆଜିଯାଏ ଯେତେ ବହି ପଢ଼ିଛି 'ମା 'ର ଛାପ ମୋ ହୃଦୟ କାନ୍ଥରେ ଛାପି ହୋଇଯାଇଛି। ମା ମୋ ଜୀବନର ଶ୍ରେଷ୍ଠ ପଢିବା ପୁସ୍ତକ।କିଛି ଧାଡି ବି ଆଜିଯାଏ ମୋର ମନେ ଅଛି ।ଯେମିତି କି--


"ପୁନର୍ଜୀବିତ ଆତ୍ମାକୁ ତ କେହି ହତ୍ୟା କରି ପାରେ ନାହିଁ,ରକ୍ତର ନଦୀ ବୁହାଇ ଦେଲେ ମଧ୍ୟ,ସତ୍ୟତା ମଧ୍ୟରେ ବୁଡି ଯାଇ ପାରେନା..."


ପେଲାଗେୟା ନିଲଭ୍ ନାଙ୍କ ଦୟାର୍ଦ ନ୍ୟାୟୋଦୀପ୍ତ ହୃଦୟ,ତାଙ୍କ ଆତ୍ମାର ଆହ୍ୱାନ ଧାରଣା କରିଥିଲା କିଭଳି ବଞ୍ଚିବା ଉଚିତ।ପାଭେଲ ଭ୍ଲାସଭ୍ ନିଲଭ୍ ନାଙ୍କ ପୁଅ ଜଣେ ଶ୍ରମିକ ଲୋକଙ୍କର ଅଭ୍ୟସ୍ତ ଜୀବନକୁ ଛାଡି ବିପ୍ଲବୀ ହୋଇଗଲା।ଶହ ଶହ ସାଧାରଣ ନାରୀଙ୍କ ଭଳି ପେଲେଗେୟା କାରଖାନାରେ କାମ କରନ୍ତି ଏବଂ ଘରେ ମଦୁଆ ସ୍ୱାମୀଠାରୁ ମାଡ଼ ଗାଳି ଖାଇ ଦୁଃଖରେ ଦିନ କାଟନ୍ତି।ପୁଅ ବିପ୍ଲବୀ ହୋଇଗଲା ବେଳେ ସେ ପୁଅ ସହିତ କାନ୍ଧକୁ କାନ୍ଧ ମିଳାଇ ଛିଡା ହୋଇ ପଡିଲେ।


"ଆମେ ସମସ୍ତେ ଗୋଟିଏ ମା ର ସନ୍ତାନ।ସାରା ଦୁନିଆର ଶ୍ରମିକ ଭାତୃତ୍ୱର ଅଜୟ ବିଚାରର ସନ୍ତାନ।"


"ନିଜ ଚତୁଃପାଶ୍ୱସ୍ଥ ଦୂଷିତ ବାତାବରଣ ବିରୁଦ୍ଧରେ ସଂଗ୍ରାମ ହିଁ ମଣିଷକୁ ମଣିଷ କରିଦିଏ।"


ହେ ଚିର ନାମସ୍ୟ ଗର୍କି ! ଆପଣଙ୍କୁ ମୁଁ ଆଭା ସାମନ୍ତ ମୋ ଅନ୍ତର ତଳୁ ବାଢୁଛି ସଭକ୍ତି ସମ୍ମାନ,ଶ୍ରଦ୍ଧା ସୁମନ।'ମା' ରେ ମା ଟିଏର ପରିଚୟ ଖୁବ୍ ଦୋହଲାଇ ଦେଇଥିଲା ମୋତେ।ସତରେ ସେଇ ଅବୁଝା ବୟସରେ ମୁଁ ପଡିଯାଇଥିଲି ମା ପ୍ରେମରେ।ମା ବହି ପଡିଲା ବେଳେ ମୋ ଲୋମ ମୂଳ ଟାଙ୍କୁରି ଉଠେ।ମୋତେ ଲାଗେ ଏ ବିଶ୍ୱ ଟା ଗର୍କିଙ୍କ 'ମା' ମୟ ହୋଇ ଯାଆନ୍ତା କି.......


Rate this content
Log in

Similar oriya story from Inspirational