ମା
ମା
ଜଣେ ଜଣା କିନ୍ତୁ ଅଚିହ୍ନା ମଣିଷ ମୋତେ ଫୋନ୍ ରେ ଠିକଣା ଦେଇ ତାଙ୍କ ଘରକୁ ଡକାଇଥିଲେ । ଫେସବୁକ୍ ରୁ ଜାଣିଛି । ଫୋନ୍ ରେ କଥା ବି ହୁଏ । ପୁସ୍ତକ ମେଳାରୁ ମୋ ଲିଖିତ ବହିଟିଏ ନେଇ ସେ ପଢିଲା ପରେ ଆମ ଦୁହିଁଙ୍କ ଭିତରେ ଟିକେ ଆତ୍ମୀୟତା ହୋଇ ଯାଇଥିଲା । ଦେଖି ନଥିଲି ତାଙ୍କୁ ।
ମୁଁ ତାଙ୍କୁ ଦେଖି ନଥିବାରୁ ତାଙ୍କ ବୟସ କି ଜୀବନ ବିଷୟରେ କିଛି ଜାଣି ନଥିଲି । ଯେବେ ଫୋନ୍ କରନ୍ତି କେବଳ ଲେଖା ଉପରେ କଥା ହେଉ ।
ତାଙ୍କ ସହରରେ ମୋର କାମ ଥିଲା । ଯୋଗକୁ ସେ ଫୋନ୍ କଲେ ଏବଂ ତାଙ୍କ ଘର ପାଖ ଅଫିସ ରେ ମୋର କାମଟି ଅଛି ଜାଣିବାକୁ ପାଇଲି । ସେ ମୋତେ ଅନୁରୋଧ କଲେ ତାଙ୍କୁ ନିଶ୍ଚିନ୍ତ ଦେଖା କରିବା ପାଇଁ ।
ବହୁତ ଭାବିକି ଯିବି କି ନାହିଁ । ଅଚିହ୍ନା ଦେଖି ନଥିବା ଭଦ୍ର ମହିଳା ଜଣଙ୍କ ପାଖକୁ ଯିବାରେ ପୁରୁଷ ମାନଙ୍କ ଅନେକ ବାରଣ । ବେଳେବେଳେ ଅପ୍ରୀତିକର ପରିସ୍ଥିତି ଉପୁଜେ ମଧ୍ୟ । ଏଣୁ ଯିବା ନ ଯିବା ଦ୍ଵନ୍ଦ ଭିତରେ ସେ ପୁଣି ଫୋନ୍ କଲେ । ଅନୁ ନୟ ହେଲେ ଯେମିତି ହେଲେ ଦେଖା କରିବାକୁ ।
ନିଜ ଅପେକ୍ଷା ଅଧିକ ଟିକେ ସମାଜକୁ ଡରିଲି । ଯିବାଟା ଠିକ୍ ହେବ କି ହୃଦୟକୁ ପଚାରିଲି । ଯେତେବେଳେ ମୁଁ ଦ୍ଵନ୍ଦ୍ୱ ରେ ପଡେ ମୋ ହୃଦୟକୁ ପଚାରେ ସେ ଯାହା ନିର୍ଦ୍ଦେଶ ଦିଏ ସେଇ ଅନୁସାରେ କାମ କରେ ।
ଲେଖିକଟିଏ ତା ଲେଖା କି ବହିର ମୁଗ୍ଧ ପାଠକଟିଏ ପାଇଲେ ଖୁବ୍ ଖୁସି ହୁଏ । ଏଇ ଲୋଭ ମୋ ଭିତରେ ବି ଥିଲା ।
ତୃତୀୟ ଥର ପାଇ ସେ ଠିକଣା ,ରାସ୍ତା ସହ ପୁଣି ଫୋନ୍ କଲେ । ମୋ ହୃଦୟ ବି କହିଲା ଯିବା ଉଚିତ । ଏଣୁ ଗଲି ।
ବୟସ ଦେଖି ଦେଇ ମୋ ଭିତର ଭୟ ଦୂର୍ ହୋଇଗଲା । ବୟସ ହିଁ ବିପରୀତ ଲିଙ୍ଗ କ୍ଷେତ୍ରରେ ଗୁଡିଏ ପ୍ରଶ୍ନବାଚୀ ଚିହ୍ନ ଦେଇ ଥାଏ । କିଏ ,କଣ, କାହିଁକି ଯେତେ ସବୁ ହୁ ୱାର୍ଡର ବାକ୍ୟ ଫିଙ୍ଗାଯାଏ ଉପରକୁ ।
ମୋତେ ଦେଖି ସେ ତରର ବର ହୋଇ ଚା କରିବାକୁ ବାହାରି ପଡିଲେ ।
ପାଖା ପାଖି ଷାଠିଏ ବର୍ଷ ହେବ ବୋଧେ । ସେ ମୋତେ ଚା କରି ଆଣି ଦେବେ;ଆଉ ମୁଁ ପିଇବି!କେମିତି ଗୋଟେ କୁଣ୍ଠିତ ଭାବ ମୋଡ଼ି ମାଡି ହେଲା ମୋ ଭିତରେ ।
ମୁଁ କହିଲି ଥାଉ ମୁଁ କରି ଆଣୁଛି ।
ତୁମକୁ ଆସେ!!
ହଁ ମୁଁ ମୋ ବାପା ମାଙ୍କ ପାଇଁ ଚା କରେ । ମା ମୋତେ କିଛି ଆବଶ୍ୟକ କାମ ଶିଖାଇ ଦେଇଛି ଯେମିତି ବାହାରେ ରହିଲେ ନିଜେ କରି ପାରିବି ।
ବାଃ ସୁନ୍ଦର ଚିନ୍ତା ଧାରା । କିନ୍ତୁ ମୋ ହାତର ଚା ପିଇବାକୁ ପଡିବ । ମୋତେ ଖୁବ୍ ଭଲ ଚା କରି ଆସେ । ଥରେ ଖାଇଲେ କେବେ ଏ ବାଟେ ଯାଉଥିଲେ ଏଇ ଚା ଲୋଭ ତୁମକୁ ମୋ ଯାଏ ହୁଏତ ଟାଣି ଆଣିବ ।
କଥା ଓ ଚା ସତରେ ବିସ୍ମୟ ଅଦ୍ଭୁତ ସ୍ୱାଦ ଥିଲା । ବ୍ୟବହାର ରେ ଆତ୍ମୀୟତା ।
କଥା ଭିତରେ ସେ କହିଲେ କି ତୁମ ବହିଟା ଦୁଇ ଥର ପଢିଲିଣି । ଖୁବ ଭଲ ଲାଗୁଛି । ଲଫାପା ଟିଏ ମଗେଇଥିଲି;ତୁମ ପାଇଁ ଦି ଧାଡି ଲେଖିବା ପାଇଁ । କଣ କରିବି ହାର୍ଟ ପେସେଣ୍ଟ ମଣିଷ ମୁଁ । ମନ ଥିଲେ ବି ହୃଦୟଟି ସବୁ କଥା କରିବାକୁ ଅନୁମତି ଦେଉ ନାହିଁ । ପ୍ରବଳ ଇଚ୍ଛା ଲେଖିବାକୁ ହେଲେ ନା ଏ ବଦମାସ ହୃଦୟ ନା ଏ ବେଇମାନୀ ଆଖି ଲେଖିବାକୁ ଦେଉଛନ୍ତି । ତୁମେ ଆସିଲ ଭଲ ହେଲା ମୋ ହୃଦୟର କୃତଜ୍ଞତା ଜଣାଇଁବାର ଥିଲା ତୁମକୁ ।
ମହିଳା ଜଣଙ୍କ ମୋତେ କୃତଜ୍ଞତାରେ ପୋତି ପକାଉଥିଲା ବେଳେ ମୁଁ କିନ୍ତୁ ଖୋଜୁଥିଲି ଅନ୍ୟ କିଛି । ବାହାରେ ଖୁସିର ସମୁଦ୍ର ଜୁଆର; ଭିତରେ ଶୁଖିଲା ଠକ ଠକ ତାଙ୍କ ହୃଦ ନଈ । ମୁଁ ପଶିଗଲି ତାଙ୍କ ଭିତରେ । ଧେତ୍ ଏଇ ବାଜେ ଅଭ୍ୟାସଟି ମୋର ଆଦୌ ଗଲାଣି । ଆପଣ ଭାବୁଥିବେ ମୁଁ ଆପଣଙ୍କ ସହ କଥା ହେଉଛି;ଆପଣଙ୍କ ଆଗରେ ମୋ ସ୍ଥୁଳ ଶରୀରଟି ହୁଁ ହାଁ କହୁଥିବ;ତେଣେ କିନ୍ତୁ ମୋ ସୁକ୍ଷ୍ମ ଶରୀର ପଶି ଖୋଜୁଥିବ କିଛି । ଯଦି ଆନନ୍ଦ,ଖୁସି ଫୁଲ ସେ ହୃଦୟ ତଳେ ପାଇଯିବ ତେବେ ମୋତେ ଖୁସି ଲାଗେ । ନଚେତ୍ ଯଦି ଅଭିମାନ ଭରା ଭାରି ହୃଦୟଟିଏ ଦେଖେ ଅନେକ କଷ୍ଟ ହୁଏ ।
ଏ ବୟସ୍କା ବିଧବା ମହିଳା ଜଣଙ୍କ କଥା ବର୍ତ୍ତାରୁ ଯାହା ଅନୁମାନ ଲଗାଇଲି ଯେ ସେ ବଞ୍ଚିଛନ୍ତି କିନ୍ତୁ ଜୀଇଁ ନାହାନ୍ତି ଜାଣିବାକୁ ପାଇଲି । ନ ଜୀଇଁ ବଞ୍ଚିବା ବହୁତ ପୀଡା ଦାୟକ ।
ହଁ କିଛି ଲୋକ ଆମ ଭିତରେ ଅଛନ୍ତି ଯେଉଁମାନେ ବଞ୍ଚି ଛନ୍ତି କିନ୍ତୁ ଜୀଇଁବା ଭୁଲି ଯାଇଛନ୍ତି ।
ମୁଁ ତାଙ୍କୁ ମା ସମ୍ବୋଧନ କଲି ।
ମା !!
ମୁଁ ପୁଣି ମା ! ମୁଁ କଣ ସତରେ ମା ହୋଇ ପାଇବି!
ଡାକିଲ ଡାକିଲ ଆଉ ଥରେ ମୁଁ ଟିକେ ଅନୁଭବ କରେ ଏ ଡାକଟି କେତେ ମଧୁର ।
ମା ..
ସେ ମୋତେ କୁଣ୍ଢେଇ ପକେଇ ନିଜେ ଓଦା ହେବା ସହ ମୋତେ ଓଦା କରିଦେଲେ ।
ଆପଣ କଣ କେବେ ମା ଡାକ ଶୁଣି ନାହାନ୍ତି !
ଶୁଣିଛି, କିନ୍ତୁ ତୁମ ପରି ଆବେଗଭର୍ତ୍ତି ନିଜ ପିଲା ଠାରୁ ମା ପରି ମିଠା ଡାକ ଶୁଣିନି କେବେ । ଇଛାଟିଏ ହୁଏ କେହି ମୋ ନିଜର ପୁଅ କି ଝିଅଟିଏ ଥାଅନ୍ତେ କି ମୋତେ ମା ଡାକିଥାନ୍ତେ ।
ଆପଣଙ୍କର କେହି ପିଲା ପିଲି ନାହାନ୍ତି କି !
ନା ରେ ପୁଅ ପିଲା କେଉଁଠୁ ଆସିବେ ! ମୁଁ କଣ ମା ହୋଇ ପାରିଥାନ୍ତି !
କାହିଁକି ନୁହେଁ !
ପୋଷ୍ୟ ସନ୍ତାନ କରିବାକୁ ମୋର ସମ୍ବଳ ନାହିଁ କି ନିଜେ ଜନ୍ମ କରି ପାରିଲି ନାହିଁ ।
କାରଣ ପିଲାଦିନେ ଵଳତ୍କାର ହୋଇ ମୋର ପରା ୟୁଟ୍ରସ୍ କାଟି ଫିଙ୍ଗି ଦିଆ ଯାଇଛି !
ମୁଁ ମେଘ ଭର୍ତ୍ତୀ ସେଇ ବୟସ୍କା ମହିଳାଙ୍କ ମୁହଁକୁ ଆବା କା ବା ହୋଇ ଅନେଇଁ ଥିଲି ।
