Padmalaya Padhy

Tragedy

4  

Padmalaya Padhy

Tragedy

ମା ପାଇଁ ଚିଠିଟିଏ

ମା ପାଇଁ ଚିଠିଟିଏ

8 mins
357



--ହଁ ମା ! ମୁଁ ହେଇ ଗଲି ଆଉ ଆସିଲି ଦେଖୁଥାଅ l ଏବେ ବି ଶାନ୍ତିର କଥା କେଇ ପଦ ସୁରଭିଙ୍କ କାନରେ ପ୍ରତିଧ୍ୱନିତ ହେଉଛି l ଅଶାନ୍ତିର ବଳୟ ଭିତରେ ଶାନ୍ତି ହିଁ ଶାନ୍ତିର ଦୀପ ଶିଖାଟିଏ ପ୍ରଜ୍ବଳିତ କରି ସୁରଭିଙ୍କର ଜୀବନ ସ୍ରୋତଟିକୁ ଆଗେଇ ନେଉଥିଲା l ନହେଲେ ଅମ୍ଲାନଙ୍କ ଅକାଳ ବିୟୋଗ ପରେ ପରେ ଧରାଶାୟୀ ସୁରଭିଙ୍କୁ ଏଇ ଶାନ୍ତି ହିଁ ସମ୍ଭାଳି ଥିଲା ନା l ପିଲାମାନେ ତ ଯେଝା ବାଟରେ l


ଚବିଶ ଘଣ୍ଟିଆ ଦିନଟି କେମିତି ଆସି କେମିତି ଯାଏ ତାହା ଏଇ ସୁରଭିଙ୍କ ଠାରୁ ଅଧିକା କିଏ ଜାଣିଛି l ଶାନ୍ତି ନଥିଲେ ଘରଟି ମାଡି ପଡିଥାନ୍ତା ଏବଂ ବଞ୍ଚିବା ଦୁର୍ବିସହ ହୋଇ ଯାଇଥାନ୍ତା l ତେଣୁ ଶାନ୍ତି ତାଙ୍କ ପାଇଁ ଗୋଟିଏ ସାଧାରଣ କାମବାଲୀ ନଥିଲା ବରଂ ସୁରଭିଙ୍କର ସବୁ କିଛି ଥିଲା ଶାନ୍ତି l ଘର ପଛପଟ ଆଉଟ ହାଉସରେ ଏକୁଟିଆ ରହେ ସେ ମାତ୍ର ସୁରଭିଙ୍କ ଘରେ ଚବିଶରୁ ତେଇଶି ଘଣ୍ଟା ବିତାଏ l


--ଶାନ୍ତି ଲୋ ମୁଣ୍ଡଟା କାହିଁକି ବିନ୍ଧିଲାଣି l ଶାନ୍ତି ଉଭେଇ ଯାଏ ହଠାତ l ପର ମୁହୂର୍ତ୍ତରେ ଅଦା ପକା ଚା ନେଇ ସୁରଭିଙ୍କ ପାଖରେ ହାଜର ହୁଏ l


--ଶାନ୍ତି ଆଜି କାହିଁକି ଖାଇବାକୁ ଭଲ ଲାଗୁନି l ପେଟ ଗୋଳମାଳ ଅଛି ଟିକେ l ଖାଇବି ନାହିଁ କିଛି l ସାଙ୍ଗେ ସାଙ୍ଗେ ଶାନ୍ତି ଅଦୃଶ୍ୟ l ଠିକ କେତେ ମିନିଟ ପରେ ସ୍ୱାଦିଷ୍ଟ ଖେଚିଡ଼ି ରାନ୍ଧି ପ୍ଲେଟରେ ସଜେଇ ହାଜର ହୋଇଯିବ l


ସୁରଭିଙ୍କୁ ଲାଗେ ସତେ ଯେପରି ପୃଥିବୀର ସବୁ ସମସ୍ୟାର ସମାଧାନ ଶାନ୍ତି ପାଖରେ ଅଛି l ସେ କାମବାଲୀ କମ ଓ ସାହାରା ଅଧିକ ଲାଗେ l ତାର ମଧ୍ୟ ସୁରଭିଙ୍କ ଛଡା ଆଉ କେହି ନାହିଁ l


ଯେତେବେଳେ ସୁରଭିଙ୍କ ବଡ଼ ପୁଅ ଅନ୍ୟ ଜାତିରେ ବିବାହ କରିଥିଲା ବହୁତ କାନ୍ଦିଥିଲେ ସେ l ସାନ ପୁଅଟି ମଧ୍ୟ ଯେତେବେଳେ ଅଷ୍ଟ୍ରେଲିଆର ନାଗରିକତ୍ତ୍ୱ ଗ୍ରହଣ କରି ଥିବା କଥା ଜଣାଇଥିଲା ସୁରଭିଙ୍କୁ ମରିଯିବାକୁ ମନ ହେଇଥିଲା ସେତେବେଳେ l ଶାନ୍ତି ହିଁ ତ ଥିଲା ଯେ କି ସଂସାରର ନିୟମ ଗୁଡିକୁ ଅତି ସୁକ୍ଷ୍ମ ଭାବରେ ବୁଝାଇ ଦେଇଥିଲା ସୁରଭିଙ୍କୁ l


--ମା ଗୋ ତୁମେ କାନ୍ଦିଲେ କି ଏ ଦୁନିଆ ଛାଡି ଚାଲି ଗଲେ ଦୁନିଆର ନିୟମ କାନୁନ ବଦଳି ଯିବ କି ? ଲୋକ କେତେ କଷ୍ଟ ପାଇ ସୁଦ୍ଧା ଜିଇଁବାକୁ ସଂଗ୍ରାମ କରୁଛନ୍ତି l ଶେଷ ନିଶ୍ୱାସ କେତୋଟି ବାକି ଥିବା ସେଇ ରୋଗୀଟିକୁ ପଚାର ଜୀବନ କେତେ ମୂଲ୍ୟବାନ ସେ କହିବ l ଆଉ ତୁମେ ଏଇ ଛୋଟିଆ କଥାରେ ଜୀବନ ଛାଡି ଚାଲିଯିବାକୁ ବାହାରିଛ ?


ବେଳେ ବେଳେ ସୁରଭି କହନ୍ତି ଶାନ୍ତି ଆଜି ତୁ ମୋ ରୁମରେ ଶୋଇଯା ଏସି ଲାଗିଛି ଖରାରେ କାହିଁକି ଆଉ ଘରକୁ ଯିବୁ l ହେଲେ ଶାନ୍ତି କେବେ ବି ରାଜି ହେବନି l ନାହିଁ ମା ତୁମେ ଜାଣିନ ଆମେ ଆମ ସୀମା ଭିତରେ ରହିଲେ ଭଲ l ନା ତୁମେ ତଳକୁ ଖସିବ ନା ଆମେ ଉପରକୁ ଯିବାକୁ ଚେଷ୍ଟା କରିବୁ l ତେବେ ଯାଇ ତାଳମେଳ ରହିବ ନା l ଶାନ୍ତିର ସବୁ କଥାରେ ଭାଗମାପ ଠିକ ଯେମିତି ତାର ରୋଷେଇ l


--ଶାନ୍ତି ମୁଁ ମରିଗଲେ ମୋ ପିଲାଙ୍କୁ କହିଦେବୁ ଖର୍ଚ୍ଚାନ୍ତ ହୋଇ କେହି ଆସିବା ଦରକାର ନାହିଁ l ବଞ୍ଚିଥିଲା ବେଳେ ତ ଦେଖା ହେଉନି ମଲା ପରେ କଣଟା କରି ପକାଇବେ l ଯେ ଯାହା ଘରେ ଶୁଦ୍ଧି ହୋଇ ଯାଆନ୍ତୁ l 


--ନା ମ ଏତେ କାମ କିଏ କରିବାକୁ ଯିବ ? ତୁମର ପିଲା ଛୁଆ ଏତେ ଜଣ ବନ୍ଧୁ ବାନ୍ଧବଙ୍କୁ ଖବର ଦେଇ ହେବ ନାହିଁ l ତେଣୁ ପ୍ରଥମେ ମୁଁ ଚାଲିଯିବି l ତୁମକୁ କିଛି କଷ୍ଟ କରିବାକୁ ହେବ ନାହିଁ କାରଣ ମୋର କେହି ବୋଲି କେହି ନାହିଁ l ନିର୍ଜୀବ ଶରୀରଟିକୁ ଫୋଫାଡ଼ି ଦେଲେ କାମ ସଇଲା l କହୁ କହୁ କୋହ ଉଠି ଆସେ ଶାନ୍ତିର l


ଶାନ୍ତି ଏ ଦୁନିଆ ଛାଡି ଚାଲିଯିବା କଥା ଶୁଣିଲେ ସୁରଭିଙ୍କ ହୃତପିଣ୍ଡଟି ସତେ ଅବା ବନ୍ଦ ହୋଇଯାଏ l ଶାନ୍ତି ବିନା ସୁରଭି ଅସମ୍ପୂର୍ଣ୍ଣ ଓ ଅସମାପ୍ତ l ପିଲାଙ୍କୁ ଛାଡି ସିନା ରହି ଯାଉଛନ୍ତି l ଅମ୍ଲାନଙ୍କ ବିୟୋଗ ବି ସହିଗଲେ ହେଲେ ଶାନ୍ତିକୁ ଛାଡି ପାରିବେନି l 


ସେଦିନ ଶାନ୍ତିର ଦେଖା ନଥିଲା l ଦିନ ଦଶଟା ବାଜିଲାଣି ସୁରଭି ନିଜେ ବ୍ରେକଫାଷ୍ଟ ତିଆରି କରି ଶାନ୍ତି ପାଖକୁ ଯାଇ ଦେଖନ୍ତି ତ ସେ ପେଟକୁ ଧରି ମୁହଁ ମାଡି ଶୋଇଛି l ଗତ କିଛି ଦିନ ହେଲା ଶାନ୍ତିର ପେଟରେ ଯନ୍ତ୍ରଣା ଦେଖା ଦେଇଥିଲା l ଠିକ ଖାଇବା ପରେ ପେଟ କାଟୁଛି ଯେ କାଟୁଛି କେତେ ସମୟ ଗଲେ ସିଏ ତାର ମନକୁ ଭଲ ହେଉଛି l ଯେତେ ପୋଦିନହରା ଆଣ୍ଟାସିଡ ଦେଲେବି କିଛି ଫଳପ୍ରଦ ହେଉ ନାହିଁ l ପେଟ କାଟିବାକୁ ଡରି ଡରିକି ଶାନ୍ତି ଖାଇବା ମଧ୍ୟ କମାଇ ଦେଲାଣି l ଶାନ୍ତି କରୁଥିବା ଅଧେ କାମ ସୁରଭି କରି ଦେଉଛନ୍ତି l ଶାନ୍ତିର ସେଦିନର ଯନ୍ତ୍ରଣା ଦେଖି ଆଉ କାଳ ବିଳମ୍ବ ନକରି ସୁରଭି ଶାନ୍ତିକୁ ନେଇ ହସ୍ପିଟାଲ ବାହାରିଗଲେ l


ପରୀକ୍ଷା ନିରୀକ୍ଷା କରାଗଲା l ଶାନ୍ତି ସୁରଭିଙ୍କ ପାଖରେ ବସି କହିଲା


--ମା ହେ ମୋ ଲାଗି ତୁମେ କେତେ ହଇରାଣ ହେଉଛ l ରୁହ ମୁଁ ଭଲ ହେଇଗଲେ ତୁମକୁ ଗୋଟିଏ ବଢିଆ ତରକାରୀ କରି ଖୁଆଇବି ଯେ ପାଟିରୁ ଛାଡିବନି l


ହେଲେ ଡକ୍ଟର ସୁରଭିଙ୍କୁ ଡାକି ଚେମ୍ବର ଭିତରେ ଯାହା କହିଲେ ସୁରଭିଙ୍କ ପାଦ ତଳୁ ସତେ ଯେପରି ମାଟି ଖସିଗଲା l ପାତାଳରେ ପଶିଗଲେ ସୁରଭି l ଶାନ୍ତିକୁ କ୍ୟାନ୍ସର l ଲାଷ୍ଟ ଷ୍ଟେଜ l ଆଉ ମାତ୍ର ଅତି ବେଶୀରେ ମାସେ କି ଦେଢ଼ ମାସ l ଏ ବିଷୟରେ ଶାନ୍ତି ନଜାଣିବା ଦରକାର l ବାକି ହାତଗଣତି କେତୋଟି ଦିନ ସେ ସୁଖରେ ବଞ୍ଚିରହୁ l ଅଧା ଘଣ୍ଟାଏ ପରେ ନିଜକୁ ସମ୍ଭାଳି ବାହାରକୁ ଆସିଲେ ସୁରଭି l ଶାନ୍ତି ବସିଥାଏ ବାହାରେ l


--ମୁଁ କହୁଥିଲି ନା ଗ୍ୟାଷ୍ଟ୍ରିକ ବୋଲି l ସେଇଟା ତ ମୋର ଜନ୍ମଗତ ରୋଗ l ତୁମେ ଖାଲିଟାରେ ବ୍ୟସ୍ତ ହେଇ ନିଜ ଦେହ ଖରାପ କରିବ କହି କହି ଦୌଡ଼ି ଆସିଥିଲା ଶାନ୍ତି l


ସୁରଭି ସମ୍ଭାଳି ପାରୁ ନଥିଲେ ନିଜକୁ l ହେଲେ କାନ୍ଦି ବି ପାରୁ ନାହାନ୍ତି l ଶାନ୍ତି ସତରେ ଚାଲି ଯିବ ? ହେଇ ପରା ସାମ୍ନାରେ ବସିଛି ଏବେ l ଶାନ୍ତି ବିନା କଣ ଜୀବନ ସମ୍ଭବ ? ଘର ଦ୍ୱାର ଜିନିଷ ପତ୍ର ସବୁଥିରେ ଶାନ୍ତି ହାତର ସ୍ପର୍ଶ l ଶାନ୍ତି ବିନା ସେ କଣ କରିବେ କେମିତି ରହିବେ ? ଶାନ୍ତି ଥିଲା ପର୍ଯ୍ୟନ୍ତ ସେ ରହିବେ ତା ପରେ ସେ ବି ଏ ସଂସାର ଛାଡି ଚାଲିଯିବେ l 


ହସ୍ପିଟାଲରୁ ଘରକୁ ଆସିବା ପରେ ଦିନକୁ ଦିନ ଶାନ୍ତିର ଚଳପ୍ରଚଳ କମିବାରେ ଲାଗିଥିଲା l ଘର କାମ ପାଇଁ ସୁରଭି ଆଉ ଗୋଟିଏ ଝିଅକୁ ରଖିଥିଲେ l ଶାନ୍ତିକୁ ଆଉଟ ହାଉସରୁ ନିଜ ଘରକୁ ନେଇ ଆସିଥିଲେ l ତେଇଶି ବର୍ଷର ଶାନ୍ତି ଅଶି ବର୍ଷର ବୁଢ଼ୀ ପରି ଦିଶୁଥିଲା l


--ମା ମ ! ତୁମ ପାଇଁ ମୁଁ କିଛି ବି ରୋଷେଇବାସ କରି ପାରୁନି l କେତେ ଦିନ ହେଲାଣି ତୁମେ ମୋ ହାତରୁ ଖାଇନ l ଏ ନିଆଁ ଲଗା ଗ୍ୟାଷ୍ଟ୍ରିକଟା ଭଲ ହେଇ ଯାଉ ତା ପରେ ଦେଖିବ ଏ ନୂଆ ଝିଅର ଛୁଟି l ବେଡ଼ରୁମରେ କବାଟ କିଳି କାନ୍ଦିବା ଛଡା ସୁରଭିଙ୍କ ପାଖରେ ଆଉ କୌଣସି ଉପାୟ ନଥିଲା l


ସତେ ଯେମିତି ମୁକ ବଧିର ସାଜି ସେ ବସିଛନ୍ତି l ସେ ଆଉ ଭଲ ହେବ ନା ସୁରଭିଙ୍କୁ….l ଭଗବାନଙ୍କୁ ବି ସୁରଭି ଡାକୁ ନାହାନ୍ତି l ଭଗବାନ ତ ଶେଷ କଥା କହିଦେଲେ ଆଉ କିଛି ହେବାର ନାହିଁ l ଧୀରେ ଧୀରେ ପେଟ କାଟିବା ଓଷଦ ବି ଆଉ କାମ ଦେଉ ନାହିଁ l ଦିନକୁ ଦିନ କଷ୍ଟ ବଢ଼ିବାରେ ଲାଗିଛି l ଯିବାର କେତେ ଘଣ୍ଟା ପୂର୍ବରୁ କହିଥିଲା l


--ମା ହେ ଗୋଟେ କଥା କହିବି ନା l


--ହଁ ଲୋ କହ l ଗୋଟେ କାହିଁକି ଯେତେ କହିବୁ କହ l


--ନାହିଁ ଯେ କେମିତି କହିବି ଜାଣି ପାରୁନି l ମୋତେ ଆଜି କଖାରୁ ଫୁଲ ଭଜା ଟିକେ ଖାଇବାକୁ ମନ ହେଉଥିଲା l ମୁଁ ତ କରି ପାରୁନି l ଆଜି ତୁମ ହାତ ରନ୍ଧା ଟିକିଏ ପାଟିରେ ବାଜିଥିଲେ ଭଲ ହୋଇଥାନ୍ତା l ଖାଇଲେ ବି ଯଦି ଅସୁବିଧା ହୁଏ l ଗ୍ୟାଷ୍ଟ୍ରିକ ବଢ଼ି ଗଲେ ତୁମେ ପୁଣି ରାଗିବ ମୋ ଉପରେ l ନହେଲେ ନାହିଁ ତେବେ ଥାଉ l


--ତୋର ଆଉ କିଛି ବି ବଢ଼ିବନି ଲୋ ଶାନ୍ତି l ଆଜି ଖରାବେଳେ ମୁଁ ତୋ ପାଇଁ କରିଦେବି l ପିଠଉ ଦେଇ କଖାରୁ ଫୁଲ ଭାଜି ଶାନ୍ତିକୁ ଦିଟା ପିସ ଦେଇଥିଲେ ସୁରଭି l ଶାନ୍ତି ଅମୁଲ୍ୟ ରତ୍ନ ପରି ଭଜା ଖଣ୍ଡ ଗୁଡିକୁକୁ ଏପଟ ସେପଟ କରି ଓଲଟାଇ ଦେଖୁଥାଏ l


ମାତ୍ର ଗୋଟିଏ ଖାଇଛି ପେଟ କାଟିବା ପୁଣି ଆରମ୍ଭ ହୋଇଗଲା l ହସ୍ପିଟାଲ ନେବା ଯାଏଁ ଆଉ ରହି ପାରିଲା ନାହିଁ l ସୁରଭିଙ୍କୁ ସବୁଦିନ ପାଇଁ ଏକା ଛାଡି ଚାଲି ଯାଇଥିଲା ଶାନ୍ତି l ପ୍ଲେଟରେ ଆଉ ଖଣ୍ଡେ ଭଜା ସେମିତି ରହିଛି l ପେନ କମିଲେ ଖାଇଥାନ୍ତା ବୋଲି ଘୋଡାଇ ରଖିଥିଲା ଯେ ଆଉ ଭୋଗ ହେଲାନି l ଜଣେ ମଣିଷ ଯେ କି ସୁରଭିଙ୍କୁ ହସାଇ ହସାଇ ସବୁଦିନ ଲାଗି କାନ୍ଦିବା ପାଇଁ ଛାଡି ଚାଲିଗଲା l 


ସୁରଭି ନିଜ ଜୀବନରେ ଶାନ୍ତିର ଅନୁପସ୍ଥିତିକୁ ତେବେ ବି ବିଶ୍ୱାସ କରି ପାରୁ ନଥିଲେ l ଏମିତି ତ ଏ ଜୀବନକୁ ଲୋଭ ନାହିଁ l ଅଛି କିଏ ଯେ କାହା ପାଇଁ ଜିଇଁବେ l ସେ ବି ଏଇ ଦୁନିଆ ଛାଡି ଚାଲି ଯିବେ l ଦରକାର ନାହିଁ ଏମିତି ଜୀବନ l ହେଲେ ମରିବାକୁ ଯାଉ ଯାଉ ନମରି ଦରମରା ହୋଇ ଯଦି ରହିଗଲେ ତେବେ ତ ଆହୁରି ହିନସ୍ଥା l କିଛି ଗୋଟେ ସହଜ ମୃତ୍ୟୁ ବିଷୟରେ ଚିନ୍ତା କରୁଥିଲେ ସୁରଭି l ବହୁତ ହେଲାଣି ଆଉ ସମ୍ଭାଳି ହେଉନାହିଁ l


ଏମିତି ଭାବୁ ଭାବୁ କେତେବେଳେ ନା ଆଉଟ ହାଉସ ଆଡେ ଚାଲି ଯାଇଥିଲେ ସେ l ଖଟ ଉପରେ ଶେଜ ତକିଆ ଦୁଇଟି ପଡିଛି l କୋଣକୁ ଦୁଇଟି ପାଣି ବୋତଲ ସାଇଡରେ ଷ୍ଟିଲ ପ୍ଲେଟ ଗୋଟିଏ ଓ ତଳେ ଗୋଟିଏ ଭଙ୍ଗା ଟ୍ରଙ୍କ l ଏତିକି ମାତ୍ର ସମ୍ପତ୍ତିର ମାଲିକାଣି ଥିଲା ଶାନ୍ତି l ଟ୍ରଙ୍କ ଖୋଲି ଦେଖୁଥିଲେ ସୁରଭି l ଭଙ୍ଗା ଦର୍ପଣଟିଏ ଗୋଟେ ଗିନା ଓଢଣୀ ଦୁଇ ତିନୋଟି ଛଡା ଆଉ କିଛି ନାହିଁ l ଚାରି ଆଡେ ଆଖି ବୁଲାଉ ଥିଲେ ସୁରଭି l କାଲି ପରି ଲାଗୁଛି ଶାନ୍ତି ଯେମିତି ଚଳ ପ୍ରଚଳ ହେଉଛି ଏଠି l ହଠାତ ପାଣି ବୋତଲ ତଳେ କାଗଜ ଖଣ୍ଡିଏ ଚାରି ଭାଙ୍ଗ ହୋଇ ରଖା ହୋଇଛି l କଣ ସବୁ ଲେଖା ହେଲା ଭଳି ଲାଗୁଛି l ଉପରେ ଠିକଣା ନାହିଁ ଖାଲି ଲେଖା ହୋଇଛି "ମୋ ମା

କୁ " l ଖୋଲି ଦେଖିଲେ l


--ମା !

କାନ୍ଦୁଛ କି ତୁମକୁ ଛାଡି ଚାଲି ଗଲି ବୋଲି ? ତୁମେ ତ ମୋର ନିଜ ମା ଠୁ ବି ବଳି l ତୁମକୁ କି ମୁଁ ଛାଡି ପାରିବି l କେତେ ଡାକିଲି ଭଗବାନଙ୍କୁ ମୋତେ ନିଅ ନାହିଁ ପ୍ରଭୁ l ମୋ ମା ଏକୁଟିଆ ହୋଇଯିବ l ହେଲେ ସେ ଶୁଣିଲେ ନାହିଁ l ମୋତେ ସବୁଠାରୁ ଦୁରାରୋଗ୍ୟ ବ୍ୟାଧିରେ ମାରିଦେଲେ l ହଁ ! ମୁଁ ଜାଣିଛି ମୋତେ କଣ ହୋଇଥିଲା l ବହୁତ ଆଗରୁ ଜାଣି ସାରିଛି l ମୋର ପେଟ କାଟିବା ବେମାରୀ ଏବେକାର ନୁହେଁ l ବର୍ଷେ ଉପରେ ହେଲାଣି l ସେଦିନ ତୁମେ ଆପାର୍ଟମେଣ୍ଟର ସମସ୍ତଙ୍କ ସହ ପିକନିକରେ ଚାଲି ଯାଇଥିଲ ମୁଁ ବି ସେଦିନ ବାହାରି ଯାଇଥିଲି ଶ୍ରୀ ଜଗନ୍ନାଥ ସେବା କେନ୍ଦ୍ରକୁ ଚେକ ଅପ ପାଇଁ l ସେଠାରେ ମୋ ଭଳିଆ ଲୋକଙ୍କର ମାଗଣାରେ ସଵୁ ଟେଷ୍ଟ କରାଯାଏ l ସେଇଠି ହିଁ ଜାଣିଲି ମୋତେ କଣ ହୋଇଛି ଓ ମୋର ଆଉ କେତେ ଦିନ ବାକି ଅଛି l ହେଲେ ତୁମକୁ ଏସବୁ କହି କନ୍ଦାଇବାକୁ ଚାହିଁ ନଥିଲି l ନିଜେ ରାତି ରାତି ବସି କାନ୍ଦିଛି l ବଞ୍ଚିବାର ମୋହ କଣ ମୋତେ ପଚାର ମା l ମୁଁ କହିବି l ବହୁତ ଇଚ୍ଛା ହେଉଛି ଜିଇଁବା ପାଇଁ l ହେଲେ ମୋର ଦାନାପାଣି ଏଇଠି ଏତିକି l ମରିବାକୁ ଇଛା ନାହିଁ ହେଲେ ବି ଯିବାକୁ ପଡିବ ଗୋ ମା !


 ତୁମେ ପିନ୍ଧ ନାହିଁ ବୋଲି ଜାଣିଛି ହେଲେ ବି ଇଚ୍ଛା ହେଲା ତ ରୁପାର ପାଉଁଜି ହଳେ କିଣି ରଖିଛି ତୁମ ପାଇଁ l ତୁମକୁ ଭଲ ମାନିବ l ଟ୍ରଙ୍କର କଡ଼କୁ ଥୁଆ ହୋଇଛି ଥରେ ପିନ୍ଧି ନେବ ପରେ ବାହାର କରିଦିଅ ପଛକେ l ଆତ୍ମହତ୍ୟା କଥା ସ୍ୱପ୍ନରେ ବି ଭାବିବନି l ମୋର ନିଶ୍ୱାସ ଗୁଡିକ ସରି ସରି ଗଲାବେଳେ ମୋତେ କଣ ଲାଗୁଛି ମୁଁ ଜାଣେ l ମୋର କେହି ନଥିଲେ ବି ମୁଁ ବଞ୍ଚିବାକୁ ଚାହୁଁଥିଲି l ସତ କହୁଛି ଏବେ ବି ମୋର ମରିବାକୁ ଇଛା ନାହିଁ l ପେଟ ତା ବାଟରେ କାଟୁଥାଉ l ହେଲେ ମୁଁ ବଞ୍ଚିକି ରହିଥାଏ l କିନ୍ତୁ କିଛି ହେବନାହିଁ l ମୋତେ ଯିବାକୁ ପଡିବ l ଆର ଜନ୍ମ ରେ ଦେଖା l କଖାରୁ ଫୁଲ କେତେଟା ଫ୍ରିଜ ରେ ବାକି ଅଛି l ଭାଜି ଖାଇ ଦେବ l ନୂଆ ଝିଅଟି କୁ ରୋଷେଇବାସ ଶିଖାଇ ଦିଅ l ବିଚାରି ତାର ବି କେହି ନାହିଁ l ତୁମେ ଥିଲେ ଆମ ପରି କେତେ ଲୋକ କୂଳରେ ଲାଗିବେ l ତେଣୁ ମରିବା କଥା ମୋଟେ ଭାବିବ ନାହିଁଟି l ତୁମକୁ ମୋ ରାଣ l ପେଟ ବହୁତ କାଟିଲାଣି ! ରହିଲି l


--ତୋରି କଥା ରଖିବି ଲୋ ଶାନ୍ତି l ଆଉ ସ୍ବପ୍ନରେ ବି ମରିବା କଥା ଭାବିବି ନାହିଁ l ଆଜିଠାରୁ ମୋ ଜୀବନର ଉଦ୍ଦେଶ୍ୟ ହେଲା ନିରୀହ ଅବହେଳିତ ନିଷ୍ପେସିତ ନିରାଶ୍ରୟ ଲୋକଙ୍କର ଉତଥାନ କରିବା l ସେଇ ମାନଙ୍କ ପାଇଁ ବଞ୍ଚି ରହିବି ମୁଁ l କିଏ କହିଲା ମୁଁ ଏକୁଟିଆ ବୋଲି ମୋର ତ ସମସ୍ତେ ଅଛନ୍ତି l ମନକୁ ମନ କହି ଚାଲିଥିଲେ ସୁରଭି l


Rate this content
Log in

Similar oriya story from Tragedy