ମା' ଗାନ୍ଧାରୀ
ମା' ଗାନ୍ଧାରୀ
ଅଧା ମଇଳା ଶାଢୀଟାକୁ ପିନ୍ଧିଦେଇ , ହାତରେ ବ୍ୟାଗ୍ ଟାକୁ ଧରି,ଅଧା ଛିଣ୍ଡା ଚପଲ ଦୁଇଟି ପାଦରେ ପିନ୍ଧି ଶୀଘ୍ର ଶୀଘ୍ର ପାଦ ପକାଇଲେ ବସ୍ ଷ୍ଟାଣ୍ଡ ଆଡ଼କୁ । ନହେଲେ ବସ୍ ଟା ଚାଲିଯିଵ ଯେ । ଆଜି ଯେମିତି ହେଲେ କଲେକ୍ଟରଙ୍କୁ ଦେଖା କରିବେ ଏବଂ ତାଙ୍କର ଗୁହାରି ଜଣାଇବେ ଦୀର୍ଘ ପାଞ୍ଚ ବର୍ଷ ହେଲା ଚାକିରି ରୁ ଅବସର ନେଲେଣି ହେଲେ ପେନ୍ସନ୍ ଟି ଏପର୍ଯ୍ୟନ୍ତ ହେଲାନାହିଁ ।ଏ ଅଫିସରୁ ସେ ଅଫିସ ଦଉଡ଼ି ପାଦ ବିଣ୍ଡି ହେଇଗଲାଣି । ଫାଇଲ୍ ଟା ମଧ୍ୟ ପଡ଼ି ଧୂଳି ଲାଗି ଯିବଣି । ଏଣେ ସ୍ୱାମୀଙ୍କର ଦେହ ମଧ୍ୟ ଭଲ ରହୁନି ଘର ଖର୍ଚ୍ଚ ସହ ଔଷଧ କିଣା ଖୁବ୍ କଷ୍ଟ ହେଲାଣି । ତାଙ୍କ ସ୍ବାମୀ ଆଜକୁ ୧୦ ବର୍ଷ ହେଲା ସର୍ଭିକାଲ୍ ସ୍ପଣ୍ଡିଲାଇଜର ରୋଗରେ ଆକ୍ରାନ୍ତ। କୋଉଠୁ ବା ପଇସା ଆସିବ? ଶୁଣିଛନ୍ତି ଏ କଲେକ୍ଟର ଭାରି ଭଲ ଲୋକ , ଭାରି ଦୟାଳୁ ,ସମସ୍ତଙ୍କ ଗୁହାରୀ ଶୁଣନ୍ତି। ଏମିତି ଅନେକ କଥା ଭାବି ଚାଲି ଥାନ୍ତି ଶାନ୍ତିଲତା ମ୍ୟାଡମ ।
ଶାନ୍ତିଲତା ମ୍ୟାଡମ ଦିନେ ଏ ନାଁ କୁ ଡରୁଥିଲେ ପିଲାମାନେ । ଲୋକେ କହନ୍ତି, "ଶାନ୍ତିଲତା ମ୍ୟାଡମଙ୍କ ଛାଟ ଯାହା ଦେହରେ ବାଜିଛି ସେ ଅମଣିଷରୁ ମଣିଷ ହୋଇଯାଇଛି ।"ମାଆ ମାନେ ଅଝଟ ପିଲାକୁ ଡରେଇବା ପାଇଁ କହନ୍ତି,"ଦୁଷ୍ଟ ହୁଅ ନାହିଁ ନହେଲେ ଶାନ୍ତିଲତା ମ୍ୟାଡମଙ୍କୁ ଡାକିଦେବି ।" ଦିନେ ଶାନ୍ତିଲତା ମ୍ୟାଡମ ଥିଲେ ସେ ଅଞ୍ଚଳର ଆଦର୍ଶ ଶିକ୍ଷୟତ୍ରୀ। ସେଥିପାଇଁ ସେ ଅନେକ ପୁରସ୍କାର ମଧ୍ୟ ଲାଭ କରିଥିଲେ । ରାଜ୍ୟପାଳଙ୍କ ଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି ସେ । କିନ୍ତୁ ଆଜି ସେ ମାନପତ୍ର ସବୁ ଅଦରକାରୀ ଅଲୋଡ଼ା ହୋଇଯାଇଛି । ଏ ହାତରେ ସେ କେତେ ପିଲା ଗଢିଛନ୍ତି କିନ୍ତୁ ଆଜି ସେ ଅଲୋଡ଼ା ହୋଇଯାଇଛନ୍ତି ନିଜ ପିଲା ପାଖରେ ।
ତରବର ହୋଇ ବସ୍ ରେ ଚଢ଼ି ନିଜ ପାଇଁ ଝରକା ପାଖ ସିଟ୍ ଟା ଖୋଜିନେଲେ। ବସ୍ ଛାଡ଼ିଲା। ବସ୍ ର ବେଗ ବଢିବା ସଙ୍ଗେ ସଙ୍ଗେ ମ୍ୟାଡମଙ୍କ ମନ ମଧ୍ୟରେ ଅନେକ ଅତୀତ ଓ ବର୍ତ୍ତମାନର କଥା ପବନରେ ଭାସି ଆସୁଥାଏ ।
ମଣିଷ ଗଢା କଳ ଶାନ୍ତିଲତା ମ୍ୟାଡମ ଆଜି ନିଜର ଏକମାତ୍ର ପୁଅକୁ ଭଲକରି ଗଢି ପାରିଲେନି, ସେ ସମାଜରେ ହାରିଗଲେ।ଖାଲି ପାଠ ପଢ଼ିଦେଲେ ଶିକ୍ଷିତ ହୁଅନ୍ତି ନାହିଁ, ତାସହିତ ସଂସ୍କାର ଓ ଶାଳୀନତାର ମଧ୍ୟ ଆବଶ୍ୟକ ରହିଛି ,ଏ କଥା ତ ମୁଁ ସବୁବେଳେ ସମସ୍ତଙ୍କୁ କହିଥାଏ । ହେଲେ ମୋ ପୁଅ ହୋଇ ଆଜି ସେ ଅଯୋଗ୍ୟ ଓ ଅମଣିଷ।
ଜୀବନର ସମସ୍ତ ସଞ୍ଚିତ ଧନ ଘର ଵାଡି ଇତ୍ୟାଦି ଖର୍ଚ୍ଚ କରିଦେଇଥିଲେ ତା ପଢ଼ାରେ । ଭାବିଥିଲେ ପୁଅ ହାକିମ ହେଲେ ଶେଷ ଜୀବନଟା ତା ପାଖରେ ରହି ନାତି ନାତୁଣୀଙ୍କ ସହିତ ସମୟ କାଟିଦେଵେ ଵୋଲି ।ପୁଅ ହାକିମ ହେଲା , ଚାକର ଵାକର ,ଗାଡ଼ି ଘୋଡ଼ା କେଉଁଥିରେ ଭଗବାନ ତାକୁ ଅଭାବ କରିନାହାନ୍ତି । କିନ୍ତୁ ଅବସର ପରେ ମାସ କେଇଟା ବି ରଖି ପାରିଲାନି ସେ ଆମ ବୁଢ଼ାବୁଢ଼ୀ ଦୁଇ ଜଣଙ୍କୁ । କୁଆଡେ ଆମ ପାଇଁ ପିଲା ପାଠ ପଢୁନାହାନ୍ତି, ଖର୍ଚ୍ଚ ଅଧିକା ହେଉଛି , ଏହି ଭଳି ଅନେକ କଥା।
ବୋହୂ ମଧ୍ୟ ସବୁ ବେଳ ଅସଦାଚାରଣ ବ୍ୟବହାର କରେ। ଆଉ ମନ ଲାଗିଲାନି ସେଠି ସ୍ୱାମୀଙ୍କ ସହ ଫେରି ଆସିଲେ ନିଜ ଗାଁ କୁ ସେ ଦିନ ଠାରୁ ସହର ଯିବାକୁ ଆଉ ମନ କରିନାହାନ୍ତି । ନିଜର ହୃଦୟର ଯନ୍ତ୍ରଣାକୁ ଚାପି ରଖିଥାନ୍ତି ମ୍ୟାଡମ । ବସ୍ ଅଟକିଲା । ଏକ ମୁହାଁ ହୋଇ ପାଦ ବଢାଇଲେ କଲେକ୍ଟର ଅଫିସ ଆଡ଼କୁ । ମନେ ମନେ ଠାକୁରଙ୍କୁ ଅନେକ ଡ଼ାକୁ ଥାନ୍ତି," ହେ ପ୍ରଭୁ ! ମୋ କାମ ଆଜି ହେଇଯାଉ, କେତେ ଆଉ ଅସୁବିଧାରେ ରଖିବ "। ଅଫିସ୍ ରେ ପହଞ୍ଚି ପିଅନ ହାତକୁ ଦରଖାସ୍ତ ଟି ବଢାଇ ଦେଇ ଅପେକ୍ଷା କଲେ ତାଙ୍କ କ୍ରମିକ ଆସିବାକୁ । ଅଳ୍ପ ସମୟ ମଧ୍ୟରେ ତାଙ୍କୁ ସାକ୍ଷାତ ପାଇଁ ଅନୁମତି ମିଳିଲା । ଖୁବ୍ ଖୁସି ହୋଇଗଲେ ମନେ ମନେ । ପାଦ ଚାପି ଭିତରକୁ ଗଲେ ମ୍ୟାଡମ।
କଲେକ୍ଟର ଯେ ,ଅଳ୍ପ ବୟସର , ଏକ ସୁନ୍ଦର ବଳିଷ୍ଠ ଚେହେରା । ମ୍ୟାଡମ ପ୍ରଣାମ କରିବା ଆଗରୁ ସେ ତାଙ୍କୁ ପ୍ରଣାମ କଲେ ପୁଣି ପାଦ ଛୁଇଁ । ଆଶ୍ଚର୍ଯ୍ୟ ହୋଇଗଲେ ସେ । ନୀରବରେ ପିଲାଟି ହାତ ଧରି ପଚାରିଲେ, ମୋତେ ଚିହ୍ନି ପାରୁଛନ୍ତି , ସାର୍, "ମୁଁ ସେଇପିଲା, ଯାହାର ନାଁ "ସୁଧୀର" ରଖିଥିଲେ? ଯାହାକୁ ଆପଣ କୋଳରେ ବସାଇ ପ୍ରଥମ ଅକ୍ଷର ଶିଖାଇଥିଲେ? ଜୀବନରେ ବଞ୍ଚିବାର ମନ୍ତ୍ର ଶିଖାଇ ଥିଲେ । ଏ ସବୁ ସଫଳତା ଆପଣଙ୍କ ପାଇଁ , ଆପଣଙ୍କ ପାଇଁ ଆଜି ମୁଁ ଏ ସ୍ଥାନରେ ମନେପଡୁଛି?" ମ୍ୟାଡମଙ୍କ ମନେ ପଡ଼ିଲା, ଥରେ ଗରିବ ପିଲାଟେ ଖାଇବା ପାଇଁ ମୋ ଦୁଆରେ ଠିଆ ହୋଇଥିଲା । ତାଙ୍କ ସ୍ୱାମୀ ତାଙ୍କୁ ଘରକୁ ଡାକି ଆଣିଥିଲେ।ସେବେ ଠାରୁ ମୋ ଘରେ ରହି ପାଠ ପଢା ଶିଖିଥିଲେ । ଶାନ୍ତିଲତା ମ୍ୟାଡମ ପଥର ଭଳି ଠିଆ ହୋଇଥାନ୍ତି । ନିଜେ ସେ ତାଙ୍କର ସବୁ କାମ କରି ଦେଲେ । ଅନେକ ସମ୍ମାନ କଲେ।
ଫେରିଲା ବେଳେ ପିଲାଟିକୁ ଖୁସିରେ ଖୁବ୍ ଆଶୀର୍ବାଦ କଲେ । ଏଵଂ ସଞ୍ଜ ହେବ ବୋଲି ଶୀଘ୍ର ଶୀଘ୍ର ବସ୍ ଷ୍ଟାଣ୍ଡ ଆଡ଼କୁ ଖୁସିରେ ପାଦ ବଢାଇଲେ । ଆସିଲା ବେଳେ ମନେ ପଡ଼ିଲା , ବସ୍ ବାଲାକୁ ସେ ଭଡ଼ା ଦେଇ ନାହାନ୍ତି । ଭାଗ୍ୟକୁ ଯୋଉ ବସ୍ ରେ ଆସିଥିଲେ ସେ ବସ୍ ଟି ଲାଗିଛି । ମନେ ମନେ ଭାବିଲେ ଏକାବେଳେ ଭଡ଼ା ଓହ୍ଲାଇଲା ବେଳେ ଦେଇ ଦେଵେ। ବସ୍ ରେ ବସୁ ବସୁ ଆଖିରେ ନିଦ ଆସିଗଲା।
ହଠାତ୍ ବସ୍ ହର୍ଣ୍ଣରେ ନିଦ ଭାଙ୍ଗିଲା ।ଗାଁ ଷ୍ଟପେଜ ହେଇଗଲାଣି। କେହି ଜଣେ ଚିହ୍ନା ଲୋକ ବୋଧେ ପଛ ପଟୁ କହିଲେ ," ଓହ୍ଲାଇ ବେନିକି ମ୍ୟାଡମ।ଷ୍ଟପେଜ ହେଲାଣି ଯେ?"ତେଣୁ ସେ ଶୀଘ୍ର ଓହ୍ଲାଇ, କଣ୍ଡକ୍ଟରକୁ କହିଲେ," ଵାଵା ମୋର ଦୂଇପାର୍ଶର ଭଡା କେତେ ହେଲା କହିଲ ? ଗଲାବେଳେ ମୋର ଭଡା ନେଇନଥିଲେ ସେଥିପାଇଁ କହିଲି।" କଣ୍ଡକ୍ଟର ମ୍ୟାଡମଙ୍କ ମୁହଁକୁ ଚାହିଁ ହସିଦେଇ ପ୍ରଣାମ କରି କହିଲା ,"ଭଡ଼ା କ'ଣ ହେବ ମ୍ୟାଡମ ପୁଣି ଆପଣଙ୍କ ପାଖରୁ ?ଅନେକ ଦିନ ପରେ ଆପଣଙ୍କ ସହିତ ସାକ୍ଷାତ ମୋର ବଡ଼ ଭାଗ୍ୟ ଯେ ଆପଣ ମୋ ବସ୍ ରେ ଆଜି ଆସିଛନ୍ତି।"ଆଶ୍ଚର୍ଯ୍ୟ ହୋଇ ମ୍ୟାଡମ ଚାହିଁ ଥାଆନ୍ତି କଣ୍ଡକ୍ଟରକୁ।ସେ ପୁଣି ହସିଦେଇ କହିଲା,ମୋତେ ଚିହ୍ନି ପାରିଲେନି କି ମ୍ୟାଡମ? ମୁଁ ସେଇ, ପବନା" ଆପଣଙ୍କ କ୍ଲାସ୍ ରେ ପଛ ବେଞ୍ଚ ରେ ମାଡ଼ ଭୟରେ ବସୁ ଥିଲି" । ପାଠ ପଢେନି ବୋଲି ମୋତେ କେତେ ଦଣ୍ଡଦେଉଥିଲେ । ଆଉ ଛୁଟି ପରେ ମୋତେ ଏକୁଟିଆ ଡାକି ପିଠି ଆଉଁସି ବୁଝାଉଥିଲେ । ସତ କହୁଛି ମ୍ୟାଡମ , ପାଠ ମୋ ଦ୍ୱରା ହେଲାନି। ଆପଣଙ୍କ ଛାଟ ବାଜିଥିଲା ବୋଲି ବହୁତ କଷ୍ଟରେ ବି.ଏ.ପାସ୍ କରିଥିଲି ।
ଛୋଟ ମୋଟ ବ୍ୟବସାୟ ରୁ ଏବେ ତିନି ଚାରୋଟି ବସ୍ ମୋର ଚାଲୁଛି । ଆଜି ବସ୍ କଣ୍ଡକ୍ଟର ଛୁଟିରେ ଅଛି ବୋଲି ସିନା ଆପଣଙ୍କ ସହିତ ଭଗବାନ ମୋତେ ଭେଟ କରାଇ ଦେଲେ ।ଏହା କହି ପଵନା ସେମିତି ଶିଶୁ ସୁଲଭ ହସ ହସୁଥାଏ ।ଶାନ୍ତିଲତା ମ୍ୟାଡମଙ୍କ ଆଖିରେ ପାଣି ଆସିଗଲା, ପଵନାକୁ କୁଣ୍ଢେଇ ପକାଇ ପିଠି ଆଉଁସି କହିଲେ ,"ଏଇ ହାତରେ ତତେ ମୁଁ କେତେ ଦଣ୍ଡଦେଇଛି ରେ ବାପା, ତୋ ପିଲା ପିଠିକୁ ବହୁତ କଷ୍ଟ ଦେଇଛି ନା? କ'ଣ ଏବେ ବି ଏ ଵୁଢୀ ଉପରେ ରାଗିଛୁ?"ପବନା ଲୁହ ଭିଜା ଆଖିରେ , ମ୍ୟାଡମଙ୍କ ଲୁହ ପୋଛୁ କହିଲା, ଆପଣଙ୍କ ଛାଟ ବାଜିଛି ବୋଲି ତ ସମାଜରେ ମଣିଷ ଭଳି ବଞ୍ଚିବା ଶିଖିଛି । ସେଥିପାଇଁ ମୁଁ ଆପଣଙ୍କ ପାଖରେ ଋଣୀ "। ମୋତେ ଆଜି କଥା ଦିଅନ୍ତୁ ମ୍ୟାଡମ ,କେବେ କୌଣସି ସୁବିଧା ଅସୁବିଧାରେ ମୋର ଆବଶ୍ୟକତା ପଡ଼ିଲେ ମୋତେ ଆପଣଙ୍କ ସେବା କରିବାର ସୁଯୋଗ ରୁ ବଞ୍ଚିତ କରିବେନି " କହି ମ୍ୟାଡମଙ୍କ ପକେଟ୍ ରେ ତାଙ୍କର ଠିକଣା ଥିବା କାର୍ଡ ଟି ରଖିଦେଲା । ଶାନ୍ତିଲତା ମ୍ୟାଡମ ପଵନାର ମୁଣ୍ଡକୁ ଆଉଁସି ଦେଇ ଆଶୀର୍ବାଦ ଦେଲେ ।ପଵନା ଖୁସିରେ ମ୍ୟାଡମଙ୍କ ପାଦ ଛୁଇଁ ବସ୍ ଉପରକୁ ଉଠିଗଲା ।
ମ୍ୟାଡମଙ୍କ ଆଖିରୁ ଲୁହ ପୋଛୁ ପୋଛୁ ଭାବୁଥିଲେ , ଏବେବି ସମାଜରେ ମଣିଷ ପଣିଆ ଅଛି ଓ ଗୁରୁ ଶିଷ୍ୟର ନିବିଡ଼ ସମ୍ପର୍କ ଅଛି । ମୋତେ ଗୋଟିଏ ପୁଅ ନପଚାରିଲେ କ'ଣ ହେଲା ମୋ ହାତ ଗଢା କୋଟିଏ ପିଲା ଅଛନ୍ତି ମୋର ପାଇଁ ।"ମ୍ୟାଡମଙ୍କ ମନ ଆନନ୍ଦରେ ପୁରି ଉଠୁଥାଏ ।ପଥଶ୍ରମ କୁଆଡେ ଉଭେଇ ଯାଇଥାଏ । ବଡ଼ବଡ଼ ପାଦ ପକାଇ ଖୁସି ରେ ଘର ମୁହାଁ ହୋଇ ଚାଲିଥାନ୍ତି ସେ । ମନେ ମନେ ଭାବୁଥାନ୍ତି ମୁଁ ଶତପୁତ୍ରର ଜନନୀ ଏବଂ ମହାଭାରତର ଗାନ୍ଧାରୀ। ମୋ ସନ୍ତାନ ମାନଙ୍କ ପାଇଁ ମୁୁଁ ଅନ୍ଧ ଥିଲି।