STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

ଲୁହର ଶ୍ରାବଣୀ

ଲୁହର ଶ୍ରାବଣୀ

3 mins
0

ଜୀଵନ ଆରପାରିରେ କଣ ଅଛି ଉତ୍ତରରେ ମନକୁ ଆସେ ଯମପୁରୀ। ସେହି ଯମପୁରୀ ଖାଲି ଯନ୍ତ୍ରଣା ଆଉ କ୍ଲୀଷ୍ଟ ପ୍ରଦାନ କରିଥାଏ କିନ୍ତୁ ସତରେ କଣ ଜୀଵନ ଆରପାରିରେ ଯମପୁରୀ ଅଛି ଓ ତା ସହିତ ଯମଯନ୍ତ୍ରଣା? ଏମିତି ଅନେକ କଥା ମନକୁ ଆସେ ସ୍ୱପ୍ନା ଦ୍ବିବେଦୀଙ୍କର। କର୍ମଫଳ ଅନୁଯାଇ ଯମଦଣ୍ଡ ମିଳେ ବୋଲି ବିଶ୍ୱାସ କରୁଥିବା ସ୍ୱପ୍ନା ତେଣୁ ନିଜ କର୍ମକୁ ସୁଚାରୁ ରୂପେ କରିବାକୁ ଯାଇ ଭିଜିଲାନ୍ସ ଡିପାର୍ଟମେଣ୍ଟରେ ଚାକିରୀ କରୁଥିବା ବେଳେ କେଡେ କେଡେ କୋଠା ସିଜ କରିବା ସହ କେଵେ କେବେ କେତେ ଲୋକଙ୍କୁ ରାଜାରୁ ଭିକାରୀ କଲାବେଳେ ତାଙ୍କ ଲୁହ ନିଶ୍ୱାସ ପଡୁଥିବ କି ଭାବି ଡରିଯାଆନ୍ତି ଥରେ ଥରେ ସ୍ୱପ୍ନା। ପୁଣି ନିଜ କର୍ତ୍ତବ୍ୟ କରିବାକୁ ଯାଇ ଯଦି କିଛି ନିଷ୍ଠୁର କାମ କରିବାକୁ ପଡୁଛି ତେବେ ସେଥିରେ ତାଙ୍କର କି ଭୁଲ ବୋଲି ଭାବି ଠିକ ଠାକ କର୍ତ୍ତବ୍ୟ କରୁ କରୁ କେଵେ କିଏ ଲାଞ୍ଚ ଦିଏ ତ କେଵେ କିଏ ଗୋଡ଼ତଳେ ପଡି ଅନୁରୋଧ କରେ ଛାଡ଼ିଦେବା ପାଇଁ. ପୁଣି କେଵେ କିଏ ଧମକାଇ ଥାଏ ତ କେଵେ କିଏ ଟେଲିଫୋନରେ ଡର ଭୟ ଦେଖାଇଥାଏ। ସେସବୁକୁ ଭ୍ରୁକ୍ଷେପ ନକରି କର୍ତ୍ତବ୍ୟ ପଥରେ କଣ୍ଟା ଆସିଲେ କଣ୍ଟାକୁ କଣ୍ଟାରେ କାଢି ଆଜିଯାଏଁ ନିଜ ରାସ୍ତାରେ ଚାଲୁ ଚାଲୁ ବେଳେ ବେଳେ ସେସବୁ ବଡ଼ ବଡ଼ ଘରର କେହି ବୟସ୍କ ବା ବୟସ୍କା ଅର୍ଥାତ ବୃଦ୍ଧ ବା ବୃଦ୍ଧାଙ୍କ ଆକ୍ରୋଶ ମୂଳକ କଥାରେ ଜୀଵନର କାଚଘର ଝଣ ଝଣ କରି ଭାଙ୍ଗିଗଲା ପରି ମନେହୁଏ। କିଏ କହୁଥାଏ ସେଇଥିପାଇଁ ପରିବାର ସୁଖ ନାହିଁ ତୁମ ଭାଗ୍ୟରେ ତ କିଏ କହେ ନାରୀ ହୋଇ ମୁଣ୍ଡରେ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧିନଥିବା କି ସନ୍ତାନ ସୁଖ ପାଇନଥିବା ସ୍ତ୍ରୀ ଲୋକ କୁଆଡୁ ବୁଝିବ ବେଘର ହେବାର ଦୁଃଖ! ଘର ଖାନତଲାସୀ ପରି ଅମର୍ଯ୍ୟଦା ପୁଣି ଘର ସିଜ ହେଲେ କେମିତି ଲାଗେ ର ଅନୁଭବ! ଯାହାର ନିଜର ଘର ନାହିଁ, ପରିବାର ନାହିଁ, ପିଲାଛୁଆ ନାହିଁ ସେ ନାରୀ ଭିତରେ ମମତାର ନଈରେ ସ୍ନେହ ସରାଗର ଫଲ୍ଗୁ ଆଶା କରିବା ବୃଥା କହି କିଏ କେତେ କଥା କହିଲେ ମଧ୍ୟ ବିଚଳିତ ହୁଅନ୍ତି ନାହିଁ ସ୍ୱପ୍ନା।

    ସେଦିନ ଯେଉଁ ବଡ଼ବ୍ୟବସାୟୀଙ୍କ ଘରେ ପଶିଲେ ସ୍ୱପ୍ନା ମ୍ୟାଡାମ, ଆଗରୁ ଏମିତି ବଡଘର ଦେଖିନଥିଲେ ଜୀବନରେ କେଵେ କୋଉଠି। ଟ୍ୟାକ୍ସ ଫାଙ୍କି, ଖଜଣା ନଦେବା ଇତ୍ୟାଦି ସଂଗୀନ ଦଫା ଭିତରେ ଘରକୁ ପଶି ଗଲା ବେଳକୁ ଅନା ବନା ଗଛ ସାଙ୍ଗକୁ କାନ୍ଥରେ ବରଗଛ ଓସ୍ତଗଛ ଉଠି କାନ୍ଥ ଫାଟି ଯାଇଛି। ତା ଭିତରୁ ଚେମେଣୀମାନେ ଉଡିଆସି ଦେହ ମୁଣ୍ଡରେ ବାଜିଲେ ସ୍ୱପ୍ନାଙ୍କ ଟିମରେ ଥିବା ଟାଣୁଆ ଅଫିସରମାନଙ୍କ ଦେହ ମୁଣ୍ଡରେ ତ ସେମାନଙ୍କ ଭିତରୁ ପିଅନ ଉଦ୍ଧବ କହୁଥାଏ ଯୋଉଠି ଯେତେ ଧନ ସମ୍ପତ୍ତି ଗଛିତ ଥାଏ ସେଇଠି ସେତେ ଚେମେଣୀ। ଦେଖିଲେନି ପୁରୀ ବଡ଼ ମନ୍ଦିର ରତ୍ନଭଣ୍ଡାର ଚାବି ଫିଟିଲା ବେଳେ କେତେ ଚେମେଣୀ ଚଟିଆ! ଉଦ୍ଧବ କଥାକୁ ଗୁରୁତ୍ୱ ନଦେଇ ଜୋତା ମଚ ମଚ ଶବ୍ଦରେ ଫାଟି ପଡୁଥିଲା ସୁଉଚ୍ଚ ତ୍ରିତଳ ପ୍ରସାଦ। କିନ୍ତୁ ଏତେ ବଡ଼ ଘରେ ପୁରୁଣା ଆସବାସ ଛଡା ମଣିଷ ନଥିଲେ କେହି । ଶେଷରେ ଜଣାପଡ଼ିଲା ଭିଜିଲାଆନ୍ସ ଚଢ଼ଉ ହେବାର ଶୁଣି ନିଶ୍ଚୟ ସମସ୍ତେ ଆତ୍ମଗୋପନ କରିଛନ୍ତି। ରିପୋର୍ଟ ଲେଖା ସରିଲା ବେଳକୁ ଉଦ୍ଧବ ଆସି ଜଣେଇଲା ସବା ଉପର ଘରେ ବୁଢ଼ୀ ବସିଛି। ଚାବି ପଡି ଥିବା ସିନ୍ଦୁକକୁ ଫିଟେଇବା ଦୂରର କଥା ଛୁଆଇଁ ଦେଲାନି ବୁଢ଼ୀ। ସବୁ ମାଲମତ୍ତା ନିଶ୍ଚୟ ସେଇଠି ଅଛି. ଦୌଡିଲେ ଖେପା ମାରି ସ୍ୱପ୍ନା ମ୍ୟାଡାମ ଓ ତାଙ୍କ ପଛେ ପଛେ ଟିମ ଅଫିସରମାନେ । ବୁଟ ମାଡରେ ଦୁଆର ଖୋଲିଗଲା। ଅଧା ନିଦ୍ରିତ ଅବସ୍ଥାରୁ ଯେଉଁ ବୃଦ୍ଧା ଉଠିଲେ ତାଙ୍କୁ ଦେଖି ସ୍ୱପ୍ନା ଭାବିଲେ କିଛି ଚେମେଣୀଙ୍କ ସମଷ୍ଟିରେ ଏହି ବୃଦ୍ଧାଙ୍କ ଶରୀର ଅବସ୍ଥା ଯେମିତି । କେତେ ବୟସ ହେବ ଆଙ୍କୁ? ବୃଦ୍ଧା କିନ୍ତୁ ସ୍ପଷ୍ଟ ଜଣେଇ ଦେଇଥିଲେ ଅନ୍ୟମାନେ ଫେରିଯାଆନ୍ତୁ ସେ ସ୍ୱପ୍ନା ମ୍ୟାଡାମଙ୍କୁ ତାଙ୍କ ସିନ୍ଦୁକ ଖୋଲି ଦେଖେଇଦେବେ। ସେୟା ହେଲା। ଭିତରପଟୁ ଦୁଆର ଦେଇ ବୃଦ୍ଧା ସିନ୍ଦୁକ ଖୋଲିବାକୁ ଅନୁମତି ଦେଲେ କିନ୍ତୁ ଏ କଣ ଦେଖୁଛନ୍ତି ସ୍ୱପ୍ନା! କିଛି ପୁରୁଣା ଛୀର୍ଣ୍ଣ ପାଟ ଶାଢ଼ୀ, କାଗଜ, ଚିଠି ଭିତରେ ଟିଫିନରେ କିଛି ରୁଟି। ବୃଦ୍ଧା କହୁଥିଲେ ସମସ୍ତଙ୍କୁ ହରାଇ ସାରିବା ପରେ ଏଇ ମୋର ଶେଷ ସମ୍ବଳ। ପାରୁଛନ୍ତି ତ ସିନ୍ଦୁକଟିକୁ ନେଇଯିବେ ଯଦି ନେଇଯାଆନ୍ତୁ। ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଥିଲେ ମଧ୍ୟ କିଛି ନପଚାରି ଫେରିଆସିଥିଲେ ସ୍ୱପ୍ନା ତଳକୁ। ଅଫିସରମାନେ ବେଢ଼ିଯାଇ ପଚାରୁଥିଲେ ସୁନା ରୂପା ହୀରା ଲୀଳା କଣ କେତେ ଅଛି? ଆଜି ସ୍ୱପ୍ନାଙ୍କ ଆଖିରେ ଆଷାଢ଼ୀ ଓ ଶ୍ରାବଣୀ ଧାର ଦେଖି କେହି କିଛି ବୁଝିନପାରି ପୁଣି ପଚାରୁଥିଲେ ସିନ୍ଦୁକ ଭିତରେ ଚେମେଣୀ ମାଡ଼ ହେଲାକି ମ୍ୟାଡ଼ାମ? ତଥାପି ସ୍ୱପ୍ନା ନିରୁତ୍ତର ନରହି କହୁଥିଲେ ଜୀଵନ ଆରପାରିରେ.. ହଁ ମ୍ୟାଡାମ କୁହନ୍ତୁ କୁହନ୍ତୁ ଜୀଵନ ଆରପାରିରେ ବି ବୃଦ୍ଧାଙ୍କର ଲୋଭ ଛାଡ଼ିନି ନା?ସ୍ୱପ୍ନା ଏଥର ଭୋ ଭୋ କାନ୍ଦି ପକେଇଥିଲେ ତ କେହି କିଛି ବୁଝି ପାରୁନଥିଲେ।


Rate this content
Log in

Similar oriya story from Tragedy