Satyabati Swain

Tragedy

4  

Satyabati Swain

Tragedy

ଲୁହ ପିଇଲା ଗାମୁଛା ଓ ରୁମାଲ୍

ଲୁହ ପିଇଲା ଗାମୁଛା ଓ ରୁମାଲ୍

6 mins
543



ମାଉସୀ ରାଗିବେ।ଦିଇଟି ଶବ୍ଦର ଛୋଟିଆ ବାକ୍ୟ ମୋତେ ଭାଙ୍ଗି ରୁଜି ମୋଡି ମାଡି ପକାଇଲା।ମୁଁ ସାଧାରଣତଃ କାନ୍ଦିବାକୁ ପସନ୍ଦ କରେନି।କାରଣ ମୋ ସ୍ୱର୍ଗତଃ ବାପା ଦିନେ କହିଥିଲେ ଲୁହ ଭବିଷ୍ୟତ ରାସ୍ତାକୁ ଝାପ୍ସା କରେ।ଲୁହ ଭର୍ତ୍ତି ଆଖି ନେଇ ରାସ୍ତା ଚାଲିବାରେ ଅନେକ ଦୁଃର୍ଘଟଣା ଘଟିପାରେ।କିଛି ବି ହୋଇ ପାରେ।ଜୀବନ ରୁ ହାତ ଧୋଇବାକୁ ପଡେ।ବୋଧେ ଖାସ୍ ସେଇଥି ପାଇଁ କ୍ଵଚିତ କାନ୍ଦେ ମୁଁ।ସେଦିନ କିନ୍ତୁ ଏଇ ଦିଟା ଶବ୍ଦର ବାକ୍ୟ ମୋତେ କନ୍ଦେଇ ଦେଇଥିଲା।ମୋ ଆଖିରୁ ଗଳି ପଡିଥିଲା ଟପ୍ ଟାପ୍ କେଇ ବୁନ୍ଦା ଅମାନିଆଁ ଲୁହ।


     ମଉସା ମୋତେ ଗୋଟିଏ ପ୍ଲେଟରେ କିଛି ରସଗୋଲା ଦହିବରା ଓ ବୁନ୍ଦିସେଓ ଦେଇ କହିଲେ "ତୁମେ ନଖାଇଲେ ତୁମ ମାଉସୀ ରାଗିବେ"।


      ମୁଁ ଦୀର୍ଘଶ୍ଵାସ ଟାଣି ଇଆଡ଼େ ସିଆଡେ ମାଉସୀଙ୍କୁ ଖୋଜିଲି।ଆରେ ଏଇତ ପିନ୍ ପିନ୍ ଏକଦମ୍ ପତଳୀ ପାଖା ପାଖି ଚାଳିଶ କି ଅତି ବେଶୀରେ ପାଇଁଚାଳିଶି ବର୍ଷ ବୟସ୍କା ଚାରିଫୁଟିଆ ମଣିଷଟିଏ। ହସି ହସି ପଚାରୁଛନ୍ତି "ମା ତୁମ ଘର କେଉଁଠି"??

    

        ଭୁବନେଶ୍ୱରରୁ ଟ୍ରାନ୍ସଫର୍ ହୋଇ ମୁଁ ଯାଇଥାଏ ନରଣ ପୁର ଗାଁ ସ୍କୁଲକୁ।ଗାଁ ମଝିରେ ସ୍କୁଲଟି।ନ ଜାଣିଥିବା ଲୋକ ଗେଟ୍ ରୁ ନାଁ ନ ପଢ଼ିଲେ ଜାଣି ପାରିବନି ସେଇଟି ଗୋଟେ ସ୍କୁଲ।କାରଣ ସ୍କୁଲ ତିନିପଟେ କାନ୍ଥକୁ ଲାଗି ଗାଁ ଲୋକଙ୍କ ଘର।ଇଞ୍ଚେ ବି ଛଡ଼ା ହୋଇନି।ବରଂ ସ୍କୁଲ କାନ୍ଥକୁ ଲାଗି ଜଣଙ୍କ ରୋଷେଇ ଘର।ଆଉ ଜଣଙ୍କ ଗୁହାଳ ଓ ଜାଳ ରଖିବା ଘର।ଅଜଣା ଲୋକ ଭାବିବ ଏଇଟା କାହାର ଦୁଇ ମହଲା ବିଶିଷ୍ଟ ଗୋଟେ ବଡ଼ କୋଠା ଘର।ମୋର ବି ସେଇ ଭୁଲ ହେଲା ଜଏନ୍ କରିବା ଦିନ ସ୍କୁଲ ଛାଡି ଅନେକ ଆଗକୁ ଚାଲିଗଲି।ନପାଇବାରୁ ଛକରେ ପଚାରିଲି, ଲୋକେ କହିଲେ ପଛରେ ଛାଡି ଆସିଲେ।


         ଏଥରକ ଦେଖି ଦେଖି ଉଭୟ ପଟ ଆସିଲି।ସ୍କୁଲ ଓ ଘର ଭିତରେ କିଛି ତ ଫରକ ଥିବ।ଶେଷରେ ଖୋଜି ଖୋଜି ପାଇଲି।ମନଟି ଖଟା ହୋଇଗଲା ଏଡ଼େ ବକଟେ ସ୍କୁଲ ଦେଖି।ଏଡିକିଟେ ସ୍କୁଲ କେତେ ବା ପିଲା ହୋଇଥିବେ ମୁଁ କି ପାଠ ପଢେଇବି!ରାଜଧାନୀ ସୁଖ ଓ ସ୍କୁଲ ଛାଡି ଆସିଛି ନିଜ ଇଚ୍ଛାରେ। ସହଜେ ସେ ରାଜଧାନୀ ରାଜଧାନୀ ଗନ୍ଧ ମୋ ଦେହରୁ ଏତେ ଶୀଘ୍ର ଯିବ ନା କଣ!!


    ଗେଟ୍ ଖୋଲି ଭିତରକୁ ଗଲି।ଛୋଟ ହେଲେ ବି ଢ଼େର ପିଲା।ରାଜଧାନୀରେ ଢେର ଘର ପିଲା କିନ୍ତୁ କମ୍ ଓଡ଼ିଆ ମାଧ୍ୟମ ସ୍କୁଲରେ।ଏଠି କିନ୍ତୁ ଶିକ୍ଷକ ଅଧିକ ଓ ପିଲା ବି।ନିଜକୁ ମଣଇଁ ପିଲା ଗହଣରେ ନିଜର କାୟା ବିସ୍ତାର କରିବାକୁ ମୋତେ ମାତ୍ର ଦି ଦିନ ଲାଗିଲା।ସବୁ ଛାତ୍ର ଶିକ୍ଷକଙ୍କ ମନକୁ ପାଇଲା ପରି ଦିଦିଟିଏ ହୋଇଗଲି।ବିଶେତଃ ସ୍କୁଲ ସାମାନା ଘର ନଟ ମଉସାଙ୍କ ସହ ଖୁବ୍ ପରିଚୟ ହୋଇଗଲା।ରୋଷେଇଆ କହୁଥିଲେ ସେମାନେ କୁଆଡେ ଭାରି ଖରାପ ଲୋକ।କିନ୍ତୁ ଆଶ୍ଚର୍ଯ୍ୟ ହେଲେ ସମସ୍ତେ ଯେତେବେଳେ ସେମାନେ ମୋ ସହ ଟିକେ ଅଧିକ ଘନିଷ୍ଠ ହୋଇଗଲେ।ମଉସା ଡେଙ୍ଗା ସର ସର ତାଳ ଗଛ ପରି।ମାଉସୀ କିନ୍ତୁ ଗେଟେଇ ମାଗୁର ଛୋଟିଆ ସରୁଆ ମଣିଷଟିଏ।ରିସେସ୍ରେ ଆସି ଭଲ ମନ୍ଦ ପଚାରନ୍ତି।ମୁଁ ରିସେସ୍ ରେ କିଛି ଖାଏନି,କେବଳ କପେ ଚା।ସେ ହସିକି କୁହନ୍ତି ମୋରି ଭଳିଆ ଦିଦିଙ୍କ ଚା ଅଭ୍ୟାସ ଆଉ।ସବୁଦିନେ ମାଉସୀଙ୍କ ସହ ଦେଖା ଦେଖି।ରାସ୍ତାର ବାଁ କଡେ ସ୍କୁଲ ଡାହାଣ ପଟେ ତାଙ୍କ ଘର।


       ଗଛ ଲଗାଇବା ମୋର ଗୋଟିଏ ରୀତି ମତ ସଉକ ।ଯେଉଁ ସ୍କୁଲ ଯାଏ ସେ ସ୍କୁଲ ସବୁଜ ହେବା ନିଶ୍ଚିନ୍ତ। ଈଶ୍ଵରଙ୍କ ଦୟାରୁ ଶ୍ରେଣୀ ଶିକ୍ଷଣ ସହ ସହ ଶିକ୍ଷଣ କଳାରେ ଧୁରନ୍ଧର ମୁଁ।ଯାଉ ଯାଉ ସ୍କୁଲରେ ଗୋଟିଏ ୱାଲ୍ ମେଗାଜ଼ିନ କରାଇଲି।ପିଲାଙ୍କ ମଧ୍ୟରେ ଗପ,କବିତା,ଧନ୍ଦା,ମାଟିରେ କାମ, ଆବର୍ଜନାରୁ ଶିକ୍ଷଣ ସାମଗ୍ରୀ ପ୍ରତିଯୋଗିତା କରାଇଲି।ବଗିଚା ପିଲାଙ୍କୁ ନେଇ ବି କଲି।ବିଭିନ୍ନ ଗଛ ଯେପରିକି ଅମୃତଭଣ୍ଡା, ଆମ୍ବ,ପିଜୁଳି,ନଡ଼ିଆ କଖାରୁ ଲଗା ଗଲା।ନାନା ଜାତିର ଫୁଲ ଗଛ ବି ଲଗାଇଲୁ।ସେ ବର୍ଷ ଶୀତ ଦିନେ ଏତେ ଗେଣ୍ଡୁ ଫୁଲ ଲଗାଇଥିଲି ଓ ଏତେ ବଡ଼ ବଡ଼ ଫୁଲ ଫୁଟିଲା ଯେ ଲୋକେ ଦେଖିବାକୁ ଆସିଲେ।ବଗିଚାରେ ଏତେ ଗଛ ଲଗାଇଦେଲି ଯେ ପାଦ ପକାଇବା ପାଇଁ ଜାଗା ଟିକେ ରହିଲାନି।ଲୋକେ କହିଲେ ଦେଖିଲ କି ମେହେନତି ଦିଦି ଟି।ପାଠ ପଢ଼ାଉଛି ଗାଁ କମ୍ପୁଛି,ପୁଣି କେଇଟା ଦିନରେ ବଗିଚା ରୂପ ରେଖ ବଦଳେଇ ଦେଲେ!।ପିଲା ଖୁସି,ସାର୍ ଖୁସି ଗାଁ ଲୋକେ ବି ଖୁସି।


       କିନ୍ତୁ ସମସ୍ତେ ଗୋଟିଏ କଥା କହିଲେ।ଦିଦି ସିନା ଫୁଲ ଫଳ ଏତେ କଷ୍ଟ କରି ଲଗାଉଛନ୍ତି ଏଠି ଯେଉଁ ଚୋର ଲୋକ ଅଛନ୍ତି ତାଙ୍କ ହାବୁଡ଼ରୁ ବର୍ତ୍ତିଲେ ହେଲା।ଚୋର ପୁଣି କାହାକୁ ଇଙ୍ଗିତ କରନ୍ତି ସେଇ ସ୍କୁଲ ଆଗ ମଉସା ମାଉସୀଙ୍କୁ।ସେମାନେ କୁଆଡେ ଆଖିରୁ କଳା ନେଇ ଯାଆନ୍ତି।ମୁଁ ସବୁ ସହିବି ହେଲେ ଫୁଲ ଗଛରୁ ଫୁଲ କିଏ ଛିଣ୍ଡେଇଲେ ଆଦୌ ସହି ପାରିବିନି।

  

        ବଡ଼ଦିନ ଛୁଟି ଦୁଇ ଦିନ ଥାଏ।ଫୁଲରେ ମୋ ବଗିଚା ହସ ଦେଖିଲା ପରି।ଉପର ଅଫିସର ଯିଏ ଆସନ୍ତି ବଗିଚା ଦେଖି ପେଟ ପୁରି ଯାଏ ତାଙ୍କର।ସବୁ ଶ୍ରେୟ ମୋ ପାଖକୁ ଆସେ।ମୁଁ କିନ୍ତୁ ପ୍ରଶଂସା ବାଣ୍ଟିଦିଏ ମୋ ପିଲାଙ୍କୁ ଓ ମୋ ସହକର୍ମୀ ଙ୍କ ନାଁ କହି।ମୋର ସିନା ଶ୍ରମ,ଶରଧା ସେମାନଙ୍କର ଦେଖାରଖା,ପ୍ରୋତ୍ସାହନ ମୋତେ ସିନା ଏତିକି ସଫଳତା ଦେବାରେ ସହାୟକ ହୋଇଛି।ସବୁ ପ୍ରଶଂସା ଏକା ନେଇଗଲେ ଅନ୍ୟ ମାନଙ୍କର ଚକ୍ଷୁ ଶୀଳ ହେବ।ସହି ପାରିବେନି ।ଏଣୁ ବୁଦ୍ଧିମାନର କାମ ପ୍ରଶଂସା ବାଣ୍ଟିଦେବା।ଏହା ଦ୍ୱାରା ସଭିଙ୍କ ପ୍ରିୟ ପାତ୍ର ହୋଇ ପାରିବ।ଅତଏବ ମୋର ସମସ୍ତେ ଭଲ ବନ୍ଧୁ ଓ ମୁଁ ସଭିଙ୍କ ପ୍ରିୟ ଥିଲି।ସାର୍ ମାନେ ବି କହିଲେ ହଁ ଛୁଟିରେ ବଗିଚାରେ ଗୋଟିଏ ଫୁଲ ରହିବନାହିଁ।ଲୋକେ ଚୋରି କରି ନେଇଯିବେ।


      ଏ କଥା ଶୁଣି ମୋତେ ବ୍ୟସ୍ତ ଲାଗିଲା।ଫୁଲ ଛିଣ୍ଡେଇ ନେବେ!!ଫଳ ପଛେ ନିଅନ୍ତୁ,ଫୁଲ ନେବା ମୁଁ ସହି ପାରିବିନି।ମୋ ମୁଣ୍ଡକୁ ଗୋଟିଏ ବୁଦ୍ଧି ଆସିଲା ।

ହେଡ ସାର୍ ଙ୍କୁ କହିଲି ସାର୍ ଆପଣ ସ୍କୁଲ ମଉସା ମାଉସୀଙ୍କୁ ବଗିଚା ଛୁଟିରେ ଦେଖା ଚାହାଁ କରିବା ଦାୟିତ୍ୱ ଦିଅନ୍ତୁ ସ୍କୁଲ ଏସ ଏମ୍ ସି ସଦସ୍ୟ ଓ ପ୍ରେସିଡେଣ୍ଟଙ୍କୁ ପଚାରି।ମିଟିଂ ଟିଏ ହେଲା ସେ ବର୍ଷ ବଦଦିନ ଛୁଟିରେ ମଉସା ମାଉସୀ ଙ୍କୁ ବଗିଚା ଟିକେ ଦେଖିବାକୁ ଦାୟିତ୍ୱ ଦିଆ ଗଲା।ଏହା ବଦଳରେ କିଛି ପାନ ଖିଆ ବି ଦିଆଯିବ ବୋଲି କୁହା ଗଲା।ସବୁ ସାର୍ ମୂର୍କି ହସି କହିଲେ ବାଃ ଦିଦି ଚୋର ହାତରେ ଚାବି କାଠି ଦେଲେ!!!ରହିବଟି ଆଉ କିଛି!!


         ଅବିଶ୍ୱାସ ହେଲା କିନ୍ତି ସ୍କୁଲ ଖୋଲିଲା ପରେ ବଗିଚା ଦେଖି।ସବୁ ଫୁଲ ସେମିତି ହସୁଥିଲେ ଖିଲି ଖିଲି।ପୁରା ଚକା ଚକ୍ ସଫା ସାରା ବଗିଚା।ପାଣି ବି ଦିଆ ଯାଇଛି।ଅମୃତଭଣ୍ଡା ଗଛରେ ସେମିତି ନଦି ହୋଇଛି ଫଳ।ନଡ଼ିଆ ବି ଗୋଟିଏ କେହି ନେଇନି ପୁରୁଣା ଆଗରୁଥିବା ଗଛରୁ।ସମସ୍ତେ ଅବାକ୍।ଏ ନୂଆ ଦିଦି କିମିଆ ଜାଣିଛନ୍ତି।ଚୋର ଗୋଟିଏ କିଛି ବି ଚୋରି କରିନି!!!


      ମୁଁ ଜାଣିଥିଲି ଚୋର ହାତରେ ଚାବି କାଠି ଦେଲେ ସେ ନିଜ ସହ ଅନ୍ୟ ଚୋରଙ୍କୁ ବି ଠିକ୍ ଜଗିବ।ଖୁସି ହୋଇ ତାଙ୍କୁ ମୋ ତରଫରୁ ପାଞ୍ଚଶହ ଟଙ୍କା ଦେଲି।ନାହିଁ ନାହିଁ କରୁଥିଲେ ଜବରଦସ୍ତ ମାଉସୀଙ୍କ ହାତରେ ଗୁଞ୍ଜି ଦେଇ ଆସିଲି।


      ବାସ୍ ସେବେଠୁ ଲାଗିଗଲା ଗୋଟେ ମାୟା।ପ୍ରାୟତଃ ସେମାନେ ମୋତେ ଭଲ ମନ୍ଦ ପଚାରନ୍ତି ମୁଁ ବି ସେମାନଙ୍କୁ ।ମାଉସୀଙ୍କ ମୁଣ୍ଡ ବାରମ୍ବାର ବିନ୍ଧେ।କୁହନ୍ତି ଅଦା ପକା ଚା ଖାଇଦେଲେ ବାଗ ହୋଇଯାଏ।ତା ଆରବର୍ଷ ଦଶହରା ଛୁଟି ପୂର୍ବରୁ କିଛି ବିସ୍କୁଟ,ଚୂଡ଼ା ଓ ମିକ୍ସଚର ଥିଲା ସ୍କୁଲରେ।ଏ ସବୁ ନେଇ ମୁଁ ସ୍କୁଲରେ ରଖିଥାଏ।ପିଲାଛୁଆ ସଂସାରରେ ଅନେକ ଦିନ ଅଖିଆ ସ୍କୁଲ ଯିବାକୁ ପଡେ ସମୟ ଅଭାବରୁ।ଭୋକ ହେଲେ ସ୍କୁଲରେ ଚୂଡ଼ା କି ବିସ୍କୁଟ ବା ମିକ୍ସଚର ଖାଇ ନିଏ।ସେଥିରୁ କିଛି ବଳିଥିଲା।ରହିଲେ ଫିମ୍ପି ମାରିଯିବ।ଏଣୁ ମାଉସୀଙ୍କୁ ଡାକି କହିଲି "ମାଉସୀ ସ୍କୁଲ ଛୁଟି ଖୋଲିଲା ବେଳକୁ ଏ ଖାଦ୍ୟ ନଷ୍ଟ ହୋଇଯାଇଥିବ।ଫିଙ୍ଗିବି କାହିଁକି ଆପଣଙ୍କ ଗାଈକୁ ଖୁଆଇଦେବେ"।ମାଉସୀ ହସି ହସି କହିଲେ ଗାଈ କାଇଁ ଖାଇବ ଆମେ ଚା ରେ ଖାଇଦେବୁ।ଝିଅ ଜିନିଷ ଫିଙ୍ଗିବୁ କାହିଁକି?ଏତିକି କଥାରେ କେମିତି କେମିତି ଗୋଟେ ଅତ୍ମୀୟତା ପୁରି ରହିଥିଲା।ଖୁ ଖୁସି ଲାଗିଲା ଏମିତି ଆପଣାର ପଣ ଦେଖି।

 

   ମାତ୍ର ସ୍କୁଲ ଖୋଲିଲା ବେଳକୁ ଗୋଟିଏ ଦୁଃଖଦ ଖବର ମୋତେ ଅପେକ୍ଷା କରିଥିଲା।ମାଉସୀଙ୍କ ପ୍ରାୟତଃ ମୁଣ୍ଡ ବିନ୍ଧେ।ଚା କି ଟୁଣୁ କା ଟୁଣୀକୀ ଔଷଧ ଖାଇ ରହିଯାନ୍ତି।ଏଥରକ କିନ୍ତୁ ହଠାତ୍ ପଡି ବେହୋସ୍ ହୋଇଗଲେ।ଡାକ୍ତର ଖାନା ଗଲେ ବ୍ଲଡ଼ ନାହିଁ ସିଭିୟର ଗ୍ୟାସ୍ ବୋଲି ଡାକ୍ତର କହିଲେ।ଚାରି ପାଞ୍ଚ ଦିନ ମେଡ଼ିକାଲରେ ରହି ଦିଟା ବ୍ଲଡ଼ ନେଇ ଫେରିଛନ୍ତି।ଆଉ ଉଠୁ ନାହାନ୍ତି।


    ମନଟା ଖରାପ ଲାଗିଲା। ଦି ଚାରି ଦିନ ପରେ ପୁଣି ବେହୋସ୍ ହୋଇ ପଡିଲେ।ଏଥରକ କଟକ ମେଡ଼ିକାଲ ନିଆଗଲା।ସେଠୁ ଡାକ୍ତର ଦେଖି ତାଜୁବ୍।ବ୍ରେନ ଟିୟୁମର୍ ହୋଇ କ୍ୟାନ୍ସରର ଲାଷ୍ଟ ଷ୍ଟେଜ।ଏ ଲୋକ ଏପରି ଭୟାନକ ଯନ୍ତ୍ରଣା କେମିତି ସହ୍ୟ କରି ଆଜି ଯାଏ ଥିଲେ ଭାବି ଚକିତ ହେଲେ।ୟାଙ୍କ କାମ ଆଉ କିଛି ନୁହେଁ।ଅତି ବେଶୀରେ ମାସ ଭିତର କଥା।ତାଙ୍କ ପାଇଁ କିଛି କରିହେବନି।କାରଣ ଖପୁରୀ ଉପରେ ବେଲୁନ ପରି ଫୁଲିବା ଆରମ୍ଭ କଲାଣି।ଏ ଫାଟିଯିବ ଓ ରୋଗୀ ମୃତ୍ୟୁ ସୁନିଶ୍ଚିତ।


     ଡାକ୍ତର ଫେରେଇ ଦେଲେ ଘରକୁ।ଖାଲି ପବନ ଚାଲେ ମାଉସୀଙ୍କର।ମୁଣ୍ଡ ଉପର ସତରେ ଦିନକୁ ଦିନ ଫୁଲୁଥାଏ ବଡ଼ ହୋଇ।ଆସ୍ତେ ଆସ୍ତେ ଆଠ ଦିନ ଭିତରେ ପାଞ୍ଚ ବର୍ଷର ପିଲା ପରି ନିଶ୍ଚଳ ହୋଇ ପଡ଼ିଥାନ୍ତି ସେ।ଲୋକେ ପ୍ରସ୍ତୁତ ହେଉଥାନ୍ତି ସେ କେତେବେଳେ ମରିବେ ବୋଲି।କାଠ କାଟି ବି ସଙ୍ଗାଡ଼ ପାଇଁ ରଖା ଗଲାଣି।କେଜାଣି ଆଉ ଭଲ ଲାଗେନି ସ୍କୁଲରେ କି ପାଠ ପଢେଇବାରେ ମୋତେ ।ଏଇ କଣ ମଣିଷ ଜୀବନ!!

    ମୋତେ ବରାବର ଗୋଟିଏ ପ୍ରଶ୍ନ ଖାଇ ଗୋଡାଉଥାଏ।ଏତେ କଷ୍ଟ ମାଉସୀ କେମିତି ବରଦାସ୍ତ କଲେ!ଅନେକ ସମୟରେ କହି କାନ୍ଦନ୍ତି ପୁଅଟି ପାଠ ଶାଠ ପଢିଲାନି।ଗରିବ ଲୋକ।କେମିତି ବଂଚିବୁ!ଯାଇ ତାଇ ଚାଷ ବାସ କରି ସେମାନେ ବଞ୍ଚିଗଲେ।ଜମି ବିକି ବଡ଼ ଝିଅ ଦୁଇଟିଙ୍କୁ ବାହା କରି ଦେଇଛନ୍ତି।ଏ ପୁଅଟି କଣ କରିବ,ସେଥିରେ ପୁଣି ଗଞ୍ଜେଇ ମଦ ଖାଉଛି,ଛୋଟ ଛୁଆଟା।


         ଏଇ ଅଭାବ ପାଇଁ କି ଅସହ୍ୟ କଷ୍ଟ ସହି ଥୁଲେ ମାଉସୀ!!ବେଳ ଥାଉଁ ଚିକିତ୍ସା କରାଇଥିଲେ ହୁଏତ କିଛି ହୋଇଥାନ୍ତା।ଲୋକେ କୁହନ୍ତି ଏ ମୁଣ୍ଡ ବିନ୍ଧା,ବେହୋସ୍ ହେବା, ବାଡେଇ ପିଡ଼ି ହେବା ରୋଗ ପାଞ୍ଚ ବର୍ଷ ହେଲା ହେଲାଣି।ପଇସା ଖର୍ଚ୍ଚ ଭୟରେ କାହାକୁ କୁହେନି।କେମିତି ସହି ଯାଏ କେଜାଣି!!


        ସତରେ ଦୁଇ ଓଳି ଭଲ ଖାଇବା ତାଙ୍କ ଭାଗ୍ୟରେ ଜୁଟେନି ଯାହା ମୁଁ ଅନୁଭବ କରିଛି,ଦେଖିଛି ବି।କାବା ବି ହେଲି ଏଇ କଣ ଗୋଟିଏ ବୋଉ!!ଏଇ କଣ ଜଣେ ସ୍ତ୍ରୀ!!ଯେ ମରିବାକୁ ଉଚିତ ମଣିଲା ପଛେ ମୋତେ ନିଅ , କେଉଁଠି ଦେଖାଅ, ମୋର କଣ ହେଉଛି କହିଲାନି!!!


       ପ୍ରାୟତଃ ସ୍କୁଲ ଛୁଟି ପରେ ମୁଁ ପ୍ରତିଦିନ ମାଉସୀଙ୍କୁ ଦେଖା କରି ଆସେ।ମାଉସୀ ନୁହେଁ ତ ହାଡ଼ ଦି ଖଣ୍ଡ ପଡିଥାଏ ତଳ ଶେଯରେ।ମୁଣ୍ଡଟି କିନ୍ତୁ ପଲମ ପରି ବଡ଼ ହୋଇଥାଏ ଖପୁରୀ ଉପର।ଗୁରୁବାର ଛୁଟି ପରେ ଦେଖି ଆସିଥିଲି।ଶୁକ୍ରବାର ଗୋଟିଏ ଛୁଟି ଥିଲା।ଶନିବାର ସକାଳୁ ସ୍କୁଲ ଗଲା ବେଳକୁ ଖାଁ ଖାଁ ଲାଗୁଥିଲା।ଗଦାଏ ଓଦା ଲୁଗା ଗୋଟିଏ ଜାଗାରେ ପଡିଥିଲା।ଲୋକେ ଚୂଲି ପାରୁଥିଲେ।ମୋତେ ଦେଖି ପିଲା ମାନେ ଦଉଡ଼ି ଆସି କହିଲେ ପାରୁ ମାଉସୀ କାଲି ମରିଗଲେ ଦିଦି। ଏକଥା ଶୁଣି ମୋତେ ସବୁ କେମିତୁ ଶୁନ୍ୟ ଶୁନ୍ୟ ଲାଗିଲା।ଭାରି ଅସ୍ବସ୍ଥି,ଅସ୍ଥିର ଲାଗିଲା।


      ଆଜି ତାଙ୍କ ଏଗାର, ମଉସା ବାଧ୍ୟ କରି ଆମ ସବୁ ସାର୍ ମାମ୍ ଙ୍କୁ ଖାଇବାକୁ ଡାକି ନେଇଛନ୍ତି ସ୍କୁଲ ଛୁଟି ପରେ।ମୋତେ ଖୁବ୍ କଷ୍ଟ ହେଉଛି।କଣ ଖାଇବି।ମାଉସୀ ନାଚି ଯାଉଛନ୍ତି ମୋ ଆଖିରେ।ଦିଶି ଯାଉଛି ତାଙ୍କ ସଖୀ କଣ୍ଢେଇ ପରି ଚେହେରା ଓ ହସ।ଖାଇବାକୁ ମନା କଲାରୁ ମଉସା ଅଭିମାନରେ କହିଲେ" ତୁମକୁ ଭାରି ଭଲ ପାଆନ୍ତି ମାଉସୀ।ତୁମେ ନ ଖାଇଲେ ମୋତେ ରାଗିବେ"।ଏଇତକ କହି ମଉସାଙ୍କ ଆଖିରୁ ଝରି ପଡୁଥିବା ଲୁହ ତାଙ୍କ ଗାମୁଛା ପିଇଗଲା ଓ ମୋର ରୁମାଲ୍।



Rate this content
Log in

Similar oriya story from Tragedy