STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଲାଲ୍ ଲିଲି

ଲାଲ୍ ଲିଲି

4 mins
54



ଚାକିରୀ,ଘର ସବୁ ତ ମିଳିଲା।ମିଳିଲା ନାହିଁ ଜୀବନ।ଲାଲ୍ କୋଠା ଗୋଟେ ହୋଟେଲ,ସେଠାରେ ମୁଁ ଚାକିରୀ କରେ।ଦୂରରୁ କି ଅନ୍ୟ ସହରରୁ ଆସୁଥିବା ବଡ଼ ବଡ଼ ବାବୁ ମାନଙ୍କର ରହିବା ଖାଇବା,ମନ ଖୁସି କରିବା ସମସ୍ତ ବନ୍ଦୋବସ୍ତ ରହିଛି ଏଠି।ମୋର ସେମିତି କାମ କିଛି ନାହିଁ।ବଡ଼ ବଡ଼ ବାବୁମାନେ ଆସିଲେ ମୋତେ ପାଣି,ଚା,ଜଳଖିଆ ନେଇ ଦେବାକୁ ହୁଏ।ସକାଳୁ ଆସେ ଯେ ଯାଏ ରାତି ଆଠଟାରେ।ଇଏ ଗୋଟେ କାମ।ବସି ବସି ମୁଁ ହାଇ ମାରେ।ମୋ ଦେହ ବଥା ହୁଏ।କାମିକା

ଖଟିଲା ଶରୀର ଆମର।ଏ ବସା ଶୁଆ କାମ ମୋ ମନକୁ ପାଉ ନଥିଲା।ମୋ ପରି ଅନେକ ପୁରୁଷ ମହିଳା ସେଠି କାମ କରୁଥିଲେ। ଲୋକେ ଆସନ୍ତି,ବସନ୍ତି,କଣ କଥା ହୁଅନ୍ତି; ଖାଆନ୍ତି,ପିଅନ୍ତି ଓ ଚାଲି ଯାଆନ୍ତି।

 

ମାସ ଶେଷରେ ଦଶ ହଜାର ଟଙ୍କା ଖାମ୍ ଭିତରେ ନେଇ ଯେତେବେଳେ ବ୍ରହ୍ମା ହାତରେ ଧରେଇଲି ଓଃ କି ଖୁସି ସେ।କହିଲା ଦେଖିଲୁ ଆମକୁ ଘର ଦେଇଛନ୍ତି ରହିବାକୁ

,ତୋତେ ଖାଇବା , ୟୁନିଫର୍ମ ଦେବା ସହ ମାସକୁ ଦଶ ହଜାର।ମୁଁ କଣ କହୁଥିଲି ଆମର ଦୁଃଖର ଦିନ ଗଲା ଜାଣ।


ହେଲେ ମୋ ମନ ବୁଝୁ ନଥିଲା।ସେ ଲାଲ୍ କୋଠାରେ କି କାମ ହୁଏ? ବଡ଼ ବଡ଼ ବାବୁ ମାନେ ଆସନ୍ତି କାହିଁକି?।ସଜେଇ ହୋଇ ଅନେକ ସୁନ୍ଦରୀ ଝିଅ ବି ଆସନ୍ତି।କି କାମ ହୁଏ ତା ଭିତରେ ଜାଣିବାକୁ ମୋ ଭିତରେ ଉତ୍ସାହ ବଢି ବଢି ଚାଲୁଥିଲା।ମାସେ ଦିନ ଡିୟୁଟି ପରେ ମାସେ ରାତି ଡିୟୁଟି କରିବାକୁ ମୋତେ କୁହା ଗଲା।ରାତିରେ ମୁଁ ଜଣେ ତରୁଣୀ କି କାମ କରିବି?ରାତି ସାରା ଏଠି କାମ ହୁଏ ନା କଣ?ବ୍ରହ୍ମା କହିଲା ତୁ ତ ଆମ୍ବ ଖାଇବା ଲୋକ ତୋଟା ମୂଲ କରୁଛୁ କିଆଁ।ଆମେ ତ ଚାକିରୀ କରିଛେ,ଖଟିବା ସେ ରାତି ହେଉ କି ଦିନ।ଏଥିରେ ଫରକ୍ କଣ ପଡୁଛି।


ମୋତେ ଫରକ୍ ପଡୁଛି।ସେ ଲାଲ୍ କୋଠାରେ କି କାମ ହୁଏ ମୁଁ ଜାଣି ନାହିଁ।କିନ୍ତୁ ମୋତେ ଲାଗେ ସେଠି କିଛି ଖରାପ କାମ ହୁଏ।ରାତି ଡିୟୁଟିରେ ମୋ କାମ ବଦଳି ଗଲା।ଏଥରକ ପ୍ରତି ରୁମ ସାଜ ସଜା କରିବା ସହ ଡ୍ରିଙ୍କସ୍ ନେଇ ବାବୁ ମାନଙ୍କ ପାଖକୁ ଯିବାକୁ କୁହା ଗଲା।କିନ୍ତୁ ମୁଁ......ଅରାଜି ହେବାରୁ ସମସ୍ତେ ହସିଲେ।ଏଠି କେହି କୌଣସି କାମ କରିବାକୁ ମନା କରନ୍ତି ନାହିଁ।ନୂଆ ଚଢେଇ ଉଡା ଶିଖିନ ତ..ସେଇ ପାଇଁ ଏମିତି କହୁଛ।ବୁଝିଲ ଏଠି କାମ କରିବାକୁ ଆଦେଶ ଦିଆଯାଏ।କାହାର ମର୍ଜି ପଚରା ଯାଏନି।ଥରେ ଏ ଲାଲ୍ କୋଠାରେ ପଶିଛ ମାନେ ଯିବାର ମନ ଆଦୌ ବଳାଇବ ନାହିଁ।ସୁନା ଝିଅ ପରି କାମ କଲେ ତୁମର ଫାଇଦା।ନଚେତ ଖୁବ୍ ହଇରାଣ ହେବ।କହିଲେ ମ୍ୟାନେଜର।


ବାସ୍! ଏଇଠୁ ହଜି ଗଲା ବ୍ରହ୍ମାର ହିରୋଇନ୍।ଭାଇର କଣ୍ଢେଇ,ଗେହ୍ଲଇ ଲିଲୁ।ମୁଁ ହୋଇଗଲି ଲାଲ୍ କୋଠାର "ଲାଲ୍ ଲିଲି।"ମୋତେ ପଞ୍ଜୁରୀରେ ପୁରାଇବା କୌଶଳ ଖୁବ୍ ଆପଣେଇଁ ଥିଲେ ବ୍ରହ୍ମାର ବାବୁ ମାନେ।ପ୍ରଥମେ ୱେଟର ପରି କାମରୁ ମୋତେ ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ କରାଗଲା।ମାସକ ପରେ ଦରମା ଦ୍ଵିଗୁଣ ବଢିଗଲା।ମାସିକ କୋଡିଏ ହଜାର।କୋ ..ଡି...ଏ ହଜାର।ମୋତେ ଘଷି ମାଜି ବିୟୁଟି ପାଲରରେ ପୁରା ହିରୋଇନ୍ ସଜାଇ ଦିଆଗଲା।ମୋ ହାତରୁ ଡ୍ରିଙ୍କସ୍ ନେବାକୁ ବାଉଳା ହେଲେ ମୁଖା ପିନ୍ଧା ତଥା କଥିତ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ।କେବେ ଦିନ ଡିୟୁଟି ତ କେବେ ରାତି ଡିୟୁଟି।ଦିନ ରାତିର ଫରକ କେବଳ ଆମ ପରି ଖଟି ଖିଆ ଲୋକେ ହିସାବ ରଖନ୍ତି।ଏ ଲାଲ୍ କୋଠାରେ ଦିନ କି ରାତି କିଛି ମାଇନା ରଖେନା।ଏଠି ପ୍ରାଧାନ୍ୟ ଦିଆଯାଏ ଟଙ୍କା ଉପରେ।ମୋଟା ଅଙ୍କର ଅଫର୍ ତ ଖୁବ୍ ସୁନ୍ଦରୀ ମହିଳାଙ୍କ ସାନିଧ୍ୟ ମିଳି ଯାଏ ଅନାୟାସରେ।


ଏଇଟା ଯେ ହୋଟେଲ କମ୍ ରଙ୍ଗ ଶାଳା ବା ବାର୍ ଅଧିକ; ଏକଥା ବୁଝିବାକୁ ମୋତେ ଅଛପା ରହିଲା ନାହିଁ।ସବୁଠାରୁ ଆଶ୍ଚର୍ଯ୍ୟ ଏ ସଂସ୍ଥା ସବୁ ସ୍ୱୀକୃତି ଲାଭ କରିଛି।ଏହାର କାହାକୁ ଡର ନାହିଁ।ଏ କେମିତିକା ବ୍ୟବସାୟ;ଯାହା ଘର ଉଜାଡେ,ମଣିଷଙ୍କୁ ବିପଥ ଗାମୀ କରେ!!ମୋ ଗାଉଁଲି ମଗଜରେ ଏ କଥା ପଶିବା ବାହାରେ ଥିଲା।


ମୁଁ କଣ ଏଇ ଜୀବନ ଚାହିଁଥିଲି?ବ୍ରହ୍ମାକୁ କହିଲେ ସେ କୁହେ "ତୁ କାମରେ ମତଲବ ରଖ।ଆମର କଣ ଯାଏ କିଏ କଣ କ

ଲା।ଟିକେ ସଜେଇ ହୋଇ କାହାକୁ ଖାଇବାକୁ ଦେଉଛୁ କି ପିଇବାକୁ ଦେଉଛୁ,ଏଥିରେ ତୋର କଣ କ୍ଷତି ହୋଇ ଯାଉଛି?ବୁଇ : ଆମ ଝିଅ ଦେଖ୍ କେଡେ ବଡ଼ ସ୍କୁଲରେ ପଢୁଛି।ବଡ଼ ହଷ୍ଟେଲରେ ରହୁଛି।ମୋତେ ଦେଖ ମୁଁ କେମିତିକା ଗାଡି ଚଢୁଛି।ଆମର ଗୋଟେ ଷ୍ଟାଟସ୍ ହେଲାଣି।କେତେ କେତେ ବଡ଼ ବାବୁ ମୋତେ ବ୍ରହ୍ମା ବାବୁ କହି ସଲାମ୍ ଠୁଙ୍କୁଛନ୍ତି।ତୁ କଣ ଏଥିରେ ଖୁସି ନୋହୁଁ ହିରୋଇନ୍!


ମୁଁ ବଲ ବଲ କରି ଅନାଏଁ ବ୍ରହ୍ମା ମୁହଁକୁ।କୁହୁଡି ପହଁରୁଛି ବିଚରା।ହାତ ବାରିସି କରି ବାବୁ ମାନେ କେତେ ଅନୈତିକ କାମ ତୋ ହାତରେ କରାଉଛନ୍ତି।ସବୁଦିନ କଣ ଏମିତି ଚାଲିବ?କେବେ ନା କେବେ ତୁ ଧରା ପଡିବୁ ।ସେତେବେଳେ କଣ ହେବ ରେ ବ୍ରହ୍ନା!


ତୁ ଖାଲି ମିଛଟାରେ ଛାନିଆଁ ହେଉଛୁ।କିଏ ମୋର କଣ କରିବ।ମୁଁ କଣ ମଣିଷ ମାରୁଛି ନା ବମ୍ ପକାଉଛି।କେତେବେଳେ କେମିତି ଗୋଟେ ଗୋଟେ ବ୍ୟାଗ୍ ଜଣଙ୍କ ପାଖରୁ ନେଇ ଆଉ ଜଣକୁ ଦେଉଛି।ଏ କାମ ପୁଣି ମାସକୁ ଥରେ ଅଧେ।ୟା ବଦଳରେ କେତେ ମାଲ୍ ମିଳୁଛି ଜାଣିଛୁ।ଅପେକ୍ଷା କର ମୁଁ ଏ ସହରରେ ଜାଗା କିଣି କୋଠା ବନେଇଁବି।ବାବୁ ହେବି ବାବୁ।ତୁ ସେତେବେଳେ ଚାକିରୀ ଛାଡ଼ିଦେବୁ।ବସି ଖାଇବୁ,

ବୁଝିଲୁ।"


ବ୍ରହ୍ନା ରେ! ଚାଲେ ଆମେ ଆମ ଗାଁ କୁ ପଳେଇବା।ଶାଗ ଭାତର ଆନନ୍ଦ ଜୀଇଁବା।ଏ ମାଛ,ମାଂସ ମୋତେ ଅଣ ନିଃଶ୍ଵାସୀ କରିଦେଉଛି।ଦରକାର ନାହିଁ ଗାଡ଼ି,ଜାଗା କି କୋଠା।ଜୀବନ ପାଇଁ ଏସବୁ ଅପେକ୍ଷା " ଖୁସି" ଟିକେ ଲୋଡ଼ାରେ ବ୍ରହ୍ମା।ସତ କହିଲୁ ତୁ କଣ ଏ ଜୀବନରେ ସତରେ ଖୁସି!!


ହା...କହି ହାତ ଚିଂଛାଡି ଦେଇ ବ୍ରହ୍ମା କହିଲା ; ତୁ ସେଇ ମଫୁ,ଚୁଡା ଢୋଲ ହୋଇ ରହିଗଲୁ ଲୋ ହିରୋଇନ୍।ରାଣୀ ଜୀବନ ଜୀଉଁଛୁ ତେବେ ବି ଅଶାନ୍ତି।ହୁଁ...ଘୁଷୁରିକୁ ପାଚିଲା କଦଳୀ ରୁଚିବକି।ଯା...ଯା ତୋ କାମ ଯିବା ସମୟ ହୋଇଗଲାଣି।ବାବୁ କହୁଥିଲେ ତୋ କାମରେ ସେ ଭାରି ଖୁସି।ଏଥରକ ପୁଣି ତୋ ଦରମା ବଢ଼ାଇ ଦେବେ।


ବ୍ରହ୍ମା...!ଆହତ ଅଭିମାନରେ କାନ୍ଦି କାନ୍ଦି ମୁଁ କହିଲି ବୋଧେ ଏଥରକ ମୁଁ କାହାର ଆଖିରେ ପଡିଛି।ସେ ମୋତେ ଶିକାର କରିବ।ତୁ ପୁରୁଷ ଟି।କେମିତି ବାଧୁନି ତୋତେ ତୋ ସ୍ତ୍ରୀ ଟା କି ବାଜେ କାମ କରୁଛି।ଯିଏ ତୋ ବଗିଚାର ଫୁଲ ତାକୁ ଅନ୍ୟ କିଏ ଲୋଭିଲା ଆଖିରେ ଚାହିଁବ।କୋମଳ,ସୁନ୍ଦର ଫୁଲକୁ ଆଉ କିଏ ଆଉଁସିବ,ତୁ କେମିତିକା ବିଗିଚା ମାଲିକ ରେ ତୋତେ କିଛି ଫରକ୍ ପଡୁନି।ଈର୍ଷା ହେଉନି ତୋତେ!


"ଛାଡ଼ ସେ ବାଜେ କଥା।ମୋର ସମୟ ହେଲାଣି।ଆଜି ବି ଗୋଟେ ବ୍ୟାଗ୍ ଗୋଟିଏ ହାତରୁ ଅନ୍ୟ ହାତକୁ ନେଇ ଦେବାର ଦାୟିତ୍ୱ ମୋ ଉପରେ ଅଛି।ମୁଁ ଯାଉଛି ହିରୋଇନ୍।ଘର ତାଲା ଦେଇ ତୁ ବି ବାହାରି ପଡ଼।ତୋତେ ଛାଡି ଦେଇ ଯିବି।ବ୍ରହ୍ମା ଯେ ଆଉ ମଣିଷ ହୋଇ ନାହିଁ,ବଡ଼ ଲୋକୀ ନିଶା,ଟଙ୍କାର ମୋହ ତା ପୁରୁଷ ପଣିଆଁକୁ ଖାଇ ସାରିଲାଣି; ଏକଥା ବୁଝିବାକୁ ଆଉ ମୋତେ ବାକି ରହିଲା ନାହିଁ।ଇଏ କଣ ସେଇ ବ୍ରହ୍ମା....ଯେ ଦିନେ ମୋତେ ବିଜୁ ସାଇକେଲ ପଛରେ ବସିବା ଦେଖି ସହି ପାରି ନଥିଲା.....!


ସେଇ ଯେ ବ୍ରହ୍ମା ଗଲା ଆଉ ଫେରିଲା ନାହିଁ।ପୋଲିସ ହାତରେ ଧରା ପଡି ଆଜୀବନ ଜେଲ ହୋଇ ଗଲା।ଆଉ ମୁଁ ଲାଲ୍ କୋଠାର "ଲାଲ୍ ଲିଲି" ଚାକିରୀ ନାଁରେ ମନୋରଞ୍ଜନ କରୁଛି ଅନ୍ୟର।କାହାକୁ ପିଆଇ ତ କାହାକୁ ଖୁଆଇ।ବ୍ରହ୍ମାର ବାବୁ କହିଛନ୍ତି ବ୍ରହ୍ମାକୁ ଜେଲରୁ ମୁକାଳି ଆଣିବେ।ମୁଁ ଯଦି କାମ ଛାଡିଦିଏ ସେ ବ୍ରହ୍ମାକୁ ମୁକାଳିବା କଥା ଭୁଲିଯିବେ।ଓକିଲ ଲଗାଇଛନ୍ତି ବ୍ରହ୍ମାକୁ ମୁକାଲିବାକୁ।କିନ୍ତୁ ଡ୍ରଗ୍ସ ମାମଲାରେ ତାର ବେଲ୍ ମିଳିବା ଆଉ ଯେ ସମ୍ଭବ ନୁହେଁ ଏକଥା ବୁଝିଲେ ବି ଅପେକ୍ଷା ରଖିଛି ବ୍ରହ୍ମା ଫେରିବ।ଏବେ ନହେଲେ ନାଇଁ ତା ଝିଅ ବୁଇ ଯେବେ ପାଠ ଶାଠ ପଢି ଅଫିସର୍ ହେବ,ହୁଏତ ତା ବାବାକୁ ମୁକୁଳାଇବ।


ଆଶାରେ ବାଇଆ ବସା ବାନ୍ଧେ ଉଚ୍ଚ ତାଳ ଗଛରେ।ଯଦିଓ ଝଡି,ବର୍ଷା,ପବନରେ ବସା ଭାଙ୍ଗିବା ସମ୍ଭାବନା ଯଥେଷ୍ଟ ଥାଏ।ସେମିତି ଲାଲ୍ କୋଠାରେ" ଲାଲ୍ ଲିଲି" ମୁଁ ଶେଷ ହିଁନ ଅପେକ୍ଷାରେ ଗୋଟେ ଗାଁର ସକାଳକୁ।




Rate this content
Log in

Similar oriya story from Tragedy