Madhabi Patel

Inspirational

4  

Madhabi Patel

Inspirational

କୁହୁଡି

କୁହୁଡି

3 mins
311


କୁହୁଡି,

ଅମୃତାର ଜୀବନର ଖୁସି ଏମିତି କୁହୁଡି ଘେରରେ କୋଉଠି ହଜି ଯିବ ବୋଲି କେବେ ଭାବିନଥିଲା।

ଦୀର୍ଘ ପାଞ୍ଚବର୍ଷର ଅପେକ୍ଷା ପରେ ତାର ପ୍ରିୟତମ ପୁରୁଷଟି ତା ପାଖକୁ ଫେରୁଥିଲା।ବିଗ୍ନେସ ନିଜ କମ୍ପାନୀ ତରଫରୁ ପାଞ୍ଚବର୍ଷ ପାଇଁ ବିଦେଶ ଯାଇଥିଲା ।

ନବ ବିବାହିତା ଅମୃତାର ର ଗୋଟିଏ ମୁହୂର୍ତ୍ତ ଗୋଟିଏ ଯୁଗ ପାଲଟି ଯାଇଥିଲା ବିଗ୍ନେସ ବିନା।ଘରକାମ ଓ ପଢାପଢିରେ ବୁଡେଇ ରଖୁଥିଲା ନିଜକୁ।ହେଲେ ରାତ୍ରୀରେ ସମସ୍ତେ ନିଶ୍ଚିନ୍ତରେ ନାକ ଘଁଟରି ଶୋଉଥିଲା ବେଳେ ସେ ଛଟପଟ ହେଇ ଗଡୁଥିଲା ପଲଙ୍କର ଏମୁଣ୍ଡ ସେମୁଣ୍ଡ।କେବେ ଆକାଶରେ ଚନ୍ଦ୍ରତାରାଙ୍କୁ ଅନେଇ ରହୁଥିଲା ତ କେବେ ଖଟରେ କରବଟ ବଦଳୁଥିଲା।କେବେ କେବେ ମାଆ ପଖକୁ ଚାଲି ଯାଉଥିଲା କିଛିଦିନପାଇଁ ମନ ଭୁଲେଇବାକୁ।ହେଲେ ସେଠିବି ଆଗପରି ଆଉ ଶାନ୍ତି ମିଳୁନଥିଲା।ସତରେ ବାହା ହୋଇଗଲାପରେ ଝିଅଟେ କେମିତି ଧିରେ ଧିରେ ଶାଶୁଘରର ହୋଇଯାଏ?

ସ୍ବାମୀ ସୋହାଗ ପାଇଲେ ଶାଶୁ ଶଶୁରଙ୍କ ଆଦର ପାଇଲେ ସେ ଏକ ନୂଆଁ ଜାଗାରେ ନିଜକୁ ପୁଣି ଠିଆ କରିନିଏ।ହେଲେ ସ୍ବାମୀ ବିନା ନା ଶାଶୁଘର ସୁଖ ଲାଗୁଥିଲା ନା ବାପଘର।କେବଳ ପ୍ରତୀକ୍ଷାର ଦିନ ଗଣିଗଣି ଚାଲିଥିଲା ସେ।

ହେଲେ ସେ ଦିନ ଥିଲା ଜାନୁୟାରୀ ଚଉଦ ତାରିଖ,ମକର ଯାତରା ଦିନ।ଗାଆଁରେ ମକର ଯାତ୍ରା ହେବ ବୋଲି ଲୋକଙ୍କ ମନରେ ଗହଗହ ଉତ୍ସାହ ଲହଡା ଭାଙ୍ଗୁଥାଏ।

ସକାଳ ସାତଟାବେଳେ ଫ୍ଳାଇଟ ପହଞ୍ଚିବ ବୋଲି ବିଗ୍ନେସ୍ କହିଥିଲେ।ସେଥିପାଇଁ ରାତିସାରା ଅମୃତାକୁ ନିଦ ନାଇଁ।ପାଞ୍ଚବର୍ଷ ହେଲା ଆଖି ଅପେକ୍ଷା କରିଛି ଯାହାକୁ ଆଜି ତାର ଦର୍ଶନ ହେବ।ତାଙ୍କର ସ୍ପର୍ଶସୁଖ ମିଳିବ।ତାଙ୍କ ବାହୁବନ୍ଧନ ଭିତରେ ବନ୍ଦିହୋଇ ସେ ନିଜକୁ ସଂପୂର୍ଣ ସମର୍ପି ଦେବ।ଜଣେ ଅଜଣା ମଣିଷ ବିବାହପରେ କେମିତି ନିଜଠୁ ଆପଣାର ବନିଯାଏ ସେ ଏବେ ବୁଝି ପାରୁଛି।ପତିପତ୍ନୀର ସଂପର୍କ ହେଉଛି ଆତ୍ମାର ସଂପର୍କ।ଦୁଇ ଆତ୍ମା ଏକ ହୋଇଗଲାପରେ ସେମାନେ ଅଭିନ୍ନ ହୋଇଯାନ୍ତି।ଜଣକ କଷ୍ଟ ଆଉ ଜଣେ ଅନୁଭବ କରିପାରେ।ସବୁବେଳେ ନିକଟତା ଖୋଜେ।ଆଉ ବିରହ ହେଲେ ତା ପାଇଁ ଦିନରାତି ସନ୍ତୁଳି ହୁଏ ମନ।


ଏୟାରପୋର୍ଟରୁ ଆସିବାକୁ କମ୍ ସେ କମ୍ ଦୁଇଘଣ୍ଟା ସମୟ ଲାଗିବ।ଅମୃତା ଏଭିତରେ ଘରକୁ ଭଲ ଭାବରେ ସଫା ସୁତର କରି ସଜାଇ ଦେଲା।ନିଜ ବେଡରୁମର ବେଡସିଟ୍ ବଦଳାଇ ଦେଇ ରୁମଫ୍ରେସନର୍ ମାରିଦେଲା ଘରସାରା। ତାପରେ ରୋଷେଇକୁ ଗଲା ବିଗ୍ନେସ ପସନ୍ଦର ଜଳଖିଆ ତିଆରି କରିବାକୁ।ଆଜି ଅନେକ ଦିନ ପରେ ନିଜ ଦେଶର ଖାଦ୍ୟ ଖାଇବାକୁ ମିଳିବ।

ସେ କିଛି ପିଠାବି ଛଣାଛଣି କରି ରଖିଲା।

ସବୁ କାମ ସାରି ବସିଛି ଯେ ବସିଛି।ଦଶଟା ବାଜିଲାଣି ତାଙ୍କର ଦେଖା ଦର୍ଶନ ନାଇଁ।ଫୋନ ଲଗାଇଲେ ଲାଗୁନି।ଏମିତି ବି ଫ୍ଲାଇଟ୍ ରେ ଫୋନ ସୁଇଚ୍ଅପ୍ ଥାଏ।ସେ ବଡ ଚିନ୍ତାରେ ଛଟପଟ ହେଉଥାଏ।ତା ଶାଶୁ ଶଶୁର ବି ପୁଅକୁ ଅପେକ୍ଷା କରିବସିଛନ୍ତି।ତାଙ୍କ ମୁହଁରେ ବି ବିକଳ ଭାବ ଝଲକି ଦିଶୁଛି।ଏତେଦିନ ଆଦରର ଧନ କୁ ଛାଡି ରହିବା ପ୍ରତି ମାଆ ବାପା ପାଇଁ କଷ୍ଟ ଦାୟକ ନିଶ୍ଚିତ ଭାବରେ।

ପ୍ଲେନ ପହଞ୍ଚିବାର ସମୟ ଅତିକ୍ରାନ୍ତ ହୋଇଗଲାଣି ଅଥଚ ଫୋନ କଲ୍ ଆସୁନି କି ଗାଡି ବି ଆସୁନି।ଶେଷରେ ମନକୁ ଭୁଲେଇବାକୁ ସେ ଟିଭି ରେ ଖବର ଲଗାଇଲା।ଟିଭିରେ ଦେଖାଉ ଥିଲା।ଅତ୍ୟଧିକ କୁହୁଡି ପାଇଁ ପ୍ଲେନ ଦୁର୍ଘଟଣାଗ୍ରସ୍ତ ହୋଇଛି।ଆଉ ସେ ପ୍ଲାଇଟରେ ହିଁ ବିଗ୍ନେସ ଆସୁଥିଲା।ଏବେ ଏତେ ବିଲମ୍ବ ହେବାର କାରଣ ସେମାନେ ଜାଣିପାରିଲେ।ଘରେ କ୍ଷଣକେ ଦୁଃଖର ପାହାଡ ଛିଡି ପଡିଲା। ଶଶୁରଙ୍କୁ ଧରି ସେ ଏୟାରପୋର୍ଟକୁ ପହଞ୍ଚିଲା।ସେଠି ଲୋକଙ୍କର ବଡ ଭିଡ ଲାଗିଥିଲା।ସଭିଏଁ ନିଜ ପରିବାରର ଦୁର୍ଘଟଣା ଗ୍ରସ୍ତ ସଦସ୍ୟଙ୍କୁ ନେବାକୁ ଆସିଥିଲେ।କାନ୍ଦ ବୋବାଳିରେ ଫାଟି ପଡୁଥାଏ ପରିବେଶଟି।ଏକ କରୁଣ ଲହରୀ ପ୍ରବାହିତ ହେଉଥାଏ ସେଠିକା ବାୟୁମଣ୍ଡଳରେ।କାହାର ଦୁଳାଳ କାହାର ଭାଇ କାହାର ପତି କୁ ହରାଇ କାନ୍ଦୁଥିଲେ ଲୋକେ।କିଏ ନିଜ ଝିଅ ବୋହୁଙ୍କୁ ହରାଇ ବିକଳ ରଡି କରୁଥିଲା।ଏମାନଙ୍କୁ ଦେଖି ଅମୃତାର ମନ ବି ଛଟପଟ ହେଉଥିଲା ।

ସେବି ମୃତକଙ୍କ ଲିଷ୍ଟରେ ବିଗ୍ନେସର ନାମ ଖୋଜିବାକୁ ଧାଇଁଗଲା।ସେ ଭଗବାନଙ୍କୁ ଡାକୁଥାଏ ତା ସ୍ବାମୀକୁ କୌଣସି ମତେ ଘଣ୍ଟ ଘୋଡେଇ ରଖିଥାନ୍ତୁ। ଏ ଲିଷ୍ଟରେ ତାଙ୍କର ନାଆଁ ନ ଥାଉ।ଭଗବାନ ବି ବଡ ନିର୍ଦୟ ପାଲଟିଲେ।ଲିଷ୍ଟରେ ବିଗ୍ନେସ ର ବି ନାମ ଥିଲା। ଅମୃତାର ସଂସାର ବସିବା ଆଗରୁ ଉଜୁଡି ଯାଇଥିଲା।କୁନି ଛୁଆଟେ କୋଳରେ ଧରିବାର ସ୍ବପ୍ନ ବୁଣୁଥିଲା ସେ।ଆଗତ ଭବିଷ୍ୟତରେ ସାକାର କରିବାକୁ ପ୍ରସ୍ତୁତି କରୁଥିଲା।ହେଲେ ଗଛଟାକୁହିଁ ଭଗବାନ କାଟିଦେଲେ।ତେବେ ଫଳ ଆସିବ କୋଉଠୁ?

ସେ ସେଇଠି ହିଁ କଚାଡିହେଲା ଭଙ୍ଗାଗଛଟେ ପରି।ଶଶୁର ବିଚରା ନିଜେ ଭାଙ୍ଗିପଡି ତାକୁ ସମ୍ଭାଳିବାକୁ ପ୍ରଚେଷ୍ଟା କରୁଥାନ୍ତି।ଅମୃତା ଶିକ୍ଷିତା ଥିଲା।ପାକଳ ମସ୍ତିଷ୍କର ଝିଅ ଥିଲା ବୋଲି ଧୈର୍ଯ୍ୟ ଧରିଲା ।ଶାଶୁ ଶଶୁରଙ୍କ ଦାୟିତ୍ବ କଥା ଭାବି ନିଜକୁ ମଜବୁତ କଲା।ଆଖିପାଣି ଆଖିରେ ପିଇ ସ୍ବାମୀଙ୍କ ଶବ ଧରି ଫେରିଲା।

ଅନ୍ତିମ ସଂସ୍କାର କରି ସ୍ବାମୀଙ୍କୁ ଅନ୍ତିମ ବିଦାୟ ଦେଲା।

ଏବେ ଜୀବନ ଯୁଦ୍ଧରେ ଏକ ନିର୍ଭିକ ସୈନିକ ସାଜିବାକୁ ପଡିବ।ଡରିଲେ ଏ ସମାଜ ତାକୁ ଆଉ ଡରାଇବ।ସେ ନିଜ ଶିକ୍ଷାର ଉପଯୋଗକରି କାମଟିଏ ଯୋଗାଡ କଲା ଓ ନିଜ ଆୟରେ ଶଶୁରଘରେ ରହି ନିଜ ବୋହୁ ହେବାର ଦାୟିତ୍ବ ତୁଲାଇବାକୁ ଲାଗିଲା।ତା ମାଆ ଘରଲୋକେ ତାକୁ ଘରକୁ ଫେରି ଆସିବାକୁ ଅନେକ ବୁଝେଇଲେ।ନୂଆ ଜୀବନ ଗଢିବାକୁ ପ୍ରବର୍ତ୍ତାଇଲେ ହେଲେ ସେ ଟସମସ ହେଲାନି।ସେ କହିଲା ବିଗ୍ନେସ ର ଛାଡି ଯାଇଥିବା ଦାୟିତ୍ବକୁ ସେ ନିର୍ବାହ କରିବାକୁ ଚେଷ୍ଟାକରିବ।ସେ ଯଦି ଫେରିଯାଏ ବିଗ୍ନେସର ଆତ୍ମାକୁ ଶାନ୍ତି ମିଳିବନି।ସେ ତାଙ୍କୁ ଏଠୁ ଗଲାପରେ କେମିତି ମୁହଁ ଦେଖାଇବ।

ସେ ଦିନଠୁ ଚାଲିଛି ଏକାକୀ ଜୀବନ।ମକର ଆସିଲେ ଆଉ କୁହୁଡି ଛାଇଲେ ଅମୃତାର ବିଗ୍ନେସର ଶେଷଦୃଶ୍ୟ ମନେ ପଡେ।ସେ ଦିନଠୁ ଏ କୁହୁଡି କୁ ସେ ବଡ ଘୃଣା କରେ।



Rate this content
Log in

Similar oriya story from Inspirational