STORYMIRROR

Sambit Srikumar

Tragedy

3  

Sambit Srikumar

Tragedy

କୁବେର

କୁବେର

6 mins
183


ରାଇଜଟା ସାରା ଆଜି ପଡିଛି ଚହଳ, ଗାଆଁରୁ ସହର, ବଜାରଘାଟ ସବୁଠି କେବଳ ସେଇ ଗୋଟିଏ କଥା। କଳି କାଳର କୁବେର ଯାମିନୀକାନ୍ତ ଉପାଧ୍ୟାୟଙ୍କୁ ନେଇ ସବୁରି ତୁଣ୍ଡରେ ଚର୍ଚ୍ଚା। କିଏ କେତେ ପ୍ରକାରର କଥା କହୁଛି ତାର ହିସାବ ନାହିଁ । ଆଜିକାଲିର ଟିଭି ଚ୍ୟାନେଲମାନଙ୍କ ବିଷୟରେ ନକହିବା ଭଲ। ସଜ ମାଛରେ ବି ପୋକ ପକେଇ ଦେବେ ଏମାନେ। ନିଜର ଅର୍ଥନୀତିକୁ ସୁହାଇବା ଭଳି ଯୋଡା ଯୋଡି କରି ଏମିତି ଖବର ବନେଇ ବିକୁଛନ୍ତି ଯେ ଦେଖି ଦେଖି ରକ୍ତଚାପ ବଢି ଯାଉଛି। ହେଲେ ମନରେ ଗୋଟେ ପ୍ରଶ୍ନ ସ୍ୱତଃ ସୃଷ୍ଟି ହେଉଛି, "ସତରେ କଣ କିଏ ଏତେ ଅର୍ଥ ରୋଜଗାର କରି ପାରେ କିଛି ବର୍ଷର ସରକାରୀ ଚାକିରିରେ?"


ଯାମିନୀକାନ୍ତ ଉପାଧ୍ୟାୟ! ସର୍ବ ଭାରତୀୟ ପ୍ରଶାସନିକ ସେବାର ଓଡ଼ିଶା କ୍ୟାଡରର ବରିଷ୍ଠ ଅଧିକାରୀ। ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି ତାଙ୍କର ପ୍ରଶାସକ ଭାବରେ। ବେଶ୍ ନୀତିନିଷ୍ଠ, ସଚ୍ଚୋଟ, କର୍ତ୍ତବ୍ୟ ପରାୟଣ ଏବଂ ଅମାୟିକ ଅଧିକାରୀ ଭାବରେ ସବୁରି ମହଲରେ ପରିଚିତ। ଭାବ ବିହ୍ୱଳିତ କଣ୍ଠରେ ତାଙ୍କର ପ୍ରଶସ୍ତି ଗାନ କରନ୍ତି ତଳିଆ କର୍ମଚାରୀମାନେ। ସରଳ ଓ ନିରାଡମ୍ବର ଜୀବନ ଶୈଳୀ ପାଇଁ ସେ ପରିଚିତ। ହାୱାଇ ବାବୁ ବୋଲି ଡାକ୍ ରହିଛି ତାଙ୍କର। ଆଜି ଯାଏଁ ସ୍ୱଚ୍ଛ ଓ ଇମାନଦାର୍ ଅଫିସର ଭାବେ ଆପଣାର ଭାବମୂର୍ତ୍ତି କାଏମ ରଖିବାରେ ସକ୍ଷମ ହୋଇଛନ୍ତି ସେ। 


ଆଇଏଏସ୍ ପ୍ରଶିକ୍ଷଣ ଉପରାନ୍ତେ ନିଜର ଗୃହ ଜିଲ୍ଲା ପୁରୀ ଅନ୍ତର୍ଗତ ଖୋର୍ଦ୍ଧା ଉପଖଣ୍ଡରେ ଅତିରିକ୍ତ ଜିଲ୍ଲାପାଳ ପଦବୀରୁ ଆରମ୍ଭ ହୋଇଥିଲା ଚାକିରି ଜୀବନ ତାଙ୍କର। ସମୟ ସ୍ରୋତରେ ବିଭିନ୍ନ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବା ପରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ପଦବୀ ଅଳଙ୍କୃତ କରିବାକୁ ଲାଳାୟିତ ସେ। କେବଳ ଯାମିନୀକାନ୍ତ କାହିଁକି ସମସ୍ତ ଆଇଏଏସ୍ ଅଫିସରଙ୍କ ଏକାନ୍ତ ଅଭିଳାଷା ଏହି ପଦବୀ ଅଧିକାର କରିବାକୁ ଅବସର ଗ୍ରହଣ ପୂର୍ବରୁ। ମଣିଷ ମାତ୍ରକେ ମହତ୍ତ୍ୱାକାଂକ୍ଷୀ, ଏଥିରେ କାହାର ବା କି ଦୋଷ?


ଆଉ ଦିନ କେତେଟା ପରେ। ବାହାରିବ ଆଧିକାରିକ ଭାବେ ସରକାରୀ ଆଦେଶ ମୁଖ୍ୟ ଶାସନ ସଚିବ ନିଯୁକ୍ତିକୁ ନେଇ। କ୍ଷମତା ଅଳନ୍ଦିରେ ସର୍ବମୟ କର୍ତ୍ତା ହେବାକୁ ଅନେକ ଆଶାୟୀ। ସଭିଏଁ ଅଭିଜ୍ଞ, ଯୋଗ୍ୟତାର ମାପକାଠିରେ କେହି ବି କାହାଠାରୁ କମ୍ ନୁହଁନ୍ତି। ମାତ୍ର ବରିଷ୍ଠତା ଆଧାରରେ ବାବୁ ଯାମିନୀକାନ୍ତ ସର୍ବାଗ୍ରେ ଏହି ଦୌଡ଼ରେ। ପାୱାର କରିଡ଼ରରେ ପୋଖତ ଖେଳାଳି ଭାବେ ଜଣାଶୁଣା। କେତେ ସରକାର, କେତେ ମନ୍ତ୍ରୀ, କେତେ ମୁଖ୍ୟମନ୍ତ୍ରୀ ଆସିଲେଣି ଆଉ ଶାସନଗାଦିରୁ ଅପସରି ଗଲେଣି ସମସ୍ତଙ୍କୁ ସେ ଦେଖିଲେଣି ଖୁବ୍ ନିକଟରୁ। କିନ୍ତୁ ସେ ସେମିତି ବଟବୃକ୍ଷ ସମ ଦଣ୍ଡାୟମାନ ରହିଛନ୍ତି ସଚିବାଳୟରେ କ୍ଷମତା ମାଲ୍ୟର ମଧ୍ଯମଣି ସୂରୁପ।


ଆଉ ମାତ୍ର ଅଢ଼େଇ ବର୍ଷର ଚାକିରିର ଅବଧି। ଏହା ଭିତରେ ମୁଖ୍ୟ ଶାସନ ସଚିବ ପଦବୀରେ ଅଧିଷ୍ଠିତ ହୋଇଗଲେ ନିଶ୍ଚିନ୍ତାରେ ଅବସର ଗ୍ରହଣ କରିପାରିବେ ସେ। ଗୋଟିଏ ବୋଲି ତ ପୁଅ। ବିଦେଶରେ ଉଚ୍ଚ ବେତନରେ ଚାକିରି କରୁଛି, ନାଗରିକତ୍ୱ ବି ହାସଲ କରିସାରିଲାଣି ସେଠାରେ। ଆଉ ଚିନ୍ତା କଣ ତାଙ୍କର? ବୁଢ଼ା ବୁଢୀ ଦି ଜଣ, ରାଜଧାନୀରେ ତ ନିଜସ୍ୱ ପ୍ରାସାଦ ନିର୍ମାଣ କରିସାରିଛନ୍ତି। ଅବସର ପରବର୍ତ୍ତୀ କାଳରେ ପେନସନ୍ ଅର୍ଥରେ ସୁରୁଖୁରରେ ଚଳି ହେବ। ଯାହା ବି ହେଉ ଏଇ ଚିଫ୍ ସେକ୍ରେଟେରୀ ହେବା ପରେ ଆଉ ସରକାରୀ ଚାକିରିରେ ରହିବାର ଆବଶ୍ୟକତା ନାହିଁ। ନିର୍ବାଚନ କମିଶନର କିମ୍ବା ସୂଚନା କମିଶନର ହୋଇ ଅଯଥା ଟେନସନ୍ ମୁଣ୍ଡାଇବାର ନାହିଁ। ଏଇଟା ହିଁ ଶେଷ ପଦ ପଦବୀ।


ଦିନେ ସକାଳୁ ସକାଳୁ ଅଚାନକ ରାଜ୍ୟ ଦୁର୍ନୀତି ନିବାରଣ ବିକାଶ ବିଭାଗ ସହିତ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଗଲା ବାବୁ ଯାମିନୀକାନ୍ତଙ୍କ ସରକାରୀ ବାସଭବନ ସମେତ ବିଭିନ୍ନ ସ୍ଥାନରେ। ପୈତୃକ ଗ୍ରାମ, ଶ୍ୱଶୁର ଘର, ଫାର୍ମ୍ ହାଉସ୍ କିଛି ବି ବାଦ୍ ପଡିନଥିଲା ଚଢାଉରୁ। ସକାଳ ବିତି ସନ୍ଧ୍ୟା ହେଲା, ତଥାପି ସରୁନାହିଁ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଖୋଳତାଡ଼। ସାଧାରଣରେ କୌତୁହଳ, ଏମିତି କଣ ଲୁଚି ରହିଛି ଯେ ଏତେ ସମୟ ଧରି ଚଢାଉ ଜାରି ରହିଛି। ଟିଭି ଚ୍ୟାନେଲରେ ଲାଇଭ୍ ଟେଲିକାଷ୍ଟ୍ ହେଉଛି ରଥଯାତ୍ରାର ଧାରା ବିବରଣୀ ପରି।


ପାୱାର କରିଡରରେ ଚାଲିଛି ଅସରନ୍ତି ଚର୍ଚ୍ଚା। ଲୋକଙ୍କ ମୁହଁରେ ତ ଆଉ ବାଡ଼ ବତା ନାହିଁ, ପୁଣି ଇଏ ଗଣତାନ୍ତ୍ରିକ ବ୍ୟବସ୍ଥା। କାହାକୁ ଡରାଇ ଧମକାଇ ମୁହଁ ବନ୍ଦ କରାଯାଇ ପାରିବ ନାହିଁ। ଯିଏ ଯାହା ପାରିବ କହି ପାରିବ ଯାହା ବାବଦରେ ବି। ଏଇ ତ ଏବେ ଦୁର୍ନୀତିର କଥା। ଦୁର୍ନୀତି ତ ରାଜନୀତି କରୁଥିବା ନେତାମାନେ କରନ୍ତି। ନୀତିଟା ଯାହା ବଦଳିଯାଏ ବୋଲି। ହେଲେ ସରକାରୀ କର୍ମଚାରୀଙ୍କ ପାଇଁ ଏଇଟା ହେଉଛି ଚୋରୀ! ନିଜର ନାଯ୍ୟ ପ୍ରାପ୍ୟ ଠାରୁ ଯାହା କିଛି ବି ଉପୁରି ଅର୍ଜନ ସବୁ କିଛି ଏଇ ଚୋରୀର ଅନ୍ତର୍ଭୁକ୍ତ। 


କିନ୍ତୁ ଅଧସ୍ତନ କର୍ମଚାରୀମାନେ ବିଶ୍ୱାସ କରି ପାରୁନଥିଲେ ସଚ୍ଚୋଟପଣିଆର ମୂର୍ତ୍ତିମନ୍ତ ପ୍ରତୀକ ଯାମିନୀକାନ୍ତଙ୍କ ବିଷୟରେ ଚାଲିଥିବା ଏହି ଦୁଃସମ୍ବାଦଟିକୁ। କେହି କେହି କହୁଥିଲେ ଅମଲାତାନ୍ତ୍ରିକ ଚକ୍ରାନ୍ତର ଶୀକାର ହୋଇଛନ୍ତି ସେ। ତାଙ୍କୁ ଚିଫ୍ ସେକ୍ରେଟାରୀ ନକରାଇଦେବା ପାଇଁ କନିଷ୍ଠ ଅଧିକାରୀଙ୍କ ଷଡଯନ୍ତ୍ର ଇଏ। କିଏ ବା ଆଜିକାଲି ଖାଉନି କି ନେଉନି ଯେ? ଯିଏ ଧରା ପଡିଲା ସିଏ ହେଲା ବଦନାମ! କାହାର ବିଶ୍ୱାସ କିମ୍ବା ଅବିଶ୍ଵାସ କିଛି ଫରକ ପକାଏ ନାହିଁ ଆଇନ୍ ପାଇଁ। ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ଆଇନ୍ ର ଶାସନ ଚାଲେ। ଆଇନ୍ ସଭିଙ୍କ ପାଇଁ ସମାନ ଆଉ ତା ବାଟରେ ଯାଏ। ତା' ସହିତ ଯିଏ ଧକ୍କା ହୁଏ ସେ ତିନି ପାଞ୍ଜିରୁ ଯାଏ। ଏକଥା ଆମେ କହୁନୁ, ପାୱାର କରିଡରରେ ଲୋକ କହୁଥିବାର ଶୁଣିଛୁ ଯାହା। 


ରାତି ହେଉ ହେଉ ଗିରଫ୍ ହେଲେ ବାବୁ ଯାମିନୀକାନ୍ତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ। ସେଇ ଚିରାଚରିତ ଢଙ୍ଗ, ଯାହା ଆଗରୁ ଅନେକଙ୍କ ସହିତ ଘଟିଛି। କିନ୍ତୁ ସଦା ସର୍ବଦା ଆଇନ୍ ତା'ର ନିଜ ବାଟରେ ଯାଇଛି। ଦୌରା ଅଦାଲତରେ ହାଜର କରାଯିବା ପରେ ଜାମିନ୍ ଖାରଜ ହୋଇଗଲା ଯାମିନୀକାନ୍ତଙ୍କର ଯେହେତୁ ଜାମିନବିହୀନ ଧାରା ଲଗାଯାଇଥିଲା। ଏବେ ରାତ୍ରୀ ଯାପନ କରିବାକୁ ହେବ ଝାରପଡ଼ା ଜେଲରେ। ଚତୁପାର୍ଶ୍ୱରେ ଧାନବିଲ ଓ ସନ୍ତସନ୍ତିଆ ପରିବେଶ ହେତୁ ଏଠି ମଶାଙ୍କ ଉପଦ୍ରବ ନକହିବା ଭଲ। 


ଜେଲରେ କେମିତି ରାତି କାଟିବା କଥା ଚିନ୍ତା କରି ବିବ୍ରତ ହୋଇ ପଡିଲେ ବାବୁ ଯାମିନୀକାନ୍ତ। ଏଡେ ସୁନ୍ଦର ଚହଟ ଚିକ୍କଣ ଶରୀରଟାରେ ଉଚ୍ଚ ରକ୍ତଚାପ, ମଧୁମେହ, ଥାଇରଏଡ୍, ଗ୍ୟାଷ୍ଟ୍ରିକ୍, ଶ୍ୱାସ, କୋଷ୍ଠକାଠିନ୍ୟ, ପାଚନ ସମସ୍ୟା ପରି କେତେ କେତେ ବ୍ୟାଧି ଥିବା କଥା ସାମ୍ନାକୁ ଆସିଲା ଡାକ୍ତରୀ ପରୀକ୍ଷାରୁ। ଏଇ ମୌକାରେ ଭାବିଥିଲେ ଜାମିନ୍ ମଞ୍ଜୁର ହେବା ପର୍ଯ୍ୟନ୍ତ କ୍ୟାପିଟାଲ୍ ହସ୍ପିଟାଲରେ କାଟି ଦେବେ କିଛି ଦିନ। କିନ୍ତୁ ତାହା ଫଳବତୀ ହେଲା ନାହିଁ। ଅଗତ୍ୟା ଝାରପଡ଼ା ଜେଲ୍ ହିଁ ହେଲା ଠିକଣା ତାଙ୍କର। 


ଅଚାନକ କେହି ଜଣେ ପାଖକୁ ଆସି ସାଷ୍ଟାଙ୍ଗ ଜୁହାର ହେଲା ବାବୁ ଯାମିନୀକାନ୍ତଙ୍କ ସାମ୍ନାରେ। ଜେଲରେ କିଏ ବା ତାଙ୍କୁ ଏତେ ନିବିଡ଼ ଭାବେ ଜାଣେ ଯେ ପ୍ରଣିପାତ କରୁଛି? ଆଉ କଣ ପ୍ରଶାସକ ଯେ କିଏ ତାଙ୍କୁ ଆଦର ସମ୍ମାନ ପ୍ରଦାନ କରିବ? ଏବେ ତ ସିଏ ବିଚାରାଧୀନ ବନ୍ଦୀ। ଗୋଟିଏ ଦିନର ବ୍ୟାବଧାନରେ ରାଜ୍ୟ ଶାସନର ସର୍ବମୟ କର୍ତ୍ତାରୁ ବନ୍ଦୀ! ଭାବିଲା ବେଳକୁ ଅନ୍ତରଟା ବିଳପି ଉଠିଲା ତାଙ୍କର।


"ବାବୁ! କିଛି ଚିନ୍ତା କରନ୍ତୁ ନାହିଁ ଆପଣ। ସବୁ ବ୍ୟବସ୍ଥା କରି ଦେବି ଆପଣଙ୍କ ପାଇଁ।" ଏଇ କଥାରେ ଧ୍ୟାନ ଭଗ୍ନ ହେଲା ବାବୁ ଯାମିନୀକାନ୍ତଙ୍କର। ସାମ୍ନାରେ ଠିଆ ହୋଇଥିବା ଲୋକଟିକୁ ଦେଖୁଥିଲେ ସେ। ଚିହ୍ନା ଚିହ୍ନା ଲାଗୁଥିଲା ଯେମିତି। ବଲ ବଲ କରି ଚାହିଁ ରହିଥିଲେ ତାକୁ। ନିଜର ପାନଖିଆ ଦାନ୍ତ ଦୁଇଧାଡ଼ି ଦେଖାଇ ଲୋକଟି କହିଲା," ବାବୁ! ମୁଁ କାଳିନ୍ଦି ଜେନା! କାଳିଆ, ଆପଣଙ୍କ ଗାଆଁର ଲୋକ।"


: ମୁଁ କିଛି ଜାଣି ପାରୁନି। କିଏ ତୁମେ? 


: ଆଜ୍ଞା, ମୁଁ ଆପଣଙ୍କ କୋଠିଆ ଦିବାକର ଜେନାଙ୍କ ପୁଅ, କାଳିଆ। ଏଇ ଜେଲରେ ୱାର୍ଡ଼ର ଅଛି। ଭିଭିଆଇପିଙ୍କ ଦାୟିତ୍ଵ ମୋ ଉପରେ ଅଛି। ଆପଣଙ୍କର କିଛି ବି ଅସୁବିଧା ହେବ ନାହିଁ। 


ମଧ୍ୟ ବୟସ୍କ ହୃଷ୍ଟପୃଷ୍ଟ ଲୋକଟାକୁ ଦେଖି କୋଠିଆ ଦିବା ଜେନା କଥା ମନେପଡ଼ିଲା ବାବୁ ଯାମିନୀକାନ୍ତଙ୍କର। ବଡ଼ ପରିଶ୍ରମୀ ଆଉ ବିଶ୍ୱସ୍ତ ଲୋକଟିଏ ଏଇ ଦିବା ଜେନା। ତାଙ୍କର ବାଟି ବାଟିର ପୈତୃକ ସମ୍ପତ୍ତିକୁ ଦେଖାଶୁଣା କରେ ସେ। ଦିନେ ବି କେବେ ହିସାବରେ ଗୋଳମାଳ ନାହିଁ। ତା'ର ପୁଅକୁ ଏଠି ଦେଖି ପଚାରିଲେ, "ବାପା କେମିତି ଅଛି ତୋର?" 


: ବାପା ତ ପାର୍ ହୋଇଯିବାର ସାତ ବର୍ଷ ହେଲାଣି ବାବୁ ଆଜ୍ଞା। 


: ଆଛା! ଜମିବାଡ଼ି ତାହେଲେ ଏବେ କିଏ ବୁଝୁଛି? 


: ମୋ ସାନଭାଇ ବୁଝୁଛି ଆଜ୍ଞା। ପାଠଶାଠ ତାର ହେଲାନି। ବାପାଙ୍କ ସହିତ ବିଲବାଡି କାମ କରୁଥିଲା। ବାପା ପାର୍ ହେବା ପରେ ପ୍ରତି ମାସରେ ବଡ଼ ମକଦ୍ଦମଙ୍କୁ ହିସାବ ଦିଏ। 


: ଆଛା! ତୁ କଣ ସବୁ ଦିନ ଗାଁରୁ ଯିବା ଆସିବା କରୁଛୁ ନା ଇଏଠି କୋଉଠି ରହୁଛୁ। 


: ନାଇଁ ଆଜ୍ଞା। ସବୁଦିନ ଗାଁରୁ ଯା' ଆସ କରୁଛି ସାଇକଲରେ। ଗାଁରେ ଘରଦ୍ୱାର ଅଛି ରହିବାକୁ ଏଠି ଘରଭଡ଼ା କାହିଁକି ବା ଦେବି? ସକାଳୁ ପଖାଳ ଖାଇ ବାହାରି ଆସେ, ସଞ୍ଜକୁ ଯାଏ। ବେଳେ ବେଳେ ନାଇଟ୍ ସିଫ୍ଟ୍ ପଡେ। ରାତିରେ ଏଠି ରହେ। ଯାହା ଯେମିତି ହୋଇ ଚଳିଯାଏ। 


ଗାଁରେ ନିଜର ଅନ୍ନଦାତା, ସାକ୍ଷାତ ଠାକୁର ବଡ଼ ମକଦ୍ଦମଙ୍କ ପୁଅଙ୍କୁ ପାଖରେ ପାଇ ଅତି ଗଦ୍ ଗଦ୍ ହୋଇ ବାଚାଳ ପରି ଗପି ଚାଲିଥିଲା କାଳିଆ। ଏଣେ ଯାମିନୀକାନ୍ତ ବାବୁ ଜଳୁଥିଲେ ଆତ୍ମଗ୍ଲାନିରେ। ଜୀବନ ବ୍ୟାପି ସାଧନା ଶୁଖୁଆ ପୋଡାରେ ସ୍ୱାହା ହୋଇଗଲା ପରି ଲାଗୁଥିଲା ତାଙ୍କୁ। କଣ ଅଭାବ ବା ଥିଲା ତାଙ୍କର। ବାପାମାଆ ତ ଆଜି ଯାଏଁ ତାଙ୍କ ଉପରେ ଦିନଟିଏ ବି ନିର୍ଭରଶୀଳ ହୋଇନାହାନ୍ତି ଏଇ ପରିଣତ ବୟସରେ ମଧ୍ୟ। ଗୋଟିଏ ବୋଲି ପୁଅ ତ ବିଦେଶରେ। କାହା ପାଇଁ ସେ ସଞ୍ଚୟ କରିବାର ମନୋଭାବ ନେଇ ଏପରି ନିଜ ହାତରେ ନିଜର ମାନ ସମ୍ମାନକୁ ଭୂଲୁଣ୍ଠିତ କରି ଦେଲେ? ଏମିତି ଭାବୁ ଭାବୁ ସେ ପଚାରିଲେ, "ଆରେ କାଳିଆ! ତୁ ଏତେ ସୁଖୀ କିପରି ହୋଇ ପାରୁଛୁ ଏଇ ଟିକକ ଦରମାରେ?" 


: କଣ କହିବି ବାବୁ ଆପଣଙ୍କୁ? ଆପଣ ତ ସବୁ ଜାଣନ୍ତି ଆମ ଘର କଥା। ବାପା ବଞ୍ଚିଥିବା ବେଳେ ବରାବର କହନ୍ତି ପରଧନ ପରଜନକୁ ଆଖି ଉଠେଇ ନଦେଖିବାକୁ। ସ୍ଵଳ୍ପ ରୋଜଗାରରେ ବହୁପ୍ରାଣୀ କୁଟୁମ୍ବ ଆମର ଚଳେ। ଯେତିକି ଚୁନା, ସେତିକି ପିଠା। ଅଧିକକୁ ଲୋଭ କରିବୁ କାହିଁକି କି ପାପ ପଙ୍କରେ ସଢିବୁ କାହିଁକି? ଆମେ ମୂଲିଆ ଲୋକ, ଖଟିଲେ ଖାଇବୁ। ପର ସମ୍ପତ୍ତି ହରଣ କରିବା ଆମ ପାଇଁ ବିଷ ବାବୁ। ଏସବୁ କରିବା ଅପେକ୍ଷା ମରିଯିବା ଭଲ। 


କାଳିଆର କଥା ଗୁଡ଼ିକ ତୀକ୍ଷ୍ଣ ତୀର ପରି ଆଘାତ ଦେଇ ଯାମିନୀକାନ୍ତଙ୍କର ବକ୍ଷଦେଶକୁ ବିଦୀର୍ଣ୍ଣ କରିପକାଇଲା। ଦୁନିଆଁର ତମାମ ନିନ୍ଦା ଅପଯଶକୁ ସେ ସାମ୍ନା କରିବାକୁ ପ୍ରସ୍ତୁତ ଥିଲେ। ଆଇନଗତ ଲଢ଼େଇ ଲଢୁଥିଲେ। କିନ୍ତୁ ନିଜର ବିବେକ ପାଖରେ ହାରି ଯାଇଥିଲେ।କୁବେର ସମାନ ସମ୍ପଦର ଅଧିକାରୀ ହୋଇ ମଧ୍ୟ କାଳିଆ ଠାରୁ ନିଜକୁ ଦରିଦ୍ର ମନେକରୁଥିଲେ ସେ। ମନ ମନ୍ଦିରରେ ଗୁଞ୍ଜରିତ ହେଉଥିଲା ସେଇ କାଳଜୟୀ ମର୍ମସ୍ପର୍ଶୀ ବାଣୀ, 


"ପୁଅ ଯଦି ଯୋଗ୍ୟ ହୁଏ, ଧନ କାହିଁ ପାଇଁ ସଞ୍ଚୁ? 

ପୁଅ ଯଦି ଅଯୋଗ୍ୟ ହୁଏ, ଧନ କାହିଁ ପାଇଁ ସଞ୍ଚୁ?"




Rate this content
Log in

Similar oriya story from Tragedy