Sanuja Meghamala

Tragedy

3  

Sanuja Meghamala

Tragedy

କଠୋର ବାସ୍ତବତା

କଠୋର ବାସ୍ତବତା

5 mins
185


ସାରା ସହରଟା ଏବେ ହାଲିଆ ହେଇ ଥକାପଣ ମେଣ୍ଟଉଚି  ନିରୋଳାରେ ଟିକେ ଘୁମେଇ ପଡି।କେତେ ଧାଇଁବ ଯେ ଅଣନିଶ୍ୱାସୀ ହୋଇ ଶବ୍ଦ ଆଉ ଧୂଆଁ ଭିତରେ।ଲୋକ ଯେତିକି ଗାଡି ମଟର ସେତିକି । ଦୋକାନ ବଜାର ଭିଡ ତା ଠୁ ଢେର୍ ଅଧିକ। ଆହା !ଏବେ  ଦୋକାନ ବଜାର ବନ୍ଦ, କି ଶାନ୍ତି । ଓଲଟା ହେଇଚି ନିୟମ ବଦଳି ଯାଇଛି, ଘର ଭିତରେ ଲୋକ  ଏକ ପ୍ରକାର ବନ୍ଦୀ (କିଛି ଭାବନ୍ତି..ଆଉ କିଛି ଲୋକଙ୍କ ପାଇଁ ପରିବାର ସହିତ ସମୟ ବିତେଇବାର ସୁନ୍ଦର ଅବକାଶ) ବାହାର ଖାଲି ଖାଲି ଶୂନଶାନ୍। ଧନ୍ୟ କହିବ ଏ "କରୋନା" କୁ । କଣ ଅଜବ ନିୟମ କଲା ହେ ଘରେ ରହିବ ସୁରକ୍ଷିତ ରହିବ ତା ସହ ନିଜ ପରିବାରକୁ ସୁରକ୍ଷିତ ରଖିବ। ବସିଥା ଗୋଡ଼ ହାତ ବାନ୍ଧି କେତେ ଦିନ ମଣିଷ ଏମିତି ବସିବ ଯେ ।

      ବସି ବସି ଗୋଡ଼  ବିନ୍ଧିଲାଣି ।ଖାଦ୍ୟ ବି ହଜମ ହଉନି । କେମିତି ହବ କାମଧନ୍ଦା ବନ୍ଦ ଚଲା ବୁଲା ନାହିଁ ମର୍ଣିଂ ୱର୍କ ନାହିଁ, ପାର୍କ ବନ୍ଦ ଛକ ଚା ଦୋକାନ ବନ୍ଦ ,ତେଲ ଭାଜି ଦୋକାନ ଗୋଟାଏ ଖୋଲା ନାହିଁ ,ଖଟି ନାହିଁ କାହା ବିଷୟରେ ଆଲୋଚନା ଟୀକା ଟିପ୍ପଣୀ କିଛି ନାହିଁ ଏମିତି କଣ ବଞ୍ଚି ହୁଏ ! ସକାଳୁ ସଂଜ ଯାଏ କେତେ ଖବର ଦେଶ ,ବିଦେଶ, ରାଜନୀତି, ଅର୍ଥନୀତି ,ଠାରୁ ବେଶୀ ପାଖ ପଡୋଶୀ ,ସହକର୍ମୀ ଙ୍କ ଘର ଖବର  ଏ କାନରୁ ସେ କାନ ଘୁରି ବୁଲୁ ଥିଲା । ଏବେ କିଛି ନାହିଁ ଖାଲି ସକାଳୁ ସଂଜ ଯାଏଁ ଖାଇ ଦେଇ ଟେଲିଭିଜନରେ କାରୋନା ଖବର ଦେଖ ନ ହେଲେ  ଫୋନକୁ ଧରି ଘଣ୍ଟା ଘଣ୍ଟା ବସି ଯିବା କଥା ! ବସି ବସି ଅଣ୍ଟା ବିନ୍ଧିଲେ ଖଟରେ  ଶୋଇଯିବା କାମ। ସାଙ୍ଗ ସାଥୀ ବନ୍ଧୁ ବାନ୍ଧବ ସବୁ କୁଆଡେ ଗଲେ ! ଏକା ସହରରେ ଥିବା ନିଜର ଲୋକ ବି ଭେଟି ପାରୁ ନାହାନ୍ତି ପରସ୍ପରକୁ । ଏକୋଇଶି ଦିନ ଆଖି ପାଉ ନ ଥିଲା ବେଳେ ଏବେ ପୁଣି ଆହୁରି ବଢିଲା । ଚିଡିଲେ ମଧ୍ୟ ଆସ୍ତେ ଆସ୍ତେ ଏହି ବନ୍ଦ ବା ସାମାଜିକ ଦୁରତ୍ଵ ଦେହ ସୁହା ହୋଇ ଆସିଲାଣି । ମଣିଷର ପ୍ରକୃତି ବି ବଡ଼ ଅଦ୍ଭୁତ । ପ୍ରଥମେ କଷ୍ଟ ହେଉ ଥିବା ପରିସ୍ଥିତି କ୍ରମଶଃ ଦେହ ସୁହା ହୋଇ ଯାଏ।  ଘରେ ବାନ୍ଧି ହୋଇ କେତେ ଦିନ ଆଖି ବୁଜି କଟିଗଲାଣି.. ବାକି ଥିବା  ଦିନ ବି ଯାହା ହେଉ ଯେମିତି ହେଉ  କଟିଯିବ । କିନ୍ତୁ ମହାମାରୀର ପ୍ରକୋପ କମି ସବୁ ପୁଣି ଆଗ ଭଳି ସାଧାରଣ ହେଇ ଯିବାକୁ କେତେ ସମୟ ଲାଗିବ କେହି ଗ୍ୟାରେଣ୍ଟି ଦେଇ କହି ପାରିବ ନାହିଁ !

ତଣ୍ଟି ଫଟେଇ ବାରମ୍ବାର ସୂଚନା ଦେଇ ଯେତେ ସାମାଜିକ ଦୁରତ୍ଵ କଥା କହିଲେ ବି ଲୋକ ମାନେ ମାନିଲା ବେଳକୁ ଠିକ୍ ବିପରୀତ। ସବୁବେଳେ ଅନେକ ଫରକ ଥାଏ କଥା ଏବଂ କାମରେ । ପଂଝାଏ ବୁଝି ନ ବୁଝିଲା ଭଳି ଶବ ପାଖରେ ଶାଗୁଣା ବେଢିଲା ପରି ବଜାରରେ ହାଉ ଯାଉ ହଉ ଛନ୍ତି । ଯିଏ ନିୟମ ମାନି ସୁସ୍ଥ ରହିବା ପାଇଁ ଦୂରତା ଜଗି ରହିଲା ସିଏ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭିଡ ଭିତରେ ପଶି ଆଣି ପାରୁନି ।କେହି କେହି  ଦୁଇ ତିନି ମାସ ପାଇଁ ସଉଦା ରଖି କେତେ ବେଳେ ପରିସ୍ଥିତି କଣ ହେବ କହି ପୁଣି ଭିଡରେ ପଶି ଆହୁରି ଜିନିଷ ସାଉଁଟି ନେବାରେ ବ୍ୟସ୍ତ ଆଗକୁ  ମିଳିବନି କହି । ପଂଝାଏ ବିଜ୍ଞ ଲୋକଙ୍କ ମତ କରୋନା ବହୁତ କିଛି ଶିଖାଇ ଦେଲା ଯେମିତି ସାଧାରଣ ଜୀବନ ଶୈଳୀ ପରିବାର ସହିତ ସମୟ କାଟିବା ଭୁଲି ଯାଉଥିବା ନିଜ ସଂସ୍କାର ସଂସ୍କୃତିରେ ପିଲା ମାନଙ୍କୁ ଅଭ୍ୟସ୍ତ କରିଦେଲା ଇତ୍ୟାଦି ଇତ୍ୟାଦି । ଆଦିକନ୍ଦ ବାବୁ ଭାବୁଥିଲେ ଲୋକମାନେ ସବୁ ଶିଖୁଛନ୍ତି ସତ ଯେ ହେଲେ ଗୋଟିଏ କଥା ହଜି ଯାଇଥିବା ମଣିଷ ପଣିଆ ବି ଟିକେ ଶିଖି ଯାନ୍ତେ କି? ବିପଦ ଆପଦରେ ଗରିବ ଗୁରୂବା କିମ୍ବା ବୟସ୍କ ନାଗରିକ ମାନଙ୍କୁ ସାହାଯ୍ୟ କରିବାକୁ କେତେ ଜଣ ଅଣ୍ଟା ଭିଡ଼ି ସହଯୋଗର ହାତ ବଢ଼େଇ ପାରୁଛନ୍ତି । ହାତ ଗଣତି କରି ଛାଡ଼ିଦେଲେ ।

                   ଦୁଇ ଦିନର ଶଟ୍ ଡାଉନ୍ ପରେ ସକାଳୁ  ସକାଳୁ ଆଦିକନ୍ଦ ବାବୁ କ୍ଷୀର ପାଇଁ ଯାଇ ଲମ୍ବା ଲାଇନରେ ରହି ମଧ୍ୟ କ୍ଷୀର ନ ପାଇ ଫେରି ଆସିଥିଲେ କେମିତି ପାଇବେ ଜଣକା ଦୁଇ ଚାରି ପାକେଟ ନେଇଗଲେ ମଡ଼ା ଦଳାରେ। ଦୁରତ୍ଵ ରଖୁ ରଖୁ ତାଙ୍କ ପରି କିଛି ଲୋକ ଖାଲି ହାତରେ ଫେରିଲେ ଅନ୍ୟ ଦିନ ହୋଇଥିଲେ ନିରୁପମା ତାଙ୍କ ଅପାରଗ ପଣିଆର ଧଜିଆ ଉଡେଇ ଦେଇଥାନ୍ତେ । କିନ୍ତୁ ଘଟିଲା  ବିପରୀତ ତାଙ୍କ ଶୁଖିଲା ମୁହଁ ଦେଖି ଧର୍ମ ପତ୍ନୀ ଓଲଟା ନରମ ଗଳାରେ କହିଲେ,ଭଲ ହେଲା କ୍ଷୀର ମିଳିଲାନି ବ୍ୟସ୍ତ କାହିଁକି? ଏଥର ନାଲି ଚାହା ପିଇବା ଅଭ୍ୟାସ କରିବା ଦେହକୁ ଭଲ କ୍ଷୀର ଚାହା ଗୁଡା ହଜମ ହଉନି ହେ ..ଗ୍ୟାସ୍ କରାଉଛି ।କି ବିଚିତ୍ର କଥା ଆଗ ଭଳି ଅଭିଯୋଗ ନାହିଁ କି ଅଭିମାନ ନାହିଁ । ଧାନ ଉସୁଆଁ ହାଣ୍ଡି ପରି ମୁହଁ ଫୁଲିବା ନାହିଁ ମାନେ କଣ ଏହାର? ଅବସର ନେଇ ଥିବାରୁ ପତ୍ନୀଙ୍କର ଏମିତି ବୁଝା ମଣା !!  ନା ନୁଆ ଗୋଟେ ତରିକା ବିଦ୍ରୋହର, ତାଙ୍କ ଅପାରଗ ପଣିଆ ବିରୁଦ୍ଧରେ।


ଦିନଯାକ ପତ୍ନୀଙ୍କ ତରଫରୁ କୌଣସି ଅଭିଯୋଗ ମିଳୁନି ଆଜି କାଲି ସେ ଯେମିତି ପୁରା ବଦଳି ଯାଇଛନ୍ତି । ସଂସାରର ଗଭୀରତାକୁ ମାପି ଦେଇଛନ୍ତି ,କରୋନା ଭୟ ? ନା ଚାକିରୀ ସରିଗଲା ବୋଲି ଦୁଃଖରେ ଅଛନ୍ତି ପ୍ରକାଶ କରି ପାରୁ ନାହାଁନ୍ତି। ବୁଝି ପାରୁ ନ ଥିଲେ ଆଦିକନ୍ଦ ବାବୁ ଏତେ ସମସ୍ୟା ଭିତରେ କେମିତି ନୀରବ ରହି ପାରିଛନ୍ତି ନିରୁପମା... ଦୀର୍ଘ ଏକମାସରୁ ଉର୍ଦ୍ଧ ଦିନର ଲକ୍ ଡାଉନ୍ କେତେ ଭାଷଣ ମାରନ୍ତେ । ଏତେ ଭୟ ଭୀତ ଜୀବନକୁ ଲୋଭ ! ବୁଝି ପାରୁନାହାନ୍ତି ଆଦିକନ୍ଦ ବାବୁ, ପଚାରିବା ପାଇଁ ସାହସ ହେଉନି କେତେବେଳେ ବୋମା ଟା ଫୁଟି ଯିବ ଆଉ ବାକ୍ ଯୁଦ୍ଧ ରେ ଉଭୟ ଖଣ୍ଡିଆ ଖାବରା ହେବେ ନୀରବତା ବରଂ ଭଲ । ନିଜର ମାନସିକ ସ୍ଥିତି ବି ଭଲ ନାହିଁ । ଏମିତି ହବ ବୋଲି କିଏ ଆଶା କରିଥିଲା। ମାର୍ଚ୍ଚ ୩୧ ତାରିଖ ତାଙ୍କ ଚାକିରି ଜୀବନର ଶେଷ ଦିନ ଥିଲା ।  ସେଇ ଶେଷ ଦିନ ବି ଅଫିସ  ଯାଇପାରିଲେ ନାହିଁ । ଅବସର କାଳୀନ ବିଦାୟ ସଭାଟିଏ ହୋଇ ପାରିଲାନାହିଁ ।ଦୀର୍ଘ ୩୩ ବର୍ଷ କାଳ ଚାକିରୀର କେତେ ସ୍ମୃତି ଅନ୍ତରଙ୍ଗ ଅନୁଭୂତି ଭାସୁଛି ଆଖିରେ।ସେ କେବଳ "ମେଲ୍ " ରେ ହିଁ ଅବସର ନେଇ ଗଲେ । ପ୍ରକୃତରେ ଦେଖିଲେ ଅବସର ନେବାର ଗୋଟେ ସପ୍ତାହ ପୂର୍ବରୁ ଳକ୍ ଡାଉନ୍ ଯୋଗୁଁ ଅବସର ନେଇ ଘରେ ରହିଲେ ।

  ତାଙ୍କ ମନ ଭିତରେ ଅନେକ କଥା ଘାଣ୍ଟି ଚକଟି ହେଉଛି ଅଫିସ ବନ୍ଦ ଯୋଗୁଁ । ଆନୁସଙ୍ଗିକ କାର୍ଯ୍ୟ ହୋଇ ନ ପାରି ସେ ତାଙ୍କ ଅନ୍ ଇଉଟି ଲାଇଜ ଫଣ୍ଡର ପ୍ରାପ୍ୟ ଟା ପାଇ ପାରିନାହାନ୍ତି । ତା ସହିତ ପି ଏଫ୍.. ତା ପରେ  ଯାଇ ପେନସନ ପେପର ଠିକ୍ ହେବ.... ଏଥିପାଇଁ କାଗଜ ପତ୍ର ବି କିଛି ରେଡି  କରିଛନ୍ତି କିଛି ବାକି ଅଛି । ଅସଲ ଦୁଃଖ ଏ ସବୁ ପଇସା ତାଙ୍କର ମିଳିବାକୁ ଥିବାରୁ ସାନ ଝିଅର ବାହାଘର ମେ ମାସ  ବାଇଶି ତାରିଖକୁ ଠିକ୍ କରିଥିଲେ । ମଣ୍ଡପ ସହିତ କେଟରିଂ ସାଜ ସଜା ସବୁ ଆଡଭାଂସ୍ ଦିଆ ସରିଛି ।ଏବେ ଆଗକୁ କଣ ହେବ ଆଖି ପାଉନି । ହେବାକୁ ଥିବା ନୂଆ ସମୁଦୀ ଫେବୃଆରୀରେ ବାହାଘରଟା କରିଦେବାକୁ ଜିଦି ଧରିଥିଲେ ମଧ୍ୟ ଆଦିକନ୍ଦ ବାବୁ ନିଜର ଆର୍ଥିକ ଅକ୍ଷମତା ପ୍ରକାଶ କରି ବାହାଘର ତାରିଖ ଘୁଞ୍ଚାଇଥିଲେ ପତ୍ନୀ ମଧ୍ୟ ଧାର ଉଧାର କରି ବାହାଘରଟା କରିଦେବାକୁ ବାଧ୍ୟ କରିଥିଲେ.। କରି ଦେଇଥିଲେ ଚିନ୍ତା   ଯାଇଥାନ୍ତା । ତାଙ୍କ ନିଜର ଜିଦି ଯୋଗୁଁ ଏମିତି ହେଲା ଏକଜିଦିଆ ଲୋକ କାହା କଥା ଶୁଣିବେ ନାହିଁ । ନିରୁପମା ରାଗି କରି କୁହନ୍ତି ମୁଁ ତମ ଶତ୍ରୁ ଭଲଟେ କହିଲେ ଭେଲ ଲାଗିବ । ବଡ଼ ଝିଅର ବାହା ଘରଟାରେ ବେଶୀ ଖର୍ଚ୍ଚ କରି ପାରିନଥିଲେ ତାଙ୍କ ମନ ମୁତାବକ ।ତାଙ୍କର ଅବଶୋଷ ରହିଥିଲା ବାପା ହିସାବରେ । ସାନ ଝିଅର ବାହାଘରଟା ଟିକେ ଭଲରେ ହାତ ଖୋଲା ଖର୍ଚ୍ଚରେ କରିବେ ସେଇଆ ଭାବି ତାରିଖ ଘୁଂଚାଇଥିଲେ । ସେଥିରେ ଏ " କରୋନ।" ଏମିତି ଦାଉ ସାଧିବ କେବେ ଭାବି ନ ଥିଲେ । ଏବେ ବାହାଘର ସେଇ ତାରିଖରେ କରି ହେବ କି ନାହିଁ ଯଦି ନ ହୁଏ ପୁଣି ଜାତକ ସୁଝେଇ ଗୋଟେ ତାରିଖ ବାହାର କରିବା କଷ୍ଟ. । ଦ୍ଵିତୀୟରେ ପିଲା ମାନେ ଏବେ ଘରେ କାମ (work at home) କରୁଛନ୍ତି ଆଉ ତାଙ୍କୁ ଛୁଟି ମିଳିବ କି ନାହିଁ । ତାଙ୍କ ମୁଣ୍ଡଟା ଗୋଳମାଳ ହେଇ ଯାଉଚି । ସେହି ମେ ବାଇଶି ତାରିଖରେ ଯଦି ବାହାଘର ନ ହେଲା ଦେଇଥିବା..advance ଫେରସ୍ତ ପାଇବେ ତ। ନହେଲେ ବହୁ ଆର୍ଥିକ କ୍ଷତି ହେବ । ତାରିଖ ପରିବର୍ତ୍ତନ ନେଇ କିଛି ଏପଟ ସେପଟ ହେଲା ହୁଏତ ପୁଅପକ୍ଷ ବାହାଘର ଭାଙ୍ଗି ଦେଇ  ପାରନ୍ତି ! ତା ପରେ କଣ ହେବ ସେ ଆଗକୁ କିଛି ଭାବି ପାରୁ ନ ଥିଲେ । ଅନ୍ଧାରୁଆ ଲାଗୁ ଥିଲା ବାଟ ଦେଖା ଯାଉନି । ଦୁଇ ଝିଅ ପରେ ପୁଅ ସାନ । ଇଞ୍ଜିନିୟରିଂ ଶେଷ ବର୍ଷ ଶେଷ ସେମିଷ୍ଟରର ଛାତ୍ର . କମ୍ପାନୀରେ ଚାକିରି ପାଇଥିଲା । ଅବସର ପୂର୍ବରୁ କୂଳରେ ଲାଗି ଗଲା ବୋଲି ତାଙ୍କୁ ଆତ୍ମ ସନ୍ତୋଷ ମିଳି ଥିଲା ! ସେମିଷ୍ଟର ପରୀକ୍ଷା ପୁଣି ରେଜଲ୍ଟ. କେତେ ବିଳମ୍ବ କହି ହେବନି । ଏବେ ଯେଉଁ ମାନ୍ଦାବସ୍ଥା ହେବ ଚାକିରି ରହିଲେ ତ ଭବିଷ୍ୟତ ଗୋଟେ ବିରାଟ ପ୍ରଶ୍ନବାଚୀ ଗଢି ଉଠିଥିବା ସବୁ ସ୍ବପ୍ନ କରୋନାର ହାତୁଡି ମାଡ଼ରେ ଭାଙ୍ଗି ଚୁର୍ ମାର ହୋଇ ଗଲା ପରେ .. ସେ ବୁଢିଆଣୀ ଜାଲ ଭିତରେ ପଡି ବାହାରି ପାରୁ ନ ଥିବା ପୋକଟେ ପରି ସେ ଛଟ ପଟ ହେଇଛନ୍ତି ସମସ୍ୟା ତ ଅନେକ ସମାଧାନ କାହିଁ ଯେ।ଲକ୍ ଡାଉନ୍ ( ତାଲା) ଟା ଯେମିତି ତାଙ୍କ ଲକ୍,(ଭାଗ୍ୟ) ରେ ତାଲା ପକେଇ ଦେଇଚି..।



Rate this content
Log in

Similar oriya story from Tragedy