Padmalaya Padhy

Tragedy

4  

Padmalaya Padhy

Tragedy

କଥାକୁହା ଆଣ୍ଟିକ

କଥାକୁହା ଆଣ୍ଟିକ

6 mins
571



ମୋତେ ହିଁ ଲାଜ ନାହିଁ ଅଲାଜୁକୀ ଭଳିଆ ମାଗୁଛି ନହେଲେ ଆଉ କିଏ ହୋଇଥିଲେ ଏତେବେଳକୁ ଦେଇ ସାରନ୍ତାଣି l ଏ ବୟସ ରେ ପୁଣି ଏତେ ରୋମାଣ୍ଟିକ l

ବୋଉ ର ମାନସିକ ଅବସ୍ଥା ଟିକେ ବୁଝିବାକୁ ଚେଷ୍ଟା କର l ବାପା ଯାଇକି ପନ୍ଦର ଦିନ ମାତ୍ର ହୋଇଛି l

     ବଡ଼ ପୁଅ ସୋହନ ତା ସ୍ତ୍ରୀ କୁ ବୁଝାଉଥାଏ l ଏଣେ ସ୍ତ୍ରୀ ଲାଗିଥାଏ ଶ୍ୱଶୁର ଙ୍କ ର ପୁରୁଣା କାଳିଆ ହାତ ଘଣ୍ଟାଟି ହାତେଇବା ପାଇଁ l କଳା ଫିତା ରେ ହଳଦିଆ ଡାଏଲ ର ଘଡି ଟି ପୁଣି କୁଆଡେ ତା ଘରେ ମିନି ମ୍ୟୁଜିଅମ ରେ ସଜେଇ ରଖି ସେଲ୍ଫି ନେବ l କମ ସେ କମ ଦୁଇ ହଜାର ରୁ କମ ଲାଇକ ମିଳିବ ନାହିଁ l ଏଣେ ଶାଶୁ ତାଙ୍କ ସ୍ୱାମୀଙ୍କର ସ୍ମୃତି ଗୁଡିକ ପାଖରୁ ଛାଡିବାକୁ ନାରାଜ l

ସେଇ କେତୋଟି ଜିନିଷ କୁ ଛାଡିଦେଲେ ମୋ ପାଖେ ଆଉ କଣ ଅଛି ଯେ l ତୁମେ ମାନେ ତ ଦିନେ ଦୁଇଦିନ ଭିତରେ ଚାଲିଯିବ ତାଙ୍କ ଶେଷ ସ୍ମୃତି କେତୋଟି ର ସାହାରା ରେ ହିଁ ସମୟ କାଟିବି ମୁଁ l ଶେଷ ବାକ୍ୟଟି ପୂରଣ କରିପାରି ନଥିଲେ ଉମା l ବାପା ର ଶୁଦ୍ଧି ସରୁ ସରୁ ପୁଅ ବୋହୁଙ୍କର ଆରମ୍ଭ ହୋଇଗଲା ଫର୍ମାଇସ l ଉମା ଭାବୁଥିଲେ ସ୍ୱାମୀ ନଥିଲେ ବି ଏସବୁ ଦେଖି ତାଙ୍କ ଆତ୍ମା ଟି ଡହଳ ବିକଳ ହେଉଥିବ ନିଶ୍ଚୟ l

     ସାନ ପୁଅ ରୋହନ ର ସ୍ତ୍ରୀ ବି କେଉଁ ଛାଡ଼ିବା ଲୋକ ? ସେ ଥରେ ଯାଇ ଶାଶୁଙ୍କୁ ତାଙ୍କ ବାହାଘର ବେଳର ବଉଳ ପାଟଟି ମାଗି ସାରିଲାଣି l ମଲା ମୁଁ କଣ ମୋ ପାଇଁ ମାଗୁଛି କି ଆର ମାସ ରେ ପରା କାମବାଲୀ ର ଝିଅ ବାହାଘର l ମିସେସ ଶର୍ମା ଙ୍କ ଘରେ ବି ଝାଡୁପୋଛା କରୁଛି ସିଏ l ସେ ପୁଣି ସୁନା ମୁଦି ଦେଉଛନ୍ତି l ଆମେ କେମିତି ତାଙ୍କଠୁ ପଛେଇ ଯିବା ଯେ ? ଏଇ ପାଟଟା ଡ୍ରାଇ କ୍ଲିନ ରେ ଦେଇ ଚକାଚକ କରି ଗିଫ୍ଟ ଦେଇଥାନ୍ତେ l ହେଲେ ତୁମ ମା ତ ରୋମାଣ୍ଟିକ ଶିରୋମଣି l

ହଁ ବୋଉ ର ତା ବିବାହ ବେଳର ସବୁ ଜିନିଷ କୁ ନେଇ ଟିକେ ଲୋଭ ରହିଛି l ସାନ ପୁଅ ବୁଝାଇ ସାରି କଡ଼ ଲେଉଟେଇ ଘୁଙ୍ଗୁଡ଼ି ମାରିବା ଆରମ୍ଭ କରିଦେଲା l ଏ ଲୋକ କୁ ଦିନ ଦି ପହରଟାରେ ଏତେ ନିଦ କେମିତି ହେଉଛି କେଜାଣି l ତମ ତମ ହୋଇ ସାନ ବୋହୁ ଚାଲିଗଲା ବଡ଼ ଯା ନିକଟକୁ ଫେରାଦ ହେବାକୁ l

     ବଡ଼ ବୋହୁ ଅନଲାଇନ ରେ ଆମିଷ ମଗାଉଥାଏ l ସାନ କୁ ଦେଖି କହିଲା

ଆଲୋ ତୁ ଖାଇବୁ କିଲୋ ?

କଣ ଆଣୁଛ ଶୀଘ୍ର ମଗାଅ ନାନୀ l ଶୁଦ୍ଧି ସରିଲା ପରେ ବି ଇଏ ଆମର ଭାଇଙ୍କ ସହ ମିଶିକି ଠିକ କରିଛନ୍ତି ଯେ ଘର କୁ ଆମିଷ ଏବେ ଆସିବ ନାହିଁ l କଣ ନା ବୋଉ ଖାଇବେନି ତ ତେଣୁ ତାଙ୍କ ସାମ୍ନା ରେ ଖାଇବାକୁ ହେବ ନାହିଁ l ହୁଁ !! ଶିଝା ଫୁଟା ଖାଇ ଖାଇ ପାଟି ରୁ ଗନ୍ଧ ବାହାରିଲାଣି !

      ଦି ଯା ମିଶି ଅନଲାଇନ ଆମିଷ ମଗାଇ କିଚେନ କୋଣ ରେ ବସିଗଲେ l ବଡ଼ ଯା ର ରଡ଼ ରଡ଼ କରି ହାଡ଼ ଚୋବାଇବା ଦେଖି ସାନ ଭାବୁଥାଏ ଡାହାଣୀ କୋଉଠିକାର ! କେମିତି ରଡ଼ ରଡ଼ କରି ଚୋବାଉଛି ମ !

     ସାନ ଥିରି ଥିରି କରି ମୁଣ୍ଡ ଲାଞ୍ଜ ଅଲଗା କରି ପ୍ଲେଟ ର ଗୋଟେ ସାଇଡ ରେ ରଖି ଟିକେ ଟିକେ ଖାଇବା ଦେଖି ବଡ଼ ଯା ଭାବିଲାଣି ଆହା ଲୋ ମୋ ହିରୋଇନି ! ୟା ପାଟିରେ ଦଶ ଟା ମାଛ ମୁଣ୍ଡ ଏକାବେଳକେ ପଶିଯିବ l ମୋ ଆଗରେ କେତେ ଛଇ l ଛୋପରି କଣ ଆଉ ଗଛରେ ଫଳନ୍ତି l

     ପୁଣି ଥରେ ଆରମ୍ଭ ହେଲା ଯୁକ୍ତି ତର୍କର ପର୍ବ l ଶ୍ୱଶୁର ଙ୍କ ବ୍ୟବହୃତ ଜିନିଷ ଗୁଡିକ କିଏ କିଏ ନେବେ l ପୁଣି ଶାଶୁ ତ ବିଧବା ଗୋଟେ ଗୋଡ଼ ମଶାଣି ରେ ହେଇକି ବି ଲୋଭ ଯେ କାହିଁରେ କଣ ! ଆହେ ଆଉ ଦି ଚାରି ବର୍ଷ ପରେ ତୁମେ ବି ତା ପରେ ସବୁ ଜିନିଷ ସମସ୍ତେ କାଢିନେବେ l ଏବେ କାହିଁକି ଏତେ ? ସାନ ପୁଅ ଉଠି ଆସି ପୁଣି କଥା ତେଜିଲା l

ସ୍ମୃତି, ଶେଷ ସନ୍ତକ ଏସବୁ ତ ଠିକ କଥା କହିଲୁ ବୋଉ l ହେଲେ ଥରେ ଭାବି ଦେଖ l ବାପା ତାଙ୍କ ଜୀବନ ରେ କଣ ଅବା କରି ପକାଇଛନ୍ତି ? ନା ତୋ ହାତ ବେକ କୁ ଦି ଖଣ୍ଡ ସୁନା ଦେଇ ପାରିଲେ ନା ଆମକୁ ଗୋଟେ ସୁଖୀ ଶୈଶବ l

ଏମିତି ନିଜର ଘର ଖଣ୍ଡିଏ ବି ନାହିଁ ଯେ ଆମର ଭଡା ଘରେ ଜୀବନ ଗଲା l ରୋମି କୁ ବାହା ହେଲା ପରେ ଜାଣ ମୋର ଲଟେରୀ ଲାଗିଗଲା l ଶ୍ୱଶୁରଙ୍କ ର ତିନି ତାଲା କୋଠା ଥିଲା ବୋଲି ନହେଲେ ସ୍ତ୍ରୀ କୁ ଆଣି କୋଉଠି ରଖିଥାନ୍ତି ? ଏଇ ଭଡା ଘରେ ? ବଡ଼ ପୁଅ ଏତିକି କହି ସ୍ତ୍ରୀ କୁ ଗଦ ଗଦ ହୋଇ ଚାହିଁଲା ବେଳକୁ ଗର୍ବ ରେ ତା ସ୍ତ୍ରୀ ର ନାକ ପୁଡା ଦୁଇଟି ବେଲୁନ ଭଳି ଫୁଲିକି ପୁଣି ଦବି ଯାଉଥାଏ l

     ଦୁଇ ଦିନ ହେଲାଣି ଗୋଟିଏ ବି ଜିନିଷ କାହାରିକୁ ମିଳିନାହିଁ l ହଁ ମ ଶ୍ୱଶୁରଙ୍କ ପେନସନ ରେ ତ ଶାଶୁ ନିଜେ ଚଳିଯିବେ l ତାକୁ କଣ ପୁଅ ମାନେ ମାଗୁଛନ୍ତି କି ? ପୁରୁଣା ଅଶିଆ କାଳ ର ମସିଆ ଭଳି ଦି ପଇସିଆ ଜିନିଷ କେତେଟା ମାଗୁଛନ୍ତି ସେମାନେ ଆଣ୍ଟିକ ପିସ କରି ରଖିବା ପାଇଁ ନା l ନିଜ ର ଜର ଟିକେ ବି କାହାକୁ ଦେବ ନାହିଁ ଏ ବୁଢ଼ୀ l ବଡ଼ ବୋହୁ ମନକୁ ମନ ଗୁଣୁ ଗୁଣୁ ହେଉଥିଲା l ସାତ ବର୍ଷ ର ଗୋଲୁ ମମି ମମି କହି ଦୌଡ଼ି ଆସିଲା l

କଣ ହେଲା ମମି ? କାଲିଠାରୁ ସମସ୍ତେ କେତେ ଟେନସନ ରେ ଅଛନ୍ତି l କଣ ହେଇଛି ? ମା କାନ୍ଦୁଛନ୍ତି ବୋଲି ସମସ୍ତେ ଟେନସନ ରେ ଅଛନ୍ତି ନା ?

ମଲା ମୋର ତୋ ଜେଜେମା କଣ ପିଲା ହେଇଛନ୍ତି କି କାନ୍ଦିବେ ଯେ l ପୁରୁଣା ଚିରା ଫଟା ଭଙ୍ଗା ଜିନିଷରେ ବି ତାଙ୍କର ଲୋଭ କେତେ ଦେଖ l

ଚିରା ଫଟା ଯଦି ତୁମେ କାହିଁକି ଜେଜେମା ଙ୍କ ଉପରେ ରାଗୁଛ ? ଭଙ୍ଗା ଜିନିଷ ନେଇ କଣ କରିବ ତୁମେ ? ତୁମର ତ କେତେ କେତେ ନୂଆ ଘଣ୍ଟା ଅଛି ନା ମମି l

ତୁ କିଛି ବୁଝିବୁନି l ଚୁପ ରହ l ଯେମିତି ବାପାକୁ ସେମିତି ପୁଅ l ଆରେ ମୁଁ ସେଇ ଘଡି ପିନ୍ଧିବାକୁ ନେଉନାହିଁ l ମୋର ମିନି ମ୍ୟୁଜିଅମ ରେ ନେଇ ରଖିବି l ମିସେସ ଶର୍ମା ଙ୍କ ମ୍ୟୁଜିଅମ ରେ ତାଙ୍କ ବାପାଙ୍କ କଠଉ ରହିଛି ଦେଖିଥିବୁ l ସେମିତି ଆମ ମ୍ୟୁଜିଅମ ରେ ସେଇ ପୁରୁଣା ଘଣ୍ଟା l

ଗୋଟେ ଅଚଳ ଘଣ୍ଟା ପାଇଁ କାହିଁକି ଏମିତି ହେଉଛ ମ ନାନି ନଦେଲେ ନଦିଅନ୍ତୁ l

ଆହା ଲୋ ମୋ ଧନ ! ତୋ ପାଇଁ ବଉଳ ପାଟ ଦରକାର l ତୁ ଥରେ ପିନ୍ଧି ଫେସବୁକ ରେ ଫୋଟୋ ଛାଡିସାରି କାମବାଲୀ କୁ ଦେଇଦେବୁ ଆଉ ମୋ ମ୍ୟୁଜିଅମ ପାଇଁ ଘଣ୍ଟାଟିଏ ମାଗିଲି ଯେ ଭାଗବତ ବାଣୀ ଶୁଣାଉଛୁ ?

     ତା ପରଦିନ ଦି ପୁଅଙ୍କ ଫ୍ଲାଇଟ ଥିଲା l ଜଣେ ସକାଳେ ଓ ଜଣେ ସନ୍ଧ୍ୟା ରେ ଚାଲିଯିବ l ତା ପୂର୍ବରୁ ଏସବୁ ର ଫଇସଲା ହେବା ନିହାତି ଦରକାର l ରାତିରେ ଶାଶୁଙ୍କୁ ନେଇ ମିଟିଙ୍ଗ ବସିଲା l ଉମା ଦୁଇ ପୁଅଙ୍କୁ ନେଇ ଆଜିଯାଏଁ ଗର୍ବ କରି ଆସୁଥିଲେ l ଦୁଇ ଜଣ ମୋର ଦୁଇ ବାହୁ ସଦୃଶ ବୋଲି ଭାବୁଥିଲେ l ଏବେ ପଚାଶ ବର୍ଷ ତଳ ର ଜିନିଷ କୁ ନେଇ ଝଗଡା ପୁଣି ଦୁଇ ଜଣ ଯାକ ମିଶି ତାଙ୍କୁ ବାଧ୍ୟ କରି ସେଇ ଜିନିଷ ଗୁଡିକ ହାତେଇନେବେ l କାନ୍ଦିବାକୁ ଚାହିଁ ବି କାନ୍ଦି ପାରୁ ନଥିଲେ ଉମା l ଧୀରେ ଧୀରେ ଆସି ଲଥ କରି ତଳେ ବସି ଯାଇ କହିଲେ

ମୁଁ ଜାଣେ ତୁମେ ମାନେ ସମସ୍ତେ ସବୁ କିଛି ମୋଠାରୁ ପୋଛିପାଛି ନେଇ ଯିବାକୁ ଚାହୁଁଛ ଯେ ହେଲେ ସେ ଜିନିଷ ଗୁଡିକ ର ମୂଲ୍ୟ ଆଜିର ଯୁଗ ରେ କିଛି ବି ହେବନି l ତାକୁ ବିକ୍ରି କଲେ ତୁମ କୁକୁର ପାଇଁ ବି ଖାଦ୍ୟ କିଣା ଯାଇପାରିବ ନାହିଁ l

ବଡ଼ ପୁଅ କହିଲା ବୋଉ ଆମେ ତାକୁ ନିଜ ପାଖରେ ସୁରକ୍ଷିତ କରି ରଖିବା ପାଇଁ ନେଉଛୁ l ତୋ ଜିନିଷ ଆଣ୍ଟିକ ପିସ ହୋଇ ଆମ ଘରେ ରହିବ ମାତ୍ର ତୁ ତ ଏ ବୟସ ରେ ବି ଲୋଭ !

    ହଠାତ ଗୋଲୁ ପଚାରି ଦେଲା ମମି ଏତେ ପୁରୁଣା ରଙ୍ଗ ଛଡା ଘଣ୍ଟାଟିକୁ ଆଣ୍ଟିକ କାହିଁକି କହୁଛ ? ତତକ୍ଷଣାତ କୌଣସି ବିଷୟ ରେ ଜ୍ଞାନ ନଥିବା ଏବଂ ଅନ୍ଦାଜ ରେ ସବୁ ବିଷୟ କହୁଥିବା ତା ମା କହିଲା ଏତେବଡ ପିଲା ହୋଇ ଆଣ୍ଟିକ ଜାଣିନାହୁଁ ତୁ ? ଘଣ୍ଟା ଟି ବହୁତ ପୁରୁଣା ଅଚଳନ୍ତି ଏବଂ ତାହାର କୌଣସି ମୂଲ୍ୟ ନାହିଁ l ସାନ ବୋହୁ ଫିକ କରି ହସିଦେଲା l ସେ କିଛି କହିବା ଆଗରୁ ଗୋଲୁ ଆରମ୍ଭ କରିଦେଲା l

ବାପା ମୋର ଆଣ୍ଟିକ ତୁମ ଆଣ୍ଟିକ ଠୁ ବି ବେଶୀ ମଜାଳିଆ ଓ ବେଶୀ ଦାମ ରେ ବିକ୍ରି ମଧ୍ୟ ହେବ l ଜାଣିଛ ନା ମୁଁ ବଡ଼ ହେଲେ ଗୋଟେ ବଡ଼ ମ୍ୟୁଜିଅମ କରିବି l ସେଥିରେ କଥା କହୁଥିବା ଆଣ୍ଟିକ ମାନେ ରହିବେ l ସାନ ପୁଅ ର ପାଞ୍ଚ ବର୍ଷ ର ଝିଅ ପଚାରିଲା l

ଭାଇ ତୋର ଆଣ୍ଟିକ କଥା ବି କହିବ ? ତେବେ ବଢିଆ ମଜା ହେବନା ?

ଗୋଟେ ନୁହେଁ ମୋର ଦୁଇ ଦୁଇଟା କଥାକୁହା ଆଣ୍ଟିକ

 ରହିବେ l


ଭାଇ ତୁ ଆଣ୍ଟିକ ରଖିଛୁ ? କାଇଁ କୋଉଠି ଦେଖା ନା ପ୍ଲିଜ l

   ହେଇ ଦେଖ କହି ଗୋଲୁ ତା ନିଜ ମା ବାପା ଙ୍କ ଆଡେ ହାତ ବଢ଼ାଇ ଦେଲା l ସମସ୍ତେ ସ୍ତବ୍ଧ l କାହାରି ମୁହଁ ରେ ଭାଷା ନାହିଁ l

ମୁଁ ବଡ଼ ହେଲାବେଳକୁ ମମି ଡ଼ାଡ଼ି ବୁଢ଼ା ବୁଢ଼ୀ ହେଇ ଯାଇଥିବେ l ସେମାନେ ଆଉ ମୋତେ ବୁଲେଇବାକୁ ନେଇ ପାରିବେ ନାହିଁ କି ମୋତେ ନେଇ ରେଷ୍ଟୁରାଣ୍ଟ ରେ ଖୁଆଇ ପାରିବେ ନାହିଁ l ସ୍କୁଲ ଆନୁଆଲ ଫଙ୍କସନ ଦେଖିବାକୁ ବି ସେମାନଙ୍କର ବଳ ନଥିବ l ତେଣୁ ସେମାନେ ଅଚଳନ୍ତି l ମାନେ କାମରେ ଆସିବେ ନାହିଁ l ତେଣୁ ମୋ ମ୍ୟୁଜିଅମ ରେ ମୁଁ ସେମାନଙ୍କୁ ରଖି ଯେଉଁମାନେ ଦେଖିବାକୁ ଆସିବେ ଟିକଟ ଲାଗିବ ଜଣ ଜଣକୁ ହଜାରେ ଟଙ୍କା l

ଏହା ପରେ ସମସ୍ତେ ଯେ ଯାହା ରୁମ କୁ ଚାଲି ଯାଇଥିଲେ l ଆଣ୍ଟିକ କଥା ସେତିକିରେ ରହିଲା l ତହିଁ ପରଦିନ ଉମା ଙ୍କ ପାଦ ଛୁଇଁ ନିରବରେ ବାହାରିଗଲେ ସମସ୍ତେ l


Rate this content
Log in

Similar oriya story from Tragedy