କୃପାମୟୀ ମାଆ ଶାରଳା
କୃପାମୟୀ ମାଆ ଶାରଳା
କୃପାମୟୀ ମାଆ ଶାରଳା
==============
ମାଆ ଶାରଳା ଜଗତସିଂହ ପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ l ମାଆଙ୍କ ଆବିର୍ଭାବ ସମ୍ପର୍କରେ ବହୁ କିମ୍ବଦନ୍ତୀ, ଲୋକକଥା ଓ ପୌରାଣିକ ଗାଥା ମାନ ରହିଛି l ଦେବୀ ଭାଗବତ ଓ ରୁଦ୍ର ଯାମଳ ବର୍ଣ୍ଣିତ ତଥ୍ୟ ଅନୁସାରେ, ଦକ୍ଷଯଜ୍ଞରେ ଅର୍ଦ୍ଧଦଗ୍ଧ ସତୀଙ୍କ ପିଣ୍ଡକୁ ଶଙ୍କର ଧରି ତାଣ୍ଡବନୃତ୍ୟ କରୁଥିଲା ବେଳେ, ଭଗବାନ ବିଷ୍ଣୁ ପିଣ୍ଡକୁ ସୁଦର୍ଶନ ଚକ୍ରରେ କାଟି ଖଣ୍ଡ ଖଣ୍ଡ କରି ପୃଥିବୀରେ ପକାଇ ଦେଲେ l ସତୀଙ୍କ ଏହି ଖଣ୍ଡିତ ପିଣ୍ଡ ଯେଉଁ ଠାରେ ପତିତ ହେଲା, ସେଠାରେ ଗୋଟିଏ କରି ଶକ୍ତି ପୀଠ ଗଢ଼ି ଉଠିଲା l କର୍ତ୍ତିତ ଅଂଶ ଗୁଡ଼ିକରୁ, ଜିହ୍ୱା ପଡ଼ିଥିବା ସ୍ଥାନ ଝଙ୍କଡ଼ଠାରେ ବାଗ୍ଦେବୀ କରୁଣାମୟୀ ମାଆ ଶାରଳା ଆବିର୍ଭୁତା ହୋଇଛନ୍ତି l
ଅନ୍ୟ ଏକ ପୌରାଣିକ ଆଖ୍ୟାୟିକାରୁ ଜଣା ଯାଏ ଏକଦା ଋଷି କୃପାଜଳ, କଠୋର ତପସ୍ୟା କରି ବ୍ରହ୍ମପଦ ଲାଭ କରିଥିଲେ l ଦେବୀ ସରସ୍ବତୀଙ୍କୁ ସେ ନିଜ କନ୍ୟା ରୂପେ ପାଇବାକୁ ଆଶା ପୋଷଣ କରିଥିଲେ l ସରସ୍ବତୀ ଆବିର୍ଭୁତା ହୋଇଥିଲେ ଓ ଋଷିଙ୍କୁ ଦର୍ଶନଦେଇ ଅନ୍ତର୍ଧ୍ୟାନ ହୋଇ ଯାଇଥିଲେ l ଅନ୍ତର୍ଧ୍ୟାନ ହେବା ପୂର୍ବରୁ ଦେବୀ ଶରମୁନରେ ଏକ ଶିଳା ଉପରେ, ଏକ ମହିଷl ମର୍ଦ୍ଦିନୀ ଦେବୀ ଦୁର୍ଗା ଚିତ୍ର ଆଙ୍କି ଦେଇ ଯାଇଥିଲେ l ଋଷି କୃପାଜଳ ସେହି ଶିଳାଟିକୁ ନେଇ ନିଜ ଆଶ୍ରମରେ ରଖି ପୂଜା କରୁ ଥିଲେ l ଋଷିଙ୍କ ଦେହାନ୍ତ ହେଲା ଏବଂ କାଳକ୍ରମେ ସେହି ଶିଳାଖଣ୍ଡ ମାଟି ତଳେ ପୋତିହୋଇ ଗଲା l ତ୍ରେତୟାଯୁଗରେ ଭଗବାନ ବିଷ୍ଣୁ ପରଶୁରାମ ଅବତାର ଧରି ଏକୋଇଶ ବାର କ୍ଷତ୍ରୀୟ ସଂହାର କରିଥିଲେ l ସଂହାର ସମୟରେ ଯେତେ ବେଳେ ସେ ସମଗ୍ର ବିଶ୍ୱ ପରିକ୍ରମା କରୁଥିଲେ ସେ ଯେଉଁ ସ୍ଥାନରେ ତାଙ୍କ ପରଶୁଟି ରଖି ଦେଉଥିଲେ ସେହି ସ୍ଥାନରେ ବାର ଅଙ୍ଗୁଳ ଭୂମି ଦବି ଯାଉଥିଲା l କିନ୍ତୁ ଦିନେ ସେ ଏହି ସ୍ଥାନରେ ପହଞ୍ଚି, ତାଙ୍କର ପରଶୁ ରଖିଦେବାରୁ ସେଠାରେ ଭୂମି ଆଉ ଦବିଲାନାହିଁ l ଆଶ୍ଚର୍ଯ୍ୟହୋଇ ସେ ଶରରେ ମାଟିଖୋଳି ଦେଖନ୍ତିତ ମାଟିତଳେ ଅଛି ଏକ ପାଷାଣ ବିଗ୍ରହ l ସେହି ବିଗ୍ରହଟିକୁ ଉଠାଇ ଆଣିବାରୁ ମାଆ ଶାରଳା ଭଗବାନ୍ ବୀର ପର୍ଶୁରାମଙ୍କୁ, ଭୈରବୀ ରୂପରେ, ଦର୍ଶନ ଦେଲେ l ପର୍ଶୁରାମ ବୃଦ୍ଧାନଦୀରେ ଯାଇ ସ୍ନାନ କରି ଆସିଲେ ଓ ସ୍ନାନ ଅପରାନ୍ତେ, ଦେବୀଙ୍କୁ ପୂଜା କରି ତାଙ୍କର କୁଠାର ଦେବୀଙ୍କୁ ଅର୍ପଣ କରିଥିଲେ ଏବଂ ଦେବୀ ତାହା ଧାରଣ କରି ଥିଲେ l ଏ ବର୍ଣ୍ଣନା ଶ୍ରୀଶାରଳା ଦାସ ରଚିତ ମହାଭାରତ ସ୍ଵର୍ଗାରୋହଣ ପର୍ବରେ ଅଛି l ସେଥିରେ ଲେଖାଅଛି :-
ଯେଉଁ କଟାରରେ ପ୍ରଭୁ ପର୍ଶୁରାମ ବୀର l
ନିକ୍ଷେତ୍ରି କରିଲେ ପୃଥ୍ୱୀ ଏକବିଂଶ ବାର ll
ସେ ରୁଧିର ନେଇ ବୀର ତରପଣ କଲେ l
ଅବଶେଷେ ଭଇରଵୀ ପୂଜା ସମାପିଲେ ll
କଟାରକୁ ଯାମଦଗ୍ନ୍ୟ ଭୈରଵୀଙ୍କୁ ଦେଲେ l
ଭଇରଵୀ ତାକୁ ନେଇ କରରେ ଧଇଲେ ll
ଜନଶ୍ରୁତି ଅନୁଯାୟୀ, ପର୍ଶୁରାମ ବୃଦ୍ଧାନଦୀ ତଟର ପର୍ଶୁରାମ ଘାଟ ନିକଟରେ ଶାରଳା ଦେବୀ ମୂର୍ତ୍ତିଙ୍କୁ ପାଇଥିଲେ l ସାନ ସାରୋଳ ଗ୍ରାମରେ ଦେବୀଙ୍କ ପର୍ଶୁରାମଙ୍କ ସହ ଏକ ବରଗଛ ନିକଟରେ ଭେଟ ହୋଇଥିଲା l ଏବେ ସେ ସ୍ଥାନରେ ଥିବା ବର ଗଛ ଭେଟ ବର ନାମରେ ପରିଚିତ l
ଏହି ଭେଟବର ପାଖରେ ମା' ଶାରଳାଙ୍କ ପ୍ରାଚୀନ ମନ୍ଦିର ଥିଲା l ସେଠାରେ ଆଜି ପର୍ଯ୍ୟନ୍ତ ଦେବୀଙ୍କ ପୂଜା, ଏକ ଲଣ୍ଡା ଦେଉଳରେ ଚାଲିଛି l କେତେକ କହିଥାନ୍ତି, 1568 ଖ୍ରୀଷ୍ଟାବ୍ଦରେ, ପ୍ରାଚୀନ ଶାରଳା ମନ୍ଦିର କଳାପାହାଡ଼ ଆକ୍ରମଣରେ ଧ୍ବଂସ ହୋଇଛି l ସେହି ଭଗ୍ନ ମନ୍ଦିରଟି ଏବେକାର ଲଣ୍ଡା ଦେଉଳ ନାମରେ ପରିଚିତ l
ମାଆ ଶାରଳା ଅଷ୍ଟଭୁଜା l ଦେବୀ ମହିଷାମର୍ଦ୍ଦିନୀ ହେଲେ ସୁଦ୍ଧା ସେ ବିଦ୍ୟା ପ୍ରଦାୟିନୀ ମା ବାଗ୍ଦେବୀ ଭାବରେ ପୂଜିତା l ମାଆଙ୍କ ଚାରି ଦକ୍ଷିଣ ହସ୍ତରେ ବୀଣା,ପୁସ୍ତକ, ଖଡ୍ଗ ଓ ତ୍ରିଶୁଳ ରହିଛି l ବାମ ଚାରି ହାତରେ ଢାଲ, ଧନୁ, ମହିଷାସୁରର ମୁଣ୍ଡ ଓ ଘଣ୍ଟି ରହିଛି l ଦେବୀ ତାଙ୍କ ଦକ୍ଷିଣ ପାଦଟିକୁ ମହିଷାସୁର ଉପରେ ସ୍ଥାପନ କରିଛନ୍ତି l କ୍ଷୁଦ୍ର ଆକାରର ସିଂହ ଦେବୀଙ୍କ ଦକ୍ଷ ଭାଗରେ ରହିଛି l ଚଣ୍ଡୀଙ୍କର ସର୍ବ ଶକ୍ତିମୟୀ ରୂପ ଶାରଳାଙ୍କ ବିଗ୍ରହରେ ପରିସ୍ଫୁଟିତ ହୋଇଛି l ସେ ଦୁର୍ଗା ହେଲେ ମଧ୍ୟ ସେ ସରସ୍ବତୀ ଓ ତାଙ୍କଠାରେ ବୈଷ୍ଣବୀଭାବ ଅଧିକ ଅନୁସୃତ l ବର୍ଷସାରା ସେ ତୁଳସୀ ପତ୍ରରେ ଏବଂ ବନ ଦୁର୍ଗା ମନ୍ତ୍ରରେ ପୂଜିତା ହୁଅନ୍ତି l ମାଆଙ୍କୁ ଦୁର୍ଗାମହାଷ୍ଟମୀ ଦିନ ବିଲ୍ଵ ପତ୍ରରେ ଭୋଗ ସମର୍ପଣ କରା ଯାଏ l ଦେବୀଙ୍କ ପର୍ବପର୍ବାଣି ମାନଙ୍କରେ ଉଭୟ ଶୈବ ଏବଂ ବୈଷ୍ଣବ ପରମ୍ପରାର, ସ୍ପଷ୍ଟ ଝଲକ ଦେଖିବାକୁ ମିଳି ଥାଏ l ମାଆଙ୍କର ଏକ ଧ୍ୟାନମନ୍ତ୍ରରେ ତାଙ୍କର ଅପୂର୍ବ ରୂପ ବର୍ଣ୍ଣନା ରହିଛି l ସେହି ଶ୍ଲୋକଟି ହେଲା :-
ସିଂହସ୍ୟ ଉପରିଦତ୍ତ ଦକ୍ଷ ଚରଣାମ୍
ବିଭ୍ରାଜମାନାଂ ଶୁଭାମ୍ l
ବୀଣା ପୁସ୍ତକ ଖଡ୍ଗ ଶୂଳ ଦଧତାଂ
ଦକ୍ଷକରାମ୍ଭୋରୁ ହୈହଃ ll
ଘଣ୍ଟା କାର୍ମୁକ ପଟ୍ଟୀଶା ସୁରକଚାନ
ବାମୈବକର୍ରେଇର୍ବୀଭ୍ରତିମ୍ l
ଭିନ୍ଦନ୍ତିମ୍ ମହିଷାଙ୍ଗ ନମାମି
ବରଦାଂ ବାଗ୍ଦେବୀ ଶାରଦାମ୍ ll
କାର୍ତ୍ତିକ ମାସରେ ମାଆ ବୈଷ୍ଣବୀ ରୂପରେ ତୁଳସୀ ମାଳା ପିନ୍ଧନ୍ତି l ମାଣ ବସାରେ ଲକ୍ଷ୍ମୀ ପୂଜା ହୁଏ l ଶ୍ରୀ ପଞ୍ଚମୀରେ ସରସ୍ବତୀ ପୂଜା ହୁଏ l ଫାଲଗୁନ ମାସରେ ଦୋଳ ଚନ୍ଦନ ଯାତ୍ରା ସବୁ ବୈଷ୍ଣବାଚାର ମାନଙ୍କରେ ପୂଜା ଅନୁଷ୍ଠିତ ହୋଇ ଥାଏ l ଆଶ୍ୱିନ ମାସର ମୂଳାଷ୍ଟମୀ ଠାରୁ, ବିଜୟା ଦଶମୀ ପର୍ଯ୍ୟନ୍ତ ମାଆଙ୍କ ପୂଜା ଶାକ୍ତ ତାନ୍ତ୍ରିକ ମତରେ ହୋଇ ଥାଏ l ପୂର୍ବେ ମହାଷ୍ଟମୀ ତିଥିରେ ମହିଷବଳି ପଡୁଥିଲା l ଏହା 1946 ମସିହା ଠାରୁ ବନ୍ଦ ହୋଇ ଯାଇଛି l ମନ୍ଦିରରେ ଦୁଇ ପ୍ରକାର ପୁରୋହିତ, ଜଣେ ପୂଜକ ଏବଂ ଜଣେ ଚଣ୍ଡୀ ପାଠକ ରହିଛନ୍ତି l ମନ୍ଦିରରେ ପ୍ରତ୍ୟହ ଚଣ୍ଡୀ ପାଠ ହୁଏ l ମା'ଙ୍କ ମନ୍ଦିରରେ ଦୁଇ ପ୍ରକାର ସେବକ ଅଛନ୍ତି ପଣ୍ଡା ଓ ରାଉଳ l ବ୍ରାହ୍ମଣ ସେବକ ମାନେ ଭୋଗ ଲଗାନ୍ତି ଓ ରାଉଳ ସେବକ ମାନେ ମାଆଙ୍କ ସ୍ନାନ, ଶୃଙ୍ଗାର ସେବା କରିଥାନ୍ତି l ମନ୍ଦିର ପରିଚାଳନା ଓ ଦୈନିକ ନୀତି, ଏକ ଟ୍ରଷ୍ଟ ବୋର୍ଡ ଦ୍ୱାରା ନିୟନ୍ତ୍ରିତ l ଦୈନିକ ନୀତି ସକାଳ 6 ଟାରେ ଆରମ୍ଭ ହୋଇ ଦିନ 12 ଟାରେ ଅବକାଶ ହୁଏ l ପୁଣି ଦିନ 3 ଟାରୁ ପହଡ଼ ଖୋଲି ରାତ୍ର 11 ଟାରେ ପହଡ଼ ପଡ଼େ l ମାଆଙ୍କର ବାର ମାସରେ ତେରପର୍ବ ଲାଗି ରହିଥାଏ l ପର୍ବ ପର୍ବାଣି ମାନଙ୍କ ଭିତରୁ ପ୍ରମୁଖହେଲେ ପଣା ସଂକ୍ରାନ୍ତି, ଚନ୍ଦନଯାତ୍ରା ସାବିତ୍ରୀ ଅମାବାସ୍ୟା, ରଜ, ରଥଯାତ୍ରା, ଚିତାଲାଗି ଅମାବାସ୍ୟା, ଜନ୍ମାଷ୍ଟମୀ, ଗହ୍ମାଭିଷେକ,ସପ୍ତପୁରୀ ଅମାବାସ୍ୟା, ଗଣେଶ ଚତୁର୍ଥୀ, ସୁନିଆଁ, ନୂଆଚୁଡ଼ା ଲାଗି, ଶାରଦୀୟପୁଜା, କୁମାର ପୂର୍ଣ୍ଣିମା, ଦୀପାବଳି ରାସଉତ୍ସବ, ପ୍ରଥମାଷ୍ଟମୀ, ମାଣବସା, ଧନୁସଂକ୍ରାନ୍ତି ବକୁଳ ଅମାବାସ୍ୟା, ଶାମ୍ବଦଶମୀ, ପୁଷ୍ୟାଭିଷେକ ମକର ସଂକ୍ରାନ୍ତି, ଶ୍ରୀପଞ୍ଚମୀ, ମାଘ ସପ୍ତମୀ, ଅଗ୍ନି ଉତ୍ସବ, ଜାଗର, ଦୋଳ, ଚୈତ୍ରପର୍ବ ଇତ୍ୟାଦି l
ଚୈତ୍ରପର୍ବ ଓ ପଣା ସଂକ୍ରାନ୍ତି ଅବସରରେ ଏଠିକା ପାଟୁଆନାଚ ଖୁବ୍ ଆକର୍ଷଣୀୟ l ମାଆଙ୍କ ରାଉଳ ସେବକ ମାନେ ପାଟୁଆ ସାଜି ଗୋଡ଼ରେ ରଣପା ପିନ୍ଧି ନୃତ୍ୟ କରି ମାଆଙ୍କ ମହିମା ପ୍ରଚାର କରନ୍ତି l ଅନ୍ୟାନ୍ୟ ମଙ୍ଗଳା ପୀଠ ମାନଙ୍କରେ ମଧ୍ୟ ପାଟୁଆ ପରମ୍ପରା ରହିଛି l ମା' ଶାରଳାଙ୍କ ପାଟୁଆ ମାନେ କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଆଦି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ, ମାଆଙ୍କ ଘଟ ବହନ ପୂର୍ବକ, ରଣପା ନୃତ୍ୟ କରି, ମାଆଙ୍କ ଆଶିଷ ବାଣ୍ଟିବା ସହ ମାଆଙ୍କ ଉଦ୍ଦେଶ୍ୟରେ ଭିକ୍ଷା ସଂଗ୍ରହ କରନ୍ତି l ଗ୍ରାମଞ୍ଚଳରେ ଶାରଳା ପାଟୁଆଙ୍କୁ ଲୋକେ ବହୁତ ଭକ୍ତି କରନ୍ତି l ଏ ପାଟୁଆ ମାନଙ୍କୁ ଘଟ ପାଟୁଆ ବୋଲି କୁହା ଯାଏ l ସେମାନେ ଘଣ୍ଟ ବଜାଇ ରଣପାନୃତ୍ୟ କରୁଥିବାହେତୁ କେହି କେହି ସେମାନଙ୍କୁ ଘଣ୍ଟ ପାଟୁଆ ବୋଲି କହିଥାନ୍ତି l
ପଞ୍ଚଦଶ ଶତାବ୍ଦୀରେ ମା'ଙ୍କ ମନ୍ଦିର କନକାବତୀ ପାଟଣା ସାରୋଳ ଗ୍ରାମରେ ଥିଲା l କଳା ପାହାଡ଼ ଆକ୍ରମଣ ସମୟରେ ମାଆଙ୍କ ପ୍ରତିମାକୁ ରାଉଳ ସେବକମାନେ ମାଣିକ ପୋଖରିରେ ଲୁଚାଇ ରଖି ଥିଲେ l କଳାପାହାଡ଼ ଚାଲିଯିବାପରେ ମାଆ ପୁଣି ମନ୍ଦିରରେ ସ୍ଥାପିତ ହୋଇଥିଲେ l ଇତିହାସ ତଥ୍ୟ ଅନୁଯାୟୀ, 1669 ଖ୍ରୀଷ୍ଟାବ୍ଦରେ ଆଉରଙ୍ଗଜେବ ହିନ୍ଦୁ ମନ୍ଦିର ଭାଙ୍ଗିବାପାଇଁ ନିର୍ଦ୍ଧେଶ ଦେଇଥିଲେ l ନିର୍ଦ୍ଦେଶ ଅନୁଯାୟୀ 1697ରେ ବିଲଗ୍ରାମ ଠାରେ ଅବସ୍ଥାପିତ ଥିବା ମୋଗଲ ଦରବାରର ଆଞ୍ଚଳିକ ପ୍ରଶାସକ ମୀର ସ. ଅହମ୍ମଦ ଓଡ଼ିଶାର ଜଗନ୍ନାଥ ମନ୍ଦିରସହ ଅନ୍ୟାନ୍ୟ ହିନ୍ଦୁ ମନ୍ଦିର ସବୁ ଭାଙ୍ଗିବାକୁ ଆଦିଷ୍ଟ ହୋଇ ଥିଲେ l ଶାରଳା ଦେବୀଙ୍କ ମନ୍ଦିର ଭଙ୍ଗାଯିବା କଥା, ଇତିହାସରେ ନାହିଁ l କିନ୍ତୁ ମୋଗଲ ଗୋଳ ହେବାରୁ ସେବକ ମାନେ ମାଆଙ୍କ ବିଗ୍ରହକୁ ନେଇ ତେନ୍ତୁଳିଆପଦା ଗ୍ରାମ ନିକଟ ଶାଳ ଜଙ୍ଗା ଜଙ୍ଗଲର ଏକ ବିଲ ମଧ୍ୟରେ ଲୁଚାଇ ରଖିଥିଲେ l ମୋଗଲ ମାନେ ବିଗ୍ରହକୁ ନ ପାଇ ମନ୍ଦିରଟିକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇ ଥିଲେ l ଶାରଳାଦାସଙ୍କ ବର୍ଣ୍ଣନନୁଯାୟୀ ବିଧର୍ମୀ ମାନଙ୍କ ଦ୍ୱାରା ମାଆଙ୍କ ମନ୍ଦିର ବହୁ ବାର ଧ୍ବଂସ ହୋଇଛି ଓ ସେ ସମୟରେ ମା' ଶାରଳାଙ୍କୁ ଚନ୍ଦ୍ରଭାଗା ନଦୀ ( ଏବେ ବିଲୁପ୍ତ) ପଠାରେ ସ୍ଥାପନ କରାଯାଇଥିଲା l ମନ୍ଦିରକୁ ସୁରକ୍ଷା ଦେବାପାଇଁ କେତେ ଗୁଡିଏ ରାଜପୁତ ପରିବାରଙ୍କୁ ଏଠାରେ ଥଇଥାନ କରାଯାଇ ଥିଲା l ରାଜପୁତ ବସତି ହିନ୍ଦୁ ମୁସଲମାନ ବସ୍ତି ମଝିରେ ଏବେ ମଧ୍ୟ ବିଦ୍ୟମାନ l ଠାକୁରାଣୀଙ୍କୁ ଏକ କାଷ୍ଠମନ୍ଦିରରେ ବହୁଦିନ ରଖା ଯାଇଥିଲା l ମରହଟ୍ଟା ଶାସନ ଆସିଲା ପରେ ପୁଣି ନୂତନ ମନ୍ଦିର ନିର୍ମାଣ ହେଲା l 1903 ମସିହାରେ ମନ୍ଦିର ସମ୍ପୂର୍ଣ୍ଣ ହୋଇ ଥିଲେ ମଧ୍ୟ ଚୂଡଚକ୍ର ଶେଷ ହୋଇ ପାରି ନଥିଲା l କାଷ୍ଠମଣ୍ଡପରେ ନିଆଁ ଲାଗି ଯିବାରୁ ମାଙ୍କୁ ଏହି ଅସମ୍ପୂର୍ଣ ମନ୍ଦିରକୁ ସ୍ଥାନାନ୍ତର କରାଯାଇଥିଲା l 1914 ମସିହାରେ ମନ୍ଦିର ସମ୍ପୂର୍ଣ୍ଣ ହୋଇ ପ୍ରତିଷ୍ଠା ହୋଇ ଥିଲା l ବର୍ତ୍ତମାନର ମନ୍ଦିର ତିର୍ତ୍ତୋଲ ବ୍ଲକ କନକ ପୁର ଠାରେ ସ୍ଥାପିତ ହୋଇଛି l ଓଡ଼ିଶାର ଆଦିକବି ଶାରଳାଦାସ ମାଆ ଶାରଳାଙ୍କ ଆଶୀର୍ବାଦ ଲାଭ କରି, ମହା ମୁର୍ଖରୁ ମହା ପଣ୍ଡିତ ହୋଇଥିଲେ l ମାଆ ଆଶିଷଦେଲେ ମୂକ ବାଚାଳ ହୋଇ ପାରେ l ମହାକବି ଶାରଳା ଦାସ, ମାଆଙ୍କ ପରମ ଭକ୍ତ l ମନ୍ଦିର ସିଂହଦ୍ୱାର ସମ୍ମୁଖରେ କବି ଶାରଳା ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରା ଯାଇଛି l ଦକ୍ଷିଣରେ ମାଆଙ୍କର ସୁଦୃଶ୍ୟ ଚନ୍ଦନ ପୁଷ୍କରିଣୀ l
ଦେବୀ ଶାରଳା ମହାକାଳୀ, ମହାଲକ୍ଷ୍ମୀ ଓ ମହା ସରସ୍ୱତୀ ତ୍ରିଗୁଣ ଶକ୍ତିର ବିଗ୍ରହ l ବ୍ୟାସଦେବଙ୍କ ବର୍ଣ୍ଣିତ 108 ସିଦ୍ଧପୀଠ ମଧ୍ୟରେ ଝଙ୍କଡ଼ ଶାରଳା ପୀଠ ଅନ୍ୟତମ l ମାଆ ବିଦ୍ୟା ପ୍ରଦାୟିନୀ, ଶକ୍ତି ପ୍ରଦାୟିନୀ, ଜ୍ଞାନ ପ୍ରଦାୟିନୀ l ଓଡ଼ିଶାର ପାଲା ସଂସ୍କୃତି ସହ ମାଆ ଶାରଳା ପୀଠର ଏକ ନିବିଡ଼ ସମ୍ପର୍କ ରହିଛି l ପାଲା ଗାୟକ ମାନେ ମାଆଙ୍କ ପୂଜାକରି ତାଙ୍କ ଆଶୀର୍ବାଦ ସ୍ୱରୂପ ଚାମର ପ୍ରାପ୍ତି ହେଲା ପରେ ସେମାନଙ୍କ କଳାକୁ ସାଧାରଣରେ ପ୍ରଦର୍ଶନ କରିଥାନ୍ତି l ଚାମରକୁ ଗାୟକ ମାନେ ମାଆଙ୍କ ଦିବ୍ୟ ସ୍ୱରୂପ ବୋଲି ଜ୍ଞାନ କରିଥାନ୍ତି ଓ କଳା ପ୍ରଦର୍ଶନ କାଳରେ ହାତରେ ଧାରଣ କରି ଥାନ୍ତି l ହାତରେ ଧରିଥିବା ଚାମର ଦ୍ୱାରା ଗାୟକ ମାନେ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ କରି ଥାଆନ୍ତି l
ଇତିହାସରୁ ମା' ଶାରଳାଙ୍କୁ କିଏ କେବେ ପ୍ରତିଷ୍ଠା କଲେ ଜଣା ପଡ଼ି ନାହିଁ l ଲୋକ କଥା, ଶାରଳା ଦାସଙ୍କ ବର୍ଣ୍ଣନାରୁ ଶାରଳାଙ୍କ ଉତ୍ପତ୍ତି ବିଷୟରେ ଯାହା କିଛି ଅନୁମିତ ହୁଏ l
ମା' ଶାରଳାଙ୍କ ଆବିର୍ଭାବ ବିଷୟରେ ଗୌରାଙ୍ଗ ଅଧିକାରୀଙ୍କ ଲିଖିତ ଶାରଳା ମାହାତ୍ମ୍ୟରେ ଏକ
ଉପାଖ୍ୟାନ ଦେଖିବାକୁ ମିଳେ l ମାହାତ୍ମ୍ୟ ଅନୁସାରେ ଥରେ କିର୍ତ୍ତୀ ଓ ବାସ ନାମକ ଦୁଇଟି ଅସୁର ଦେବତାଙ୍କ ବରଦ୍ୱାରା ବଳୀୟାନ ହୋଇ ପୃଥିବୀବାସୀଙ୍କୁ ବହୁ ପୀଡା ଦେଲେ l ଉତ୍ପୀଡ଼ିତ ମନୁଷ୍ୟ ସେହି ରାକ୍ଷସ ଦ୍ଵୟଙ୍କ ଅତ୍ୟାଚାରରୁ ରକ୍ଷାପାଇଁ ଦେବତା ମାନଙ୍କ ଶରଣ ପଶିଲେ l ଦେବଗଣ ସନ୍ତୁଷ୍ଟ ହୋଇ ମାଆ ମହାମାୟାଙ୍କୁ ସ୍ତୁତି କଲେ l ଦେବତାଙ୍କ ପ୍ରାର୍ଥନାରେ ମାଆ ଏକ ଗୋପାଳୁଣୀ ବେଶରେ ଝଙ୍କଡ଼ କରଣପୁର ଗ୍ରାମରେ ପ୍ରକଟିତ ହୋଇଥିଲେ l ମା' ଅସୁରଙ୍କୁ ନିଜ ପଦଦ୍ୱୟରେ ଚାପି ଭୁପ୍ରବେଶ କରିଥିଲେ l ଯେଉଁଠାରେ ଦେବୀ, ଅସୁରମାନଙ୍କୁ ପାତାଳ ଚାପିଥିଲେ ସେଠାରେ ଏକ ହ୍ରଦ ସୃଷ୍ଟି ହୋଇ ଥିଲା l ହ୍ରଦଟି ଅଧୁନା ଦେବୀ ପାଦହରା ହ୍ରଦ ବୋଲି ପରିଚିତ l କନକପୁରର ଚନ୍ଦ୍ରଭାଗା ଓ ବୃଦ୍ଧାନଦୀ ମଧ୍ୟ ବର୍ତ୍ତୀ ଅଞ୍ଚଳ ଏହି ହ୍ରଦ l କାଳକ୍ରମେ ଚନ୍ଦ୍ରଭାଗା ଅସ୍ତିତ୍ୱ ହରାଇଛି l ବୃଦ୍ଧା ନଦୀ, ବୁଢ଼ୀ ନଈ ନାମ ଧରି ତେନ୍ତୁଳୀ ପଦା ଗ୍ରାମପାଖରେ ଏକ କ୍ଷୁଦ୍ରଯୋର ଭାବେ ପ୍ରବାହିତ l ସର୍ବପ୍ରଥମେ ବର୍ଣ୍ଣିତ ଆଖ୍ୟାନ ଅନୁଯାୟୀ, ମାଆ ପର୍ଶୁରାମଙ୍କ ଶରରେ ଅଙ୍କିତ ହୋଇ ଥିବାରୁ ତାଙ୍କ ନାମ ଶାରଳା ହୋଇଛି l ଆଉ ଗୋଟିଏ ମତରେ, ବିଷ୍ଣୁଙ୍କ ମାୟାକୁ ମହା ସରସ୍ୱତୀ ରୂପେ ଶରତକାଳ ନବମୀ ତିଥିରେ ପୂଜା କରାଯିବାରୁ ଦେବୀଙ୍କୁ ଶାରଦା, ପୀଠକୁ ଶାରଦା ପୀଠ ବୋଲି ଚିତ୍ରିତ କରା ହୋଇଛି l ଆହୁରି କୁହାଯାଏ, ମାଆ ବିଦ୍ୟାର ସାର ପ୍ରଦାନ କରୁ ଥିବାରୁ ସେ ଶାରଦା ଏବଂ ଶାରଦା ଶବ୍ଦରୁ ଶାରଳା ଶବ୍ଦର ଉତ୍ପତ୍ତି l ଏଠାରେ ସ୍ମରଣ କରା ଯାଇ ପାରେ ଯେ ମାଆ ସରସ୍ବତୀଙ୍କ ଅନ୍ୟ ଏକ ନାମ ମଧ୍ୟ ଶାରଦା l
ମାଙ୍କ ସମ୍ବନ୍ଧରେ ଆଉ ଏକ ଐତିହାସିକକିମ୍ବଦନ୍ତୀ ଶୁଣିବାକୁ ମିଳେ l କଳାପାହାଡ଼ ଆକ୍ରମଣ ବେଳେ ଦେବୀ ପାଣି ଆଣିବା ଛଳରେ ଏକ ନାରୀ ରୂପେ ମନ୍ଦିରରୁ ବାହାରି ଯାଇ ଚନ୍ଦନ ପୁଷ୍କରିଣୀରେ ନିଜକୁ ଗୁପ୍ତ କରିଦେଇଥିଲେ l ପରେ ସେବକମାନେ ମାଆଙ୍କର ପାଷାଣ ବିଗ୍ରହକୁ ପୁଷ୍କରିଣୀରୁ ଉଦ୍ଧାର କରି ମନ୍ଦିରରେ ସ୍ଥାପିତ କରିଥିଲେ l
ମାଆ ସମ୍ପୂର୍ଣ୍ଣ ତାନ୍ତ୍ରୀକ ମତରେ ପୂଜାହୁଅନ୍ତି l ଶ୍ରୀ ବିଷ୍ଣୁପ୍ରସାଦ ବାହାଲିଆଙ୍କ ମତ, ପୂର୍ବେ ଏ ପୀଠ ତନ୍ତ୍ରଶିକ୍ଷାପାଇଁ ପ୍ରସିଦ୍ଧ ଥିଲା l ଏଠାରେ ତନ୍ତ୍ର ଶିକ୍ଷା ନିମନ୍ତେ ଏକ ବିଶ୍ୱବିଦ୍ୟାଳୟ ଥିଲା l ଦେଶ ବିଦେଶରୁ ତନ୍ତ୍ରଶିକ୍ଷା ପାଇଁ ବହୁ ବିଦ୍ୟାର୍ଥୀ ଏଠାକୁ ଆସୁଥିଲେ l
ଦେବୀଙ୍କୁ ଶାରଳା ଦାସ, ଶାରୋଳ ଚଣ୍ଡୀ ବୋଲି ଅଭିହିତ କରିଛନ୍ତି ଓ ଚଣ୍ଡୀପୁରାଣ ଲେଖି ମା'ଙ୍କୁ ଚଣ୍ଡୀବୋଲି ପ୍ରତିଷ୍ଠିତ କରି ଯାଇଛନ୍ତି l ମନ୍ଦିରରେ ପ୍ରତ୍ୟହ ଚଣ୍ଡୀପାଠ ହୁଏ,ଏହା ସେହି ତନ୍ତ୍ର ଯୁଗର ପରମ୍ପରା l ମାଆ ସ୍ମୃତି ଓ ଶାସ୍ତ୍ରର ପ୍ରତୀକ l ମାଆ ବିଦ୍ୟା, ପାଣ୍ଡିତ୍ୟ, କବିତ୍ଵ ପ୍ରଦାୟିନୀର କୁଣ୍ଠାହୀନ ବିଗ୍ରହ l ମାଆଙ୍କର ଅନ୍ୟ କେତେ ଗୋଟି ନାମ ଏହି ସମ୍ବୋଧନରୁ ଜ୍ଞାତ ହୋଇଥାଏ, ଉଗ୍ରାହୀ ନମଃ, ଉଗ୍ର ପ୍ରବାହୀ ନମଃ, ଚଣ୍ଡାୟୀ ନମଃ, ପ୍ରଚଣ୍ଡାୟୀ ନମଃ, ଶଙ୍କଟାୟୀ ନମଃ, ବିକଟାୟୀ ନମଃ, ଶ୍ରୀଦୁର୍ଗାୟୀ ନମଃ, ଶ୍ରୀ ମହାଲକ୍ଷ୍ମୀ ନମଃ, ସରସ୍ବତୟେ ନମଃ, ଶାରଦାୟୀ ନମଃ l
ମାଆ ଶାରଳାଙ୍କ କୃପାରୁ ଅଜ୍ଞ ସିଦ୍ଧେସ୍ୱରପରିଡ଼ା ବିଜ୍ଞ ଶାରଳାଦାସରେ ପରିଣତ ହୋଇଥିଲେ l ସେ ଓଡ଼ିଆ ଜାତିର ଚିରନମସ୍ୟ ଆଦିକବି l ଏ ଜାତିର ବାଣୀ ଭଣ୍ଡାରକୁ ସେ ଦେଇ ଯାଇଛନ୍ତି ମହାଭାରତ, ଵିଲଙ୍କା ରାମାୟଣ ଓ ଚଣ୍ଡୀ ପୁରାଣ ଆଦି ମହାର୍ଘ ଗ୍ରନ୍ଥ l ଶାରଳା ମହାଭାରତ ନିଜସ୍ୱ ଶୈଳୀରେ ଏକ ଅନନ୍ୟ ଗ୍ରନ୍ଥ l ଏଥିରେ ବ୍ୟାସ ଦେବ କୃତ ମୂଳ କାହାଣୀ ସହିତ ନିଜସ୍ୱ ରୁଚିରେ ସନ୍ନିବେଶିତ ହୋଇଛି, ଆହୁରି ବହୁ ଉପାଖ୍ୟାନ l ଏହା ଶାରଳା ମହାଭାରତର ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରେ l ଶାରଳାଦାସ ମୂର୍ଖ ଥିଲେ ଓ ମା' ଶାରଳାଙ୍କ କୃପାରୁ ମହାକବି ହୋଇ ପାରିଥିଲେ ବୋଲି ସ୍ୱୀକାର କରି ମହାଭାରତ ଏବଂ ଵିଲଙ୍କା ରାମାୟଣରେ ଲେଖିଛନ୍ତି l ସେ ଵିଲଙ୍କା ରାମାୟଣରେ ଲେଖିଛନ୍ତି :-
ଝଙ୍କଡ଼ ଗ୍ରାମରେ ମୋର ଅଟଇ ବସତି l
ମୂର୍ଖଙ୍କ ଗୋଷ୍ଠିରେ ସଦା ଗଲା ଦିନରାତି ll ପୁଣି ମହାଭାରତ ଦ୍ରୋଣ ପର୍ବରେ କହିଛନ୍ତି:- ମୋତେ ମାଆ ଶାରଳା ଯାହା କହନ୍ତି ତାହା ମୁଁ ବଖାଣେ, ମୋର ନିଜସ୍ୱ କିଛି ଜ୍ଞାନ ନାହିଁ :-
ଅଦୃଶ୍ୟକୁ ଦୃଷ୍ଟି ମୁହିଁ କରାଉଛି ଆଣି l
କୃପା କରିବାରୁ ମା ଶାରଳା ଠାକୁରାଣୀ l
ଏ ପଦ ରଚନେ ମୁଁ ନ କରଇ ପ୍ରତିଜ୍ଞା l
ଲେଖେ ଶାରଳା ଦିଅନ୍ତି ମୋତେ ଯାହା ଆଜ୍ଞା ll
ଜନ୍ମହୁଁ ମୁରୁଖ ମୁହିଁ ପଢ଼ିନାହିଁ ବିଦ୍ୟା l
ନ ଜାଣଇ ଜପ ମନ୍ତ୍ର ନୁହଁଇ ପ୍ରସିଦ୍ଧା ll
ସେ ମାତା ପ୍ରସାଦେ ଯାହା ମନେମୋର ସ୍ଫୁରେ l
ଲେଖଇ ଯେ ବସି ନୀଳ କଳ୍ପବଟ ମୂଳେ ll
ସେ ପୁଣି ନିଜର ପରିଚୟ ଦେଇ ମହାଭାରତରେ ନିଜକୁ ମା ଶାରଳାଙ୍କ ପୁତ୍ର ବୋଲି କହିଛନ୍ତି l
ଜାତିରେ ଶୁଦ୍ର ମୁଁ ଯେ ଅଟଇ ମୁରୁଖ l
ପାଠ ସାହାଶ୍ର ମାନ ମୁଁ ନ ଜାଣଇ ହାକ ll
ଶ୍ରୀ ଶାରୋଳ ଚଣ୍ଡୀ ନାମେ ଯେ ଅଟଇ ମହାଦେବୀ l
ତାହାଙ୍କର ପୁତ୍ର ମୁଁ ଯେ ଶାରୋଳ ଦାସ କବି ll
ମାଆ ଶାରଳାଙ୍କ ମାହାତ୍ମ୍ୟର ବିରାଟ ଇତିହାସ ଏକ କ୍ଷୁଦ୍ର ଆଲେଖ୍ୟ ମାଧ୍ୟମରେ ପ୍ରକାଶ କରିବା ଅସମ୍ଭବ l ସେହି ମହା ଦେବୀଙ୍କ ମହାନ ମହିମା ବଖାଣିବାକୁ ସାମାନ୍ୟ ମାତ୍ର ଏ ପ୍ରୟାସ l ଧନ୍ୟ ମାଆ ତୁମେ ଶାରଳା l ତୁମ ମହିମା ଏ ଅକୀଞ୍ଚନ କ'ଣ ବା କହିପାରିବ l ସରସ୍ବତୀ ମହାଭାଗେ
ବିଦ୍ୟେ କମଳ ଲୋଚନୀ l
ବିଦ୍ୟାରୂପେ ବିଶାଳାକ୍ଷା
ବିଦ୍ୟାଂ
ଦେହି ନମସ୍ତୁତେ ll
🙏🙏🙏
ଅର୍ଜୁନୀ
----------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
