କରୋନାର କାଳିମା
କରୋନାର କାଳିମା
ଗାଡ଼ିରୁ ଓହ୍ଲାଇ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଶୁଥିଲା ଛଇଳି ,ତା'କୁ ସେଇଠି ସବୁ ନୂଆ ରକମର ଲାଗୁଥାଏ। ଚାରିଆଡ଼େ ସଫା ସୁତୁରା ଆଉ ଅନେକେ ମାଇପି ବି ଥିଲେ। ସମସ୍ତିଙ୍କିର ଅଲଗା ଅଲଗା ଖଟିଆ। ଆପଣାକୁ ମିଳିଥିବା ଖଟିଆରେ ବସିଥାଏ ସେ ଗୋଟାଏ ଦର ମଉଳା ଫୁଲ ପରିକା ଦିହରେ ଯେମିତି ଜୀବନ ନାହିଁ କାଠ ପିତୁଳାଟେ ଭଳି ଅପଲକ ନୟନରେ ଅନାଇ ରହିଥାଏ କୁଆଡ଼େ କେଜାଣି। ଛାଡ଼ିକି ଥିବା ଆଉ ଏକ ଖଟିଆରେ ବସିଥାଏ ମାଇପିଟିଏ,ବୟସ ଅନ୍ଦାଜ ତିନି କୋଡ଼ି ତେର ପାଖାପାଖି ହେବ। ମୁଣ୍ଡର କେରାଏ କେରାଏ କେଶ ଧଳା ହେଇଯାଇଥିଲେ ମଧ୍ୟ ବୁଢ଼ୀଟା ତେଜମାନିଆ ଦେଖାଯାଉଥାଏ। ତା' ତୁଣ୍ଡରୁ ମୃଦୁ କଣ୍ଠରେ ଭାସି ଆସିଲା, ମାଆରେ! ଆସିଲା ବେଳୁ ତୋତେ ଦେଖୁଚି ହରଷ ନାହିଁ ମନ ମାରି ବଇଚୁ ତୁ କଉଠୁ ଅଇଲୁ?
- ରାଞ୍ଚିରୁ,କ୍ଷୀଣ ସ୍ବରରେ ଏତିକି କହି ଚୁପ୍ ରହିଲା ଛଇଳି।ମାଇପିଟି ପୁଣି କହିଲା,ମାଆଲୋ! ଏତେ ବାଟ ସେଇଠୁ କେମିତି ଅଇଲୁ?
ଶୁଖିଲା ପାଟିରେ ଛେପ ଢୋକି କହିବାକୁ ଆରମ୍ଭ କଲା ଛଇଳି - ସେଇଠୁ ଆସିଲା ବେଳେ ମୋ' ପାଖରେ କାଣି କଉଡ଼ିଟାଏ ବି ନଥାଏ ଭାବିଲି କାନଫୁଲ ହଳକ ବିକି ସେଇ ଟଙ୍କାରେ ଆସିବି ହେରି ହେଲେ ସେତକ ହେଲାନି ଶୁଣିଲି ସାରା ଦେଶରେ ଲକ୍ ଡାଉନ୍ ଦୋକାନ ବଜାର ସବୁ ବନ୍ଦ ଅଚିହ୍ନା ଅଜଣା ଯାଗାରେ କିଏ ବା ମୋତେ ଟଙ୍କା ଦେବ! ଚାରିଆଡ଼େ ନିଛାଟିଆ ବାଟ ଘାଟରେ ଲୋକଙ୍କର ଚଳପ୍ରଚଳ ସେତେଟା ନଥାଏ। ରାସ୍ତା କଡ଼ରେ ବୁଲା କୁକୁର ଗୁଡ଼ାକ ଆଗେ ହୋଟେଲରୁ ଫୋପଡ଼ା ଯାଇଥିବା ଅଇଁଠା ପତର ଚାଟି ଚଳିଯାଉଥିଲେ, ହେଲେ ଏବେ ସେଇଟା ସେମାନଙ୍କ ସକାଶେ ସାତ ସପନ ଡହଳ ବିକଳ ହେଇ କଙ୍କାଳିଆ ପରି ଦେଖାଯାଉଥିଲେ। କ'ଣ କରିବି ମୋତେ ବୁଦ୍ଧି ବାଟ କିଛି ଦେଖା ଯାଉନଥାଏ,ମନ କହୁଥାଏ ଗାଡ଼ି ମଟର ତ ନାହିଁ ଚାଲି ଚାଲି ଗାଆଁକୁ ପଳେଇବି ପୁଣି ଭାବୁଥାଏ ଏତେ ଗୁଡ଼ାଏ ବାଟ କ'ଣ ପାରିବି ମୋ' ଦେଇ ହେଇପାରିବନି । କେହି କେହି କହନ୍ତି ମନ ଦୃଢ଼ କଲେ ପଙ୍ଗୁ ବି ଗିରି ଲଙ୍ଘିପାରେ। ନିଜକୁ ମୁଁ ଦମ୍ଭ କଲି ଆଉ ଚାଲି ଚାଲି ପଳେଇ ଆସିବି ବୋଲି ମନସ୍ଥ କଲି।
ବୁଢ଼ୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା,ଆଲୋ ଝୁଅ! ତୁ' କ'ଣ ଏତେ କୋଶ ବାଟ ମାଇପିଟା ହେଇ ଚାଲି ଚାଲି ପଳେଇ ଅଇଲୁ?
ଉତ୍ତର ଦେଲା ଛଇଳି - ହଁ ମାଉସୀ! ଭୋକରେ ଆଉଟୁ ପାଉଟୁ ହୋଇ ଦିନ ନାହିଁ ରାତି ନାହିଁ କେତେ ଯେ ଚାଲିଛି, କେବଳ ରାସ୍ତା କଡ଼ର ପାଣି ନଳକୁ ଆସରା କରି। ଭୋକ ଲାଗୁ କି ଶୋଷ ହେଉ ପାଣି ମୁନ୍ଦାଏ ମୁନ୍ଦାଏ ପିଇ ନିଜ ଉଦର ଜ୍ବାଳାକୁ ଲିଭେଇ ଦେଉଥିଲି। ଏଇମିତି ଚାଲୁ ଚାଲୁ ଓଡ଼ିଶାରେ ଆସି ପହଞ୍ଚିଲି ସେତେବେଳକୁ ଦେହ ଗୋଡ଼ ମୋ'ର ଅବଶ ହେଇଗଲାଣି। ମୁଣ୍ଡ ବୁଲାଇଦେଲା ନିଜକୁ ସମ୍ଭାଳି ନପାରି ରାସ୍ତା ମଝିଟାରେ ଖସିପଡ଼ିଲି। କାହା ପାଣି ଛିଟାରେ ଆଖି ମଳି ମଳି ଉଠି ବସିଲା ବେଳକୁ ଦେଖିଲି ଆଖି ସାମ୍ନାରେ ଟି.ଭି.,ମିଡିଆ ବାଲା ଆଉ ପୁଲିସ୍ ବାବୁମାନେ ଘେରି ଅଛନ୍ତି। ସଙ୍ଗେ ସଙ୍ଗେ ମୋ' ଉପରକୁ ନାନା ରକମର ପ୍ରଶ୍ନ ବାଣ ଛୁଟି ଆସିଲା। କିଏ କହୁଥାଏ କେଉଁଠୁ ଆସିଲେ? ଆଉ କିଏ କହୁଥାଏ କୁଆଡ଼େ ଯିବ? ତ ପୁଣି କିଏ କହୁଥିଲା ଏଠିକି କେମିତି ଆସିଲେ? ଖଣ୍ଡିଆ ଖାବରା ହେଇ ପଡ଼ୁଥିଲି ଏତେ ସବୁ ପ୍ରଶ୍ନ ତୀରରେ ,କଥା କହିବାର ଜୁ' ନଥାଏ ମୋ'ର। ଭିଡ଼ ଭିତରୁ କେହି କହୁଥାଏ,ଆରେ ଏଇ ଲେଡି ଜଣଙ୍କୁ ଟଚ୍ କରନି କାଳେ କରୋନା ଭାଇରସ୍ ଥିବ!
- ହଁ ହଁ ୟାଙ୍କୁ ନେଇ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖିଦେବା।
କାହା ପାଟିରୁ ଶୁଭିଲା 'ରାଇଟ୍ କଥା ସ୍ବାବ୍ ଟେଷ୍ଟ ନ ହେଲା ଯାଏଁ କେମିତି ଜାଣିବା ପଜିଟିଭ୍ କି ନେଗେଟିଭ। ଆଉ ତା'ପରଠାରୁ ମୁଁ ଆସି ଏଠି, ଏଇତକ କହି ସାରି ଚୁପ୍ ରହିଗଲା ଛଇଳି ।
ଆବେଗର ସହ କହି ପକାଇଲା ବୁଢ଼ୀ,ହଁ ଲୋ ମାଆ! ଏଇ ନିଉଛୁଣା କରୁନାଟା ବଡ଼ କେଚେକେଚିଆ କଲାଣି। ଆମ ଗାଆଁ ନିଧି ସାହୁ ପୁଅଟା ସାତ ଦରିଆ ସେପାରି ଆମେରିକାରେ ରହି ପଢ଼ୁଥିଲା,ବୋପା ଦିହ ଖରାପ ଶୁଣି ଧାଇଁ ଆଇଥିଲା ହେଲେ ତା'କୁ କୁରେଣ୍ଟିନ୍ ସେଣ୍ଟୁରୁଟାରେ ରହିବାକୁ ପଡ଼ିଲା। ବୋପା ମଲା ଯେ ମୁହଁରେ ନିଆଁ ଦେବା କଥା ଛାଡ଼ ଦେଖା କରିବାକୁ କେହି ଛାଡ଼ିଲେନି କେତେ ହାରି ଗୁହାରି ସଭିଙ୍କୁ କଲା ହେଲେ କେହି ଶୁଣିଲେନି। ବିଚରା ବଡ଼ ହିନିମାନିଆ ହେଲା।
- ହଉ ସେ କଥା ଛାଡ଼୍ ତୋ' କଥା କହ ରାଞ୍ଚିକୁ କ'ଣ କାମ କରିବାକୁ ଯାଇଥିଲୁ ନା ତୋହର କିଏ ବନ୍ଧୁ ବାନ୍ଧବ ଅଛନ୍ତି ସେଇଠି?
- ନା' ମାଉସୀ,ଏତିକି କହି ଲୁଗା କାନିଟାକୁ ପାଟିରେ ଦେଇ ଭୋ ଭୋ ହେଇ କାନ୍ଦିବାକୁ ଲାଗିଲା ଛଇଳି।
କାନ୍ଦେନା ଲୋ ମାଆ! ମୋତେ ନାଗୁଚି ତୋ' ଛାତି ତଳେ ବହେ କୋହ ନୁଚି ରହିଛି, କେହି କେହି କହନ୍ତି - ମନର ଦୁଃଖକୁ ଆନ ଆଗେ କହିଦେଲେ କୁଆଡ଼େ ହାଲୁକା ଲାଗେ। ନିଜର ଭାବି ମୋତେ କହ।
ନିଗିଡ଼ି ପଡ଼ୁଥିବା ଅମାନିଆ ଲୁହକୁ ପଣତରେ ପୋଛି ନିଜକୁ ଦମ୍ଭ କରି କହିବାକୁ ଆରମ୍ଭ କଲା ଛଇଳି -
ପାଟପୁର ହେଉଛି ଆମ ଗାଆଁ। ପରିବାର ବୋଇଲେ ବାପା ମାଆ ଆଉ ମୁଁ, ବେଶ୍ ହସଖୁସିରେ ବିତିଯାଉଥିଲା ଦିନଗୁଡ଼ାକ। କ
ାଳର ଗତି କେତେବେଳେ ବକ୍ର ହେଇଯାଏ କେହି ଜାଣି ପାରନ୍ତି ନାହିଁ । ସାତ ବରଷ ହେଲାବେଳକୁ ମାଆକୁ ଅଜଣା ରୋଗରେ ପଡ଼ି ଆର ପାରିକୁ ଚାଲିଗଲା।ସାଈ ପଡ଼ିଶା ବନ୍ଧୁ ବାନ୍ଧବ ବାପାଙ୍କୁ ବାଧ୍ୟ କଲେ ଆଉ ଗୋଟିଏ ବାହା ହେବା ପାଇଁ,ନିଜର ଅନିଚ୍ଛା ସତ୍ତ୍ବେ ବାପା ନୂଆ ମାଆକୁ ଘରକୁ ଆଣିଲେ। ଧୀରେ ଧୀରେ ସେନେହ ପରଷ ପାଇ ମୋ' ନିଜ ମାଆକୁ ବି ଭୁଲିଗଲି। ସବୁଦିନ ସମୟଟା ସମାନ ନଥାଏ, ନୂଆ ମା' ବଦଳି ଗଲେ ପୁରାପୁରି ଯଉ ଦିନ ତାଙ୍କ କୋଳକୁ ଆସିଲା ନୂଆ କୁଣିଆଟାଏ। ମୋ' ପିଠିଟା ପାଲଟିଗଲା ତୁଠ ପଥର, କଥା କଥାକେ ମୋ' ଉପରେ ଅଜାଡ଼ି ହେଇ ପଡ଼ୁଥାଏ ନୂଆ ମା' ଦେଉଥିବା ମାଡ଼ ଗାଳିର ଅସରାଏ ବର୍ଷା। ଦୁଃଖ କଷ୍ଟର ଲୁହ ପିଇ ପିଇ ଦିନ ଗୁଡ଼ାକ ବିତି ଯାଉଥାଏ,ବଡ଼ ହେଲାରୁ ବାପା ମୋ' ବାହାଘର କରେଇ ଦେଲେ ଗାଆଁର ଶେଷ ମୁଣ୍ଡରେ। ସମ୍ପତ୍ତି ବୋଇଲେ ମୋ' ସ୍ୱାମୀଙ୍କର ଥାଏ ଚାଳିଆ ଖଣ୍ଡିକ ପିଲାଟି ବେଳରୁ ବାପା ମାଆ ଛେଉଣ୍ଡ ହେଇ ମୂଲ ଲାଗି ପେଟ ପୋଷିଛନ୍ତି ହେଲେ ରୂପରେ ଗୁଣରେ କେହି ଖୁଣି ପାରିବେନି। ଭାବିଲି ଦୁଃଖର ଦିନ ଗୁଡ଼ିକ ମୋ'ର ଚାଲିଗଲା ବୋଧହୁଏ ସେଇଟା ମୋ' କପାଳରେ ନଥିଲା। କେହି କେହି କହନ୍ତି ମଣିଷ ବିଚାରକୁ ଦଇବ ବିଚାର ଅନ୍ୟ ରକମର ଥାଏ। ସଂସାର କରିବାର ଦିନ କେଇଟା ହେଇନି ମଥାରୁ ମୋ'ର ସିନ୍ଦୂର ଲିଭିଗଲା। ମୂଲ ଲାଗି ଯାଇଥିବାବେଳେ ସ୍ବାମୀ ମୋର ସାପ କାମୁଡ଼ାରେ ଦୁନିଆଁ ଛାଡ଼ି ଚାଲିଗଲେ। କାହିଁକି କେଜାଣି ଭଗବାନେ ନିଜେ ତିଆରି କରିଥିବା ସୁନ୍ଦର ସୃଷ୍ଟିକୁ ନିଜେ ହିଁ ଭାଙ୍ଗି ଦିଅନ୍ତି ଆଉ ସବୁ କିଛି ଦେଇ ପୁଣି ଛଡ଼ାଇ ନିଅନ୍ତି ତାଙ୍କୁ ଜଣା। ବାପା ଆସି ମୋତେ ଘରକୁ ନେଇଗଲେ । ନୂଆ ମା'ର ଅତ୍ୟାଚାର କାହିଁ କେତେ ଗୁଣାରେ ବଢ଼ିଗଲା। ଚିନ୍ତା ଆଉ ଦୁଃଖ ସହିନପାରି ବାପା ମୋ'ର ନିଶା ପାଣି ଖାଇବା ଆରମ୍ଭ କରିଦେଲେ।ଠିକ୍ ଏତିକିବେଳେ କୁଆଡ଼ୁ ଖବର ପାଇ ରାଞ୍ଚିରୁ ସ୍ବାମୀ ସ୍ତ୍ରୀ ଦୁହେଁ ଆସି ବାପାଙ୍କୁ କହିଲେ,ଆମର ପିଲାଛୁଆ ହେଉନି ତେଣୁ ତୁମ ଝିଅକୁ ନେବାକୁ ଚାହୁଁଛୁ? ସ୍ତ୍ରୀ ଲୋକଟି ପୁଣି କହିଲା ତୁମେ ଚିନ୍ତା କରନି ମୋ' ସ୍ୱାମୀ ମୋତେ ଯେତିକି ଭଲ ପାଉଛନ୍ତି ତୁମ ଝିଅକୁ ସେତିକି ଭଲ ପାଇବା ଦେବେ ଆଉ ମୁଁ ମଧ୍ୟ ନିଜ ଭଉଣୀ ପରି ଦେଖିବି। ବାପା ମୋତେ ବିନା ଯୌତୁକରେ ତାଙ୍କ ହାତକୁ ଟେକିଦେଲେ। ସେଠିକି ଗଲାପରେ ଜାଣିଲି ସେମାନେ ଦଲାଲ, ଟଙ୍କା ଲୋଭରେ ଗୋଟିଏ ଗୁଣ୍ଡାକୁ ମୋତେ ବିକିଦେଲେ ପରନ୍ତୁ ଠାକୁରେ ବଡ଼ ଲୋକ କୌଶଳ କ୍ରମେ ସେଠୁ ଖସି ପଳାଇ ଆସିଲି ଆଉ ତା'ପରେ କ'ଣ ସବୁ ହେଲା ତମେ ତ ସବୁ ଜାଣିଛ ମାଉସୀ।
ଠିକ୍ ଏତିକିବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ଜଣେ ଆସି କହିଲା- ଛଇଳି ବେଉରା କିଏ? ତୁମର ସ୍ବାବ୍ ଟେଷ୍ଟ୍ ରେ କରୋନା ନେଗେଟିଭ ଆସିଛି ବର୍ତ୍ତମାନ ଘରକୁ ଯାଇପାର।
ଛଇଳି ବୁଢ଼ୀକୁ କହିଲା,ମାଉସୀ! ମୁଁ ଯାଉଛି ଭାଗ୍ୟରେ ଥିଲା କେବେ ଦେଖା ହେବା।
- ହଉଲୋ ଝୁଅ! ଯାଆ ଏଇ ଅଳପ ଦିନରେ କାହିଁକି କେଜାଣି ଗୋଟାଏ ମାୟା ଲାଗିଯାଇଥିଲା ତୁ ଚାଲି ଯାଉଛୁ ଯେ ମୋତେ ନାଗୁଚି ସତେ ମୋହରି ପାଖୁ ମୋ' ନିଜ ଝୁଅ ଚାଲିଯାଉଚି।ମୁଣ୍ଡିଆ ମାରି କାନ୍ଦି କାନ୍ଦି ଆସିଲା ଛଇଳି।
ଦୁଃଖ ଯେମିତି ତା'ର ଚିର ସହଚରୀ ଥିଲା, ଗାଆଁକୁ ଆସିଲା ଯେ ପଶେଇ ଦେଲେନି କେହି ଗାଆଁରେ,ବାର ଲୋକ ବାର କଥା କହିଲେ।କିଏ କହୁଥାଏ କାହା ସାଙ୍ଗେ ରାତି କଟେଇ ଆସିଥିବ ତ ଆଉ କିଏ କହୁଥାଏ କରୋନା ରୋଗ ତା' ଦେହରେ ଥିବ। ମୁଣ୍ଡିଆ ଜୁହାର ମାରି ନେହୁରା ହେଇ କହିଲା ମୋ'ର କରୋନା ନେଗେଟିଭ ବାହାରିଛି ହେଲେ ସଭିଏଁ ଶୁଣିବାକୁ ନାରାଜ । ଶେଷରେ ନିଷ୍ପତ୍ତି ଶୁଣାହେଲା ଗାଆଁ ମୁଣ୍ଡ ତା'ର ସେଇ ଭଙ୍ଗା ଚାଳିଆରେ ରହିବ ନିଆଁ ପାଣି ବାସନ୍ଦ। କାକୁତି ମିନତି ହୋଇ କହିଲା, ହଉ ମୁଁ ସେଥିରେ ରାଜି। ପୁଣି ଶୁଣିବାକୁ ପାଇଲା ବାପା ତା'ର ମଦ ପିଇ ପିଇ ଝିଅକୁ ଝୁରି ଆର ପାରିକୁ ଚାଲିଗଲାଣି।ଗଛ କାଟିଲା ଭଳିଆ ପଡ଼ିଲା ତଳେ କିଛି ସମୟ ଅନ୍ତେ ନିଜକୁ ନିଜେ ସାଷ୍ଟାଙ୍ଗ କରି ଘରକୁ ଗଲା।
ନାରୀକୁ ଈଶ୍ୱର ଏଭଳି ଏକ ଶକ୍ତି ଦେଇଛନ୍ତି ଯିଏକି ପୁରୁଷର ମନ କଥା ଜାଣିପାରେ। ଆସିଲା ବେଳେ ସେ ଦେଖିଥିଲା ହରିଆ ପ୍ରଧାନଟା ଡାହାଳ କୁକୁର ପରିକା କଣେଇ କଣେଇ ଚାହୁଁଥିଲା, ଏକଥା ଭାବିଲା ବେଳକୁ ଭୟରେ ଦେହ ତା'ର ଶିତେଇ ଉଠୁଥିଲା କ'ଣ କରିବ ବୁଦ୍ଧି ବାଟ ମୁଣ୍ଡକୁ ଜୁଟୁ ନଥିଲା। ଅନେକେ କହନ୍ତି କାମୁକ ପୁରୁଷ କାମ ଜ୍ୱାଳାରେ ସବୁବେଳେ ଅନ୍ଧ ହେଇ ନାନା ଫନ୍ଦି ଫିକର ଆପଣେଇଥାଏ ସତକୁ ସତ ହରିଆ ପ୍ରଧାନଟା ଚାଳ କଣା କରି ଘରକୁ ପଶିଲା । ଭୟରେ ବରଡ଼ା ପତର ପରିକା ଥରିବାକୁ ଲାଗିଲା ଛଇଳି ଆଉ ନିଜ ଇଜ୍ଜତ ବଞ୍ଚେଇବାକୁ ଯାଇ ତଳେ ପଡ଼ିଥିବା ଭଙ୍ଗା କାଚ ବୋତଲକୁ ପଶେଇ ଦେଲା ଆପଣା ପେଟରେ।
ବାସି ମଡ଼ାଟା ଘରେ ପଡ଼ି ପଡ଼ି ପଚି ସଢ଼ି ଗନ୍ଧାଇଲା। ଗାଆଁ ଲୋକେ କେହି ଛୁଇଁଲେନି,କହିଲେ ସେଇଟା ପାପିନୀଟା ପୁଣି ଛୁଇଁଲେ କାଳେ କରୋନା ହେଇଯିବ। ଗନ୍ଧରୁ ମୁକୁଳିବା ସକାଶେ ଚାଳିଆ ଖଣ୍ଡିକଟିରେ ଲଗେଇ ଦେଲେ ନିଆଁ ଆଉ ଜଳି ପୋଡ଼ି ପାଉଁଶ ହୋଇଗଲା ଛଇଳି ସବୁ ଦିନ ପାଇଁ।