Arati Sahoo

Tragedy

4.2  

Arati Sahoo

Tragedy

କରୋନା ଶହୀଦ

କରୋନା ଶହୀଦ

3 mins
94



 ମୁଁ କରୋନା ଶହୀଦ କହୁଛି, କବର ଭିତରୁ ନୁହେଁ, କୋଭିଡ ବଡି ବ୍ୟାଗ ଭିତରୁ । ପଞ୍ଚତତ୍ତ୍ଵର ମୋର ଶରୀର ପଞ୍ଚତତ୍ତ୍ଵରେ ମିଶିଯିବା ପୂର୍ବରୁ ମୁଁ ଉଦ୍ଗାରିଵାକୁ ଚାହୁଁଛି ମୋର ହୃଦୟରେ ବ୍ୟଥା, ମୋର ମନର ବେଦନା, ମୋର ମସ୍ତିଷ୍କର ଅପ୍ରକାଶ୍ୟ ଉଚ୍ଛ୍ଵାସ ।


 ବହୁତ ଇଚ୍ଛା ଥିଲା ଜୀବନର ଅନ୍ତିମ ମୁହୂର୍ତ୍ତଟିକୁ ମନଭରି ଜିଇବି । ମୋର ଶଯ୍ୟା ଚତୁଃପାର୍ଶ୍ଵରେ ବେଢ଼ି ରହିଥିବେ ମୋ ପୁତ୍ର - କନ୍ୟା, ମୋର ପୌତ୍ର - ଦୌହିତ୍ର, ମୋର ଆତ୍ମୀୟ- ସହୋଦର । ଅଖଣ୍ଡ ଦୀପଟିଏ ଜଳୁଥିବ ମୋର ମଥା ପାଖରେ । ଭାଗବତ ଗାଉଥିବେ ମୋର ଆତ୍ମୀୟ । 


କିନ୍ତୁ, ଆଃ !!  


ମୋର ଭାଗ୍ୟରେ ଥିଲା ଏହି ଏକାନ୍ତ ମୃତ୍ୟୁ, କଳାପାଣି ସଦୃଶ୍ୟ ନିରବ, ବେଦନାସିକ୍ତ ମୃତ୍ୟୁ । ଯବନିକା ପତନ ସମୟରେ ନଥିଲେ ତ କେହି ଜଣେ ହେଲେ, ଘଣ୍ଟ ଶଙ୍ଖ ବଜେଇବା ପାଇଁ, ଅବା ନିର୍ବାପିତ ଦୀପକୁ ପଥ କଢ଼େଇବା ନିମିତ୍ତ ପ୍ରଜ୍ଵଳିତ କରିବା ପାଇଁ ଦୀପଟିଏ ଅବା ବିଭୂପାଦରେ ବିଲୀନ ହେବା ନିମନ୍ତେ ଆତ୍ମାର ପବିତ୍ରତା ବଜାୟ ରଖିବାକୁ ତୁଳସୀ ଗଙ୍ଗାଜଳ ଟୋପେ ତୁଣ୍ଡରେ ଦେବା ପାଇଁ !! 


ଆଃ !!


 କିଏ ଜାଣିଥିଲା ?


କିଏ ବା ଜାଣିଥିଲା ?


ଭୟ, ଆତଙ୍କ ମଧ୍ୟରେ ନିଇତି ମରୁଥିଲି ମୁଁ । ମରୁଥିଲେ ପରିବାର ବର୍ଗ, ମରୁଥିଲା ଦେଶ ଦୁନିଆ ।


 ଜ୍ଵରରେ ଆକ୍ରାନ୍ତ ହେଲି ମୁଁ । ଅଶ୍ଵତ୍ଥ ପତ୍ର ପରି କମ୍ପୁଥିଲା ମୋର ଶରୀର ଭୟର ଆଧିକ୍ୟରେ । ପ୍ରତି ଦିନ ଶୁଣୁଥିଲି, ଦେଖୁଥିଲି, ବୁଝୁଥିଲି, ବୁଝାଉଥିଲି, କରୋନା ଏକ ଭୟ, ଏକ ଆତଙ୍କ । ଭୟର ବ୍ୟାପାର ଚାଲିଛି । ଭୟର ରାଜନୀତି ଚାଲିଛି । ଯିଏ ଡରିଲା, ସିଏ ମଲା ।


ରୋଗଠାରୁ ଭୟ ଅଧିକ ଭୟଙ୍କର, ଅଧିକ ମାରାତ୍ମକ ।


ପୌତ୍ର, ପୌତ୍ରୀଙ୍କୁ ଶୁଣାଉଥିଲି ଗପ ।


 ""ଭୟ କହିଲା ମୁଁ ବଡ଼, ବିଷ କହିଲା ମୁଁ ବଡ଼ । ପରୀକ୍ଷା ନିଆଯାଉ । ନଈରେ ସାପଟିଏ କାମୁଡି ଦେଲା ଜଣକୁ, ପାଣିରେ ଭାସି ଉଠିଲା ବେଙ୍ଗ । ଲୋକଟି ବଞ୍ଚିଗଲା । ଆଉ ଜଣକୁ କାମୁଡି ଦେଲା କଙ୍କଡ଼ା, ଉପରେ ଫଣା ଟେକିଲା ସାପ । ତତକ୍ଷଣାତ୍ ଲୋକଟିର ମୃତ୍ୟୁ ହେଲା । ""


 ଅନ୍ୟକୁ ଜ୍ଞାନ ଦେବା ଓ ନିଜେ ଜ୍ଞାନ ନେବା, ଦୁଇଟା ଭିତରେ ଆକାଶ ପାତାଳର ପାର୍ଥକ୍ୟ ।


 ମୋତେ ଟେକି ନେଇଗଲେ ଡାକ୍ତରଖାନା । ଔଷଧ କାମ କଲା ନାହିଁ । ପ୍ରଥମତଃ ଜରାବସ୍ଥା, ଦ୍ଵିତୀୟରେ ମଧୁମେହ, ରକ୍ତଚାପ ଇତ୍ୟାଦି ରୋଗର ଗନ୍ତାଘର । ତାପରେ ଭୟର ଓ ଚିନ୍ତାର ମିଳିତ ଆକ୍ରମଣ । ମୋତେ ତ ମୃତ୍ୟୁର ନିମନ୍ତ୍ରଣ ପତ୍ର ମିଳି ଯାଇଥିଲା । ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ମଧ୍ୟ ଜ୍ଞାତି କୁଟୁମ୍ବ ଆଉ ସଂସାରର ମୋହ ଜନିତ ଚିନ୍ତା ଘାରୁଥିଲା । ଅଦ୍ଭୁତ ନା ? ଜାଣିଥିଲି, ମୋ ବିନା ମଧ୍ୟ ସଂସାର ଚାଲିବ ତାର ଚିରାଚରିତ ପନ୍ଥାରେ । ଅଣୁମାତ୍ର ପରିବର୍ତ୍ତନ ଘଟିବ ନାହିଁ । ତଥାପି, ଜୀବ ଅଛି ତ ଲୋଭ ଅଛି, 


ଅହି କବଳେ ପଡ଼ି ଦେଖ ଉଡ୍ଡୀନ

ଉହୁଙ୍କି ଶିଶୁ କଙ୍କି ଦେଲା ଗିଳିଣ ।


ଏହା ହିଁ ମଣିଷର ସ୍ଵଭାବ । ଏହା ହିଁ ଦୁନିଆର ରୀତି ।


 କୋଭିଡ ଓ୍ଵାର୍ଡରୁ ପୁଣି ନେଲେ ଗହନ ଚିକିତ୍ସା ପ୍ରକୋଷ୍ଠକୁ । ରଖିଲେ ଭେଣ୍ଟିଲେଟରରେ । କିନ୍ତୁ ଶ୍ଵାସ ପ୍ରଶ୍ଵାସର ଡୋର କ୍ରମେ ଛିଣ୍ଡି ଛିଣ୍ଡି ଆସୁଥାଏ । ମୃତ୍ୟୁଦୂତମାନେ ସମ୍ମୁଖରେ ଉଭା ହୋଇଥାନ୍ତି । ବ୍ୟାକୁଳାବସ୍ଥାରେ ମୁଁ ଚିତ୍କାର କରି କାନ୍ଦିବାକୁ ଚାହୁଁ ଥାଏ । ବାକ୍ ରୁଦ୍ଧ ଅବସ୍ଥା । ନୟନରୁ ଅବାରିତ ଅଶ୍ରୁ ବୋହି ଆସି ମୋର ବେକ ତଳେ ଜମା ହେଉଥାଏ । ଦୃଷ୍ଟି ଶକ୍ତି କ୍ରମେ କ୍ଷୀଣ ହେଉଥାଏ । ନିର୍ବାପିତ ହୋଇ ଆସୁଥାଏ ମୋର ଚକ୍ଷୁର ଜ୍ୟୋତି ସହିତ ମୋର ଜୀବନର ଜ୍ୟୋତି । ଦେଖିବାକୁ ଚାହୁଁଥାଏ ମୋର ସ୍ତ୍ରୀ ଓ ଛୁଆ ପିଲାମାନଙ୍କୁ । ଓଃ !!! ଏ କି ନିର୍ମମ, ନିର୍ଦ୍ଦୟ ଦଣ୍ଡ ? ମୃତ୍ୟୁ ର କରାଳତାକୁ ଲାଘବ କରିବା ନିମନ୍ତେ, ତାର ବେଦନାକୁ ସହ୍ୟ କରିବା ପାଇଁ ଶକ୍ତି ଦେବାକୁ ପାଖରେ କେହି ନାହାନ୍ତି । ଚତୁର୍ଦ୍ଦିଗରେ ମୃତ୍ୟୁର ଲମ୍ବା ଲମ୍ବା ଛାଇ । ନିୟତିର ଅଟ୍ଟହାସ୍ୟ ଏହି ଶାନ୍ତ କୋଠରୀ ଭିତରେ । ଭୟରେ ଆଖି ମୋର ବୁଜି ହୋଇଗଲା, ଛାତି ଫଟାଇ ଚିତ୍କାର କରି ଉଠିଲି ମୁଁ, 


ଆଆଆଆଆ !!


 ମୋ ପରି ଚାଳିଶ ହଜାର, କମ୍ ନୁହେଁ କେବଳ ଚାରିମାସରେ ଚାଳିଶ ହଜାର କରୋନା ଶହୀଦ କେବଳ ଭାରତ ଭୂଇଁର, ଆଜି ସଂଖ୍ୟାରେ ପରିଣତ ହୋଇଛନ୍ତି । ରାମ, କୃଷ୍ଣ, ବୁଦ୍ଧ, ଗାନ୍ଧୀଙ୍କ ଜନ୍ମସ୍ଥଳୀ, କର୍ମସ୍ଥଳୀ ପବିତ୍ର ଆର୍ଯ୍ୟାବର୍ତ୍ତର । ପତିତପାବନୀ ମାଆ ଗଙ୍ଗାର ପ୍ରବାହ ସ୍ଥଳୀ ଭାରତ ଭୂମିର । ଅହରହ ଆର୍ତ୍ତଚିତ୍କାର କରୁଛନ୍ତି । ତାଙ୍କର ମୁକ୍ତି ନାହିଁ । ଅଶରିରୀ ପାଲଟିଛନ୍ତି, ତର୍ପଣ ବିନା । 


 ତାଙ୍କର ଦୁଃଖ ଲାଘବ କରିବା ସକାଶେ କାହାରି ଅନ୍ତର କାନ୍ଦୁନାହିଁ । କାହାରି ମୁହଁରୁ ' ଆହା ' ପଦ ବାହାରୁ ନାହିଁ । ତାଙ୍କରି ଶବ ଉପରେ ଉତ୍ସବ ମୁଖରିତ ହେଉଛି ତଥାକଥିତ ସମାଜ । ସାଧାରଣ ଜନତା ଆମେ । ଆମର ମୃତ୍ୟୁ ବି ସାଧାରଣ । ଆମର ମୃତ୍ୟୁରେ ନାହିଁ କିଛି ଗୌରବ । ଆମେ କେବଳ ଗୋଟିଏ ଗୋଟିଏ ସଂଖ୍ୟା । ଗୋଟିଏ ଗୋଟିଏ ଗଣନା । ଆମକୁ ସମ୍ମାନ ଦେବାକୁ ଉଠିବ ନାହିଁ ହାତ, ବାଜିବ ନାହିଁ ଶଙ୍ଖ, ବିଚ୍ଛୁରିତ ହେବନାହିଁ ଫୁଲ ପାଖୁଡା । ଯୋଉ ଟିକକ ଦାହସଂସ୍କାରର ଆମେ ହକଦାର ଥିଲୁ ପୁତ୍ର ହସ୍ତରେ ମୁଖାଗ୍ନି ପାଇବାର, ସେତକ ବି ଆମଠାରୁ ବଳାତ୍ ଛଡ଼ାଇ ନିଆଗଲା ।


 ଆମେ ଅଭିଶପ୍ତ ଆତ୍ମା । ଆମେ ଅସ୍ପୃଶ୍ୟ ବଡି । ଆମେ ଲିଭି ଯାଇଥିବା ପୃଷ୍ଠା । 


ମୁଁ ସମସ୍ତଙ୍କୁ ପଚାରୁଛି ,


ଆମେ କଣ କେବେ ହେଇ ପାରିବୁ କି  ### କରୋନା ଶହୀଦ ### ??


ବି: ଦ୍ର:-

ସମସ୍ତ କରୋନା ଶହୀଦଙ୍କ ଉଦ୍ଦେଶ୍ୟରେ ମୋର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଅଯୋଧ୍ୟା ବାସୀ ଶ୍ରୀରାମଙ୍କ ପାଦତଳେ ମୋର ଆକୁଳ ବିନତି ତାଙ୍କର ବଳିଦାନ ନିଷ୍ଫଳ ନହେଉ । କୌଣସି ମନୁଷ୍ୟ ""'ସଂଖ୍ୟା "' ଅଥବା "" ବଡି ""ରେ ପରିଚିତ ନହେଉ !!! ମଣିଷ ମଣିଷ ହେଇ ରହୁ । ମୋ ଆଖିରୁ ସତରେ ଲୁହ ଝରୁଛି । 

ଜୟ ଜଗନ୍ନାଥ

ଜୟ ଶ୍ରୀରାମ



Rate this content
Log in

Similar oriya story from Tragedy