କର୍ମ ହିଁ ଶ୍ରେଷ୍ଠ
କର୍ମ ହିଁ ଶ୍ରେଷ୍ଠ
ସୁବ୍ରତ ,ସନ୍ତୋଷ ଓ ସୁବାସ ତିନିଜଣଭଲ ବନ୍ଧୁ । ଥରେ ତିନିଜଣ ମଶି ପୁରୀ ଯିବାକୁ ମନସ୍ଥ କଲେ । ଦିନ ନିର୍ଦ୍ଧାରଣ ହେଇଗଲା ଟ୍ରେନ ଟିକେଟ ବି ହେଇଗଲା । ତପସ୍ୱିନୀରେ ସେମାନେ ବାହାରିବାରଥାଏ ଶନିବାର ରାତିରେ । ଠିକ୍ ବେଳେ ସୁବ୍ରତର ମାଆର ଦେହ ଭୀଷଣ ଖରାପ ହେଇଗଲା । ତାକୁ ନେଇ ହସ୍ପିଟାଲ ଯିବାକୁ ପଡିବ । ସୁବ୍ରତ ଦୁଇ ଝିଅ ପରେ ପୁଅହେଇ ଆସିଥିଲା ପରିବାରକୁ । ମାଆ ବାପାଙ୍କର ଅନେକ ତପସ୍ୟାର ଫଳ ସେ । କେମିତି ମାଆର ଦେହ ଖରାପ ଜାଣି ପୁରୀ ଯାଇଥାନ୍ତା । ସେତ ମାଆ ବାପାଙ୍କ ଠାରେ ଭଗବାନଙ୍କୁ ଦେଖିପାରିଥାଏ । ଭଗବାନ କୋଉଠି ଅଛନ୍ତି ସେ କେବେ ଦେଖିନାହିଁ । ଆଜିଯାଏ ଯାହା ମାଗିଛି ଭଗବାନ କେବେ ପୂର୍ଣ୍ଣ କରି ନାହାନ୍ତି । ହେଲେ ତା ମାଆ ବାପା ଜୀବନ୍ତ ଭଗବାନ ତା ପାଇଁ| ତାର ସବୁପ୍ରକାର ଯତ୍ନ ନେଇଛନ୍ତି । ସବୁ ଇଚ୍ଛା ପୂରଣ କରିଛନ୍ତି । ନିଯେ ଉପାସ ରହି ତାକୁ ଭଲ ଖାଇବା ଦେଇଛନ୍ତି । ଭଲ ପିନ୍ଧିବା ଦେଇଛନ୍ତି । ପାଠ ପଢାଇ ଜ୍ଞାନ ପ୍ରଦାନ କରିଛନ୍ତି । ଭଲ ଭୁଲକୁ ତର୍ଜମା କରିବାର ସାମର୍ଥ୍ୟ ଦେଇଛନ୍ତି । ତେବେ ସେ ମାଆଙ୍କ ଦରକାର ବେଳେ ଆଡକରି ଜଗନ୍ନାଥ ଦର୍ଶନକୁ ଚାଲି ଯାଆନ୍ତା କିପରି? ସେ ଘରୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ ଜଣାଇଲା । ପ୍ରଭୁ ମତେ କ୍ଷମା କରିଦେବ ମୁଁ ଆରଥରକୁ ନିଶ୍ଚୟ ଦର୍ଶନକୁ ଯିବି । ଏଥର ମୋ ମାଆ ପାଇଁ ରହିବାକୁ ପଡୁଛି ।
ସନ୍ତୋଷ ତାର ଜିନିଷ ପତ୍ର ସଜଡା ସଜଡି ସାରିଲାବେଳକୁ ତାର ପଡୋଶୀଜଣକର ଏକ୍ସିଡେଣ୍ଟ ହେଇଗଲା । ଗୋଡ ଭାଙ୍ଗି ଯାଇଥିଲା । ଅପରେସନ ପାଇଁ ତାଙ୍କ ପାଖରେ ଏତେ ଟଙ୍କା ନଥିଲା । ସେମାନେ ସନ୍ତୋଷ ପାଖକୁ କିଛି ସାହାଯ୍ୟ ଆଶାରେ ପହଞ୍ଚିଲେ ।
ସନ୍ତୋଷ ଯାହା କିଛି ସଞ୍ଚୟ କରି ରଖିଥିଲା ପୁରୀ ଗଲେ ଖର୍ଚ୍ଚ କରିବ ବୋଲି ସେତକ ବାଧ୍ୟ ହେଇ ଦେଇଦେଲା ତାଙ୍କୁ । ଜଣକ ଜୀବନ ଅପେକ୍ଷା ତାର ଜଗନ୍ନାଥ ଦର୍ଶନ ବଡ ନୁହଁ । ସେ ଅନ୍ୟଥର କେବେ ଯାଇ ଦର୍ଶନ କରି ଆସିବ ବୋଲି ଭାବିଲା । ପଡୋଶୀଜଣକର ଛୋଟ ପୁଅଟେ ଅଛି ସ୍ତ୍ରୀ ଆଉ ଥରେ ଗର୍ଭବତୀ ଅଛନ୍ତି । ଏ ଅବସ୍ଥାରେ ଯଦି ତାଙ୍କର ଚିକିତ୍ସା ଅଭାବରୁ କଣ ହେଇଯାଏ ତାହେଲେ ତାଙ୍କ ପରିବାର ଉଜୁଡିଯିବ ପିଲାଏ ପିତୃହରା ହେଇଯିବେ । ସେ ଏସବୁ କେମିତି ଦେଖି ପାରନ୍ତା । କେବଳ ଟଙ୍କାଦେଲା ତା ନୁହେଁ ସାଂଗରେ ନିଯେ ଯାଇ କାମରେ ସାହାଯ୍ୟ ବି କଲା । ଏବେ ସୁବାସ ବାହାରିଲା ବେଳକୁ ବାପା କହିଲେ ଜମିରେ କିଛି ସାର ଓ ରୋଗପୋକର ଔଷଧ ଦରକାର । ନହେଲେ ଫସଲ ନଷ୍ଟ ହେଇଯିବ । କିଛି ଟଙ୍କା ମାଗୁଥିଲେ ପୁଅକୁ ସାର ଓ ଔଷଧ ଆଣିବାକୁ । ସୁବାସ କହିଲା ସେ ଏବେ ଜଗନ୍ନାଥ ଦର୍ଶନ ପାଇଁ ବାହାରିଛି । ଭଗବାନଙ୍କ ଉଦ୍ଦେଶ୍ୟରେ ରଖିଥିବା ଟଙ୍କା ଅନ୍ୟ କାମକୁ ଦେଇ ପାରିବନି । ଆର ମାସରେ ଦରମା ମିଳିଲେ ସେ ଜମିକାମକୁ କିଛି ସାହାଯ୍ୟ କରିବ । ପୁଅ କଥାରେ ବାପା ମନ ମାରି ରହିଗଲେ । ଏତେଦିନ ଜମିକୁ ଖୋଳି ତାଡି ଦେହରୁ ଝାଳ ନିଘାଡି ଯୋଉ ଫସଲ ଲଗାଇଛନ୍ତି ତାହା କଣ ଏମିତି ଉଜୁଡିଯିବ ? ପୋକ ଲାଗିବା ଆରମ୍ଭ କରିଛି । ଯଦି ବେଳ ଥାଉ ଔଷଧ ଦିଆ ନ ହୁଏ । ସବୁ ପରିଶ୍ରମ ପାଣିରେ ମିଳେଇଯିବ । ହେଲେ ପୁଅ କଥାରେ ମନ ମାରି ଭଗବାନ ଆଶ୍ରା କହି ଚୁପ୍ ରହିଲେ ବାପା । ପୁଅ ଠିକ ସମୟରେ ପୁରୀ ଜଗନ୍ନାଥ ଦର୍ଶନକୁ ଚାଲିଗଲା । ଅନ୍ୟ ଦୁଇ ଜଣ ସାଙ୍ଗ ଆସିପାରିନଥିବାରୁ ସେମାନଙ୍କୁ ସେ ମୂର୍ଖ ଓ ଅଭାଗା ଭାବୁଥିଲା, ଏତେ ବଡ ସୁଯୋଗକୁ ହାତ ଛଡା କରି ଅନ୍ୟର ସେବା ପାଇଁ ସେମାନେ ରହିଯାଇଥିଲେ । ଏ ସେବା ଭାବନାକୁ ସେ ମୂର୍ଖାମି ଭାବୁଥିଲା । ତା ପରି ଦୃଢମନ ନହେଲେ ନିଜ କାମ ପୂରା ହେଇ ପାରେନାହିଁ ସେ ଏକଥା ଜାଣିଥିଲା । ଏତେ ଦିନପରେ କାଳିଆଙ୍କ ଡୋରି ଲାଗିଛି ଯେତେବେଳେ ସେ କଣ ଅଟକି ଥାନ୍ତା । ପ୍ରଥମେ ଦର୍ଶନ ତାପରେ ଅନ୍ୟକଥା । ତାପାଇଁ ପ୍ରଥମ ହେଉଛନ୍ତି ଭଗବାନ କାଳିଆ ସାଆନ୍ତ ପରେ ଅନ୍ୟ ଜିନିଷ । ତାର ପୁରୀ ଦର୍ଶନ ସୁରୁଖୁରୁରେ ହେଇ ଯାଇଥିଲା । ତିନି ଚାରିଦିନ ଲାଗିଥିଲା ଫେରିବାକୁ । ଏ ଭିତରେ ତାଙ୍କ ଫସଲରେ ପୋକମାନେ ବଂଶ ବିସ୍ତାର କରିଦେଇଥିଲେ । ଅଧାରୁ ଅନେକ ଫସଲ ନଷ୍ଟ କରି ସାରିଥିଲେ । ସୁବାସ ଅନେକ ଜିନିଷ କିଣି ଆଣିଥିଲା ପୁରୀରୁ । ପ୍ରସାଦ ଠୁ ଆରମ୍ଭ କରି ନୂଆ ଉପହାର ଆଣିଥିଲା ସମସ୍ତଙ୍କ ପାଇଁ । ହେଲେ ଏସବୁ ଅପେକ୍ଷା ବେଶି ଜରୁରୀ ଥିଲା ଔଷଧ । ଏବେ ମାସ ଶେଷରେ ଦରମା ମିଳିବ । ମାସେ ଭିତରେ ଫସଲ ସବୁ ନଷ୍ଟ ହେଇ ଯାଇଥିଲା । ସେ ବର୍ଷ ତାଙ୍କରଅମଳ ବହୁତ କମ୍ ହେଇଥିଲା । ମାସେ ପରେ ଯଦିଓ ଔଷଧ ଦେଇଥିଲେ ହେଲେ ସେତେ ବେଳକୁ ସବୁ ଫସଲ ଉଜୁଡି ଯାଇଥିଲା । ସେ ବର୍ଷ ତାଙ୍କୁ ଖାଇବାର କଷ୍ଟ ଭୋଗିବାକୁ ପଡିଥିଲା । ସେ ନିଜକୁ ଜଗନ୍ନାଥ ଦର୍ଶନ କରିପାରିଥିବାରୁ ଭାଗ୍ୟବାନ ଭାବୁଥିଲା । ହେଲେ ତାଠୁ ତ ତା ସାଂଗମାନେ ଭାଗ୍ୟବାନ ଥିଲେ । ଯାହାଙ୍କ ଘରେ ଏବେ ଖୁସି ବିରାଜୁ ଥିଲା । ଲୋକେ ତାଙ୍କୁ ପ୍ରଶଂସା କରୁଥିଲେ । ସେବା ମନୋବୃତି ପାଇଁ ଜଗନ୍ନାଥ ଦର୍ଶନ ବାତିଲ କରିଦେଇଥିବାରୁ । ସେମାନେ ଆର ଥର ଆଷାଢକୁ ଯାଇ ଜଗନ୍ନାଥ ଦର୍ଶନ କରି ଆସିଲେ । ସେମାନେ ଗତଥର ଦର୍ଶନକୁ ଆସି ପାରିନ ଥିବାରୁ ଭଗବାନଙ୍କ ଠାରେ କ୍ଷମା ମାଗିନେଲେ । ହେଲେ ଭଗବାନ କହୁଥିଲେ ତୁମେ ତୁମ କର୍ତ୍ତବ୍ୟ ଠିକରେ ତୁଲାଇଛ । ପ୍ରକୃତରେ କର୍ମ ହିଁ ତ ଭଗବାନ । ମୁଁ ମୋ ଦର୍ଶନ ଅପେକ୍ଷା କର୍ମକରୁଥିବା ଲୋକଙ୍କୁ ବେଶି ପସନ୍ଦକରେ । ସଂସାରରେ କର୍ମ ହିଁ ଶ୍ରେଷ୍ଠ ଜିନିଷ । ଭଲ କର୍ମ ସଦା ସଫଳତା ନାମ ସମ୍ମାନ ଓ ପୂଣ୍ୟ ଅର୍ଜନ କରିବାରେ ସହାୟକ ହେଇଥାଏ । କର୍ମ ହିଁ ପ୍ରାରବ୍ଧ ଭାବରେ ପରବର୍ତ୍ତୀ ଜନ୍ମପାଇଁ ପୂଣ୍ୟ ସଞ୍ଚିତ କରେ ଯାହା ଫଳରେ ଜୀବ ପର ଜନ୍ମରେ ଭଲ ସଂସ୍କାରି ପରିବାରରେ ଜନ୍ମ ହୁଏ ଓ ସୁଖ ଭୋଗ କରେ । ତେଣୁ କର୍ମ ହିଁ ଶ୍ରେଷ୍ଠ|
