Sambit Srikumar

Tragedy Inspirational

4.7  

Sambit Srikumar

Tragedy Inspirational

କଙ୍ଗାରୁ କୋର୍ଟ୍

କଙ୍ଗାରୁ କୋର୍ଟ୍

6 mins
469



"କିହୋ ବାବୁ! ନିଜକୁ କଣ ବୋଲି ଭାବୁଛ ହେ? ଇନ୍ଦ୍ର ନା ଚନ୍ଦ୍ର? ପାଠ ଦି' ଅକ୍ଷର କଣ ପଢିଚ ଯେ, ନିଜକୁ ହାଇକୋର୍ଟ୍ ଭାବୁଚ, ନାଇଁ? ହେଲେ ତେମେ ଆପଣ ଜାଣିନ ବୋଧେ ଏ ଗାଁରେ କୋଉ କୋର୍ଟ୍ କଚେରୀର କାଟତି ନାଇଁ ଆମକୁ ଆଇନ୍ ପଢେଇବାକୁ। ଆମ ମୁଖିଆ ଆମର ରାଜା! ରାଜା ସାହେବ ହିଁ ଏଠିକାର ଆଇନ୍, କାନୁନ୍, ଥାନା ଫାଣ୍ଡି, କୋର୍ଟ୍ କଚେରୀ। ସିଏ ଏକା ଯାହା କହିବେ ସମସ୍ତେ ମାନିବାକୁ ପଡ଼ିବ। ନ ମାନିବାକୁ ବାଟ ନାହିଁ। ନୋହିଲେ... " ଅନର୍ଗଳ ଭାବେ କହି ଚାଲିଥିଲା ମୁଖ୍ୟ ମାମଲତକାର ଦୁଃଶାସନ ରାଉତ।


ସଭିଏଁ ମୁଣ୍ଡ ନୁଆଁଇ ଶୁଣୁଥାଆନ୍ତି ତା'ର କଥା। ଏଇଟା ଭାଷଣ କି ପ୍ରବଚନ କି ଧମକ ତାହା ବିଚାର କରିବାର ଶକ୍ତି କାହାରି ବି ନାହିଁ। କାରଣ ଏଇ ମାମଲାଜୀବି ଲୋକଟି ଗାଁର ସବୁଠାରୁ ଅଧିକ ପଢୁଆ ଥିଲା ଗୋଟିଏ ସମୟରେ। ଗାଁର ସବୁ ହାନିଲାଭ, ସୁଖଦୁଃଖ ଘଟଣା ଦୁର୍ଘଟଣାରେ ତା'ର ବକ୍ର ବୁଦ୍ଧିରେ ଟିକିନିଖି ସମୀକ୍ଷା କରି ମୁଖିଆ, ମାନେ ରାଜା ସାହେବଙ୍କ ଆଗରେ ତଥ୍ଯ ଉପସ୍ଥାପନ କରିବ। ମୁଖିଆ କିଛି ବୁଝନ୍ତୁ ନ ବୁଝନ୍ତୁ ରାଉତେଙ୍କ କଥାରେ ମୋହର ମାରନ୍ତି। ଏଇଟା ହିଁ ଏଇ ଗାଁର ନ୍ଯାୟ ବ୍ୟବସ୍ଥା। କାହିଁ କେଉଁ କାଳରୁ ଚଳି ଆସୁଛି ଏଇ ବ୍ଯବସ୍ଥା। ପ୍ରଥା ପାଲୋଟି ଯାଇଛି।


ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏଇ ଗାଁକୁ ବାଟ ଫିଟି ନାହିଁ ଆଇନର। କେଉଁ ଉପାନ୍ତ କିମ୍ବା ନକ୍ସଲ ଅଧ୍ଯୁଷିତ ଇଲାକା ନୁହେଁ ଏଇ ଗାଁ। ଦ୍ବୈତନଗରୀର ମଧ୍ୟବର୍ତ୍ତୀ ଅଞ୍ଚଳ କଳାନାରଙ୍ଗ ଗାଁ। ସାତଟା ପଡାକୁ ନେଇ ଏଇ ଗାଁ ଗଢା ହୋଇଛି। ଜମିଦାରୀ ଉଚ୍ଛେଦ ହୋଇଗଲାଣି କିନ୍ତୁ ଜମିଦାର ଆଜି ବି ମୁଖିଆ ତଥା ରାଜା ସାହେବ ହୋଇ ଗାଁରେ ହାକୁମାତି ଚଳାଇଛନ୍ତି। ଆଜି ଯାଏଁ ଗାଁର ଲୋକେ ଥାନା କି କୋର୍ଟ୍ ଦୁଆର ଦେଖି ନାହାଁନ୍ତି। ଏଠି ସମ୍ବିଧାନର ଶାସନ ଚାଲେ ନାହିଁ। ଚାଲେ କେବଳ ମୁଖିଆଙ୍କ ମନମୁଖୀ କାରବାର। ଗାଁରେ ରହିବାର ଅଛି ତ ସବୁକିଛି ସହିଯାଅ ନଚେତ୍ ପରିଣାମ ପାଇଁ ନିଜେ ହିଁ ଦାୟୀ ରହିବ!


ଅନ୍ଯ ଜାତିରେ ପ୍ରେମ ବିବାହ କରିଥିବା ଉଚ୍ଚ ଶିକ୍ଷିତ ଯୁବକ ଯୁବତୀଙ୍କର ଆଜି ବିଚାର ଚାଲିଥିଲା ଗାଁରେ। ଏଇଟା ଗାଁ ପାଇଁ ଥିଲା ପ୍ରଥମ ଘଟଣା। ଦୁହିଁଙ୍କୁ ସେମାନଙ୍କର ଅନିଚ୍ଛା ସତ୍ତ୍ବେ ହାଜର କରାଯାଇଥିଲା ଗାଁର ମାମଲତକାର ମାନଙ୍କର ସାମ୍ନାରେ। ମୁଖିଆ ରାଜା ସାହେବ ଦୁର୍ଲଭ ବଳବନ୍ତରାୟଙ୍କ ଇଜିଲାସରେ। ଦୁହିଁଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଥିଲା ବେଶ୍ ସୁଦୀର୍ଘ ଏବଂ ପ୍ରଶସ୍ତ। ଉପସ୍ଥିତ ଲୋକେ ଦୁହିଁଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ ସତେ ଯେମିତି ସେମାନେ କେଉଁ ଅଲଗା ଗ୍ରହର ବିଚିତ୍ର ଜୀବ! କାଲି ଯାଏଁ ଯିଏ ଗାଁର ଗେହ୍ଲାପୁଅ ଥିଲା ଆଜି କାଠଗଡ଼ାରେ ଠିଆ ହୋଇଥିଲା ସ୍ବେଚ୍ଛାରେ ନିଜର ଜୀବନସାଥି ଚୟନ କରିଥିବାର ଆପରାଧରେ।


ଆମ ଜାଣିବାରେ ଦୁଇ ସାବାଳକ ସାବାଳିକା ନିଜର ସମ୍ମତିରେ ବିବାହ କରିବା ଆଦୌ ଗର୍ହିତ ଅପରାଧ ନୁହେଁ। କିନ୍ତୁ ଏଇ କଳାନାରଙ୍ଗ ଗାଁ ତ ଅନ୍ଧାରୀ ଉପତ୍ୟକା! ଏଠି ରାଜା ସାହେବ ହିଁ ଆଇନ୍, ଅଦାଲତ ଆଉ ବିଚାରପତି! ଚାଟୁକାର ମାମଲତକାରମାନେ ଯାହା କହିବେ ସେୟା ହିଁ ହେବ। ଏମାନଙ୍କ କଥାରେ ଯିଏ ଉଠ୍ ବସ୍ ହେବ ସିଏ ଭଲରେ ରହିବ ଗାଁରେ ନଚେତ୍ ବାରଣ୍ଡା ଦିକଡା ହେବ। ଯାଇ ଯାଇକି କୁଆଡ଼େ ଯିବ? ଥାନା ଫାଣ୍ଡି କୋର୍ଟ୍ କଚେରୀକୁ ଗଲେ ତ ଜୀବନ ଧରି ବଞ୍ଚିବାର ଗ୍ୟାରେଣ୍ଟି ନାହିଁ। ସୂତରାଂ ରାଜା ସାହେବଙ୍କ ଶରଣାପନ୍ନ ହେବାକୁ ବାଧ୍ୟ। ଅନ୍ତତଃପକ୍ଷେ ପୈତୃକ ପ୍ରାଣ ତ ରକ୍ଷା ପାଇଯିବ!

ଗାଁର ମୁଖିଆ ରାଜା ସାହେବ ଦୁର୍ଲଭ ବଳବନ୍ତରାୟଙ୍କ ଇଜିଲାସରେ ବିଚାର ପାଇଁ ବସିଛି ପଞ୍ଚାୟତ। ଏହାକୁ କଙ୍ଗାରୁ କୋର୍ଟ୍ କହିଲେ ବେଶୀ ପ୍ରାସଙ୍ଗିକ ମନେହେବ।


ଠାକୁରାଣୀ ପଡିଆରେ ଗାଁଟା ସାରା ଲୋକ ହାଜର। ସବୁଥର ଏଇଠି ବସେ ଦରବାର, କଙ୍ଗାରୁ କୋର୍ଟ୍। ସିମେଣ୍ଟ୍ ଚଉତରା ଉପରେ କମକୁଟ କାମ ହୋଇଥିବା ସୁଦୃଶ୍ୟ କାଠ ଚୌକିଟିଏ ପଡ଼ିଥାଏ। ତାହା ଉପରେ ବିରାଜମାନ ରାଜା ସାହେବ। ଦୁଇ ପାର୍ଶ୍ବରେ ଦୁଇ ଜଣ ବଳିଷ୍ଠ ଅଙ୍ଗରକ୍ଷୀ ବନ୍ଧୁକ ଧରି ସଗର୍ବେ ଠିଆ ହୋଇଥାନ୍ତି। ଚଉତରାର ଠିକ୍ ତଳକୁ ପାଞ୍ଚ ଛଅ ଜଣ ମାମଲତକାର ବସିଥାଆନ୍ତି। ସେମାନଙ୍କ ମଧ୍ୟରେ ମୁଖ୍ୟ ଏଇ ଦୁଃଶାସନ ରାଉତ। ବଡ଼ କୁହାଳିଆ ତୁଣ୍ଡ। ସଜ ମାଛରେ ପୋକ ପକେଇଦେବ! ତା' କଥାରେ ପାଣିରେ ବି ସର ପଡିଯାଏ। ଗୋଟିଏ ପାଖରେ ବିବାହିତ ଉଚ୍ଚ ଶିକ୍ଷିତ ଦମ୍ପତ୍ତି ଅପରାଧୀଙ୍କ ପରି ଠିଆ ହୋଇଥାନ୍ତି। ସେମାନଙ୍କ ଉପରେ ଉପସ୍ଥିତ ସଭିଙ୍କର ନଜର ଆବଦ୍ଧ। ମାମଲାର ଶୁଣାଣି ଶୁଣିବାକୁ ଯିଏ ଯେଉଁଠି ପାରିଲା ସେଠି ଉତ୍କଣ୍ଠାର ସହିତ ଚୁପ୍ ଚାପ୍ ବସି ରହିଥାଆନ୍ତି।


ରାଜା ସାହେବଙ୍କର ଅନୁମତି ନେଇ ପ୍ରଥମେ ମାମଲତକାର ଦୁଃଶାସନ ରାଉତ ପ୍ରଶ୍ନ କରିବା ଆରମ୍ଭ କଲା ଉଚ୍ଚ ଶିକ୍ଷିତ ଯୁବକଙ୍କୁ। ତାଙ୍କର ନାମ ଉପେନ୍ଦ୍ର ସାମଲ। ଇତିହାସରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ପି.ଏଚ.ଡି. ଉପାଧିପ୍ରାପ୍ତ। ନିଜର ସହପାଠିନୀ ସଂଘମିତ୍ରା ନାୟକଙ୍କ ସହିତ ପରିଣୟରେ ଆବଦ୍ଧ। ଏଥିପାଇଁ ସେ କାଳେ ପିତୃପୁରୁଷଙ୍କ ସହିତ ସମଗ୍ର ଗାଁକୁ ଅପମାନିତ କରିଛନ୍ତି। "ଆଛା ବାବୁ! ତମକୁ କଣ ତମ ବାପାମାଆ ତମକୁ ବାହା ଦେଇ ପାରିଲେନି ଯେ ତମେ ଏଇ ଭିନ୍ନ ଜାତିର ଝିଅଟିକୁ ବାହା ହୋଇ ପଡିଛ? କାହାରିକୁ କିଛି ଜଣେଇବାକୁ ଟିକେ ବି ଉଚିତ୍ ମଣିଲ ନାହିଁ? ଏମିତି କଣ ଜରୁରୀ ହୋଇପଡ଼ିଲା ଯେ ରାଜା ସାହେବଙ୍କ ଅନୁମତି ଲୋଡିଲ ନାହିଁ?"


ଉପେନ୍ଦ୍ର ଭାବିଥିଲେ କିଛି ନା କିଛି ସଫେଇରେ କହି ଦେଲେ ଏଇ ପଞ୍ଚାୟତ ବିବାହକୁ ବ୍ୟକ୍ତିଗତ ବ୍ଯାପାର ଭାବି ତାଙ୍କୁ ଛାଡ଼ି ଦେବେ। ଅବଶ୍ୟ ଏଥିପାଇଁ ଯାହା ଭୋଜିଭାତର ଆୟୋଜନ କରିବା ବାବଦରେ ଖର୍ଚ୍ଚ ହେବ ସେସବୁ ବହନ କରିବାକୁ ମାନସିକ ଭାବେ ପ୍ରସ୍ତୁତ ସେ। ଏଣୁ ସେ ବେପରୁଆ ଭାବେ ଉତ୍ତର ଦେଲେ,"ମୁଁ କାହାକୁ ବାହା ହେବି ନହେବି ତାହା ମୋର ବ୍ଯକ୍ତିଗତ ଅଧିକାର। ଏଇ ଅଧିକାର ମୋତେ ଭାରତୀୟ ସମ୍ବିଧାନ ପ୍ରଦାନ କରିଛି। ସ୍ବାଧୀନ ଭାରତର ନାଗରିକ ଭାବେ ମୁଁ ମୋର ଅଧିକାର ସାବ୍ୟସ୍ତ କରିଛି। ଏଥିରେ ଗାଁ ଲୋକଙ୍କର କଣ ଅଛି? ଆଉ ଯାହା ରହିଲା ଭୋଜିଭାତର କଥା, ମୁଁ ରାଜି ସେଥିପାଇଁ..."


ଉପେନ୍ଦ୍ରଙ୍କୁ କଥା ସମ୍ପୂର୍ଣ୍ଣ କରିବାକୁ ସୁଯୋଗ ମିଳିଲା ନାହିଁ। ଗର୍ଜିଉଠିଲା ଦୁଃଶାସନ ରାଉତ। "କିହୋ ବାବୁ! ରଖ ହେ ତମର ସମ୍ବିଧାନ। ତମ ଆଇନକାନୁନ ତମ ପାଖରେ ରଖ। ଆମକୁ କଣ ଭିକାରୀ ବୋଲି ଭାବିଲ ନା କଣ? ତମ ଭୋଜିଭାତକୁ ଅନିସା କରି ଲୁଣିପାଣି ପିଇକି ଟାକି ବସିଛୁ?"


: ନାହିଁ ମୁଁ ତ ଏମିତି କିଛି ବି କହିନି। ଆପଣ ମୋ କଥାକୁ ଭୁଲ୍ ବୁଝିଛନ୍ତି।

: ଏତେ ଆଉ ବୁଝାଅନି। ଆମର ଆଉ କିଛି ବାକି ନାହିଁ ବୁଝିବାକୁ। କିହୋ ପାଠ ଦି ଅକ୍ଷର କଣ ପଢିଚ ବୋଲି ଇନ୍ଦ୍ର ଚନ୍ଦ୍ର ମାନୁନ। ଗାଁର ସଂସ୍କୃତି ପରମ୍ପରା ସବୁକୁ ପୋଡିପାଡି ଖାଇଦେଇଛ। ଦିଅଁ ଖାଇ ଖଟୁଲି ଖାଇବା କଥା କହୁଛି ପୁଅ! ଘୋର କଳିକାଳ!

: ଆଜ୍ଞା, ମୋ ବାହାଘର ସହିତ ଗାଁର ପରମ୍ପରା ଭାଙ୍ଗିବାର କଣ ସମ୍ପର୍କ?

: ଚୁପ୍ ରୁହ ତମେ ବାବୁ। ବହୁତ କଥା କହୁଛ। ତାହା ପୁଣି ରାଜା ସାହେବଙ୍କ ସାମ୍ନାରେ। କି ସାହାସ ତମର? ଗାଁର ଆଜି ଯାଏଁ କେହିବି ନିଜ ଇଛାରେ ବାହା ହୋଇ ନାହାଁନ୍ତି। ସଭିଏଁ ରାଜା ସାହେବଙ୍କ ଅନୁମତିରେ ବାହା ହୋଇଛନ୍ତି। ରାଜା ସାହେବଙ୍କୁ ଭେଟି ଲାଗିବା ପରେ ଯାଇ ବାହାଘର ହୁଏ। ତମେ କଣ ଏକଥା ଜାଣ ନାହିଁ?

: ଆଜ୍ଞା, ଜାଣେ। ହେଲେ...

: ହେଲେ କଣ? ତମେ ତ ବାହାହୋଇ ପଡିଲ ନିଜ ଇଚ୍ଛାରେ। ଯାହା ତ କାଣ୍ଡ କାରଖାନା କଲ କଲ ଗାଁର ନାଁରେ ଦୁର୍ନାମ ଆଣିଲ। ଆମ ପୁଅ ଝିଅଙ୍କୁ ଆଉ କେହି ବାହାର ଲୋକ ବାହା ହେବା ପାଇଁ ରାଜି ହେବେ ନାହିଁ। ପୁଣି ରାଜା ସାହେବଙ୍କୁ ଏଯାଏଁ ଭେଟି ଦେଇନ? ତେଣୁ ଏହି ବିବାହ ବୈଧ ନୁହେଁ। ତମେ ଦୁଇ ଜଣ ଅପରାଧୀ। ଯେଉଁ ପାପ କରିଛ ତାର ପ୍ରାୟଶ୍ଚିତ ପାଇଁ ରାଜ ଭେଟି ହିଁ ଏକମାତ୍ର ଉପାୟ।


: ସେସବୁ ଆଉ ସମ୍ଭବ ନୁହେଁ। ଆଗରୁ ଯାହା ଚାଲୁଥିଲା ଥିଲା, ଏବେ ଯୁଗ ବଦଳି ଗଲାଣି। "ରାଜ ଭେଟି" ଏଯୁଗରେ କଳଙ୍କ। ଦାସତ୍ବ ମାନସିକତାର ନିଦର୍ଶନ। ବ୍ୟକ୍ତି ସ୍ବାଧୀନତାର ବାଧକ, ମାନବାଧିକାରର ଖୁଲମଖୁଲା ଉଲଂଘନ। ଏସବୁ ଆଉ ଆଜିର ଦିନରେ ଚଳିବ ନାହିଁ।

ଉପେନ୍ଦ୍ର ସାମଲଙ୍କ କଣ୍ଠରେ ଦୃଢ଼ ବିଦ୍ରୋହୀର ସ୍ବର। ଗତାନୁଗତିକତାର ଶଗଡ଼ ଗୁଳାରୁ ବାହାରି ଆସିବା ପାଇଁ ଗାଁର ଯୁବ ସମାଜ ପ୍ରତି ଆଗ୍ନେୟ ଆହ୍ବାନ। ଏସବୁକୁ ଠିକ୍ ଭାବେ ଠଉରେଇ ପାରିଲା ଦୁଃଶାସନ ରାଉତ।


ଯେଣତେଣ ପ୍ରକାରେଣ ଲୋକଙ୍କୁ ଚିରଦିନ ଅବଦମିତ କରି ରଖିବାକୁ ହିଁ ହେବ। ନଚେତ୍ ମାମଲତକାରୀ ଛାଡ଼ି ଦାଦନ ଖଟି ଯିବାକୁ ହେବ। କ୍ରୋଧରେ ଜଳି ଉଠିଲା ସେ ଆଉ କହିଲା, "ଚୁପ୍ କର ବାବୁ। ନକହି ନକହି ବହୁତ କଥା କହି ଦେଲଣି। ଅଜଣା ଚାଉଳ ଭାତ ଖାଉଛ! ତମ ପାଠ, ତମ ଆଇନ ତମ ପାଖରେ ରଖ। ଏଇ ଗାଁରେ ରହିବାର ଅଛି ତ ଯାହା ନିୟମ ତାହା ପାଳନ କରିବାରେ ହିଁ ତମର ମଙ୍ଗଳ। ସିଧାସିଧା କୁହ ରାଜ ଭେଟି ଦେବ ନା ନାହିଁ?


" ନାଇଁ ଆଜ୍ଞା, ସମ୍ଭବ ନୁହେଁ। ଆପଣ ଯାହା କରିବା କଥା କରନ୍ତୁ।" ରୋକଠୋକ ଶୁଣାଇ ଦେଲେ ଉପେନ୍ଦ୍ର।

କେମିତି ବା ଉପେନ୍ଦ୍ର ନିଜର ପ୍ରାଣ ପ୍ରିୟା ସଂଘମିତ୍ରାଙ୍କ ପ୍ରତି ବିଶ୍ବାସଘାତ କରି ପାରିଥାନ୍ତେ? ରାଜା ସାହେବଙ୍କର କାମନାର ଅଗ୍ନିକୁଣ୍ଡରେ ବଳି ଚଢାଇ ଦେଇଥାନ୍ତେ ନବ ପରିଣିତା ପତ୍ନୀଙ୍କୁ ଆପଣାର ଜୀବନ ରକ୍ଷା କରିବାକୁ? ଥରେ ସେ ମଥା ଟେକି ଚାହିଁଲେ ସଂଘମିତ୍ରାଙ୍କ ଆଡ଼କୁ। ନିରିମାଖି ଆଖିରେ ଲୁହର ଜୁଆର। କି କି ସ୍ବପ୍ନ ଦେଖି ସମାଜର ନାଲି ଆଖିକୁ ଭୃକ୍ଷେପ ନକରି ଉପେନ୍ଦ୍ରଙ୍କୁ ପ୍ରେମ ବିବାହ କରିଥିଲେ ଆଉ ଆଜି କି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି?


ଶେଷ ଥର ପାଇଁ ଦୁଃଶାସନ ରାଉତ ପଚାରିଲା ଚଢା ଗଳାରେ "ବାବୁ ଉପେନ୍ଦ୍ର! ତମେ ରାଜ ଭେଟି ପାଇଁ ରାଜି କି ନୁହଁ?"

ଚାରିଆଡ଼େ ନୀରବତାର ରାଜୁତି। ତଥାପି ଉପେନ୍ଦ୍ର ନିଜ ନିଷ୍ପତ୍ତିରେ ଅଟଳ। ଧୈର୍ଯ୍ୟଚ୍ୟୁତି ଘଟିବାକୁ ଲାଗିଲାଣି ନ୍ଯାୟଧିଶ ରାଜା ସାହେବଙ୍କର। କି ନଛୋଡ଼ବନ୍ଧା ପିଲାଟିଏ! ଯେତେ ବୁଝାଇଲେ ବି ବୁଝୁନି। ଜୀବନ ପିତା ଲାଗିଲାଣି ତାକୁ! କେହି କିଛି କହିବା ପୂର୍ବରୁ ମୁଖିଆ ରାଜା ସାହେବ କହିଲେ, "ରାଉତେ! ଛାଡ଼ି ଦିଆଯାଉ ଏଇ ଦୁଇ ଜଣଙ୍କୁ। ବଦଳରେ ଏମାନଙ୍କର ସମସ୍ତ ସମ୍ପତ୍ତି ବ୍ୟାଜ୍ୟାପ୍ତି କରାଯାଉ। ଏହି ପରିବାରକୁ ଆଜି ଠାରୁ ନିଆଁ ପାଣି ବାଛନ୍ଦ କରାଗଲା। ଯିଏ ବି ଏମାନଙ୍କ ସହିତ କିଛି ବି ସମ୍ପର୍କ ରଖିବ ସିଏ ବି ବାଛନ୍ଦର ଶୀକାର ହେବ।"


ରାଜା ସାହେବ ଜିନ୍ଦାବାଦ! ରାଜା ସାହେବ ଜିନ୍ଦାବାଦ! ରାଜା ସାହେବ ଜିନ୍ଦାବାଦ! ଧ୍ବନିରେ କମ୍ପିଉଠିଲା ଠାକୁରାଣୀ ପଡିଆ। ଦେବୀ ମାତାଙ୍କ ସମ୍ମୁଖରେ ଅନ୍ଯାୟ ବିଚାର ଚାଲିଥିଲା କିନ୍ତୁ ସେ ସବୁ ଦେଖିବି ନଦେଖିବା ପରି ସ୍ଥିର ସ୍ଥବିର ଥିଲେ ସବୁଥର ଭଳି। ଏକଥା ଶୁଣି ଉପେନ୍ଦ୍ର କାନ୍ଦି କାନ୍ଦି ନେହୁରା ହେଲେ ରାଜା ସାହେବଙ୍କ ପାଖରେ ଏପରି ନ କରିବାକୁ। କିନ୍ତୁ କେହି ବି ସେଠି ତାଙ୍କର କାନ୍ଦ ଶୁଣିବାକୁ ନଥିଲେ। ସଭିଏଁ ମଜ୍ଜା ଲୁଟୁଥିଲେ ମଣିଷର ଅସହାୟତାର। ଉପେନ୍ଦ୍ରଙ୍କ ପରିବାରର ଦୁଇ ଏକର ଉର୍ବର ଚାଷଜମି, ଘରବାଡ଼ି, ତୋଟା ସବୁକିଛି ଛଡ଼ାଇ ନିଆଗଲା। ମୂହୁର୍ତ୍ତକରେ ଉପେନ୍ଦ୍ରଙ୍କ ପରିବାରକୁ ଦାଣ୍ଡର ଭିକାରୀ ସଜାଇ ଦେଲା ଧର୍ମଦଣ୍ଡ ଧାରଣ କରିଥିବା ତଥାକଥିତ ରାଜା ସାହେବଙ୍କର ଅନ୍ୟାୟ ବିଚାର।

ବାପାମାଆ ଓ ପତ୍ନୀଙ୍କୁ ସାଥିରେ ଧରି ଉପେନ୍ଦ୍ର ଗୋଚର ଭୂମିରେ କୁଡିଆଟିଏ କରି ଯାହିତାହି ଜୀଇଁବାକୁ ଲାଗିଲେ। ଏହି ଘଟଣାର କିଛି ଦିନର ବ୍ଯବଧାନ ପରେ ରାଜ୍ୟର ପ୍ରମୁଖ ଖବରକାଗଜର ଶିରୋନାମାରେ ପ୍ରକାଶିତ ହୋଇଥିଲା ଅନ୍ତରାତ୍ମାକୁ ଦୋହଲାଇ ଦେବା ପରି ଦୁଃଖଦ ଖବରଟିଏ। "ରାଜଧାନୀ ଉପକଣ୍ଠରେ ଗୋଟିଏ ପରିବାରର ସାମୁହିକ ଆତ୍ମହତ୍ୟା!" ଏହି ପ୍ରକରଣଟି ହତ୍ଯା ଅବା ଆତ୍ମହତ୍ଯା ତାହା ପ୍ରହେଳି ହୋଇ ରହିଗଲା ଚିରଦିନ ପାଇଁ। 



Rate this content
Log in

Similar oriya story from Tragedy