କଳା ବ୍ୟାଗ
କଳା ବ୍ୟାଗ
ଏ ସଂସାରରେ କେବଳ ଯେ ମଣିଷର ମଣିଷ ଉପରେ ଆସ୍ଥା ଓ ଭରସା ଥାଏ ତାହା ନୁହେଁ କେତେକ ନିର୍ଜୀବ ବସ୍ତୁ ଉପରେ ମଧ୍ୟ ଆମର ଆସ୍ଥା ଓ ଭରସା କେନ୍ଦ୍ରୀଭୂତ ହୋଇଥାଏ । କେତେ ମୂଲ୍ୟବାନ ଦ୍ରବ୍ୟ ସାମ୍ନାରେ ଥିଲେ ହେଁ ଗୋଟେ ଅଦରକାରୀ ଲାଗୁଥିବା ନଷ୍ଟ ପ୍ରାୟ ଛିଣ୍ଡା ଭଙ୍ଗା ପୁରୁଣା ଜିନିଷଟିର ମୂଲ୍ୟ ତାର ମାଲିକ ନିକଟରେ ଅକଳନୀୟ । ତା ବିନା ଲାଗେ ଯେମିତି ଜୀବନ ଅଚଳ ହୋଇଯିବ ।
ଦିନେ ଆଲମାରୀ ଘାଣ୍ଟୁ ଘାଣ୍ଟୁ ଗୋଟିଏ ଅତି ପୁରୁଣା କଳା ବ୍ୟାଗ ଉପରେ ନଜର ପଡିଲା । ବାପାଙ୍କର କଳା ବ୍ୟାଗଟି ଏବେ ବି ତାର ଗୁରୁତ୍ୱ ହରାଇ ନାହିଁ ।ରହିରହି ଜାହିର କରୁଛି ତାର ଅସ୍ତିତ୍ତ୍ୱ ତା ମାଲିକଙ୍କ ସ୍ମୃତିର ସ୍ଵାକ୍ଷର । ଯେବେଠାରୁ ଜ୍ଞାନୋଦୟ ହେଲା ସେବେଠୁ ଦେଖୁଛି ୟାକୁ ହିଁ ନେଇ ବାପା ଅଫିସ ଯାଆନ୍ତି ୟାକୁ ନେଇ ବ୍ୟାଙ୍କ ଯେ କୌଣସି କାଗଜ ପତ୍ର ଟଙ୍କା ପଇସା ସବୁ କିଛି ଏଇ ବ୍ୟାଗରେ ହିଁ ନେଇ ଯିବାଆସିବା କରନ୍ତି ସେ । ଦିନେ ବାପାଙ୍କୁ କହିଥିଲି ବାପା ନୂଆ ବ୍ୟାଗଟିଏ କିଣିଆଣ ଏଇଟି ତ ଏତେ ପୁରୁଣା ପୁଣି କଳାରଙ୍ଗ ବି ଛାଡି ଛାଡି କେମିତି ଗୋଟେ ଘଷରା ଦିଶିଲାଣି ଦେଖୁନ । କିନ୍ତୁ ଉତ୍ତରରେ କହିଲେ ।
—ରଙ୍ଗ ଛାଡିଯାଉ କି ପୁରୁଣା ହୋଇଯାଉ । କିନ୍ତୁ ୟାକୁ ନେଇ କାମ ତ ଚାଲିଛି ଏବଂ ଆହୁରି ଅନେକ ବର୍ଷ ବ୍ୟବହାର ହୋଇ ପାରିବ । ଫୋପାଡ଼ି ଦେବା ପାଇଁ କେମିତି କହୁଛୁ ତୁ ?
— ନାହିଁ ଯେ ନୂଆ ବ୍ୟାଗ ଗୋଟେ ଆଣିଲେ ଅସୁବିଧା
କଣ ? ଆଜିକାଲି ନୂଆ ନୂଆ ଡିଜାଇନର କେତେ ପ୍ରକାର ବାହାରିଲାଣି ନା ।
— ମୁଁ ମରିବା ପୂର୍ବରୁ ମୋତେ ବି ନେଇ ଶ୍ମଷାନରେ ଫୋପାଡ଼ି ଦେଇ ଆସିବୁ କି ମା ? ଥାଉ ଏଇଟା ଆହୁରି ଅନେକ ବର୍ଷ କାମରେ ଆସିବ ।
ହେଲେ ଆହୁରି ଅନେକ ବର୍ଷ ସେଇଟିକୁ ବ୍ୟବହାର କରିବା ପାଇଁ ବାପା ଆଉ ନଥିଲେ । ସେଇ ବର୍ଷ ହିଁ ଚାଲିଗଲେ ସେ । କିନ୍ତୁ ଶେଷ ପର୍ଯ୍ୟନ୍ତ ସେ ତାଙ୍କର ପ୍ରିୟ ଜିନିଷଟିକୁ ଭୁଲି ନଥିଲେ ।
ଯେତେବେଳେ ହସ୍ପିଟାଲ ଆଇ ସି ୟୁରେ ନେଇ ତାଙ୍କୁରଖାଗଲା ସେତେବେଳେ ମୁଁ ତ ଭାବି ଥିଲି ଆଇସିୟୁରେରଖିଛନ୍ତି ମାନେ ବାପା ଶୀଘ୍ର ଭଲ ହୋଇ ଫେରି ଆସିବେ ମୋ ନିକଟକୁ । କାହଁକି ନା ମା ଚାଲି ଯାଇଥିଲା ଦୁଇ ବର୍ଷ ତଳେ ଯଦି ବାପା ବି…ମୁଁ ତ ତିଷ୍ଠି ପାରିବି ନାହିଁ । ନା…ନା…ସେମିତି କେମିତି ହେବ ? ମୋର ଜଣେ ସୁହୃଦ ମୋତେ ଉପଦେଶ ଦେଇଥିଲେ ପ୍ରତିଦିନ ହନୁମାନ ଚାଳିଶା ପଢ଼ିବା ନିମନ୍ତେ ପଢ଼ୁଥିଲି ମଧ୍ୟ । କିନ୍ତୁ ଆଇ ସି ୟୁରେ ଭର୍ତ୍ତି ହେବା ଦିନଠାରୁ ହିଁ ବାପା ଚାଲି ଯିବେ ବୋଲି ନିଧାର୍ଯ୍ୟ ହୋଇ ଯାଇଥିଲା ଯାହା ମୁଁ ଜାଣି ପାରି ନଥିଲି ।
ସେ ଅତି ଶୀଘ୍ର ଚାଲିଯିବେ ବୋଲି ସମସ୍ତେ ଜାଣି ସାରିଥିଲେ ଯେତେବେଳେ ତାଙ୍କର ହାତ ଦୁଇଟି ଫୁଲି ଯିବାରୁ କୌଣସି ସାଲାଇନ କି ଇଞ୍ଜେକ୍ସନ ଶିରା ଭିତରେ ଦେଇ ହେଉ ନଥିଲା ସୁତରାଂ ସେଣ୍ଟ୍ରାଲ ଲାଇନ ପାଇଁ ମୋର ଅନୁମତି ଚାହିଁଥିଲେ ସେମାନେ ଏବଂ ମୁଁ ଦସ୍ତଖତ କରିଥିଲି । ସେଥିରେ ବେକ କଣା ହୋଇ ସେଇ ବାଟେ ଓଷଦ ଇଞ୍ଜେକ୍ସନ ସବୁ ଦିଆ ହେଉଥିଲା । ତାଙ୍କୁ ଆଇସିୟୁ କୁ ନେଲା ପରେ ମୁଁ ନିଶ୍ଚିନ୍ତ ଥିଲି ଯେ ଭଲ ହୋଇଯିବେ ବୋଲି ତେଣୁ ସବୁଥିରେ ଶୀଘ୍ର ଶୀଘ୍ର ଦସ୍ତଖତ କରି ଦେଇଥିଲି କିନ୍ତୁ ଏବେ ଭାବୁଛି ବେକ ବାଟେ ଭିତରକୁ ଓଷଦ ପତ୍ର ଛାଡିଲା ବେଳେ କେତେ କଷ୍ଟ ପାଇଥିବେ
ସେ ।
ଧୀରେ ଧୀରେ ଯେତେବେଳେ ବାପା ଅର୍ଦ୍ଧ ଚେତନ ଅବସ୍ଥାକୁ ଆସୁଥିଲେ ସେତେବେଳେ ସେ ଦୁଇଟି ଜିନିଷ ବିଷୟରେ ହିଁ ପଚାରୁ ଥିଲେ । ଗୋଟିଏ ତାଙ୍କର ଚଷମା ଅନ୍ୟଟି ହେଲା କଳା ବ୍ୟାଗ । ମୃତ୍ୟୁର ଗୋଟିଏ ଦିନ ପୂର୍ବର କଥା । ସେତେବେଳେ ମୋର ବି ଆଶା ଭରସା ଆଉରହିଲା ନାହିଁ । ଜାଣି ସାରିଥିଲି ଯେ ବାପା ଦିନେ ଦୁଇ ଦିନ ଭିତରେ ହିଁ ଚାଲିଯିବେ ବୋଲି । ତଥାପି ଚିକିତ୍ସା ଅବ୍ୟାହତରହିଥିଲା । ଯେତିକି ଦିନରହିବେ ଆରାମରେ ରହନ୍ତୁ । ବଞ୍ଚାଇବା ସିନା ମୋ ହାତରେ ନାହିଁ କିନ୍ତୁ କିଛିଟା ଆରାମ ଯଦି ଦେଇ ପାରିବି ତେବେ ମୋର ଝିଅ ଜନ୍ମ ସାର୍ଥକ ହେବ । ବିପି ଦ୍ରୁତ ଗତିରେ କମି ଯିବାରୁ ବାପାଙ୍କର ଚେତନା ଶକ୍ତି ବି କମି କମି ଯାଉଥାଏ । ଡକ୍ଟର ଙ୍କ ଆପ୍ରାଣ ଉଦ୍ୟମ ବିଫଳ ହେଉଥାଏ । ମୁଁ ସେଦିନ ଆଇ ସି ୟୁ କୁ ଯାଇଥାଏ । ଆଖି ଅଧା ଖୋଲା ଥାଇ କହିଲେ
— ମା ଲୋ ମୋର ଚଷମା ଟା ଆଣିଦେବୁ ମୋତେ କାହିଁକି କିଛି ଦିଶୁନାହିଁ ଲୋ ମା । ସେତେବେଳକୁ ତାଙ୍କୁ ଝାପ୍ସା ଦିଶିଲାଣି ସବୁ । ପୁଣି ବେକର ଡାହାଣା ପଟରେ କଣା ହେବା ଲାଗି ଡାହାଣା କାନ କୁ ବି କିଛି ଶୁଭୁ ନଥାଏ । ମୁଁ ବାମ କାନ ପାଖେ ଯାଇ କହିଲି ।
— କିଛି ବ୍ୟସ୍ତ ହୁଅନା ବାପା । ତୁମ ଚଷମା ମୋ ପାଖେ ଅଛି ତୁମେ ଭଲ ହେଲା ପରେ ପିନ୍ଧିବ ।
— କଳା ବ୍ୟାଗଟା କୁଆଡେ…ଗଲା ? କାଗଜ ପତ୍ର କେତେଟା…..।
— ସବୁ ଠିକ ଠାକ ଅଛି । ତୁମେ ଖାଲି ଭଲ ହୋଇଯାଅ ।
କହୁଥିଲି ଭଲ ହୋଇଯିବାକୁ କିନ୍ତୁ ବିଶ୍ୱାସ ନଥିଲା । କିଛି ମ୍ୟାଜିକ ଯଦି ହୁଅନ୍ତା ତେବେ ? କିନ୍ତୁ ମ୍ୟାଜିକ ହେଲା ନାହିଁ ଓ ସେ ଚାଲିଗଲେ । ସବୁ କାମ ସରିଲା ପରେ ଦିନେ ହଠାତ ମୋର ମନେ ପଡିଲା ସେଇ କଳା ବ୍ୟାଗ କଥା । ଆଲମାରୀ ଖୋଲି ଦେଖିଲି । ବ୍ୟାଗଟି ଯଥା ସ୍ଥାନରେ ଥୁଆ ହୋଇଥିଲା । ଖୋଲି ଦେଖିଲି କାଗଜ ପତ୍ର ପୁରୁଣା ଇଲେକ୍ଟ୍ରି ବିଲ୍ରସିଦ କେତୋଟି ଛଡା ଆଉ କିଛି ନାହିଁ । ଭିତର ଚେନ ଖୋଲିଲା ପରେ ଗୋଟେ ଦଶ ଟଙ୍କିଆ ନୋଟ ଏବଂ ଛୋଟିଆ କାଗଜ ଖଣ୍ଡେ ଭଙ୍ଗା ହୋଇରଖା ଯାଇଛି । ଖୋଲି ଦେଖିଲି ଲେଖା ହୋଇଛି ।
— କୁନି ମା ମୋର ! ଦିନକୁ ଦିନ ଛାତିଟା ମୋର ବେଶୀ ବେଶୀ ଅଡୁଆ ଲାଗୁଛି ଲୋ ମା । ଲାଗୁଛି ଯିବା ଟାଇମ ଆସିଗଲାଣି । ମୋତେ ବଞ୍ଚାଇ ନପାରିଲେ କାନ୍ଦିବୁ ନାହିଁ । ଯିଏ ଯେତେବେଳେ ଯିବା କଥା ଓ ଯେଉଁ ପ୍ରକାରେ ଯିବା କଥା ଯିବ ହିଁ ଯିବ ତାକୁ କେହିରୋକି ପାରିବେ ନାହିଁ ଲୋ ମା । ଦେହ ପା ଜଗିରଖି ଚଳୁଥିବୁ ।
ମୋ ଲୁହର ବନ୍ୟାରେ ଚିଠି ଟି ଓଦା ହୋଇ ସାରିଥିଲା । ମନେ ମନେ ଘୋଷି ହେଉଥିଲି ମୁଁ ତୁମ ନିକଟକୁ ଯିବାକୁ ଚାହୁଁଛି ପରା ବାପା ! ଦେହ ପା ଦେଖି ଚାହିଁ ଚଳିଲେ ତୁମ ପାଖକୁ କେମିତି ଯିବି ଯେ ? ତୁମ ଉପଦେଶ କେବେ ବି ମାନିବି ନାହିଁ ।
