Lipi Sahoo

Inspirational

4.4  

Lipi Sahoo

Inspirational

କିନ୍ନର କୋଠିରେ ମାଁ

କିନ୍ନର କୋଠିରେ ମାଁ

6 mins
424


ପଦ୍ମା ର ନାକ ଆଉ ଓଠରୁ ଝରି ପଡୁଥାଏ ରକ୍ତ । ରୁମାଲ ରେ ଚାପି ଧରିଥାଏ ନାକ ଆଉ ଓଠକୁ । ସମୟ ଭୋର ସାଢେ ଚାରିଟା ହେବ । ସିନ୍ଦୂରା ଫାଟି ନଥାଏ । ଟିକେ ଫର୍ଚା ଟିକେ ଅନ୍ଧାର ଥାଏ । ରାଜରାସ୍ତା ର ଷ୍ଟ୍ରଟ୍ ଲାଇଟ୍ ଏବେ ବି ଜଳୁଥାଏ ଧାଡ଼ିକୁ ଧାଡ଼ି। କାନ୍ଦି କାନ୍ଦି ପଦ୍ମାର ଆଖି ଗୁଡା ସିନ୍ଦୂର ଭଳି ଲାଲ ପଡ଼ି ଯାଇଥାଏ । ପିନ୍ଧି ଥାଏ ଗୋଲାପି ରଙ୍ଗର ଘାଗରା ଚୋଲୀ । ମୁଣ୍ଡରେ ବଡ଼ ଖୋସା ଚାରିପାଖରେ ମଲ୍ଲୀ ର ଗଜରା ଆଉ ଖୋସା ମଝିରେ ଗୋଲାପ କଢି । ଯଦି ଓ ସେ ସବୁ ସାମାନ୍ୟ ମଉଳି ଯାଇଥାନ୍ତି । କିଛି ବାଟ ରାଜରାସ୍ତାରେ ଚାଲିଲା ପରେ ବାମ ପଟେ ଗୋଟେ ଗଳି ପଡ଼ିଲା ସେଇ ଗଳିରେ ସେ ପଶିଲା । ସେଇଟା କିନ୍ନର ବସ୍ତି । ମୋରମ୍ ରାସ୍ତା ର ଦୁଇ କଡ଼ ରେ ଛୋଟ ଛୋଟ ନୁଆଣିଆ ଚାଳଘର ଆଉ କିଛି ପକ୍କା ଘର । ପଦ୍ମା ଦେଖିଲା ଶାନ୍ତି ଅପା ତା ପିଣ୍ଡାରେ ବସି ଦାନ୍ତ ଘଷୁଛି । ସେ ପଦ୍ମାକୁ ଦେଖି ହାତଠାରି ଡାକିଲା । ଆଜି ପୁଣି ବୋଧେ ସେଇ କିଶୋର ସାଙ୍ଗରେ ଝଗଡ଼ା କରିଛୁ ? ତୋତେ ଯେତେ ବୁଝାଇଲେ ବୁଝା ପଡୁନି କି ? ସେଇଟା ଗୁଣ୍ଡା ଟେ । ଦୁଇଗଡ କରି କୋଉଠି ଫୋପାଡ଼ି ଦେବ କେହି ପତା ପାଇବେନି ତୋ'ର । ତଥାପି ତା ସାଙ୍ଗେ ଲଢେଇ କରୁଛୁ ?ଭାଗ୍ୟ ସହ ସାଲିସ କରିବା ଶିଖେ !

              ଆଉ କେତେ ଦିନ ଶାନ୍ତି ଅପା ଆଉ କେତେ ଦିନ ? ତୋତେ ଟିକେ ଲାଜ ଲାଗୁନି ଏମ୍.ଏ ପାଶ୍ କରି ରାତିରେ ଟୋଲଗେଟ୍ ପାଖରେ ଗାଡ଼ି ଆଗରେ ତାଳି ମାରିବାକୁ । ରାତି ଯେତେ ବଢ଼ି ବଢ଼ି ଚାଲିଥିବ ଗାଡିବାଲା ମାନଙ୍କ ଅଶ୍ଳିଳତା ସେତେ ସେତେ ବଢି ଚାଲିଥିବ । ତୋ ପାଖରେ ପଇସା ଥିଲେ ଆଜି କୋଉ କଲେଜ ରେ ପାଠ ପଢେଇ ଇଜ୍ଜତ ର ସହ ବଞ୍ଚୁ ଥାଆନ୍ତୁ । ଆଲୋ ! ତୁ କାହିଁ ବୁଝୁନୁ ଆମ ଜନ୍ମ ଟା ହିଁ ଅବାଞ୍ଛିତ ଆଉ ଅଲେଡା । ସେଥିରେ ଆମେ ସମ୍ମାନର ସହ କେମିତି ବଞ୍ଚିବା ? ନିଜ ଘର ଲୋକ ତ ଗ୍ରହଣ କଲେନି , ୟେ ସମାଜ କୁ କ'ଣ ଦୋଷ ଦେବା ? ଆମର ସ୍ବାଭିମାନ ବୋଲି କିଛି ନାହିଁ । ତୁ ଏଇ ଯୋଉ ସ୍ୱପ୍ନ ଦେଖୁଛୁ ସେଥିରେ ମରିବା ସାର ହେବ ।

                 ଏଇ ଶଳା ସମାଜ ଟା ଶୈତାନ । ଦିନରେ ଆମ ଠୁ ଆଶୀର୍ବାଦ ନେବ ଆଉ ରାତି ହେଲେ ଆମ ଶରୀର ସହ ଖେଳିବ । ସତ କହିଲୁ ଶାନ୍ତି ଅପା ତୋତେ ଘୃଣା ଲାଗୁନି ଏମିତି ଜୀବନକୁ ନେଇ ବଞ୍ଚିବାକୁ । ଏଇ ଚକଚକିଆ ଲେହେଙ୍ଗା ନକଲି ଗହଣା ପିନ୍ଧି ବାର୍ ରେ ଦେହ ହଲେଇବି । ଯାହା ପଇସା କମେଇବି ସେଥିରୁ ଅଧାରୁ ଅଧିକ ପଇସା କିଶୋର ନେଇ ଯିବ ।ଘରେ ଆସି ବାଇଗଣ ପୋଡ଼ା ଲଙ୍କା ଲଗେଇ ପଖାଳ ଖାଇବି । ଅନିଚ୍ଛା ରେ କାମ କରିବି ପୁଣି ପୂରା ପଇସା ବି ମୁଁ ପାଇବିନି ସେ ଅଧା ନେବ ଆଉ ଅଧା ଏଠି ରାହାବାଳି ନୈନା ମା ନେବ । କ'ଣ ନା ସେ ଆମ ମା ଆମକୁ ଆଶ୍ରୟ ଦେଇଛି । ଆମ ହକ୍ ପାଇଁ ଲଢ଼ୁଛି । ଛେନାଗୁଡ କରୁଛି । ଆମ ରକ୍ତ ଶୋଷି ଶୋଷି ବଞ୍ଚିଛି । ସତ ଉପରେ ଏତେ ସୁନ୍ଦର ଚକଚକିଆ ପରଦା ଘୋଡ଼ା ହେଇଛି ଯେ ବିଭତ୍ସ ସାତଟା ବି ଚକଚକିଆ ସୁନ୍ଦର ଭଳିଆ ଦେଖା ଯାଉଛି । ମୋର ସ୍ବପ୍ନ ଥିଲା ଦିଲ୍ଲୀ ଯାଇ ଏମ୍.ବି.ଏ କରିବି । ତା ପରେ କିଛି ଦିନ ଚାକିରୀ କରି ନିଜ ର ଗୋଟେ ଷ୍ଟାର୍ଟଅପ୍ ଖୋଲିବି ଆଉ ସବୁ କିନ୍ନର ମାନଙ୍କୁ ସେଇଠି ଚାକିରୀ ଦେବି । ହେଲେ ପଇସା ଆଣିବି କୋଉଠୁ ? 

               ସବୁ ନାଟ ସେଇ ପଇସା ପାଇଁ । ଜାଣି ଶୁଣି ସେଇ ମରଣ ପଛରେ କାହିଁକି ଧାଇଁଛୁ ? ତୋ ବୟସରେ ମୋ ମନରେ ବି ଏମିତି ବିଦ୍ରୋହ କରୁଥିଲା । ବହୁତ ଥର ଭାବିଛି ଏଠୁ ବହୁତ ଦୂରକୁ ପଳେଇବି । ମୋ ଯୋଗ୍ୟତା ବଳରେ ବଞ୍ଚିବି । ଯୋଉଠି ହେଲେ ପାଠ ପଢେଇ ପଇସା କମେଇବି । ସାହାସ କରି ପାରିଲିନି । ଏକ ତ ଅଣ୍ଟିରେ ପଇସା ନାହିଁ ପୁଣି ସମାଜର ଟାହିଟାପରା ର ଭୟ । କିଏ ମୋତେ ଚାକିରୀ ଦେବ ? କିଛି ନକରି ପାରିଲେ ପୁଣି ଏଇ ନର୍କ କୁ ଫେରିବାକୁ ପଡିବ । ନୈନା ମା ମୋ ବଞ୍ଚିବା ଦୁର୍ବିଶ କରିଦେବ । ସେଇଥି ପାଇଁ ସବୁ ଦୁଃଖ ପିଇ ଏଇଠି ପଡ଼ି ରହିଲି । ଏବେ ତ ଦେହସୁହା ହେଇଗଲାଣି ଏଇ ଜୀବନ । ତୁ ବି ସେ ଆଶା ଛାଡି ଦେ । ଏ କଥା ଜାଣିଲେ ସେ ଗୁଣ୍ଡା କିଶୋର ଆଉ ନୈନା ମା ମିଶିକି ତୋତେ ସଫା କରିଦେବେ । ହଉ ହଉ ତୁ ଯା ! ଆଜି ଆଶ୍ୱିନ ପ୍ରତିପଦା ତୋର ମନେ ନାହିଁ କି ?bଆଜି ବିନ୍ଦୁସାଗର ରୁ କଳସ ଯାତ୍ରା ହେବ । ମାଁ ଙ୍କର ଘଟ ସ୍ଥାପନା ହେବ ପା । ଆଉ ଟିକେ ପରେ ନୈନା ମା ଆସି ପହଞ୍ଚି ଯିବ । ଯା ତୁ ଜଲଦି ବାହାରି ପଡ। ହଁ ହଳଦିଆ ଶାଢ଼ୀ ପିନ୍ଧିବୁ । ପଦ୍ମା ଉଦାସ ମନରେ ଉଠିଲା । ମାଁ ଯଦି ଜଗତ କଥା ବୁଝୁଛି ତେବେ ତାକୁ ଆମ ଦୁଃଖ କାଇଁ ଦେଖା ଯାଉନି ? ଆମେ ଯେମିତି ସାଧାରଣ ମଣିଷ ଭଳି ବଞ୍ଚି ପାରିବୁ ସେ ବ୍ୟବସ୍ଥା କରି ଦେଉନି । ତା ପାଖରେ ତ ସବୁ ଶକ୍ତି ଅଛି । ଆମ ଲୁହ ଯଦି ନ ପୋଛି ପାରିବ ତେବେ ସେ କି ମା ?

ଏଠି ଖୁଣ୍ଟଟେ ଭଳି କାଇଁ ଠିଆ ହେଲୁ ? କ'ଣ ଭାବୁଚୁ ? ଯାଉନୁ ବାହାରିବୁ ! କହି ଶାନ୍ତି ତାକୁ ଟିକେ ପେଲି ଦେଲା ।

               ଆଜି କିନ୍ନର ବସ୍ତି ଉଠୁଚି ପଡୁଚି ଘଣ୍ଟ ଘଣ୍ଟା କାହାଳୀ ଶବ୍ଦରେ । କି ଭିଡ଼ ମାଁ ଙ୍କ ପାଖରେ । ନନା ମନ୍ତ୍ର ପଢି ଚାଲିଥାଆନ୍ତି । ସବୁ ଆଡ଼େ ଏକ ଭକ୍ତିମୟ ପରିବେଶ । ଦାଉ ଦାଉ ହେଇ ଜଳୁଥାଏ ମାଁ ଙ୍କ ମୁହଁ । ହୋମ ଅଗ୍ନିର ଲେଲିହାନ ଶିଖା ଉଠୁଥାଏ ଉପରକୁ ଉପରକୁ । ଦିନ ରାତି ଏକାକାର ହେଇ ଯାଇଥାଏ ଯେମିତି । କିନ୍ନର ମାନେ ନିଜ ସବୁ ଦୁଃଖ କଷ୍ଟ ଭୂଲି ମାଁ ଙ୍କ ପୂଜା ଅର୍ଚ୍ଚନା ରେ ଲାଗିପଡି ଥାଆନ୍ତି । ନାଚ ଗୀତ ବି ଚାଲିଥାଏ ତା ସାଙ୍ଗକୁ । ନିଃସନ୍ତାନ ଦମ୍ପତ୍ତି ମାନଙ୍କର ଏଇଠି ଭିଡ଼ ହୁଏ । ଲୋକ ବିଶ୍ୱାସ ଏଠି ଆସି ମାଁ ଙ୍କ ପୂଜା କଲେ ସେମାନେ ସନ୍ତାନ ପ୍ରାପ୍ତ ହୁଅନ୍ତି । ପଦ୍ମା ଯେତେବେଳେ ମାଁ ର ବାତ୍ସଲ୍ୟ ବୋଳା ମୁହଁ , ଆଉ ତା'ର ସୁନ୍ଦର ସୁନ୍ଦର ଦୁଇ ଆଖି ଦେଖିଲା ସେ ସବୁ ଦୁଃଖ ଭୁଲିଗଲା । କିଶୋର କୁ ଫୋନ୍ କରି କହିଦେଲା ମୁଁ ନବରାତ୍ରୀରେ ବାର୍ ଯାଇ ପାରିବିନି ମୋତେ ଛୁଟି ଦରକାର । ସେ ବି କିଛି କହିଲାନି। ପଦ୍ମା ଆଶ୍ଚର୍ଯ୍ୟ ହେଲା ସେ ଶୈତାନ ମାନିଗଲା କେମିତି ? ଦିନ ଗୁଡା ଖୁବ୍ ଖୁସିରେ କଟି ଯାଉଥିଲା । ସବୁ କିନ୍ନର ଏକାଠି ହୁଅନ୍ତି ଏଇ ସମୟରେ । ମିଳିମିଶି ବହୁତ ଧୂମଧାମରେ ପାଳନ କରନ୍ତି ଏଇ ପର୍ବ ଟି ।

            ହଠାତ୍ ସପ୍ତମୀ ଦିନ କିଶୋର ଫୋନ୍ କଲା ପଦ୍ମାକୁ କହିଲା ଆଜି ରାତିଟା ଆସେ । ହାଇ ପ୍ରୋଫାଇଲ୍ ଭିଆଇପି ଗେଷ୍ଟ ଆଜି ଆସିବେ ବାର୍ କୁ । ପଦ୍ମା ର ଦେହରେ ନିଆଁ ଲାଗିଗଲା ଯେମିତି । ତୋତେ ପା କହିଥିଲି ଏଇ ଦଶଦିନ ମୋତେ ଡାକିବୁନି ମୁଁ ଯାଇ ପାରିବିନି । ସେପଟୁ ଏବେ ଚୋପ୍ !ବେଶୀ ଫଡଫଡ ହୋ ନା । ତୋତେ କହିଲି ମାନେ ଆସିବୁ , ନ ହେଲେ ମୋତେ ଚିହ୍ନବୁ । ତୋର ଔକାତ କେତେ ମୋତେ ଜବାବ ଦେଉଛୁ ? ସାତଟା ସୁଦ୍ଧା ଆସି ପହଞ୍ଚି ଯିବୁ । ପଦ୍ମାର ରାଗ ବି ପଞ୍ଚମରେ ପହଞ୍ଚି ଗଲା । ଯଦି ଯିବି ଦଶହଜାର ନେବି ରାତିକ । ଏବେ ଏଡଭାନ୍ସ ପାଞ୍ଚ ପଠା ବାକି ପାଞ୍ଚ କାଲି ସକାଳେ ଦେବୁ । ତା ହେଲେ ମୁଁ ଯିବି ।           

        ପଦ୍ମା ମନସ୍ଥ କରି ସାରିଥିଲା । ଦଶହରା ପରେ ସେ ଏଇ ନର୍କ ରୁ ବାହାରି ଯିବ । ଦିଲ୍ଲୀ ପଳେଇବ । ଗୁଡ଼ାଏ ପଇସା ଯଦି ମିଳିଯିବ ତେବେ ତାକୁ ଟିକେ ସାହାସ ମିଳିଯିବ । ସତ କୁ ସତ ପଦ୍ମା ଫୋନ୍ ରେ ନୋଟିଫିକେସନ୍ ଆସିଲା ପାଞ୍ଚ ହଜାର ଏକାଉଣ୍ଟ୍ ରେ ଡିପୋଜିଟ୍ ହେଇ ଯାଇଚି । ରାତିରେ ସଜବାଜ ହେଲା । ଗାଢ଼ ସବୁଜ ରଙ୍ଗର ଲେହେଙ୍ଗା ପିନ୍ଧିଲା । ସବୁଜ ରଙ୍ଗା ଟା ତା'ର ଭାରି ପ୍ରିୟ। ମନ ସତେଜ ହୋଇ ଉଠେ ଏଇ ରଙ୍ଗର ପିନ୍ଧିଲେ । ଆଖିରେ ଆଖିଏ ସ୍ୱପ୍ନ ଭରି କଜଳର ସୁନ୍ଦର ଗାର ଟାଣିଲା । ମୁଣ୍ଡରେ ଖୋଷା କଲା ସେଥିରେ ଲାଲ ଗୋଲାପ କଢି ଖୁଞ୍ଚିଲା । ମନ ପସନ୍ଦର ଗହଣା ସବୁ ପିନ୍ଧିଲା । ଦେହ ସାରା ଅତର ପକେଇଲା । ଆଜି ତ ଶେଷ ରାତି ଆଉ କେବେ ବି ୟେ ଘୃଣ୍ୟ କାମ କରିବନି । ଧୀରେ ଧୀରେ ଆଗେଇଲା ବାର୍ ଆଡ଼େ ସବୁ ଭୟ ଆଉ ଆଶଙ୍କା କୁ ପାଦତଳେ ଦଳି ଦେଇ । କୋଉଠୁ ଆସିଲା ଏତେ ଦୃଢ଼ତା ସେ ବି ଜାଣେନା ।

                ସାରା ରାତି ମନ ଖୋଲି ହସି ହସି ନାଚିଲା । ଯିଏ ଯେତେ କଦର୍ଯ୍ୟ ବ୍ୟବହାର କଲେ ବି କିଛି ଉଁ କି ଚୁଁ କଲାନି । ତା ଉପରେ ସେ ଦିନ ଗଦା ହେଇ ପଡ଼ିଲା ଅଜସ୍ର ନୋଟ୍ । ସେ ସବୁକୁ ଗୋଟେଇ ବ୍ଲାଉଜ୍ ଭିତରେ ପୂରେଇଲା । ରାତି ତିନିଟାରେ ବାର୍ ବନ୍ଦ ହେଲା । ସେ ଆସି କିଶୋର କୁ କହିଲା ମୋର ବାକି ପାଞ୍ଚ ଦେ । ସେ ତ ମଦ ପିଇ ଟଳଟଳ ହେଉଥାଏ । ଶଳୀ ! ତୋତେ ବେଶୀ ଚର୍ବି ଚଢିଚି । ନାଳିର ପୋକ ହେଇ ମୁଣ୍ଡ ରେ ଚଢୁଚୁ । ରହ ତୋତେ ପାନେ ଦେଉଛି । ଶୁଣିଲି ତୁ କାଳେ କହୁଥିଲୁ ଦିଲ୍ଲୀ ପଳେଇବୁ ସେଠି ଚାକିରୀ କରିବୁ ? ଅସରପା ଗୋଟେ ଚଢ଼େଇ ନା ତୁ ଗୋଟେ ମଣିଷରେ ଗଣା । ପଦ୍ମା ଏତିକି ଶୁଣି ସବୁ ଧର୍ଯ୍ୟ ହରେଇ ବସିଲା । ତା'ର ଆଖି ଦୁଇଟା ଜଳି ଉଠିଲା ଦପ୍ ଦପ୍ । ସିଧା କିଶୋରର କଲର୍ ଧରି ପକେଇଲା ,ଏବେ ଚୁପ୍ ! ପଇସା କାଢ ନ ହେଲେ ତୋ ତଶ୍ଟି କଣା କରିଦେବି । ବହୁତ ଅତ୍ୟାଚାର କଲୁ ଆମ ମାନଙ୍କ ଉପରେ । ଆମ ଠୁ ପଇସା ଆଦାୟ କରି ଚଳୁଚୁ ଆଉ ଆମକୁ ନାଲି ଆଖି ଦେଖଉଚୁ । ଆଜି ତୋତେ ଜଣେଇ ଦେଉଚି ମୁଁ କ'ଣ ? ସିଧା କିଶୋରର ପକେଟ୍ ରୁ ତାରି ପିସ୍ତଲ କାଢି ତା ଛାତିରେ ଗୋଟେ ରାଉଣ୍ଡ ଗୁଳି ଦାବି ଦେଲା । ସେଇଠି ସେ ଏକାଥରକେ ଖଲାସ୍ । ଆଉ ଗୋଟେ ଗୁଳି ପଦ୍ମା ନିଜ ପାପୁଲି ରେ ମାରିଲା । 

            ହାତ ଟେକି ଦଣ୍ଡବତ ହେଲା ମାଁ ଙ୍କୁ । ଆଜି ତୋର ଅଷ୍ଟମୀ ପୂଜା ନା ମାଁ ? ଦେଖ ! ଆଉ ଗୋଟେ ରାକ୍ଷସକୁ ବଳୀ ଚଢେଇଲି ତୋ ପାଖରେ । ଆମରି ରକ୍ତ ଶୋଷି ଶୋଷି ଆମ ଉପରେ ହାକିମାତି କରୁଥିଲା । ଆଜିଠୁ କିନ୍ନର ମାନେ ଟିକେ ଶାନ୍ତିରେ ନିଶ୍ୱାସ ମାରିବେ । ପୋଲିସ ଆଗରେ ପଦ୍ମ କହିଲା ମଦ ପିଇ ମୋତେ ମାରିବାକୁ ଚେଷ୍ଟା କରୁଥିଲା ‌। ଏଇ ଦେଖ !ମୋ ହାତରେ ଗୁଳି ବାଜିଛି । ଆତ୍ମରକ୍ଷା ପାଇଁ ତା ହାତରୁ ବନ୍ଧୁକ ଛଡେଇଲା ବେଳେ ଗୁଳି ଫୁଟି ଗଲା ଆଉ ତା ଛାତିରେ ବାଜିଲା । ନିର୍ଦୋଷରେ ଖଲାସ ହେଇଗଲା ସେ ରଙ୍ଗୀନ ମୁକ୍ତ ପ୍ରଜାପତି ପାଲଟି ଯାଇଥିଲା ଯେମିତି ସେ ବହୁତ ବହୁତ ଖୁସି ଆଜି ସେ ।                 


Rate this content
Log in

Similar oriya story from Inspirational